ଭାରତ-କାନାଡ଼ା କୂଟନୈତିକ ସମ୍ପର୍କରେ ଶିଥିଳତା

The Sakala Picture
Published On

ଭାରତ-କାନାଡ଼ା ସମ୍ପର୍କ ଅଧିକ ତିକ୍ତ ହୋଇଛି। ଜଣେ ଖଲିସ୍ଥାନୀ ସପକ୍ଷବାଦୀଙ୍କୁ କାନାଡ଼ାରେ ହତ୍ୟା କରାଯିବା ପଛରେ ଭାରତୀୟ ଉଚ୍ଚାୟୁକ୍ତଙ୍କର ସମ୍ପର୍କ ଥିବା ଦର୍ଶାଇ ସେଠା ସରକାର ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ଆଜି ପାଲଟା ପଦକ୍ଷେପ ନେଇଛି। ଆନ୍ତର୍ଜାତିକ କୂଟନୈତିକ ପରମ୍ପରା ଅନୁଯାୟୀ, ଯେସାକୁ ତେସା ନୀତିରେ ଗତକାଲି ଭାରତ ଜଣେ କାନାଡ଼ା କୂଟନୀତିଜ୍ଞଙ୍କୁ ଭାରତରୁ ବହିଷ୍କାର କରିଛି। କୂଟନୀତିଜ୍ଞ ଜଣକ ଭାରତୀୟ ବ୍ୟାପାର ଓ ଖଲିସ୍ଥାନ ପ୍ରସଙ୍ଗରେ ମୁଣ୍ଡ ପୂରାଉଥିବା ଭାରତ […]

ଭାରତ-କାନାଡ଼ା ସମ୍ପର୍କ ଅଧିକ ତିକ୍ତ ହୋଇଛି। ଜଣେ ଖଲିସ୍ଥାନୀ ସପକ୍ଷବାଦୀଙ୍କୁ କାନାଡ଼ାରେ ହତ୍ୟା କରାଯିବା ପଛରେ ଭାରତୀୟ ଉଚ୍ଚାୟୁକ୍ତଙ୍କର ସମ୍ପର୍କ ଥିବା ଦର୍ଶାଇ ସେଠା ସରକାର ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ଆଜି ପାଲଟା ପଦକ୍ଷେପ ନେଇଛି। ଆନ୍ତର୍ଜାତିକ କୂଟନୈତିକ ପରମ୍ପରା ଅନୁଯାୟୀ, ଯେସାକୁ ତେସା ନୀତିରେ ଗତକାଲି ଭାରତ ଜଣେ କାନାଡ଼ା କୂଟନୀତିଜ୍ଞଙ୍କୁ ଭାରତରୁ ବହିଷ୍କାର କରିଛି। କୂଟନୀତିଜ୍ଞ ଜଣକ ଭାରତୀୟ ବ୍ୟାପାର ଓ ଖଲିସ୍ଥାନ ପ୍ରସଙ୍ଗରେ ମୁଣ୍ଡ ପୂରାଉଥିବା ଭାରତ ଅଭିଯୋଗ କରିଛି।

ଦୁଇ ଦେଶଙ୍କ ମଧ୍ୟରେ ଏକଦା ଉତ୍ତମ ସମ୍ପର୍କ ଥିଲା। ତେବେ ସେଠାରେ ଖଲିସ୍ଥାନୀ ଉଗ୍ରବାଦୀ ଓ ସମର୍ଥକଙ୍କ କାର୍ଯ୍ୟକଳାପ ବୃଦ୍ଧି ଏବଂ ଏହାକୁ ରୋକିବାରେ ଜଷ୍ଟିନ୍‌‌ ଟ୍ରୁଡୁ ସରକାରଙ୍କ ବିଫଳତା ସମ୍ପର୍କକୁ ତିକ୍ତ କରିଛି। କାନାଡ଼ାରେ ୭,୭୦,୦୦୦ ଶିଖ ବସବାସ କରନ୍ତି ଏବଂ ଏହା ସେ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨ ଶତାଂଶ। ଏହି ଶିଖମାନେ ସମ୍ବଳବାନ ଏବଂ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସଚେତନ ଓ ପ୍ରଭାବୀ। ତେଣୁ ସେମାନଙ୍କ ସମର୍ଥନ ଲାଭ କରିବାକୁ ପ୍ରଧାନମନ୍ତ୍ରୀ ଟ୍ରୁଡୁ ଖଲିସ୍ଥାନୀ କାର୍ଯ୍ୟକଳାପ ପ୍ରତି ଉଦାସୀନତା ଅବଲମ୍ବନ କରିଆସୁଛନ୍ତି।

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ କାନାଡ଼ା ପ୍ରଧାନମନ୍ତ୍ରୀ ଯେଉଁଭଳି ଉପେକ୍ଷାର ସମ୍ମୁଖୀନ ହେଲେ, ସେଥିରୁ ଦୁଇଦେଶର ସମ୍ପର୍କ ଯେ ବିଗିଡ଼ି ଯାଇଛି, ତାହା ସ୍ପଷ୍ଟ ହୋଇଯାଇଥିଲା। ସତ କଥା ହେଲା କେବଳ ଖଲିସ୍ଥାନୀ ପ୍ରସଙ୍ଗ ନୁହେଁ, କାନାଡ଼ା ସରକାର ବିଗତ କିଛିକାଳ ଧରି ଚୀନ୍‌‌ ସପକ୍ଷବାଦୀ ମତି ଗତି ଆପଣାଇ ଭାରତକୁ ନ୍ୟୂନ ଦୃଷ୍ଟିରେ ଦେଖୁଛନ୍ତି ବୋଲି କୂଟନୈତିକ ମହଲରେ ଅଭିଯୋଗ ଆସିଛି। ଉଭୟ ଦେଶ ଭିନ୍ନ ଆଭିମୁଖ୍ୟର ରଣନୀତି ଅବଲମ୍ବନ କରୁଥିବାରୁ ସମ୍ପର୍କ କ୍ଷୁଣ୍ଣ ହେବା ସ୍ୱାଭାବିକ। ଭାରତର ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ଶାସନକାଳରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇ ଆଗକୁ ବଢ଼଼ିଥିଲା। କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀମାନେ ଜଣକ ପରେ ଜଣେ ଭାରତକୁ ସବୁ କଥାରେ ଅଗ୍ରାଧିକାର ଦେଉଥିଲେ ଏବଂ କାନାଡ଼ା ମାଟିରେ ଶିଖ ଆତଙ୍କବାଦ ପ୍ରଭାବରେ ଭାରତରେ ବିଚ୍ଛିନ୍ନତାବାଦ ସୃଷ୍ଟି ପାଇଁ କୌଣସି କାର୍ଯ୍ୟକୁ ପ୍ରଶୟ ଦେଉନଥିଲେ।
ଟ୍ରୁଡୁ କ୍ଷମତାକୁ ଆସିବା ପରେ ସେ ଭାରତର ସ୍ୱାର୍ଥ ଓ ପ୍ରସଙ୍ଗକୁ ଗୁରୁତ୍ୱ ଦେଇନଥିଲେ। ଏପରିକି ଖଲିସ୍ଥାନୀ ସମର୍ଥକଙ୍କ କାର୍ଯ୍ୟକଳାପକୁ ରୋକିବାକୁ ଭାରତର ଅନୁରୋଧକୁ ଏଡ଼ାଇ ଦେଇଥିଲେ। କୌଣସି ଦେଶରେ ଆତଙ୍କ ବା ବିଚ୍ଛିନ୍ନତାବାଦ ସୃଷ୍ଟି ପାଇଁ ଗୋଟିଏ ଦେଶ ତାହାର ଭୂମି ଓ ନାଗରିକଙ୍କୁ ବ୍ୟକ୍ତି ସ୍ୱାଧୀନତା ଓ ପରିପ୍ରକାଶର ଅଧିକାର କହି ସମର୍ଥନ ଦେବା ଏବଂ କ୍ଷତିଗ୍ରସ୍ତ ଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ଆଜିର ଯୁଗରେ ଅନ୍ତତଃ ଠିକ୍‌‌ ନୁହେଁ। ହିଂସାର ଗୌରବଗାନ ଓ ଏହାକୁ ନେଇ ଉତ୍ସବ ପାଳନ ଆଜିକାର ସମୟରେ କୌଣସି ଦେଶ ଓ ଆନ୍ତର୍ଜାତିକ ସମୁଦାୟ ପାଇଁ ଗ୍ରହଣୀୟ ନୁହେଁ। ତେବେ ଶିଖମାନଙ୍କ ସମର୍ଥନ ହାସଲ କରି ତୃତୀୟଥର କ୍ଷମତାକୁ ଆସିବାକୁ ଟ୍ରୁଡୁ ଯେଉଁ ତୁଷ୍ଟୀକରଣ ରାଜନୀତି ସେଠାରେ ଚାଳଇଛନ୍ତି, ତାହାର ପରାଭବ ତାଙ୍କୁ ଭୋଗିବାକୁ ପଡ଼ିବ।

ଏଠାରେ ସ୍ମରଣ କରାଯାଇପାରେ ଯେ କିଛିବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଟ୍ରୁଡୁ ଭାରତକୁ ଏକ ସରକାରୀ ଗସ୍ତରେ ଆସିଲା ବେଳେ ନିଜ ସହିତ ଜଣେ ପୁରୁଣା ଖଲିସ୍ଥାନୀ ଆନ୍ଦୋଳନ ସମର୍ଥକ ତଥା ଭାରତ ବିରୋଧୀ ଶିଖ ନେତାଙ୍କୁ ସରକାରୀ ପ୍ରତିନିଧି ଦଳରେ ସାମିଲ୍‌‌ କରାଇଥିଲେ। ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭାରତ ଦୋଷୀ ସାବ୍ୟସ୍ତ କରି ଆଗରୁ କାନାଡ଼ାକୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କୂଟନୈତିକ ସ୍ତରରେ ଦାବି ଜଣାଇଥିଲା। ଏହାଫଳରେ ଭାରତରେ ଏବଂ ବିଶେଷକରି ପଞ୍ଜାବରେ କୂଟନୈତିକ ଓ ରାଜନୈତିକ ସ୍ତରରେ ଏହାର ବିରୋଧ କରାଯାଇଥିଲା। ଟ୍ରୁଡୁଙ୍କର ଏ ସମ୍ପର୍କରେ ନିରବ ରହିବା ଭାରତ-କାନାଡ଼ା ସମ୍ପର୍କ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା। ନିକଟରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ-କାନାଡ଼ା ସମ୍ପର୍କରେ ମଳିନତା ସ୍ପଷ୍ଟ ଜଣାପଡ଼ୁଥିଲା। ଦୁର୍ଭାଗ୍ୟକୁ ଶିଖର ସମ୍ମିଳନୀ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ହେବାରୁ ଟ୍ରୁଡୁ ଦୁଇଦିନକାଳ ଦିଲ୍ଲୀରେ ଅଧିକ ରହିବାକୁ ବାଧ୍ୟ ହୋଇଥିଲେ। ଭାରତ ସରକାରଙ୍କ ବାୟୁସେନାର ସ୍ୱତନ୍ତ୍ର ଭିଆଇପି ବିମାନ ଯୋଗେ ତାଙ୍କୁ କାନାଡ଼ା ପହଞ୍ଚାଇ ଦେବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଟ୍ରୁଡୁ ପ୍ରତ୍ୟାଖ୍ୟାନ କରିଥିଲେ।
ଜନମତ ସର୍ଭେ କହୁଛି ଯେ ଆସନ୍ତା ନିର୍ବାଚନରେ ଟ୍ରୁଡୁଙ୍କ ଦଳର ପରାଜୟ ଘଟିବ। ଚୀନ୍‌‌ ସହିତ ତାଙ୍କ ବନ୍ଧୁତା ଦ୍ୱାରା ଭାରତ ସହିତ ଥିବା ବାଣିଜ୍ୟିକ ଓ ଅର୍ଥନୈତିକ ସମ୍ପର୍କ କ୍ଷୁର୍ଣ୍ଣ ହୋଇଛି। ଏବେ ରାଜନୈତିକ ଓ କୂଟନୈତିକ ସ୍ତରରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। ତେଣୁ ଟ୍ରୁଡୁଙ୍କ ଦଳ କ୍ଷମତାରୁ ବିଦା ନ ହେବା ଯାଏଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଘଟିବା ସମ୍ଭାବନା କ୍ଷୀଣ। ଆମ ବିଚାରରେ ସେ ଭାରତକୁ ଠିକ୍‌‌ ଭାବେ ବୁଝି ପାରିନାହାନ୍ତି ଯାହା ତାଙ୍କ ପୂର୍ବ ସୂରୀମାନେ ବୁଝିଥିଲେ।

କାନାଡ଼ାର ସାର୍ବଭୌମତ୍ୱ ନେଇ ମଧ୍ୟ ବିବାଦ ରହିଛି। ଫରାସୀ ଅଧ୍ୟୁଷିତ ପ୍ରଦେଶ କାନାଡ଼ାର ବୃହତ୍‌‌ କ୍ୟୁବେକ ଅଞ୍ଚଳରେ ଏବେ ମଧ୍ୟ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି। ଟ୍ରୁଡୁ ବୁଝିପାରୁ ନାହାନ୍ତି ଯେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଖଲିସ୍ଥାନୀ ସମର୍ଥକଙ୍କୁ ନୈତିକ ଓ ରାଜନୈତିକ ସମର୍ଥନ ଦେଲେ କ୍ୟୁବେକ୍‌‌ ବିଦ୍ରୋହୀଙ୍କୁ ମଧ୍ୟ ବିଦେଶରୁ ଅନୁରୂପ ସାହାଯ୍ୟ ସହଯୋଗ ମିଳିବ। କାନାଡ଼ାରେ ବହୁ ଭାରତୀୟ ସ୍ଥାୟୀ ଭାବେ ବସବାସ କରୁଛନ୍ତି ଏବଂ ସେ ଦେଶର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛନ୍ତି। କାନାଡ଼ା ଏକ ଧନୀ ଦେଶ ହେଲେ ମଧ୍ୟ ଭାରତ ଭଳି ଏକ ଶକ୍ତିଶାଳୀ ଦେଶ ନୁହେଁ। ଜିଡିପି, ଅର୍ଥନୀତି, ବାଣିଜ୍ୟ କାରବାର, ସାମରିକ ଶକ୍ତି ଓ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ଏହା ଭାରତଠାରୁ ଯଥେଷ୍ଟ ପଛରେ ରହିଛି। ବହୁଦଶନ୍ଧି ଧରି କାନାଡ଼ା ଆମେରିକାର ଗୋଡ଼ାଣିଆ ଦେଶ ଭଳି ଭୂମିକା ଗ୍ରହଣ କରି ଚାଲିଛି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌‌ଡ ଟ୍ରମ୍ପଙ୍କ ଶାସନ କାଳରେ ସେ କାନାଡ଼ା ଭ୍ରମଣରେ ଆସି ଖୋଲାଖୋଲି ଭାବରେ ଚୀନ୍‌‌ ପ୍ରତି କାନାଡ଼ାର ନରମ ବ୍ୟବହାରକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ଏବଂ କାନାଡ଼ାକୁ ଚେତାବନୀ ମଧ୍ୟ ଶୁଣାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚୀନ୍‌‌ର ଗୋଟିଏ ବୃହତ୍‌‌ ଟେଲିଫୋନ୍‌‌ କମ୍ପାନୀ ‘ହୁୱାଇ’ର ଜଣେ ବରିଷ୍ଠ ମୁଖ୍ୟ ଅଧିକାରୀ କାନାଡ଼ାରେ ଆମେରିକା ବିରୋଧୀ କାର୍ଯ୍ୟକଳାପ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା ଏବଂ ଆମେରିକାର ଆଦେଶକ୍ରମେ କାନାଡ଼ା ସେହି ମହିଳା ଅଧିକାରୀ ଜଣଙ୍କୁ ବନ୍ଦୀ କରିଥିଲେ। ଏ ଘଟଣା ପରେ ଚୀନ୍‌‌କୁ ନେଇ ଆମେରିକା-କାନାଡ଼ା ସମ୍ପର୍କରେ ମଧ୍ୟ ତିକ୍ତତା ଦେଖାଦେଇଥିଲା।
ଜଣେ ପ୍ରଧାନମନ୍ତ୍ରୀ ଭାବେ ଭାରତ ସହ ସ୍ୱାଭାବିକ ସମ୍ପର୍କ ରକ୍ଷା କରିବାରେ ଟ୍ରୁଡୁ କେବଳ ବିଫଳ ହୋଇନାହାନ୍ତି; ନିଜର ଅବିମୃଶ୍ୟକାରିତା ଯୋଗୁଁ ଏହାକୁ ଅଧିକ ବିଗାଡ଼ିଛନ୍ତି ବୋଲି କହିବା ଠିକ୍‌‌ ହେବ। ଚୀନ୍‌‌ର ଗୋଡ଼ାଣିଆ ହେବା ଫଳରେ ସେ କେବଳ ରାଜନୀତିରେ ତିଷ୍ଠିବେ ନାହିଁ; ବରଂ ବୃହତ୍‌‌ ଶକ୍ତି ଓ ନିଜର ପଡ଼ୋଶୀ ଆମେରିକାର ଅଧିକ ବିରାଗଭାଜନ ହେବେ। ଭାରତ-ଆମେରିକା ସମ୍ପର୍କରେ ଚୀନ୍‌‌ ସର୍ବଦା ପ୍ରତିବନ୍ଧକ ସୃଷ୍ଟି କରିବା ଉଦ୍ଦେଶ୍ୟ ରଖିଥାଏ। ଏହି ପରିସ୍ଥିତିରେ ଚୀନ୍‌‌ ସହିତ ହାତ ମିଳାଇ ଭାରତରେ ଅସ୍ଥିରତା ସୃଷ୍ଟି କରିବା ଉଦ୍ୟମ ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର ସହିତ ଖେଳିବା ଭଳି ଦୁଃସାହସ ମାତ୍ର। ଟ୍ରୁଡୁଙ୍କ ଏହି ଅବିବେକିତା ପାଇଁ କାନାଡ଼ାର ଗଣତନ୍ତ୍ର ପ୍ରେମୀ ଓ ଜାତୀୟତାବାଦୀ ମଧ୍ୟ ତାଙ୍କୁ ଆଗାମୀ ନିର୍ବାଚନରେ ବିରୋଧ କରିବେ ବୋଲି ସଙ୍କେତ ମିଳୁଛି।

ଭାରତ-କାନାଡ଼ା ସମ୍ପର୍କ ଏବେ ଯେଉଁ ସ୍ଥିତିରେ ପହଞ୍ଚିଛି, ତାହା ନିକଟ ଭବିଷ୍ୟତରେ ବଦଳିବାର ସମ୍ଭାବନା ଦିଶୁ ନାହିଁ। ଅନ୍ତତଃ ଟ୍ରୁଡୁ କ୍ଷମତାରେ ଥିବା ପର୍ଯ୍ୟନ୍ତ ଏହି ତିକ୍ତତା ଲାଗି ରହିପାରେ। ଭାରତ ପ୍ରସଙ୍ଗ ସେଠାକାର ବିରୋଧୀ ଦଳଙ୍କ ପାଇଁ ଟ୍ରୁଡୁଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ଖୋରାକ୍‌‌ ଯୋଗାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର