ଉତ୍ତରପ୍ରଦେଶରେ ‘ଏନ୍କାଉଣ୍ଟର’ ରାଜନୀତି !
ବିଡ଼ମ୍ବନାର କଥା ଯେ ଗୁଣ୍ଡାମି ଓ ଧନବଳରେ ରାଜନୀତି କରି ଜନପ୍ରତିନିଧି ନିର୍ବାଚିତ ହେବା ଆମ ଦେଶରେ ଏକ ଅସୁସ୍ଥ ପରମ୍ପରା ଭାବେ ଗଢ଼ିଉଠିଛି। ସମ୍ପ୍ରତି ଲୋକସଭାର ପାଖାପାଖି ଏକ ତୃତୀୟାଂଶ ସଦସ୍ୟମାନଙ୍କର ଅପରାଧିକ ପୃଷ୍ଠଭୂମି ରହିଛି କିମ୍ବା ଅଦାଲତରେ ଫୌଜଦାରୀ ମାମଲା ବିଚାରାଧୀନ ଅଛି। ବାହୁବଳ ଓ ଧନବଳରେ ଗ୍ରସ୍ତ ଆମ ଦେଶରେ ନିର୍ବାଚନ ପ୍ରକ୍ରିୟା ଏବେ ମୁକ୍ତ ଓ ଅବାଧ ହୋଇ ରହିନାହିଁ ବୋଲି କହିଲେ ଚଳେ। ଯେଉଁ ଗୁଣ୍ଡାମାନଙ୍କୁ ହାତବାରିସି କରି ରାଜନେତାମାନେ […]
ବିଡ଼ମ୍ବନାର କଥା ଯେ ଗୁଣ୍ଡାମି ଓ ଧନବଳରେ ରାଜନୀତି କରି ଜନପ୍ରତିନିଧି ନିର୍ବାଚିତ ହେବା ଆମ ଦେଶରେ ଏକ ଅସୁସ୍ଥ ପରମ୍ପରା ଭାବେ ଗଢ଼ିଉଠିଛି। ସମ୍ପ୍ରତି ଲୋକସଭାର ପାଖାପାଖି ଏକ ତୃତୀୟାଂଶ ସଦସ୍ୟମାନଙ୍କର ଅପରାଧିକ ପୃଷ୍ଠଭୂମି ରହିଛି କିମ୍ବା ଅଦାଲତରେ ଫୌଜଦାରୀ ମାମଲା ବିଚାରାଧୀନ ଅଛି। ବାହୁବଳ ଓ ଧନବଳରେ ଗ୍ରସ୍ତ ଆମ ଦେଶରେ ନିର୍ବାଚନ ପ୍ରକ୍ରିୟା ଏବେ ମୁକ୍ତ ଓ ଅବାଧ ହୋଇ ରହିନାହିଁ ବୋଲି କହିଲେ ଚଳେ। ଯେଉଁ ଗୁଣ୍ଡାମାନଙ୍କୁ ହାତବାରିସି କରି ରାଜନେତାମାନେ ନିର୍ବାଚନ ବୈତରଣୀ ପାର୍ ହେଉଥିଲେ, ସେଇ ଗୁଣ୍ଡାମାନେ ସମ୍ପ୍ରତି ଖୋଲାଖୋଲି ଭାବେ ନିର୍ବାଚନ ଲଢ଼ୁଛନ୍ତି ଏବଂ କ୍ଷମତା ରାଜନୀତି ପରିସରରେ ପ୍ରଭାବ ବିସ୍ତାର କରୁଛନ୍ତି। ତେଣୁ ସ୍ୱାଧୀନତାର ୭୫ ବର୍ଷ ପରେ ଯେବେ ଆମେ ଅମୃତ ମହୋତ୍ସବ ପାଳନ କରୁଛେ, ସାମ୍ପ୍ରଦାୟିକ ଦଙ୍ଗା, ସଂଖ୍ୟାଲଘୁ ତୁଷ୍ଟିକରଣ, ସମାଜରେ ଗୋଷ୍ଠୀ ସଂଘର୍ଷର ବିସ୍ତାର, ଦେଶ ସୀମାରେ ଅନୁପ୍ରବେଶକାରୀମାନଙ୍କୁ ବେଆଇନ ଭାବେ ଭୋଟରମାନଙ୍କ ମଧ୍ୟରେ ସାମିଲ କରି ତଥା ବିଭିନ୍ନ ଅବାସ୍ତବ ଓ ବିଦ୍ୱେଷ ସୃଷ୍ଟିକାରୀ ପ୍ରତିଶ୍ରୁତି ଦେଇ ଆଜିର ନିର୍ବାଚନ ରାଜନୀତିକୁ ଓ ସର୍ବୋପରି ଭାରତୀୟ ଗଣତନ୍ତ୍ରକୁ ଯେଉଁଭଳି କଳୁଷିତ କରାଯାଇ ସାରିଲାଣି, ତାହା ଏବେ ଅସହ୍ୟ ସ୍ତରରେ ପହଞ୍ଚିଲାଣି। ଏଭଳି ପୃଷ୍ଠଭୂମିରେ ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେଉ କିମ୍ବା ବାହୁବଳି ଅତିକ୍ ଅହମ୍ମଦର ଖୋଲାଖୋଲି ହତ୍ୟା ହେଉ ଭାରତୀୟ ଗଣତନ୍ତ୍ରର ସ୍ଥିତି ଏବେ ବିପନ୍ନ।
ଦୁର୍ଦ୍ଦାନ୍ତ ଅପରାଧୀରୁ ରାଜନେତା ବନିଥିବା ଉତ୍ତରପ୍ରଦେଶର କୁଖ୍ୟାତ ଗୁଣ୍ଡା ସର୍ଦ୍ଦାର ଅତିକ୍ ଅହମ୍ମଦ ଓ ତାହାର ଭାଇ ଅସରଫ୍ ପୁଲିସ୍ ହେପାଜତରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବାବେଳେ ଶନିବାର ପ୍ରୟାଗରାଜ (ଆହ୍ଲାବାଦ)ରେ ଯେଉଁ ନାଟକୀୟ ପରିସ୍ଥିତିରେ ତିନିଜଣ ଆତତାୟୀଙ୍କ ଗୁଳିରେ ନିହତ ହେଲେ, ତାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଳ୍ପ କେଇଦିନ ତଳେ ଅତିକ୍ର ପୁଅ ଓ ଜଣେ ସହଯୋଗୀ ଉତ୍ତରପ୍ରଦେଶ ପୁଲିସ୍ ଗୁଳିରେ ନିହତ ହୋଇଥିଲେ ଏବଂ ଏହାକୁ ପୁଲିସ୍ ଚିରାଚରିତ ଭାବେ ‘ଏନ୍କାଉଣ୍ଟର’ ଆଖ୍ୟା ଦେଇଥିଲା। ରାଜସ୍ଥାନର ଏକ ଜେଲ୍ରେ ବିଚାରାଧୀନ ବନ୍ଦୀ ଜୀବନ କାଟୁଥିବା ଅତିକ୍ ଉତ୍ତରପ୍ରଦେଶ ଆସିବାକୁ ଚାହୁଁନଥିଲା ଏବଂ ସେ ଖୋଲାଖୋଲି କହୁଥିଲା ଯେ ସେଠାକୁ ଗଲେ ଯୋଗୀ ସରକାର ତାକୁ ପୁଲିସ୍ ଲଗାଇ ଗୁଳିକରି ମାରିଦେବା ସହ ଘଟଣାକୁ ଏନ୍କାଉଣ୍ଟର ରୂପ ଦେବ। ତା’ର ଆଶଙ୍କା ସତ ପ୍ରମାଣିତ ହୋଇଛି।
ଏହି ଘଟଣାରେ ପୁଲିସ୍ ସମ୍ପୃକ୍ତ ତିନିଜଣ ଯୁବକଙ୍କୁ ଗିରଫ କରିଛନ୍ତି। ସେମାନେ ସାମ୍ବାଦିକ ବେଶରେ ଆସି ଅତି ପାଖରୁ ଅତିକ୍ ଓ ତା’ ଭାଇକୁ ଗୁଳି କରିଥିଲେ। ସେମାନେ ଧରା ପଡ଼ିଛନ୍ତି ଏବଂ ଅତିକ୍ ଭଳି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରି ଅପରାଧ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାକୁ ଏହା କରିଥିବା କଥା ବୋଲି ପୁଲିସ୍ କହୁଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟ ନାଥ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୧୦ରୁ ଊର୍ଦ୍ଧ୍ବ ସୁରକ୍ଷା କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଘଟଣା ରାଜନୀତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ଏବଂ ଏହା ଯୋଗୀ ସରକାରଙ୍କର ଏକ ଚତୁର ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ଦୋଷାରୋପ କରୁଛନ୍ତି।
ଆଜିକାଲି ପୁଲିସ୍ ହେପାଜତରେ ଥିବାବେଳେ ଅଭିଯୁକ୍ତମାନଙ୍କର ‘ନ୍ୟାୟିକ ବହିର୍ଭୂତ ହତ୍ୟା’ (ଏକ୍ସଟ୍ରା ଜୁଡିସିଆଲ୍ କିଲିଂ) ଏକ ସାଧାରଣ ଘଟଣା ହୋଇଗଲାଣି। ବିଭିନ୍ନ ରାଜ୍ୟରେ ଏହା ଘଟୁଛି ଏବଂ ଉତ୍ତରପ୍ରଦେଶରେ ଏହି ତାଲିକା ବେଶ୍ ଲମ୍ବା। ବାରମ୍ବାର ଅଭିଯୋଗ ହେଉଛି ଯେ ପୁଲିସ୍ ଏଭଳି ଘଟଣାରେ କେବଳ ଏକ ମୂକସାଖୀ କିମ୍ବା ପରୋକ୍ଷରେ ସଂଶ୍ଳିଷ୍ଟ ରହୁଛି। ଏହା ପଛରେ ସରକାରୀ ଓ ଶାସନର ରାଜନୀତିକ ନିଷ୍ପତ୍ତି ତଥା ନିର୍ଦ୍ଦେଶ ଥିବାର ଅନୁମାନ ଓ ଅଭିଯୋଗ କରାଯାଏ। ଉତ୍ତରପ୍ରଦେଶରେ ଗୁଣ୍ଡାରାଜର ଅବସାନ ପାଇଁ ଯୋଗୀ ଏନ୍କାଉଣ୍ଟର ଓ ବୁଲଡୋଜରକୁ ଏକ ଘୋଷିତ ଅସ୍ତ୍ରଭାବେ ବ୍ୟବହାର କରି ଆସୁଛନ୍ତି। ଏହା ଫଳରେ ସେଠାରେ ଅବଶ୍ୟ ଆଇନଶୃଙ୍ଖଳାରେ ଉନ୍ନତି ଘଟୁଛି ଓ ଲୋକେ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି। ତେବେ ଏହି ପ୍ରକ୍ରିୟାରେ ରାଜନୀତିକ ଦୁରୁପଯୋଗ ଓ ବିରୋଧୀ ପକ୍ଷର ବାହୁବଳୀ ନେତାଙ୍କୁ ମଧ୍ୟ ନିଶାଣ କରାଯାଉଛି। ସରକାର ଓ ଶାସକ ଦଳର ସମର୍ଥନ ତଥା ଅନୁମୋଦନ ବିନା ଏ କାମ ହେବା ସମ୍ଭବ ନୁହେଁ।
ଗୁଣ୍ଡାଙ୍କୁ ନିପାତ କରିବା ପାଇଁ ପୁଲିସ୍ର ନ୍ୟାୟ-ବହିର୍ଭୂତ ବ୍ୟବହାର ଆମ ଆଇନ, ନୀତି ନିୟମ ଓ ବ୍ୟବସ୍ଥାର ପରିପନ୍ଥୀ। ଜଣେ ଅପରାଧୀ ଯେତେ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥାଉ ନା କାହିଁକି, ତା’କୁ ଗୁଳି କରି ଏନ୍କାଉଣ୍ଟର ବାହାନାରେ ହତ୍ୟା କରିବାର ଅଧିକାର ପୁଲିସ୍ର ନାହିଁ। ଆମ ଦେଶରେ ଆଇନର ଶାସନ ଅଛି ଏବଂ ଦଣ୍ଡ ବିଧାନର ଅଧିକାର କେବଳ ଅଦାଲତମାନଙ୍କର ଅଛି। ସେସବୁ ବ୍ୟବସ୍ଥାକୁ ଆଡ଼େଇ ଯାଇ ପୁଲିସ୍ ଲଗାଇ ମାତ୍ରାଧିକ କାର୍ଯ୍ୟକଳାପ ଜରିଆରେ ଅପରାଧୀଙ୍କୁ ନିପାତ କରିବା ଏକ ଅଗ୍ରହଣୀୟ ତଥା ଅନୈତିକ ପନ୍ଥା। ଏହା ନିନ୍ଦନୀୟ ଏବଂ ଏହାର ଅବସାନ ଘଟିବା ଆବଶ୍ୟକ। ଯେଉଁମାନେ ପୁଲିସ୍ର ମାତ୍ରାଧିକ ଓ ସୀମା ବହିର୍ଭୁତ କାର୍ଯ୍ୟକଳାପକୁ ସମର୍ଥନ ଜଣାଉଛନ୍ତି, ସେମାନେ ପ୍ରଥମେ ଆଇନର ଶାସନର ଅର୍ଥ ଏବଂ ମହତ୍ତ୍ବ ବୁଝିବା ଦରକାର।
ଉତ୍ତରପ୍ରଦେଶରେ ଯାହା ଘଟିଛି, ତାହାକୁ ଅଘଟଣ, ଦୁର୍ଘଟଣା ବା ଅପମୃତ୍ୟୁ କୁହାଯାଇପାରିବ ନାହିଁ। ପୁଲିସ୍ର ହେପାଜତରେ ଏହି ହତ୍ୟାକାଣ୍ଡ ଘଟିଛି ଏବଂ ଅଭିଯୁକ୍ତର ସୁରକ୍ଷାରେ ତ୍ରୁଟି ସ୍ପଷ୍ଟ ଜାଣିହେଉଛି। ତେଣୁ ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ ଭଳି ମନେ ହେଉଛି ଏବଂ ଏଥିରେ ପୁଲିସ୍ ଓ ସରକାରଙ୍କ ଭୂମିକା ସନ୍ଦେହର ଘେରରେ ଆସୁଛି। ଅପରାଧୀ ଦଣ୍ଡ ପାଆନ୍ତୁ, ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରହୁ, ଏକଥା ସମସ୍ତେ ଚାହାନ୍ତି। ତେବେ ପୁଲିସ୍ ଅପରାଧୀକୁ ଆପଣା ଢ଼ଙ୍ଗ ଓ ମର୍ଜିରେ ଦଣ୍ଡିତ କରୁ, ଏ କଥାକୁ କୌଣସି ବିଚାରବନ୍ତ ଲୋକ ସମର୍ଥନ କରିବ ନାହିଁ। ଏହା ଫଳରେ ନ୍ୟାୟପାଳିକାର ଭୂମିକା ଗୌଣ ହୋଇଯିବ।
ବିଡ଼ମ୍ବନା ହେଉଛି, ଆମ ବିଚାର ବ୍ୟବସ୍ଥା ଏବେ ଏତେ ଦୀର୍ଘସୂତ୍ରୀ ଓ ଜଟିଳ ହୋଇଛି, ଯେଉଁଠି ହତ୍ୟାକାରୀ ବା ଅପରାଧୀକୁ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଶେଷରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇ ଛାତି ଫୁଲାଇ ଚାଲୁଛି। ତେଣୁ ଏହି ଦୀର୍ଘସୂତ୍ରୀ ଓ ଛିଦ୍ରଯୁକ୍ତ ବ୍ୟବସ୍ଥାରେ ଅପରାଧୀଙ୍କୁ କୌଶଳକ୍ରମେ ହତ୍ୟାକରି ତତ୍କାଳ ନ୍ୟାୟ ପ୍ରଦାନ ଏକ ରାଜନୀତିକ ସୁବିଧାବାଦରେ ପରିଣତ ହୋଇଛି। ଏପରି ଘଟଣା ଦେଶର ବିଭିନ୍ନ ସ୍ଥାନରେ ଘଟୁଛି ଦୁର୍ଦ୍ଦାନ୍ତ ଅଭିଯୁକ୍ତମାନେ ପୁଲିସ୍ ହେପାଜରେ ଥିବା ସମୟରେ।
ଅତିକ୍ ଅହମ୍ମଦ, ତା’ର ଭାଇ ଅସରଫ୍ ଓ ତା’ର ପୁଅ, ଯେଉଁ ଭଳି ସନ୍ଦିଗ୍ଧ ପରିସ୍ଥିତିରେ ନ୍ୟାୟ ବହିର୍ଭୂକ୍ତ ପ୍ରକ୍ରିୟାରେ ପ୍ରାଣଦଣ୍ଡ ପାଇଲେ, ତାହା ଗ୍ରହଣୀୟ ନୁହେଁ। ଏହି ଘଟଣା ଯେପରି ଦେଶରେ ବିକଟ ଆଇନ ଶୃଙ୍ଖଳା ପରିସ୍ଥିତି ନ ଘଟାଏ ତାହା ବର୍ତ୍ତମାନ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କ ଗୁରୁଦାୟିତ୍ୱ।