ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ, ଲୋକସଭା ନିର୍ବାଚନର ସେମିଫାଇନାଲ୍‌‌ ପାଇଁ ସଜବାଜ

The Sakala Picture
Published On

ଦେଶର ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ରାଜସ୍ଥାନ ଓ ମିଜୋରାମ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ମାସ (ନଭେମ୍ବର) ଛତିଶଗଡ଼କୁ ଛାଡ଼ି ଅନ୍ୟ ଚାରିଟି ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ ହେବ। ମାଓବାଦୀ ଅଧ୍ୟୁଷିତ ଛତିଶଗଡ଼ରେ ଦୁଇ ପର୍ଯ୍ୟାୟରେ ନଭେମ୍ବର ୭ ଓ ୧୭ରେ ମତଦାନ ହେବାକୁ ଥିବାବେଳେ ମଧ୍ୟପ୍ରଦେଶରେ ନଭେମ୍ବର ୧୭, ରାଜସ୍ଥାନରେ ନଭେମ୍ବର ୨୩, ତେଲଙ୍ଗାନାରେ ନଭେମ୍ବର ୩୦ ଏବଂ ମିଜୋରାମରେ ନଭେମ୍ବର ୭ରେ ଭୋଟ୍‌‌ ଗ୍ରହଣ କରାଯିବ। […]

ଦେଶର ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ରାଜସ୍ଥାନ ଓ ମିଜୋରାମ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ମାସ (ନଭେମ୍ବର) ଛତିଶଗଡ଼କୁ ଛାଡ଼ି ଅନ୍ୟ ଚାରିଟି ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ ହେବ। ମାଓବାଦୀ ଅଧ୍ୟୁଷିତ ଛତିଶଗଡ଼ରେ ଦୁଇ ପର୍ଯ୍ୟାୟରେ ନଭେମ୍ବର ୭ ଓ ୧୭ରେ ମତଦାନ ହେବାକୁ ଥିବାବେଳେ ମଧ୍ୟପ୍ରଦେଶରେ ନଭେମ୍ବର ୧୭, ରାଜସ୍ଥାନରେ ନଭେମ୍ବର ୨୩, ତେଲଙ୍ଗାନାରେ ନଭେମ୍ବର ୩୦ ଏବଂ ମିଜୋରାମରେ ନଭେମ୍ବର ୭ରେ ଭୋଟ୍‌‌ ଗ୍ରହଣ କରାଯିବ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଅନ୍ତିମ ପର୍ଯ୍ୟାୟର ବିଧାନସଭା ନିର୍ବାଚନ। ଏଥିରେ ମିଜୋରାମ ଭଳି ଛୋଟ ଏବଂ ରାଜନୈତିକ ଦୃଷ୍ଟିରୁ ଅଣଗୁରୁତ୍ୱପୂର୍ଣ୍ଣ ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ଚାରିଟି ରାଜ୍ୟ ବଡ଼ ଏବଂ ଜାତୀୟ ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହି ପାଞ୍ଚଟି ରାଜ୍ୟରେ ମୋଟ୍‌‌ ୬୭୯ଟି ବିଧାନସଭା ଆସନ ରହିଛି ଏବଂ ଏବେ ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଥିବାବେଳେ ମିଜୋରାମରେ ଏନ୍‌‌ଡିଏ ଶାସନ ରହିଛି। କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାରେ ଥିବାବେଳେ ତେଲଙ୍ଗାନାରେ ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି କ୍ଷମତାରେ ଅଛି। ସେଠାରେ କେସିଆର କ୍ରମାଗତ ତୃତୀୟଥର ପାଇଁ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟତ୍ର ଶାସକଦଳମାନେ ନିଜ ନିଜ ଗଡ଼ ସମ୍ଭାଳିବା ପ୍ରୟାସରେ ଅଛନ୍ତି।

ଅବଶ୍ୟ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନର ସେଭଳି ବିଶେଷ କିଛି ପ୍ରତ୍ୟକ୍ଷ ସମ୍ପର୍କ ନଥାଏ। ହଁ ଏହା ସତ୍ୟ ଯେ ସ୍ଥାନୀୟ ପ୍ରସଙ୍ଗ ଉପରେ ବିଧାନସଭା ନିର୍ବାଚନ ଲଢ଼ାଯାଏ ଓ ଲୋକସଭା ନିର୍ବାଚନରେ ଜାତୀୟ ପ୍ରସଙ୍ଗ ଅଗ୍ରାଧିକାର ପାଏ। ଏହା ସତ୍ତ୍ବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ହେଉଥିବାରୁ ଏହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ଲୋକସଭାର ସେମିଫାଇନାଲ ରାଉଣ୍ଡ ବା ମିନି ସାଧାରଣ ନିର୍ବାଚନ ଭାବେ ଦେଖିବାକୁ ପ୍ରସ୍ତୁତ। ସେମାନଙ୍କ ମତରେ ଏସବୁ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ ଲୋକସଭା ନିର୍ବାଚନକୁ ଅନେକାଂଶରେ ପ୍ରଭାବିତ କରିପାରେ।

ନିର୍ବାଚନକୁ ଯାଉଥିବା ଏହି ପାଞ୍ଚଟି ରାଜ୍ୟ ମଧ୍ୟରୁ ତିନିଟି ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି। ରାଜସ୍ଥାନରେ ୧୯୯୫ ପରଠାରୁ କୌଣସି ଦଳ ବା ମେଣ୍ଟ କ୍ରମାଗତ ଭାବେ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇ ନଥିବାରୁ କଂଗ୍ରେସ ଏଠି ପୁଣି କ୍ଷମତାକୁ ଫେରିପାରିବ କି ନାହିଁ ସେ ନେଇ ସମସ୍ତେ ସ୍ୱତନ୍ତ୍ର ଦୃଷ୍ଟି ରଖିଛନ୍ତି। ସେହିଭଳି ଅନ୍ୟ ଚାରିଟି ରାଜ୍ୟରେ ଶାସକଦଳ ବିରୋଧରେ ସରକାରୀ ବିରୋଧୀ ହାୱା (ଆଣ୍ଟି ଇନ୍‌‌କମ୍ବାନ୍ସି) ରହିଛି। ଏଥିରେ ବିଜେପି, କଂଗ୍ରେସ ଓ ବିଆର୍‌‌ଏସ୍‌‌ ନିଜ ନିଜ ଗଡ଼ ସମ୍ଭାଳି ପାରିବେ କି ନାହିଁ, ତାହା ଏକ ପ୍ରଶ୍ନବାଚୀ ହୋଇ ଉଭା ହୋଇଛି।

ଏବେ ବିଧାନସଭା ନିର୍ବାଚନରେ ଜାତି, ସମ୍ପ୍ରଦାୟ, ଧର୍ମ, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ଭୋଟରଙ୍କୁ ବିଭିନ୍ନ ପ୍ୟାକେଜ୍‌‌ ଦେଇ ତୋଷ କରିବା ଏବଂ ଚାଷବାସ ଓ ରୋଜଗାର, ଦରଦାମ ବୃଦ୍ଧି ଆଦି ପ୍ରମୁଖ ପ୍ରସଙ୍ଗ ହୋଇଛି। ଯେଉଁ ଦଳ ଭୋଟରଙ୍କୁ ଯେତେ ସୁବିଧାର ପ୍ରତିଶ୍ରୁତି ଦେଇ ନିଜ ପକ୍ଷକୁ ଆଣି ପାରୁଛି, ସେ ଦଳକୁ ଭଲ ଜନସମର୍ଥନ ମିଳୁଛି। ରାଜସ୍ଥାନ ସରକାର ଜାତିଗତ ଜନଗଣନାକୁ ସବୁଜ ସଂକେତ ଦେଇଥିବାବେଳେ ଭୋଟରଙ୍କୁ ଆକୃଷ୍ଠ କରିବାକୁ ସେଠାକାର ଅଭିଜ୍ଞ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ପୁରୁଣା ପେନ୍‌‌ସନ୍‌‌ ବ୍ୟବସ୍ଥାଠାରୁ ଆରମ୍ଭ କରି ଯାବତୀୟ ତୋଷକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଅପରପକ୍ଷରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାରେ ଚାଷୀ ସମସ୍ୟା ଓ ରୋଜଗାର ପ୍ରମୁଖ ପ୍ରସଙ୍ଗ ହୋଇଛି। ସରକାରୀ ପ୍ରୋତ୍ସାହନ ସତ୍ତ୍ବେ ଏସବୁ ରାଜ୍ୟ ସରକାରଙ୍କ ପାଇଁ ସ୍ଥାନୀୟ ସମସ୍ୟା ଅଧିକ ଜଟିଳ ରହିଛି।

କେସିଆର୍‌‌, ଅଶୋକ ଗେହଲତ, କମଳନାଥ ଓ ଭୁପେଶ ବାଘେଲଙ୍କ ଭଳି ତୁଙ୍ଗ ନେତାମାନେ ଶିବିର ପରିଚାଳନା କରୁଥିବାବେଳେ ବିଜେପି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଭଲକାମକୁ ଆଗରେ ରଖି ରମଣ ସିଂହ, ଦିଗ୍‌‌ବିଜୟ ସିଂହ, ଜ୍ୟୋତିରାଦିତ୍ୟ ସିନ୍ଦିଆ ଆଦିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ ନ କରି ଆଗକୁ ଛାଡ଼ିଛି। ତେବେ ବସୁନ୍ଧରା ରାଜେଙ୍କୁ ଏଥର ଟିକେଟ୍‌‌ ଦିଆଯାଇନଥିବାରୁ ରାଜସ୍ଥାନରେ ବିଜେପି ପାଇଁ କିଞ୍ôଚତ ସମସ୍ୟା ରହିଛି। ତେବେ କଂଗ୍ରେସରେ ସେଠାରେ ଗେହଲତ-ପାଇଲଟ ଗୋଷ୍ଠୀ ବିବାଦ ମଧ୍ୟ ଦଳ ପାଇଁ ଏକ ସଂକଟ ସୃଷ୍ଟି କରିଛି। ତେଲଙ୍ଗାନାରେ କେସିଆର୍‌‌ ତୃତୀୟଥର ପାଇଁ କ୍ଷମତାକୁ ଆସିବାକୁ ଯେଉଁ ପ୍ରୟାସ କରୁଛନ୍ତି, ସେଥିରେ କଂଗ୍ରେସ ତାଙ୍କ ପାଇଁ ବଡ଼ ଶତ୍ରୁ ପାଲଟିଛି। ମିଜୋରାମରେ ମଣିପୁର ସ୍ଥିତିର ପ୍ରଭାବ ପଡ଼ିପାରେ ଏବଂ ଏହା ବିଜେପି ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଉଛନ୍ତି। ଏହିସବୁ ଦୃଷ୍ଟିରୁ ଜଣାଯାଏ ଯେ ସ୍ଥାନୀୟ ରାଜନୈତିକ ସମୀକରଣ ନିର୍ଣ୍ଣାୟକ ହେବାକୁ ଯାଉଥିବାରୁ ‘ଇଣ୍ଡିଆ’ ମେଣ୍ଟ ଗଠନର ବିଶେଷ ପ୍ରଭାବ ଏହି ନିର୍ବାଚନ ଉପରେ ପଡ଼ି ନ ପାରେ।

ତେବେ ସେ ଯା’ହେଉ ଏହି ନିର୍ବାଚନରେ ମହିଳା ସଂରକ୍ଷଣ, ଜାତିଗତ ଜନଗଣନା, ପୁରୁଣା ପେନ୍‌‌ସନ୍‌‌ ବ୍ୟବସ୍ଥା ପ୍ରଚଳନଠାରୁ ଆରମ୍ଭ କରି ସବୁ ପ୍ରସଙ୍ଗ ବାଜିରେ ଲାଗିଛି। ଅନ୍ତିମ ନିର୍ଣ୍ଣୟ ଜନତାଙ୍କର। ଅନୁଭୂତି କହୁଛି ଯେ ସ୍ଥାନୀୟ ସମସ୍ୟା ଓ ଲୋକଙ୍କ ଭଲମନ୍ଦକୁ ଠିକଣା ଭାବେ ପରିଚାଳିତ କରୁଥିବା ଦଳ ପ୍ରତି ଭୋଟରଙ୍କ ସମର୍ଥନ ଅଧିକ ମିଳିଥାଏ। କେବଳ ରାଜସ୍ଥାନକୁ ଛାଡ଼ି ନିର୍ବାଚନ ହେଉଥିବା ଅନ୍ୟ ତିନିଟି ବଡ଼ ରାଜ୍ୟରେ ଗୋଟିଏ ସରକାରକୁ ଭୋଟର କ୍ରମାଗତ ଏକାଧିକବାର ସୁଯୋଗ ଦେଇଛନ୍ତି। ଏଥର କଂଗ୍ରେସ ପାଇଁ ଏହି ନିର୍ବାଚନ ଅଧିକ ଗୁରୁତ୍ୱ ରଖେ। ଏହା ଯଦି ପାଞ୍ଚଟି ରାଜ୍ୟରେ ଭଲ କଲା ଏବଂ କ୍ଷମତାକୁ ଅତିକମ୍‌‌ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ଫେରିଲା, ତେବେ ଲୋକସଭା ନିର୍ବାଚନ ପାଇଁ ଏହା ନିଶ୍ଚିତ ଲାଭରେ ରହିବ। ଏହା ଫଳରେ ‘ଇଣ୍ଡିଆ’ ମେଣ୍ଟରେ କଂଗ୍ରେସର କାଟ୍‌‌ତି ଓ ପ୍ରଭାବ ବୃଦ୍ଧି ପାଇବ। ଯଦି କଂଗ୍ରେସର ପ୍ରଦର୍ଶନ ଭଲ ନ ହେଲା, ତା’ହେଲେ ସ୍ୱାଭାବିକ ଭାବେ ବିଜେପି ଫାଇଦାରେ ରହିବ ଓ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଏହାର ପ୍ରଭାବ ବଢ଼଼ିବ। ସେଥିପାଇଁ ବିଜେପି କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନଙ୍କୁ ଟିକେଟ୍‌‌ ଦେଇ ବିଧାନସଭା ନିର୍ବାଚନକୁ ପଠାଉଛି। ଏହି ନିର୍ବାଚନରେ ଦେଶର ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପାଇଁ ଉଭୟ ସୁଯୋଗ ଏବଂ ଆହ୍ୱାନ ରହିଛି। ଡିସେମ୍ବର ୩ରେ ହେବାକୁ ଥିବା ଭୋଟ ଗଣନା ସବୁ କଥା ସ୍ପଷ୍ଟ କରିଦେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର