କୋଭିଡ୍-୧୯ ଏବେ ଇତିହାସ: ମହାମାରୀର ଶିକ୍ଷା ଆମକୁ ବାଟ କଢ଼ାଇବ
କରୋନା ମହାମାରୀ (କୋଭିଡ୍-୧୯) ଆନୁଷ୍ଠାନିକ ଭାବେ ଇତିହାସ ପାଲଟିଛି। ସବୁ ମହାମାରୀ ପରି ଶତାବ୍ଦୀରେ ଥରେ ଆସୁଥିବା ଏହି କୋଭିଡ୍-୧୯କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ୨୦୨୦ ଜାନୁଆରୀରୁ ‘ପବ୍ଲିକ ହେଲ୍ଥ ଏମରଜେନ୍ସି’ ବା ‘ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି’ ଭାବେ ଘୋଷଣା କରିଥିଲା। ତଦନୁସାରେ ସମଗ୍ର ବିଶ୍ୱରେ ଏହା ବିରୋଧରେ କଟକଣା, ଲକ୍ଡାଉନ୍ ଓ ଆହୁରି ଅନେକ ସ୍ୱାସ୍ଥ୍ୟଗତ ପଦକ୍ଷେପ ବିଭିନ୍ନ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶରେ ଗ୍ରହଣ କରିଥିଲେ। ‘ହୁ’ ଗତ ଶୁକ୍ରବାର କୋଭିଡ୍-୧୯କୁ […]
କରୋନା ମହାମାରୀ (କୋଭିଡ୍-୧୯) ଆନୁଷ୍ଠାନିକ ଭାବେ ଇତିହାସ ପାଲଟିଛି। ସବୁ ମହାମାରୀ ପରି ଶତାବ୍ଦୀରେ ଥରେ ଆସୁଥିବା ଏହି କୋଭିଡ୍-୧୯କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ୨୦୨୦ ଜାନୁଆରୀରୁ ‘ପବ୍ଲିକ ହେଲ୍ଥ ଏମରଜେନ୍ସି’ ବା ‘ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି’ ଭାବେ ଘୋଷଣା କରିଥିଲା। ତଦନୁସାରେ ସମଗ୍ର ବିଶ୍ୱରେ ଏହା ବିରୋଧରେ କଟକଣା, ଲକ୍ଡାଉନ୍ ଓ ଆହୁରି ଅନେକ ସ୍ୱାସ୍ଥ୍ୟଗତ ପଦକ୍ଷେପ ବିଭିନ୍ନ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶରେ ଗ୍ରହଣ କରିଥିଲେ। ‘ହୁ’ ଗତ ଶୁକ୍ରବାର କୋଭିଡ୍-୧୯କୁ ‘ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି’ରୁ ବାଦ ଦେଇଛି। ମହାମାରୀର ଇତିହାସ କହେ ଯେ ଏହା ଥରେ ଆସିଲେ ଅତିକମ୍ରେ ତିନିବର୍ଷ ପର୍ଯ୍ୟନ୍ତ ତାହାର କରାମତି ଦେଖାଏ ଏବଂ ଅସୁମାରୀ ଧନଜୀବନ ହାନି ଘଟାଏ। କ୍ରମଶଃ ଭୂତାଣୁ ସଂସ୍ପର୍ଶରେ ଆସି ଲୋକଙ୍କ ମଧ୍ୟରେ ଗୋଷ୍ଠୀ ପ୍ରତିରୋଧ ଶକ୍ତି(ହର୍ଡ ଇମ୍ୟୁନିଟି) ସୃଷ୍ଟି ହେଲେ ତାହା କମିଯାଏ। କୋଭିଡ୍-୧୯ କ୍ଷେତ୍ରରେ ତାହା ହିଁ ହୋଇଛି। ତେବେ କୋଭିଡ୍ ପ୍ରତିରୋଧୀ ଟିକା ଓ ଔଷଧ ମହାମାରୀ ଜନିତ ମୃତ୍ୟୁକୁ ରୋକିବାରେ ସମର୍ଥ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଏଯାବତ କୋଭିଡ୍-୧୯ ଯୋଗୁଁ ସମଗ୍ର ବିଶ୍ୱରେ ୭୬ କୋଟି ୩ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପ୍ରାୟ ୭ କୋଟି ମଣିଷ ପ୍ରାଣ ହରାଇଛନ୍ତି। ଆଧୁନିକ ବିଶ୍ୱରେ ଏହି ମୃତ୍ୟୁ ନିଶ୍ଚିତ ଏକ ବଡ଼ ସଂଖ୍ୟା।
ବର୍ତ୍ତମାନ ସୁଦ୍ଧା ଭାରତ ସମେତ ଅନେକ ଦେଶରେ କୋଭିଡ୍ ସଂକ୍ରମଣ ଜାରି ରହିଛି। ତେବେ ଏହା ଆଉ ମହାମାରୀ ତାଲିକାଭୁକ୍ତ ହୋଇନଥିବାରୁ ଏଥିପ୍ରତି ସ୍ୱାସ୍ଥ୍ୟଗତ ଜରୁରୀ ଆବଶ୍ୟକତା ଓ ଗୁରୁତ୍ୱ ଦିଆଯାଉନାହିଁ। ତଥାପି ରୋଗୀଙ୍କୁ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ଯେମିତି ଅଗ୍ରାଧିକାର ଭିତ୍ତିରେ ହେବା କଥା ତାହା ହେଉଛି। ଯେହେତୁ ଅଧିକାଂଶ ଲୋକ ଟିକା ନେଇ ସାରିଛନ୍ତି ଏବଂ ଏବେକାର କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ଯଥେଷ୍ଟ କମ୍ ରହୁଛି, ସେଥିପାଇଁ କଟକଣା, ଲକ୍ଡାଉନ୍ ଓ ଅନ୍ୟାନ୍ୟ ପଦକ୍ଷେପର ଆବଶ୍ୟକତା ନାହିଁ। ଏବେ ଭାରତ ସମେତ ବିଭିନ୍ନ ଦେଶରେ ଏକ୍ସବିବି.୧.୧୫ ପ୍ରଜାତିର ଭୂତାଣୁ ସଂକ୍ରମଣ ରହିଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହି ଦେଇଛି, ଏହା ସହିତ ମଣିଷ ସମାଜକୁ ବଞ୍ଚି ରହିବାକୁ ହେବ। କାରଣ କୋଭିଡ୍ ବା କରୋନା ଭୂତାଣୁଙ୍କୁ ସମୂଳେ ନିର୍ମୂଳ କରିବା ସମ୍ଭବ ନୁହେଁ। ତେବେ ବିଶ୍ୱରେ ଯେଉଁ ଶହ ଶହ କୋଟି ଲୋକ ଏବେ ମଧ୍ୟ କରୋନା ଟିକା ନେଇ ନାହାନ୍ତି, ସେମାନଙ୍କ ପ୍ରତି ଯେ ଏକ ବଡ଼ ବିପଦ ରହିଛି, ତାହାକୁ ଅସ୍ୱୀକାର କରିହେବ ନାହିଁ।
ସବୁ ମହାମାରୀ ପରି କରୋନା ମଧ୍ୟ ବିଶ୍ୱର ଅର୍ଥନୀତିକୁ ଉଜାଡ଼ି ଦେଇଯାଇଛି। ଭାରତ ଉଭୟ ଧନ ଓ ଜୀବନ ଦୃଷ୍ଟିରୁ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ତେବେ ଆମ ଜନସଂଖ୍ୟା ଦୃଷ୍ଟିରୁ ମୃତ୍ୟୁହାର ଅପେକ୍ଷାକୃତ କମ୍ ରହିବା ପଛରେ ରହିଛି ସରକାରଙ୍କ ଉଦ୍ୟମ ଓ କୋଭିଡ୍ ପରିଚାଳନା ନୀତି। ଆମେ ଟିକା ବାହାର କରି ନିଜ ଦେଶର ଲୋକଙ୍କୁ ତାହା ଦେଇ ସେମାନଙ୍କୁ ଅନେକାଂଶରେ ସୁରକ୍ଷିତ କରିବା ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ରଙ୍କୁ ପାରୁପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରିଛୁ। ଆମ ଓଡ଼ିଶା ଭଳି ରାଜ୍ୟ କୋଭିଡ୍ ପରିଚାଳନାରେ ଉଲ୍ଲେଖନୀୟ କାମ କରି ଜାତୀୟସ୍ତରରେ ପ୍ରଶଂସିତ ହୋଇଛି। ସ୍ୱାସ୍ଥ୍ୟଗତ ଜରୁରୀ ସ୍ଥିତି ଅନେକ ପରୀକ୍ଷା ନିରୀକ୍ଷାର ସୁଯୋଗ ଏବଂ ନୂତନ ସମ୍ଭାବନା ସୃଷ୍ଟି କରେ। ସଂକଟକୁ କିପରି ସୁଯୋଗରେ ପରିଣତ କରିଯାଇପାରେ ସେହି ଶିକ୍ଷା ଦିଏ। ଭାରତ ତାହା କରିପାରିଛି ଏବଂ ଏବେ କରୋନା ପରବର୍ତ୍ତୀ ବିପର୍ଯ୍ୟସ୍ତ ଅର୍ଥନୀତିକୁ ବଦଳାଇବାକୁ ସବୁମତେ ଉଦ୍ୟମ କରୁଛି।
କରୋନା ଏକ ସାର୍ସଜାତୀୟ ସଂସର୍ଗଗତ ଶ୍ୱାସଜନିତ ମହାମାରୀ, ଯାହା ପକ୍ଷୀଙ୍କ ଦ୍ୱାରା ବ୍ୟାପିଥାଏ। ଦୁର୍ଭାଗ୍ୟର ବିଷୟ ‘ହୁ’ର ବିଫଳତା ହେଉ ଅଥବା ଚୀନ୍ର ଚାପ, କୋଭିଡ୍-୧୯ର କାରଣ ଏବଂ ଉତ୍ପତ୍ତିସ୍ଥଳ ସମ୍ପର୍କରେ ଏଯାଏ କୌଣସି ତଥ୍ୟ ସରକାରୀ ଭାବେ ପ୍ରକାଶ ପାଇନାହିଁ। ଏହା ଚୀନ୍ର ୟୁହାନ ସହରରୁ ପ୍ରଥମେ ବ୍ୟାପିଛି। ତେବେ ଏହା ସେଠାକାର ଆମିଷ ବଜାରରୁ ପ୍ରଥମେ ସୃଷ୍ଟ କି ଚୀନ୍ର ପରୀକ୍ଷାଗାରରୁ ବାହାରକୁ ପ୍ରଘଟ ହୋଇଛି, ତାହା ଏବେ ମଧ୍ୟ ସନ୍ଦେହ ବଳୟରେ ରହିଛି। ଭାରତ ସମେତ ସମଗ୍ର ବିଶ୍ୱ କରୋନା ମହାମାରୀରୁ ଅନେକ କିଛି କଥା ଶିଖିଛି। ଆଜିର ବିଶ୍ୱାୟନ ଯୁଗର ଗଣଆତଯାତ, ଗଣସଂସର୍ଗ ଓ ସଂସ୍ପର୍ଶ ଏହି ବ୍ୟାଧି ସଂକ୍ରମଣର ମୁଖ୍ୟ କାରଣ ବୋଲି କୁହାଯାଇଛି। ଆହୁରି ମଧ୍ୟ ଆମ ବିଶ୍ୱର ଉନ୍ନତ ରାଷ୍ଟ୍ରମାନେ, ଯେଉଁମାନେ ବିଶେଷ ଲାଭ ନଥିବାରୁ ଏଭଳି ମହାମାରୀ (ଭୂତାଣୁ ଜନିତ ସଂକ୍ରମଣ) ପାଇଁ ଟିକା ଓ ଔଷଧ ପ୍ରସ୍ତୁତି କରୁନଥିଲେ, ସେମାନଙ୍କୁ ଜନସ୍ୱାସ୍ଥ୍ୟର ଜରୁରୀ ସ୍ଥିତି ସମ୍ପର୍କରେ ଉଚିତ ଶିକ୍ଷା ମିଳିଛି। ସେମାନେ ଟିକା ଓ ଔଷଧ ପ୍ରସ୍ତୁତ ପାଇଁ ବାଧ୍ୟ ହୋଇଛନ୍ତି ଏବଂ ଭାରତ ଭଳି ଦେଶ ଏ କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟି କରିଛି।
ମହାମାରୀ ଆମକୁ ଆହୁରି ଶିକ୍ଷା ଦେଇଯାଇଛି ଯେ ସ୍ୱାସ୍ଥ୍ୟସେବା ସୁବିଧା, ଭିତ୍ତିଭୂମି ବିକାଶ, ଚିକିତ୍ସା ପ୍ରସ୍ତୁତି ଓ ଉପକରଣ ଯୋଗାଣ ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ତେଣୁ କୋଭିଡ୍-୧୯ ଆମ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ବାସ୍ତବ ସ୍ଥିତିର ପରୀକ୍ଷା ନେଇଛି। ସରକାରୀ ସ୍ୱାସ୍ଥ୍ୟସେବା ସହ ଘରୋଇ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସୁଦୃଢ଼ୀକରଣ ଯେ ଏକାନ୍ତ ଅପରିହାର୍ଯ୍ୟ, କରୋନା ମହାମାରୀ ଆମକୁ ତାହା ଶିଖାଇଛି। ନୂଆ ଯୁଗ, ନୂଆ ସମୟ ଓ ନୂତନ ଅର୍ଥନୀତି ନୂଆ ନୂଆ ପ୍ରକାର ବ୍ୟାଧି ଆଣିବ। ଏବେ ମଧ୍ୟ ପ୍ରକୃତି ଓ ପରିବେଶରେ ୭୦୦ ରୁ ଅଧିକ ଅଚିହ୍ନା ବିପଜ୍ଜନକ ଭୂତାଣୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଯଦି ନିଜର ପ୍ରାକୃତିକ ଆବାସରୁ ବିଚ୍ୟୁତ ହୋଇ ମଣିଷକୁ ସଂକ୍ରମିତ କରନ୍ତି, ତାହା ଆହୁରି ଅନେକ ମହାମାରୀ ସୃଷ୍ଟି କରିବ। ସେ ଦୃଷ୍ଟିରୁ ଆମର ସ୍ୱାସ୍ଥ୍ୟ ଓ ଭେଷଜ ଗବେଷଣା ଏବଂ ଚିକିତ୍ସା ଭିତ୍ତିଭୂମି ସର୍ବଦା ସମୟ ଏବଂ ଭବିଷ୍ୟତ ଉପଯୋଗୀ ହେବା ଆବଶ୍ୟକ।
କରୋନା ହମାମାରୀ ଜନିତ ସଙ୍କଟ ଆମ ପାଇଁ ଶିଖିବାର ଯେଉଁ ସୁଯୋଗ ସୃଷ୍ଟି କଲା, ତାହା ସବୁଠୁ ବଡ଼ ଅଭିଜ୍ଞତା ଓ ସମ୍ବଳ। ଏହା ଆମକୁ ଭବିଷ୍ୟତ ମହାମାରୀ ମୁକାବିଲା ପାଇଁ ଅବଶ୍ୟ ବାଟ ଦେଖାଇବ। ଏହା ମଧ୍ୟ କରୋନା ପରବର୍ତ୍ତୀ ବିଶ୍ୱ ନିର୍ମାଣରେ ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିବ।