ବିଶ୍ୱ ତୈଳ ବଜାରରେ ଅସ୍ଥିରତା, ଭାରତରେ ମୁଦ୍ରାସ୍ଫୀତି ଆଶଙ୍କା!
ଆନ୍ତର୍ଜାତିକ ତୈଳ ବଜାରରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା ତାହାକୁ ଦୂର କରିବାରେ ତୈଳ ଉତ୍ପାଦନକାରୀ ରାଷ୍ଟ୍ରସଂଘ ଓପେକ୍ ସମେତ ରୁଷିଆ ଓ ଆଉ କେତେକ ଦେଶ ସଫଳ ହୋଇଛନ୍ତି। ଆମେରିକାରେ ବ୍ୟାଙ୍କିଙ୍ଗ ସଂକଟ ଓ ୟୁରୋପରେ ଚାହିଦା ହ୍ରାସ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ବିଶ୍ୱ ବଜାରରେ ୭୦ ଡଲାର ପାଖାପାଖି ପହଞ୍ଚିବା ପରେ ଉତ୍ପାଦନ ଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି। ସେମାନେ ଏବେ ବିଶ୍ୱର ମୋଟ ପେଟ୍ରୋଲିୟମ ଆବଶ୍ୟକତାର ୩.୭% ଉତ୍ପାଦନ କମ୍ କରିବାରୁ ଆନ୍ତର୍ଜାତିକ […]
ଆନ୍ତର୍ଜାତିକ ତୈଳ ବଜାରରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା ତାହାକୁ ଦୂର କରିବାରେ ତୈଳ ଉତ୍ପାଦନକାରୀ ରାଷ୍ଟ୍ରସଂଘ ଓପେକ୍ ସମେତ ରୁଷିଆ ଓ ଆଉ କେତେକ ଦେଶ ସଫଳ ହୋଇଛନ୍ତି। ଆମେରିକାରେ ବ୍ୟାଙ୍କିଙ୍ଗ ସଂକଟ ଓ ୟୁରୋପରେ ଚାହିଦା ହ୍ରାସ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ବିଶ୍ୱ ବଜାରରେ ୭୦ ଡଲାର ପାଖାପାଖି ପହଞ୍ଚିବା ପରେ ଉତ୍ପାଦନ ଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି। ସେମାନେ ଏବେ ବିଶ୍ୱର ମୋଟ ପେଟ୍ରୋଲିୟମ ଆବଶ୍ୟକତାର ୩.୭% ଉତ୍ପାଦନ କମ୍ କରିବାରୁ ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ବଢ଼଼ି ବ୍ୟାରେଲ୍ ପିଛା ୮୫ ଡଲାରରେ ପହଞ୍ଚିଛି। ବ୍ୟବସାୟରେ ଯୋଗାଣ-ଚାହିଦାର ସମ୍ପର୍କ ମୌଳିକ। ତେଣୁ ଉତ୍ପାଦନ ହ୍ରାସ କରିଦେଲେ ମୂଲ୍ୟ ବଢ଼଼ିବା ସ୍ୱାଭାବିକ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରା ଜାରି ରହିଲେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲିୟମର ମୂଲ୍ୟ ବ୍ୟାରେଲ୍ ପିଛା ବର୍ଷ ଶେଷ ବେଳକୁ ୧୦୦ ଡଲାର ଟପିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କଲେଣି।
ଏହାର ପ୍ରଭାବ ଭାରତ ଉପରେ ସବୁଠୁ ଅଧିକ ପଡ଼ିବା ପ୍ରାୟ ନିଶ୍ଚିତ। ଭାରତ ତାହାର ଆବଶ୍ୟକତାର ପ୍ରାୟ ୮୦ ଭାଗ ପେଟ୍ରୋଲିୟମ ଆମଦାନୀ କରିଥାଏ। ଏବେ ଓପେକ୍ ରାଷ୍ଟ୍ରମାନେ ଅପ୍ରତ୍ୟାଶିତ ଭାବେ ଉତ୍ପାଦନ ହ୍ରାସ କରିବା ଫଳରେ ଭାରତକୁ ରୁଷିଆର ରିହାତି ପେଟ୍ରୋଲିୟମ ଉପରେ ଅଧିକ ନିର୍ଭର କରିବାକୁ ହେବ। ଦୁଇଦେଶ ଆପଣାର ପୁରୁଣା ବନ୍ଧୁତା ଓ ସମ୍ପର୍କର ନିବିଡ଼ତା ମଧ୍ୟରେ ଏ କ୍ଷେତ୍ରରେ କିପରି କାମ କରିବେ, ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ବଡ଼ କଥା ହେଉଛି ଭାରତ ରୁଷିଆରୁ ଆହୁରି ଅଧିକ ପେଟ୍ରୋଲିୟମ କିଣିଲେ ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ଭାରସାମ୍ୟ ବିଗିଡ଼ିବ। ଏହା ଦ୍ୱାରା ଭାରତ ଅଧିକ କ୍ଷତିଗ୍ରସ୍ତ ହେବ ଏବଂ ରିହାତି ତୈଳର ଲାଭ ଅର୍ଥନୀତି ପାଇଁ ସେତେ ଅଧିକ ସହାୟକ ହେବ ନାହିଁ।
ଭାରତର ପେଟ୍ରୋଲିୟମ ଇନ୍ଧନ ନୀତିକୁ ସାଧାରଣ ଜନତା ବୁଝିବା ସହଜ ନୁହେଁ। ଯେତେବେଳେ ବିଶ୍ୱ ବଜାରରେ ପେଟ୍ରୋଲିୟମ ମୂଲ୍ୟ ବ୍ୟାରେଲ୍ ପିଚ୍ଛା ୧୨୦ ଡଲାରରୁ ଅଧିକ ଥିଲା, ସେତେବେଳେ ଭାରତରେ ଅପେକ୍ଷାକୃତ ଭାବେ କମ୍ ଦାମ୍ରେ ପେଟ୍ରୋଲ୍, ଡିଜେଲ୍, କିରାସିନି ଓ ରନ୍ଧନ ଗ୍ୟାସ୍ ମିଳୁଥିଲା। ଅବଶ୍ୟ ସରକାର ଏହା ଉପରେ ସବ୍ସିଡି ଦେଉଥିଲେ। ତେବେ ପେଟ୍ରୋଲିୟମ ସାମଗ୍ରୀକୁ ସରକାର ନିୟନ୍ତ୍ରଣମୁକ୍ତ କରି ବଜାର ମୂଲ୍ୟ ଆଧାରିତ କରିବା ପରେ ଏହାର ମୂଲ୍ୟ ବଢ଼଼ିଲା। ତା’ସହିତ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଉତ୍ପାଦନ ଟିକସ, ଭ୍ୟାଟ୍ ଓ ଅନ୍ୟାନ୍ୟ ଟିକସ ଆଖିବୁଜା ଲାଗୁ କରିବା ଫଳରେ ଏହା ଏକ ପ୍ରକାର ଦୁର୍ମୂଲ୍ୟ ହୋଇଛି। ଏହା ରୋଜଗାରର ଏକ ଉତ୍ସ ହୋଇଥିବାରୁ ରାଜ୍ୟ ସରକାରମାନେ ଏହାକୁ ଜିଏସ୍ଟିର ଅନ୍ତର୍ଭୁକ୍ତ କରିବାକୁ ଚାହୁଁ ନାହାନ୍ତି।
ଅଳ୍ପ ଦିନ ତଳେ ଭାରତ ଆନ୍ତର୍ଜାତିକ ବଜାରରୁ ପେଟ୍ରୋଲିୟମ ବ୍ୟାରେଲ୍ ପିଚ୍ଛା ୬୦ ଡଲାରରେ କିଣୁଥିଲା। ଏତେ ଶସ୍ତାରେ ଉନ୍ନତମାନର ‘ସ୍ୱିଟ୍’ ବା ମିଠା ପେଟ୍ରୋଲିୟମ କିଣିବା ସତ୍ତ୍ବେ ଭାରତ ତାହାର ଲାଭ ଗ୍ରାହକଙ୍କୁ ଦେଉନଥିଲା। ଏହି ପେଟ୍ରୋଲିୟମରେ ସଲ୍ଫର ବା ଗନ୍ଧକ ଅନୁପାତ କମ୍ ଓ ଏହାର ବିଶୋଧନ ସହଜ। ଅପରପକ୍ଷରେ ରୁଷିଆର ପେଟ୍ରୋଲିୟମ ‘ସାୱାର’ ବା ଖଟା ପ୍ରଜାତିର, ଯେଉଁଥିରେ ଗନ୍ଧ ଉପାଦାନ ଅଧିକ। ତାହାର ବିଶୋଧନ ଖର୍ଚ୍ଚ ଅଧିକ। ଭାରତ ଶସ୍ତାରେ ଡଲାର ପରିବର୍ତ୍ତେ ରୁବଲ୍-ରୁପି ବିନିମୟରେ ଏହି ତେଲ ରୁଷିଆଠାରୁ ପ୍ରଚୁର କିଣୁଥିଲେ ମଧ୍ୟ ତାହାର ବିଶୋଧନ କ୍ଷମତା ଭାରତରେ ଯଥେଷ୍ଟ ନୁହେଁ। ଆହୁରି ମଧ୍ୟ ଏହା ଯେ ବ୍ୟାରେଲ୍ ପିଚ୍ଛା ୬୦ ଡଲାରରୁ କମ୍ ପଡୁଥିବ, ସେକଥା କୁହାଯାଇ ନପାରେ।
ଭାରତ ପେଟ୍ରୋଲିୟମ କାରବାରକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିଛି। ଏଥିରେ ଆଉ ଲୋକଙ୍କ ସୁଖ ସୁବିଧା ପ୍ରତି ସରକାର ବିଶେଷ ଦୃଷ୍ଟି ଦେଉନାହାନ୍ତି। ବିଶ୍ୱବଜାର ଶସ୍ତା ଥିବାବେଳେ ଭାରତରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଉପରେ ଥିଲା। ସେଥିରେ ପୁଣି ଅଧା ଟିକସ। ଏହାଛଡ଼ା ଘରୋଇ ରନ୍ଧନ ଗ୍ୟାସ୍ର ମୂଲ୍ୟ ସିଲିଣ୍ଡର ପିଛା୧୧୩୫ ଟଙ୍କାରେ ପହଞ୍ଚିଛି। ଏହା ଉପରେ କେବଳ ନାମକୁ ମାତ୍ର ସବ୍ସିଡି ଦିଆଯାଉଛି, ଯାହା ହାସ୍ୟାସ୍ପଦ। ଅଥଚ କେତେକ ସରକାରୀ ଯୋଜନାରେ ବହୁ ହିତାଧିକାରୀଙ୍କୁ ସରକାର ଅତି ଶସ୍ତାରେ, ଏପରିକି ପ୍ରାୟ ମାଗଣାରେ ରନ୍ଧନଗ୍ୟାସ୍ ଯୋଗାଉଛନ୍ତି।
ଆମ ଅର୍ଥନୀତି ପେଟ୍ରୋଲିୟମ ଉପରେ ନିର୍ଭରଶୀଳ। ଡିଜେଲ୍ ଦାମ ବଢ଼଼ିଲେ ବିଭିନ୍ନ ସାମଗ୍ରୀର ପରିବହନ ଓ ଉତ୍ପାଦନ ଖର୍ଚ୍ଚ ବଢ଼େ। ଫଳରେ ସାମଗ୍ରୀ ମହଙ୍ଗା ହୋଇ ମୁଦ୍ରାସ୍ଫୀତି ସୃଷ୍ଟି ହୁଏ। ସରକାର ପେଟ୍ରୋଲିୟମ ବେପାରରୁ ବିପୁଳ ରାଜସ୍ୱ ଉଠାଉଥିବାବେଳେ ମୁଦ୍ରାସ୍ଫୀତି ଅଣାୟତ୍ତ ଅବସ୍ଥାରେ ରହିଛି। ଭାରତୀୟ ରିଜର୍ଭବ୍ୟାଙ୍କର ହସ୍ତକ୍ଷେପ ସତ୍ତ୍ବେ ଏହା ବୋଲ ମାନୁନାହିଁ। ତେଣୁ ସାଧାରଣ ଜନତା ମହଙ୍ଗାମାଡ଼ର ସମ୍ମୁଖୀନ। ଏବେତ ପରିସ୍ଥିତି ଆହୁରି ବିଗିଡ଼ିବ। ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ମୂଲ୍ୟ ବଢ଼଼ିବା ଫଳରେ ଭାରତରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ୍ ଆଦି ଆହୁରି ମହଙ୍ଗା ହେବା ପ୍ରାୟ ନିଶ୍ଚିତ। କାରଣ ସରକାର ଖାଦ୍ୟ ଓ ସାର ଉପରେ ପ୍ରଚୁର ରିହାତି ଦେଉଛନ୍ତି। ଦେଶର ଚାଲୁଖାତା ବା କରେଣ୍ଟ ଆକାଉଣ୍ଟର ସ୍ଥିତି କ୍ରମଶଃ ଖରାପ ହେଉଛି ଏବଂ ଆମଦାନୀ ବଢ଼଼ୁଛି, ରପ୍ତାନୀ ହ୍ରାସ ପାଉଛି। ସର୍ବୋପରି ଆନ୍ତର୍ଜାତିକ ବଜାରରେ ତୈଳଦର ବୃଦ୍ଧି ରିଜର୍ଭବ୍ୟାଙ୍କର ସୁଧହାର ନିର୍ଦ୍ଧାରଣ ପ୍ରକ୍ରିୟାକୁ ପ୍ରଭାବିତ କରିବ। ସରକାର ନିଅଣ୍ଟ (ଡେଫିସିଟି) ପରିଚାଳନା କ୍ଷେତ୍ରରେ ନିଶ୍ଚିତ ଅସୁବିଧାରେ ପଡ଼ିବେ।
ଏଭଳି ସ୍ଥିତିରେ ପେଟ୍ରୋଲିୟମ ବେପାରରୁ ଲାଭ ଉଠାଉଥିବା ସରକାର ଏହାର ମୂଲ୍ୟ ବଢ଼଼ାଇବାକୁ ବାଧ୍ୟ ହେବେ। ତାହା ନ ହେଲେ ସରକାରଙ୍କ ରାଜସ୍ୱ କମିବ ଏବଂ ବଜେଟ୍ ହିସାବ ବିଗିଡ଼ିଯିବ। ଏହି ଚରମ ବାସ୍ତବତା ମଧ୍ୟରେ କେନ୍ଦ୍ର ସରକାର ଅର୍ଥନୀତିକୁ ଅଙ୍ଗାରମୁକ୍ତ ଓ ପେଟ୍ରୋଲିୟମ ମୁକ୍ତ କରି ସବୁଜ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛନ୍ତି। ଦେଶରେ ଊର୍ଜା ପରିବର୍ତ୍ତନ (ଏନର୍ଜି ଟ୍ରାଂଜିସନ୍) ପ୍ରକ୍ରିୟା ଆରମ୍ଭ ହୋଇଛି। ପେଟ୍ରୋଲିୟମ ଆମଦାନିକୁ କମାଇବାକୁ ଉଦ୍ୟମ କରାଯାଉଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସରକାରଙ୍କ ପାଇଁ ଦୁଧିଆଳୀ ଗାଈ ପାଲଟିଥିବା ପେଟ୍ରୋଲିୟମକୁ ସରକାର ରିହାତିରେ ବିକି ଲୋକଙ୍କୁ ମହଙ୍ଗାମାଡ଼ରୁ ଯେ ନିସ୍ତାର ଦେବେ, ସେ ସମ୍ଭାବନା କମ୍। ମୋଦୀ ସରକାରଙ୍କ ଊର୍ଜା ନୀତି ମୂଳରୁ ବିବାଦୀୟ ଓ ଜନବିରୋଧୀ ବୋଲି ଅଭିଯୋଗ ହୁଏ। ତେଣୁ କେନ୍ଦ୍ର ସରକାର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କି ପ୍ରକାର ପଦକ୍ଷେପ ନେବେ, ତାହା କହିବା ସହଜ ନୁହେଁ। ତେବେ ଗୋଟିଏ ଅନୁମାନ ଅଧିକ ସ୍ପଷ୍ଟତର ହେଉଛି ଏବଂ ତାହା ହେଲା ପୁନର୍ବାର ଇନ୍ଧନ ମୂଲ୍ୟ ବୃଦ୍ଧି। ଦେଶ ପାଇଁ ଏହାକୁ ଏକ ତ୍ୟାଗ ବୋଲି ଖାଉଟିମାନଙ୍କୁ ଧରିନେବାକୁ ପଡ଼ିପାରେ।