ଖସି ଯାଉଥିବା ଗୋଡ଼

The Sakala Picture
Published On

ପ୍ରତିଭୂତି ବଜାର ଯେକୌଣସି ଦେଶର ଅର୍ଥନୀତି(ମାକ୍ରୋ ଇକୋନୋମି)ର ବାହକ ଓ ପ୍ରତୀକ। ଏହାର ସୂଚକାଙ୍କରେ ବୃଦ୍ଧି ଘଟିଲେ ଦେଶର ଅର୍ଥନୀତି ପ୍ରତି ନିବେଶକଙ୍କ ଆସ୍ଥା ଓ ଆଶା ପ୍ରତିଫଳିତ ହୁଏ। ପୁଞ୍ଜିର ଅନ୍ତଃସ୍ରୋତରେ ଶିଳ୍ପାୟନର ପ୍ରସାର ଓ ଭିତ୍ତିଭୂମି ବିକାଶ ତ୍ୱରାନ୍ୱିତ ହେବା ସହିତ ନିଯୁକ୍ତି ବଜାର ସମ୍ପ୍ରସାରିତ ହୋଇ ମୁଣ୍ଡପିଛା ଆୟ ବଢ଼େ ଓ ବଜାର ଅର୍ଥନୀତି ଚଳଚଞ୍ଚଳ ହୁଏ। ପ୍ରତିଭୂତି ବଜାର ସୂଚକାଙ୍କରେ ଯଦି ହ୍ରାସ ଘଟେ ତେବେ ଅର୍ଥନୀତିରେ ଏହାର ପ୍ରତିକୂଳ ପ୍ରଭାବ […]

ପ୍ରତିଭୂତି ବଜାର ଯେକୌଣସି ଦେଶର ଅର୍ଥନୀତି(ମାକ୍ରୋ ଇକୋନୋମି)ର ବାହକ ଓ ପ୍ରତୀକ। ଏହାର ସୂଚକାଙ୍କରେ ବୃଦ୍ଧି ଘଟିଲେ ଦେଶର ଅର୍ଥନୀତି ପ୍ରତି ନିବେଶକଙ୍କ ଆସ୍ଥା ଓ ଆଶା ପ୍ରତିଫଳିତ ହୁଏ। ପୁଞ୍ଜିର ଅନ୍ତଃସ୍ରୋତରେ ଶିଳ୍ପାୟନର ପ୍ରସାର ଓ ଭିତ୍ତିଭୂମି ବିକାଶ ତ୍ୱରାନ୍ୱିତ ହେବା ସହିତ ନିଯୁକ୍ତି ବଜାର ସମ୍ପ୍ରସାରିତ ହୋଇ ମୁଣ୍ଡପିଛା ଆୟ ବଢ଼େ ଓ ବଜାର ଅର୍ଥନୀତି ଚଳଚଞ୍ଚଳ ହୁଏ। ପ୍ରତିଭୂତି ବଜାର ସୂଚକାଙ୍କରେ ଯଦି ହ୍ରାସ ଘଟେ ତେବେ ଅର୍ଥନୀତିରେ ଏହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୁଏ। ସମ୍ପ୍ରତି ଭାରତୀୟ ପ୍ରତିଭୂତି ବଜାରରେ ଲାଗି ରହିଥିବା ଅନିଶ୍ଚିତତା ଓ ସୂଚକାଙ୍କ ହ୍ରାସର ଧାରାରୁ ଦେଶର ଅର୍ଥନୀତି ଯେ ଠିକ୍‌‌ଠାକ୍‌‌ ନାହିଁ ତାହା ସୂଚାଇ ଦେଉଛି। ଗତ ଶୁକ୍ରବାର ତଥା ମାସର ଶେଷଦିନରେ ନିଫ୍ଟିରେ ୧.୮ % ହ୍ରାସ ଘଟି ଗତ ୨୯ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜ ସେନ୍‌‌ସେକ୍ସରେ ୧.୯% ହ୍ରାସ ଘଟି ଗତ ୮ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହି ବଡ଼ଧରଣର ସ୍ଖଳନ ଯୋଗୁଁଁ ନିବେଶକମାନେ ଗୋଟିଏ ଦିନରେ ୯.୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେହିପରି ଗତ ପାଞ୍ଚ ମାସ ଭିତରେ ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜର ସେନ୍‌‌ସେକ୍ସରେ ୧୪.୭ ପ୍ରତିଶତ ହ୍ରାସ ଘଟିଥିବା ବେଳେ ନିଫ୍ଟିରେ ୧୬% ହ୍ରାସ ଘଟିଛି ଏବଂ ନିବେଶକମାନେ ଏହି ପାଞ୍ଚମାସ ଭିତରେ ପ୍ରାୟ ୯୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ପ୍ରତିଭୂତି ବଜାରରେ ସ୍ଖଳନ ବାହ୍ୟ ଓ ଆଭ୍ୟନ୍ତରୀଣ ଦୁଇଟି କାରଣ ଯୋଗୁଁଁ ହୋଇଥାଏ। ଉଲ୍ଳେଖନୀୟ ଯେ ଭାରତୀୟ ପ୍ରତିଭୂତି ବଜାର ଉପରୋକ୍ତ ଦୁଇଟିଯାକ କାରକ ଦ୍ୱାରା ଆକ୍ରାନ୍ତ। ବିଶେଷକରି ବୈଦେଶିକ ପୁଞ୍ଜି ନିବେଶକମାନେ ଅଧିକରୁ ଅଧିକ ପରିମାଣରେ ଭାରତୀୟ କମ୍ପାନୀମାନଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିନେବାରୁ ଏହି ସ୍ଥିତି ଉପୁଜିଛି। ପ୍ରଥମତଃ, ଆମେରିକା ରାଷ୍ଟ୍ରପତିଙ୍କ ନୂଆ ତାରିଫ୍‌‌ ନୀତି ଘୋଷଣା ପରେ ଭାରତର ରପ୍ତାନୀ ବାଣିଜ୍ୟ ଉତ୍କଟ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ଯାଉଥିବା ଏବଂ ଭାରତର ଶିଳ୍ପ ଓ କୃଷି ଅର୍ଥନୀତି ଗୁରୁତର ପ୍ରଭାବିତ ହେଉଥିବା ଆଶଙ୍କା କରି ବୈଦେଶିକ ପୁଞ୍ଜି ନିବେଶକମାନେ ଭାରତୀୟ ଶିଳ୍ପ ଅଂଶଧନରୁ ପ୍ରାୟ ୨.୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଅପରପକ୍ଷରେ ଇତିମଧ୍ୟରେ ଆମେରିକୀୟ ଡଲାର ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିବାରୁ ସେମାନେ ଆମେରିକାର ଟ୍ରେଜେରି ବଣ୍ଡରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ସ୍ୱାଭାବିକ ଧାରାର ପ୍ରଭାବ ଭାରତୀୟ ପ୍ରତିଭୂତି ବଜାରରେ ପଡ଼ିଛି। ଏହା କିନ୍ତୁ ଏକମାତ୍ର କାରଣ ନୁହେଁ। ଇତିମଧ୍ୟରେ ଭାରତୀୟ ଶିଳ୍ପ ଆଭ୍ୟନ୍ତରୀଣ ବଜାରରେ ହିଁ ଚୀନ୍‌‌ ଶିଳ୍ପ ତୁଳନାରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେଉଛି ଏବଂ ବଜାରରେ ତିଷ୍ଠି ରହିବା ପାଇଁ ସରକାରୀ ସହାୟତା ଉପରେ ନିର୍ଭର କରୁଛି। ଇତିମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ଅବନତି ଘଟୁଥିବାରୁ ଆଗାମୀ ଦିନରେ ସରକାର ଆଉ ଅଧିକ ପ୍ରୋତ୍ସାହନ ଦେବାର ସମ୍ଭାବନା ‌‌କ୍ଷୀଣ। ଏହାଦ୍ୱାରା ଭାରତୀୟ ଶିଳ୍ପ ବଜାର କ୍ଷତି ସହିବା ଏକପ୍ରକାର ନିଶ୍ଚିତ। ତେଣୁ ଲାଭାଂଶ କମିବା ଭୟରେ ବୈଦେଶିକ ପୁଞ୍ଜି ନିବେଶକମାନେ ପୁ୍‌‌ଞ୍ଜି ପ୍ରତ୍ୟାହାର କରିନେବାକୁ ଉଚିତ ମଣିଛନ୍ତି।

ଭାରତୀୟ ଅର୍ଥନୀତିର ମୌଳିକ ଭିତ୍ତିଭୂମି ସୁଦୃଢ଼ ଥିବାରୁ ଭୟ କରିବାର କୌଣସି ନାହିଁ ବୋଲି ସରକାରୀ ଭାବେ କୁହାଯାଉଛି। କେବଳ ବଡ଼ବଡ଼ କମ୍ପାନୀର ଅଂଶଧନର ବଜାର ମୂଲ୍ୟ ହ୍ରାସ ପାଇଥିଲେ ମଧ୍ୟ ମଧ୍ୟମ ଓ କ୍ଷୁଦ୍ର ପ୍ରତିଭୂତି ବିଶେଷ ପ୍ରଭାବିତ ହୋଇନାହିଁ। ତେଣୁ ନିବେଶକମାନେ ଅଧୈର୍ଯ୍ୟ ଓ ଅଯଥା ଆତଙ୍କିତ ହୋଇ ଅଂଶଧନ ବିକ୍ରି କରିବା ଅନୁଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କିନ୍ତୁ ବଜାର କାରବାର ମୌଳିକ ଭିତ୍ତିଭୂମି ନୁହେଁ, ବରଂ ଚାହିଦା-ଭିତ୍ତିକ ହୋଇଥାଏ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଗତ ଦଶବର୍ଷ ଧରି ହାରାହାରି ୬%ରୁ କମ୍‌‌ ରହିଛି। ବିଶ୍ୱ ବାଣିଜ୍ୟ ଯୁଦ୍ଧ ଉତ୍କଟ ହେବାକୁ ଯାଉଥିବାରୁ ଏହାର ପ୍ରଭାବରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଆହୁରି ହ୍ରାସ ପାଇପାରେ। ଅପରପକ୍ଷରେ ଦରଦାମ୍‌‌ର ଉତ୍କଟ ବୃଦ୍ଧି ଯୋଗୁଁଁ ଘରୋଇ ବଜାର ମଧ୍ୟ ମାନ୍ଦା ହେବାରେ ଲାଗିଛି। ଅର୍ଥନୀତି ଉପରେ ବାହ୍ୟ ପ୍ରଭାବକୁ ନିଷ୍ପ୍ରଭ କରିବାରେ ଆଭ୍ୟନ୍ତରୀଣ ବା ଉପଭୋକ୍ତା ଅର୍ଥନୀତି(ମାଇକ୍ରୋ ଇକୋନୋମି) ଏକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଅସ୍ତ୍ର ରୂପେ କାର୍ଯ୍ୟ କରେ। ସୁଦୃଢ଼ ମାଇକ୍ରୋ ଇକୋନୋମି ବଳରେ ହିଁ ୨୦୦୮ରେ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାକୁ ଭାରତ ଏକମାତ୍ର ଦେଶ ଭାବେ ସଫଳତାର ସହ ମୁକାବିଲା କରିପାରିଥିଲା। ପଡ଼ୋଶୀ ଚୀନ୍‌‌ର ଏକ ସୁଦୃଢ଼ ଆଭ୍ୟନ୍ତରୀଣ ଗତିଶୀଳ ବଜାର ଥିବାରୁ ବାହ୍ୟ ପ୍ରଭାବ କିମ୍ବା ବର୍ତ୍ତମାନ ଆମେରିକାର ତାରିଫ୍‌‌ ବୃଦ୍ଧି ଘୋଷଣା ସେହି ଦେଶର ଅର୍ଥନୀତିକୁ ସେତେଟା ପ୍ରଭାବିତ କରିପାରୁନାହିଁ। ଭାରତରେ ଗତ କିଛିବର୍ଷ ହେଲା ଉପଭୋକ୍ତା ବଜାରର ମୂଳଦୁଆ ଦୋହଲିବାକୁ ଆରମ୍ଭ କରିଛି।

ଭାରତର ଆଭ୍ୟନ୍ତରୀଣ ବଜାର ସ୍ଥିତି, ଗତି, ପ୍ରକୃତିକୁ ନିବେଶକମାନେ ପରଖିବାରେ ଭୁଲ କରିନାହାନ୍ତି। ଏକପକ୍ଷରେ ନିଯୁକ୍ତି ସଂକୋଚନ ଯୋଗୁଁଁ ଉପଭୋକ୍ତାଙ୍କର କ୍ରୟଶକ୍ତି ହ୍ରାସ ପାଇ ଚାଲିଥିବା ବେଳେ ଜିଏସ୍‌‌ଟି ଜୁଲମ୍‌‌ ବଢ଼଼ିବାରେ ଲାଗିଛି। ଯେଉଁ ବିପୁଳ ରାଜସ୍ୱକୁ ନେଇ ସରକାର ପାଞ୍ଚ ଟ୍ରିଲିୟନ୍‌‌ ଡଲାର ଅର୍ଥନୀତିର ସ୍ୱପ୍ନ ଦେଖୁଛନ୍ତି, ତାହାର ମୂଳାଧାର ହେଉଛି ଜିଏସ୍‌‌ଟି। ସାଧାରଣ ଖାଉଟି ଜିଏସ୍‌‌ଟି ଜରିଆରେ ନିଜ ଆୟରୁ ସିଂହଭାଗ ସରକାରୀ ରାଜକୋଷକୁ ଦେଇସାରିବା ପରେ ଯାହା ବଳକା ରହୁଛି ସେଥିରେ ଜୀବନର ମାନ ରକ୍ଷା ଓ ସାମାଜିକ ଚଳଣି କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ସଞ୍ଚୟ ସାତସପନ ହୋଇଛି। ପୂର୍ବରୁ ସରକାରୀ ପୁଞ୍ଜି ନିବେଶରେ ଘରୋଇ ସଞ୍ଚୟର ଏକ ବଡ଼ ଅଂଶ ରହୁଥିଲା। ଏବେ କିନ୍ତୁ ସଞ୍ଚୟ ଜମା ପାଣ୍ଠି ଧୀରେ ଧୀରେ ହ୍ରାସ ପାଇ ଚାଲିଥିବାରୁ ସରକାର ବାଧ୍ୟ ହୋଇ ସମ୍ବଳ ଯୋଗାଡ଼ ପାଇଁ ଖୋଲା ବଜାର ଋଣ ଓ ବାହ୍ୟ ପୁଞ୍ଜି ଉପରେ ନିର୍ଭର କରୁଛନ୍ତି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇ ଚାଲିଥିବାରୁ ଋଣ ମହଙ୍ଗା ହୋଇଚାଲିଛି। ସ୍ଥିତିରେ ସାମାନ୍ୟ ଓଲମବିଲୋମ ହେଲେ ତାହାର ପ୍ରତିଫଳନ ପ୍ରତିଭୂତି ବଜାରରେ ଦେଖାଯାଉଛି।

ତଥ୍ୟ ଓ ପରିସଂଖ୍ୟାନକୁ ବିଭ୍ରାନ୍ତ କରି ଜନମତ ହାସଲ କରାଯାଇପାରେ, କିନ୍ତୁ ତାହା ଦେଶର ସମାବେଶୀ ଓ ଦୀର୍ଘକାଳୀନ ବିକାଶର ପରିପନ୍ଥୀ। ଦୀର୍ଘଦଶବର୍ଷ ଧରି ତଥ୍ୟବିଭ୍ରାଟ ବଳରେ ବିକାଶର ବାହୁସ୍ଫୋଟର ଅସଲ ପ୍ରଭାବ ଏବେ ଅନୁଭୂତ ହେଲାଣି। କଥାରେ ଅଛି ଖସିଗଲା ଗୋଡ଼ ତଳକୁ ତଳକୁ। ଏବେ ଭାରତୀୟ ଅର୍ଥନୀତିରେ ସେହି ଆପ୍ତବାକ୍ୟର ପ୍ରତିଫଳନ ଘଟିଛି। ତେଣୁ ସରକାର ଅର୍ଥନୀତିକୁ ରାଜନୀତିର ପୁଟ ଦେଇ ରଙ୍ଗୀନ କରିବାର ମାନସିକତା ପରିହାର କରି ଏହାକୁ ଉଦ୍ଧାର କରିବାର ଉଦ୍ୟମ ଏବେଠାରୁ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର