ପାଣିପାଗ ଅନୁକୂଳ, ଶୁଭଲକ୍ଷଣ

The Sakala Picture
Published On

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିରାଚରିତ ଭାବେ ଏହା ପ୍ରଥମେ ରାଜସ୍ଥାନରୁ ପ୍ରତ୍ୟାହାର ପର୍ବ ଆରମ୍ଭ କରିଛି। ଏଥିସହିତ ଚାରିମାସିଆ ବର୍ଷାକାଳ (ଜୁନ୍‌‌-ସେପ୍ଟେମ୍ବର)ର ବିଦାୟ ଆସନ୍ନ। ଓଡ଼ିଶାରୁ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହି ମୌସୁମୀ ଅପସାରଣ ପ୍ରକ୍ରିୟା ଶେଷ ହେବା ପରେ ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ପାଇଁ ବାଟ ଫିଟିଯିବ। ଅକ୍ଟୋବରଠାରୁ ଡିସେମ୍ବର ଯାଏ ଓଡ଼ିଶା ଉପକୂଳରେ ବର୍ଷା ସହିତ ବାତ୍ୟା ଭୟ ଥାଏ। ତେବେ ସେ ଯା’ହେଉ ଖରିଫ ଚାଷ […]

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିରାଚରିତ ଭାବେ ଏହା ପ୍ରଥମେ ରାଜସ୍ଥାନରୁ ପ୍ରତ୍ୟାହାର ପର୍ବ ଆରମ୍ଭ କରିଛି। ଏଥିସହିତ ଚାରିମାସିଆ ବର୍ଷାକାଳ (ଜୁନ୍‌‌-ସେପ୍ଟେମ୍ବର)ର ବିଦାୟ ଆସନ୍ନ। ଓଡ଼ିଶାରୁ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହି ମୌସୁମୀ ଅପସାରଣ ପ୍ରକ୍ରିୟା ଶେଷ ହେବା ପରେ ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ପାଇଁ ବାଟ ଫିଟିଯିବ। ଅକ୍ଟୋବରଠାରୁ ଡିସେମ୍ବର ଯାଏ ଓଡ଼ିଶା ଉପକୂଳରେ ବର୍ଷା ସହିତ ବାତ୍ୟା ଭୟ ଥାଏ। ତେବେ ସେ ଯା’ହେଉ ଖରିଫ ଚାଷ ପାଇଁ ବିଶେଷ ଜରୁରୀ ଏବଂ ଅପରିହାର୍ଯ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏଥର ପାଣିପାଗ ଗଣନା ଅନୁସାରେ ପ୍ରାୟ ଠିକ୍‌‌ ଅଛି। କ୍ରମାଗତ ଚାରିବର୍ଷ ପରେ ଏଥର ଏହା ସ୍ୱାଭାବିକଠାରୁ ସାମାନ୍ୟ କମ୍‌‌ ରହିଛି। ଏବେ ଓଡ଼ିଶା ସମେତ ଦେଶର ପୂର୍ବାଞ୍ଚଳରେ ଯେଉଁ ବର୍ଷା ହେଉଛି ତାହା ଲଘୁଚାପ ଜନିତ। ବଡ଼କଥା ହେଲା ସାଗରରେ ଏଲ୍‌‌ନିନୋ ପ୍ରଭାବ ସତ୍ତ୍ବେ ଏଥର ବିଳମ୍ବିତ ସମୟ ଯାଏଁ, ଅର୍ଥାତ୍‌‌ ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି।

ଏଥର ମୌସୁମୀ ବର୍ଷାର ବିଶେଷତ୍ତ୍ୱ ହେଲା ଏହା ପ୍ରଥମ ଦୁଇମାସ ଅସ୍ୱାଭାବିକ ଭାବେ ବର୍ଷିଛି। ଦେଶର ପଶ୍ଚିମମାଞ୍ଚଳରେ ଅତିବୃଷ୍ଟି ହୋଇଥିବାବେଳେ ଅନ୍ୟତ୍ର ହାରାହାରିଠାରୁ କମ୍‌‌ ରହିଥିଲା। ଅଗଷ୍ଟ ଓ ସେପ୍ଟେମ୍ବରରେ ବର୍ଷା ଦେଶବ୍ୟାପୀ ବଢ଼଼ିଥିଲା ଏବଂ ସେପ୍ଟେମ୍ବରରେ ଅଧିକ ବର୍ଷିବା ଫଳରେ ନିଅଣ୍ଟିଆ ସ୍ଥିତି ଭରଣା ହୋଇଥିଲା। ତେବେ ରାଜ୍ୟରେ ଏଥର ବଡ଼ବନ୍ୟା ଓ ଜଳପ୍ଳାବନ ପରିସ୍ଥିତି ବା ତତ୍‌‌ଜନିତ କ୍ଷୟକ୍ଷତି ବିଶେଷ ନହେବା ଆଶ୍ୱସ୍ତିର ବିଷୟ। ଓଡ଼ିଶା ସମେତ ଦେଶର ବିଭିନ୍ନ ପାଣିପାଗମଣ୍ଡଳରୁ ବର୍ଷା ସ୍ଥିତି ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି ଯେ ମୌସୁମୀବର୍ଷାର ସ୍ୱାଭାବିକତା କମିଛି। ଏହା କେଉଁଠି ଅଧିକ ତ କେଉଁଠି କମ୍‌‌ ହେଉଛି। ଓଡ଼ିଶାରେ ଲଘୁଚାପ ବର୍ଷା ଓ ଝଡ଼ିର ଦିବସ ସଂଖ୍ୟା କମୁଛି। ଯେଉଁ ଅଳ୍ପଦିନ ବର୍ଷା ହେଉଛି, ସେଥିରେ ବୃଷ୍ଟିପାତର ପରିମାଣ ପ୍ରବଳରୁ ପ୍ରବଳତର ହେଉଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ମୌସୁମୀ ବର୍ଷା ଉପରେ ପଡୁଥିବା ସ୍ପଷ୍ଟ ଜଣାପଡୁଛି। ସେପ୍ଟେମ୍ବର ଓ ଚଳିତମାସର ବର୍ଷା ଫଳରେ ଓଡ଼ିଶାର ଜଳଭଣ୍ଡାରଗୁଡ଼ିକର ସ୍ଥିତି ପ୍ରାୟ ଭଲ ଅଛି। ଖରିଫ ଚାଷ ପାଇଁ ମଧ୍ୟ ଆଉ ପାଣିର ଅଭାବ ପଡ଼ିନପାରେ। ଏହି ବର୍ଷାରେ ଫସଲ ଉତୁରି ଯାଇପାରେ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ଷା ଉପରେ ପଡୁଥିବାରୁ ଆମ କୃଷି ନୀତି ଓ ଫସଲ ପର୍ଯ୍ୟାୟକୁ ବଦଳାଇବାକୁ ପଡ଼ିବ। ଦକ୍ଷିଣ ଭାରତ ସମେତ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଧାନ ପ୍ରଧାନ ଫସଲ। ଧାନ ମଧ୍ୟ ବେଶୀ ପାଣି ଲୋଡ଼େ। ପୂର୍ବ ଭାରତରେ ଅଧିକ ବର୍ଷା ଯୋଗୁଁ ଲୋକେ ଅଧିକ ଧାନ ଚାଷ କରନ୍ତି। କିନ୍ତୁ ବର୍ଷାର ପରିମାଣ କମୁଥିବାରୁ ଧାନ ଚାଷ ସାମାନ୍ୟ କମ୍‌‌ ହେଉଛି। ଆହୁରି ମଧ୍ୟ ଚାଷୀଙ୍କଠାରୁ ଉତ୍ପାଦିତ ଧାନକୁ ଏମ୍‌‌ଏସ୍‌‌ପି ଦରରେ କିଣିବା ରାଜ୍ୟମାନଙ୍କ ପାଇଁ କ୍ରମଶଃ ଏକ ବଡ଼ ସମସ୍ୟା ପାଲଟୁଛି। ଓଡ଼ିଶା ଏଥିରେ ଭୁକ୍ତଭୋଗୀ। ଧାନ ସଂଗ୍ରହର ରାଜନୈତିକ-ଅର୍ଥନୀତି ଓଡ଼ିଶା ସମେତ ଅଧିକାଂଶ ରାଜ୍ୟ ସରକାରଙ୍କ ପାଇଁ ଅତ୍ୟନ୍ତ ସମସ୍ୟାବହୁଳ। ତେଣୁ ଯେଉଁ ସବୁ ରାଜ୍ୟରେ ଧାନ ଓ ଗହମ ଅଧିକ ଉତ୍ପାଦିତ ହେଉଛି, ତାହାକୁ ଘରୋଇ ଓ ନିଜସ୍ୱ ଆବଶ୍ୟକତା ମୁତାବକ କରିବାକୁ ବ୍ୟବସ୍ଥା କରାଯିବା ଉଚିତ। ଧାନ ଓ ଗହମର ବ୍ୟାବସାୟିକ ଉତ୍ପାଦନ ଆଉ ଲାଭପ୍ରଦ ନୁହେଁ। ଏହା ମଧ୍ୟ ଜଳଉତ୍ସ ଉପରେ ପ୍ରଚଣ୍ଡ ଚାପ ପକାଉଛି। ସୁତରାଂ ପରିବର୍ତ୍ତିତ ଜଳବାୟୁକୁ ବିଚାରକୁ ନେଇ ଓଡ଼ିଶା ଓ ଭାରତକୁ ନିଜର କୃଷି ନୀତି ତଥା ଫସଲ ପର୍ଯ୍ୟାୟ ବଦଳାଇବାକୁ ପଡ଼ିବ। ସେଥିପାଇଁ ମିଲେଟ୍ସ ବା ଶ୍ରୀଅନ୍ନ ଜାତୀୟ ଖାଦ୍ୟଶସ୍ୟ, ଡାଲି, ତୈଳବୀଜ ଓ ମସଲା ଆଦି ଫସଲ ଯାହା ଅଳ୍ପ ପାଣି, ଅଳ୍ପ ଖର୍ଚ୍ଚରେ ଉତ୍ପାଦିତ ହୁଏ, ତା’ଉପରେ ଗୁରୁତ୍ୱ ଦେବାକୁ ହେବ। ସରକାର ମଧ୍ୟ ଏସବୁ ଫସଲର ଏମ୍‌‌ଏସ୍‌‌ପି ଅଧିକ କରିଛନ୍ତି ଏବଂ ଏହାର ବଜାର ଚାହିଦା ଭଲ।

ଓଡ଼ିଶା ସରକାର ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରୁଛନ୍ତି। ରାଜ୍ୟର ମାଳାଞ୍ଚଳ ବିଶେଷ କରି କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଏହି ଫସଲ ଚାଷକୁ ଗୁରୁତ୍ୱ ଦିଆଯାଉଛି। ୨୦୨୩ ଆନ୍ତର୍ଜାତିକ ମିଲେଟ୍ସ ବର୍ଷ ଭାବେ ଘୋଷଣା ହେବା ପରେ ଶ୍ରୀଅନ୍ନ ଏବେ ବିଶ୍ୱ ବଜାରରେ ଅଧିକ ଚାହିଦା ରହିଛି। ତେଣେ ତୈଳବୀଜ, ଡାଲି ଉତ୍ପାଦନ ଭାରତରେ କମି କମି ଯିବାରୁ ଆମକୁ ବିଦେଶରୁ ଖାଇବା ତେଲ ଓ ଡାଲି ଆମଦାନୀ କରିବାକୁ ପଡୁଛି। ମୋଟାମୋଟି ଦେଖିଲେ ଆମ କୃଷିନୀତି ଓ ବ୍ୟବସ୍ଥାରେ ଏକ ବିରାଟ ଅସାମଞ୍ଜସ୍ୟ ଓ ଅସଂଗତି ଦୃଷ୍ଟିଗୋଚର ହେଉଛି। ସେଥିପାଇଁ କେନ୍ଦ୍ର ସରକାର ନୀତି ନିର୍ଦ୍ଧାରଣ କରି ରାଜ୍ୟମାନଙ୍କୁ ଆବଶ୍ୟକ ଦିଗ୍‌‌ଦର୍ଶନ ଓ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ।

ଖାଦ୍ୟଶସ୍ୟ ଉତ୍ପାଦନର ପ୍ରଥମ ଲକ୍ଷ୍ୟ ହେଲା ଏଥିରେ ଆତ୍ମନିର୍ଭରଶୀଳ ହେବା ଓ ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା। ସେ ଲକ୍ଷ୍ୟ ପୂରଣ ହୋଇସାରିବା ପରେ ଆମକୁ ଅନ୍ୟାନ୍ୟ ମୌଳିକ କୃଷି ଉତ୍ପାଦନ ଯଥା ଡାଲି, ତୈଳବୀଜ, ଆଖୁ, କପା, ନଳିତା, ମସଲା, ଶ୍ରୀଅନ୍ନ, ଉଦ୍ୟାନକୃଷି, ଫଳ ଓ ପନିପରିବା ଚାଷ, ମାଛଚାଷ, କୁକୁଡ଼ା ଓ ଛେଳିପାଳନ ଏବଂ ଦୁଗ୍ଧ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଏହାର ଚାହିଦା ଓ ଲାଭ ଅଧିକ ଏବଂ ଏଥିରେ ଲାଭ ବେଶୀ। ଚାଷୀଙ୍କ ଆୟବୃଦ୍ଧିରେ ଧାନ ଓ ଗହମ ଅପେକ୍ଷା ଏସବୁ ଚାଷ ଅଧିକ ସହାୟକ ହୋଇଥାଏ। ଖାଦ୍ୟ କେବଳ ପେଟ ପୂରାଏ। ପୁଷ୍ଟିସାଧାନ ପାଇଁ ଅଧିକ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ବଢ଼଼ାଇବା ଜରୁରୀ। ଓଡ଼ିଶା ସରକାର କୃଷିକ୍ଷେତ୍ରରେ ନୂଆ ପ୍ରୟୋଗ ଆଣି ଜାତୀୟସ୍ତରରେ ଚର୍ଚ୍ଚିତ ହେଉଛନ୍ତି। ଆଶା କରିବା ଆମ ରାଜ୍ୟ ସରକାର ପରିବର୍ତ୍ତିତ ଜଳବାୟୁ ଅନୁକୂଳ ଚାଷ ପଦ୍ଧତିକୁ ଉତ୍ସାହିତ କରି ନୂଆ ଇତିହାସ ସୃଷ୍ଟି କରିବେ। ଏଥିରେ ଯେ ଆମେ ସଫଳ ହେବା ସେ ବିଶ୍ୱାସ ଆମର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର