ସୂତାଛିଣ୍ଡା ଗୁଡ଼ିର ଜୀବନ
କିଛିଦିନ ତଳେ ଦିନ ଏଗାର ଟା ବେଳେ ଜୟଦେବ ଭବନ ପାଖ ରାସ୍ତାଦେଇ ଗଲା ବେଳେ କଡ଼ରେ ଥିବା ପାର୍କରେ ଯୁବକଯୁବତୀମାନଙ୍କୁ ଅତ୍ୟନ୍ତ ଅସତ ଅବସ୍ଥାରେ ଦେଖି ମନ ହୋଇଗଲା ବିଚଳିତ। ସକାଳେ ଖବରକାଗଜରେ ପଢ଼଼ିଥିବା ସମ୍ୱାଦଟିଏ ଆଖି ଆଗରେ ନାଚି ଉଠିଲା। ଯେଉଁଥିରେ ଗତରାତିରେ ସ୍ୱଳ୍ପ ପୋଷାକରେ ଥିବା ମାତାଲ ଯୁବତୀର ଉନ୍ମତ୍ତକାଣ୍ଡ ବିଷୟରେ ଲେଖାଥିଲା। ଯୁବତୀଟି କାଳେ ଅତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା। ତା’କୁ ପୁଲିସମାନେ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା। ଶେଷରେ ଥାନାରୁ […]
କିଛିଦିନ ତଳେ ଦିନ ଏଗାର ଟା ବେଳେ ଜୟଦେବ ଭବନ ପାଖ ରାସ୍ତାଦେଇ ଗଲା ବେଳେ କଡ଼ରେ ଥିବା ପାର୍କରେ ଯୁବକଯୁବତୀମାନଙ୍କୁ ଅତ୍ୟନ୍ତ ଅସତ ଅବସ୍ଥାରେ ଦେଖି ମନ ହୋଇଗଲା ବିଚଳିତ। ସକାଳେ ଖବରକାଗଜରେ ପଢ଼଼ିଥିବା ସମ୍ୱାଦଟିଏ ଆଖି ଆଗରେ ନାଚି ଉଠିଲା। ଯେଉଁଥିରେ ଗତରାତିରେ ସ୍ୱଳ୍ପ ପୋଷାକରେ ଥିବା ମାତାଲ ଯୁବତୀର ଉନ୍ମତ୍ତକାଣ୍ଡ ବିଷୟରେ ଲେଖାଥିଲା। ଯୁବତୀଟି କାଳେ ଅତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା। ତା’କୁ ପୁଲିସମାନେ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା। ଶେଷରେ ଥାନାରୁ ମହିଳା ପୁଲିସ ଡାକି ତା’କୁ ଥାନାକୁ ନେବାର ବନ୍ଦୋବସ୍ତ କରାଯାଇଥିଲା। ଭାବୁଥିଲି, ଏମାନେ ତ ସବୁ ଶିକ୍ଷିତ, ତେବେ ଏମାନଙ୍କ ଆଚରଣ ଏପରି ଅସଭ୍ୟ କିପରି? ଶିକ୍ଷା ଆମକୁ ସୁସଂସ୍କୃତ ଓ ଶୃଙ୍ଖଳିତ କରିବା ପରିବର୍ତ୍ତେ ଏପରି ବିଶୃଙ୍ଖଳିତ କରୁଛି କିପରି? ସତେ କ’ଣ ଆମକୁ ଏଇ ଭଳି ସ୍ୱାଧୀନତାର ଆବଶ୍ୟକତା ଥିଲା! ପିତାମାତା କେତେ ଲହୁଲୁହ ଝରାଇ ପିଲାଙ୍କୁ ପାଠ ଶାଠ ପାଇଁ ପଠାଇଛନ୍ତି। କିନ୍ତୁ ପିଲାଏ ମିଳିଥିବା ସ୍ୱାଧୀନତାକୁ ଏପରି ଭାବରେ କରୁଛନ୍ତି ଦୁରୁପଯୋଗ!
ଅଳ୍ପଦିନ ତଳେ ଜଣେ ଶିକ୍ଷକ କହୁଥିଲେ, ଅଷ୍ଟମ ଶ୍ରେଣୀରେ ପଢ଼଼ାଉ ଥିଲା ବେଳେ ଶେଷ ବେଞ୍ଚରେ ବସିଥିବା ଚାରିପାଞ୍ଚ ଜଣ ପିଲାଙ୍କୁ ଆକଟ କରିବାକୁ ଯାଇ ଦୁଇ ଜଣଙ୍କ ସ୍କୁଲ ବସ୍ତାନି ଭିତରୁ ସେ ମଦ ବୋତଲ କଲେ ଆବିଷ୍କାର। ପିଲାଙ୍କୁ ତାଗିଦ୍ କଲା ବେଳେ ଗୋଟିଏ ଆଗଚଲା କହିଲା, ‘ସାର୍.. ଭୁଲି ଯାଆନ୍ତୁ ନାହିଁ ଯେ ଏହା ଦଣ୍ଡମୁକ୍ତ ଅଞ୍ଚଳ… ମୋର ଗୋଟିଏ ଫୋନରେ ଆପଣଙ୍କ ଚାକିରି ଯିବ।’ ଦୀର୍ଘଶ୍ୱାସଟିଏ ଛାଡ଼ିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା ଶିକ୍ଷକଙ୍କ ନିକଟରେ। ତେବେ ପିଲାଟିର ଅଭିଭାବକଙ୍କୁ ଏ ବିଷୟରେ ଅବଗତ କରାଇବା ଉଚିତ ହେବ ଭାବି ସେ ଯେତେବେଳେ ପିଲାଟିର ଘରକୁ ଫୋନ କଲେ, ହେଲେ ହତୋତ୍ସାହିତ। ପିଲାଟି କାଳେ ତା’ ବାପାଙ୍କ ଆଲମିରାରୁ ଦାମୀ ମଦ ବୋତଲଟି ଆଣିଛି। ଆଜି କାଳେ ଘର ଭିତରେ ଛୋଟ ବାର୍ଟିଏ କରି ନାମୀଦାମୀ ବ୍ରାଣ୍ଡ୍ର ମଦ ରଖିବା ଏକ ଆଭିଜାତ୍ୟର ପ୍ରତୀକ ହୋଇଛି! ଆହୁରି ମଧ୍ୟ ଏବେ ଘରକୁ ଅତିଥି ଆସିଲେ, ମଦ ପିଉଥିବା ଲୋକଙ୍କୁ ମଦ ପରଷା ନଯିବା କାଳେ ଅଭଦ୍ରାମୀ ବୋଲି ମନେ କରାଯାଉଚି! ହାଏରେ ବିଡ଼ମ୍ୱନା! କ୍ଷୀର, ଘିଅ ଓ ମହୁର ଦେଶରେ କେତେ ଚମତ୍କାର ଢଙ୍ଗରେ ପାଶ୍ଚାତ୍ୟର ଏ ଅପସଂସ୍କୃତିକୁ ଟିଭି ଓ ସିନେମା ଆମ ଜୀବନଶୈଳୀରେ ପୂରାଇ ସାରିଲେଣି! ଦିନେ ସ୍କୁଲ ଥିଲା ମଣିଷ ତିଆରି କାରଖାନା। ଏବେ ସେଠୁ ମାଙ୍କଡ଼ ବି ତିଆରି ହେବା ମୁସ୍କିଲ୍ ହୋଇ ପଡ଼ିଚି। ମାଙ୍କଡ଼ ତ ନିଜ ପେଟ ନିଜେ ପୋଷିବାକୁ ସକ୍ଷମ! ହେଲେ ଏମାନେ ତ ସେତିକି ପାଇଁ ବି ଅସମର୍ଥ! ଶିକ୍ଷକ ନିଜର ହତାଶା ବ୍ୟକ୍ତ କରି କହିଲେ, ସରକାର ଛତା, ଜୋତା, ବହି, ବସ୍ତାନି ସବୁ ଯୋଗାଇ ଦେଇଛନ୍ତି, ଖାଦ୍ୟ ମିଲୁଛି, ବାରମ୍ୱାର ତାଗିଦ୍ କରା ଯାଉଚି ଯେମିତି ପିଲାଏ ଠିକ୍ରେ ଖାଇବେ, ଖେଳିବେ, ଇତ୍ୟାଦି ଇତ୍ୟାଦି…; କିନ୍ତୁ ଏସବୁ ଭିତରେ ବିଦ୍ୟାଦାନଟି ହେଉଛି ବାଟବଣା! ଆଜି ସାମାନ୍ୟ କଥାରେ ସରକାର ଓ ଅଭିଭାବକ, ଶିକ୍ଷକଙ୍କ ଉପରେ କରୁଛନ୍ତି ଚଢ଼ାଉ। କିନ୍ତୁ ଶିକ୍ଷକଟିଏ କ’ଣ ଛାତ୍ରର ଶତ୍ରୁ? ବାପାମା’ କ’ଣ ଆକଟ କରିବା ପାଇଁ ପିଲା ଉପରକୁ ହାତ ଉଠାନ୍ତି ନାହିଁ?
ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା। ଅଗତ୍ୟା ଆଗକୁ ବଢ଼଼ିଲି। କିଛି ଦୂର ଯାଇଚି, ଗୋଟେ ଗଛ ତଳେ ଛୋଟ ଛୋଟ ପିଲାମାନେ ଗଛର ଉପର ଡାଳରେ ଲାଗିଥିବା ଗୁଡ଼ିଟିଏକୁ ଆଣିବାକୁ ଚେଷ୍ଟା କରୁଥା’ନ୍ତି। ଟଣାଓଟରାରେ ଗୁଡ଼ିଟି ଚିରି ଗଲା। ସେଇ ଚିରାଗୁଡ଼ିକୁ ଗଛ ଉପରେ ଛାଡ଼ି ପିଲାଏ ଚାଲିଗଲେ ଯେଝା ବାଟରେ। ଚିରାଗୁଡ଼ିଟି ଅପାଂକ୍ତେୟ ଭାବେ ଗଛ ଉପରେ ରହିଥିଲା। ଦିନ କେଇଟାରେ ସେ ନିଜର ଅସ୍ତିତ୍ୱ ହରାଇବ। ଯେଉଁ ପର୍ଯ୍ୟନ୍ତ ଗୁଡ଼ିଟି ନଟେଇର ସୂତା ସହିତ ଥିଲା ସଂଲଗ୍ନ ସେ ପର୍ଯ୍ୟନ୍ତ ସେ ଆକାଶରେ ଉଡ଼ିଥିଲା ଆନନ୍ଦ ମନରେ। ହେଲେ ଯେଉଁ ମୁହୂର୍ତ୍ତରେ ସେ ନଟେଇଠାରୁ ସ୍ୱାଧୀନ ହେବା ପାଇଁ ଚାହିଁଲା, ସେଇ ମୁହୂର୍ତ୍ତରେ ହୋଇଗଲା, ଅଲୋଡ଼ା।
ସ୍ୱଧୀନତାର ସତ୍ବ୍ୟବହାର ନ କଲେ, ତାହା ସ୍ୱେଚ୍ଛାଚାରିତାରେ ପରିଣତ ହୁଏ। ଆଉ ତା’ ଦ୍ୱାରା ଆମେ ହେଉ ବିପଥଗାମୀ, ଯାହାର ପରିଣାମ ହୁଏ ଭୟାବହ। ଗଛ, ଚେରଠାରୁ ସ୍ୱାଧୀନ ହେବା ପାଇଁ ଚାହିଁଲେ ମାଟିରେ ମିଶେ। ଗଛ, ଚେରକୁ ନିଜ ପାଦର ବେଡ଼ି ବୋଲି ଭାବି ବସିଲେ ତାହା ତା’ ପାଇଁ ହେବ କ୍ଷତିକାରକ, ବରଂ ସେ ଚେରକୁ ମାଟି ମା’ ସହ ପବିତ୍ର ବନ୍ଧନର ମହାର୍ଘ ସେତୁଟିଏ ମନେ କରିବାରେ ହିଁ ତା’ର ଉନ୍ନତି। ଠିକ୍ ସେହିପରି ସମୃଦ୍ଧିଶାଳୀ ସମାଜ ପାଇଁ ଆବଶ୍ୟକ ହେଉଥିବା କଟକଣାଗୁଡ଼ିକ ଆମକୁ କରେ ଶୃଙ୍ଖଳିତ ଓ ରଖେ ସୁରକ୍ଷିତ। ଏକଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। କାଳେ କାଳେ ପିତା, ମାତା ଓ ଶିକ୍ଷକଙ୍କ ଆକଟ ଆମ ପାଇଁ ସାବ୍ୟସ୍ତ ହୋଇଛି ମଙ୍ଗଳକାରୀ। ସମାଜର କାଇଦା ଓ କଟକଣାଗୁଡ଼ିକ ଆମରି ସୁରକ୍ଷା ପାଇଁ ଉଦ୍ଦିଷ୍ଟ (ଯଦିଓ କେତେଗୁଡ଼ିଏ କୁସଂସ୍କାର ମଧ୍ୟ ସେଥିରେ ରହି ଯାଇଚି)।
ଗଛର ଚେର ମାଟିକୁ ଯେତେ ଜୋର୍ରେ ଜାବୁଡ଼ି ଧରିବ ଗଛର ସ୍ଥାୟିତ୍ୱ ହେବ ସେତେ ଦୀର୍ଘ। ଠିକ୍ ସେମିତି ପିତା, ମାତା ଓ ଗୁରୁଙ୍କ ହାତ ଧରି ବାଟ ଚାଲିଲେ ଜୀବନର ରାସ୍ତା ହେବ ସୁଗମ। ଅନ୍ୟଥା ସୂତା ଛିଣ୍ଡା ଗୁଡ଼ି ପରି ଜୀବନ ହେବ ମୂଲ୍ୟହୀନ। ସୁଦକ୍ଷ ମାଳିଟିଏ ପରି ସେମାନେ ଆମ ଉନ୍ନତିର ସୂତ୍ରଧର। ଆମକୁ ମନେ ରଖିବାକୁ ହେବ ଯେ ସେମାନେ ଆମର ପରମ ହିତୈଷୀ। କାନିରେ ଗଣ୍ଠି ପକାଇ ରଖିବାକୁ ହେବ ଯେ ସ୍ୱାଧୀନତା ସହିତ ଅନେକ ଗୁରୁଦାୟିତ୍ୱ ମଧ୍ୟ ଗୁନ୍ଥା ହୋଇ ରହିଚି। ସେ ଦାୟିତ୍ୱର ସଠିକ ନିର୍ବାହ କରି ହିଁ ପ୍ରକୃତ ସ୍ୱାଧୀନତାର ସ୍ୱାଦ ଚାଖି ହେବ। ଏହାକୁ ଆଜିର ଫୁଲାଫାଙ୍କିଆ ଜୀବନରେ ବ୍ରତୀ, ‘ମୋ ଜୀବନ… ମୋ ଇଚ୍ଛା’କୁ ଜୀବନର ମୂଳମନ୍ତ୍ର କରିଥିବା ସ୍ୱେଚ୍ଛାଚାରୀମାନେ ହେଜି ନିଜକୁ ସୁଧାରି ନେବାରେ ହିଁ ନିହିତ ସମଗ୍ର ସମାଜର ମଙ୍ଗଳ। ଛନ୍ଦା ମିଶ୍ର, ଭୁବନେଶ୍ୱର, ମୋ: ୯୪୩୭୪ ୫୩୬୧୦