ଉତ୍କଳୀୟ ରାଷ୍ଟ୍ରନୀତିରେ ଶ୍ରୀଜଗନ୍ନାଥଙ୍କ ଦେଶାନ୍ତର ଲୀଳା

The Sakala Picture
Published On

ପାବନ ପୁରୁଷୋତ୍ତମ କ୍ଷେତ୍ରରେ ଆରାଧିତ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ ନୀଳାଦ୍ରିର ରତ୍ନ ସିଂହାସନକୁ ମଣ୍ଡନ କରି ଆପଣାର ନାମ ସହିତ ଧାମର ନାମକୁ ଭୁବନବିଦିତ କରାଇଛନ୍ତି। ସେ ଜଗତର ନାଥ, ପୁଣି ଜଗତରୂପୀ ନାଥ। ପୁଣି ସେ ଦେଶର ରାଷ୍ଟ୍ରଦେବତା। ଶାସକ ରୂପେ ମହାରାଜାଧିରାଜ। ଏ ଉଦ୍‌‌ଘୋଷଣା କେବଳ ଲୋକମୁଖରେ ନୁହେଁ ବିଭିନ୍ନ ଶିଳାଲେଖ ଓ ତାମ୍ରଫଳରେ ଉତ୍କୀର୍ଣ୍ଣ ହୋଇ ଯୁଗଯୁଗକୁ ଅମର ବକ୍ଷରେ ହୋଇଛି ସ୍ଥାନିତ। ତେଣୁ ଓଡ଼ିଶାବାସୀଙ୍କ ଦୃଷ୍ଟିରେ ସେ ବିଗ୍ରହ ନୁହନ୍ତି, ସେ ସାକ୍ଷାତ […]

ପାବନ ପୁରୁଷୋତ୍ତମ କ୍ଷେତ୍ରରେ ଆରାଧିତ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ ନୀଳାଦ୍ରିର ରତ୍ନ ସିଂହାସନକୁ ମଣ୍ଡନ କରି ଆପଣାର ନାମ ସହିତ ଧାମର ନାମକୁ ଭୁବନବିଦିତ କରାଇଛନ୍ତି। ସେ ଜଗତର ନାଥ, ପୁଣି ଜଗତରୂପୀ ନାଥ। ପୁଣି ସେ ଦେଶର ରାଷ୍ଟ୍ରଦେବତା। ଶାସକ ରୂପେ ମହାରାଜାଧିରାଜ। ଏ ଉଦ୍‌‌ଘୋଷଣା କେବଳ ଲୋକମୁଖରେ ନୁହେଁ ବିଭିନ୍ନ ଶିଳାଲେଖ ଓ ତାମ୍ରଫଳରେ ଉତ୍କୀର୍ଣ୍ଣ ହୋଇ ଯୁଗଯୁଗକୁ ଅମର ବକ୍ଷରେ ହୋଇଛି ସ୍ଥାନିତ। ତେଣୁ ଓଡ଼ିଶାବାସୀଙ୍କ ଦୃଷ୍ଟିରେ ସେ ବିଗ୍ରହ ନୁହନ୍ତି, ସେ ସାକ୍ଷାତ ମାନବ ରୂପୀ ଭଗବାନ। ନିଗୃହୀତ ଓଡ଼ିଶାର ଅପରାଜେୟ ଆତ୍ମା। ତେଣୁ ଓଡ଼ିଶାର ଧର୍ମ, ସଂସ୍କୃତି ତାଙ୍କରି ନାମରେ। ଇତିହାସ କହିଲେ ତାଙ୍କର ଇତିହାସ। ଓଡ଼ିଆ ଜାତି ଗୋଟିଏ ବିଗ୍ରହକୁ ରାଷ୍ଟ୍ରର ଇଷ୍ଟ ବୋଲି ଘୋଷଣା କରି ସର୍ବମାନ୍ୟ କରିବା ସମଗ୍ର ପୃଥିବୀ ଇତିହାସରେ ବିରଳ। ତେଣୁ ତାଙ୍କରି ସେବା ପୂଜାରେ ରାଜକୀୟ ଆଢ଼େଣୀ, ବିମାନରେ ଶିଳ୍ପାଚାର, ସ୍ୱରୂପରେ ବେଦର ଅପୌରୁଷେୟ ରହସ୍ୟ, ତତ୍ତ୍ୱରେ ଉପନିଷଦର ଅନୁଚିନ୍ତା, ପୂଜାରେ ଅଖିଳ ଆଗମର ସିଦ୍ଧାନ୍ତ। ସେ ଚଉରାଶି କୋଟି ତୀର୍ଥର ରାଜା, ଚତୁର୍ଦ୍ଦଶ ଭୁବନର ଅଧୀଶ୍ୱର, ରାଜ୍ୟ ଶାସନ ବିଧାନରେ ସାର୍ବଭୌମ ସମ୍ରାଟ ଓ ପ୍ରକୃତ ଶାସକ। ତାଙ୍କରି ନାମରେ ‘ଅପ-ଶ୍ରାହୀ’ର ପ୍ରଚଳନ, ଦେବ ରାଜନୀତିର ଅୟମାରମ୍ଭ। ଗଜପତି ତାଙ୍କ ରାଉତ ବା ସାମନ୍ତ ରାଜା। ଯେଣୁ ଜଗନ୍ନାଥ ଥିଲେ ଏ ଜାତିର ପ୍ରାଣମୟ ସତ୍ତାର ପ୍ରତିରୂପ ତଥା ଅସମ୍ପୂର୍ଣ୍ଣ ବ୍ୟଞ୍ଜନା ମଧ୍ୟରେ ମହାପୂର୍ଣ୍ଣତାର ଦ୍ୟୋତକ, ତେଣୁ ଜଗନ୍ନାଥଙ୍କ ମହତ୍ତ୍ୱ ଅକ୍ଷୁଣ୍ଣ ରଖିବା ସତେଯେପରି ଗଜପତିଙ୍କର ଥିଲା ଜାତୀୟ ଚରିତ୍ର। ସେଇଥିପାଇଁ ସେମାନେ ଆପଣାର ମାନ- ସମ୍ମାନ – ରାଜୋଚିତ ପଦବୀର ପ୍ରଲୋଭନକୁ ହେୟ ମଣି ଆତ୍ମତ୍ୟାଗକୁ ଶ୍ରେୟ ମଣୁ ଥିଲେ।

ଏକଦା ଭାରତ ବର୍ଷରେ ବିଶ୍ୱାସ ଥିଲା ଯେ, ରାଜ୍ୟ ତୁଲ୍ୟ ରାଷ୍ଟ୍ରଦେବତାଙ୍କୁ ଶତ୍ରୁପକ୍ଷ ହସ୍ତଗତ କଲେ, ସମଗ୍ର ରାଜ୍ୟଟି ଶତ୍ରୁ କବଳିତ ହେବା ସଙ୍ଗେ ସମାନ। ତେଣୁ ଶାସକମାନେ ଆପଣାର ରାଷ୍ଟ୍ର ଅପେକ୍ଷା ରାଷ୍ଟ୍ରଦେବତାଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ କୌଣସି ଏକ ଗୁପ୍ତ ସ୍ଥାନରେ ରଖିବାକୁ ଶ୍ରେୟ ମଣୁଥିଲେ। ରାଜାମାନେ ଘୋଷଣା କରୁଥିଲେ, ‘ମୁଁ ପଛେ ଅପାଂନ୍ତେୟ ହୋଇଯାଏ, ମହାପ୍ରଭୁ! ତୁମର ମାନ ରକ୍ଷା ହେଉ। ଏଠାରେ ପ୍ରଶ୍ନ ଉଠେ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରରେ ବାରମ୍ବାର ଏପରି ଘଟିବାର କାରଣ କ’ଣ? ଘୁରି ବୁଲିଛନ୍ତି ମହାବାହୁ ଉତ୍କଳର ଏ ପ୍ରାନ୍ତରୁ ସେ ପ୍ରାନ୍ତ ଯାଏ। ଯାହାଫଳରେ ଉତ୍କଳର ଗାଁ ଗଣ୍ଡା, ଅରଣ୍ୟ, ପାହାଡ଼, ଗୁମ୍ଫା, ସରିତ, ସାଗର, ହ୍ରଦ ଓ ବୃକ୍ଷ ମୂଳରେ ତାଙ୍କୁ କରଯାଇଛି ଆରାଧନା। ସେହି ସ୍ଥାନଗୁଡ଼ିକ ଆଜି ମଧ୍ୟ କଳାସାଆନ୍ତେଙ୍କ ପବିତ୍ର ଶ୍ରୀଅଙ୍ଗର ପାବନ ପରସରେ ପରିଣତ ହୋଇଯାଇଛି ପାବନ ତୀର୍ଥକ୍ଷେତ୍ରରେ। ଏହାକୁ କେତେକେ ଆପଣାର ସଂକୀର୍ଣ୍ଣ ମାନସିକତାର ଗଣ୍ଡି ମଧ୍ୟରେ ଆତ୍ମଗୋପନ ବୋଲି କହୁଥିବା ବେଳେ ଜଗନ୍ନାଥପ୍ରାଣ ଭକ୍ତ ଓ ଜନତାଙ୍କ ଦୃଷ୍ଟିରେ ଏହା ଅନନ୍ତ ଲୀଳାମୟ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ‘ପାବନ ଲୀଳା’ ନାମରେ ଆଖ୍ୟାୟିତ।

-‘ମୋ ଲୀଳା ମୋତେ ଅଗୋଚର, କାହୁଁ ବୁଝିବେ ନର ଛାର।’

ଯଦି ସେ ଏ ପାବନ ଲୀଳା କରି ନ ଥା’ନ୍ତେ ତେବେ ମୋଗଲମାନେ ‘ସର୍ବପାପହରା ଭୂମି’ ଉତ୍କଳକୁ ‘ଶାହାଜାହାନ ନଗର’ କରିଦେଇଥା’ନ୍ତେ। ପାବନ ଲୀଳାକ୍ଷେତ୍ରର କେନ୍ଦ୍ରସ୍ଥଳ ଶ୍ରୀବତ୍ସ ଖଣ୍ଡାଶାଳ ମନ୍ଦିର ସ୍ଥାନରେ ମଥା ଟେକିଥା’ନ୍ତା ବିରାଟ ମସ୍‌‌ଜିଦ୍‌‌। ସେମାନଙ୍କ ସହିତ ପ୍ରଭୁ ଏମିତି ଖେଳ ଖେଳିଲେ ଯେ ସେମାନେ ସମସ୍ତ ‘ଐଶ୍ୱର୍ଯ୍ୟ’କୁ ଛାଡ଼ି ତାଙ୍କରି ପଛରେ ଗୋଡ଼ାଇଲେ। ପ୍ରଭୁ ନିଜେ ତ ଦେଶାନ୍ତର ହେଲେ; ମୋଗଲମାନଙ୍କୁ ନାକେଦମ କଲେ।

ପ୍ରଭୁ ନୀଳାଦ୍ରିନାଥଙ୍କ ପ୍ରଥମ ପାବନ ଲୀଳାର ପ୍ରାରମ୍ଭ ଘଟିଲା, ତତ୍‌‌କାଳୀନ ଶାସକ ଶୋଭନ ଦେବ(ମତାନ୍ତରରେ ଭୌମବଂଶୀ ଶୁଭଙ୍କର ଦେବ)ଙ୍କ ରାଜତ୍ୱ ସମୟରେ। ମାଦଳା ପାଞ୍ଜି ଅନୁସାରେ ଏ ମହାରାଜାଙ୍କ ଦ୍ୱିତୀୟ ଅଙ୍କରେ ଡିଲିରୁ ରକ୍ତବାହୁ(ମତାନ୍ତରରେ ଚଦି ରାଜା ଯୁବରାଜ ଦେବ) ଆକ୍ରମଣ କରିବାକୁ ମହାପ୍ରଭୁଙ୍କୁ ସୋନପୁର ନେଇ ପାତାଳି କରିଦିଆଗଲା। ସେଠାରେ ମହାପ୍ରଭୁ ୯୬ ବର୍ଷ ଯାଏ ପାତାଳୀ ହୋଇ ରହିଲେ। ସେ ସମୟରେ ଶ୍ରୀକ୍ଷେତ୍ରର ଭୌଗୋଳିକ ସ୍ଥିତି, ଶ୍ରୀମନ୍ଦିର ନିର୍ମାଣଶୈଳୀ, ମହାପ୍ରଭୁଙ୍କ ଗଠନ ପରିପାଟୀ, ନବକଳେବର ବିଧାନର ସମ୍ପୂର୍ଣ୍ଣ ବିବରଣୀ ଏ ପର୍ଯ୍ୟନ୍ତ ଅଜ୍ଞାତ। କେତେକ ଐତିହାସିକଙ୍କ ମତରେ ସେ ସମୟରେ ଶ୍ରୀଜୀଉଙ୍କ ନବ କଳେବର ପ୍ରଥମ ପାଟ ଯଯାତିଙ୍କ ରାଜତ୍ୱକାଳରେ ଆଚାର୍ଯ୍ୟ ପାଦଶଙ୍କରଙ୍କ ତତ୍ତ୍ୱାବଧାନରେ ତତ୍‌‌କାଳୀନ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଅର୍ନ୍ତବେଦୀମଠ ପରିସରରେ ଅନୁଷ୍ଠିତ ହୋଇଥିବାର ସୂଚନା ମିଳେ। ଇତିହାସକାରମାନେ ଯଯାତିଙ୍କୁ ‘ଦ୍ୟୁତୀ ଇନ୍ଦ୍ରଦ୍ୟୁମ୍ନ’ ଭାବରେ ଗ୍ରହଣ କରିଛନ୍ତି ଏବଂ ପାତାଳି ଲୀଳାକୁ ସର୍ବସମ୍ମତ ଭାବେ ଗ୍ରହଣ କରାଯାଇନାହିଁ।

ନରସିଂହ ଦେବ ତୃତୀୟଙ୍କ ରାଜତ୍ୱର ଶେଷ ସମୟକୁ ବଙ୍ଗର ମୁସଲମାନ ଶାସକ ଶ୍ୟାମସୁଦ୍ଦିନ୍‌‌ ଇଲିୟାସ ଶାହ ଖ୍ରୀଷ୍ଟାବ୍ଦ ୧୩୫୨ ପରବର୍ତ୍ତୀ ସମୟରେ(ନିର୍ଦ୍ଦିଷ୍ଟ ସମୟର ପ୍ରମାଣ ନାହିଁ) ଶ୍ରୀମନ୍ଦିର ଆକ୍ରମଣ କରିଥିଲେ ମଧ୍ୟ ଶ୍ରୀଜୀଉଙ୍କୁ ସ୍ଥାନାନ୍ତର କରାଯାଇ ନଥିଲା। ଓଡ଼ିଶାର ଗଙ୍ଗବଂଶୀ ଶାସକ ଭାନୁଦେବ ଦ୍ୱିତୀୟଙ୍କ ରାଜତ୍ୱ କାଳରେ ଖ୍ରୀ:୧୩୬୦ରେ ଫିରୋଜ ସାହ ଶ୍ରୀମନ୍ଦିର ଆକ୍ରମଣ କରି ବହୁ ଧନସମ୍ପଦ ଲୁଣ୍ଠନ କରିବା ସହିତ ବିଗ୍ରହମାନଙ୍କୁ ସମୁଦ୍ରରେ ଫିଙ୍ଗି ଦେଇଥିବା କେତେକ ବିବରଣୀରୁ ସୂଚନା ମିଳୁଥିଲେ ମଧ୍ୟ ଏହାକୁ ଅନ୍ୟ ଇତିହାସକାରମାନେ ସମର୍ଥନ କରନ୍ତି ନାହିଁ। ତେଣୁ ଏ ବିଷୟରେ ଅଧିକ ଗବେଷଣାର ଆବଶ୍ୟକ ରହିଛି।

ସୂର୍ଯ୍ୟବଂଶୀ ଗଜପତି ରାଜା ପ୍ରତାପରୁଦ୍ର ଦେବଙ୍କ ୩୪ ଅଙ୍କରେ ଅର୍ଥାତ୍‌‌ ଖ୍ରୀଷ୍ଟାବ୍ଦ ୧୫୦୯ରେ ତତ୍‌‌କାଳୀନ ବଙ୍ଗ ସୁଲତାନଙ୍କ ସେନାପତି ଇସ୍‌‌ ମାଇଲି ଗାଜି(ମାଦଳାପାଞ୍ଜି ଅନୁସାରେ ପାତିଶା ଅମୁରା ସୁରଥାନ) ଓଡ଼ିଶା ଆକ୍ରମଣ କରିବାରୁ ସେବକମାନେ ଶ୍ରୀଜୀଉମାନଙ୍କୁ ଚିଲିକା ମଧ୍ୟସ୍ଥ ‘ଚିଡ଼େଇ ଗୁହା’ ପର୍ବତରେ ଅବସ୍ଥାନ କରାଇଲେ। ପରବର୍ତ୍ତୀ କାଳରେ ପରିସ୍ଥିତି ଅନୁକୂଳ ହେବାରୁ ମହାପ୍ରଭୁ ପୁଣି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗଜପତି ମୁକୁନ୍ଦ ଦେବଙ୍କ ଗୋହିରୀ ଟିକିରୀ ଯୁଦ୍ଧରେ ନିହତ ହେବା ପରେ କଳାପାହାଡ଼ ମହାପ୍ରଭୁଙ୍କ ବିଗ୍ରହରେ ଅଗ୍ନିସଂଯୋଗ କରିଥିଲା। କଳାପାହାଡ଼ର ଶ୍ରୀମନ୍ଦିର ଆକ୍ରମଣ ପୂର୍ବରୁ ଶ୍ରୀବିଗ୍ରମାନଙ୍କୁ ଛପାଲି ହାତୀପଡ଼ାରେ ପାତାଳୀ କରିଦିଆଯାଇଥିଲା। କିନ୍ତୁ ସେଠାରେ ମଧ୍ୟ କଳାପାହାଡ଼ ପହଞ୍ଚି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗଙ୍ଗା କୂଳ ତଣ୍ଡା ଯାଏଁ ନେଇ ଅଗ୍ନିସଂଯୋଗ କରିଥିଲା। ବିଶର ମହାନ୍ତି ବିଗ୍ରହ ମଧ୍ୟରୁ ବ୍ରହ୍ମଙ୍କୁ ଉଦ୍ଧାର କରି କୁଜଙ୍ଗଗଡ଼ରେ ରଖିଥିବା ଏବଂ ପୁନର୍ବାର ଭୋଇବଂଶୀୟ ରାମଚନ୍ଦ୍ର ଦେବଙ୍କ ଶାସନ ସମୟରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିଥିବା ଐତିହାସିକମାନେ ମତ ଦିଅନ୍ତି। ମାତ୍ର ଶ୍ରୀମନ୍ଦିର ଗବେଷକ ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା (ଚାରଣ ମୁଖ୍ୟ)ମହୋଦୟ ଏହି ଘଟଣାକୁ ବଳିଷ୍ଠ ଯୁକ୍ତି ମାଧ୍ୟମରେ ଖଣ୍ଡନ କରିଛନ୍ତି। ମାଦଳା ପାଞ୍ଜି ଅନୁସାରେ ରାମଚନ୍ଦ୍ର ଦେବ ‘ଅଭିନବ ଇନ୍ଦ୍ରଦ୍ୟୁମ୍ନ’ ନାମରେ ନାମିତ ଏବଂ ଶାସ୍ତ୍ରୀୟ ବିଧାନରେ ଖୁରୁଧା(ଜଗନ୍ନାଥ ପୁରୁ) କଟକେ ନବକଳେବର ସମାହିତ ହୋଇଥିବା ଜଣାଯାଏ। ପୁ୍‌‌ନଶ୍ଚ କହି ରଖେକି, ଖ୍ରୀଷ୍ଟାବ୍ଦ ୧୫୬୮ରୁ ଖ୍ରୀଷ୍ଟାବ୍ଦ ୧୫୭୯ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିରରେ ଅନୁପସ୍ଥିତ ଥିଲେ।

ଗଜପତି ଶ୍ରୀପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କାଳର ଅଷ୍ଟମ ଅଙ୍କରେ ଶ୍ରୀଜଗନ୍ନାଥଙ୍କୁ ପାଞ୍ଚଥର ଶ୍ରୀମନ୍ଦିର ଛାଡ଼ିବାକୁ ପଡ଼ିଛି। ବଙ୍ଗ ସୁବେଦାର ଇସଲାମ ଖାଁର ସେନାପତି ମିର୍ଜା ଖୁରୁମ ଶ୍ରୀଜୀଉଙ୍କ ଦୋଳଯାତ୍ରା ସମୟରେ ଶ୍ରୀମନ୍ଦିର ଆକ୍ରମଣ କରିବା ଖବର ପାଇବା ପରେ ଶ୍ରୀଅଙ୍ଗ ଲାଗି ସେବକମାନେ ଶ୍ରୀଜୀଉଙ୍କୁ ଶ୍ରୀକ୍ଷେତ୍ର ଠାରୁ ୮/୧୦ କି.ମି ଦୂର ଭାର୍ଗବୀ ନଦୀକୂଳସ୍ଥ କପିଳେଶ୍ୱରପୁର ଶାସନ ପଞ୍ଚମୁଖୀ ଗୋଷାଣୀଙ୍କ ମନ୍ଦିରରେ ଅବସ୍ଥାପିତ କଲେ, ଯାହାର କାଳ ଥିଲା ଖ୍ରୀଷ୍ଟାବ୍ଦ ୧୬୦୧ ମସିହା। କେଶୋଦାସ ମାରୁ ନାମକ ଜଣେ ହିନ୍ଦୁ ରାଜପୁତ୍ର ଯିଏକି ମୋଗଲ ଶାସନରେ ଜଣେ ଜାଗିରଦାର ଥିଲେ, ରଥଯାତ୍ରା ବେଳେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁଥିବା ବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ବାହାନା କରି ଶ୍ରୀମନ୍ଦିର ଲୁଣ୍ଠନ କରିଥିଲେ। ଆକ୍ରମଣକାରୀଙ୍କ ଦ୍ୱାରା ଶ୍ରୀଜୀଉଙ୍କ ତିନୋଟି ଯାକ ରଥ ପୋଡ଼ି ଦିଆ ଯାଇଥିବାରୁ, ବିମାନାରୋହଣ ପୂର୍ବକ ଶ୍ରୀଜଗନ୍ନାଥଙ୍କୁ ନୀଳାଦ୍ରି ବିଜେ କରାଯାଇଥିଲା। ଆକ୍ରମଣ କାରଣରୁ ମହାପ୍ରଭୁ ଶ୍ରୀମନ୍ଦିର ବ୍ୟତିରେକେ ବାହାରେ(ଦୀର୍ଘ ୮ମାସ) ରହିବାରୁ ମହାପ୍ରସାଦ ଭୋଗ ନ ହୋଇ ଠାକୁରେ ଶୀତଳ ମଣୋହୀ କରୁଥିଲେ। ପୁନର୍ବାର ଗଜପତି ପୁରୁଷୋତ୍ତମ ଦେବଙ୍କ୧୪ ଅଙ୍କ, ଖ୍ରୀଷ୍ଟାବ୍ଦ:-୧୬୦୭ରେ ଓଡ଼ିଶାର ପ୍ରଥମ ସୁବେଦାର ହାସିମ ଖାଁ ଆକ୍ରମଣ କରିବାରୁ ଶ୍ରୀଜୀଉଙ୍କୁ ଖୁରୁଧା ରାଜବାଟୀର ଗୋପାଳ ଜୀଉଙ୍କ ମନ୍ଦିରରେ ଲୁଚାଇ ପୂଜାର୍ଚ୍ଚନା କରାଗଲା। ଗଜପତି ଶ୍ରୀପୁରୁଷୋତ୍ତମ ଦେବଙ୍କ ୧୫ ଅଙ୍କରେ ଅର୍ଥାତ୍‌‌ ଖ୍ରୀଷ୍ଟାବ୍ଦ ୧୬୦୮ ର ପ୍ରଥମ କିମ୍ୱା ଦ୍ୱିତୀୟ ମାସରେ ପୁନର୍ବାର ନୀଳାଦ୍ରି ବିଜେ କରିଥିଲେ ମହାବାହୁ। ଗଜପତି ପୁରୁଷୋତ୍ତମ ଦେବଙ୍କ ୨୭ ଅଙ୍କରେ ପ୍ରାୟ ୧୬୧୧ ଖ୍ରୀଷ୍ଟାବ୍ଦରେ ପୁଣି ଆକ୍ରମିତ ହେଲା ଖୋରଧା ଗଡ଼। ଆକ୍ରମଣକାରୀ ଥିଲା ସୁବେଦାର କଲ୍ୟାଣ ମଲ୍ଲ। ଆତଙ୍କିତ ସେବକମାନେ ନୀଳାଦ୍ରି କଟକରୁ ଶ୍ରୀଜୀଉମାନଙ୍କୁ ଅପସାରିତ କଲେ ଚିଲିକା ମଧ୍ୟସ୍ଥ ମହିମା ନାସି (ମହିଷା ସିପିନାସି, ନାମକ ଏକ କ୍ଷୁଦ୍ର ଦ୍ୱୀପକୁ। ଏଠାରେ ଠାକୁରଙ୍କ ଅବସ୍ଥାନ ଅସୁରକ୍ଷିତ ମନେହେବାରୁ ମଝିରେ ମଝିରେ ଶ୍ରୀଜୀଉମାନଙ୍କୁ ଚକାନାସି, ଗୁରୁବାଈ ଦ୍ୱୀପ ଓ ଚିଲିକା କୂଳର ବରଗଛ ମୂଳ(ଯେଉଁଠାରେ ବର୍ତ୍ତମାନ ଦଧିବାମନଙ୍କର ମନ୍ଦିର ପ୍ରତିଷ୍ଠା ହୋଇଛି)କୁ ସ୍ଥାନାନ୍ତର କରାଯାଉଥିଲା। ଖ୍ରୀଷ୍ଟାବ୍ଦ ୧୬୧୭ରେ ଗଜପତି ପୁରୁଷୋତ୍ତମ ଦେବଙ୍କ ୨୧ ଅଙ୍କରେ ଓଡ଼ିଶା ସୁବେଦାର ମକରାମ ଖାଁ ଖୋରଧା ଆକ୍ରମଣ କଲା। ରାଜା ଖୋରଧା ଛାଡ଼ି ମାଣିତ୍ରି (ଗଡ଼ ମାଣିତ୍ରି)ଠାରେ ଗଡ଼ କରି ରହିଲେ। ତେଣୁ ସେବକମାନେ ଠାକୁରଙ୍କୁ ଗବପଦର (ଚିଲିକା ପଶ୍ଚିମ ଉପକୂଳସ୍ଥ ବାଣପୁର ସୀମାର ପୂର୍ବ) ସ୍ଥିତ ମୁକ୍ତାମଞ୍ଜା ଗଛ ମୂଳେ ୨ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରହଖିଲେ। ଗଜପତିଙ୍କ ରାଜତ୍ୱର ୨୩ ଅଙ୍କରେ ଶ୍ରୀବିଗ୍ରହମାନେ ପୁଣି ଲେଉଟାଣି କରିଥିଲେ ଶ୍ରୀକ୍ଷେତ୍ରକୁ।

ସେହିପରି ଗଜପତି ନରସିଂହ ଦେବଙ୍କ ରାଜତ୍ୱ କାଳରେ ଶ୍ରୀଜୀଉଙ୍କୁ ଦୁଇ ଥର ଶ୍ରୀକ୍ଷେତ୍ର ଛାଡ଼ିବାକୁ ପଡ଼ିଥିଲା। ଗଜପତିଙ୍କ ଦ୍ୱିତୀୟ ଅଙ୍କରେ ୧୬୨୩-୧୬୨୪ରେ ମୋଗଲ ସୁବେଦାର ଅହମ୍ମଦ ଖାଁ ଖୋର୍ଦ୍ଧା ଅତର୍କିତ ଆକ୍ରମଣ କଲା। ତେଣୁ ସେବକମାନେ ଶ୍ରୀଜୀଉଙ୍କୁ ସ୍ଥାନାନ୍ତର କରିବାକୁ ସମୟ ନପାଇ ବିଗ୍ରହମାନଙ୍କ ଗର୍ଭରୁ ବ୍ରହ୍ମ ବାହାର କରି ଲୁଗାରେ ଗୁଡ଼ାଇ ମାଣିତ୍ରିଗଡ଼କୁ ନେଇଗଲେ। ଦୀର୍ଘଦିନ ପରେ ଶ୍ରୀଜୀଉମାନେ ନବକଳେବର ସହିତ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାଥିଲା ଶ୍ରୀମନ୍ଦିର ବାହାରେ ଶ୍ରୀଜୀଉଙ୍କ ତୃତୀୟ ନବକଳେବର। ଖ୍ରୀଷ୍ଟାବ୍ଦ ୧୬୨୫ ରେ ଶାହାଜାହାନ ଯୁଦ୍ଧରେ ପରାସ୍ତ ହୋଇ ଓଡ଼ିଶା ଦେଇ ଦାକ୍ଷିଣାତ୍ୟ ଅଭିମୁଖେ ଯାତ୍ରା କରିବା ବେଳେ କାଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ ହେବ ଏହି ଆଶଙ୍କାରେ ସେବକମାନେ ଶ୍ରୀଜୀଉଙ୍କୁ ଖୋରଧା କଟକର ମେରଦାଠାରେ ବିଜେ କରାଇଲେ। ଏହି ସମୟକୁ ଗଜପତି ନରସିଂହ ଦେବଙ୍କ ୧୨ଅଙ୍କ। ଶାହାଜାହାନ ଦକ୍ଷିଣକୁ ଯିବା ପରେ ମୋଗଲ ଗୋଳ କମି ଯିବାରୁ ପୁନର୍ବାର ଶ୍ରୀଜୀଉମାନେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଖ୍ରୀଷ୍ଟାବ୍ଦ ୧୬୮୮ ନଭେମ୍ୱର ମାସ ଭୋଇବଂଶୀ ଦିବ୍ୟସିଂହ ଦେବ ପ୍ରଥମ ଖୋରଧା ସିଂହାସନ ଆରୋହଣ କରିବା ପରେ ଆଉରଙ୍ଗଜେବଙ୍କ ଜାମାତା ତଥା ଓଡ଼ିଶାର ମୋଗଲ ସୁବେଦାର ଏକରଆମ ଖାଁ ଦ୍ୱାରା ପୁଣି ଶ୍ରୀମନ୍ଦିର ଆକ୍ରମିତ ହୋଇଥିଲା। ଏହି ସମୟରେ ସେବକମାନଙ୍କ ସହଯୋଗରେ ବିମଳାଙ୍କ ମନ୍ଦିର ପଛପଟ ବେଢ଼ା (ପଣାହାଟ) ରେ ଶ୍ରୀଜୀଉ ବିଗ୍ରହମାନଙ୍କ ମଧ୍ୟରୁ ବ୍ରହ୍ମ ପଦାର୍ଥ ବାହାର କରାଯାଇ ଗଡ଼କୋଲକୁ ସ୍ଥାନାନ୍ତର କରାଯାଇଥିଲା। କେବଳ ଚନ୍ଦନ କାଷ୍ଠରେ ଶ୍ରୀମୂର୍ତ୍ତି ନିର୍ମାଣ କରି ସିଂହାସନରୂଢ଼ କରାଇ ମୋଗଲମାନଙ୍କୁ ସମର୍ପଣ କରିଦିଆଯାଇଥିଲା। ତିଗିରିଆ ଗଡ଼ାଧୀଶ ଶଙ୍କର୍ଷଣ ତୁଙ୍ଗ ବ୍ରହ୍ମରହିତ ବିଗ୍ରହମାନଙ୍କୁ ଆପଣାର ଗଡ଼କୁ ଘେନିଯାଇ ନିରାପଦରେ ରଖିଲେ। ଏଣେ ବ୍ରହ୍ମ ପଦାର୍ଥମାନଙ୍କ ସେବା ପୂଜା(ନୀତି ମାନ) ଗୁପ୍ତ ଭାବେ ଆଚରିତ ହେଲା। ପରବର୍ତ୍ତୀ କାଳରେ ବ୍ରହ୍ମବିହୀନ ଶ୍ରୀବିଗ୍ରହ ଶ୍ରୀକ୍ଷେତ୍ରକୁ ତିଗିରିଆ ଗଡ଼ଜାତରୁ ଫେରି ନ ଆସିବାରୁ ନବକଳେବର ବିଧିରେ ନୂତନ ବିଗ୍ରହ ନିର୍ମିତ ହୋଇ ବ୍ରହ୍ମଗର୍ଭିତ ପୂର୍ବକ ଶ୍ରୀମନ୍ଦିରରେ ପୁନଃପ୍ରତିଷ୍ଠା ହେଲା।(ପ୍ରଥିତଯଶା ଐତିହାସିକ ତଥା ପ୍ରାବନ୍ଧିକ ଶ୍ରୀଯୁକ୍ତ କେଦାର ନାଥ ମହାପାତ୍ରଙ୍କ ମତରେ ଶ୍ରୀଜୀଉମାନଙ୍କୁ ବାଣପୁରରେ ରଖାଯାଇଥିଲା)।

ଗଜପତି ରାମଚନ୍ଦ୍ର ଦେବ ଦ୍ୱିତୀୟଙ୍କ ରାଜତ୍ୱ କାଳରେ ଓଡ଼ିଶାର ସୁବେଦାର ମହମ୍ମଦ ତକିଆ ଖାଁ ଶ୍ରୀଜଗନ୍ନାଥ ମନ୍ଦିର ଚାରିଥର ଆକ୍ରମଣ କରିଥିଲା। ତା’ର୍ପୂବରୁ ଗଜପତିଙ୍କ ନିର୍ଦ୍ଦେଶରେ ବଡ଼ପରୀକ୍ଷା ପରମା ନନ୍ଦ କଅର ମହାପାତ୍ର ଓ ସାନପରୀକ୍ଷା ବିଷ୍ଣୁ ପଶ୍ଚିମ କବାଟ ସିଂହ ୧୨ଦିନ ଶ୍ରୀଜଗନ୍ନାଥଙ୍କୁ ଚଉଦୋଳାରେ ବସାଇ ଦୋନ୍ଧା କୁ ନେଇ ସେଠାରୁ ଚାପରେ ବସାଇ ବାଣପୁର ନଈରୀ ହରିଶଙ୍କର ମଣ୍ଡପକୁ ବିଜେ କରାଇଲେ। ପୁଣି ଆକ୍ରମଣ ଆଶଙ୍କାରେ ସେଠାରୁ ଶ୍ରୀଠାକୁରମାନଙ୍କୁ ଖଲ୍ଲିକୋଟ ସୀମା ଟିକିଲିକୁ ନେଲେ। ପ୍ରାୟ ୧୭୩୩ରେ ମହାପ୍ରଭୁଙ୍କୁ ପୁନର୍ବାର ଶ୍ରୀମନ୍ଦିରରେ ବିଜେ କରାଇଥିଲେ। ପରବର୍ତ୍ତୀ ସମୟରେ ଦଶରଥ ଖାଁ ଓ ରସୁଣ ଖାଁ ଖୋରଧା ଆକ୍ରମଣ କରିବାରୁ ସେବକମାନେ ଶ୍ରୀଜୀଉମାନଙ୍କୁ ଗଞ୍ଜାମ ଆଠଗଡ଼ ଗଡ଼ଜାତ ଅନ୍ତର୍ଗତ ମାରଦା ନାମକ ସ୍ଥାନରେ ମଥୁରା ଗ୍ରାମର ବିନ୍ଧାଣିମାନଙ୍କ କଠୋର ଶ୍ରମ ଦାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରି ଅବସ୍ଥାପିତ କଲେ। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁପସ୍ଥିତି ହେତୁ ଯାତ୍ରୀ କର ବାବଦକୁ ବାର୍ଷିକ ୯ଲକ୍ଷ ଟଙ୍କା ପାଉଥିବା ମୋଗଲ ଦରବାର ହରାଇ ବସିଲେ। ତେଣୁ ଶ୍ରୀଜୀଉମାନଙ୍କୁ ପୁଣି ଶ୍ରୀମନ୍ଦିରକୁ ଆଣିବା ପାଇଁ ମୋଗଲ ଶାସକମାନେ ପରାମର୍ଶ ଦେଲେ।

ଏହାପରେ କେତେକ ମୁସଲମାନ ଶାସକଙ୍କ ଉଦାର ଶାସନ ନୀତି ଯୋଗୁଁ ଖ୍ରୀଷ୍ଟାବ୍ଦ ୧୭୩୫ ରୁ ଖ୍ରୀଷ୍ଟାବ୍ଦ ୧୭୪୫ ପର୍ଯ୍ୟନ୍ତ ଠାକୁରଙ୍କୁ ଆଉ ଶ୍ରୀମନ୍ଦିର ଛାଡ଼ିବାକୁ ପଡ଼ି଼ ନଥିଲା। ସମୟାନୁକ୍ରାନ୍ତେ ଓଡ଼ିଶାରେ ମରହଟ୍ଟା ଶାସନ, ତା’ପରେ ଇଂରେଜ ଆଧିପତ୍ୟ। ପୁଣି ଖ୍ରୀଷ୍ଟାବ୍ଦ ୧୯୪୭ ମସିହାର ମଙ୍ଗଳକ୍ଷଣରେ ସମଗ୍ର ଭାରତବର୍ଷରେ ଲୋକମତର ଶାସନ ପ୍ରତିଷ୍ଠା ପରେ ଶ୍ରୀମନ୍ଦିରର ପରିଚାଳନା ଭାର ଓଡ଼ିଶା ସରକାରଙ୍କ ଉପରେ ନ୍ୟସ୍ତ ହେଲା। ସ୍ୱାଧୀନତାର ବିମଳ ସୂର୍ଯ୍ୟ ସେ ଅମାଅନ୍ଧକାରକୁ ସବୁଦିନ ପାଇଁ ଅବସାନ ଘଟାଇଛି। ଏବେ ଷାଠିଏ ପଉଟି ଭୋଗ ସାଙ୍ଗକୁ ଛତିଶା ନିଯୋଗର ସେବା ସମ୍ଭାରରେ ଅର୍ଚ୍ଚିତ କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ ନୀଳକନ୍ଦର ସୁନ୍ଦର କଳାଶ୍ରୀମୁଖ ଜଗତବାସୀଙ୍କ କଲ୍ୟାଣ ନିମିତ୍ତ ରତ୍ନସିଂହାସନରେ ଉପବିଷ୍ଟ।
ଜୟ ଜଗନ୍ନାଥ।

ଚାରଣ ବସନ୍ତ ପଣ୍ଡା
ନୟାଗଡ଼, ମୋ: ୯୨୩୭୦୯୫୨୪୯

30 Dec 2023 By The Sakala

https://www.thesakala.in/sakala-editorial/sakala-article-30-12-2023/article-28722
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର