ସୀମାନ୍ତର ସାରସ୍ୱତ ସାଧକ ମନୋହର ମେହେର

The Sakala Picture
Published On

ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ମଙ୍ଗ ଧରିଥିବା ଯୋଗଜନ୍ମା ସାଧକଙ୍କ ମଧ୍ୟରେ ଉତ୍କଳର କୋଣଅନୁକୋଣରେ ଅନେକଙ୍କ ଦୃଷ୍ଟି ଅଗୋଚରରେ ବହୁ ଜାତିପ୍ରେମୀ ମଣିଷ ସଂଗ୍ରାମ ଅବ୍ୟାହତ ରଖିଥିଲେ। କାଳଜୟୀ ଲେଖନୀ ମାଧ୍ୟମରେ ବିପନ୍ନ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷିତ ରଖିବାକୁ ସେମାନେ ସତେଯେପରି ପଣ କରିଥିଲେ। ଉତ୍କଳ ସୀମାନ୍ତର ଦୀପଶିଖା ସମ ଓଡ଼ିଆଙ୍କ ପ୍ରାଣରେ ନବଉନ୍ମେଷ ଉଦ୍ରେକ କରି ଉତ୍କଳୀୟ ଭାବଧାରାକୁ ଜାଜ୍ବଲ୍ୟମାନ ରଖିବାରେ ନିଷ୍ଠାପର ଉଦ୍ୟମ କରିଥିବା ସେହିଭଳି ଜଣେ ପ୍ରତିଭା […]

ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ମଙ୍ଗ ଧରିଥିବା ଯୋଗଜନ୍ମା ସାଧକଙ୍କ ମଧ୍ୟରେ ଉତ୍କଳର କୋଣଅନୁକୋଣରେ ଅନେକଙ୍କ ଦୃଷ୍ଟି ଅଗୋଚରରେ ବହୁ ଜାତିପ୍ରେମୀ ମଣିଷ ସଂଗ୍ରାମ ଅବ୍ୟାହତ ରଖିଥିଲେ। କାଳଜୟୀ ଲେଖନୀ ମାଧ୍ୟମରେ ବିପନ୍ନ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷିତ ରଖିବାକୁ ସେମାନେ ସତେଯେପରି ପଣ କରିଥିଲେ। ଉତ୍କଳ ସୀମାନ୍ତର ଦୀପଶିଖା ସମ ଓଡ଼ିଆଙ୍କ ପ୍ରାଣରେ ନବଉନ୍ମେଷ ଉଦ୍ରେକ କରି ଉତ୍କଳୀୟ ଭାବଧାରାକୁ ଜାଜ୍ବଲ୍ୟମାନ ରଖିବାରେ ନିଷ୍ଠାପର ଉଦ୍ୟମ କରିଥିବା ସେହିଭଳି ଜଣେ ପ୍ରତିଭା ପଲ୍ଲୀକବି ମନୋହର ମେହେରଙ୍କ ସାଧନା ଅନନ୍ୟ ଓ ପ୍ରଣିଧାନଯୋଗ୍ୟ।

ସାହିତ୍ୟ ହେଉଛି ଗୋଟିଏ ଜାତିର ରକ୍ଷାକବଚ। ସାହିତ୍ୟ ହିଁ ଏକତା ଓ ସଂହତିର ସୂତ୍ରଧର। ମାଟି, ଭାଷା ଓ ଏହାର ମଣିଷଙ୍କ ମଧ୍ୟରେ ଅତୁଟ ଯୋଗସୂତ୍ର ରଖିବାରେ ସାହିତ୍ୟର ଭୂମିକା ଅତୀବ ମହତ୍ୱପୂର୍ଣ୍ଣ। ଆହୁରି ମଧ୍ୟ ସାହିତ୍ୟ ଗୋଟିଏ ଅଞ୍ଚଳର ସାଧାରଣ ମଣିଷଙ୍କ ଅବ୍ୟକ୍ତ ଭାଷାର ଅଭିବ୍ୟକ୍ତି। ଯାହା ମଣିଷ ମଣିଷ ମଧ୍ୟରେ ଭାବଗତ ସମ୍ପର୍କକୁ ଯେତିକି ସୁଦୃଢ଼ କରେ, ସେତିକି ମାନସିକ ଚେତନାକୁ ମଧ୍ୟ ଜାଗ୍ରତ କରିଥାଏ। ଉତ୍କଳର ଭାଷା ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକଠାରୁ ପାଞ୍ଚଶହ କିଲୋମିଟର ଦୂର ନଦୀ ଜଙ୍ଗଲ ପରିବେଷ୍ଟିତ ମଧ୍ୟପ୍ରଦେଶ ସୀମାନ୍ତ ଉପାନ୍ତ ଅଞ୍ଚଳରେ ରହି ମଧ୍ୟ ଏ କଥାକୁ ଅନ୍ତର ସହିତ ଉପଲବଧି କରିପାରିଥିଲେ କବି ମନୋହର। ଏହି ମର୍ମରେ ସେହି ସମୟର ହିନ୍ଦୀ ଭାଷାଭାଷୀ ମଧ୍ୟପ୍ରଦେଶ ସୀମାନ୍ତ ଖଡ଼ିଆଳ ଅଞ୍ଚଳରେ ଓଡ଼ିଆ ଭାଷା ପ୍ରୀତି ସୃଷ୍ଟି କରିବାରେ ଜାଗ୍ରତ ପ୍ରହରୀ ସମ ପଲ୍ଲୀକବି ମନୋହର ମେହେରଙ୍କ ଉଦ୍ୟମ ଅତୀବ ପ୍ରଶଂସନୀୟ।

୧୮୮୫ ମସିହା ମାର୍ଚ୍ଚ ମାସ ୨୪ ତାରିଖରେ କବି ମନୋହରଙ୍କ ଖଡ଼ିଆଳ ଅଞ୍ଚଳର ସିନାପାଲିଠାରେ ଆର୍ବିଭାବ ହୋଇଥିଲା। ସେତେବେଳେ ସେହି ଅଞ୍ଚଳ ମଧ୍ୟପ୍ରଦେଶ ଅର୍ନ୍ତଗତ ଥିଲା। ଖଡ଼ିଆଳଠାରେ ୧୮୮୩ ମସିହାରୁ ଉତ୍କଳର ଅନ୍ୟତମ ପ୍ରାଚୀନ ସାହିତ୍ୟ ସମିତି ଗଠନ ହୋଇସାରି ଓଡ଼ିଆ ଭାଷା ସାହିତ୍ୟର ସେବାରେ ଖଡ଼ିଆଳ ରାଜ ଦରବାର ତରଫରୁ ମହତ ଉଦ୍ୟମର ଆରମ୍ଭ ହୋଇଥିଲା। ରାଜା ବ୍ରଜରାଜ ସିଂହଦେବଙ୍କ ସମେତ ନାଟ୍ୟକାର ବୀରବିକ୍ରମ ଦେବ, ଶିବନାରାୟଣ ଦେବ, ଶିବପ୍ରସାଦ ପ୍ରହରାଜ, ଲକ୍ଷ୍ମଣ ପଟ୍ଟନାୟକ, ଗଦାଧର ମିଶ୍ର, ଆର୍ତ୍ତତ୍ରାଣ ଦେବ ପ୍ରମୁଖ ଓଡ଼ିଆ ସାହିତ୍ୟ ସାଧନାରେ ବ୍ରତୀ ହୋଇସାରିଥିଲେ। ତଥାପି ଏଠାରେ ହିନ୍ଦୀ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିବା କାରଣରୁ ପ୍ରତିକ୍ଷେତ୍ରରେ ହିନ୍ଦୀ ଭାଷାର ହିଁ ପ୍ରାବଲ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଏହିଭଳି ଏକ ସ୍ଥିତିରେ ଓଡ଼ିଆ ସାହିତ୍ୟ ପ୍ରତି କବି ମନୋହରଙ୍କ ସମୟୋପଯୋଗୀ ଅବଦାନ ଏହି ଅଞ୍ଚଳକୁ ମଧ୍ୟପ୍ରଦେଶର ଅକ୍ତିଆରରୁ ଛଡ଼ାଇ ଆଣି ପବିତ୍ର ଉତ୍କଳ ଭୂମିରେ ମିଶାଇବାରେ ବିଶେଷ ସହାୟକ ହୋଇଥିଲା।

ଉତ୍କଳ ସୀମାନ୍ତରେ ଓଡ଼ିଆ ଭାଷା ସାହିତ୍ୟର ଜଣେ ଜାଗ୍ରତ ପ୍ରହରୀ ସମ ମନୋହର ନିଜ କର୍ତ୍ତବ୍ୟରେ ଆଦୌ ଅବହେଳା ନକରି ସାହିତ୍ୟ ସାଧନାରେ ମନୋନିବେଶ କରି ଚାଲିଲେ। ତାଙ୍କ ଲେଖନୀରେ ପନ୍ଦର ଖଣ୍ତ ଚଉତିଶା, ଏଗାର ଖଣ୍ତ ସ୍ତୁତି ପୁସ୍ତକ, ତିନି ଖଣ୍ତ ଜଣାଣ ପୁସ୍ତକ, ଚାରି ଖଣ୍ତ ଗୀତ ପୁସ୍ତକ, ତିନି ଖଣ୍ତ ବାରମାସୀ ପୁସ୍ତକ, ନଅ ଖଣ୍ତ ବୋଲି ପୁସ୍ତକ, ଚାରି ଖଣ୍ତ ବ୍ରତ ପୂଜା ପୁସ୍ତକ, ଛଅ ଖଣ୍ତ ଜ୍ୟୋତିଷ ପୁସ୍ତକ, ଛଅ ଖଣ୍ତ ଦଣ୍ତନାଟ ପୁସ୍ତକ, ପାଞ୍ଚ ଖଣ୍ତ ଲୋକନାଟ୍ୟ ପୁସ୍ତକ, ତିନି ଖଣ୍ତ ଚରିତ ପୁସ୍ତକ, ତିନି ଖଣ୍ତ ପୌରାଣିକ କାବ୍ୟ ପୁସ୍ତକ, ପାଞ୍ଚଖଣ୍ତ ଦୃଶ୍ୟ ପୁସ୍ତକ ସହ ଅନେକ ଘୁମୁରା ଗୀତ, କବିତା, ସଂକୀର୍ତ୍ତନ, ଭଜନ ଆଦି କୃତି ସୃଷ୍ଟି ହୋଇ ଓଡ଼ିଆ ସାରସ୍ବତ ଭଣ୍ତାରକୁ କରିଛି ଋଦ୍ଧିମନ୍ତ। ତାଙ୍କର ସାହିତ୍ୟ କୃତି ଜରିଆରେ କବି ମନୋହର ସାମାଜିକ, ପାରିବାରିକ, ଆଧ୍ୟାତ୍ମିକ, ପ୍ରେମ, ପ୍ରଣୟ, ଭକ୍ତିଭାବ, ଜାତୀୟତାଭାବ ସହ ପ୍ରକୃତି ବର୍ଣ୍ଣନାକୁ ଯଥାର୍ଥ ସ୍ଥାନ ଓ ସମ୍ମାନ ଦେଇଛନ୍ତି। ବିଶେଷକରି ନିଷ୍କପଟ ଗ୍ରାମ୍ୟଜୀବନ ଏବଂ ମାଟିର ମଣିଷର ସରଳତା ଭାବ ତାଙ୍କ ସାହିତ୍ୟର ବାର୍ତ୍ତାବହ ହୋଇଥିବାରୁ ସେତେବେଳର ପଲ୍ଲୀ ମଣିଷଙ୍କ ମଧ୍ୟରେ ଏହା ଖୁବ ଆଦୃତ ହୋଇଥିଲା। ପୁରପଲ୍ଲୀରେ ପୂଜାପାଠ, ବିବାହ, ବ୍ରତ, ପର୍ବପର୍ବାଣୀ ଆଦିରେ କବି ମନୋହରଙ୍କ ରଚନା ଗୁଞ୍ଜରିତ ହେଉଥିଲା।ସୀମାନ୍ତରେ ରହି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଜଣେ ସାରସ୍ୱତ ସୈନିକର କର୍ତ୍ତବ୍ୟ ନିର୍ବାହ କରିଥିବା କବିଙ୍କ ସାଧନା ବାସ୍ତବିକ ସ୍ମରଣୀୟ। ଓଡ଼ିଆ ଭାଷା ଓ ଜାତିପ୍ରୀତି ଜାଗରଣରେ କବି ମନୋହରଙ୍କ ପ୍ରୟାସକୁ ତାଙ୍କ ସାହିତ୍ୟ ଅଧ୍ୟୟନରୁ ସ୍ପଷ୍ଟ ବାରି ହୁଏ। କବିଙ୍କ ଅନେକ ରଚନାରେ ଉତ୍କଳୀୟ ଭାବନା ପରିପ୍ରକାଶ ଘଟିଥିବା ଦେଖିବାକୁ ମିଲେ। ଯେପରିକି –

“ଶୁଣ ସୁଜନେ ମନ ଦେଇ, ଲେଖକ ନିବେଦନ ଏହି / ଉତ୍କଳ ଜନନୀ ସୁରସା, ଓଡ଼ିଆ ଶ୍ରେଷ୍ଠ ମାତୃଭାଷା / ଉତ୍କଳ ଭାଇଙ୍କ ମୁଁ ଦାସ, ତାଙ୍କୁ ମୋ ପ୍ରାର୍ଥନା ବିଶେଷ”

ଶିକ୍ଷା ଆଲୋକଠାରୁ ଯୋଜନ ଯୋଜନ ଦୂରରେ ରହିଥିବା ଜଣେ ଅଳ୍ପ ପାଠୁଆ (ଗୁହାଳ ପାଠ) କବି ମନୋହରଙ୍କ ଆଜକୁ ଶହେରୁ ଅଧିକ ବର୍ଷ ତଳେ ନିଜ ଲେଖା ମାଧ୍ୟମରେ ଉପାନ୍ତ କ୍ଷେତ୍ରରେ ଓଡ଼ିଆ ଭାଷା ପ୍ରତି ଜନଜାଗରଣ ସୃଷ୍ଟି ପ୍ରୟାସକୁ ଅବଲୋକନ କଲେ ବିସ୍ମିତ ହେବାକୁ ପଡ଼େ। ଉତ୍କଳୀୟ ସଂସ୍କୃତି, ପରମ୍ପରା ପ୍ରତି କବି ମନୋହରଙ୍କ ଥିଲା ଅଶେଷ ଆକର୍ଷଣ। ତାଙ୍କ ଶିଳ୍ପୀପ୍ରାଣକୁ ଉତ୍କଳର ସେତେବେଳର ଭାବଧାରା ଓ କାନ୍ତି କରିଛି ମନ୍ତ୍ରମୁଗ୍ଧ। ଏଥିପାଇଁ ତାଙ୍କର ଅନେକ ଲେଖାରେ ନିଜ ଗ୍ରାମ ସିନାପାଲିଠାରୁ ଆରମ୍ଭ କରି ଖଡ଼ିଆଳ, ଉତ୍କଳ, ଉଦନ୍ତୀ ନଦୀ, ମହାନଦୀ ଆଦି ସହ ତୀର୍ଥସ୍ଥଳ ଓ ନୈସର୍ଗିକ ପ୍ରାକୃତିକ ଶୋଭାରାଜିର ବର୍ଣ୍ଣନା ଦେଖିବାକୁ ମିଳେ। ଏହାଦ୍ବାରା ଉତ୍କଳ ପ୍ରଦେଶ ପ୍ରତି ସାଧାରଣ ଲୋକଙ୍କ ଭାବାବେଗକୁ ସେ ଆକର୍ଷିତ କରି ରଖିବାର ପ୍ରୟାସ କରି ଯାଇଛନ୍ତି। କବିଙ୍କ ରଚିତ ବୃଷ୍ଟି ବିଜ୍ଞାନ, ଦାନୀ କର୍ଣ୍ଣ ଚରିତ, ରଘୁ ଅରକ୍ଷିତ ଚରିତ ପ୍ରଭୁତି ପୁସ୍ତକରେ ଉତ୍କଳ ମାଟି ପ୍ରତି ଗଭୀର ଆନ୍ତରିକତାର ପରିପ୍ରକାଶ ଘଟିଛି। ବୈଷ୍ଣବ ମେହେର
ସିନାପାଲି, ମୋ: ୯୭୭୭୭୫୩୯୩୫

29 Mar 2023 By The Sakala

https://www.thesakala.in/sakala-editorial/sakala-article-29-03-2023-2/article-20235
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର