ଯୁଗପୁରୁଷ କୃଷ୍ଣଚନ୍ଦ୍ର ଗଜପତି
ଗୌରଚନ୍ଦ୍ର ଗଜପତି ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ମାସ ୨୬ତାରିଖ, ବୈଶାଖ ମାସ ଅମାବାସ୍ୟା ଦିନ ପାରଳାଖେମୁଣ୍ଡିଠାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ସେ ବାଲ୍ୟଶିକ୍ଷା ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମାନ୍ଦ୍ରାଜ ଗଲେ। ସେଠାରେ ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢ଼଼ା ଶେଷ ପରେ […]
ଗୌରଚନ୍ଦ୍ର ଗଜପତି ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ମାସ ୨୬ତାରିଖ, ବୈଶାଖ ମାସ ଅମାବାସ୍ୟା ଦିନ ପାରଳାଖେମୁଣ୍ଡିଠାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ସେ ବାଲ୍ୟଶିକ୍ଷା ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମାନ୍ଦ୍ରାଜ ଗଲେ। ସେଠାରେ ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢ଼଼ା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଖରସୁଅାଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ। ସେ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ। କଲେଜରେ ପଢ଼଼ିଲା ବେଳେ କିଶୋର କୃଷ୍ଣଚନ୍ଦ୍ର ସର୍ବଦା ପାରଳାଖେମୁଣ୍ଡି ଏବଂ ଓଡ଼ିଆ ଜାତିର ଉନ୍ନତି ବିଷୟରେ ଚିନ୍ତା କରୁଥିଲେ।
ପଦ୍ମନାଭ ଗଜପତି ପାରଳାଖେମୁଣ୍ଡିରେ ପ୍ରତିଷ୍ଠା କରିଥିବା ମହାବିଦ୍ୟାଳୟକୁ ଖର୍ଚ୍ଚ କାଟ କରିବା ଆଳରେ ଇଂରାଜ ସରକାର ଉଠାଇଦେବାକୁ ମସୁଧା କରିବା ଜାଣି କୃଷ୍ଣଚନ୍ଦ୍ର ଏହାର ଘୋର ବିରୋଧ କରିଥିଲେ। ଫଳରେ ସେହି କଲେଜ ନ ଉଠି ରହିଗଲା। ବିବାହ ଉତ୍ସବ ପାଳନ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟର ଏକ ଛାତ୍ରାବାସ ନିର୍ମାଣ ଲାଗି ପାଞ୍ଚଶହ ଟଙ୍କା ଦାନ କରିଥିଲେ। ତା’ଛଡା ଓଡ଼ିଆ ସାହିତ୍ୟର ବିକାଶ ଲାଗି ଉତ୍କଳ ସାହିତ୍ୟ ସମାଜକୁ ଏକଶତ ଟଙ୍କା ଦାନ କରିଥିଲେ। ତାଙ୍କ ମତରେ ରାଜ୍ୟ ତଥା ଓଡ଼ିଶାରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇପାରିଲେ ଜନସାଧାରଣଙ୍କ ଆର୍ଥିକ, ମାନସିକ, ସାମୂହିକ ଉନ୍ନତି ସାଧିତ ହୋଇପାରିବ। ଶିକ୍ଷାର ବିକାଶ ପାଇଁ ସେ ଅନେକଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ। ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ମଧୂସୁଦନ ଦାସଙ୍କ ନାରୀ ଶିକ୍ଷାକୁ ପ୍ରାଧାନ୍ୟ ପ୍ରତି ଗୁରୁତ୍ୱଦେଇ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ। ପ୍ରତିବର୍ଷ ପାଠପଢ଼଼ାରେ ଭଲ କରୁଥିବା ଝିଅମାନଙ୍କୁ ସୁନା ଓ ରୁପା ଗହଣା ସହିତ ଶାଢ଼ି ପୁରସ୍କାର ଆକାରରେ ଦେଉଥିଲେ। ଫଳରେ ବାଳିକା ସଂଖ୍ୟା ବୃଦ୍ଧି ପାଇଲା ଓ କ୍ରମଶଃ ଏହା ବାଳିକା ଉଚ୍ଚବିଦ୍ୟାଳୟରେ ପରିଣତ ହେଲା। ପଦ୍ମନାଭ ଛାତ୍ରବୃତ୍ତି ପାଣ୍ଠି ଗଠନ କରି ସେହି ଅର୍ଥରୁ ଛାତ୍ରାବାସ ନିର୍ମାଣ କରାଇ ସେମାନଙ୍କ ଲାଗି ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା କରିଥିଲେ। କଲେଜ ପାଠ ଶେଷ ହେବା ପରେ ଛାତ୍ରମାନଙ୍କୁ ମାସିକ ବୃତ୍ତି ଦେଇ ଦେଶର ବିଭିନ୍ନ ପ୍ରଦେଶରେ ଥିବା କୃଷି, ଇଂଜିନିୟରିଂ, ମେଡିକାଲ, ପଶୁଚିକିତ୍ସା ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷାୟତନମାନଙ୍କରେ ପଢ଼଼ିବାକୁ ପଠାଇ ଦିଆଯାଉଥିଲା। ସଂସ୍କୃତ ଶିକ୍ଷାର ବିକାଶ ଲାଗି କୃଷ୍ଣଚନ୍ଦ୍ର ଗଜପତି ବହୁବିଧ ପଦକ୍ଷେପ ନେଇଥିଲେ। ଶିକ୍ଷାୟତନ ନିର୍ମାଣ ସହିତ ସେଠାରେ ଛାତ୍ରମାନଙ୍କୁ ଶିକ୍ଷାଦାନ ସହିତ ରହିବାର ବ୍ୟବସ୍ଥା କରିଥିଲେ। ଏହାସହିତ ପ୍ରତି ଛାତ୍ରକୁ ମାସକୁ ପାଞ୍ଚ ଟଙ୍କା ଓ ସାତ ମାଣ ଚାଉଳ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ସଂସ୍କୃତ କଲେଜ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ସ୍ୱୀକୃତିପ୍ରାପ୍ତ ହୋଇଥିଲା। କୃଷ୍ଣଚନ୍ଦ୍ରଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିକାଶ ଘଟାଇ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା। ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ। ତାଙ୍କର ନିଷ୍ଠା ଓ ନିରନ୍ତର ଉଦ୍ୟମ ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ଜନ୍ମ ନେଇଥିଲା। ଶିକ୍ଷା ସହିତ ସାହିତ୍ୟ ଓ ସଂସ୍କୃତିର ବିକାଶ ଲାଗି କୃଷ୍ଣଚନ୍ଦ୍ର ସମର୍ପିତ ଥିଲେ। ପଣ୍ଡିତ ଗୋପୀନାଥ ନନ୍ଦଙ୍କ ସଙ୍କଳିତ ‘ଓଡ଼ିଆ ଶବ୍ଦତତ୍ତ୍ୱ ବୋଧ ଅଭିଧାନ’ ମୁଦ୍ରଣ କରାଇବା ସହିତ ଗବେଷକମାନଙ୍କ ପାଇଁ ରାଜଉଆସରେ ଏକ ବିରାଟ ପାଠାଗାରର ସ୍ଥାପନା କରିଥିଲେ।
ସେସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରୋଭିନ୍ସ ଅଧୀନରେ ରହିଥିଲା। ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କରିବାକୁ ସେ ଶପଥ ନେଇଥିଲେ। ୧୯୧୪ ମସିହା ଡିସେମ୍ୱର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡିଠାରେ ଆହୂତ କରି ସେ ଦିଗରେ ପୁରୋଧା ସାଜିଥିଲେ। ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ। ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ, ‘ଓଡ଼ିଆ ଭାଷାଭାଷୀଙ୍କୁ ଏକଶାସନାଧୀନ କରିବା ପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।’ କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟେଷ୍ଠ ମଧୁବାବୁଙ୍କୁଚକିତ କରି ଦେଇଥିଲା। ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ବହୁସମର୍ଥନ ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ସେହି ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା। ୧୯୧୭ ମସିହାରେ ମଣ୍ଟେଗୁ-ଚେମସ୍ ଫୋର୍ଡ କମିଟି ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ମତ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଉତ୍କଳର ସଦସ୍ୟଭାବେ କୃଷ୍ଣଚନ୍ଦ୍ର ଦିଲ୍ଲୀଠାରେ ମଣ୍ଟେଗୁଙ୍କ ସହିତ ସାକ୍ଷାତ କରିଥିଲେ। ଫିଲିପ୍ ଡଫ୍ କମିଟି ବିଶାଖାପାଟଣା ଓ ଗଞ୍ଜାମ ଗସ୍ତ ବେଳେ ଗଜପତିଙ୍କ ସହିତ ସାକ୍ଷାତ କରିଥିଲେ। ୧୯୨୭ ମସିହାରେ ଭାରତରେ ଶାସନ ସଂସ୍କାର ପାଇଁ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଗଠିତ ସାଇମନ୍ କମିଶନ୍ କମିଶନଙ୍କୁ ଯେତେବେଳେ ସାରା ଦେଶ ବାସନ୍ଦ କରିଥିଲେ, ଓଡ଼ିଶାର ବୃହତ୍ତର ସ୍ୱାର୍ଥ ନିମନ୍ତେ ଗଜପତି ଅଣ୍ଟା ଭିଡ଼ିଥିଲେ। ଫଳସ୍ୱରୂପ ଓଡ଼ିଶା ଦାବି ବିଚାର କରିବା ପାଇଁ ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସବ୍କମିଟି ଗଠନ କରାଗଲା। ସେହି କମିଟି ଓଡ଼ିଶା ପାଇଁ ଅନୁକୂଳ ମତ ପ୍ରକାଶ କଲେ।
ଲଣ୍ଡନରେ ୧୯୩୦-୩୧ରେ ଅନୁଷ୍ଠିତ ପ୍ରଥମ ଗୋଲ ଟେବୁଲ ବୈଠକରେ ବିହାର ଓ ଓଡ଼ିଶା ସରକାଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟଭାବେ ଯୋଗ ଦେଇ ଓଡ଼ିଶାର ଦାବି ଉତ୍ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ‘ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ’ ବୋଲି ସେଠାରେ ସେ ଦୃପ୍ତ କଣ୍ଠରେ ଘୋଷଣା କରିଥିଲେ। ବିଲାତ ସରକାର ୧୯୩୧ ମସିହାରେ ଓଡୋନେଲ କମିଟି ବସାଇଲେ ଓ ଏହି କମିଟି ମୁଖ୍ୟତଃ ତିନୋଟି ବିଷୟ ପ୍ରତି ଧ୍ୟାନ ଦେଇଥିଲେ। ତନ୍ମଧ୍ୟରୁ ଗୋଟିଏ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ। ୧୯୩୨ ମସିହାରେ ଓଡୋନେଲ କମିଟି ରିପୋର୍ଟ ପ୍ରକାଶ ପାଇଲା। ଫିଲିପ୍ ଡଫ୍ କମିଟିର ଅନୁମୋଦନ ଲାଭକରି ୧୯୩୩ ମସିହାରେ ଯେଉଁ ଶ୍ୱେତପତ୍ରରେ ପ୍ରକାଶ ପାଇଲା ସେଥିରେ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀ ବାଦ୍ ପଡ଼ିଥିଲା। କୃଷ୍ଣଚନ୍ଦ୍ର ଜଏଣ୍ଟ ସିଲେକ୍ଟ କମିଟି ଆଗରେ ଏହି କଥା ଉପସ୍ଥାପନା କରିବା ନିମନ୍ତେ ୧୯୩୪ ମସିହାରେ ପୁଣି ଥରେ ବିଲାତ ଯାଇ କମିଟିର ଅଧ୍ୟକ୍ଷ ଲର୍ଡ ଲିନ୍ଲିଥ୍ଗୋଙ୍କୁ ପ୍ରଭାବିତ କରିପାରିଥିଲେ ଏବଂ ଓଡ଼ିଶା ସହିତ ପାରଳାଖେମୁଣ୍ଡି ଓ ଜୟପୁରକୁ ମିଶାଇବା ପାଇଁ ଭାରତର ତତ୍କାଳୀନ ବଡ଼ଲାଟ ଲର୍ଡ ଉଇଲିଂଡନ୍ଙ୍କୁ ରାଜି କରାଇ ପାରିଥିଲେ। କୃଷ୍ଣଚନ୍ଦ୍ର ଗଜପତିଙ୍କ ଏହି ଅକ୍ଳାନ୍ତ ନିଃସ୍ୱାର୍ଥପର ଉଦ୍ୟମ, ଜାତିପ୍ରେମ ଓ ନିଷ୍ଠା ଯୋଗୁଁ ୧୯୩୬ ଏପ୍ରିଲ ପହିଲାରେ ୬ ଗୋଟି ଜିଲ୍ଲାକୁ ନେଇ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମ ନେଲା। ଶୁଣାଯାଏ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ଉତ୍କଳ ଗଠନ ପାଇଁ ବାରମ୍ୱାର ଲଣ୍ଡନ ଯିବାଫଳରେ ଅର୍ଥନୈତିକ ଚାପରେ ପଡ଼ି ରାଜପ୍ରସାଦର ବହୁ ମୂଲ୍ୟବାନ ଅଳଙ୍କାର ବିକ୍ରି କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ପରେ ୧୯୪୧ ମସିହା ନଭେମ୍ୱର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।
ସେ ନିଜ ଶାସନ କାଳରେ ଅନେକ ଯୁଗାନ୍ତକାରୀ, ସମୟୋପଯୋଗୀ ଓ ଜନକଲ୍ୟାଣକାରୀ ନିଷ୍ପତ୍ତିମାନ ନେଇଥିଲେ। ନୂଆପଡ଼ା-ପାରଳାଖେମୁଣ୍ଡି-ଗୁଣୁପୁର ରେଳପଥ ନିର୍ମାଣ, ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ଆଦି ସେଥିମଧ୍ୟରୁ କେତୋଟି ଉଦାହରଣ। ୧୯୧୩ ମସିହାରେ ରାଜ୍ୟାଭିଷେକ ବେଳେ ପିତାଙ୍କ ସଂରକ୍ଷିତ ରାଜକୋଷକୁ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଖର୍ଚ୍ଚ କରିବେ ନାହିଁ ଏବଂ ସେହି ଗଚ୍ଛିତ ଧନ କେବଳ ଦେଶୋପକାରରେ ଲାଗିବ ବୋଲି ସେ ଯେଉଁ ଶପଥ ନେଇଥିଲେ ତାହା କାର୍ଯ୍ୟରେ କରି ଦେଖାଇଥିଲେ। ଏଥିସହିତ ପୂର୍ବପୁରୁଷଙ୍କ ଦ୍ୱାରା ନିର୍ମିତ କୀର୍ତ୍ତିମାଳାର ଉନ୍ନତି ସାଧନ ଓ ପ୍ରଜାମଙ୍ଗଳ ନିମନ୍ତେ ଲୋକହିତକର କାର୍ଯ୍ୟ କରିଥିଲେ। ସେହି ଜାତିପ୍ରାଣ ଥିଲେ ଯଥାର୍ଥରେ ଯୁଗପୁରୁଷ। ଓଡ଼ିଶାର ବରପୁତ୍ର ସମସ୍ତଙ୍କ ଚିରନମସ୍ୟ ସ୍ୱାଭିମାନୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।
ପ୍ରଦୀପ କୁମାର ପଣ୍ଡା
ପାରଳାଖେମଣ୍ଡି, ମୋ: ୮୩୭୭୮୮୪୯୮୨