ମନୋରଞ୍ଜନ
ଓଡ଼ିଶା
ଆକାଂକ୍ଷୀ ଛାତ୍ରଙ୍କ ଆତ୍ମହତ୍ୟା ପ୍ରବଣତା
ସମ୍ପ୍ରତି ରାଜସ୍ଥାନର କୋଟାଠାରେ ଛାତ୍ରମାନଙ୍କର ଆତ୍ମହତ୍ୟାକୁ ନେଇ ପ୍ରଶାସନିକ ତଥା ଅଭିଭାବକ ମହଲରେ କମ୍ପନ ସୃଷ୍ଟି ହୋଇଛି ଏବଂ ଏହା ଦେଶର ଏକ ପ୍ରମୁଖ ଖବର ହୋଇଛି। ପ୍ରତିବର୍ଷ ଭାରତ ଅଧିକାଂଶ ରାଜ୍ୟରୁ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ବ ମେଧାବୀ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ନିର୍ମାଣ ପାଇଁ କୋଟାଠାରେ ଥିବା ଅନେକ କୋଚିଙ୍ଗ ସେଣ୍ଟର ବା ବା ପ୍ରାକ୍-ପ୍ରତିଯୋଗିତା ପ୍ରଶିକ୍ଷଣ କେନ୍ଦ୍ରରେ ନାମ ଲେଖାନ୍ତି। ସେମାନଙ୍କର ଲକ୍ଷ୍ୟ ଥାଏ, ଭାରତର ପ୍ରମୁଖ ମହାବିଦ୍ୟାଳୟ କିମ୍ୱା ବିଶ୍ୱବିଦ୍ୟାଳୟରେ ବୃତ୍ତିଗତ […]
ସମ୍ପ୍ରତି ରାଜସ୍ଥାନର କୋଟାଠାରେ ଛାତ୍ରମାନଙ୍କର ଆତ୍ମହତ୍ୟାକୁ ନେଇ ପ୍ରଶାସନିକ ତଥା ଅଭିଭାବକ ମହଲରେ କମ୍ପନ ସୃଷ୍ଟି ହୋଇଛି ଏବଂ ଏହା ଦେଶର ଏକ ପ୍ରମୁଖ ଖବର ହୋଇଛି। ପ୍ରତିବର୍ଷ ଭାରତ ଅଧିକାଂଶ ରାଜ୍ୟରୁ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ବ ମେଧାବୀ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ନିର୍ମାଣ ପାଇଁ କୋଟାଠାରେ ଥିବା ଅନେକ କୋଚିଙ୍ଗ ସେଣ୍ଟର ବା ବା ପ୍ରାକ୍-ପ୍ରତିଯୋଗିତା ପ୍ରଶିକ୍ଷଣ କେନ୍ଦ୍ରରେ ନାମ ଲେଖାନ୍ତି। ସେମାନଙ୍କର ଲକ୍ଷ୍ୟ ଥାଏ, ଭାରତର ପ୍ରମୁଖ ମହାବିଦ୍ୟାଳୟ କିମ୍ୱା ବିଶ୍ୱବିଦ୍ୟାଳୟରେ ବୃତ୍ତିଗତ ଶିକ୍ଷା ଅଧ୍ୟୟନ କରିବା ପାଇଁ ହେଉଥିବା ଯୋଗ୍ୟତା ପରୀକ୍ଷାରେ କୃତକାର୍ଯ୍ୟ ହେବା। କୋଟାରେ ଏମାନଙ୍କର ରହିବା ପାଇଁ ପ୍ରାୟ ୩୫୦୦ଟି ବେସରକାରୀ ଛାତ୍ରାବାସ ଅଛି। ସେଠାରେ ପ୍ରାୟ ଏକରୁ ଦୁଇ ବର୍ଷ ରହିବାକୁ ପଡ଼େ। ବିଡ଼ମ୍ୱନା ଏହା ଯେ ସେହି ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା କରୁଥିବା ସଂଖ୍ୟା ପ୍ରତିବର୍ଷ ବଢ଼଼ିବାରେ ଲାଗିଛି। ଚଳିତ ବର୍ଷ ସେପ୍ଟେମ୍ୱର ୧୮ ତାରିଖ ଭିତରେ ସେଠାରେ ୨୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରି ସାରିଲେଣି। ସେହିପରି ସେଠାରେ ୨୦୨୨ ରେ ୧୫ ଜଣ, ୨୦୧୯ରେ୧୮ ଜଣ, ୨୦୧୮ରେ ୨୦ ଜଣ, ୨୦୧୭ରେ ୭ ଜଣ, ୨୦୧୬ରେ ୧୭ ଜଣ ଓ ୨୦୧୫ରେ ୧୮ ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ତଥ୍ୟ ରହିଛି। ୨୦୨୦ ଓ ୨୦୨୧ ରେ କୋଭିଡ୍ ମହାମାରୀ ଯୋଗୁଁ ସମସ୍ତ କେନ୍ଦ୍ର ତଥା ଛାତ୍ରାବାସ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ଶୂନ୍ୟ ଥିଲା। ୨୦୧୧ ରୁ ୨୦୨୨ ମଧ୍ୟରେ କୋଟାରେ ମୋଟ ୧୨୧ ଜଣ ଶିକ୍ଷାର୍ଥୀ ଜୀବନ ହାରିଛନ୍ତି। ଏହା କମ୍ ଉଦ୍ବେଗଜନକ ବିଷୟ ନୁହେଁ।
କୋଟାରେ ଘଟୁଥିବା ଘଟଣା ଭଳି ଭାରତରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରବଣତା ଉଦ୍ବେଗଜନକ ଭାବେ ପ୍ରତି ବର୍ଷ ବଢ଼଼ିବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆରବି) ତଥ୍ୟାନୁସାରେ ୨୦୨୧ ମସିହାରେ ଭାରତରେ ୧୩, ୦୦୦ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଥିଲେ। ଅର୍ଥାତ୍ ପ୍ରତିଦିନ ୩୫ ଜଣ ଓ ପ୍ରତି ଏକ ଘଣ୍ଟାରୁ କମ ସମୟରେ ଜଣେ ଛାତ୍ର ଆତ୍ମହତ୍ୟା କରୁଛନ୍ତି। ୨୦୨୦ରେ ଏହି ସଂଖ୍ୟା ଥିଲା ୧୨,୫୨୬, ଯାହାକି ୨୦୨୧ ଠାରୁ ୪.୫ ପ୍ରତିଶତ କମ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଆତ୍ମହତ୍ୟା ଜନିତ ୧୦୫୭୨ ମାମଲାରୁ ୮୬୪ ଟି ପରୀକ୍ଷାରେ ଅକୃତକାର୍ଯ୍ୟ କାରଣରୁ ଘଟୁଛି। ୧୯୯୫ରୁ ୨୦୨୦ – ଏହି ପଚିଶ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷ ଶିକ୍ଷାର୍ଥୀ ଭାରତରେ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହା ଥିଲା ସର୍ବାଧିକ। ରାଜ୍ୟୱାରି ତଥ୍ୟାନୁସାରେ ଛାତ୍ର ଆତ୍ମହତ୍ୟା କ୍ଷେତ୍ରରେ ୨୦୨୧ ରେ ସର୍ବାଗ୍ରେ ମହାରାଷ୍ଟ୍ର ରହିଥିଲା। ସେହି ବର୍ଷ ସେଠାରେ ୧୮୩୪ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ତା’ ପଛକୁ ସେହିବର୍ଷ ମଧ୍ୟପ୍ରଦେଶରେ ୧୩୦୮ ଜଣ, ତାମିଲନାଡୁରେ୧୨୪୬ ଜଣ, କର୍ଣ୍ଣାଟକରେ ୮୫୫ ଜଣ ଓ ଓଡ଼ିଶାରେ ୮୩୪ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ୨୦୧୭ରେ ଏହି ସଂଖ୍ୟା ୯୯୦୫ ଥିବାବେଳେ ୨୦୨୧ ରେ ଏଥିରେ ୩୨.୧୫ ପ୍ରତିଶତ ବୃଦ୍ଧି ଘଟି ୧୩, ୦୦୦ ରେ ପହଞ୍ଚିଛି। ମୋଟ ମାମଲାରେ ଛାତ୍ରମାନଙ୍କର ସଂଖ୍ୟା ୫୬.୫୧ ପ୍ରତିଶତ ଥିବାବେଳେ ଛାତ୍ରୀମାନଙ୍କର ସଂଖ୍ୟା ୪୩.୯୫ ପ୍ରତିଶତ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଭାରତର ପ୍ରମୁଖ ବୈଷୟିକ ଓ ବୃତ୍ତିଗତ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଯଥା ଏନ୍ଆଇଟି, ଆଇଆଇଟି, ଆଇଆଇଏମ୍, ଏମ୍ସ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ମଧ୍ୟ ଆତ୍ମହତ୍ୟା ତାଲିକାରେ ଅଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ହିସାବ ଅନୁଯାୟୀ, ୨୦୧୪ ରୁ ୨୦୨୧ ଭିତରେ ଏହିସବୁ ଶିକ୍ଷାନୁଷ୍ଟାନରୁ ୧୨୨ ଜଣ ଜୀବନ ହାରିଛନ୍ତି। କେବଳ ୨୦୧୮ ରୁ ୨୦୨୩ ଏପ୍ରିଲ ୨୩ ତାରିଖ ଭିତରେ ୧୦୩ ଜଣ ଛାତ୍ରଛାତ୍ରୀ ଉପରୋକ୍ତ ଅନୁଷ୍ଠାନରୁ ଆତ୍ମହତ୍ୟା କରିଛନ୍ତି। ସେଥିମଧ୍ୟରେ ଆଇଆଇଟିରୁ ୩୫ ଜଣ, ଏନ୍ଆଇଟିରୁ ୨୪ ଜଣ, ଆଇଆଇଏମ୍ରୁ ୦୪ ଜଣ, ଏମ୍ସରୁ ୧୧ ଜଣ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ୨୯ ଜଣ ଅଛନ୍ତି। ବର୍ଷ ୱାରି ତଥ୍ୟାନୁସାରେ ଏହିସବୁ ଅନୁଷ୍ଠାନରୁ ୨୦୧୮ ରେ ୨୦ ଜଣ, ୨୦୧୯ ରେ ୨୦ ଜଣ, ୨୦୨୦୨ ରେ ୧୩ ଜଣ, ୨୦୨୧ ରେ ୧୦ ଜଣ, ୨୦୨୨ ରେ ୨୫ ଜଣ ଓ ୨୦୨୩ ଏପ୍ରିଲ ମାସ ସୁଦ୍ଧା ୧୫ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ।
ଅନୁଧ୍ୟାନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ମୁଖ୍ୟତଃ ୧୮ ରୁ ୩୦ ବର୍ଷୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଥିବାବେଳେ ଶିକ୍ଷା ଅଧ୍ୟୟନରେ ବିଫଳତା ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଏହି ଦୁର୍ଭାଗ୍ୟଜନକ ଘଟଣାମାନ ଆଲୋଚନା କଲେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ଯେଉଁ କେତେକ ମୁଖ୍ୟକାରଣମାନ ନଜରକୁ ଆସେ ସେଗୁଡ଼ିକ ହେଲା – ୧)ଶିକ୍ଷାଗତ ଜୀବନର ମାନ ବୃଦ୍ଧି ପାଇଁ ପରୀକ୍ଷାର ଚାପ ଓ ଇଚ୍ଛା ବିରୁଦ୍ଧରେ ଲଦି ଦିଆଯାଇଥିବା ବିଷୟର ଚାପ। ୨)ପରୀକ୍ଷାରେ ଅତି ଭଲ କରିବା ପାଇଁ ଅଭିବାବକ, ଶିକ୍ଷକ, ସମ୍ପର୍କୀୟ ତଥା ପରିବାର ଲୋକଙ୍କର ଚାପ ଓ ଅଧିକ ଆଶା ଓ ତତପର ମାନସିକ ନିର୍ଯାତନା। ୩) ସାଥୀମାନଙ୍କର ସଫଳତା ଓ ନିଜର ବିଫଳତାର ହତାଶା ଭାବ। ୪) ବିଫଳତାରେ ନିଜକୁ ଅନ୍ୟମାନଙ୍କଠାରୁ ନିକୃଷ୍ଟ ଭାବିବା ଓ ମାନସିକ ସ୍ତରରେ ଭାଙ୍ଗିଯିବା। ୫) ମାନସିକ ଅବସାଦ, ଏକୁଟିଆପଣ, ନିଃସହାୟ ବୋଧ, ଚାପ ଓ ରୋଗ। ୬)ଆର୍ଥିକ କ୍ଷତି। ୭)ନିଶା ସେବନ। ୮) ପ୍ରେମରେ ବିଫଳତା। ୯) ପରିବାର ଓ ସମ୍ପର୍କୀୟମାନଙ୍କଠାରୁ ସହାୟତା ନମିଳିବା। ୧୦) ଦୁରାରୋଗ୍ୟ ରୋଗରେ ପୀଡ଼ିତ ଥିବା ଜାଣିବା। ୧୧) ପରୀକ୍ଷାରେ ଅକୃତକାର୍ଯ୍ୟ ପରେ ଅନିଶ୍ଚିତ ଭବିଷ୍ୟତକୁ ଠେଲି ହୋଇଯିବାର ଭୟ ଇତ୍ୟାଦି। ସାଧାରଣତଃ ଜୀବନ ହାରିବା ପାଇଁ ବିଷ ପାନ କରିବା ଓ ଏକାକୀ କୋଠରିରେ ଫ୍ୟାନରେ ଝୁଲି ଜୀବନ ହାରିବା ପରି ପଦ୍ଧତି ଅଧିକ ଆପଣଉଛନ୍ତି। ପୁଣି କେତେଜଣ ଛାତରୁ ତଳକୁ ଡେଇଁବା, ଅଧିକ ନିଶା ଔଷଧ ସେବନ ସହ କେତେଜଣ ହାତର ଧମନୀ ମଧ୍ୟ କାଟିଥାନ୍ତି।
ଅଭିବାବକ ଓ ଶିକ୍ଷାର୍ଥୀମାନେ ବୁଝିବା ଦରକାର ଯେ ବୃତ୍ତି ଓ ଅଧିକ ପଇସା ରୋଜଗାର ନିଶା ଅପେକ୍ଷା ଜୀବନର ମୂଲ୍ୟ ଢେର ଅଧିକ। ମହାତ୍ମା ଗାନ୍ଧୀଙ୍କ ଉକ୍ତି ଅନୁଯାୟୀ, ରିଡିଙ୍ଗ ଫର ଫନ୍ ଆଣ୍ଡ ରିଡିଙ୍ଗ ଫର ପ୍ଲେଜର – ଅର୍ଥାତ୍ ଆନନ୍ଦ ଓ ଖୁସି ହେବା ପାଇଁ ପଢ଼଼। ଅଭିବାବକମାନେ ନିଜ ପିଲାଙ୍କୁ ଭବିଷ୍ୟତର ଏକ ଟଙ୍କା ରୋଜଗାର ମେସିନ ହେବା ପାଇଁ ବଡ଼ ଚାକିରି ଆଶାରେ ପାଠ ପଢ଼଼ାକୁ ଲଦି ନଦେଇ ସେମାନଙ୍କୁ ନିଜର ଆଗ୍ରହ ଓ ପସନ୍ଦ ଅନୁସାରେ ପଢ଼଼ିବା ଓ ବିଷୟ ଚୟନ କରିବାକୁ ସ୍ୱାଧୀନତା ଦେବା ଦରକାର। ଆଧୁନିକ ସଭ୍ୟତାର ତୁଳନାତ୍ମକକ ବିଚାରରେ ନରହି ପିଲାଙ୍କ ଚାରିତ୍ରିକ, ନୈତିକ ଓ ବ୍ୟକ୍ତିଗତ ବିକାଶ ପାଇଁ ଅଭିଭାବକମାନେ ଉତ୍ସାହିତ କରିବା ଦରକାର। ଶିକ୍ଷାର୍ଥୀର ମାନସିକ ସ୍ୱାସ୍ଥ ଓ ଶାରୀରିକ ବିକାଶ ବିଷୟରେ ଅନୁଶୀଳନ ଓ ତାହାର ଚିକିତ୍ସା ମଧ୍ୟ ଅତ୍ୟନ୍ତ ଜରୁରୀ।
ନଭେମ୍ୱର ୨୧ ତାରିଖ ୨୦୨୨ ରୁ ଭାରତରେ ନ୍ୟାଶ୍ନାଲ୍ ସୁସାଇଡ୍ ପ୍ରିଭେନ୍ସନ୍ ଷ୍ଟାର୍ଟେଜି(ଜାତୀୟ ଆତ୍ମହତ୍ୟା ନିରାକରଣ ଯୋଜନା) ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଉଛି, ପ୍ରତିବର୍ଷ ବଢ଼ୁଥିବା ଆତ୍ମହତ୍ୟା ପ୍ରବଣତା ସଂଖ୍ୟାକୁ କମ କରି ୨୦୩୦ ସୁଦ୍ଧା ୨୦୨୦ରେ ହୋଇଥିବା ଆତ୍ମହତ୍ୟା ସଂଖ୍ୟାର ୧୦ ପ୍ରତିଶତ ହ୍ରାସ କରିବା। ମିଳିତ ଜାତିସଂଘ ଦ୍ୱାରା ପ୍ରତିବର୍ଷ ୧୦ ସେପ୍ଟେମ୍ୱରକୁ ବିଶ୍ୱ ଆତ୍ମହତ୍ୟା ପ୍ରବଣତା ନିରାକରଣ ଦିବସ ଓ ଅକ୍ଟୋବର ୧୦ ତାରିଖକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ପିଲାମାନେ ପରିବାର ତଥା ଦେଶର ଭବିଷ୍ୟତ। ବର୍ତ୍ତମାନ ଏକ କିମ୍ୱା ଦୁଇ ସନ୍ତାନ ଥିବା ପରିବାରରେ ସନ୍ତାନର ଆତ୍ମହତ୍ୟା ଏକ ଅପୂରଣୀୟ କ୍ଷତି। ଅଭିବାବକ, ଶିକ୍ଷକ ତଥା ପ୍ରଶାସନ ଏହିସବୁ ବିଷୟରେ ଯତ୍ନବାନ ହେଲେ ଯାଇ ଆମ ଭବିଷ୍ୟତ ପିଢ଼ିଙ୍କ ଆତ୍ମହତ୍ୟା ପ୍ରବଣତାକୁ ଯଥେଷ୍ଟ ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ। ହିମାଂଶୁ ଭୂଷଣ ସ୍ୱାଇଁ(ଓପିଏସ୍) ଭୁବନେଶ୍ୱର, ମୋ: ୯୪୩୭୨୦୨୮୧୨





