ଅଭିଶପ୍ତ ବୈଧବ୍ୟ
ନିକଟରେ ଖବର ପାଲଟିଥିବା ପତିହନ୍ତା ସୋନମ ରଘୁବଂଶୀଙ୍କ ଭଳି କିଛି ନବବିବାହିତାଙ୍କ ପାଇଁ ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିବା ଏକ ଆଶୀର୍ବାଦ ହୋଇପାରେ; କିନ୍ତୁ ଏ ଦେଶର ଲକ୍ଷ ଲକ୍ଷ ମହିଳା କାଳଅକାଳରେ ସ୍ୱାମୀକୁ ହରାଇ ବିତାଉଥିବା ଜୀବନ କୌଣସି ଅଭିଶାପଠାରୁ କମ୍ ନୁହେଁ, ଯାହା ସମ୍ପୂର୍ଣ୍ଣ ରସହୀନ, ରଙ୍ଗହୀନ ଓ ଆଶ୍ରାହୀନ। ଏ ସମାଜରେ ବିଧବା ହୋଇ ବଞ୍ଚିବା ଯେ କେତେ ଦୁର୍ବିସହ ଓ କେଡ଼େ ବଡ଼ ଅଗ୍ନିପରୀକ୍ଷା ଯିଏ ବଞ୍ଚୁଛି ସେ […]
ନିକଟରେ ଖବର ପାଲଟିଥିବା ପତିହନ୍ତା ସୋନମ ରଘୁବଂଶୀଙ୍କ ଭଳି କିଛି ନବବିବାହିତାଙ୍କ ପାଇଁ ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିବା ଏକ ଆଶୀର୍ବାଦ ହୋଇପାରେ; କିନ୍ତୁ ଏ ଦେଶର ଲକ୍ଷ ଲକ୍ଷ ମହିଳା କାଳଅକାଳରେ ସ୍ୱାମୀକୁ ହରାଇ ବିତାଉଥିବା ଜୀବନ କୌଣସି ଅଭିଶାପଠାରୁ କମ୍ ନୁହେଁ, ଯାହା ସମ୍ପୂର୍ଣ୍ଣ ରସହୀନ, ରଙ୍ଗହୀନ ଓ ଆଶ୍ରାହୀନ। ଏ ସମାଜରେ ବିଧବା ହୋଇ ବଞ୍ଚିବା ଯେ କେତେ ଦୁର୍ବିସହ ଓ କେଡ଼େ ବଡ଼ ଅଗ୍ନିପରୀକ୍ଷା ଯିଏ ବଞ୍ଚୁଛି ସେ ଜାଣିଛି। ଦିନେ ପରିବାର ପିଲାଛୁଆ ଶାଶୂଘର ଓ ସମାଜର ମେରୀଖୁଣ୍ଟ ହୋଇ ବଞ୍ଚୁଥିବା ମଣିଷ ହଠାତ୍ ଏକ ବିପନ୍ନ ଜୀବନ ଅତିବାହିତ କରେ। ଅଦରକାରୀ ଉପାଦାନ ଭଳି କେବେ ଘରର କୌଣସି ଏକ କୋଣରେ ତ କେବେ ଘରର ଆବର୍ଜନା ଭାବି କିଏ ତା’କୁ ବାହାରେ ଫୋପାଡ଼ି ଦିଏ। ପରିସ୍ଥିତି ବାମ ପାଲଟିଯାଏ। ନା ଥାଏ ରହିବା ଖାଇବା ପିନ୍ଧିବାର ଠିକଣା ନା ସାମାଜିକ ନିରାପତ୍ତା। ଯେଉଁଠି ପର ହାତଟେକାକୁ ଅନେଇବାକୁ ପଡ଼େ, ସେଠି ଦେହପା’ ଭଲମନ୍ଦ କଥା କିଏ ପଚାରେ? ସମ୍ପତ୍ତି ବାଡ଼ି ଥାଇ ବି ସେ ନିଃସ୍ୱ! ମାଲିକ ହୋଇ ବି ସେ ଜାହିର କରିପାରେନି ମାଲିକାନାସ୍ୱତ୍ୱ।
କାହାକୁ ନା କାହାକୁ କେତେବେଳେ ବି ଏମିତି ନିଷ୍ଠୁର ସତ୍ୟକୁ ସାମ୍ନା କରିବାକୁ ପଡ଼ିପାରେ। ପରିସଂଖ୍ୟାନ ଜଣାଏ, ବିଶ୍ୱରେ ୨୫୭ ନିୟୁତ ବିଧବାଙ୍କ ମଧ୍ୟରୁ ଅଧାରୁ ଅଧିକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ଅତିବାହିତ କରୁଛନ୍ତି। ୨୦୧୧ ମସିହା ଜନଗଣନାର ତଥ୍ୟ କହେ, ଭାରତରେ ଅଛନ୍ତି ୫୬ ନିୟୁତ ବିଧବା। ଏହି ସଂଖ୍ୟା ଭାରତରେ ବସବାସ କରୁଥିବା ମହିଳାଙ୍କର ୭-୮ ପ୍ରତିଶତ। ବୟସବର୍ଗକୁ ବିଶ୍ଳେଷଣ କଲେ ଜଣାଯାଏ, ୩୫-୩୯ ବର୍ଷ ଭିତରେ ୪.୬ ପ୍ରତିଶତ ନିଜ ସ୍ୱାମୀଙ୍କୁ ହରାଇ ଏକାକୀ ବଞ୍ଚୁଥିବା ବେଳେ ୪୫-୪୯ ବୟସ ବର୍ଗରେ ବେସାହାରା ହୋଇପଡୁଛନ୍ତି ୧୦.୮ ପ୍ରତିଶତ। ଜୀବନର ବୋଝ କିଛିମାତ୍ରାରେ ହାଲକା ହେବା ବୟସ ଅର୍ଥାତ୍ ୬୦-୬୯ବର୍ଷ ଭିତରେ ୪୦.୮ ପ୍ରତିଶତ ପତିଙ୍କୁ ହରାଇ ଅକଥନୀୟ ଓ ଦୟନୀୟ ପରିସ୍ଥିତିର ସାମ୍ନା କରୁଛନ୍ତି। ଆଉ ୮୦ ବର୍ଷ ଉପରେ ଏ ସଂଖ୍ୟା ସର୍ବାଧିକ ୮୬.୬ ପ୍ରତିଶତ। ଯଦିଓ ଏ ଗଣିତକୁ ନେଇ କେହି ଆଶ୍ଚର୍ଯ୍ୟଚକିତ ହେବେ ନି, ତଥାପି ସର୍ବାଧିକ ପ୍ରତିଶତ ବିଧବା ମହିଳା ଭାରତର ଗ୍ରାମାଞ୍ଚଳରେ ବାସ କରନ୍ତି।
ଯଦିଓ ପରିସ୍ଥିତିରେ କିଛିଟା ସୁଧାର ଆସିଛି, ତଥାପି ପିଲାଦିନୁ ଦେଖିଆସୁଛି ଅନେକ କିଛି ସାମାଜିକ ଧାର୍ମିକ ଓ ରୀତିନୀତିର କଟକଣା ଭିତରେ ବଞ୍ଚୁଛି ଗୋଟିଏ ମହିଳା। ପ୍ରଥମେ ତ ସ୍ୱାମୀର ମୃତ୍ୟୁ ପାଇଁ କେବେ ତା’ର ଉଚ୍ଚ କପାଳକୁ ଦାୟୀ କରାଯାଏ ତ କେବେ ତା’କୁ କିଏ ପିଶାଚୀ କହିବାକୁ ପଛାଏ ନାହିଁ। ଟୁପୁରୁଟାପୁରୁ କଥା, ନାନା କୁତ୍ସାରଟନା, ଅନେକ ପ୍ରକାରର ସାମାଜିକ କଟକଣା, କେବେ ଧଳାଶାଢ଼ିର ଚାପ, କେବେ ପର୍ବପର୍ବାଣିର କଟକଣା, ଘରକୋଣରେ ବଞ୍ଚିରହିବାର ବାଧ୍ୟବାଧତା ତା’କୁ ମାନସିକ ଯନ୍ତ୍ରଣା ଭିତରକୁ ଠେଲିଦିଏ। ସ୍ୱାମୀର ଘର ଓ ସମ୍ପତ୍ତି ଥାଇ ବି ସ୍ତ୍ରୀ ଅଧିକାର ହରାଏ। ୬୦ ପ୍ରତିଶତ ବିଧବାଙ୍କୁ ଉତ୍ତମ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଅଭାବରୁ କର୍ମନିଯୁକ୍ତି ମିଳେନି। ଯେବେ କାମ ମିଳେ ସେତେବେଳେ ଅନ୍ୟମାନେ ଏହା କହି ସେ ଅସହାୟ ମହିଳାଟିର ମନୋବଳ ଭାଙ୍ଗିଦିଅନ୍ତି ଯେ, ‘ବିଧବା ଲୋକଟେ ସେ କ’ଣ ପାରିବ?’
ଏକଲାପଣର ପାଚେରି ଡେଇଁପାରୁ ନ ଥିବା ମହିଳାଟେ ମାନସିକ ବିଷାଦଗ୍ରସ୍ତ ହୁଏ, ଗୋଷ୍ଠୀଗତ ଓ ସାମାଜିକ ଅସହଯୋଗ ମାଡ଼ିଗୋଡ଼ାଏ। ଅଳ୍ପ ବୟସରେ ସିନ୍ଦୂର ଲିଭିଯାଇଥିବା ମହିଳାଟେ ଯଦି ସାହାରା ପାଇଁ ପୁନର୍ବିବାହ କରିବାର ସ୍ୱପ୍ନ ବି ଦେଖେ, ଏ ସମାଜ ତା’କୁ ଆଉ ନିଦରେ ଶୋଇବାର ସୁଯୋଗ ଦିଏନି। ସବୁଠୁ କଦର୍ଯ୍ୟ କଥା ସେ ଶୁଣେ ଯେବେ ପେଟରେ ପିଲା ଥିବା ଅବସ୍ଥାରେ ସ୍ୱାମୀର ମୃତ୍ୟୁ ହୋଇଯାଏ। କିଛି ଲୋକ କହିବେ ସରକାରୀସ୍ତରରେ ତା’ ପାଇଁ ହଜାରେ ଟଙ୍କା ଭତ୍ତା ଏବଂ କେଇ କିଲୋ ଚାଉଳ, ମୁଣ୍ଡ ଗୁଞ୍ଜିବାକୁ ଆବାସ ଘରର ପ୍ରାବଧାନ ଅଛି। ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନାରେ ବିଧବାଙ୍କ ପୁନର୍ବିବାହକୁ ଯୋଡ଼ା ଯାଇଛି। ଆଶ୍ରୟ ପାଇଁ ସ୍ୱଧାରଗୃହ ଅଛି। ସବୁ ଅଛି ଯେ, ହେଲେ ଖାତା କଲମରୁ କ୍ରିୟାନ୍ୱୟନ ସ୍ତରକୁ ଆସିବାକୁ ସାମର୍ଥ୍ୟ ଓ ଧୈର୍ଯ୍ୟ ଦରକାର।
ବ୍ୟାପକ ହୋହଲ୍ଲା ଭିତରେ ଜାତୀୟ ମାନବାଧିକାର ଆୟୋଗ ବିଧବାଙ୍କ ଦୁସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ନିର୍ଦ୍ଦେଶାବଳୀ ପାଳନ କରବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟା’ ଭିତରେ ବିଧବାଙ୍କ ସମ୍ପର୍କରେ ପ୍ରକୃତ ତଥ୍ୟାବଳୀର ଏକତ୍ରୀକରଣ ସହ ଜିଲ୍ଲାସ୍ତରରେ ବିଧବା ପ୍ରକୋଷ୍ଠ ଗଠନ କରି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରିବା କଥା କୁହାଯାଇଛି। ପର୍ଯ୍ୟାପ୍ତ ଆଶ୍ରୟସ୍ଥଳୀ ଖୋଲାଯିବା ସହ ନିୟମିତ ଯାଞ୍ଚ କରାଯିବାର ଆବଶ୍ୟକତାକୁ ସରକାର ଅନୁଭବ କରିଛନ୍ତି। ଉତ୍ତରାଧିକାରୀ ସୂତ୍ରରେ ମିଳିବାକୁ ଥିବା ସମ୍ପତ୍ତି ଓ ବୀମା ଇତ୍ୟାଦିର ପ୍ରାପ୍ତି ନିମନ୍ତେ ଆଇନଗତ ସହାୟତା ପ୍ରଦାନ କରାଯିବାର ପ୍ରାବଧାନ କରାଯିବା ଦରକାର। ସେମାନଙ୍କ ମଧ୍ୟରେ ଅର୍ଥନୈତିକ ସାକ୍ଷରତା ବଢ଼଼ାଇବା ଜରୁରୀ। ପରବର୍ତ୍ତୀ ଜୀବନ ପାଇଁ ଜୀବିକା ଅର୍ଜନ ନିମିତ୍ତ ଦକ୍ଷତା ବିକାଶ ତାଲିମ୍ ପ୍ରଦାନ କରାଯାଉ। ସାମାଜିକ ସାଂସ୍କୃତିକ କଟକଣା ବିରୋଧରେ ପ୍ରତିନିତି ନ ଲଢ଼ିବା ଭଳି ପରିବେଶ ସୃଷ୍ଟି ଦିଗରେ ପ୍ରଶାସନ ଦୃଷ୍ଟିଦେବା ଦରକାର। ସ୍ୱାସ୍ଥ୍ୟ ସଚେତନତା, ମାନସିକ ସ୍ୱାସ୍ଥ୍ୟର ସମୃଦ୍ଧି ଦିଗରେ ସବୁସ୍ତରରେ ଏକ ବାତାବରଣ ଅପେକ୍ଷାରେ ସେମାନେ।
ଆମେ ସମସ୍ତେ ଜାଣନ୍ତି ଜୀବନକୁ ନିଜ ହିସାବରେ ଜିଇ ହୁଏନା। ଯଦି ଦାୟିତ୍ୱବୋଧତା, ବାଧ୍ୟବାଧକତା ଓ ଭାବପ୍ରବଣତାର ଲୁଗା ହକାଳି ବା ପାଦରେ ଆଡ଼େଇ ଚେଷ୍ଟା କରାଯାଏ ହୁଏତ କାଳେ କିଏ ଜିଇ ପାରିବ। ଶୁଣିବାକୁ ସହଜ ଲାଗୁଥିଲେ ବି ଏସବୁ କିନ୍ତୁ ଦୁରୁହ। ତଥାପି ବୋଝ ବୋହି ବଞ୍ଚିବାକୁ ହେବ। ସମୟ ବଦଳିବ, ଲୋକ ହାତ ଛାଡ଼ିବେ, ପରିସ୍ଥିତି ଜଟିଳ ହେବ, ତଥାପି ଏ ଜୀବନ କିଛି ନୂଆ ଶିଖେଇବ।
ଅବିନାଶ ଷଡ଼ଙ୍ଗୀ
ପାଣିକୋଇଲି(ଯାଜପୁର)ମୋ:୯୮୫୩୦୦୯୯୬୮