ମନୋରଞ୍ଜନ
ଓଡ଼ିଶା
କ୍ଲିଷ୍ଟତା ଓ ଶବ୍ଦ ମାଧୁରୀ
ପିଲାବେଳେ ହାଇସ୍କୁଲ ସ୍ତରରେ ଅଧ୍ୟୟନ କରୁଥିବା ବେଳେ ଆମେ ସମସ୍ତେ ଶବ୍ଦାଡ଼ମ୍ବର ସପକ୍ଷରେ ଥିଲେ ବୋଧହୁଏ। ଏଇ କଥାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ଯଦି ଆପଣଙ୍କ ନିକଟରେ ସେ କାଳର କିଛି ଉଦ୍ବୃତ୍ତ କାଗଜପତ୍ର ରହି ଯାଇଥାଏ, ସେଗୁଡ଼ିକୁ ଯାଞ୍ଚ କରିପାରନ୍ତି। କଠିନ ଶବ୍ଦରେ ନିଜକୁ ପ୍ରକାଶ କରି ଆମେ ନିଜକୁ ଅନ୍ୟଠାରୁ ଅସାଧାରଣ ଭାବରେ ପ୍ରତିପାଦନ କରିବାକୁ ଚେଷ୍ଟା କରୁଥିଲେ ନା ଆଉ କିଛି? ଦୀର୍ଘବାକ୍ୟ ଲେଖିବା, ଅଭିଧାନର କ୍ଳିଷ୍ଟ ଶବ୍ଦକୁ ବ୍ୟବହାର କରିବା […]
ପିଲାବେଳେ ହାଇସ୍କୁଲ ସ୍ତରରେ ଅଧ୍ୟୟନ କରୁଥିବା ବେଳେ ଆମେ ସମସ୍ତେ ଶବ୍ଦାଡ଼ମ୍ବର ସପକ୍ଷରେ ଥିଲେ ବୋଧହୁଏ। ଏଇ କଥାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ଯଦି ଆପଣଙ୍କ ନିକଟରେ ସେ କାଳର କିଛି ଉଦ୍ବୃତ୍ତ କାଗଜପତ୍ର ରହି ଯାଇଥାଏ, ସେଗୁଡ଼ିକୁ ଯାଞ୍ଚ କରିପାରନ୍ତି। କଠିନ ଶବ୍ଦରେ ନିଜକୁ ପ୍ରକାଶ କରି ଆମେ ନିଜକୁ ଅନ୍ୟଠାରୁ ଅସାଧାରଣ ଭାବରେ ପ୍ରତିପାଦନ କରିବାକୁ ଚେଷ୍ଟା କରୁଥିଲେ ନା ଆଉ କିଛି? ଦୀର୍ଘବାକ୍ୟ ଲେଖିବା, ଅଭିଧାନର କ୍ଳିଷ୍ଟ ଶବ୍ଦକୁ ବ୍ୟବହାର କରିବା ଆମର ଏକ ବିଳାସ ପାଲଟି ଯାଇଥିଲା କହିଲେ ଚଳେ। ନବ୍ୟ ଶିକ୍ଷିତମାନେ ମଝିରେ ମଝିରେ ଗୋଟିଏ ଅଧେ ଇଂରାଜୀ ଶବ୍ଦ ବ୍ୟବହାର କଲା ପରି ଏକ ବିଳାସ ଇଏ।
ଅଭିଧାନ ଦେଖି କ୍ଳିଷ୍ଟ ଶବ୍ଦର ଅର୍ଥ ବୁଝିବା ଏବଂ ତା’କୁ ବ୍ୟବହାର କରିବାରେ ଥିଲା ପ୍ରଚଣ୍ଡ ଆଗ୍ରହ। ନୂଆ ନୂଆ ପ୍ରେମ କରୁଥିବା ପୁଅଝିଅ ଯେମିତି ଆଗ୍ରହ ଆତିଶଯ୍ୟରୁ ପ୍ରେମପତ୍ରକୁ ଶବ୍ଦ ବିନ୍ୟାସର ଏକ ଉପନିବେଶ ବୋଲି ଭାବନ୍ତି, ଠିକ୍ ସେଇମିତି ନୂଆ କରି ଶିଖିଥିବା ଗୋଟିଏ ଶବ୍ଦ ବାକ୍ୟରେ ଯୋଡ଼ିଦେଲେ ଆତ୍ମତୃପ୍ତି ମିଳି ଯାଉଥିଲା। ଥରେ ଇଂରାଜୀରେ ମୋର ଗୋଟିଏ ଶବ୍ଦ ବ୍ୟବହାର ଉପରେ ବିରକ୍ତି ପ୍ରକାଶ କରି ତଦାନୀନ୍ତନ ଶିକ୍ଷକ କହିଥିଲେ, ଇଂରାଜୀ ଏକ ବିଦେଶୀ ଭାଷା। ଅଭିଧାନ ଘୋଷି ଶବ୍ଦ ବ୍ୟବହାର କଲେ ତାହା ଭୁଲ୍ ହେବାର ସମ୍ଭାବନା ଅଧିକ, ବରଂ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକା ଅଧ୍ୟୟନ କରି ସେଠାରେ ଶବ୍ଦକୁ ଯେପରି ବ୍ୟବହାର କରାଯାଇଛି, ତାହା ଅନୁଧ୍ୟାନ କଲେ ପ୍ରୟୋଗ ନିର୍ଭୁଲ୍ ହୋଇପାରିବ। ଏବେ ବି ତାଙ୍କ କଥା(ଯାହା କେବେ ଶୁଣିନାହଁ ତାହା କହିବାକୁ ଏବଂ ଯାହା କେବେ ଲେଖା ହେବା ଦେଖିନାହଁ ତାହା ଲେଖ ନାହିଁ) ଭୁଲିନି।
ସେହିଦିନଠୁଁ ଇଂରାଜୀରେ ଶବ୍ଦମାନଙ୍କ ସହିତ ଦୁଃସାହସ କରିବା ଅଭ୍ୟାସରୁ ନିଜକୁ ବିରତ ରଖିଲି; ମାତ୍ର ମୋର ମନେ ପଡ଼ୁଛି ଗୋଟିଏ ଛୋଟିଆ କଥା ଯେ ସେଇ ପିଲାଦିନରେ ଆମଠୁଁ ଚାରିପାଞ୍ଚ ବର୍ଷ ଉପରେ ହାଇସ୍କୁଲ ଶ୍ରେଣୀରେ ଅଧ୍ୟୟନରତ ପିଲାମାନେ ଓଡ଼ିଆ ଶବ୍ଦ ଭିତରେ ଗୋଟିଏ ଗୋଟିଏ ଇଂରାଜୀ ଶବ୍ଦ ଗୁଞ୍ଜିଦେଇ କଥା ହେଉଥିଲେ। ଆଉ ତାରି ଭିତରେ ପ୍ରତିପାଦନ କରିବାକୁ ଚାହୁଁଥିଲେ ସେମାନଙ୍କର ସ୍ୱାତନ୍ତ୍ର୍ୟ, ନବ୍ୟଲବ୍ଧ ନୂତନ ଜ୍ଞାନ ଓ ପାଣ୍ଡିତ୍ୟ। ଅନେକ ବର୍ଷ ପରେ ମନୋଜ ଦାସଙ୍କ ଗପଟିଏ ପଢ଼଼ିଲି। ତାର ଏକ ବିଶେଷ ଧାଡ଼ି ଚେଷ୍ଟା କରି ବି ଭୁଲି ହୁଏ ନାହିଁ – ପିଲାଦିନେ ଆମକୁ ଲଣ୍ଡନ ପରି ପ୍ରଚଣ୍ଡ ଶବ୍ଦମାନେ ଶୁଣାଉଥିଲେ। ମୋର ସେତେବେଳେ ମନେ ହେଲା ବୋଧହୁଏ ଆମର ସେଇ ଇଂରାଜୀ ଶବ୍ଦଗୁଡ଼ିକ ଆମର ସ୍ୱଳ୍ପ ଜ୍ଞାନ ପାଇଁ ଥିଲା ତତ୍ତୁଲ୍ୟ ପ୍ରଚଣ୍ଡ ଓ ଉଦଣ୍ଡ!
ଆମ ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶଶୀ ଥରୁର କ୍ଳିଷ୍ଟ ଶବ୍ଦ ପ୍ରୟୋଗ କରିବାରେ ଧୂରନ୍ଧର। ତାଙ୍କର ଶବ୍ଦ ସାଧାରଣ ଜନତାଙ୍କ ପାଇଁ ବିଶେଷ ବୋଧଗମ୍ୟ ହୁଏ ନାହିଁ। ସେଥିପାଇଁ ଅନେକ ସମୟରେ ଅଭିଧାନ ହିଁ ଅବଲମ୍ବନ ଆମର। ରୀତିଯୁଗର କବିମାନେ ମଧ୍ୟ କ୍ଳିଷ୍ଟ ଶବ୍ଦ ପ୍ରୟୋଗ କରିବାରେ କାର୍ପଣ୍ୟ କରୁ ନ ଥିଲେ। ଏପରିକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କେତେକ କାବ୍ୟର ଶବ୍ଦବିନ୍ୟାସ ସାଧାରଣ ପାଠକଙ୍କ ପାଇଁ ବେଶ୍ ଅବୋଧଗମ୍ୟ। ଓଡ଼ିଶା ଭାଷା ସାହିତ୍ୟର ଜଣେ ବରିଷ୍ଠ ତଥା ପ୍ରଥÒତଯଶା ସମାଲୋଚକ ଭଞ୍ଜଙ୍କ ପାଇଁ କହିଥିଲେ -‘ହେ ଉପେନ୍ଦ୍ର ତୁମେ ମୋର ବିରାଟ ଆତଙ୍କ, ତୁମ୍ଭଙ୍କୁ ପଢ଼଼ିଲେ ଲାଗଇ କଷୁଅଛି ଅଙ୍କ…।’
ଯେତେବେଳେ କୌଣସି କଥାକୁ ସିଧାସଳଖ ପ୍ରକାଶ କରା ଯାଇପାରିବ ସେତେବେଳେ ବହୁ ବଙ୍କାଟଙ୍କା ଭାବରେ ପ୍ରକାଶ କରାଯାଇଥିଲା ଏବଂ ତାହା ସାହିତ୍ୟର ଏକ ରସ ଭାବରେ ଗ୍ରହଣ କରାଯାଇଥିଲା; ମାତ୍ର କବି ସମ୍ରାଟ ଆମର ବହୁ ସମ୍ମାନର ଅଧିକାରୀ ଏବଂ କ୍ଳିଷ୍ଟ ଶବ୍ଦର ବ୍ୟବହାର ସତ୍ତ୍ବେ ତାଙ୍କ ସାହିତ୍ୟ ବହୁଧା ଆଦୃତ ଓ ଆଲୋଚିତ।
ଗୋଟିଏ ଶବ୍ଦ କ୍ଳିଷ୍ଟ ହେଲେ ଆପଣ ହୁଏତ ଅଭିଧାନ ଦେଖି ତା’ର ଅର୍ଥ ଜାଣିପାରିବେ; ମାତ୍ର ସହଜ ଶବ୍ଦ ଥିଲେ ଯେ ସେଥିରୁ ଭାବନାଟି ସହଜରେ ଯେ ଆୟତ୍ତ କରାଯାଇପାରିବ, ଏହା ସବୁବେଳେ ସମ୍ଭବ ନୁହେଁ। ଆଜିକାଲି ଲେଖାଯାଉଥିବା ଅନେକ ଦୁର୍ବୋଧ୍ୟ କବିତାରେ ସେମିତି କ୍ଳିଷ୍ଟ ଶବ୍ଦର ବ୍ୟବହାର ନ ହୋଇଥିଲେ ବି ତା’ର ଭାବଧାରା ବ୍ୟାପକ ଭାବରେ ଅବୋଧଗମ୍ୟ।
ତଥାପି ଅନେକ ସମୟରେ ବହୁଲୋକ ସେମାନଙ୍କର ଅସାମର୍ଥ୍ୟକୁ କ୍ଳିଷ୍ଟତାର ବାହ୍ୟାଡ଼ମ୍ବର ଭିତରେ ଢାଙ୍କି ରଖିବାକୁ ଚେଷ୍ଟା କରନ୍ତି। ହେଲେ ସତରେ କ’ଣ ତାହା ଲୁଚି ରହେ? ସତ୍ୟ ଅବଶ୍ୟ ନିଜେ ଫୁଟି ଉଠିବା ପାଇଁ କୌଣସି ଅବଲମ୍ବନକୁ ଅପେକ୍ଷା କରେ ନାହିଁ।
ମନେ ପଡ଼ିଯାଉଛି ମୋର ଏକ ପିଲାଦିନର କଥା। ଏହା ଘଟଣା, ଯାହା ମୁଁ ମୋର ବାଲ୍ୟ ବନ୍ଧୁଠାରୁ ଶୁଣି କେତେ ଯେ ହସିଛି –
ମୋର ସେଇ ବାଲ୍ୟ ବନ୍ଧୁ ଥିଲା ବହୁକୁଟୁମ୍ବୀ ପରିବାରର ଜଣେ ସଦସ୍ୟ। ସେତେବେଳେ ସେ ଚତୁର୍ଥ ଶ୍ରେଣୀର ଛାତ୍ର। ପରିବାରର ସଦସ୍ୟ ସଂଖ୍ୟା ପ୍ରାୟ ଚାଳିଶରୁ କିଛି ଅଧିକ। ତହିଁରୁ ଦୁଇ-ତୃତୀୟାଂଶ ଶିଶୁ। ଏତେ ପିଲାଙ୍କର ପାଠ ବୁଝିବା ପାଇଁ ଜଣେ ଗୃହଶିକ୍ଷକ ନିୟୋଜିତ ହୋଇଥା’ନ୍ତି। ଦିନେ ସେ ଗୃହଶିକ୍ଷକଙ୍କ ଅନୁସ୍ଥିତିରେ ପରିବାରର ବର୍ଷୀୟାନ ସଦସ୍ୟ କହିଲେ, ‘ଆରେ ପିଲାଏ ଆଜି କ’ଣ ତମର ମାଷ୍ଟ୍ରେ ଆସି ନାହାନ୍ତି କି? ହଉ ତମେମାନେ ନିଜ ନିଜର ପୁରୁଣା ପାଠ ଆଉ ଥରେ ଲେଖାଏଁ ପଢ଼଼। ଦୁଷ୍ଟାମି ଛାଡ଼ି ପିଲାମାନେ ନିଜ ନିଜ ପାଠପଢ଼଼ାରେ ମାତିଲେ। ଏତିକିବେଳେ ଦଶମ ଶ୍ରେଣୀରେ ପଢ଼଼ୁଥିବା ଭାବଗ୍ରାହୀ ସେଇବାଟ ଦେଇ ଯାଉଥିଲେ। ମୋର ବାଲ୍ୟବନ୍ଧୁଙ୍କର ଜେଜେ ତାଙ୍କୁ ଡାକି କହିଲେ, ‘ଆରେ ନଣ୍ଡା (ତାଙ୍କର ଡାକନାମ), ମୁଁ ଗତକାଲି ଧାନ ବିକିବାକୁ ଯାଇଥିଲି। ଧାନ କୁଇଣ୍ଟାଲ ପଇଁଚାଳିଶ ଟଙ୍କା। ମୋର ଧାନ ଥିଲା ଛ କୁଇଣ୍ଟାଲ ପଇଁତିରିଶ କେଜି। ମୋର କେତେ ଟଙ୍କା ମିଳିବା କଥା ଟିକିଏ ହିସାବ କରି କହିଲୁ।’ ଟ୍ୟୁସନ ଶିକ୍ଷକ ନଥିବାରୁ ନଣ୍ଡା ଚକ୍ଖଡ଼ିଟିଏ ଆଣି ସେମାନଙ୍କ ପାଇଁ ଉଦ୍ଦିଷ୍ଟ କଳାପଟାରେ ହିସାବ କରିବାକୁ ଲାଗିଲା। କିଛି ସମୟ ଭିତରେ କଳାପଟାରେ ଆଉ କିଛି ଲେଖିବାକୁ ଜାଗା ରହିଲା ନାହିଁ। ତହୁଁ ସେ କାନ୍ଥରେ ଲେଖିବାକୁ ଆରମ୍ଭ କଲା। ମାଟି କାନ୍ଥ ପ୍ରାୟ ବିରାଟ ଅଞ୍ଚଳରେ ଫୁଲଖଡ଼ିର ଲେଖା। ଫୁଲଖଡ଼ି ସରିଗଲା; ମାତ୍ର ଅଙ୍କ ହିସାବ ସରିଲାନି। ନିଜକୁ ଟିକିଏ ସହଜ କରି ନଣ୍ଡା କହିଲା, ‘ଜେଜେ ମୁଁ କ’ଣ ଟିକିଏ ଭୁଲ୍ କରିଦେଉଛି ଯେ ଶେଷ ଉତ୍ତରଟା ବାହାରି ପାରୁ ନାହିଁ; ମାତ୍ର ମୁଁ ଦୃଢ଼ ଭାବରେ କହିପାରେ ଏକ୍ସ ପକେଇକି କରିଦେଲେ ଏଇଟା ସହଜରେ ହୋଇଯିବ।’ ଜେଜେ ବିରକ୍ତ ହୋଇ ଯେଉଁ ଟୀପ୍ପଣି ଦେଇଥିଲେ, ତାହା ସେ ଯୁଗର କିଛି ଗାଉଁଲି ଗାଳି। ଆଧୁନିକ ଯୁଗରେ ଅପ୍ରଯୁଜ୍ୟ; ମାତ୍ର ତାହା ସର୍ବସାଧାରଣରେ ନବ୍ୟଶିକ୍ଷିତଙ୍କୁ ଉପହାସ କରିବା ପାଇଁ ଥିଲା ଯଥେଷ୍ଟ। ନବ୍ୟ ଶିକ୍ଷିତଙ୍କ ପାଇଁ ‘ଏକ୍ସ’ ସେଇଭଳି ଏକ ରହସ୍ୟମୟ ଶବ୍ଦ।
ବେଳେ ବେଳେ ପ୍ରସଙ୍ଗର ଗୁରୁତ୍ୱ ଅନୁସାରେ ଭାଷାରେ ସାମ୍ଭ୍ରାନ୍ତ୍ୟ ଲୋଡ଼ା ପଡ଼େ; ମାତ୍ର ତାହା ଏକ ସୁଯୋଗ୍ୟ ପାଠକ ଗୋଷ୍ଠୀର ଅପେକ୍ଷା ରଖେ। ସେତେବେଳେ ତାହା ଏକ ସମୁନ୍ନତ ସାହିତ୍ୟ ଆସରର ଆଲୋଚନା ପାଲଟେ; ମାତ୍ର କେବଳ କ୍ଳିଷ୍ଟ ଶବ୍ଦ ପ୍ରୟୋଗ କରି ଯେଉଁମାନେ ସେମାନଙ୍କର ଭାବନାର ସ୍ପଷ୍ଟତାକୁ ଲୁଚେଇବାକୁ ଚାହାନ୍ତି, ସେମାନେ ଆପେ ଆପେ ଧରା ପଡ଼ିଯାଆନ୍ତି।
ଯେକୌଣସି କଥୋପକଥନ ହେଉ ବା ଲେଖାପଢ଼଼ା, ସବୁବେଳେ ଲକ୍ଷ୍ୟ ରଖିବା କଥା ଯେ ଆମର ବିଷୟବସ୍ତୁଟି ଉଦ୍ଦିଷ୍ଟ ପାଠକବର୍ଗ କିମ୍ବା ଶ୍ରୋତା ନିକଟରେ ଠିକ୍ ଭାବରେ ପହଞ୍ଚି ପାରୁଛି କି ନାହିଁ। ଯଦି ସେ ଠିକଣା ଭାବରେ ତାହାକୁ ଗ୍ରହଣ କରି ନ ପାରନ୍ତି, ତା’ହେଲେ ସବୁ ପରିଶ୍ରମ ନିଷ୍ଫଳ ହେଲା ବୋଲି ଧରାଯିବ। ଏଣୁ ବିଜ୍ଞଜନେ! ବିଷୟ ପରିବେଷଣ କଲାବେଳେ ତାକୁ ମାତ୍ରାତିରିକ୍ତ ଅଳଙ୍କାର ବିଭୂଷିତ କରି ତା’ର ସ୍ୱାଭାବିକ ସୌଷ୍ଠବରୁ ବଞ୍ଚିତ କରିବା ଗ୍ରହଣୀୟ କି? ମନେ ପଡ଼ିଯାଉଛି ହାଇସ୍କୁଲ ବେଳର ଜଣେ ଶିକ୍ଷକଙ୍କ ଟୀପ୍ପଣି ବମ୍ବାଷ୍ଟିକ୍ ଶବ୍ଦ ଠିକ୍ ଭାବରେ ବ୍ୟବହୃତ ନହେଲେ ପାଲଟିଯିବେ ବାମ୍ବୋଷ୍ଟିକ ଅର୍ଥାତ୍ ବାଉଁଶବାଡ଼ି ପରି ଦଣ୍ଡା।
ଯଦି କେବେ ପଞ୍ଚତାରକା ହୋଟେଲରେ ଆପଣ ଖାଇବାକୁ ଯାଇଥିବେ, ସେଥିରେ କେବଳ ବ୍ୟଞ୍ଜନଗୁଡ଼ିକର ମୂଲ୍ୟ ଦେଖି ତାଜୁବ ହେବେନି, ବରଂ ତାଜୁବ ହେବେ ସେଗୁଡ଼ିକୁ ଯେମିତି ଶବ୍ଦ ମାଧ୍ୟମରେ ବ୍ୟାଖ୍ୟା କରାଯାଇଥିବ। ଅଥଚ ଖାଦ୍ୟ ଆସିଲା ପରେ ଆପଣ ଅନୁଭବ କରିପାରିବେ ସୁନ୍ଦର ଭାଷାରେ କେମିତି ଲୁଚେଇ ଦିଆ ହୋଇପାରିବ ବାସ୍ତବତାକୁ। ଆଜିକାଲି ବହୁ ବିଜ୍ଞାପନର ସମ୍ମୋହନୀ ବ୍ୟାଖ୍ୟାନରେ ଆମେ ଏତେ ଖୁସି ହୋଇଯାଆନ୍ତି ଯେ କାଳବିଳମ୍ବ ନ କରି ଉକ୍ତ ବସ୍ତୁଟି କ୍ରୟ କରି ପକାନ୍ତି; ମାତ୍ର ଠିକଣା ବେଳେ ଜାଣନ୍ତି ବିଜ୍ଞାପନ ଓ ବାସ୍ତବତା ଭିତରେ ଥିବା ଅପହଞ୍ଚ ଦୂରତା।
ନିରଞ୍ଜନ ସାହୁ
ଭୁବନେଶ୍ୱର, ମୋ: ୯୪୩୮୪୮୨୯୧୧





