ମନୋରଞ୍ଜନ
ଓଡ଼ିଶା
ନବଗୁଞ୍ଜର ଓ ସାଂସ୍କୃତିକ ନବଚେତନା
‘ନବଗୁଞ୍ଜର’ ଆଦିକବି ସାରଳା ଦାସଙ୍କର ଏକ ଅଭିନବ ସୃଜନ। ଏହି ପ୍ରସଙ୍ଗ ମୂଳ ସଂସ୍କୃତ ମହାଭାରତରେ ନାହିଁ। ମୂଳ କଥାବସ୍ତୁକୁ ଆଧାର କରି ସାରଳା ଦାସ ତତ୍କାଳୀନ ଓଡ଼ିଆ ସମାଜରେ ପ୍ରଚଳିତ ପ୍ରବାଦ,ଉପାଖ୍ୟାନ, କାହାଣୀ ଓ କଥନିକା ସମୂହକୁ ସ୍ୱକୀୟ ଅପୂର୍ବ କଳାପାଟଵତାରେ ଓଡ଼ିଆ ମହାଭାରତରେ ସଂଯୋଜନା କରିଛନ୍ତି। ପଞ୍ଜଦଶ ଶତାବ୍ଦୀର ଓଡ଼ିଆ ଧାର୍ମିକ ଚେତନାକୁ ଦୃଷ୍ଟିରେ ରଖି ସେ ସୃଷ୍ଟି କରିଛନ୍ତି ଏହି ଉପାଖ୍ୟାନ। ‘ନବଗୁଞ୍ଜର’ ଅବଧାରଣା ସେ ପାଇଛନ୍ତି ଶ୍ରୀମନ୍ଦିରରୁ। ଶ୍ରୀମନ୍ଦିର ଉପରେ ଥିବା […]
‘ନବଗୁଞ୍ଜର’ ଆଦିକବି ସାରଳା ଦାସଙ୍କର ଏକ ଅଭିନବ ସୃଜନ। ଏହି ପ୍ରସଙ୍ଗ ମୂଳ ସଂସ୍କୃତ ମହାଭାରତରେ ନାହିଁ। ମୂଳ କଥାବସ୍ତୁକୁ ଆଧାର କରି ସାରଳା ଦାସ ତତ୍କାଳୀନ ଓଡ଼ିଆ ସମାଜରେ ପ୍ରଚଳିତ ପ୍ରବାଦ,ଉପାଖ୍ୟାନ, କାହାଣୀ ଓ କଥନିକା ସମୂହକୁ ସ୍ୱକୀୟ ଅପୂର୍ବ କଳାପାଟଵତାରେ ଓଡ଼ିଆ ମହାଭାରତରେ ସଂଯୋଜନା କରିଛନ୍ତି। ପଞ୍ଜଦଶ ଶତାବ୍ଦୀର ଓଡ଼ିଆ ଧାର୍ମିକ ଚେତନାକୁ ଦୃଷ୍ଟିରେ ରଖି ସେ ସୃଷ୍ଟି କରିଛନ୍ତି ଏହି ଉପାଖ୍ୟାନ। ‘ନବଗୁଞ୍ଜର’ ଅବଧାରଣା ସେ ପାଇଛନ୍ତି ଶ୍ରୀମନ୍ଦିରରୁ। ଶ୍ରୀମନ୍ଦିର ଉପରେ ଥିବା ନୀଳଚକ୍ରରେ ନବଗୁଞ୍ଜର ଆକୃତିର ସମାବେଶ ଘଟିଛି। ପୁଣି ସେ ବୋଧହୁଏ ଲକ୍ଷ୍ୟ କରିଥିବେ ଶ୍ରୀମନ୍ଦିର ବନ୍ଦ ଥିବା ସମୟରେ ଭକ୍ତଙ୍କ ନୈବେଦ୍ୟ ନୀଳଚକ୍ରଙ୍କୁ ଭୋଗ କରାଯାଏ। ଏହା ‘ଚକ୍ର ମଣୋହି’ ନାମରେ ସୁବିଦିତ। ଏଥିରୁ ସେ ହୃଦୟଙ୍ଗମ କରିଥିବେ ଯେ ଶ୍ରୀନୀଳଚକ୍ର ହିଁ ଶ୍ରୀଜଗନ୍ନାଥଙ୍କ ପ୍ରତୀକ। ଏହି ଚେତନା ସହ ସେ ଦର୍ଶନ କରିଛନ୍ତି ଶ୍ରୀମନ୍ଦିର ଉତ୍ତରପାର୍ଶ୍ବ କାନ୍ଥରେ ନବଗୁଞ୍ଜରର ଚିତ୍ର। ମାଟିର ମହାକବି ଦିବ୍ୟ ଚେତନାରେ ନବରସର ଅବଗାହନ କରି ରଚିଛନ୍ତି ନବଗୁଞ୍ଜରର ଅଭିନବ ପରିକଳ୍ପନା।
ସାରଳା ଦାସଙ୍କ ଦୃଷ୍ଟିରେ ଶ୍ରୀକୃଷ୍ଣ ହିଁ ଶ୍ରୀଜଗନ୍ନାଥ। ଏହି ଦିବ୍ୟଦୃଷ୍ଟିରେ ସାରଳା ଦାସଙ୍କ ଐକାନ୍ତିକ ଭକ୍ତି ଚରମ ଉତ୍କର୍ଷ ଲାଭ କରିଥିଲା। ତେଣୁ ସେ ନବଗୁଞ୍ଜର ଉପାଖ୍ୟାନକୁ ମହାଭାରତର ଶ୍ରୀକୃଷ୍ଣ ଚରିତ୍ର ସହିତ ସଂଯୋଗ କରିଛନ୍ତି। ଶ୍ରୀକୃଷ୍ଣଙ୍କ ପ୍ରିୟସଖା ଅମିତ ବଳଶାଳୀ ଗାଣ୍ଡିବ ଧନୁଧାରୀ ଅର୍ଜୁନ, ଖାଣ୍ଡବବନରେ ତପସ୍ୟାରତ ଥିବା ସମୟରେ ଶ୍ରୀକୃଷ୍ଣ ନବଗୁଞ୍ଜର ରୂପରେ ତାଙ୍କ ସମ୍ମୁଖରେ ଉପଗତ ହୋଇଛନ୍ତି। ପରଂବ୍ରହ୍ମ ଶ୍ରୀକୃଷ୍ଣ ଏକ ଅଲୌକିକ, ଅଚିନ୍ତ୍ୟ, ଅଦ୍ଭୁତ ଓ ବିଚିତ୍ର ରୂପରେ ଉଭା ହୋଇଥିଲେ ପ୍ରିୟସଖା ଅର୍ଜୁନଙ୍କ ସମ୍ମୁଖରେ। ମହାକବି ସାରଳା ଦାସ ସେହି ଅକଳ୍ପନୀୟ ରୂପ ‘ନବଗୁଞ୍ଜର’ ଚେତନା ଲାଭ କରିଥିଲେ ଶ୍ରୀମନ୍ଦିରରୁ। ଶ୍ରୀମନ୍ଦିରର ନୀଳଚକ୍ର ଓ ଉତ୍ତରପାର୍ଶ୍ବରେ ଦର୍ଶନ କରିଥିବା ‘ନବଗୁଞ୍ଜର’ ଚିତ୍ର ତାଙ୍କ ମାନସରେ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଅଭେଦ୍ୟ ରୂପ ସ୍ୱରୂପରେ ପ୍ରତିଭାତ ହୋଇଥିଲା। ତେଣୁ ସ୍ୱରଚିତ ଓଡ଼ିଆ ମହାଭାରତରେ ସେ ନବଗୁଞ୍ଜର ରୂପ ଓ ଆଖ୍ୟାନ ପରିବେଷଣ କରିଥିଲେ। ଶ୍ରୀକୃଷ୍ଣଙ୍କର ସେହି ରୂପରେ ରହିଥିଲା ନଅଗୋଟି ଜୀବଙ୍କ ଅଙ୍ଗର ସମାହାର। ସେହି ଅଲୌକିକ ରୂପ ବର୍ଣ୍ଣନା ପୂର୍ବକ ସେ ତାହାର ନାମ ଦେଇଥିଲେ ‘ନବଗୁଞ୍ଜର’। ‘ନବଗୁଞ୍ଜର’ ରୂପରେ ଥିଲା କୁକ୍କୁଟର ମସ୍ତକ, ବୃଷଭଚୂଳ, ମୟୂରର କଣ୍ଠ, ସିଂହର କଟି, ବ୍ୟାଘ୍ରର ପାଦ, ଅଶ୍ୱର ପାଦ, ହସ୍ତୀର ପାଦ, ଚତୁର୍ଥ ପାଦ ପରିବର୍ତ୍ତେ ମନୁଷ୍ୟର ହସ୍ତ ଏବଂ ସର୍ପର ପୁଚ୍ଛ। କୌତୁହଳୀ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟ ଥିଲା ଅର୍ଜୁନ ଯେପରି ଏହି ବିଚିତ୍ର ରୂପ ଦର୍ଶନରେ ଭ୍ରମିତ ହୋଇଯିବେ। କିନ୍ତୁ ନବଗୁଞ୍ଜର ରୂପରେ ଶ୍ରୀକୃଷ୍ଣ ମନୁଷ୍ୟର ହସ୍ତରେ ଧାରଣ କରିଥିବା ପଦ୍ମଫୁଲ ହିଁ ତାଙ୍କୁ ଚିହ୍ନାଇ ଦେଇଥିଲା। ନଅଗୋଟି ଜୀବଙ୍କ ସମାରୋହରେ ଶ୍ରୀକୃଷ୍ଣ ଏହି ରୂପକୁ ଧାରଣ କରିଥିବାରୁ ସାରଳ ଦାସ ସେହି ରୂପକୁ ‘ନବଗୁ୍ଞ୍ଜର’ ନାମରେ ନାମିତ କରିଥିଲେ। ନବଗୁଞ୍ଜର ଶବ୍ଦଟି ସାରଳାଙ୍କ ନିଜସ୍ୱ ସୃଷ୍ଟି। ‘ନବ’ ଶବ୍ଦର ଅର୍ଥ ନୂଆ ବା ସଦ୍ୟୋଜାତ ଓ ‘ଗୁଞ୍ଜର’ ଶବ୍ଦର ଅର୍ଥ ଜୀବବିଶେଷ ବା ଗୁଣୁଗୁଣୁ ଶବ୍ଦ କରିବା। ନବଗୁଞ୍ଜର ଏକ ବିଚିତ୍ର ବେଶ ଏବଂ ତାହାର ଅର୍ଥ ମଧ୍ୟ ବିଚିତ୍ର। ସାରଳା ଦାସ ନବ ଶବ୍ଦଟିକୁ ବାରମ୍ବାର ‘ନୂତନ’ ଓ ‘ନବୀନ’ ଅର୍ଥରେ ବ୍ୟବହାର କରିଛନ୍ତି। ଏହି ପୁରୋଦୃଷ୍ଟିରେ ‘ନବଗୁଞ୍ଜର’ର ଅର୍ଥ ‘ନୂତନ ପ୍ରାଣୀ’। ବିଶ୍ୱର ସକଳ ପ୍ରାଣୀ ପରଂବ୍ରହ୍ମଙ୍କ ଦ୍ୱାରା ସୃଷ୍ଟ ଏବଂ ତାଙ୍କରି ସ୍ୱରୂପ। ସେ ‘ନବଗୁଞ୍ଜର’ ରୂପ ଧାରଣ କରି ଲୌକିକ ଲୀଳା ହିଁ ସଂରଚନା କରିଛନ୍ତି। ଏହା ହିଁ ସାରଳା ଦାସଙ୍କ ଦିବ୍ୟ ଦୃଷ୍ଟି।
‘ନବଗୁ୍ଞ୍ଜର’ର ବିଶେଷତ୍ୱ ବିଶ୍ଳେଷଣ କଲେ ହୃଦବୋଧ ହୁଏ କୁକ୍କୁଟ ଶକ୍ତି ଓ ପୌରୁଷର ପ୍ରତୀକ। ମୟୂରର କଣ୍ଠ ସୌନ୍ଦର୍ଯ୍ୟ ଓ ଶୌର୍ଯ୍ୟର ପ୍ରତୀକ, ବୃଷଭର ଚୂଳ ପୌରୁଷ ଓ ସୃଜନ ଶକ୍ତିର ପ୍ରକାଶକ, ସିଂହକଟି ଶକ୍ତି ଓ ବୀରତ୍ୱର ପରିଚାୟକ, ବ୍ୟାଘ୍ରପଦ ଶକ୍ତି ଓ ସୌନ୍ଦର୍ଯ୍ୟର ବାହକ, ହସ୍ତୀର ପଦ ଅମିତ ବିକ୍ରମର ସ୍ୱରୂପ, ଅଶ୍ୱ ତେଜ ଓ ଶକ୍ତିର ପ୍ରତୀକ, ସର୍ପ ଭୟ ଓ ସୃଜନ ଶକ୍ତିର ସ୍ୱରୂପ ତଥା ମନୁଷ୍ୟର ହସ୍ତ ମାନବିକ ଗୁଣାବଳୀ ସହ ଶକ୍ତି ସାମର୍ଥ୍ୟକୁ ବହନ କରେ। ମନୁଷ୍ୟ ହସ୍ତରେ ଥିବା ପଦ୍ମ ସୌନ୍ଦର୍ଯ୍ୟ, ପବିତ୍ରତା, କମନୀୟତା, କୋମଳତା, ସତେଜତା ଏବଂ ଦାର୍ଶନିକ ଦୃଷ୍ଟିକୋଣରୁ ଆତ୍ମଜ୍ଞାନର ପ୍ରତୀକ ଭାବରେ ଗ୍ରହଣୀୟ ହୋଇଆସିଛି। ପରଂବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତି, ପୌରୁଷ, ଶୌର୍ଯ୍ୟ, ସୌନ୍ଦର୍ଯ୍ୟ, ଶକ୍ତି, ବୀରତ୍ୱ, ତେଜ ଓ ସୃଜନଶକ୍ତିର ଅସାଧାରଣ ‘ନବଗୁ୍ଞ୍ଜର’ ରୂପରେ ନବଗୁଣାବଳୀ ବିମଣ୍ଡିତ ହୋଇ ଅର୍ଜୁନଙ୍କ ନିକଟରେ ଉଭା ହୋଇଥିଲେ ହେଁ ଅର୍ଜୁନ ପଦ୍ମଫୁଲରୁ ଜାଣିପାରିଥିଲେ ଯେ ଏହି ନବଗୁଞ୍ଜର, ମାୟାଧର ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି। ପ୍ରଥମରେ ଗାଣ୍ଡୀବ ଧନୁରେ ଶର ସଂଯୋଜନା କରି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ ହେଁ ପଦ୍ମଫୁଲ ଦର୍ଶନରେ ସେ ଐଶ୍ୱରୀୟ ସତ୍ତା ଅନୁଭବ କଲେ ତଥା ଶ୍ରୀକୃଷ୍ଣଙ୍କ ଅଶ୍ରୁତପୂର୍ବ ‘ନବଗୁଞ୍ଜର’ ରୂପକୁ ବନ୍ଦନା କଲେ।
ସମଗ୍ର ବିଶ୍ୱ ହିଁ ଐଶ୍ୱରୀୟ ସତ୍ତାର ଦୃଶ୍ୟମାନ ପରିପ୍ରକାଶ। ସକଳ ପ୍ରାଣୀ ଜୀବ, ନିର୍ଜୀବ ସବୁରି ଭିତରେ ଭଗବତ୍ ସତ୍ତା ବିଦ୍ୟମାନ। ଏକ ରୂପରୁ ଅନେକ ରୂପ ଓ ଅନେକ ରୂପକୁ ଏକ ରୂପ କେବଳ ପରଂବ୍ରହ୍ମ ହିଁ ହୋଇପାରନ୍ତି। ସେ ସୂର୍ଯ୍ୟଙ୍କ ଭିତରେ ଜ୍ୟୋତି, ଚନ୍ଦ୍ର ଭିତରେ ଜ୍ୟୋତ୍ସ୍ନା, ଜଳ ଭିତରେ ଶୀତଳତା, ଅଗ୍ନି ଭିତରେ ଦାହିକା, ଫୁଲ ଭିତରେ ସୁଗନ୍ଧ, ମହୁ ଭିତରେ ମଧୁରତା, ଶିଶୁ ଭିତରେ ହସ, ଜୀବ ଭିତରେ କ୍ଷଣ ସତ୍ତା ଓ ନିର୍ଜୀବ ଭିତରେ ନୀରବତା, ସେହି ପରଂବ୍ରହ୍ମ ଶ୍ରୀକୃଷ୍ଣ ହିଁ ପକ୍ଷୀ, ସରୀସୃପ, ଜୀବ ଓ ମନୁଷ୍ୟର ସମାହାରରେ ଅପରୂପ ଓ ଅନୁପମ ନବଗୁଞ୍ଜର ରୂପ ଧାରଣ କରିଥିଲେ, ଯାହା ନର, ବାନର, ଯକ୍ଷ, ଗନ୍ଧର୍ବ ବା ରାକ୍ଷସଙ୍କ ଦ୍ୱାରା ସମ୍ଭବ ନୁହେଁ। ତାଙ୍କ ‘ନବଗୁଞ୍ଜର’ ରୂପ ଏକ ଅଲୌକିକ ଶକ୍ତିଯୁକ୍ତ ଦିବ୍ୟ ପ୍ରକ୍ରିୟା। ଶ୍ରୀକୃଷ୍ଣ ହିଁ ସାଧାରଣ ରୂପରୁ ଅସାଧାରଣ ରୂପ ଅର୍ଥାତ ନଅଟି ପ୍ରାଣୀର ସମାହାରରେ ପରିଣତ ହୋଇପାରନ୍ତି ଏବଂ ଏହି ବିଚିତ୍ର ଅସାଧାରଣ ରୂପରୁ ନିଜ ରୂପକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଅର୍ଜୁନ ଶ୍ରୀକୃଷ୍ଣଙ୍କର ଦିବ୍ୟବିଭୂତି ଉପଲବ୍ଧି କରି ତାଙ୍କର ସ୍ତୁତି ଆରମ୍ଭ କରିଥିଲେ।
ମାଟିର ମହାକବି ସାରଳା ଦାସ ଏହି ପରମ ସତ୍ୟକୁ ଅଗଣିତ ପାଠକଙ୍କ ନିକଟରେ ପ୍ରତିପାଦନ କରିବା ନିମିତ୍ତ ସ୍ୱରଚିତ ମହାଭାରତରେ ‘ନବଗୁ୍ଞ୍ଜର’ ଆଖ୍ୟାନ ପରିବେଷଣ କରିଛନ୍ତି। ସେ ମହାଭାରତ ରଚନା କରିବାର ପ୍ରାୟ ତିନିଶହ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ନିର୍ମିତ। ଶ୍ରୀମନ୍ଦିର ନିର୍ମାଣକାରୀ ଶିଳ୍ପୀଗଣ କେଉଁ ଶାସ୍ତ୍ରରୁ ‘ନବଗୁ୍ଞ୍ଜର’ ଚେତନା ପାଇଲେ ତଥା ମନ୍ଦିର ଉତ୍ତର ପାର୍ଶ୍ବରେ ଅଙ୍କନ କରିବା ସହିତ ନୀଳଚକ୍ରରେ ‘ନବଗୁ୍ଞ୍ଜର’ ସଦୃଶ ଆକୃତିମାନ ରଖିଲେ ତାହା ଅଦ୍ୟାବଧି ଜଣାଯାଇନାହିଁ। ସାରଳା ଦାସ ଏହା ଦର୍ଶନ କରି ଅଭିଭୂତ ହୋଇଛନ୍ତି ଏବଂ ଲୋକକଲ୍ୟାଣ ଉଦ୍ଦେଶ୍ୟରେ ତାହାକୁ ପ୍ରୟୋଗ ପୂର୍ବକ ଓଡ଼ିଆଙ୍କ ଭିତରେ ନବଗୁଞ୍ଜରର ନବଚେତନା ସୃଷ୍ଟି କରିଛନ୍ତି। ଅଗଣିତ ଓଡ଼ିଆ ଏହାକୁ ସାଦରେ ଗ୍ରହଣ କରିଛନ୍ତି। ସାରଳା ଦାସଙ୍କ ‘ନବଗୁ୍ଞ୍ଜର’ ଓଡ଼ିଆ ସଂସ୍କୃତିରେ ସ୍ୱତନ୍ତ୍ର ଆସନ ଅଳଙ୍କୃତ କରିଛି। ‘ନବଗୁଞ୍ଜର’ଙ୍କୁ ଏକ ମଙ୍ଗଳସୂଚକ ଚିତ୍ର ଭାବରେ ଓଡ଼ିଆ ଜାତି ଗ୍ରହଣ କରିଛି। ନିଜର ଗୃହାଙ୍ଗନ, କାନ୍ଥ, ମନ୍ଦିର, ଏପରିକି ତୁଳସୀ ଚଉରା ନିକଟରେ ମୁରୁଜରେ ‘ନବଗୁଞ୍ଜର’ ଚିତ୍ର ଆଙ୍କି ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆମାନେ ପୂଜା କରି ଆସୁଛନ୍ତି। ଓଡ଼ିଆ କବି କୋବିଦ ବୃନ୍ଦ ‘ନବଗୁଞ୍ଜର’ ସ୍ତବ, ସ୍ତୋତ୍ର, ମାଳିକା ଓ ଚଉତିଶା ପ୍ରଭୃତି ରଚନା କରିଛନ୍ତି, ଯାହା ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ।
ଓଡ଼ିଆ ଚେତନାରେ ‘ନଅ’ ଏକ ଶୁଭ ସୂଚକ ସଂଖ୍ୟା। ନବଦୁର୍ଗା ଉପାସନା ଓଡ଼ିଆ ଶାକ୍ତ ସଂସ୍କୃତିର ଏକ ବିଶେଷ ପୂଜା ପ୍ରକରଣ। ଦେହର ନଅ ଛିଦ୍ର ଅର୍ଥାତ ଦୁଇ ଆଖି, ଦୁଇକାନ, ଦୁଇ ନାକପୁଡ଼ା, ତୁଣ୍ଡ, ପାୟୁ ଓ ଉପସ୍ଥକୁ ନବଦ୍ୱାର କୁହାଯାଏ। ଓଡ଼ିଆ ସାଧକ ଅର୍ଥାତ ପଞ୍ଚସଖାଗଣ ନବଦ୍ୱାର ସଂପର୍କରେ ବହୁତ କିଛି ଲେଖି ଯାଇଛନ୍ତି। କଦଳୀ, ହଳଦୀ, ସାରୁ, ଡାଳିମ୍ବ, ଅଶୋକ, ବେଲ, ଧାନ, ଜୟନ୍ତୀ ଓ ମାଣସାରୁ ପତ୍ରରେ ଗଠିତ ଦୁର୍ଗାମୂର୍ତ୍ତି ଓଡ଼ିଶାରେ ନବପତ୍ରିକା ଉପାସନା ରୂପରେ ଖ୍ୟାତି ଲାଭ କରିଅଛି। ନବମଲ୍ଲିକା ବା ନବମାଳିକା ଅର୍ଥାତ ସାତପାଖୁଡ଼ା ବିଶିଷ୍ଟ ମାଳତୀ ଫୁଲ ଓଡ଼ିଆମାନେ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରି ଅପାର ଆନନ୍ଦ ଅନୁଭବ କରିଥା’ନ୍ତି। ନବରତ୍ନ ଅର୍ଥାତ୍ ମୁକ୍ତା, ମାଣିକ୍ୟ, ହୀରକ, ବୈଦୁର୍ଯ୍ୟ, ଗୋମେଦ, ବିଦ୍ରୁମ, ପୁଷ୍ପରାଗ, ମରକତ ଓ ନୀଳକାନ୍ତ ଓଡ଼ିଆଙ୍କର ପ୍ରିୟ। ନବରସ ବା ଅଳଙ୍କାର ଶାସ୍ତ୍ର ବର୍ଣ୍ଣିତ ଆଦି କରୁଣ, ରୌଦ୍ର, ହାସ୍ୟ, ବୀର, ଭୟାନକ, ବୀଭତ୍ସ, ଅଦ୍ଭୁତ ଓ ଶାନ୍ତ ପ୍ରଭୃତିକୁ ଆଧାର କରି ଓଡ଼ିଆ କାବ୍ୟ, କବିତା, ନାଟକ, ଏକାଙ୍କିକା ଚୂର୍ଣ୍ଣକ, ମାଳିକା ଓ ଚମ୍ପୁ ରସାଣିତ। ଓଡ଼ିଆମାନେ ନିଜର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନରେ ନବଲକ୍ଷଣ ଅର୍ଥାତ୍ କୌଳୀନ୍ୟର ନବପ୍ରକାର ଗୁଣ ଯଥା: ଆଚାର, ବିନୟ, ବିଦ୍ୟା, ପ୍ରତିଷ୍ଠା, ତୀର୍ଥ ଦର୍ଶନ, ନିଷ୍ଠା, ବୃତ୍ତି, ତପ ଓ ଦାନକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ନବଗୁଞ୍ଜର ପରିକଳ୍ପନା ନଅଗୋଟି ଜୀବଙ୍କୁ ନେଇ ଗଠିତ ତଥା ନଅଗୁଣ ବିଶିଷ୍ଟ। ସେଗୁଡ଼ିକ ହେଉଛି ଶକ୍ତି, ପୌରୁଷ, ଶୌର୍ଯ୍ୟ, ସୌନ୍ଦର୍ଯ୍ୟ, ବୀରତ୍ୱ, ବିକ୍ରମ, ତେଜ, ଭୟ ଓ ସୃଜନୀ ଶକ୍ତି। ଓଡ଼ିଆଙ୍କ ଭିତରେ ନବଗୁଣ ସୃଷ୍ଟି ନିମନ୍ତେ ହିଁ ‘ନବଗୁଞ୍ଜର’ଙ୍କୁ ଆଣି ଶୂଦ୍ରମୁନି ଓଡ଼ିଆ ଜାତୀୟ ଜୀବନର ବେଦ ମହାଭାରତରେ ସ୍ଥାନ ଦେଇଛନ୍ତି। ସାରଳା ଦାସ ମୂଳ ସଂସ୍କୃତ ମହାଭାରତ ଅପେକ୍ଷା ସଂଯୋଗ ଓ ପରିବର୍ତ୍ତନ ଦ୍ୱାରା ସ୍ୱକୀୟ ବଳିଷ୍ଠତା ପ୍ରତିପାଦନ କରିଛନ୍ତି। ଦେବୋପମ ଚରିତ୍ରଗୁଡ଼ିକୁ ସାଧାରଣ ମାନବସ୍ତରକୁ ନେଇଆସି ଓଡ଼ିଆ ମହାଭାରତକୁ ଏକ ଜୀବନବାଦୀ ମହାକାବ୍ୟରେ ପରିଣତ କରିପାରିଛନ୍ତି।
ଶ୍ରୀଜଗନ୍ନାଥଙ୍କ ଲୀଳାଭୂମି ଓଡ଼ିଶାରେ ସାରଳା ଦାସଙ୍କ ଆବିର୍ଭାବ ପୂର୍ବରୁ ଆଦିବାସୀ, ନାଗ, ଜୈନ, ବୌଦ୍ଧ, ନାଥ, ସୌର, ଶୈବ, ଶାକ୍ତ, ବୈଷ୍ଣବ ପ୍ରଭୃତି ନଅଗୋଟି ସାଂସ୍କୃତିକ ଧାରା ପ୍ରବାହିତ ହେଉଥିଲା। ସେହିସବୁ ଧାରାର ଉପାସ୍ୟକୁ ନେଇ ନବଗୁଞ୍ଜର ସାରଳା ଦାସଙ୍କର ଏକ ଅଭିନବ ପରିକଳ୍ପନା। ନବଗୁଞ୍ଜର ମାଧ୍ୟମରେ ସେ ଓଡ଼ିଶାରେ ଏକ ସାଂସ୍କୃତିକ ସମନ୍ୱୟ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଛନ୍ତି। ଶ୍ରୀମନ୍ଦିରର ନବଗୁଞ୍ଜରଙ୍କୁ ଆଧାର କରି ଉପାଖ୍ୟାନ ସୃଷ୍ଟିର ଅଭିପ୍ରାୟ ହେଉଛି ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦତ୍ତ୍ୱ ତଥା ନଅଗୋଟି ସାଂସ୍କୃତିକ ଧାରାର ଉପାସ୍ୟ ଭାବରେ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ଦେବତା ସ୍ୱରୂପରେ ପ୍ରତିପାଦନ। ଏଥିରେ ସେ ସଫଳ ହୋଇଛନ୍ତି। ତାଙ୍କ କଳ୍ପନା ବାସ୍ତବରେ ପରିଣତ ହେଇଛି ଓ ‘ନବଗୁ୍ଞ୍ଜର’ ଅଗଣିତ ଓଡ଼ିଆଙ୍କ ହୃଦୟରେ ଦେବତାର ଆସନ ଅଳଙ୍କୃତ କରି ନବଚେତନାର ସ୍ଫୁରଣ ଘଟାଇଛି। ପରିଣାମ ସ୍ୱରୂପ ଓଡ଼ିଶାର ଭାଷା, ସାହିତ୍ୟ, ଐତିହ୍ୟ, ପରମ୍ପରା, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ନୃତ୍ୟ ଓ ଗୀତ ପ୍ରଭୃତି ନଅଗୋଟି ସାଂସ୍କୃତିକ ବିଭବର ସୌରଭରେ ଓଡ଼ିଶା ସୁରଭିତ ହେଲା।
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨





