ଉତ୍କଳପ୍ରାଣ ବ୍ରଜସୁନ୍ଦର

The Sakala Picture
Published On

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ କର୍ଣ୍ଣଧାର ସାଜିଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମୁଖ୍ୟ ସହଯୋଗୀ ଥିଲେ ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସ। ଜାତି ପାଇଁ ମଧୁସୂଦନ ଯେପରି ଦେବାଳିଆ ହୋଇଥିଲେ ବ୍ରଜସୁନ୍ଦର ମଧ୍ୟ ସେଭଳି ହୋଇଥିଲେ। ସେ ଏକାଧାରରେ ଥିଲେ ସ୍ୱାଭିମାନୀ, ଉତ୍କଳ ପ୍ରେମୀ, ସତ୍ୟନିଷ୍ଠ, ନିର୍ଭୀକ, ନିଃସ୍ୱାର୍ଥପର ରାଜନେତା, ଆଦର୍ଶ ବିଧାୟକ, ବିଶିଷ୍ଟ ଚିନ୍ତାନାୟକ, ତ୍ୟାଗୀ, ସୁସାହିତ୍ୟିକ ଓ ସୃଜନଶୀଳ ସମ୍ପାଦକ। ଓଡ଼ିଶାର ଏକତ୍ରୀକରଣ, ଓଡ଼ିଆ ଭାଷା ସୁରକ୍ଷା ଓ ଓଡ଼ିଆ ସାହିତ୍ୟର […]

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ କର୍ଣ୍ଣଧାର ସାଜିଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମୁଖ୍ୟ ସହଯୋଗୀ ଥିଲେ ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସ। ଜାତି ପାଇଁ ମଧୁସୂଦନ ଯେପରି ଦେବାଳିଆ ହୋଇଥିଲେ ବ୍ରଜସୁନ୍ଦର ମଧ୍ୟ ସେଭଳି ହୋଇଥିଲେ। ସେ ଏକାଧାରରେ ଥିଲେ ସ୍ୱାଭିମାନୀ, ଉତ୍କଳ ପ୍ରେମୀ, ସତ୍ୟନିଷ୍ଠ, ନିର୍ଭୀକ, ନିଃସ୍ୱାର୍ଥପର ରାଜନେତା, ଆଦର୍ଶ ବିଧାୟକ, ବିଶିଷ୍ଟ ଚିନ୍ତାନାୟକ, ତ୍ୟାଗୀ, ସୁସାହିତ୍ୟିକ ଓ ସୃଜନଶୀଳ ସମ୍ପାଦକ। ଓଡ଼ିଶାର ଏକତ୍ରୀକରଣ, ଓଡ଼ିଆ ଭାଷା ସୁରକ୍ଷା ଓ ଓଡ଼ିଆ ସାହିତ୍ୟର ସମୃଦ୍ଧି ଥିଲା ତାଙ୍କ ଜୀବନର ବ୍ରତ। ତାଙ୍କ କାର୍ଯ୍ୟାବଳୀ, ପ୍ରଜ୍ଞା, ପ୍ରତିଭା ଓ ପ୍ରତିଶ୍ରୁତିବଦ୍ଧତା ଅନନ୍ୟ ଓ ଅନୁପମ।

ବ୍ରଜସୁନ୍ଦର ୧୮୮୦ ଜୁଲାଇ ୨ ତାରିଖରେ ଯାଜପୁରର କଣ୍ଟାବଣିଆ ଗ୍ରାମରେ ତିସାଣିଆ ଜମିଦାର ବଂଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶ୍ୟାମସୁନ୍ଦର ଦାସ ଥିଲେ ତତ୍କାଳୀନ ଟ୍ରିବ୍ୟୁଟାରୀ ମାହାଲର ସୁପରିଣ୍ଟେଡେଣ୍ଟ ଏବଂ ପ୍ରପିତା ହରେକୃଷ୍ଣ ଦାସ ଥିଲେ ପ୍ରଥମ ଓଡ଼ିଆ ଡେପୁଟି ମାଜିଷ୍ଟ୍ରେଟ୍‌‌। ବ୍ରଜସୁନ୍ଦରଙ୍କ ଶ୍ୱଶୁର ରଜାୟବାହାଦୂର ସୁଦାମ ଚରଣ ନାୟକ ମଧ୍ୟ ଡେପୁଟି ମାଜିଷ୍ଟ୍ରେଟ ଥିଲେ। ୧୯୦୦ ମସିହାରେ ରେଭେନ୍ସା କଲେଜ୍‌‌ରୁ ଏଫ୍‌‌ଏ ପାସ୍‌‌ କରିବା ପରେ ସେ କଲିକତାର ପ୍ରେସିଡେନ୍ସି କଲେଜ୍‌‌ରେ ପଢ଼଼ିଲେ ଓ କୃତିତ୍ୱର ସହ ବିଏ ପାସ୍‌‌ କରି ଓଡ଼ିଶାର ତୃତୀୟ ଗ୍ରାଜୁଏଟ୍‌‌ ହୋଇପାରିଥିଲେ। ଆଦି ନେତା ବିଚିତ୍ରାନନ୍ଦ ଦାସ ଥିଲେ ତାଙ୍କ କୁଟୁମ୍ବର। ବିଚିତ୍ରାନନ୍ଦ ଓଡ଼ିଶାରେ ନବଯୁଗର ସୂତ୍ରପାତ କରିଥିଲେ ଓ ମଧୁସୂଦନଙ୍କ ବହୁପୂର୍ବରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣର ସ୍ୱପ୍ନ ପ୍ରଥମେ ଦେଖିଥିଲେ। ବିଚିତ୍ରାନନ୍ଦଙ୍କ ସ୍ୱପ୍ନ ବ୍ରଜସୁନ୍ଦରଙ୍କୁ ପ୍ରଭାବିତ କରିଥିଲା। ସେ ଥିଲେ ଆଦି ନେତା ବିଚିତ୍ରାନନ୍ଦଙ୍କ ଜାତୀୟଜୀବନବୋଧର ପ୍ରକୃତ ଉତ୍ତରାଧିକାରୀ। ଛାତ୍ରାବସ୍ଥାରେ ବ୍ରଜସୁନ୍ଦର ସୁରେନ୍ଦ୍ର ନାଥ ବାନାର୍ଜୀ, ବାଲ୍‌‌ ଗଙ୍ଗାଧର ତିଲକ୍‌‌, ଗୋପାଳ କୃଷ୍ଣ ଗୋଖ୍‌‌ଲେ ଓ ମଧୁସୂଦନ ଦାସ ପ୍ରଭୃତିଙ୍କ କାର୍ଯ୍ୟାବଳୀରେ ଉଦ୍‌‌ବୁଦ୍ଧ ହୋଇଥିଲେ। ଏ ଦିଗରେ ରେଭେନ୍ସା କଲେଜ୍‌‌ରେ ତାଙ୍କ ଅଧ୍ୟାପକ ଡକ୍ଟର ଯୋଗେଶ ଚନ୍ଦ୍ର ରାୟ ତାଙ୍କୁ ପ୍ରୋତ୍ସାହନ ଦେଇଥିଲେ। ତାଙ୍କର ସମସାମୟିକ ଗୋପବନ୍ଧୁ ଦାସ, ଲକ୍ଷ୍ମୀକାନ୍ତ ମହାପାତ୍ର, ଜଗବନ୍ଧୁ ସିଂହ ଓ ଲୋକନାଥ ପଟ୍ଟନାୟକ ପ୍ରଭୃତି ଯଥେଷ୍ଟ ପ୍ରରୋଚନା ଦେଇଥିଲେ। ରେଭେନ୍ସା କଲେଜ୍‌‌ରେ ଛାତ୍ର ଥିବା ବେଳେ ସେ ଗୋପବନ୍ଧୁ ଦାସ ଓ ଅନ୍ୟାନ୍ୟ ସାଥୀଙ୍କ ସହିତ ମିଶି ଓଡ଼ିଆ ଭାଷା ସୁରକ୍ଷା ଓ ସମୃଦ୍ଧି ପାଇଁ “କର୍ତ୍ତବ୍ୟବୋଧିôନୀ” ସଂଗଠନ ଗଢ଼ିଥିଲେ। ତାଙ୍କର ମହତୀ ପ୍ରଚେଷ୍ଟାରେ ୧୯୦୨ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ପାଠ୍ୟକ୍ରମରେ ସ୍ଥାନ ପାଇଥିଲା। କଲିକତା ବିଶ୍ୱବିଦ୍ୟାଳୟର ତତ୍କାଳୀନ ନିର୍ଦ୍ଦେଶକ ମିଷ୍ଟର ଉଡ୍‌‌ବର୍ଣ୍ଣଙ୍କୁ ସାକ୍ଷାତ କରି ଓଡ଼ିଆ ଭାଷା ସାହିତ୍ୟକୁ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସଫଳ ଅନୁରୋଧ କରିଥିଲେ।

ଆଦି ନେତା ବିଚିତ୍ରାନନ୍ଦ ନ’ ଅଙ୍କ ଦୁର୍ଭିକ୍ଷର କରାଳ ଦୃଶ୍ୟ ସ୍ୱଚକ୍ଷୁରେ ଦେଖିଥିଲେ ଏବଂ ଇଂରେଜ ଶାସନରେ ଓଡ଼ିଆମାନେ କିପରି ଅବହେଳିତ ହେଉଥିଲେ ତାହା ଅନୁଭବ କରିଥିଲେ। ସେ ସବୁ କଥା ବିଚିତ୍ରାନନ୍ଦଙ୍କଠାରୁ ଶୁଣିବା ପରେ ବ୍ରଜସୁନ୍ଦର ସରକାରୀ ଉଚ୍ଚପଦବୀ ଓ ତିସାଣିଆ ଜମିଦାରୀକୁ ତୁଚ୍ଛ ମଣି ଜାତୀୟ କାର୍ଯ୍ୟରେ ମନୋନିବେଶ କରିଥିଲେ। ଫଳରେ ତାଙ୍କ ଜମିଦାରୀ ‘କୋର୍ଟ ଅଫ୍‌‌ ୱାର୍ଡସ୍‌‌’କୁ ଚାଲିଯାଇଥିଲା। ଓଡ଼ିଆ ଭାଷା ଓ ଜାତୀୟତାର ସମୃଦ୍ଧି କାମନାରେ ସେ ଗୋପବନ୍ଧୁଙ୍କ ସହ ମିଶି ‘ୟଙ୍ଗ ଉତ୍କଳ ଆସୋସିଏସନ୍‌‌’ ନାମରେ ଏକ ଯୁବ ସଂଗଠନ ଗଢ଼ିଥିଲେ। କଟକ ମାଣିକଘୋଷ ବଜାର ସ୍ଥିତ ନିଜସ୍ୱ କୋଠାଘରେ ସେ ଏହି ଯୁବ ସଂଗଠନର କାର୍ଯ୍ୟାଳୟ ଖୋଲିଥିଲେ। ତାଙ୍କ କାର୍ଯ୍ୟରେ ପ୍ରୀତ ହୋଇ ବ୍ୟାସକବି ଫକୀର ମୋହନ ସେନାପତି ଲେଖିଥିଲେ – ‘ହେ ବ୍ରଜସୁନ୍ଦର ବାବୁ ବିଏ ପାସ୍‌‌ କରି, ଆଚ୍ଛା କଥା ତୁମେ ଯାହା ନ କଲ ନୌକରି।

ଥୁଆ ଅଛି ଜମିଦାରୀ ଖଜଣା ସଲାମୀ, କିଅାଁ ବା କରିବ ଯାଇ ପରର ଗୋଲାମୀ।’

ତାଙ୍କ ମାଣିକଘୋଷ ବଜାର ବାସଗୃହ ଓଡ଼ିଶାର ଜାତୀୟ କାର୍ଯ୍ୟାଳୟରେ ପରିଣତ ହୋଇଥିଲା। ପ୍ରସିଦ୍ଧ ବ୍ରିଟିଶ୍‌‌ ସାମ୍ବାଦିକ ନେଭିଲ୍‌‌ସନ୍‌‌ ୧୯୦୭ରେ ଓଡ଼ିଶା ଆସି ଏହି ଘରେ ବ୍ରଜସୁନ୍ଦରଙ୍କ ଅତିଥି ଭାବେ ରହିଥିଲେ। ବଙ୍ଗ ନେତା ଶଶିଭୂଷଣ ରାୟ ଓ ଖୁଦିରାମ୍‌‌ ବୋଷ୍‌‌ ଏହି ଗୃହରେ ମଧ୍ୟ ଆଶ୍ରୟ ନେଇଥିଲେ। ମଧୁବାବୁ ଓ ଗୋପବନ୍ଧୁ ବ୍ରଜସୁନ୍ଦରଙ୍କ ସହିତ ଆଲୋଚନା କରିବାକୁ ଏହି ଘରକୁ ନିୟମିତ ଆସୁଥିଲେ। ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ଆରମ୍ଭ ହେଲା ଓ ବ୍ରଜବାବୁ ଏଥିରେ ଜଣେ ସକ୍ରିୟ ସଦସ୍ୟ ରହିଲେ। ‘ଉତ୍କଳ ସମ୍ମିଳନୀ’ର ଅନେକ କର୍ମକର୍ତ୍ତାଙ୍କୁ ବ୍ରଜବାବୁ ଏହି ଘରେ ଆତିଥ୍ୟ ଦେଉଥିଲେ।

ଆଦି ନେତା ବିଚିତ୍ରାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ‘କଟକ ପ୍ରିଣ୍ଟିଂ କମ୍ପାନୀ’ରେ ବ୍ରଜସୁନ୍ଦର ୧୯୦୬ଠାରୁ ୧୯୧୮ ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ନିର୍ଦ୍ଦେଶକ ରହିଲେ। ୧୯୦୬ ଏପ୍ରିଲ୍‌‌ରେ ସେ ନିଜ ସମ୍ପାଦନାରେ ‘ମୁକୁର’ ପତ୍ରିକା ପ୍ରକାଶନ କଲେ। ‘ମୁକୁର’ ନିଜସ୍ୱ ଗରିମା ଯୋଗୁଁ ‘ଉତ୍କଳ ସାହିତ୍ୟ’ ସହ ସମସ୍ପର୍ଦ୍ଧୀ ଭାବେ ଠିଆ ହୋଇଥିଲା। ସେ ‘ମୁକୁର’ରେ କ୍ଷୁଦ୍ରଗଳ୍ପ ଲେଖିôବାକୁ ଲେଖକମାନଙ୍କୁ ଉତ୍ସାହିତ କରୁଥିଲେ। ବ୍ରଜସୁନ୍ଦର ହିଁ ପ୍ରଥମେ ଲେଖକମାନଙ୍କୁ ପାରିଶ୍ରମିକ ଦେବା ବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ। ତାଙ୍କ ଅନୁରୋଧରେ ଫକୀରମୋହନ ୧୯୦୫ରୁ ଗଳ୍ପ ରଚନାରେ ମନୋନିବେଶ କରିଥିଲେ। ଫକୀରମୋହନଙ୍କ ‘ବାଲେଶ୍ୱର ରାହାଜାନୀ’, ‘ମଉନାମଉନୀ’, ‘ପୁନର୍ମୂଷିକ ଭବୋ’, ‘ରାଣ୍ଡିପୁଅ ଅନନ୍ତା’, ‘ଡାକମୁନ୍‌‌ସୀ’ ଓ ‘ପାଠୋଇ ବୋହୂ’ ପ୍ରଭୃତି ‘ମୁକୁର’ରେ ପ୍ରକାଶିତ ହୋଇ ଅଶେଷ ପାଠକୀୟ ଆଦୃତି ଲାଭ କରିଥିଲା। ବ୍ରଜସୁନ୍ଦର ୧୯୧୦ରେ ଭାଷାକୋଷଲେନ୍‌‌ରେ ‘ମୁକୁର ପ୍ରେସ୍‌‌’ ପ୍ରତିଷ୍ଠା କଲେ। ଏହି ପ୍ରେସ୍‌‌ରୁ ବହୁ ସାହିତ୍ୟିକଙ୍କ ପୁସ୍ତକ ପ୍ରକାଶିତ ହୋଇଥିଲା। ‘କାଚ ମୂଲ୍ୟରେ କାଞ୍ଚନ ବିକ୍ରିୟ’ ବିଜ୍ଞାପନ ଦେଇ ସେ ପ୍ରତିମାସ ‘ମୁକୁର’ ପୃଷ୍ଠାରେ ଗୋଟିଏ ଲେଖାଏଁ ଉପନ୍ୟାସ ଛାପି ‘ମୁକୁର’କୁ ଜନପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲେ। କୁନ୍ତଳା କୁମାରୀ ସାବତଙ୍କ ‘ପରଶମଣି’ ପ୍ରଥମ ଉପନ୍ୟାସ ଭାବରେ ‘ମୁକୁର’ର ପୃଷ୍ଠାମଣ୍ଡନ କରିଥିଲା। ମଧୁସୂଦନଙ୍କ ସମସ୍ତ କବିତାର ଏକତ୍ର ସଂକଳନ କରି ସେ ‘ଜାତୀୟଗୀତିି’ ନାମରେ ପ୍ରକାଶନ କରି ବହୁଳ ପ୍ରସାରଣ କରିଥିଲେ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ସୁଲକ୍ଷଣା’, ବିପିନ ବିହାରୀ ରାୟଙ୍କ ‘ପ୍ରବନ୍ଧ ସୋପାନ’, ନାରାୟଣ ମୋହନ ଦେଙ୍କ ‘ଜୟନ୍ତ’ ଓ ଜାତୀୟକବି ବୀରକିଶୋରଙ୍କ ‘ମୋହନ ବଂଶୀ’ ପ୍ରଭୃତି ପୁସ୍ତକର ମୁଖବନ୍ଧ ଲେଖି ସେ ‘ମୁକୁର’ ପ୍ରେସ୍‌‌ରେ ଛାପିଥିଲେ। ବ୍ରଜସୁନ୍ଦର ବହୁ ଭକ୍ତିଗୀତିକା ରଚନା କରିଥିଲେ। ‘ମୁକୁର’ ପୃଷ୍ଠାରେ ବହୁ ଆଲେଖ୍ୟ ଛଦ୍ମନାମରେ ଛାପୁଥିଲେ। ସେ ଜଣେ ସଙ୍ଗୀତ ପ୍ରେମୀ ତଥା ସଙ୍ଗୀତଜ୍ଞ ଥିଲେ। ଓଡ଼ିଆରେ ସେ ପ୍ରଥମେ ସଙ୍ଗୀତର ସ୍ୱରଲିପି ପ୍ରକାଶ କରିଥିଲେ। ତବଲାବାଦକ ଭାବରେ ତାଙ୍କର ସୁଖ୍ୟାତି ରହିଥିଲା। ୧୯୩୦ରେ ସେ ‘ସତ୍ୟ ସମାଚାର’ ସମ୍ପାଦନା କରିଥିଲେ। ‘ମୁକୁର ପ୍ରେସ୍‌‌’ ନିମିତ୍ତ ସେ ନିଜେ ସୁନ୍ଦର ଅକ୍ଷର ମଧ୍ୟ ଗଢ଼ିଥିଲେ। ‘ମୁକୁର ପ୍ରେସ୍‌‌’ ଛାପା ‘ପକେଟ୍‌‌ ଗୀତା’ର ମାଛମଞ୍ଜି ଅକ୍ଷର ବ୍ରଜବାବୁଙ୍କ ଅକ୍ଷୟକଳାର ଅମର ସ୍ୱାକ୍ଷର।

ବ୍ରଜସୁନ୍ଦର ୧୯୧୭ ରୁ ୧୯୨୫ ପର୍ଯ୍ୟନ୍ତ ପାଟଣା ବିଶ୍ୱବିଦ୍ୟାଳୟର ଫେଲୋ ଓ ସିଣ୍ଡିକେଟ୍‌‌ ସଭ୍ୟ ଥିଲେ। ୧୯୧୭ରୁ ୧୯୨୦ ପର୍ଯ୍ୟନ୍ତ ସେ ବିହାର-ଓଡ଼ିଶା ଲେଜିସ୍‌‌ଲେଟିଭ୍‌‌ କାଉନ୍‌‌ସିଲ୍‌‌ର ସଭ୍ୟ ଥିଲେ। ଏହି ସମୟରେ ସେ ମଣ୍ଟେଗ୍ୟୁଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସ୍ମାରକପତ୍ର ଦେଇଥିଲେ। ୧୯୨୧ରୁ ୧୯୨୪ ଯାଏଁ ସେ ଦିଲ୍ଳୀ କେନ୍ଦ୍ରୀୟ ଆସେମ୍ବ୍ଲିର ସଦସ୍ୟ ଥିଲେ। ମଧୁବାବୁ ଅବ୍ୟାହତି ନେବା ପରେ ୧୯୧୮ରେ ବ୍ରଜବାବୁ ‘ଦି ଓରିଆ’ ସାପ୍ତାହିକୀର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୧୮ ରୁ ୧୯୪୪ ପର୍ଯ୍ୟନ୍ତ ସେ ‘ଉତ୍କଳ ସମ୍ମିଳନୀ’ର ସାଧାରଣ ସମ୍ପାଦକ ରହିଥିଲେ ଏବଂ ୧୯୨୨-୨୩ରେ ‘ଉତ୍କଳ ସାହିତ୍ୟ’ ସମାଜର ଉପସଭାପତି ଥିଲେ। ୧୯୨୪ରେ ‘ଫିଲିପ୍‌‌ ଡଫ୍‌‌ କମିଟି’ଙ୍କ ନିକଟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦୃଢ଼ ଦାବି କରି ଆନ୍ଦୋଳନକୁ ତୀବ୍ରତର କରାଇଥିଲେ। ‘ସାଇମନ୍‌‌ କମିଶନ୍‌‌’ଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ବର୍ଜନ କରିଥିଲା। ମଣ୍ଟେଗ୍ୟୁ-ଚେମ୍‌‌ସଫୋର୍ଡ ଓଡ଼ିଶାକୁ ଉପପ୍ରଦେଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ‘ସାଇମନ୍‌‌ କମିଶନ୍‌‌’ ତାହାକୁ କାର୍ଯ୍ୟକାରୀ କରିବେ ବୋଲି ମଧୁବାବୁଙ୍କୁ ଜଣାଥିଲା। ତେଣୁ ‘ସାଇମନ୍‌‌ କମିଶନ୍‌‌’ଙ୍କୁ ସ୍ୱାଗତ କରିବାକୁ ମଧୁବାବୁ ବ୍ରଜସୁନ୍ଦରଙ୍କୁ ଦାୟିତ୍ୱ ଦେଲେ ଏବଂ ଏଥିନିମିତ୍ତ ‘ଓଡ଼ିଶା ଲିବରାଲ୍‌‌ ଲିଗ୍‌‌’ ଗଠନ କରାଗଲା। ପାଟନାଠାରେ ଓଡ଼ିଶା ପକ୍ଷରୁ ‘ସାଇମନ କମିଶନ୍‌‌’ଙ୍କୁ ସମ୍ବର୍ଦ୍ଧନା ଜଣାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସମ୍ପର୍କରେ ସାକ୍ଷ୍ୟଗ୍ରହଣ ସ୍ଥିରୀକୃତ ହେଲା। କଂଗ୍ରେସ ପକ୍ଷରୁ ହରତାଳ ପାଳନ କରାଯାଉଥିବାରୁ ପାଟନାରେ ଓଡ଼ିଶାରେ ପୋଷ୍ଟର ଓ ପ୍ଲାକାର୍ଡ ଧରିବାକୁ କୌଣସି ମଜୁରିଆ ରାଜି ହେଲେ ନାହିଁ। କନିକା ରାଜା ରାଜେନ୍ଦ୍ର ନାରାୟଣଙ୍କ ଭଞ୍ଜଦେଓଙ୍କ ଅନୁରୋଧରେ ପାଟଣା ରେଲ୍‌‌ୱେ ଷ୍ଟେସନ୍‌‌ ମାଷ୍ଟର ସହାୟତା କଲେ। ହାର୍ଡିଞ୍ଜ ପାର୍କ ସଂଲଗ୍ନ ସ୍ୱତନ୍ତ୍ର ସେରିମୋନିଆଲ୍‌‌ ପ୍ଲାଟ୍‌‌ଫର୍ମରେ ‘ସାଇମନ୍‌‌ କମିଶନ୍‌‌’ଙ୍କ ସ୍ୱାଗତ ଉଦ୍ଦେଶ୍ୟରେ ସଭା ଆୟୋଜନ କରାଗଲା। ରେଳ ପ୍ଲାଟ୍‌‌ଫର୍ମରେ ଓହ୍ଲାଇ କମିଶନ୍‌‌ର ସଦସ୍ୟମାନେ ଦେଖିଲେ ଯେ କାନ୍ଥବାଡ଼ ସର୍ବତ୍ର ପୋଷ୍ଟର ଲେଖାଯାଇଛି – ‘ଓରିଶା ୱେଲ୍‌‌କମ୍‌‌ସ ସାଇମନ୍‌‌ କମିଶନ୍‌‌’। ସେହି ପ୍ଲାଟ୍‌‌ଫର୍ମରେ ବ୍ରଜସୁନ୍ଦରଙ୍କ ସମେତ କେତେକ ଓଡ଼ିଆ ନେତା ‘ଉତ୍କଳ ସମ୍ମିଳନୀ’ର ପଗଡ଼଼ି ମୁଣ୍ଡରେ ବାନ୍ଧି କମିଶନ୍‌‌ର ସଦସ୍ୟମାନଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କଲେ ଓ ସ୍ମାରକପତ୍ର ପ୍ରଦାନ କଲେ। ସକଳ ବିଷୟ ଅବଗତ ହେବା ପରେ ‘ସାଇମନ୍‌‌ କମିଶନ୍‌‌’ ଓଡ଼ିଶା ସମସ୍ୟା ସମାଧାନ ନିମିତ୍ତ ୧୯୩୦ ସେପ୍ଟେମ୍ବର ୨୦ ତାରିଖରେ ‘ଅଟ୍‌‌ଲୀ ସବ୍‌‌କମିଟି’ ଗଢ଼ିଲେ। ସି ଆର ଅଟ୍‌‌ଲୀ ସବ୍‌‌କମିଟି ଅନୁସନ୍ଧାନ ପରେ କମିଶନ୍‌‌ଙ୍କୁ ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ରିପୋର୍ଟ ଦେଲେ। କମିଶନ୍‌‌ଙ୍କ ସୁପାରିସକ୍ରମେ ଭାଇସରୟ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିଧିବଦ୍ଧ ପ୍ରସ୍ତାବ ଇଂରେଜ ସରକାରଙ୍କୁ ପଠାଇଲେ। ସୀମା ନିର୍ଦ୍ଧାରଣ ନିମିତ୍ତ ‘ସୀମା କମିଶନ୍‌‌’ ବସାଇଲେ। ଏହିସବୁ କାର୍ଯ୍ୟରେ ବ୍ରଜସୁନ୍ଦର ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ଇତ୍ୟବସରରେ ସାମ୍ବିଧାନିକ ସଂସ୍କାର ପାଇଁ ଲଣ୍ଡନଠାରେ ଗୋଲଟେବୁଲ୍‌‌ ବୈଠକ ବସିଲା। ଏଥିରେ ପାରଳା ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ବୋଲି ସ୍ଥିର ହେଲା। ଗଜପତିଙ୍କ ରାଜକୀୟ ମର୍ଯ୍ୟାଦାରେ ଲଣ୍ଡନ ଯାତ୍ରା ପାଇଁ ଆର୍ଥିକ ଅସୁବିଧା ଥିବାରୁ ବ୍ରଜସୁନ୍ଦର ତେଲଙ୍ଗା ଆକାଶୀ ସୋମଶେଖରଙ୍କଠାରୁ ୧ ଲକ୍ଷ ଟଙ୍କା କରଜ କରାଇ ଦେଇଥିଲେ। ୧୯୩୬ ଏପ୍ରିଲ୍‌‌ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପର୍ଯ୍ୟନ୍ତ ବ୍ରଜସୁନ୍ଦର ସଂଗ୍ରାମ ଜାରି ରଖିଥିଲେ। ଏପରିକି ସେ ତାଳଚେର ପଟ୍ଟାୟତ ପ୍ରମୋଦ ଚନ୍ଦ୍ର ଦେବଙ୍କ ନିକଟରେ ନିଜ ଜମିଦାରୀକୁ ବନ୍ଧା ଦେଇ ପଚାଶ ହଜାର ଟଙ୍କା ଆଣିଥିଲେ। ଏହି ଟଙ୍କା ବିଚ୍ଛିନ୍ନାଞ୍ଚଳରେ ବିଦ୍ୟାଳୟ ଖୋଲିବା ନିମନ୍ତେ ଗୋପବନ୍ଧୁ ଦାସ ଓ ଗୋଦାବରୀଶ ମିଶ୍ରଙ୍କୁ ଦେଇଥିଲେ। ବ୍ରଜସୁନ୍ଦର ତାଳଚେର ପଟ୍ଟାୟତଙ୍କୁ ଏହି ଟଙ୍କା ଶୁଝି ନ ପାରି ମଧୁବାବୁଙ୍କ ସଦୃଶ ଦେବାଳିଆ ଘୋଷିତ ହୋଇଯାଇଥିଲେ। ପରେ ସେ କେଉଁ ପରିସ୍ଥିତିରେ ଋଣମୁକ୍ତ ହେଲେ ତାହା ଖ୍ୟାତନାମା ସାହିତ୍ୟିକ କାହ୍ନୁଚରଣ ମହାନ୍ତି ରୋଚକ ଶୈଳୀରେ ବର୍ଣ୍ଣନା କରିଛନ୍ତି। ସେତେବେଳେ କାହ୍ନୁଚରଣ କଟକ କଲେକ୍ଟରଙ୍କ କାର୍ଯ୍ୟାଳୟରେ ଅଫିସର ରୂପେ କାର୍ଯ୍ୟ କରୁଥିଲେ। କାହ୍ନୁଚରଣଙ୍କ ସ୍ୱରଚିତ ‘ଶାସ୍ତି’ ଉପନ୍ୟାସ ବ୍ରଜସୁନ୍ଦରଙ୍କ ସ୍ମୃତିରେ ଅର୍ପଣ କରିଛନ୍ତି ଓ ତାଙ୍କୁ ପିତା ବୋଲି ସମ୍ବୋଧନ କରିଛନ୍ତି।

୧୯୩୬ ମସିହା ପର୍ଯ୍ୟନ୍ତ ମଧୁବାବୁ ବଞ୍ଚି ନଥିଲେ ହେଁ ତାଙ୍କ ପଟ୍ଟଶିଷ୍ୟ ବ୍ରଜସୁନ୍ଦରଙ୍କ ପ୍ରଚେଷ୍ଟା ଓ ଅନ୍ୟ ଓଡ଼ିଆ ନେତାଙ୍କ ଉଦ୍ୟମରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କଲା। ଏହାପରେ ମଧ୍ୟ ବ୍ରଜସୁନ୍ଦର ଓଡ଼ିଆ ଜାତି ପାଇଁ ସଂଗ୍ରାମ ଅବ୍ୟାହତ ରଖିଥିଲେ। ଓଡ଼ିଶା ଓ ବିଚ୍ଛିନ୍ନାଞ୍ଚଳରେ ଅଗଣିତ ଓଡ଼ିଆଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସେ ‘ଓଡ଼ିଆ ସ୍ୱାର୍ଥରକ୍ଷା କମିଟି’ ଗଠନ କରିଥିଲେ। ୧୯୩୭ରୁ ୧୯୪୪ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ସଦସ୍ୟ ରହି ଓଡ଼ିଆ ଜାତିର ଜାଗ୍ରତ ପ୍ରହରୀ ସଦୃଶ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଇରିଗେସନ୍‌‌ ମ୍ୟାନେଜ୍‌‌ମେଣ୍ଟ ବିଲ୍‌‌, ଇଣ୍ଡଷ୍ଟ୍ର୍ରିଆଲ୍‌‌ ଡେଭେଲପ୍‌‌ମେଣ୍ଟାଲ୍‌‌ ବିଲ୍‌‌ ଓ ଲ୍ୟାଣ୍ଡ ରେଭିନ୍ୟୁ ବିଲ୍‌‌ ବିଧାନସଭାରେ ଆଗତ କରିଥିଲେ। କଟକରେ ମେଡିକାଲ୍‌‌ କଲେଜ୍‌‌, ଓଡ଼ିଶାରେ ବନ୍ଦର ସ୍ଥାପନ ଓ କଟକୁ ରାଜଧାନୀ କରିବା ପାଇଁ ସେ ଯୁକ୍ତିନିଷ୍ଠ ବକ୍ତବ୍ୟ ପ୍ରଦାନ କରିଥିଲେ। ପାରଳା ଗଜପତି ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ମନ୍ତ୍ରିମଣ୍ଡଳରେ ସେ ଯୁଦ୍ଧକାଳୀନ ପ୍ରଚାର ବିଭାଗ ଦାୟିତ୍ୱରେ ଥିଲେ। ତାଙ୍କରି ପ୍ରଚେଷ୍ଟାରେ ଦେଶାତ୍ମବୋଧକ ଗୀତ ଓ ବୀରରସାତ୍ମକ ଗୀତ ରଚିତ ହୋଇ ଦାସକାଠିଆ ମାଧ୍ୟମରେ ପ୍ରଚାରିତ ହୋଇଥିଲା। ‘ଚୁଡ଼ା’କୁ ସେନାବାହିନୀର ଯୁଦ୍ଧକାଳୀନ ଖାଦ୍ୟ ଭାବେ ବ୍ୟବହାର କରିବାକୁ ସେ ମତ ଦେଇଥିଲେ। ତାଙ୍କ ମତ ଓ ବକ୍ତବ୍ୟକୁ ମନ୍ତ୍ରୀମାନେ ଗୁରୁତ୍ୱ ପ୍ରଦାନ କରୁଥିଲେ। ୧୯୩୨ରୁ ସେ ସଂଗୀତ ପ୍ରଚାର ବିଭାଗ ଦାୟିତ୍ୱରେ ରହିଲେ ଓ ୧୯୩୮ରେ ଉତ୍କଳ ସଙ୍ଗୀତ ସମାଜର ସଭାପତି ରହିଥିଲେ। ଏତଦ୍‌‌ଭିନ୍ନ ସେ କଟକ ବ୍ୟାଙ୍କର ଡିରେକ୍ଟର, ସାକ୍ଷୀଗୋପାଳ ଦେବୋତ୍ତର କମିଟିର ଦାୟିତ୍ୱ, ଯାଜପୁର ଲୋକାଲ୍‌‌ ବୋର୍ଡ, କଟକ ମ୍ୟୁନିସିପାଲିଟି, କଟକ ଜିଲ୍ଲା ବୋର୍ଡର ସଭ୍ୟ, କଟକ ଇଞ୍ଜିନିୟର ଓ ମେଡିକାଲ୍‌‌ କଲେଜ୍‌‌ ମ୍ୟାନେଜିଂ କମିଟି ସଭ୍ୟ ରୂପେ କାର୍ଯ୍ୟ କରିଥିଲେ। ସେ ଦୀର୍ଘଦିନ ଧରି କଟକର ସାଧାରଣ ଜୀବନରେ ଏକ ଉଜ୍ୱଳ କେନ୍ଦ୍ର ରୂପେ ଗଣାଯାଉଥିଲେ। ତତ୍କାଳୀନ ସମସ୍ତ ନେତା, କର୍ମୀ ଓ ସାଧାରଣ ଲୋକ ଅକୁଣ୍ଠିତ ଚିତ୍ତରେ ବ୍ରଜସୁନ୍ଦର ବାବୁଙ୍କ ସହଯୋଗ ଓ ସମର୍ଥନ ପାଉଥିଲେ।

ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସ ୧୯୪୪ ଜୁନ୍‌‌ ୯ ତାରିଖରେ ମାତ୍ର ୬୪ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ୧୯୦୩ରୁ ୧୯୪୪ ପର୍ଯ୍ୟନ୍ତ ପ୍ରାୟ ୪୦ ବର୍ଷ ଧରି ସେ ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ଜୀବନର ନେତୃତ୍ୱ ନେଇଥିଲେ। ତାଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟାବଳୀ, ଉତ୍କଳପ୍ରାଣତା ଓ ଦେଶାତ୍ମବୋଧର ପଟ୍ଟାନ୍ତର ନାହିଁ। ସେ ଉତ୍କଳ ଗୌରବଙ୍କ ସହ ଓଡ଼ିଶା, ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ସାହିତ୍ୟ ପାଇଁ ବହୁ କାର୍ଯ୍ୟ କରିଥିଲେ ହେଁ ପ୍ରାୟତଃ ଅନାଲୋଚିତ। ଏପର ିକି ଉତ୍କଳ ଗୌରବଙ୍କ ଦେହାନ୍ତ ପରେ ସେ ୧୯୪୪ ପର୍ଯ୍ୟନ୍ତ ଓଡ଼ିଆ ଜାତୀୟତାର ଜାଗ୍ରତ ପ୍ରହରୀ ଥିଲେ। ଓଡ଼ିଆ ଜାତୀୟତା ଓ ଜନଜୀବନ ପାଇଁ ନିଜକୁ ଓ ନିଜର ଜମିଦାରୀକୁ ନିଃଶେଷ କରିଦେଇଥିବା ଏହି ମହାନ୍‌‌ ବ୍ୟକ୍ତି ଆଜିର ଶିକ୍ଷିତ ଗୋଷ୍ଠୀ ନିକଟରେ ଅଚିହ୍ନା ଓ ଅଜଣା। ଏହାଠାରୁ ଦୁଃଖ ଆଉ କ’ଣ ଥାଇପାରେ? ଆମକୁ ମନେ ରଖିବାକୁ ପଡ଼ିବ ଯେ ପୂର୍ବସୁରୀସ୍ମରଣ ହିଁ ସଭ୍ୟତାର ପରିମାପକ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଜାତୀୟ ଜାଗୃତିର ଦୀପସ୍ତମ୍ଭ ତଥା ଓଡ଼ିଶାର ଗର୍ବ ଓ ଗୌରବ ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ସରକାରୀ ସ୍ତରରେ ବିଶେଷଭାବେ ପାଳନ, ତାଙ୍କ ନାମରେ ଏକ ଜାତୀୟ ଅନୁଷ୍ଠାନ ସ୍ଥାପନ ଏବଂ ତାଙ୍କର ସ୍ମାରକୀ ଗ୍ରନ୍ଥ ପ୍ରକାଶନ ହେବ ତାଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨

12 Jan 2024 By The Sakala

https://www.thesakala.in/sakala-editorial/sakala-article-12-01-2024-2/article-29063
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର