ସାଇବର ଦୁନିଆର ଅଦୃଶ୍ୟ ଅପରାଧୀ

The Sakala Picture
Published On

ସମ୍ପ୍ରତି ଓଡ଼ିଶା ସରକାର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ରାଜ୍ୟ ପୁଲିସ ବିଭାଗର ସହଭାଗିତାରେ ଗତ ୧ ତାରିଖରୁ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ୩୪ଟି ‘ସାଇବର ଅପରାଧ ସଚେତନତା ରଥ’ ପରିକ୍ରମା ଅଭିଯାନ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଛନ୍ତି। ରାଜ୍ୟ ପୁଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଦାୟିତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ରାଜ୍ୟବାସୀଙ୍କୁ ଅଜଣା ସାଇବର ଅପରାଧ ଓ ଅଜ୍ଞାତ […]

ସମ୍ପ୍ରତି ଓଡ଼ିଶା ସରକାର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ରାଜ୍ୟ ପୁଲିସ ବିଭାଗର ସହଭାଗିତାରେ ଗତ ୧ ତାରିଖରୁ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ୩୪ଟି ‘ସାଇବର ଅପରାଧ ସଚେତନତା ରଥ’ ପରିକ୍ରମା ଅଭିଯାନ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଛନ୍ତି। ରାଜ୍ୟ ପୁଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଦାୟିତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ରାଜ୍ୟବାସୀଙ୍କୁ ଅଜଣା ସାଇବର ଅପରାଧ ଓ ଅଜ୍ଞାତ ଅପରାଧୀଙ୍କ ବିଷୟରେ ସଚେତନ କରି ସମସ୍ତଙ୍କର ବହୁମୂଲ୍ୟ ଜୀବନ ଓ କଷ୍ଟାର୍ଜିତ ଧନର ସୁରକ୍ଷା ପ୍ରଦାନ କରିବା। ଏହି ଅଭିଯାନର ବାର୍ତ୍ତା ହେଉଛି ‘ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସାଇବର ସୁରକ୍ଷିତ ଓଡ଼ିଶା। ମାସ୍କଟର ନାମ ‘ସାଇରା’। କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଏହି ଅଭିଯାନ ଅନେକ ଗୁରୁତ୍ୱ ବହନ କରେ।

ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ୍‌‌ର ଯୁଗ। ଇଣ୍ଟରନେଟ୍‌‌ ବିନା ଜୀବନଯାତ୍ରା ସତେଯେପରି ଅସମ୍ପୂର୍ଣ୍ଣ ହୋଇଯାଇଛି। କିନ୍ତୁ ବିଡ଼ମ୍ବନା ହେଉଛି, ଦିନକୁ ଦିନ ଇଣ୍ଟରନେଟ୍‌‌ ଓ ମୋବାଇଲ୍‌‌ ଫୋନ୍‌‌ ଉପରେ ଲୋକଙ୍କ ନିର୍ଭରଶୀଳତା ଯେତିକି ବଢ଼଼ି ଚାଲିଛି, ତା’ ସହିତ ତାଳ ଦେଇ ସାଇବର ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବଢ଼଼ିବାରେ ଲାଗିଛି। ଏହା କେବଳ ଆଞ୍ଚଳିକ କିମ୍ବା ଜାତୀୟ ସମସ୍ୟା ନୁହେଁ, ବରଂ ଅନ୍ତର୍ଜାତୀୟ ସଙ୍କଟ ରୂପେ ଉଭା ହୋଇଛି। କେବଳ ଭାରତ ବିଷୟରେ ଆଲୋଚନା କଲେ, ୨୦୧୯ରେ ଭାରତରେ ୪୪,୫୪୬ ଟି, ୨୦୨୦ ରେ ୫୦,୦୩୫ ଓ ୨୦୨୧ରେ ୫୨,୯୪୭ଟି ସାଇବର ଅପରାଧ ସମ୍ପର୍କିତ ମାମଲା ପଞ୍ଜୀକୃତ ହୋଇଛି। ୨୦୨୦ ରେ ୧୮,୪୨୦ ଜଣ ସାଇବର ଅପରାଧୀ ଗିରଫ ହୋଇଛନ୍ତି। ଏହାବାଦ୍‌‌ ଲୋକଙ୍କ ସଚେତନତାର ଅଭାବ ଓ ଅଜ୍ଞତା ଯୋଗୁଁ ପଞ୍ଜୀକୃତ ତଥା ଅଭିଯୋଗ ହେଉନଥିବା ଅପରାଧର ସଂଖ୍ୟା ଆହୁରି ଅଧିକ ହୋଇପାରେ।

ଆମ ଦେଶ ଭାରତରେ ୨୦୨୨ରେ ୧୩,୯୧,୪୬୦ ଥର, ୨୦୨୧ ରେ ୧୪,୦୨,୮୨୧ ଥର, ୨୦୨୦ ରେ ୧୧,୫୮,୨୧୦ ଥର କମ୍ପ୍ୟୁଟର ମାଧ୍ୟମରେ ସାଇବର ଆକ୍ରମଣ ହୋଇଥିବା ବେଳେ ୨୦୧୯ ରେ ଏହି ସଂଖ୍ୟା ଥିଲା ମାତ୍ର ୩୯,୪୫୦। ପ୍ରତିବର୍ଷ ଏହାର କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ଦେଖି ଆକଳନ କରାଯାଉଛି ଯେ ୨୦୨୩ ଶେଷ ବେଳକୁ ପୃଥିବୀରେ ପ୍ରତି ଘଣ୍ଟାରେ ୯୭ ସାଇବର ଅପରାଧ ଓ ପ୍ରତି ୩୯ ସେକେଣ୍ଡରେ ଗୋଟିଏ କମ୍ପ୍ୟୁଟର ଉପରେ ସାଇବର ଆକ୍ରମଣ ହୋଇପାରେ। ସେହିପରି ପ୍ରାୟ ୨୨ ପ୍ରତିଶତ ମହିଳା ସାଇବର ଆକ୍ରମଣର ଶିକାର ହେଉଥିବା ବେଳେ ଶିଶୁମାନେ ସାଇବର ଦୁନିଆ ସହିତ ଅଧିକ ମାତ୍ରାରେ ଜଡ଼ିତ ହେଉଛନ୍ତି। ଅପରାଧୀମାନଙ୍କର ଶିକାର ଯେ କୌଣସି ବ୍ୟକ୍ତି, ସଂଗଠନ, ବୈଷୟିକ ଅନୁଷ୍ଠାନ, ସାମାଜିକ ବ୍ୟବସ୍ଥା ବା ସରକାରୀ ଦପ୍ତର ହେଉଥିବା ଦେଖାଯାଉଛି। ଏହାପଛର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଅନ୍ୟର ପଇସା ଠକି ନେବା ଓ ତଥ୍ୟ ଚୋରି କରିବା।

ଯେତେବେଳେ ଆମେ କମ୍ପ୍ୟୁଟରକୁ ଇଣ୍ଟରନେଟ ସହିତ ସଂଯୋଗ କରୁ ଏହା ହୋଇଯାଏ ଅନଲାଇନ। ୱାଲର୍ଡ ୱାଇଡ୍‌‌ ୱେବ୍‌‌ ଦ୍ୱାରା ରେଡିଓ ୱେବ୍‌‌ ବା ରେଡିଓ ସିଗ୍‌‌ନାଲ୍‌‌ ଜରିଆରେ ଆମର ଯନ୍ତ୍ରାଂଶଟି ପୃଥିବୀର ଇଣ୍ଟରନେଟ ସଂଯୋଗ ଥିବା ସମସ୍ତ ଯନ୍ତ୍ରାଂଶ ସହ ପ୍ରତ୍ୟକ୍ଷ ସଂଯୋଗ ରକ୍ଷା କରେ ଓ ତଥ୍ୟ ହସ୍ତାନ୍ତର ପ୍ରକ୍ରିୟାର ପଥ ଉନ୍ମୁକ୍ତ ହୋଇଯାଏ। ଏଇଠି ଆସେ ଅପରାଧୀର ସାମ୍ରାଜ୍ୟ ଓ ତିଆରି ହୁଏ ଅପରାଧର ନୀଳ ନକ୍ସା। ସାଇବର ଅପରାଧୀମାନଙ୍କ ପ୍ରସ୍ତୁତ ସଫ୍ଟୱେରରେ ବିକଶିତ ଅସ୍ତ୍ରକୁ ଆମେ ସାଇବର ଭାଷାରେ କହିପାରିବା ଭାଇରସ୍‌‌ (ଭାଇଟାଲ୍‌‌ ଇନ୍‌‌ଫରମେସନ୍‌‌ ରିସୋର୍ସେସ୍‌‌ ଅଣ୍ଡର ସିଜ୍‌‌)। ଯଥା ମାଲ୍‌‌ୱେର, ରାନ୍‌‌ସମ୍‌‌ୱେର, ସ୍ପାଇୱେର, ମାଇଡୁମ୍‌‌, ଟ୍ରୋଜାନ୍‌‌ ହର୍ସ, ଓର୍ମ ଇତ୍ୟାଦି। ଅପରାଧୀମାନେ ସେମାନଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ଅନୁସାରେ ଏହି ଭାଇରସ ସଫ୍ଟୱେର ପ୍ରସ୍ତୁତ କରି କିମ୍ୱା କିଣି ବ୍ୟବହାରକାରୀଙ୍କ ଅଜାଣତରେ ବା ବିନା ଅନୁମତିରେ ବ୍ୟବହାର କରୁଥିବା ଯନ୍ତ୍ରାଂଶରେ ଇଣ୍ଟେରନେଟ ଜରିଆରେ ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ବ୍ୟକ୍ତିଗତ ସୂଚନା, ଫୋଟୋ, ଭିଡିଓ, ନଥି, କାଗଜପତ୍ର, ପାସୱାର୍ଡ, ବ୍ୟାଙ୍କ ତଥ୍ୟ ଇତ୍ୟାଦି ଚୋରି କରି ନିଅନ୍ତି। ଏଥିସହିତ ଏହି ଭାଇରସ୍‌‌ ଜରିଆରେ ସାଇବର ଅପରାଧୀମାନେ ବ୍ୟବହାରକାରୀଙ୍କ ଉପକରଣକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇ ଯାଆନ୍ତି, ଯାହା ସେମାନଙ୍କ ଆପରାଧିକ କାର୍ଯ୍ୟକଳାପକୁ ସୁଗମ କରିଦିଏ।

ସାଇବର ଅପରାଧର ଆଉ ଏକ କୌଶଳ ହେଲା କୌଣସି ଭାଇରସ ବିନା କେବଳ ଅପରପକ୍ଷର ଫୋନ ନମ୍ୱର, ଇମେଲ, ଫେସ୍‌‌ବୁକ୍‌‌, ଇନ୍‌‌ଷ୍ଟାଗ୍ରାମ, ଟେଲିଗ୍ରାମ୍‌‌, ଫେସ୍‌‌ବୁକ୍‌‌ ଆଦି ସାମାଜିକ ଗଣମାଧ୍ୟମର ନମ୍ବର ଓ ଲିଙ୍କ ଦେଇ ଈପ୍‌‌ସିତ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଠକିବା। ସାଇବର ଦୁନିଆର ଶବ୍ଦକୋଷରେ ପ୍ରବେଶ କରୁଥିବା ମୁଖ୍ୟ ଅପରାଧଗୁଡ଼ିକ ହେଲା ଭିସିଙ୍ଗ, ସ୍ମାଇସିଂ, ଫିସିଂ, ଡିଓଏସ୍‌‌ ଆଟାକ୍‌‌, ଇମେଲ୍‌‌ ସ୍ପୁଫିଙ୍ଗ ଆଣ୍ଡ ବମ୍ବିଂ, ସାଇବର ଷ୍ଟାକିଂ, ବୁଲିଂ, ଟେରରିଜିମ୍‌‌, ଏସ୍‌‌ପିନେଜ୍‌‌, ଡାଟା ଡିଡ୍‌‌ଲିଙ୍ଗ, ସଲାମି ଆଟାକ୍‌‌, ୱେ୍‌‌ ଜ୍ୟାକିଂ, ଚାଇଲ୍‌‌ଡ ପୋର୍ନୋଗ୍ରାଫି, ଆଇଡେଣ୍ଟିଟି ଥେଫ୍ଟ୍‌‌, ହ୍ୟାକିଂ, ହନି ଟ୍ରାପ୍‌‌ ଓ ଏପରି ଅନେକ। ଏହି ଧରଣର ଅପରାଧ ଓ ଅପରାଧୀଙ୍କ ଦ୍ୱାରା ଅଧିକ ମାତ୍ରାରେ ଶିକାର ହୁଅନ୍ତି ବରିଷ୍ଠ ନାଗରିକ, ମହିଳା, ଶିଶୁ, ଗ୍ରାମାଞ୍ଚଳ ଲୋକ ଓ ଇଣ୍ଟରନେଟ ବ୍ୟବହାରର କୌଶଳ ଅଳ୍ପ ଜାଣିଥିବା ଲୋକମାନେ।

ଏହି ଅପରାଧ ନିୟନ୍ତ୍ରଣ ଓ ଅପରାଧୀମାନଙ୍କ ମୁକାବିଲା ପାଇଁ ଆମ ଓଡ଼ିଶାରେ ଏବେ ୧୮ ଟି ସ୍ୱତନ୍ତ୍ର ସାଇବର ଥାନା ଖୋଲାଯାଇଛି। ଏଥିସହିତ ଅନ୍ୟ ସମସ୍ତ ଥାନାରେ ମଧ୍ୟ ଏ ସମ୍ପର୍କିତ ମାମଲା ଗ୍ରହଣ କରାଯାଉଛି। ଓଡ଼ିଶାରେ ୨୦୨୧ରେ ୨୦୩୭ ଟି, ୨୦୨୨ ରେ ୧୯୮୩ ଟି ଓ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ୧୨୮୩ ଟି ସାଇବର ଅପରାଧ ମାମଲା ପଞ୍ଜିକରଣ କରାଯାଇ ଅପରାଧୀମାନଙ୍କୁ ଗିରଫ କରାଯିବା ସହିତ ପୀଡ଼ିତ ବା ଅଭିଯୋଗକାରୀଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ କରାଯାଇପାରିଛି। ଓଡ଼ିଶାରେ ଘଟୁଥିବା ଅପରାଧ ମୁଖ୍ୟତଃ, ଫୋନ କରି ବ୍ୟାଙ୍କ ଆକାଉଣ୍ଟ ଅଚଳ ଧମକ ଦେଇ ସୂଚନା ମାଗିନେବା, ଅଚଳ ଜୀବନ ବୀମା ପଲିସିକୁ ଚାଲୁ କରାଇବା ପାଇଁ କହିବା, ମିଆଦ ସମ୍ପୂର୍ଣ୍ଣ ହେବାକୁ ଥିବା ପଲିସିକୁ ପୁଣି ନବୀକୃତ କରିବା ପାଇଁ ପ୍ରଲୋଭିତ କରିବା, କ୍ରେଡିଟ କାର୍ଡର କ୍ରୟ କ୍ଷମତା ସୀମା ବୃଦ୍ଧି କରାଇବା ପାଇଁ ପ୍ରସ୍ତାବ ଦେବା, ଫୋନ କରି ମିଛ ପରିଚୟ ଦେଇ ଓଟିପି, ପିନ୍‌‌, ସିଭିଭି, ଆକାଉଣ୍ଟ ନମ୍ବର, ଆଧାର ନମ୍ୱର ଆଦି ହାସଲ କରି ନେବା, ଉପଭୋକ୍ତାଙ୍କ ଅଜାଣତରେ ତାଙ୍କ କ୍ରେଡିଟ କାର୍ଡ ଓ ଆକାଉଣ୍ଟ ସୃଷ୍ଟି କରିବା, କେୱାଇସି ଅପଡେଟ ନାମରେ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ମାଗିନେବା ଆଦି କ୍ଷେତ୍ରରେ ସଂଘଟିତ ହେଉଛି। ୨- ବୁକିଙ୍ଗ କରାଯାଇଥିବା ଟ୍ରେନ, ବସ, ଉଡ଼ାଜାହାଜ ଟିକେଟ, ହୋଟେଲ, ଭ୍ରମଣ ବା ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ଟିକେଟ, ପାର୍ସଲ ବୁକିଙ୍ଗ ଅର୍ଡର ଓ ବାତିଲ୍‌‌ କରାଯିବା ବେଳେ ମଧ୍ୟ ସାଇବର ଅପରାଧୀମାନେ ଗ୍ରାହକଙ୍କୁ ଶିକାର କରୁଛନ୍ତି। ୩- ପଟା ଜାଗା କିମ୍ୱା ବାଡ଼ିରେ ମୋବାଇଲ ଟାୱାର ବସାଇବାକୁ କହି ପଇସା ଲୋଭ ଦେଖାଇ କାଗଜ ପତ୍ର ସହ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ନେଉ ଯାଉଥିବା ଅନେକ ଘଟଣା ଦେଖିବାକୁ ମିଳୁଛି। ୪- ସାଇବର ଠକମାନେ ସାମାଜିକ ଗଣମାଧ୍ୟମରେ ଓ ଫୋନରେ ନିଜକୁ ଧନୀ କିମ୍ୱା ବଡ଼ ଲୋକର ପରିଚୟ ଦେଇ ବନ୍ଧୁତ୍ୱ କରି ମୂଲ୍ୟବାନ ଉପହାର ଦେବାର ଲୋଭ ଦେଖାଇ କଷ୍ଟମ, ଜିଏସଟି, ଆୟକର, ବାଣିଜ୍ୟକର ବିଭାଗ ନାମ କହି ଟଙ୍କା ହଡ଼ପ କରି ନିଅନ୍ତି। ୫- ଇଲେକଟ୍ରିକ, କେବୁଲ, ନେଟ, ଫୋନ ଲାଇନ କାଟି ଦେବାର ଧମକ ଓ ଅନଲାଇନ ପେମେଣ୍ଟ କରିବାକୁ କହି ପଇସା ଲୁଟି ନେଉଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି। ୬- ସାଇବର ଅପରାଧୀମାନେ ଅନ୍‌‌ଲାଇନ୍‌‌ ଜରିଆରେ ଅଳ୍ପ ଟଙ୍କା ଜମା ଦେଇ କମ୍‌‌ ଦିନରେ ଅଧିକ ସୁଧ ସହ ମୂଳ ଧନ ଫେରାଇବାର ପ୍ରତିଶ୍ରୁତି ଦେଇ ଅର୍ଥ ଲୁଟି ନିଅନ୍ତି। ୭- ଠକମାନେ ପଠାଉ ଥିବା ଭିଡିଓ ଭାଇରାଲ, ଲାଇକ, ଶେୟାର କଲେ ପଇସା ମିଳିବ କହି ଆକାଉଣ୍ଟର ସବିଶେଷ ବିବରଣୀ ଠକି ନେଇ ଯାଆନ୍ତି। ୮- ନିଜକୁ ଭାରତୀୟ ସ୍ଥଳସେନା, ଆକାଶ ବାହିନୀ, ନୌସେନା ଯବାନ କହି ଓଏଲ୍‌‌ଏକ୍ସରେ ଜିନିଷ ବିକିବା ପାଇଁ କହିବା ଓ ଘରଭଡ଼ା ଦେବା ପାଇଁ ଅଗ୍ରୀମ ଦେୟ କହି ପଇସା ଠକିନେବା ପରି ଘଟଣା ମଧ୍ୟ ଘଟୁଛି। ୯- ବିବାହ ପାଇଁ ମାଟ୍ରିମୋନି ସାଇଟ, କୋରିଅର ସେବା, ପ୍ୟାକର୍ସ ଓ ମୁଭର୍ସ ସେବା, ଶସ୍ତାରେ ଜିନିଷ ଯୋଗାଇ ଦେବା ଆଳରେ ମଧ୍ୟ ଆପଣ ଠକି ହୋଇଯାଇ ପାରନ୍ତି। ୧୦- ଅପରାଧୀମାନେ ଅନେକ ଉପାୟରେ ବନ୍ଧୁତା କରି ଅଶ୍ଳୀଳ ଫଟୋ କିମ୍ୱା ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିବାର ଧମକ ଦେଇ ଆକାଉଣ୍ଟରୁ ଅର୍ଥ ଲୁଟ୍‌‌ କରିନିଅନ୍ତି। ୧୧- ଆପଣଙ୍କ ନାମରେ ଫେସବୁକ ଆକାଉଣ୍ଟ କରି ଆପଣଙ୍କ ସାଙ୍ଗମାନଙ୍କୁ ଦେହ ଖରାପ ଅଛି କହି ଅର୍ଥ ଆଦାୟ କରିପାରନ୍ତି। ୧୨- ୟୁପିଆଇ ଜରିଆରେ ଯଥା ଫୋନପେ, ଗୁଗଲପେ, ପେଟିଏମ, ରୋଜରପେ ମାଧ୍ୟମରେ ପଇସା ନେବା ଦେବା ବେଳେ ଚୋରାରେ ଲିଙ୍କ ପଠାଇ ତଥ୍ୟ ଚୋରି କରି ନେଇ ପରବର୍ତ୍ତୀ ସମୟରେ ଆକାଉଣ୍ଟ ଖାଲି କରିଦେଇପାରନ୍ତି।

ସାଇବର ଠକେଇ କିମ୍ବା ଅପରାଧର ଶିକାର ହେଲେ କିମ୍ୱା ସନ୍ଦେହ ହେଲେ ପ୍ରଥମେ ସାହାଯ୍ୟ ପାଇଁ ସପ୍ତାହର ସବୁଦିନ ୨୪ ଘଣ୍ଟିଆ ସେବାରେ ଥିବା ୧୯୩୦ ନମ୍ୱରକୁ ଡାଏଲ କରନ୍ତୁ, ପାଖ ଥାନାରେ ଜଣାନ୍ତୁ ଓ ସରକାରୀ ପୋର୍ଟାଲ cybercrime.gov. inରେ ଅଭିଯୋଗ ଦିଅନ୍ତୁ। ବ୍ୟାଙ୍କ ସହ ଯୋଗାଯୋଗ କରି ନିଜର ଆକାଉଣ୍ଟ ଅଚଳ କରନ୍ତୁ। ପ୍ରକୃତରେ ସତର୍କତା ହିଁ ସାଇବର ଅପରାଧରୁ ସୁରକ୍ଷାର ସଠିକ ଉପାୟ। ୧- ପ୍ରଥମେ ସଫ୍ଟୱେର, ଇଣ୍ଟରନେଟ, ୱେବ୍‌‌ପେଜ୍‌‌, ଇ-ମେଲ, ଏସଏମଏସ, ଅନଲାଇନ ବ୍ୟାଙ୍କ ସେବା ଯଥା ଇ- ବ୍ୟାଙ୍କିଙ୍ଗ, ଫୋନପେ, ଗୁଗଲପେ, ପେଟିଏମ, ସାମାଜିକ ଗଣମାଧ୍ୟମର ସଠିକ ବ୍ୟବହାର ଉପରେ ସବିଶେଷ ଜ୍ଞାନ ଆହରଣ କରନ୍ତୁ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁସାରେ କୌଣସି ବ୍ୟାଙ୍କ, ବୀମା ସଂସ୍ଥା, ଅର୍ଥଲଗାଣକାରୀ ସଂସ୍ଥା ଫୋନରେ କିମ୍ୱା ଅନଲାଇନରେ ଆପଣଙ୍କଠାରୁ କୌଣସି କାଗଜପତ୍ର ମାଗିବେ ନାହିଁ କିମ୍ୱା କୌଣସି ତଥ୍ୟ ଲୋଡ଼ିବେ ନାହିଁ। ତେଣୁ ସେ ବିଷୟରେ ସଚେତନ ହୁଅନ୍ତୁ ଓ ମନେ ରଖନ୍ତୁ। ୨- ଭୁଲରେ ବି କାହାକୁ ନିଜର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦିଅନ୍ତୁ ନାହିଁ କି ସାମାଜିକ ଗଣମାଧ୍ୟମ କିମ୍ୱା ଅନଲାଇନରେ ପଇସା, ଚାକିରି, ଘରଭଡ଼ା, ଶସ୍ତାରେ କିମ୍ୱା ବିନାମୂଲ୍ୟରେ ଜିନିଷ ପାଇବା, ପଇସା ଦ୍ୱିଗୁଣିତ ହେବା ଲୋଭର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ଅଧିକ ପାଇବା ଆଶାରେ ଅପରିଚିତ ଲୋକକୁ ପଇସା ପଠାନ୍ତୁ ନାହିଁ କି ଗ୍ରହଣ କରନ୍ତୁ ନାହିଁ। ୩- ଅଶ୍ଳୀଳ ଫୋଟୋ, ଭିଡିଓ ଦେଖାଇ ଧମକ ଦେଇ କେହି ପଇସା ମାଗିଲେ ଭୟ ନ କରି ତା’କୁ ଏଡ଼ାଇ ଯାଆନ୍ତୁ। ୪- କମ୍ପ୍ୟୁଟରରେ ଆଣ୍ଟିଭାଇରସ୍‌‌ ଲୋଡ୍‌‌ କରି ସୁରକ୍ଷିତ, ଜଟିଳ ଓ ଦୀର୍ଘ ପାସ୍‌‌ୱାର୍ଡ ଦେଇ ତାହାକୁ ସୁରକ୍ଷିତ ରଖନ୍ତୁ। ନକଲି, ଦେୟମୁକ୍ତ ଓ ଶସ୍ତା ବଦଳରେ ଅସଲି ସଫ୍ଟୱେର ବ୍ୟବହାର କରନ୍ତୁ। ନିଜର ପେନ ଡ୍ରାଇଭ, ଡାଟା କେବଲ, ମୋଡେମ, ମୋବାଇଲ, ଲ୍ୟାପଟପ, କମ୍ପ୍ୟୁଟରକୁ ନିଜ ହେପାଜତରେ ରଖନ୍ତୁ। ଅନ୍ୟ କାହାରିକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହି। ମରାମତି କରିବାକୁ ଦେଲେ ସତର୍କ ଦୃଷ୍ଟି ଦିଅନ୍ତୁ କିମ୍ୱା ହଜିଗଲେ ସମସ୍ତ ଆକାଉଣ୍ଟ ଅଚଳ କରି ପାସ୍‌‌ୱାର୍ଡ ବଦଳାଇ ଦିଅନ୍ତୁ। ୫- ଇମେଲ୍‌‌, ହ୍ୱାଟ୍‌‌ସଆପ୍‌‌, ୱାଇଫାଇ, ଫେସ୍‌‌ବୁକ୍‌‌ ଆଦିର ପାସୱାର୍ଡ କିଛିଦିନ ଅନ୍ତରରେ ନିୟମିତ ବଦଳାଇବା, ବ୍ୟବହାର ପରେ ଲଗଆଉଟ କରିବା ସହ ଏଥିରେ କୌଣସି ଅନ୍ତରଙ୍ଗ ଫୋଟୋ, ଭିଡିଓ, ବ୍ୟାଙ୍କ ତଥ୍ୟ ଲେଖି ରଖନ୍ତୁ ନାହି। ୬- ମନେରଖନ୍ତୁ ଯେ ଇଣ୍ଟରନେଟ ସାହାଯ୍ୟରେ ପ୍ରତ୍ୟକ୍ଷରେ କମ୍ପ୍ୟୁଟରକୁ କମ୍ପ୍ୟୁଟର ସହ ସଂଯୋଗ କରାଯାଉଛି ଓ ପରୋକ୍ଷରେ ଆମେମାନେ ଯୋଡ଼ି ହୋଇଯାଇଛୁ। ଆପଣଙ୍କୁ ଯୋଗାଯୋଗ କରୁଥିବା ବ୍ୟକ୍ତି ସଦା ଅପରିଚିତ ଓ ସେ ତାଙ୍କର ଲାଭ ପାଇଁ ଆପଣଙ୍କର କ୍ଷତି କରିପାରିବେ। ୭-ଅସଲ ୱେବସାଇଟକୁ ଯାଇ ତଥ୍ୟ ଓ ସୂଚନା ଖୋଜନ୍ତୁ, ଅପଲୋଡ, ଡାଉନଲୋଡ, ଯୋଗାଯୋଗ, ସୂଚନା ଆଦାନ ପ୍ରଦାନ କରନ୍ତୁ; ନକଲି ୱେବପୃଷ୍ଠାରୁ ଦୂରରେ ରୁହନ୍ତୁ। ୮- ଆପଣଙ୍କ ପାଖକୁ ଆସୁଥିବା ବାର୍ତ୍ତା ବା ମେସେଜ୍‌‌, ଲିଙ୍କ, ପପ ଅପ, ଅନୁରୋଧ, ଅଫର କିମ୍ବା ଫୋନ କଲକୁ ପ୍ରତ୍ୟୁତ୍ତର ଦେବା ପୂର୍ବରୁ କିଛିକ୍ଷଣ ଅପେକ୍ଷା କରନ୍ତୁ, ଟିକେ ଚିନ୍ତା କରନ୍ତୁ, ଠିକ୍‌‌ ଭାବିଲେ ଯୋଗାଯୋଗ କରନ୍ତୁ।

ମାଙ୍କଡ଼ ଧରିବା ପାଇଁ ମାଙ୍କଡ଼-ଧରାଳିମାନେ ଏକ ସରୁ ମୁହଁ ଥିବା ସୁରେଇରେ ଚଣା ରଖି କିଛି ଦୂରରେ ଜଗିରୁହନ୍ତି। ମାଙ୍କଡ଼ ବିଚରା ଚଣା ଖାଇବାକୁ ଆସି ସୁରେଇରେ ହାତ ଭର୍ତ୍ତି କରି ଚଣାକୁ ମୁଠେଇ ଧରିବା ପରେ ଆଉ ତା’ର ହାତ ବାହାରି ପାରେ ନାହିଁ। ମାଙ୍କଡ଼ ଲୋଭରେ ଚଣାକୁ ଛାଡ଼ି ପାରେ ନାହି କି ହାତ ବାହାର କରି ପାରେ ନାହିଁ। ଚିତ୍କାର କରେ ଓ ପରେ ପରେ ମାଙ୍କଡ଼-ଧରାଳିର ଶିକାର ହୁଏ। ମାଙ୍କଡ଼ର ମନସ୍ତତ୍ତ୍ୱକୁ ବୁଝି ପାରି ମାଙ୍କଡ଼-ଧରାଳି ଏପରି ଫାଶ ବସାଏ। ଆମେ ସମସ୍ତେ ବେଳେ ବେଳେ ମାଙ୍କଡ଼ ଭଳି ଲୋଭର ବଶବର୍ତ୍ତୀ ହୋଇ ମାଙ୍କଡ଼-ଧରାଳି ରୂପୀ ସାଇବର ଅପରାଧୀ ହାତରେ ଧରାପଡୁନେ କି? ସଂଯମ ହୁଅନ୍ତୁ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

ହିମାଂଶୁ ଭୂଷଣ ସ୍ୱାଇଁ (ଓପିଏସ)
ଭୁବନେଶ୍ୱର, ମୋ : ୯୪୩୭୨୦୨୮୧୨

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର