ହାତୀ ଆମ ସମସ୍ତଙ୍କର
ପିଲାଦିନେ ମା’, ଆଈମା’ଙ୍କଠାରୁ କଥାଟିଏ ଶୁଣିଥିଲୁ। ହାତୀ ବନସ୍ତରେ ଥିଲେ ବି ରାଜାଙ୍କର। ଦେଶ ସ୍ୱାଧୀନ ହେବା ପରେ ଜମିଦାରୀ ଓ ରାଜରାଜୁଡ଼ା ଶାସନ ରାଜ୍ୟ ଶାସନ ସହିତ ମିଶ୍ରଣ ହୋଇଗଲା। କିନ୍ତୁ ଏହା ପୂର୍ବରୁ ବଣ ଜଙ୍ଗଲ ରାଜାଙ୍କର ଶାସନାଧୀନ ଥିଲା। ଜଙ୍ଗଲର କାଷ୍ଠ ସମ୍ପଦ ଓ ବନ୍ୟପ୍ରାଣୀ ସମ୍ପଦ ମଧ୍ୟ ଥିଲା ରାଜ ସମ୍ପତ୍ତି। ସେତେବେଳେ ଅନେକ ରାଜାଙ୍କର ଘୋଡ଼ାଶାଳ ପରି ହାତୀଶାଳ ମଧ୍ୟ ଥିଲା। ଜଙ୍ଗଲରେ ‘ଖେଦା’ କରି ଧରାଯାଉଥିବା ବଣୁଆ ହାତୀଙ୍କୁ […]
ପିଲାଦିନେ ମା’, ଆଈମା’ଙ୍କଠାରୁ କଥାଟିଏ ଶୁଣିଥିଲୁ। ହାତୀ ବନସ୍ତରେ ଥିଲେ ବି ରାଜାଙ୍କର। ଦେଶ ସ୍ୱାଧୀନ ହେବା ପରେ ଜମିଦାରୀ ଓ ରାଜରାଜୁଡ଼ା ଶାସନ ରାଜ୍ୟ ଶାସନ ସହିତ ମିଶ୍ରଣ ହୋଇଗଲା। କିନ୍ତୁ ଏହା ପୂର୍ବରୁ ବଣ ଜଙ୍ଗଲ ରାଜାଙ୍କର ଶାସନାଧୀନ ଥିଲା। ଜଙ୍ଗଲର କାଷ୍ଠ ସମ୍ପଦ ଓ ବନ୍ୟପ୍ରାଣୀ ସମ୍ପଦ ମଧ୍ୟ ଥିଲା ରାଜ ସମ୍ପତ୍ତି। ସେତେବେଳେ ଅନେକ ରାଜାଙ୍କର ଘୋଡ଼ାଶାଳ ପରି ହାତୀଶାଳ ମଧ୍ୟ ଥିଲା। ଜଙ୍ଗଲରେ ‘ଖେଦା’ କରି ଧରାଯାଉଥିବା ବଣୁଆ ହାତୀଙ୍କୁ ପୋଷା ହାତୀ ଜରିଆରେ ମଣାଯାଇ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ବଣୁଆ ହାତୀଙ୍କୁ ତାଲିମ୍ ଦେବା ବେଳେ ବଡ଼ ବଡ଼ ମୋଟା ଲୁହା ଶିକୁଳିରେ ସେମାନଙ୍କର ଗୋଡ଼କୁ ବାନ୍ଧି ଦିଆଯାଉଥିଲା। ଲେଖକ ୧୯୮୦ ମସିହାରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ଥିଲା ବେଳେ ଗୁଣୁପୁରରେ ଚନ୍ଦ୍ରପୁର ଜଙ୍ଗଲରେ ଏମିତି ଏକ ହାତୀ ଖେଦା ଥିବାର ଦେଖିଥିଲା ଏବଂ ହାତୀଙ୍କୁ ବାନ୍ଧିବା ପାଇଁ ମୋଟା ଶିକୁଳି ମଧ୍ୟ ସ୍ମାରକୀ ସ୍ୱରୂପ ସେଠାରେ ଗଚ୍ଛିତ ଥିଲା। ଜଙ୍ଗଲରେ ଦନ୍ତାହାତୀଟିଏ ମରିଗଲେ, ତା’ର ଦାନ୍ତ କାଟି ଆଣି ରାଜକୋଷରେ ଜମା କରାଯାଉଥିଲା। ବର୍ତ୍ତମାନ ସମୟରେ ହାତୀ ଆଉ ବନସ୍ତରେ ନ ବୁଲି ଅଧିକ ସଂଖ୍ୟାରେ ଜନପଦରେ ବୁଲୁଛନ୍ତି। ଗାଁ, ଗଣ୍ଡା, କ୍ଷେତ, ବାଡ଼ି ଭିତରକୁ ପଶି ଆସୁଛନ୍ତି ବା ଜନପଦ ଭିତରେ ଦେଇ ଗୋଟିଏ ବଣରୁ ଅନ୍ୟ ବଣକୁ ଯାତାୟତ କରୁଛନ୍ତି। ବିଲରେ ଫସଲ ନଷ୍ଟ କରୁଛନ୍ତି। ଘର ଭାଙ୍ଗି ଦେଉଛନ୍ତି। ମୁହାଁ ମୁହିଁ ହୋଇଗଲେ ଉଭୟ ମଣିଷ ଓ ହାତୀ ମୃତାହତ ହେଉଛନ୍ତି। ଏବେ ତ ଆଉ ରାଜରାଜୁଡ଼ା ଶାସନ ନାହିଁ, ତେଣୁ ହାତୀ ବନସ୍ତରେ ବୁଲୁ ବା ଜଙ୍ଗଲରେ ବୁଲୁ, ତା’ର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଏବଂ ହାତୀ ଉପଦ୍ରବରୁ ଧନଜୀବନର ସୁରକ୍ଷା ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ବନ ବିଭାଗର ଦାୟିତ୍ୱ। ହାତୀ ଦ୍ୱାରା ବା ହାତୀ ଉପଦ୍ରବରୁ ଯଦି କିଛି କ୍ଷୟକ୍ଷତି ଘଟିଲା, ତେବେ ସବୁ ଦୋଷ ବନ ବିଭାଗ ମୁଣ୍ଡରେ।
ପନ୍ଦର ବର୍ଷ ପୂର୍ବରୁ ଓଡ଼ିଶାର ୧୭ଟି ଜିଲ୍ଲାରେ ହାତୀ ଦେଖିବାକୁ ମିଳୁଥିଲେ। ଏବେ ରାଜ୍ୟର ତିରିଶଟି ଜିଲ୍ଲା ମଧ୍ୟରୁ ୨୮ଟି ଜିଲ୍ଲାରେ ହାତୀମାନଙ୍କର ଆବିର୍ଭାବ ଘଟିଲାଣି। ହାତୀପଲ କାହିଁକି ନିଜ ନିଜର ଜଙ୍ଗଲ ବାସସ୍ଥଳୀ ବା ଜଙ୍ଗଲ ପରିସଂସ୍ଥାରୁ ବାହାରି ଜନବସତି ମଧ୍ୟରେ ପ୍ରବେଶ କରୁଛନ୍ତି, ମୋ ବିଚାରରେ ତା’ର ତିନି ଚାରୋଟି କାରଣ ରହିଛି।
ହାତୀ ସ୍ଥଳ ଭାଗର ବୃହତକାୟ ପ୍ରାଣୀ। ଏପରି ଏକ ଜୀବ ବଞ୍ଚି ରହିବା ପାଇଁ ଦୈନନ୍ଦିନ ବିପୁଳ ପରିମାଣର ଆହାର ଓ ପାନୀୟ ଆବଶ୍ୟକ। ଗୋଟିଏ ବୟସ୍କ ହାତୀ ଦିନକୁ ପ୍ରାୟ ୧୫୦ କିଲୋଗ୍ରାମ ଓଜନର ଡାଳପତ୍ର ଓ ଘାସ ଖାଇଥାଏ। ଥରେକେ ପ୍ରାୟ ୧୦୦ ଲିଟର ପାଣି ପିଏ। ଖାଦ୍ୟ ଓ ପାନୀୟ ପାଇଁ ହାତୀକୁ ନିତିଦିନ ତେର ଅଞ୍ଚଳ ବୁଲିବାକୁ ହୋଇଥାଏ। ପ୍ରତିଦିନ କେବଳ ପେଟ ଭରିବା ପାଇଁ ଖାଦ୍ୟ ସଂଗ୍ରହ କରିବାରେ ହାତୀର ୧୪ ରୁ ୧୯ ଘଣ୍ଟା ସମୟ ବିତିଯାଏ। ଗୋଟିଏ ଆବାସସ୍ଥଳୀର ଜଙ୍ଗଲ ପତଳା ହୋଇଗଲେ ଏବଂ ଖରାଦିନେ ଜଙ୍ଗଲ ଇଲାକାରେ ବୋହି ଯାଇଥିବା ନାଳ ଓ ଆଡ଼ିବନ୍ଧ ଶୁଖିଗଲେ ସେମାନେ ଖାଦ୍ୟ ଓ ପାନୀୟ ସନ୍ଧାନରେ ଦୂର ଦୂରାନ୍ତକୁ ଯାଇ ଅନ୍ୟ ଜଙ୍ଗଲର ସନ୍ଧାନ କରନ୍ତି। ସାଧାରଣ ପରିସ୍ଥିତିରେ ଗୋଟିଏ ହାତୀ ପ୍ରାୟ ୧୦ ରୁ ୨୦ ବର୍ଗକିଲୋମିଟର ଇଲାକାରେ ବୁଲିବା ଦେଖାଯାଇଛି। ଦନ୍ତାହାତୀ, ଦଳ ବାହାରେ ଏକୁଟିଆ ଥିଲେ ଅପେକ୍ଷାକୃତ ଅଧିକ ଇଲାକା ପରିଭ୍ରମଣ କରିଥାଏ।
ଦ୍ୱିତୀୟରେ ଆହାର ଓ ପାନୀୟ ଅନ୍ୱେଷଣ ବ୍ୟତୀତ ଆନ୍ତଃ ଅଭିଜନନ ଏଡ଼ାଇବା ପାଇଁ ଓ ଅନ୍ୟ ଦଳ ସହିତ ମିଶି ସୁସ୍ଥ, ସବଳ ବଂଶ ବିସ୍ତାର କରିବା ପାଇଁ ହାତୀପଲର ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ପରିବ୍ରଜନ ଏକାନ୍ତ ଆବଶ୍ୟକ। ସେଥିପାଇଁ ହାତୀ ଚଲାପଥ ଓ ସଂଯୋଗ ପଥର ଆବଶ୍ୟକତା ରହିଛି। ଦଳର ପୁରୁଖା ହାତୀମାନେ ସେମାନଙ୍କର ପ୍ରଖର ସ୍ମରଣ ଶକ୍ତି ଦ୍ୱାରା ପରିବ୍ରଜନ ନିମନ୍ତେ ଅନ୍ୟମାନଙ୍କୁ ସଠିକ୍ ରାସ୍ତା ଦେଖେଇଥା’ନ୍ତି। ପୂର୍ବରୁ ହାତୀପଲ ଗୋଟିଏ ଆବାସସ୍ଥଳୀରୁ ଅନ୍ୟ ଏକ ଆବାସସ୍ଥଳୀକୁ ସୁରୁଖୁରୁରେ ଯାତାୟତ କରିବା ପାଇଁ ୯ ଗୋଟି ହାତୀ ଚଲାପଥ ଚିହ୍ନଟ କରାଯାଇଥିଲା। ଏବେ ବାସ୍ତବ ପରିସ୍ଥିତିକୁ ଲକ୍ଷ୍ୟ ରଖି ଆହୁରି ୫ଗୋଟି ହାତୀ ଚଲାପଥ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି- (୧) ଦେଉଳି ଓ ଶୁଳିଆପଦା ଜଙ୍ଗଲରୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ମଧ୍ୟ ଦେଇ ପଶ୍ଚିମବଙ୍ଗର ମେଦିନାପୁର ପର୍ଯ୍ୟନ୍ତ, (୨)କେନ୍ଦୁଝର ଜିଲ୍ଲାର ତେଲକୋଇଠାରୁ ଅନୁଗୁଳ ଜିଲ୍ଲାର ପାଲଲହଡ଼ା ପର୍ଯ୍ୟନ୍ତ, (୩) ଢେଙ୍କାନାଳ ଜିଲ୍ଲାର ମଉଳାଭଞ୍ଜ, ଜିରାଡ଼ିନାଳଠାରୁ ଅନନ୍ତପୁର ପର୍ଯ୍ୟନ୍ତ, (୪) କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର କରଲାପାଟ ଅଭୟାରଣ୍ୟରୁ ଉର୍ଲାଦାନି ଜଙ୍ଗଲ ଏବଂ (୫) ସୋନପୁର ଓ ବୌଦ୍ଧ ଜିଲ୍ଲାର ବାରପାହାଡ଼ ଏବଂ କଣ୍ଟାମାଳ ଜଙ୍ଗଲ।
ବାସ୍ତବ କ୍ଷେତ୍ରରେ ଯାହା ଦେଖାଯାଉଛି, ପ୍ରାକୃତିକ ଚଲାପଥଗୁଡ଼ିକ ମଧ୍ୟ ବିଭିନ୍ନ କାରଣରୁ ଏବେ ଖଣ୍ଡ ବିଖଣ୍ଡିତ। ଖଣି ଖାଦାନ, ଜାତୀୟ ରାଜପଥ, ରେଳପଥ, କେନାଲ, ଜଳଭଣ୍ଡାର ଏବଂ ବିଭିନ୍ନ ସ୍ଥାନରେ ଗଢ଼ି ଉଠୁଥିବା ଶିଳ୍ପ, କଳକାରଖାନା, ସହର ବଜାର, କୋଠା ବାଡ଼ି କାରଣରୁ ପୂର୍ବରୁ ଚିହ୍ନଟ ହୋଇଥିବା ହାତୀ ଚଲାପଥ ଏବେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ସଂଯୁକ୍ତ କରିପାରୁନାହିଁ। ଜଙ୍ଗଲରେ ଅବାଧ ଗଛକଟା, ଗୋ ଚାରଣ ଏବଂ ବାରମ୍ବାର ନିଆଁ ଲାଗିବା ଫଳରେ ହାତୀ ଉପଯୋଗୀ ଖାଦ୍ୟ ପରିସଂସ୍ଥ ସଂଖ୍ୟା କମିବାରେ ଲାଗିଛି। ଖାଦ୍ୟ, ପାନୀୟ ଏବଂ ସୁରକ୍ଷିତ ତଥା ଉପଯୁକ୍ତ ବାସସ୍ଥଳୀ ଅନ୍ୱେଷଣରେ ହାତୀପଲ ଦୂର ଦୂରାନ୍ତକୁ ଅନ୍ୟ ଜଙ୍ଗଲର ସନ୍ଧାନରେ ବାହାରି ଯାଆନ୍ତି। ଆବଶ୍ୟକ ସ୍ଥଳେ ସେମାନେ ଦୈନିକ ୩୦ ରୁ ୪୦ କିଲୋମିଟର ଦୂରତା ଅତିକ୍ରମ କରିପାରନ୍ତି।
ହାତୀମାନଙ୍କର ଯାତାୟତରେ କୌଣସି ଭୌଗୋଳିକ ସୀମା ସରହଦ ନାହିଁ। ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ଅବସରରେ ସେମାନେ ରାଜ୍ୟର ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ଚାଲି ଯାଇଥାଆନ୍ତି। ଏପରିକି ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ମଧ୍ୟ ଚାଲିଯାଇ ବସତି ସ୍ଥାପନ କରନ୍ତି। ୨୦୦୭ ମସିହାରେ ଆମ ରାଜ୍ୟରେ ଏମିତି ଏକ ଘଟଣା ଘଟିଥିଲା। ଗୁଣୁପୁର ଜିଲ୍ଲାରୁ ସାତ/ଆଠଟି ହାତୀ ବିଶିଷ୍ଟ ଗୋଟିଏ ଦଳ ରାଜ୍ୟ ସୀମା ପାର ହୋଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାକୁ ଚାଲିଯାଇଥିଲେ। ପୂର୍ବରୁ ସେହି ଜିଲ୍ଲାରେ ଆଦୌ ହାତୀ ନଥିଲେ। ତେଣୁ କୌତୁହଳବଶତଃ କିଛି ଲୋକ ହାତୀ ସାମନାକୁ ଚାଲିଆସିବାରୁ ଏକାଧିକ ମୃତାହତ ଘଟଣା ମଧ୍ୟ ଘଟିଲା। ଆନ୍ଧ୍ର ବନ ବିଭାଗ ଓଡ଼ିଶା ବନ ବିଭାଗକୁ ଜଣାଇଲା, ତୁମ ହାତୀ ତୁମେ ଫେରେଇ ନିଅ। ଆମେ ମଧ୍ୟ ଫେରେଇ ଆଣିବାକୁ ଚେଷ୍ଟା କଲୁ। ଟ୍ରକ୍ରେ ସ୍ଥାନାନ୍ତରଣ ବେଳେ ଗୋଟିଏ ହାତୀର ବାଟରେ ମୃତ୍ୟୁ ଘଟିଲା ଏବଂ ଅନ୍ୟ ଏକ ହାତୀକୁ ଆଣି ‘ଲାଖାରି’ ଅଭୟାରଣ୍ୟରେ ଛାଡ଼ିବାର କିଛିଦିନ ପରେ ତା’ର ମଧ୍ୟ ସେଠାରେ ମୃତ୍ୟୁ ଘଟିଲା। ହାତୀଙ୍କୁ ଫେରେଇ ଆଣିବା ପ୍ରସ୍ତାବ ସେତିକିରେ ବନ୍ଦ ରହିଲା।
୨୦୦୮ ମସିହାରେ ଲେଖକ ରାଜ୍ୟ ବନ୍ୟପ୍ରାଣୀ ବିଭାଗର ମୁଖ୍ୟ ଦାୟିତ୍ୱ ଦେଲା ପରେ ବିଶାଖାପାଟଣା ବନ ବିଭାଗ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଯୁକ୍ତି ବାଢ଼ିଥିଲି ‘ଆମ ହାତୀ’, ‘ତମ ହାତୀ’ କ’ଣ? ହାତୀମାନଙ୍କର ଯାତାୟତ ପାଇଁ କିଛି ଭୌଗୋଳିକ ପ୍ରତିବନ୍ଧକ ଅଛି କି? ହାତୀ ବନସ୍ତରେ ରହିଲେ ବି ରାଜାଙ୍କର। ତେଣୁ ଏବେ ସେମାନେ ଆପଣଙ୍କ ଜଙ୍ଗଲରେ ଅଛନ୍ତି। ତେଣୁ ଆପଣ ତା’ର ମାଲିକ। ଆନ୍ଧ୍ର ବନ ବିଭାଗ ମଧ୍ୟ ଆଉ ସେମାନଙ୍କୁ ଫେରେଇ ନେବାକୁ ଯିଦ୍ କଲେନି। କାରଣ ସେ ସମୟକୁ ହାତୀପଲ ସେଠିକାର ଜଙ୍ଗଲରେ ଥଇଥାନ ହୋଇସାରିଥିଲେ। ସେହିପରି ଝାଡ଼ଖଣ୍ଡର ଗୋଟିଏ ବା ଦୁଇଟି ହାତୀପଲ ପ୍ରତିବର୍ଷ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଦେଇ ଓଡ଼ିଶାର ବାଲେଶ୍ୱର ଏବଂ ବେତନଟୀରେ ପ୍ରବେଶ କରିଥା’ନ୍ତି ଏବଂ କିଛିମାସ ପରେ ପୁନଶ୍ଚ ନିଜ ସ୍ଥାନକୁ ଫେରିଯା’ନ୍ତି। ଗୋଟିଏ ଜିଲ୍ଳାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ବା ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଯିବା ଅବସରରେ ହାତୀପଲଙ୍କୁ ଅନେକ ଗାଁ ଗଣ୍ଡା, ବିଲବାଡ଼ି, ଜନପଦ ଅତିକ୍ରମ କରିବାକୁ ପଡ଼େ। ଏହି ଅବସରରେ ହାତୀ ମଣିଷ ମୁହାଁମୁହିଁ ହୁଅନ୍ତି। ମୁହାଁମୁହିଁରୁ ସଂଘର୍ଷର ଉତ୍ପତ୍ତି।
ଏଠି ହାତୀ ମଣିଷ ମୁହାଁମୁହିଁ ହେବା ପଛରେ ଥିବା ଅନ୍ୟ ଏକ ପ୍ରସଙ୍ଗ ମଧ୍ୟ ଆଲୋଚନାର ଅପେକ୍ଷା ରଖେ। ୨୦୦୬ ମସିହାରେ ଜଙ୍ଗଲ ଅଧିକାରର ଆଇନ ପ୍ରଣୀତ ହେଲା। ଏହି ଆଇନ ମୁତାବକ ଜଙ୍ଗଲ ଭିତରେ ପିଢ଼ି ପିଢ଼ି ଧରି ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ସେମାନେ ରହି ଆସୁଥିବା ସ୍ଥାନରେ ପଟ୍ଟା ଦେଇ ଥଇଥାନ କରାଯାଉଛି। ଏହି ପ୍ରକ୍ରିୟାରେ ଆମେ ହାତୀର ପାରମ୍ପରିକ ଆବାସ ସ୍ଥଳୀରେ ଅନୁପ୍ରବେଶ କରୁଛେ। ନିଜ ଚିରାଚରିତ ରାସ୍ତାରେ ଯାତାୟତ କଲା ବେଳେ ରାସ୍ତା ମଝିରେ କଚା ଘରଟିଏ ପଡ଼ିଲେ ବା ସେ ଘର ଭିତରୁ ମହୁଲି ମଦର ବାସ୍ନା ଆସୁଥିଲେ, ହାତୀ କେମିତି ଜାଣିବ ଏହି ଘରଟି ସରକାରୀ ଆଇନ ମୁତାବକ ତିଆରି ହୋଇଛି ନା ନାହିଁ? କିମ୍ବା ଘରର ମାଲିକ ଏଠି ଆଇନତଃ ବସବାସ କରିବାକୁ ସ୍ୱୀକୃତିପ୍ରାପ୍ତ କି ନୁହେଁ? ଏଇଠୁ ଆରମ୍ଭ ହୋଇଯାଏ ହାତୀ-ମଣିଷ ସଂଘର୍ଷର ଅନ୍ୟ ଏକ ଅଧ୍ୟାୟ।
ଆଗରୁ କୁହାଯାଉଥିଲା ହାତୀ ବନସ୍ତରେ ଥିଲେ ବି ରାଜାଙ୍କର। ଏବେ ତ ରାଜରାଜୁଡ଼ା ଶାସନ ନାହିଁ। ତେଣୁ ହାତୀ ବନସ୍ତରେ ଥାଉ ବା ଜନପଦରେ ଥାଉ, ଘର ଦ୍ୱାର ଭାଙ୍ଗୁ ବା କ୍ଷେତରେ ଫସଲ ନଷ୍ଟ କରୁ; ହାତୀ ମଣିଷକୁ ମାରୁ ବା ମନୁଷ୍ୟ ପ୍ରତିକ୍ରିୟାଶୀଳ ହୋଇ ହାତୀ ମୃତ୍ୟୁର କାରଣ ହେଉ, ସବୁ ଦୋଷ ରାଜ୍ୟ ସରକାରଙ୍କର ପ୍ରତିନିଧିତ୍ୱ କରୁଥିବା ବନବିଭାଗର। ଡ. ବିଜୟ କେତନ ପଟ୍ଟନାୟକ ଭୁବନେଶ୍ୱର, ମୋ: ୯୪୩୭୦୦୦୯୦୪





