ମନୋରଞ୍ଜନ
କାହିଁ ମାନବତା, କାହିଁ ପ୍ରେମ ସୁନ୍ଦର!
ଅଟ୍ଟାରି-ୱାଘା ସୀମାରେ ବହୁଥିବା ପବନରୁ ଝରୁଥିଲା ଠୋପା ଠୋପା ଲୋତକବିନ୍ଦୁ; ଧରଣୀ ମାତା ତା’ର ଅଞ୍ଚଳରେ ପୋଛି ଚାଲିଥିଲା ଲୋତକାପ୍ଲୁତ ଚକ୍ଷୁ। ‘ସର୍ବେଷାଂ ନୋ ଜନନୀ’ ଭାରତ ଭୂମିର ଏଇ ସୀମାନ୍ତ ମଞ୍ଚରେ ଅଭିନୀତ ହୋଇ ଚାଲିଥିଲା କରୁଣତମ ଦୃଶ୍ୟ – ଉଣେଇଶହ ସତଚାଳିଶ ମସିହାର ଦେଶ ବିଭାଜନ ସମୟ ଦୃଶ୍ୟର ସଦ୍ୟତମ ସଂସ୍କରଣ। ଅଦୃଷ୍ଟର କ୍ରୂର ପରିହାସର ଶରବ୍ୟ ଆଜି ଏଇ ଯେଉଁମାନେ, କେବେ ଦିନେ ସେମାନେ ଭିନ୍ନ ଭିନ୍ନ ପରିସ୍ଥିତିରେ, ଭିନ୍ନ ଭିନ୍ନ କୋମଳ […]
ଅଟ୍ଟାରି-ୱାଘା ସୀମାରେ ବହୁଥିବା ପବନରୁ ଝରୁଥିଲା ଠୋପା ଠୋପା ଲୋତକବିନ୍ଦୁ; ଧରଣୀ ମାତା ତା’ର ଅଞ୍ଚଳରେ ପୋଛି ଚାଲିଥିଲା ଲୋତକାପ୍ଲୁତ ଚକ୍ଷୁ। ‘ସର୍ବେଷାଂ ନୋ ଜନନୀ’ ଭାରତ ଭୂମିର ଏଇ ସୀମାନ୍ତ ମଞ୍ଚରେ ଅଭିନୀତ ହୋଇ ଚାଲିଥିଲା କରୁଣତମ ଦୃଶ୍ୟ – ଉଣେଇଶହ ସତଚାଳିଶ ମସିହାର ଦେଶ ବିଭାଜନ ସମୟ ଦୃଶ୍ୟର ସଦ୍ୟତମ ସଂସ୍କରଣ। ଅଦୃଷ୍ଟର କ୍ରୂର ପରିହାସର ଶରବ୍ୟ ଆଜି ଏଇ ଯେଉଁମାନେ, କେବେ ଦିନେ ସେମାନେ ଭିନ୍ନ ଭିନ୍ନ ପରିସ୍ଥିତିରେ, ଭିନ୍ନ ଭିନ୍ନ କୋମଳ ମାନବିକ ଆବେଗର ପ୍ରାବଲ୍ୟରେ ଆକର୍ଷିତ ହୋଇ ଚାଲି ଆସିଥିଲେ ସଭିଙ୍କୁ କୋଳାଗ୍ରତ କରି ନେଉଥିବା ଭାରତର ମାଟିକୁ। କିନ୍ତୁ ସେମାନେ ଭୁଲି ଯାଇଥିଲେ ଯେ ସେମାନେ ପାକିସ୍ତାନୀ। ସେମାନଙ୍କ ପିଠିରେ ଥାପି ହୋଇ ରହିଛି ଯେଉଁ ମୋହରଟି, ସେଇଥିରେ ଲେଖା ହୋଇଛି ‘ପାକିସ୍ତାନ’, ଯା’ର ପ୍ରତିଟି ଅକ୍ଷର ରକ୍ତରଙ୍ଗଭିଜା। ଯେତେ ପ୍ରସ୍ତ ପୋଷାକରେ ସେ ଲେଖାଟିକୁ ଆବୃତ କରିଥିଲେ ମଧ୍ୟ ସବୁ ପ୍ରସ୍ତକୁ ଭେଦକରି ତାହା ଦିଶିଯାଉଥିବ ବାହାରକୁ।
ଯେଉଁ ଧର୍ମାନ୍ଧମାନଙ୍କ ଅବିମୃଶ୍ୟକାରୀ ରାଜନୈତିକ ଚକ୍ରାନ୍ତର ଫଳଶ୍ରୁତି ହେଉଛି ପାକିସ୍ତାନ, ସେଇମାନଙ୍କ ଦାୟାଦମାନେ ଆଜି ଯେଉଁ ଆତଙ୍କବାଦର ହୋରି ଖେଳି ଚାଲିଛନ୍ତି, ଯେଉଁ ଘୃଣା ବିଦ୍ୱେଷର ପଶାପାଲି ମେଲି ଦେଇଛନ୍ତି, ସେଇ ଖେଳର ଗୋଟି ହୋଇ ବଳି ପଡୁଥିବା ନିରୀହ ମଣିଷମାନଙ୍କ ଭିଡ଼ ଅଟ୍ଟାରି-ୱାଘା ସୀମାରେ। ସେଇଠି କିଂକର୍ତ୍ତବ୍ୟବିମୂଢ଼ ‘ପାକିସ୍ତାନୀ’ମାନଙ୍କ ନିଃଶବ୍ଦ କାନ୍ଦଣାରେ ଫାଟି ପଡୁଥିଲା ସୀମାନ୍ତ ଭୂଇଁ। କୁନିକୁନି ଦୁଇ ପୁଅଝିଅଙ୍କୁ ଛାଡ଼ି ଭାରତ ମାଟିରୁ ବିତାଡ଼ିତ ହେଉଥିବା ପାକିସ୍ତାନୀ ମାଆର ଛାତିଫଟା କାନ୍ଦ, ଗର୍ଭବତୀ ପାକିସ୍ତାନୀ ପତ୍ନୀକୁ ଆରପଟକୁ ପଠାଇ ଦେବାକୁ ଆସିଥିବା ହିନ୍ଦୁ ସ୍ୱାମୀର ନିର୍ବେଦ ଅସହାୟତା, ପାକିସ୍ତାନୀ ନାଗରିକ ଜଣେ ଅଶୀତିପର ବୃଦ୍ଧ ହିନ୍ଦୁ ‘ବାପା’ ପୁଅ-ବୋହୂଙ୍କଠାରୁ ବିଦାୟ ନେଇ ସୀମା ପାର ହେବା ବେଳର ସେ ହୃଦୟ ବିଦାରକ ଦୃଶ୍ୟ, ଦୁଇ ସନ୍ତାନକୁ ଆଉ କେବେ ଦେଖି ନ ପାରିବାର ଦାରୁଣ ବେଦନାକୁ ଛାତିରେ ଚାପି ଭାରତର ମାଟି ଛାଡ଼ି ଦେଉଥିବା ପାକିସ୍ତାନୀ ‘ବାପା’ର କାକୁସ୍ଥ ଚାହାଣୀ – କେଉଁ ନୀତି, କେଉଁ ଆଦର୍ଶର ମୋହାଞ୍ଜନ ଆଖିରେ ବୋଳି ଦେଇ ମଣିଷର ଏ ଦୁର୍ଦ୍ଦଶା, ଏ ଦୁଃସହ ନିର୍ଯାତନା ଦେଖି ଆମେ ନିର୍ବିକାର ରହିପାରିବା?
ଆମକୁ କିନ୍ତୁ ନିର୍ବିକାର ରହିବାକୁ ହେବ। ଆମ ଭିତରର ସକଳ କୋମଳ ଭାବାବେଗ, ସକଳ ସ୍ୱାଭାବିକ ମାନବିକ ଦରଦ ଓ ସମ୍ବେଦନଶୀଳତାକୁ ମାରି ଦେବାକୁ ହେବ। ଏହା ହିଁ ହେଉଛି ଆମର ଭାଗ୍ୟ। ଆମେ ନିରୁପାୟ। ଆମରି ଭୂଖଣ୍ଡରୁ ଛୋଟ ଖଣ୍ଡଟିଏ ଅଲଗା କରି ଦେଇ, ଆମରି ଠାରୁ ଆମରି ମଣିଷମାନଙ୍କୁ ଛଡ଼ାଇ ନେଇ ଯେଉଁ ଧର୍ମାନ୍ଧମାନେ ସେମାନଙ୍କ ପିଠିରେ ‘ପାକିସ୍ତାନ’ ମୋହରଟି ଥାପି ଦେଲେ ଏବଂ ତାହାହିଁ ତାଙ୍କର ସତ ପରିଚୟ ବୋଲି ଭାବି ଯେଉଁମାନେ ସେହି ଦୁଷ୍ଟମତିମାନଙ୍କର କ୍ରୀଡ଼ନକ ପାଲଟି ଭାରତର ମାଟିରେ ବିଭୀଷିକା ରଚି ଚାଲିଲେ, ସେହି ନିର୍ବୋଧ ଉପଦ୍ରବକାରୀମାନଙ୍କ କୃତକର୍ମର ଫଳ ଭୋଗୁଥିଲେ ଅଟ୍ଟାରି-ୱାଘା ସୀମାରେ ଅବର୍ଣ୍ଣନୀୟ ଅମାନବିକ ପୀଡ଼ନର ଶରବ୍ୟ ହୋଇଥିବା ନିର୍ଦ୍ଦୋଷ ମଣିଷମାନେ। ଏହାହିଁ ଏମାନଙ୍କ ବିଡ଼ମ୍ବିତ ଭାଗ୍ୟ। ଏମାନଙ୍କ ପାଇଁ ଅଦୃଷ୍ଟର କ୍ରୂର ପରିହାସ। ଆଉ ଆମେ ଏମାନଙ୍କର ଏ ପୀଡ଼ନ, ଏ ବେଦନାର ଜ୍ୱାଳାରେ ତିଳେ ତିଳେ ଜଳି ଚାଲିଥିଲେ ମଧ୍ୟ ନିରବ ରହିବାକୁ ବାଧ୍ୟ। ଏହା ବି ଥିଲା ଆମମାନଙ୍କ ପାଇଁ ଆମ ଅଦୃଷ୍ଟର ନିର୍ମମ ନିର୍ଦ୍ଦେଶ।
ସୁଫି ଦାର୍ଶନିକମାନେ କହିଥା’ନ୍ତି, ‘ତମ ଦେହରେ ଯେଉଁଠି ଆଘାତ ଲାଗି ମୁକୁଳା କ୍ଷତଟିଏ ହୋଇଯାଇଛି, ସେଇ କ୍ଷତ ଦେଇ ହିଁ ତମ ଭିତରକୁ ଆଲୋକ ପ୍ରବେଶ କରିଥାଏ’। କାହିଁ କେଉଁ ଅମୃତଝରା ଆଲୋକର ଧାର ତ କେବେ ପ୍ରବେଶ କରୁନି ଧର୍ମାନ୍ଧମାନଙ୍କ ଓ ରୂଢ଼ିବାଦୀମାନଙ୍କ ଛୁରୀକାଘାତରେ ଆମମାନଙ୍କ ଦେହରେ ସୃଷ୍ଟି ହୋଇ ଚାଲିଥିବା ଅସଂଖ୍ୟ ମୁକୁଳା କ୍ଷତମାନଙ୍କରେ! ବରଂ ଦିନକୁ ଦିନ ସେହି କ୍ଷତଗୁଡ଼ିକ ଆହୁରି ଆହୁରି ମେଲି ହୋଇଯାଉଛନ୍ତି। ଧାର ଧାର ହୋଇ କଳା କଳା ରକ୍ତ ବୋହି ଚାଲିଛି ସେଥିରୁ। ଅନ୍ୟ ଏକ ଭୟାନକ କାରଣଟି ଯୋଗୁଁଁ ସେହି କ୍ଷତ ସବୁ ଆଦୌ ଆଉ ଶୁଖିବାର ସମ୍ଭାବନା ନାହିଁ ବୋଲି ଆମେ ଜାଣି ସାରିଲେଣି ମଧ୍ୟ। ଦେଶପ୍ରେମ ବା ରାଷ୍ଟ୍ରପ୍ରେମ ରୂପକ ସତ୍ ଭାବାଦର୍ଶଟି ବିଗତ ଗୋଟିଏ ବା ଦୁଇଟି ଦଶନ୍ଧି ମଧ୍ୟରେ ସ୍ୱାର୍ଥାନ୍ୱେଷୀ ବିଶ୍ୱ ରାଜନୈତିକ ନେତୃବୃନ୍ଦଙ୍କ ଦ୍ୱାରା ଏକ ମାରାତ୍ମକ ଅସ୍ତ୍ରରେ ପରିଣତ ହୋଇସାରିଛି ଏବଂ ସେହି ଅସ୍ତ୍ରାଘାତରେ ଆମ ଦେହର ପ୍ରତିଟି କ୍ଷତ ପୁନଃ ପୁନଃ ବିଦୀର୍ଣ୍ଣ ହୋଇ ଆହୁରି ଆହୁରି ଗଭୀର ହୋଇଚାଲିଛି। ଆମ ବ୍ୟକ୍ତିକ ଓ ସାମୂହିକ ଚେତନାରେ ମେଞ୍ଚା ମେଞ୍ଚା ଅନ୍ଧାର ହିଁ ପ୍ରବେଶ କରି ଚାଲିବା ଆମେ ଦେଖି ଚାଲିଛେ କେବଳ।
ପହଲ୍ଗାମରେ ସନ୍ତ୍ରାସବାଦୀମାନଙ୍କ ନାରକୀୟ କାଣ୍ଡ ପରେ କେଉଁ ଉଦାରବାଦୀ, ପ୍ରଶସ୍ତମନା ଭାରତୀୟ ବିଶ୍ୱଜନୀନ ଆଦର୍ଶ ଓ ବିଚାରଧାରାର ମୁକ୍ତ ପ୍ରବକ୍ତା ହୋଇ ରହିପାରିବ? ଭାରତର ମାଟିକୁ ଲହୁଲୁହରେ କର୍ଦ୍ଦମାକ୍ତ କରିଚାଲିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ଶତକଡ଼ା ଅନେଶୋତ ଭାଗ ଯେତେବେଳେ ନିର୍ଦ୍ଦିଷ୍ଟ ଗୋଟିଏ ଧର୍ମର ଅନୁଗାମୀ, ସେତେବେଳେ ସନାତନୀ ଭାବଧାରାର କେଉଁ ମଣିଷ ସେହି ଧର୍ମ ପ୍ରତି ସାମାନ୍ୟ ଆଦରଭାବ ପୋଷଣ କରିପାରିବ? ବଡ଼ ବିଷମ, ବଡ଼ ଦ୍ୱନ୍ଦ୍ୱପୀଡ଼ିତ ମାନସିକ ଓ ଚେତନାଗତ ସ୍ଥିତିରେ ତେଣୁ ଆଜି ଉଦାରବାଦୀ ସତ୍ମଣିଷମାନେ। ଯାହା ସେମାନେ ଦେଖିପାରିବେ ନାହିଁ, ତାହା ଦେଖିବାକୁ ସେମାନେ ଏବେ ବାଧ୍ୟ।
କବି ରବୀନ୍ଦ୍ରନାଥ କହିଥିଲେ, ‘ଦେଶପ୍ରେମ ନୁହେଁ, ବିଶ୍ୱପ୍ରେମ ହେଉଛି ମୋର ଆଧ୍ୟାତ୍ମିକତା। ମାନବତା ହେଉଛି ମୋର ଆଧ୍ୟାତ୍ମିକ ଆଶ୍ରୟସ୍ଥଳ’। ଆଜି କିନ୍ତୁ ଆମେ ଏପରି ଏକ ବିଷାକ୍ତ ପରିବେଶରେ ବଞ୍ଚୁଛେ, ଏପରି ଉନ୍ମାଦନାର ଶରବ୍ୟ ହୋଇ ଚାଲିଛେ ଯେ କ୍ଷମା, କରୁଣା, ସହିଷ୍ଣୁତା, ଭ୍ରାତୃତ୍ୱଭାବ ପରି ମହତ୍ ମାନବିକ ବୃତ୍ତି ସବୁକୁ ପଛକୁ ଠେଲିଦେଇ ଦେଶପ୍ରେମ ଆଳରେ ନିରୋଳା ଅମାନବୀୟ ପ୍ରତିଶୋଧପରାଣୟତାକୁ ଅଗ୍ରାଧିକାର ଦେବାଟା ଶ୍ରେୟସ୍କର ବୋଲି ଗ୍ରହଣ କରିନେଇଛେ। ଦେଶପ୍ରେମ ସହିତ ସ୍ୱାଭାବିକ ମାନବିକ ଦରଦ ଓ ନୈତିକତାର ସମ୍ପର୍କ ସବୁବେଳେ ରହିବା ଉଚିତ ନୁହେଁ ବୋଲି ବିଚାରିବାକୁ ବାଧ୍ୟ ହେଉଛେ। ଏକବିଂଶ ଶତାବ୍ଦୀର ବିଶ୍ୱରେ ଏହା ଏକ କରୁଣ ବିଡ଼ମ୍ବନା ନୁହେଁ କି?
ଏ ସଂକଟଜନକ ପରିପ୍ରେକ୍ଷୀରେ ଆଦୌ କାହାକୁ କିଛି ପ୍ରଶ୍ନ ନକରିବାକୁ ଚେତାବନୀ ମିଳିଥିଲେ ମଧ୍ୟ ଏ ଲେଖକ ପରି ସଚେତନ ପାଠକ/ ପାଠିକାମାନେ ନିଶ୍ଚୟ ଏଇ କେତୋଟି ପ୍ରଶ୍ନ ପଚାରିବାକୁ ଚାହିଁବେ:- ଯେଉଁ ମଣିଷମାନେ ଶାନ୍ତି, ସୌହାର୍ଦ୍ଦ୍ୟର ସହ ବର୍ଷ ବର୍ଷ ଧରି ଆମରି ମାଟିରେ ରହିଛନ୍ତି, ଯେଉଁ ମଣିଷମାନେ ଆମରି ମାଟିର ମହକରେ ବିମୋହିତ ହୋଇ କୌଣସି ନା କୌଣସି କାରଣରୁ ନିକଟ ଅତୀତରେ ଆମ ଗହଣକୁ ଚାଲି ଆସିଛନ୍ତି, ଯେଉଁ ମଣିଷମାନେ ଆମର କିମ୍ବା ଆମ ଦେଶର ସାମାନ୍ୟତମ କ୍ଷତି କେବେ ଚାହିଁନାହାନ୍ତି କି ଆମ ଦେଶର ଆଇନକାନୁନ୍ ବା ବିଧିବ୍ୟବସ୍ଥାର ପ୍ରକାଶ୍ୟ ଉଲ୍ଲଙ୍ଘନ କରିନାହାନ୍ତି, ସେହିମାନଙ୍କୁ ଆମ ଦେଶର ନାଗରିକ ଭାବରେ ଗ୍ରହଣ କରିନେବା ପାଇଁ ଆଇନାନୁମୋଦିତ ସରକାରୀ ପଦକ୍ଷେପ କ’ଣ ନିଆଯାଇ ପାରି ନ ଥା’ନ୍ତା? ଦେଶାନ୍ତର କ’ଣ ନିଚ୍ଛକ ଦେଶପ୍ରେମର ଏକମାତ୍ର ସ୍ୱାକ୍ଷର? ‘ଅତିଥି ଦେବୋଭବଃ’ ଓ ‘ବସୁଧୈବ କୁଟୁମ୍ବକମ୍’ ପରି ସନାତନୀ ଭାବାଦର୍ଶର ପରିପାଳନ କ’ଣ ଏହି ପ୍ରତିଶୋଧ ବିଜଡ଼ିତ ଦେଶାତ୍ମବୋଧ ଭାବାବେଗ ଅନୁସାରୀ ପାଳନ କରିବାକୁ ହେବ?
ସତ୍ମଣିଷ ସର୍ବଦା ସ୍ମରଣ ରଖିବା ଉଚିତ୍ ଯେ ନୈତିକତାବିହୀନ, ମାନବିକ ଦରଦ ଓ ସମ୍ବେଦନଶୀଳତାବିହୀନ କୌଣସି ଆଦର୍ଶ – ତାହା ଦେଶପ୍ରେମ ବା ଜାତିପ୍ରେମ ହେଉ ପଛେ – କେବେହେଲେ ପରିପୋଷଣୀୟ ଆଦର୍ଶ ହୋଇପାରିବ ନାହିଁ। ଦାର୍ଶନିକ ଜଣେ ତ କହିଥିଲେ, ‘ଦୁର୍ବଳ, ପୀଡ଼ିତ, ଆର୍ତ୍ତ ମଣିଷର ମୁହଁ ଆମକୁ ଯେତେବେଳେ ଦିଶିଯାଏ, ସେତିକିବେଳେ ଆମ ଭିତରେ ନୈତିକତା ଓ ବିଶୁଦ୍ଧ ମାନବିକତାର ଫଲ୍ଗୁ ବିଚ୍ଛୁରିତ ହେବା ଆରମ୍ଭ କରି ଦେଇଥାଏ’। ତେଣୁ ଏହି ପ୍ରଶ୍ନଟି ଆମ ମନରେ ଉଠିବା ସ୍ୱାଭାବିକ ଯେ ଅଟ୍ଟାରି-ୱାଘା ସୀମାରେ ସେ ଭାଗ୍ୟହୀନ ମଣିଷମାନଙ୍କ ଲୁହଭିଜା ମୁହଁମାନ ଦେଖିବା ପରେ ଆମ ଭାବରାଜ୍ୟରେ କିମ୍ବା ଆମ ଶତ୍ରୁମାନଙ୍କ ଭାବରାଜ୍ୟରେ ସକାରାତ୍ମକ ପରିବର୍ତ୍ତନ ହେବ ବୋଲି ଆମେ ଦୂରନ୍ତ ଆଶାଟିଏ ପୋଷଣ କରିପାରିବା କି?
ଦୁର୍ଗାପ୍ରସାଦ ଆଚାର୍ଯ୍ୟ
କୋତିଆଁ ବାରଙ୍ଗ(ଜଗତସିଂହପୁର)
ମୋ: ୯୮୫୩୩୫୫୧୦୭






