ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍
ଆଜି ସେପ୍ଟେମ୍ୱର ୫। ଗୁରୁ ଦିବସ। ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମ ଜୟନ୍ତୀ। ସେ ଜଣେ ଆଦର୍ଶ ଶିକ୍ଷକ, ଦାର୍ଶନିକ, ଦୂରଦର୍ଶୀ ରାଜନେତା ତଥା ପୃଥିବୀର ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ପରିଚିତ। ଶିକ୍ଷା, ଧର୍ମ, ସଂସ୍କାର ଓ ଗବେଷଣାର ପ୍ରୟୋଗକୁ ନେଇ ରାଧାକ୍ରିଷ୍ଣନଙ୍କ ଅନେକ ଆଲେଖ୍ୟ ରହିଛି, ଯାହା ଆଜି ବି ଶିକ୍ଷା ସଂସ୍କାର କ୍ଷେତ୍ରରେ ବ୍ୟବହାର କରାଯାଉଛି। ସେ ଏକବିଂଶ ଶତାବ୍ଦୀର ଆଗ୍ରଗାମୀ ଓ ଅଦ୍ୱିତୀୟ ଶିକ୍ଷାବିତ। ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଏକ […]
ଆଜି ସେପ୍ଟେମ୍ୱର ୫। ଗୁରୁ ଦିବସ। ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମ ଜୟନ୍ତୀ। ସେ ଜଣେ ଆଦର୍ଶ ଶିକ୍ଷକ, ଦାର୍ଶନିକ, ଦୂରଦର୍ଶୀ ରାଜନେତା ତଥା ପୃଥିବୀର ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ପରିଚିତ। ଶିକ୍ଷା, ଧର୍ମ, ସଂସ୍କାର ଓ ଗବେଷଣାର ପ୍ରୟୋଗକୁ ନେଇ ରାଧାକ୍ରିଷ୍ଣନଙ୍କ ଅନେକ ଆଲେଖ୍ୟ ରହିଛି, ଯାହା ଆଜି ବି ଶିକ୍ଷା ସଂସ୍କାର କ୍ଷେତ୍ରରେ ବ୍ୟବହାର କରାଯାଉଛି। ସେ ଏକବିଂଶ ଶତାବ୍ଦୀର ଆଗ୍ରଗାମୀ ଓ ଅଦ୍ୱିତୀୟ ଶିକ୍ଷାବିତ।
ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଏକ ପ୍ରତିଷ୍ଠିତ ଶିକ୍ଷାର ମନ୍ଦିର। ସେ ମନ୍ଦିରରୁ ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କ ଭାରତୀୟ ସମାଜରେ ଶିକ୍ଷାର ଆବଶ୍ୟକତାକୁ ନେଇ ୧୯୬୩ରେ ହୋଇଥିବା ଆଲୋଚନାର ପ୍ରସାଙ୍ଗିକତା ପଚାଶ ବର୍ଷ ପରେ ଆଜିବି ରହିଛି। ସେ ଦିନ, ୨ ଜାନୁଆରୀ ୧୯୬୩। ସମଗ୍ର ଓଡ଼ିଶା ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ସ୍ମରଣୀୟ ଦିନ। ରାଷ୍ଟ୍ରପତି ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନ ଅତିଥି ଭାବେ ଆସିଥା’ନ୍ତି। ସେଦିନ ନୂଆ କ୍ୟାମ୍ପସର ଉଦ୍ଘାଟନ ସାଙ୍ଗେ ସମାବର୍ତ୍ତନ ଉତ୍ସବ ମଧ୍ୟ ହେଉଥାଏ। ଖୁସି ହେବା ପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଖେ ଯଥେଷ୍ଟ କାରଣ ଥାଏ। ଏଠି ଜାଣିବାକୁ ହେବ ଯେ, ୧୯୪୩ରୁ ଅନୁଷ୍ଠାନିକ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ନିଜସ୍ୱ କ୍ୟାମ୍ପସ ନଥିଲା। ଭଡ଼ାଘରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚାଲୁଥିଲା।
ଜାନୁଆରୀ ମାସର ଶୀତୁଆପାଗ ସତ୍ତ୍ବେ ସମାବର୍ତ୍ତନ ସମାରୋହରେ ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶୁଣିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରବଳ ଜନ ସମାଗମ ହୋଇଥିଲା। ସେଦିନର ଅଭିଭାଷଣର ଶୀର୍ଷକ ଥିଲା ‘ଏକ ପୂର୍ଣ୍ଣ ମାନବର ଶିକ୍ଷା।’ ଅଭିଭାଷଣ ଅଭିନନ୍ଦନରୁ ଆରମ୍ଭ ହୋଇଥିଲା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ର କରିବାକୁ ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ, ‘ଓଡ଼ିଶା ପୁରା ବିଶ୍ୱରେ ପ୍ରସିଦ୍ଧ କାରଣ। ଅଶୋକ ଏହି କଳିଙ୍ଗରେ ଅହିଂସାକୁ ଆଦରି ନେଇଥିଲେ ଏବଂ ବୁଦ୍ଧଙ୍କ ମନ୍ତ୍ର ଯାହା କୁହେ କି ‘ବିଜୟ ଘୃଣା ସୃଷ୍ଟି କରେ’, ତାହା କେବଳ ଓଡ଼ିଶାରେ ହିଁ ପ୍ରମାଣିତ ହୋଇପାରିଥିଲା।’ ସମାଜର ମଙ୍ଗଳ ପାଇଁ, ସ୍ୱାଧୀନତା ପାଇଁ କିମ୍ୱା ନ୍ୟାୟ ପାଇଁ ଶକ୍ତି ଉପଯୋଗ କରିବାକୁ ଅନେକ ଶାସ୍ତ୍ରରେ ଉଲ୍ଲେଖ ଥିବା କଥା ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନ ସେଦିନ ବାଣୀବିହାରରୁ କହିଥିଲେ। ଚୀନଯୁଦ୍ଧର ପରାଜୟ ଭାରତର ସାମରିକ ଓ ବୈଷୟିକ ଦୁର୍ବଳତାକୁ ସାମନାକୁ ଆଣିଥାଏ। ସାମରିକ ଶକ୍ତି ଗଠନ ଓ ନୂତନ ଶିଳ୍ପ ସମ୍ଭାବନାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଭାବଶାଳୀ ଅଂଶଗ୍ରହଣ କରିପାରିବ, ସେ ବିଶ୍ୱାସ ମଧ୍ୟ ସେଦିନ ରାଷ୍ଟ୍ରପତିଙ୍କ ଆମ ଓଡ଼ିଶା ଉପରେ ଥିଲା।
ତାଙ୍କ ଅଭିଭାଷଣର ଅନ୍ୟ ଏକ ଉଦ୍ଧୃତାଂଶ ହେଉଛି – ‘ଗଣତନ୍ତ୍ରକୁ ବଜାୟ ରଖିବା ଯୁବପିଢ଼ି ପାଇଁ ଏକ ଆହ୍ୱାନ। ଗଣତାନ୍ତ୍ରିକ ଅଭ୍ୟାସକୁ ଆଦରି ନେବା ସହ ଉତ୍ତମ ବ୍ୟବହାର ଓ ସହନଶୀଳ ହେବା ଯୁବପିଢ଼ିର ଗୁଣ ହେବା ଉଚିତ। ଅର୍ଥନୈତିକ ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱବିଦ୍ୟାଳୟ ଏହାକୁ ଗୁରୁତ୍ୱ ଦେବାର ଅତ୍ୟନ୍ତ ଆବଶ୍ୟକତା ଅଛି। ଅନ୍ୟ ରାଷ୍ଟ୍ରଙ୍କ ଉପରେ ଭାରତର ନିର୍ଭରଶୀଳତା ଏକ ଉଦ୍ବେଜନକ ବିଷୟ। ଅପାର ମାନବ ଶକ୍ତି, ବିସ୍ତୃତ ପ୍ରାକୃତିକ ସମ୍ପଦ ଥିବା ସତ୍ତ୍ବେ କୁଶଳୀ କର୍ମଚାରୀ ଅଭାବ ଭାରତ ପାଇଁ ଏକ ସମସ୍ୟା। କଠିନ ପରିଶ୍ରମ ଏବଂ ଉଦ୍ୟୋଗ ରାଷ୍ଟ୍ରକୁ ଶୀର୍ଷକୁ ନେଇଥାଏ। ଭାରତୀୟ ଯୁବକମାନଙ୍କୁ ତାଲିମ ଦେବା ଆବଶ୍ୟକ। ଏହା ସେମାନଙ୍କ ଜୀବନକୁ ଏକ ନୂତନ ଦିଗ ଦେବ। ଯୁବକ ଯୁବତୀଙ୍କ ପାଇଁ ନିଷ୍ଠା ଏକାନ୍ତ ଆବଶ୍ୟକ।’ ଏହା କେବଳ ବାଣୀବିହାର ନୁହେଁ, ବରଂ ତାହାର ସମାବର୍ତ୍ତନ ଉତ୍ସବରୁ ସମ୍ପୂର୍ଣ୍ଣ ଦେଶକୁ ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କ ବାର୍ତ୍ତା ଥିଲା।
ରାଧାକ୍ରିଷ୍ଣନ ଆହୁରି କହିଥିଲେ ଯେ ‘ବିଶେଷ ପ୍ରଶିକ୍ଷଣର ଅଧିକ ସୁବିଧା ସହ ବିଜ୍ଞାନ କଲେଜଗୁଡ଼ିକ ପାଇଁ ତତ୍ତ୍ୱଗତ ଏବଂ ପ୍ରୟୋଗର ଆବଶ୍ୟକତାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ମୁଁ ଆଶା କରେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବ। କାରଣ ଦେଶ ବିକାଶ, କୃଷି ଏବଂ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇଁ ବିଜ୍ଞାନ ଅତ୍ୟନ୍ତ ଜରୁରୀ। ଆଜି ଆମକୁ ଯାହା ଦରକାର ତାହା ହେଉଛି ପୂର୍ଣ୍ଣ ମଣିଷର ଶିକ୍ଷା। ଏହି ଶିକ୍ଷା ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ, ଯାହା ପ୍ରତ୍ୟକ ବିଶ୍ୱବିଦ୍ୟାଳୟ ଚେଷ୍ଟା କରିବା ଉଚିତ୍।’
ଭାଷଣର ଅନ୍ତିମ ପର୍ଯାୟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନ କହିଥିଲେ ଯେ ‘ଯେତେବେଳେ ଲୋକମାନେ ହତାଶ ହୁଅନ୍ତି, ସେତେବେଳେ ବିପରୀତ ଗତିବିଧି ଘଟେ ଏବଂ ଆମେ ଏହା ଦେଖିବା ଉଚିତ୍ ଯେ ଆମର ଜନତା ହତାଶ ନ ହୁଅନ୍ତୁ। ଶିକ୍ଷା ଉଭୟ ପୁରୁଷ ଏବଂ ମହିଳା ସମ୍ୱଳ ଉତ୍ପାଦନ କରିପାରେ। ଯିଏ ବଞ୍ଚିବ, ଭଲ ପାଇବ, ବିପଦ ସମ୍ଭାବନାକୁ ଆବୋରି ନେବ, କଷ୍ଟ ଭୋଗିବାକୁ ପ୍ରସ୍ତୁତ ହେବ ସେ ଏକ ସଭ୍ୟ ସମାଜ ଗଢ଼ିପାରିବ। ଏହି ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ଆମର ପ୍ରତ୍ୟେକ ବ୍ୟକ୍ତିବିଶେଷ ଏହି ଲକ୍ଷ୍ୟ ପାଇଁ କାର୍ଯ୍ୟ କରିବା ଆବଶ୍ୟକ।’
ଶୁଭେଚ୍ଛା ସହ ଡକ୍ଟର ସର୍ବେପଲ୍ଲୀ ରାଧାକୃଷ୍ଣନକଂର ଭାଷଣ ସରିଲା। ବାଣୀବିହାର କରତାଳିର ଫାଟି ପଡୁଥାଏ। ଉତ୍କଳ ବିଶ୍ୱବିଦ୍ୟାଳୟ ନାଗରିକ ଗଠନ ପାଇଁ ସ୍ୱପ୍ନ ସାଉଁଟିବା ଆରମ୍ଭ କରିଦେଲା।
ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨





