ବୋଉ ମାଆ ଜନନୀ…
ପୁଅ ତା’ ଜନ୍ମ ଦିନରେ ଜିଦି ଧରିଲା, ସାଙ୍ଗମାନଙ୍କୁ ହୋଟେଲ ନେଇ ଖୁଆଇବା ପାଇଁ। – ‘ମୋର ସବୁ ସାଙ୍ଗ ତାଙ୍କ ଜନ୍ମ ଦିନ ହୋଟେଲରେ ପାଳନ କରନ୍ତି ମାଆ! ଖାଲି ତୁମେ ଛାଡ଼ୁନ ମତେ…।’ ଉତ୍ତର ଦେଲି, ‘ମାଆ ବଞ୍ଚିଥିବା ଯାଏଁ ଛୁଆର ଜନ୍ମ ଦିନରେ ଛୁଆଠାରୁ ବେଶି ମାଆ ହିଁ ଖୁସି ହୁଏ। ଅନ୍ୟ କେଉଁଦିନ ତୁ ସେମାନଙ୍କୁ ଖୁଆଇବାକୁ ଚାହୁଁଛୁ ଯଦି ଖୁଆ, କିନ୍ତୁ ତୋ ଜନ୍ମଦିନ ପାଳନ କରିବା ମୋର ଅଧିକାର। […]
ପୁଅ ତା’ ଜନ୍ମ ଦିନରେ ଜିଦି ଧରିଲା, ସାଙ୍ଗମାନଙ୍କୁ ହୋଟେଲ ନେଇ ଖୁଆଇବା ପାଇଁ। – ‘ମୋର ସବୁ ସାଙ୍ଗ ତାଙ୍କ ଜନ୍ମ ଦିନ ହୋଟେଲରେ ପାଳନ କରନ୍ତି ମାଆ! ଖାଲି ତୁମେ ଛାଡ଼ୁନ ମତେ…।’ ଉତ୍ତର ଦେଲି, ‘ମାଆ ବଞ୍ଚିଥିବା ଯାଏଁ ଛୁଆର ଜନ୍ମ ଦିନରେ ଛୁଆଠାରୁ ବେଶି ମାଆ ହିଁ ଖୁସି ହୁଏ। ଅନ୍ୟ କେଉଁଦିନ ତୁ ସେମାନଙ୍କୁ ଖୁଆଇବାକୁ ଚାହୁଁଛୁ ଯଦି ଖୁଆ, କିନ୍ତୁ ତୋ ଜନ୍ମଦିନ ପାଳନ କରିବା ମୋର ଅଧିକାର। ତୁ ତୋ ସାଙ୍ଗସାଥୀଙ୍କୁ ଡାକୁନୁ। ମୁଁ ଘରେ ରାନ୍ଧି ଦେବି।’ ତା’ ପାଖରେ ଆଉ କିଛି ଉତ୍ତର ନଥିଲା। ଅଗତ୍ୟା ବାଧ୍ୟ ହୋଇ ସେ ତା’ର କିଛି ସାଙ୍ଗଙ୍କୁ ଡାକିଲା ଘରକୁ। ପିଲାମାନେ ଖାଇଲା ବେଳେ ‘ବଢ଼଼ିଆ ହେଇଛି ଆଣ୍ଟି’ କହି କହି ଖାଉଥା’ନ୍ତି। ମୁଁ ରୋଷେଇ ଘରୁ ନେଇ ସେମାନଙ୍କୁ ଦେଲା ବେଳେ ପୁଅ ଆସି ମୋ କାନରେ ଫିସ୍ ଫିସ୍ କରି କହିଲା, ‘ମାଆ ଖାଇବା ବଢ଼଼ିଆ ହେଇଛି। ରାତି କୁ ମୋ ପାଇଁ ଟିକେ ତରକାରୀ ରଖି ଦେବ। ମୁଁ କହିଲି, ‘ରହ ବାବା, ଆଗେ ସମସ୍ତେ ଖାଇ ସାରନ୍ତୁ।’ କିନ୍ତୁ ରାତିକୁ ଆଉ ତରକାରୀ ରହିଲା ନାହିଁ। ପିଲାମାନେ ସବୁ ଖାଇ ଦେଲେ। ରାତିରେ ପୁଅ ମତେ ରାଗିଲା କହିଲା, ‘ତମେ ମୋ ଠାରୁ ଅଧିକ ସେମାନଙ୍କୁ ଦେଉଥିଲ କେମିତି? ତୁମେ କ’ଣ ମୋ ଠୁ ବେଶି ସେମାନଙ୍କୁ ଭଲ ପାଅ?’ ପୁଅର କଥା ଶୁଣି ମୁଁ ଚମକି ପଡ଼ିଲି। ଦିନେ ଏଇ ସମାନ୍ କଥା ମୁଁ ପଚାରି ଥିଲି ମୋ ବୋଉକୁ। ତେବେ ବୋଉ ଯେଉଁ ଉତ୍ତର ଦେଇଥିଲା ସେଇ ଉତ୍ତର ଦେବା ପାଇଁ ହେଲି ବାଧ୍ୟ – ‘ନା ବାବା, ତତେ ତ ମୁଁ ଖୁବ୍ ବେଶି ଭଲ ପାଏ, କିନ୍ତୁ ତୋ ପାଇଁ ତ କାଲି ମୁଁ ପୁଣି ରାନ୍ଧି ପାରିବି। ହେଲେ ସେମାନେ କ’ଣ ସବୁଦିନେ ଆସିବେ ଆମ ଘରକୁ?’ ଏହା କହି ପୁଅକୁ ବିଦା କରି ଫେରି ଯାଇଥିଲି ମୋ ଶୈଶବକୁ…।
ସେତେବେଳେ ଆମେ ରହୁ ଥାଉ ଢେଙ୍କାନାଳର ନୂଆ ଶାସନରେ। ବୋଉ ମତେ ବାହାରକୁ ବେଶି ଛାଡ଼େ ନାହିଁ। କହେ, ‘ତୋର୍ କାନ୍ଧ ଦୁର୍ବଳ, ବାହାରକୁ ଗଲେ ଡରୁଛୁ, ତତେ ନଜର ଲାଗୁଛି, ତୁ ଏଇ ଗେଟ୍ ଭିତରେ ଠିଆ ହୋଇ ଦେଖ, ପିଲାମାନେ କେମିତି ଖେଳୁଛନ୍ତି।’ ତେଣୁ ମୁଁ ଆମ ଜାଫ୍ରି ଗେଟ୍ର ଫାଙ୍କ ଦେଇ ବାହାରକୁ ଅନେଇ ଥାଏ। ଯଦି କେବେ ବୋଉ କଥା ଅମାନ୍ୟ ହୋଇ ଖେଳିବାକୁ ଯାଇଚି, ତେବେ ପଡ଼ି ଖଣ୍ଡିଆ ଖାବରା ହୋଇ ଆସିବାଟା ଥୟ। ଫେରିଲା ପରେ ବୋଉ ଗୋଡ଼ ହାତ ଧୋଇ ଦେଉ ଦେଉ କହିବ, ‘କେମିତି ଚଳିବ ଏ ବୋକୀଟା କୋଉଠି?’ ତେଣୁ ସାଙ୍ଗସାଥୀ ମିଶି ଭୋଜି କରିବା କଥା ଉଠିଲେ ମୁଁ ଆଗେ ମନା କରିଦିଏ, ଘରେ ଛାଡ଼ିବେ ନାହିଁ କହି। ମନା ସିନା କରି ଦିଏ, କିନ୍ତୁ ମନରୁ ପୋଛିପାରେ କି କଥା ଟା! ଆସି ବୋଉ ଉପରେ ଗର ଗର ହୁଏ। ବୋଉ କହେ, ‘ଏଇ ଗୋଟେ କଥା? ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଇଚ୍ଛା ଯଦି ଡାକୁନୁ ତୋ ସାଙ୍ଗମାନଙ୍କୁ। ମୁଁ ରାନ୍ଧି ଦେବିନି।’ ନାହିଁ ମାମୁଠାରୁ କଣା ମାମୁ ଭଲ ରୀତିରେ ଆଠ ଦଶ ଜଣ ସାଙ୍ଗ ଏକାଠି ହୋଇ ଆମ ବାଡ଼ି ପଟେ ବୋଉ ରାନ୍ଧି ଥିବା ଭୋଜି ଖାଉ। ଭାତ ଅଣ୍ଡା ତରକାରୀ, ଟମାଟୋ ଖଟା ଆଉ ପାମ୍ପଡ଼। ଏତିକି ଆମକୁ ଭୂରିଭୋଜନ ପରି ମନେ ହୁଏ। ବୋଉ ତ ଆଇଁଷ ଖାଏନା। ଆଇଁଷ ପାଇଁ ବାସନ ଆଉ ଚୁଲି ବି ତା’ର ଅଲଗା। ରାନ୍ଧି ସାରି ଗାଧୋଇବ। ତେଣୁ ସବୁବେଳେ ଲିପା ପୋଛା ହୋଇଥିବା ବାଡ଼ି ପଟେ କଦଳୀ ପତ୍ରରେ ଆମକୁ ଖାଇବାକୁ ହୁଏ। ଦିନେ ଏମିତି ମୁଁ କହିଥିଲି, ‘ବୋଉ ତୁ ମୋଠାରୁ ମୋ ସାଙ୍ଗମାନଙ୍କୁ ବେଶି ଭଲ ପାଉ ନା?’… ଆଜି ଏତେ ଦିନ ପରେ କଥାଟିର ପୁନରାବୃତ୍ତି ଘଟିଥିଲା।
ସତରେ ବୋଉ କେବେ ପାତରଅନ୍ତର କରିପାରେନା। ତା’ ବୋଉପଣିଆ ତା’କୁ ନିରପେକ୍ଷ ରହିବାକୁ ବାଧ୍ୟ କରେ। ଦିନେ ଯେଉଁସବୁ କଥା ପାଇଁ ମୁଁ ବିରକ୍ତ ହେଉଥିଲି ମୋ ବୋଉକୁ, ଆଜି ସେଇ ସମାନ୍ କଥା ପାଇଁ ପିଲାଏ ମତେ ହେଉଛନ୍ତି ବିରକ୍ତ। କିନ୍ତୁ ଆଜି ମୁଁ ବୋଉର ମାନସିକତା ବୁଝିପାରୁଛି ନିଜେ ବୋଉଟିଏ ହେଲା ପରେ କେବଳ ଜନ୍ମ କରିଦେଲେ କେହି ବୋଉ ହୋଇଯାଏନି। ବୋଉଟିଏ ହେବା ପାଇଁ ଦରକାର ଯେଉଁ ବିଶାଳ ହୃଦୟ, ଯେଉଁ ସହନଶୀଳତା, ଯେଉଁ ଉଦାରତା, ତା’ କ’ଣ ପାଇବା ସହଜ!
ବୋଉ ନଥିଲେ ଭିକାରୀମାନଙ୍କୁ ଘର ଆଗରେ ଦୀର୍ଘସମୟ ଅପେକ୍ଷା କରିବାର ଦେଖିଛି, ଆମ ହାତର ଭିକକୁ ଉପେକ୍ଷା କରି। ଆଉ ବୋଉ ଥିଲେ ସେମାନଙ୍କ ଖୁସି କାହିଁରେ କେତେ! ସାଇପଡ଼ିଶାରେ ଆସିଥିବା କୁଣିଆମଇତ୍ର ତାଙ୍କ ଘରେ କମ୍ ସମୟ ରହି ମୋ ବୋଉ ପାଖରେ ବସି ଚା’ ଜଳଖିଆ ଖାଉଥିବାର ଦେଖିଛି। ଆମେ ଭାଇଭଉଣୀ ହସାହସି ବି ହେଉ ସେ କଥାକୁ ନେଇ। ବୋଉ ଗାଳି ଦିଏ – ‘ଅତିଥି ପା ଦେବତା!’ ମଣିଷ ତ ମଣିଷ, ଗାଈଗୋରୁ, କୁକୁର, ବିଲେଇ, ଏପରିକି ଚଢ଼େଇମାନଙ୍କୁ ବି ଅପେକ୍ଷା କରିଥିବାର୍ ଦେଖିଛି। ବୋଉ ମନ ଚିହ୍ନେ। ବୋଉ ପାଖରୁ କେହି ଖାଲି ହାତରେ, ଖାଲି ପେଟରେ ଫେରିଯିବାର ଦେଖିନି। ସତେଯେମିତି ସେ ଏକା ଆମ ବୋଉ ନୁହେଁ, ସଂସାର ଗୋଟାକର ବୋଉ। ଅନ୍ୟକୁ ଖୁଆଇ ନିଜ ପେଟ ପୂରି ଥିବାର ଅନୁଭବ କେବଳ ସେ ହିଁ କରି ପାରେ…।
ଏଇ ନିକଟରେ ଦେଖିଥିଲି ଭିଡିଓଟିଏ। ପୁଅଟିଏ ବୁଢ଼ୀ ମାଆକୁ କାଠଫାଳିଆ ଧରି ରାସ୍ତାରେ ଗଡ଼େଇ ତଡ଼େଇ ପିଟି ଚାଲିଥାଏ। କେହି ଜଣେ ତା’ର ଭିଡିଓ କରି ଭାଇରାଲ୍ କରିଦେଲା। ପୁଲିସ ଆସି ପହଞ୍ଚିଲା ବୁଢ଼ୀ ପାଖରେ। ଆଉ କ’ଣ ହୋଇଛି ବୋଲି ବୁଝିବାକୁ ଚାହିଁଲା। କିନ୍ତୁ ବୋଉ ତ ବୋଉ। ଯେତେ ଦୋଷ କରିଥିଲେ ବି ସେ କ’ଣ ତା’ ପୁଅ ଦଣ୍ଡ ପାଉ ବୋଲି କେବେ ଇଚ୍ଛା କରିବ? ବାସ୍ ପୁଲିସ ଅନ୍ୟ ଉପାୟ ନ ପାଇ ଫେରିଗଲେ। ତା’ ପରେ ସେ ପୁଅଟି ତା’କୁ ଆଉ ନିର୍ଯାତନା ଦେଲା କି ନାଇଁ ସେ ଖବର ଆମ ପାଖରେ ନାହିଁ। କିନ୍ତୁ ସତ ହେଉଛି ଯେ, ‘ପିତୃ ଦେବୋ ଭବ, ମାତୃ ଦେବୋ ଭବ…’ ପ୍ରାତଃକାଳରେ ଉଚ୍ଚାରଣ କରୁଥିବା ଏ ଦେଶରେ ଅସଂଖ୍ୟ ପିତାମାତା ଆଜି ନିର୍ଯାତିତ, ନିଷ୍ପେଷିତ, ନିଃସଙ୍ଗ ଓ ଅସହାୟ। ସେମାନଙ୍କର ଏକମାତ୍ର ଭୁଲ ହେଉଛି ସେମାନେ ଆମ ପରି କିଛି କୁଳାଙ୍ଗାରଙ୍କୁ ଜନ୍ମ ଦେଇଛନ୍ତି। କିଏ ବୃଦ୍ଧାଶ୍ରମରେ, କିଏ ବା ତୀର୍ଥ ଆଳରେ ବୃନ୍ଦାବନରେ, କିଏ ପୁଣି ରାସ୍ତା କଡ଼ରେ ନିଜ ଅନ୍ତିମ ଦିନକୁ କରିଛି ଅପେକ୍ଷା। ବୋଲ ମାନୁନଥିବା ଶରୀରକୁ ଧରି, ଭୋକ ଉପାସରେ, ବାର୍ଦ୍ଧକ୍ୟ ପରି ସରୁ ନ ଥିବା ରୋଗରେ, ୟା’ ତା’ ହାତ ଟେକାକୁ ଚାହିଁଚି ଲୁହ ଶୁଖୁ ନଥିବା ଆଖି ନେଇ। ଆଉ ଅନେକ ପୁଣି ଅଜାଗା ଘାଆକୁ ଦେଖେଇ ନ ପାରି ଲୁଚେଇ ଲୁଚେଇ ଝରାଉଛନ୍ତି ଲୁହ ନିଜ ନିଜର ଘରକୋଣରେ।
ଈଶ୍ୱର ନିଶ୍ଚେ ଦିନେ ବୋଉ ପଣିଆରେ ବତୁରି ଯାଇ ଏ ସୃଷ୍ଟି ତିଆରି ଥିଲେ। ଆଉ ପ୍ରାଣୀଟିଏ ଈଶ୍ୱରଙ୍କ ଭାବରେ ଭିଜିଗଲା ପରେ ହିଁ ବୋଉ ସାଜି ପାରେ। କୁହାଯାଏ, ପିତାମାତାଙ୍କ ଋଣ କାଳେ ସନ୍ତାନ ଶୁଝି ପାରେନି। ୠଣ ଶୁଝିବା ତ ଖୁବ୍ ଦୂରର କଥା, ଆମଠାରୁ ସାମାନ୍ୟ ଟିକେ ସହାନୁଭୂତି ଛଡ଼ା ସେମାନେ ଆଉ ଅଧିକ କିଛି ଆଶା କରନ୍ତି କି? ‘ବୋଉ ତୁ କେମିତି ଅଛୁ? ବାପା ତୁମେ ଭଲ ଅଛ ନା? କିଛି ଦରକାର ହେଲେ ମତେ କହିବ।’ ଏତିକି କଥା କହିବାକୁ କ’ଣ ପଇସା ପଡ଼େ! ନା, ବରଂ ଏ କଥା ଶୁଣି ମଣିଷ ରୂପ ନେଇଥିବା ଦେବତାଙ୍କ ହୃଦୟରୁ ଆମ ପାଇଁ ଝରିପଡ଼େ ଅସରନ୍ତି ଆଶିଷର ଧାରା। କେବଳ ଦେବାକୁ ପଣ କରିଥିବା ଏଇ ବାପାବୋଉ ନାମକ ପ୍ରାଣୀ ଦୁଇଟି କେବଳ ଦେବାରେ ହିଁ ବିଶ୍ୱାସ କରନ୍ତି। ନିଜ ଧନ, ଜୀବନ, ଯୌବନ, ସୁଖ ଏପରିକି ନିଜର ଆୟୁଷ ବି। ଆସନ୍ତୁ ଆଜି ତାଙ୍କୁ ଆମେ ଦେବା ସୁଖଦ ଅନୁଭୂତି ଟିକେ। କହିବା ଭଲ କଥା ପଦେ। ଦେବା ସାମାନ୍ୟ ଟିକେ ଆଶ୍ୱସନା। ଅଳ୍ପ ଟିକେ ଆଶା। ତାଙ୍କ ମନରେ ଜଗାଇ ଦେବା ଏଇ ବିଶ୍ୱାସ ଯେ ସେମାନେ ଆମ ପରି ସନ୍ତାନ ଜନ୍ମ କରି କିଛି ଭୁଲ କରି ନାହାନ୍ତି।
ଛନ୍ଦା ମିଶ୍ର
ଭୁବନେଶ୍ୱର, ମୋ: ୯୪୩୭୪ ୫୩୬୧୦