ଔଷଧୀୟ ବନସ୍ପତିର ସଂରକ୍ଷଣ ଅପରିହାର୍ଯ୍ୟ
ଉଦ୍ଭିଦ ବା ବନସ୍ପତିର ବିଭିନ୍ନ ଅଂଶ ଯଥା ଚେର, ମୂଳ, ପତ୍ର, ଫୁଲ, ଫଳ, ମଞ୍ଜି, ଛାଲି ବା ବକ୍କଳକୁ ବ୍ୟବହାର କରି ପାରମ୍ପରିକ ଚିକିତ୍ସା ପଦ୍ଧତିର ପ୍ରୟୋଗ ଓଡ଼ିଶାର ଏକ ପ୍ରାଚୀନ ପ୍ରଚଳିତ ପରମ୍ପରା। କେବଳ ଓଡ଼ିଶା ନୁହେଁ, ଆମ ଦେଶର ତଥା ବିଶ୍ୱର ଅନେକତ୍ର ଉଦ୍ଭିଦର ଦେଶଜ ଉପଚାର ଏବଂ ବିଭିନ୍ନ ଅଂଶର ଔଷଧୀୟ ଗୁଣବତ୍ତାକୁ ନେଇ ବିକଶିତ ଚିକିତ୍ସା ପଦ୍ଧତିରେ ପାରମ୍ପରିକ ଜ୍ଞାନ ଓ କୌଶଳର ପ୍ରୟୋଗ ମାନବ ସମାଜର ପ୍ରାଚୀନ ସଭ୍ୟତା […]
ଉଦ୍ଭିଦ ବା ବନସ୍ପତିର ବିଭିନ୍ନ ଅଂଶ ଯଥା ଚେର, ମୂଳ, ପତ୍ର, ଫୁଲ, ଫଳ, ମଞ୍ଜି, ଛାଲି ବା ବକ୍କଳକୁ ବ୍ୟବହାର କରି ପାରମ୍ପରିକ ଚିକିତ୍ସା ପଦ୍ଧତିର ପ୍ରୟୋଗ ଓଡ଼ିଶାର ଏକ ପ୍ରାଚୀନ ପ୍ରଚଳିତ ପରମ୍ପରା। କେବଳ ଓଡ଼ିଶା ନୁହେଁ, ଆମ ଦେଶର ତଥା ବିଶ୍ୱର ଅନେକତ୍ର ଉଦ୍ଭିଦର ଦେଶଜ ଉପଚାର ଏବଂ ବିଭିନ୍ନ ଅଂଶର ଔଷଧୀୟ ଗୁଣବତ୍ତାକୁ ନେଇ ବିକଶିତ ଚିକିତ୍ସା ପଦ୍ଧତିରେ ପାରମ୍ପରିକ ଜ୍ଞାନ ଓ କୌଶଳର ପ୍ରୟୋଗ ମାନବ ସମାଜର ପ୍ରାଚୀନ ସଭ୍ୟତା ଓ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡ଼ିତ। ଏବେ ବି ଆମ ରାଜ୍ୟର ଦୁର୍ଗମ ଅଞ୍ଚଳର ଲୋକମାନେ, ବିଶେଷକରି ଅବିଭକ୍ତ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଆଦିବାସୀ ଅଧ୍ୟୁଷିତ ଇଲାକାରେ ବସବାସ କରୁଥିବା ଆଦିବାସୀମାନେ ଗଛ, ଲତା ଓ ଗୁଳ୍ମରୁ ପ୍ରସ୍ତୁତ ଜଡ଼ି, ବୁଟି, ଔଷଧକୁ ବ୍ୟବହାର କରାଯାଉଥିବା ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ନିର୍ଭର କରିଥା’ନ୍ତି। ସମଗ୍ର ଭାରତ ବର୍ଷରେ ଏପରିକି ବିଶ୍ୱର ଶତକଡ଼ା ୮୦ ଭାଗ ଲୋକଙ୍କର ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଔଷଧୀୟ ବୃକ୍ଷ, ଲତା ଓ ଗୁଳ୍ମର ପ୍ରତ୍ୟକ୍ଷ ତଥା ପରୋକ୍ଷ ଭୂମିକା ରହିଛି।
କଥାରେ ଅଛି ‘ନାନୌଷଧି ଭୂତମ ଜଗତ କିଞ୍ଚିତମ’ । ଅର୍ଥାତ ଏପରି କୌଣସି ଉଦ୍ଭିଦ ନାହିଁ, ଯାହାରକି କିଛି ନା କିଛି ଔଷଧୀୟ ଗୁଣ ନାହିଁ। ପୁରାତନ ଯୁଗରେ ମୁନି ଋଷିମାନେ ଉଦ୍ଭିଦର ଔଷଧୀୟ ଗୁଣ ସମ୍ପର୍କରେ ଜ୍ଞାତ ଥିଲେ ଏବଂ ଚିରାଚରିତ ତଥା ଦୁଃସାଧ୍ୟ ବ୍ୟାଧିର ଉପଶମ ପାଇଁ ବନସ୍ପତିରୁ ପ୍ରସ୍ତୁତ ଔଷଧ ପ୍ରୟୋଗ କରୁଥିଲେ। ଋକ୍ ବେଦରେ ଅନେକ ଜାତିର ଲତା, ଗୁଳ୍ମର ଔଷଧୀୟ ଗୁଣ ସମ୍ପର୍କରେ ବର୍ଣ୍ଣନା ରହିଛି। ବନସ୍ପତିର ଔଷଧୀୟ ଗୁଣ ସମ୍ପର୍କରେ ଏହା ପ୍ରାଚୀନ ଭାରତର ପ୍ରଥମ ଅଭିବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ପରବର୍ତ୍ତୀ ସମୟରେ ଅଥର୍ବ ବେଦରେ ମଧ୍ୟ ବୃକ୍ଷଲତାର ଔଷଧୀୟ ଗୁଣ ବର୍ଣ୍ଣନା ବିସ୍ତୃତ ଭାବରେ ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ ୧୦୦୦ ଶତାବ୍ଦୀରେ ଭାରତୀୟ ଭେଷଜ ପ୍ରଣାଳୀ ଉପରେ ରଚିତ ‘ଚରକ ସଂହିତା’ରେ ଉଦ୍ଭିଦରୁ ପ୍ରସ୍ତୁତ ୩୪୦ ଗୋଟି ଔଷଧ ସମ୍ପର୍କରେ ବର୍ଣ୍ଣନା ରହିଛି। ଚରକଙ୍କ ପରବର୍ତ୍ତୀ ସମୟରେ କ୍ରମଶଃ ଅଧିକରୁ ଅଧିକ ବୃକ୍ଷଲତାର ଔଷଧୀୟ ଗୁଣ ଚିହ୍ନଟ ହେଲା। ସମ୍ପ୍ରତି ଆମ ଦେଶରେ ମିଳୁଥିବା ଉଭୟ ଦେଶଜ ଓ ବିଦେଶୀୟ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମର ସଂଖ୍ୟା ୩୦୦୦ ରୁ ୩୫୦୦ ହୋଇପାରେ। କିନ୍ତୁ ଜାତୀୟ ଆୟୁର୍ବେଦ ସଂସ୍ଥା ମୁଖ୍ୟତଃ ଔଷଧୀୟ ବୃକ୍ଷ ଭାବରେ ୧୫୦୦ ବନସ୍ପତିକୁ ଚିହ୍ନଟ କରିଛି।
ଏଲୋପାଥିର ଅଧିକ ପ୍ରଚଳନ ଫଳରେ ଅତୀତର ଏହି ପାରମ୍ପରିକ ଚିକିତ୍ସା ଯଥା ଲୋକ ଔଷଧି ଏବଂ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ କିଛିମାତ୍ରାରେ ପ୍ରଭାବିତ ହେଲା। ତା’ଛଡ଼ା ଆବଶ୍ୟକୀୟ ପ୍ରୋତ୍ସାହନ, ଉପଯୁକ୍ତ ଅନୁସନ୍ଧାନ ଓ ଗବେଷଣା ଅଭାବରୁ ଗୋଟିଏ ସମୟରେ ଏହି ପାରମ୍ପରିକ ଚିକିତ୍ସା ପଦ୍ଧତି ଲୁପ୍ତପ୍ରାୟ ହୋଇଗଲା କହିଲେ ଚଳେ। ୧୯୮୩ ମସିହାରେ ପୁନର୍ବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ଦେଶର ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ସ୍ୱୀକୃତି ପ୍ରଦାନ କରି ଗବେଷଣା ଓ ବିକାଶ ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ମୁତାବକ ଏବେ ବି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ୮୦ ପ୍ରତିଶତ ଜନସାଧାରଣ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ବନସ୍ପତିରୁ ପ୍ରସ୍ତୁତ ପାରମ୍ପରିକ ଔଷଧ ଉପରେ ନିର୍ଭର କରିଥା’ନ୍ତି। ଏହି କାରଣରୁ ଉଭୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଔଷଧୀୟ ବୃକ୍ଷର ଚାହିଦା ବଢ଼଼ିବାରେ ଲାଗିଛି। କାରଣ ବନସ୍ପତିରୁ ପ୍ରସ୍ତୁତ ଔଷଧ ଏକ ପ୍ରକାର ମୌଳିକ, ନିଶାକାରକ ନୁୁହେଁ, ବିଶେଷ ପାର୍ଶ୍ବ ପ୍ରତିକ୍ରିୟା ରହିତ, ସୁଲଭ ଓ ସହଜରେ ଉପଲବ୍ଧ ଏବଂ ଅନେକ ସମୟରେ ଗାଁଗହଳିରେ ବସବାସ କରୁଥିବା ଗରିବ ଲୋକମାନଙ୍କ ପାଇଁ ଏକମାତ୍ର ଉପଲବ୍ଧ ଔଷଧି।
ଆୟୁର୍ବେଦ ଏକ ବିଶେଷ ଧରଣର ବିଜ୍ଞାନସମ୍ମତ ଚିକିତ୍ସା ପଦ୍ଧତି, ଯେଉଁଥିରେ ରୋଗ ନିରୂପଣ କରି ଔଷଧ ପ୍ରୟୋଗ ଉପରେ ପ୍ରାଧାନ୍ୟ ଦିଆଯାଇଥାଏ। ଏହି ଚିକିତ୍ସା ପ୍ରଣାଳୀ ନିର୍ଦ୍ଦିଷ୍ଟ ଭାବରେ ଲିପିବଦ୍ଧ ହୋଇଛି। କିନ୍ତୁ ଜନଔଷଧି ବା ଗାଁଗହଳିରେ ବ୍ୟବହୃତ ହେଉଥିବା ଚେରମୂଳି ଔଷଧର କୌଣସି ଲିଖିତ ଦଲିଲ ବା ତଥ୍ୟ ନାହିଁ। ଏହି ପ୍ରଣାଳୀ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ କଥିତ ବା ମୌଖିକ ଭାବରେ ଯାଇଥାଏ। ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଅନେକ ଶାସ୍ତ୍ର ଯଥା ‘ଚରକ ସଂହିତା’, ‘ଶୁଶ୍ରୁତ ସଂହିତା’, ‘ଅଷ୍ଟାଙ୍ଗ ହୃଦୟ ସଂହିତା’ ଏବଂ ‘ଭାବପ୍ରକାଶ’ ଆଦି ଅନେକ ପୁସ୍ତକ ରହିଛି। କିନ୍ତୁ ବନୌଷଧି ମୁଖ୍ୟତଃ ଲୋକକଥା, ଲୋକମାନଙ୍କର ଆଶା ଓ ବିଶ୍ୱାସକୁ ଭିତ୍ତିକରି ପ୍ରସ୍ତୁତ ହୋଇଥାଏ।
ତେବେ ବିଡ଼ମ୍ବନା ହେଲା ଅଧୁନା ଆୟୁର୍ବେଦ, ଉନାନୀ ବା ଜନଔଷଧି ଆଦି ପାରମ୍ପରିକ ଚିକିତ୍ସା ପଦ୍ଧତିରେ ବନସ୍ପତି ଔଷଧିର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ସତ୍ତ୍ବେ ବୃକ୍ଷ, ଲତା, ଗୁଳ୍ମ ମିଳୁଥିବା ଜଙ୍ଗଲ ଓ ପତିତ ଜମିର ଆୟତନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବନସ୍ପତି ଚାହିଦାର ଶତକଡ଼ା ୮୫ ଭାଗ ପ୍ରାକୃତିକ ଜଙ୍ଗଲ ଓ ପତିତ ଜମିରୁ ସଂଗ୍ରହ କରାଯାଇଥାଏ। ଦ୍ରୁତ ଜନସଂଖ୍ୟା ବୃଦ୍ଧି ସହିତ ଅଣଜଙ୍ଗଲଭିତ୍ତିକ କାର୍ଯ୍ୟ ଯଥା ଖଣି, ଖାଦାନ, ଶିଳ୍ପ, କଳକାରଖାନା, ରାସ୍ତାଘାଟ, ଜଳବିଦ୍ୟୁତ ପ୍ରକଳ୍ପ ଆଦିରେ ବନାଞ୍ଚଳର ବହୁଳ ବ୍ୟବହାର ଓ ବନଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ଯୋଗୁଁ ଆମ ଜଙ୍ଗଲରୁ ବନସ୍ପତି କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ଏହାବ୍ୟତୀତ ବିଶ୍ୱ ବଜାରରେ ଔଷଧୀୟ ବୃକ୍ଷଲତାର ଚାହିଦା ବୃଦ୍ଧି, ବହୁଦେଶୀୟ କମ୍ପାନୀମାନଙ୍କ ଦ୍ୱାରା ଏହାର ବହୁଳ ବ୍ୟବସାୟ ଏବଂ ବିଦେଶରେ ବହୁଳ ଭାବରେ ଉପଯୋଗ କରାଯାଇଥିବା ‘ପେଟେଣ୍ଟ’ ଆଇନ ବଳରେ ଅନେକ ଔଷଧୀୟ ବନସ୍ପତି ଏବେ ଆମ ଜଙ୍ଗଲରେ ଦୁଷ୍ପ୍ରାପ୍ୟ ଏବଂ ବିରଳ ହୋଇଗଲାଣି। ଏକଦା ଆମ ରାଜ୍ୟରେ ସହଜରେ ଉପଲବ୍ଧ ହେଉଥିବା ପାଞ୍ଚ ଆଙ୍ଗୁଳିଆ, ପାତାଳ ଗରୁଡ଼, ବିଡ଼ଙ୍ଗ, ଅନନ୍ତମୂଳ, ଶଙ୍ଖପୁଷ୍ପୀ, ଗୁଡ଼ମାରୀ ଏବଂ ଫଶଫଣା ଆଦି ବୃକ୍ଷ, ଲତା, ଗୁଳ୍ମ ଏବେ ଦେଖିବାକୁ ମିଳୁନାହିଁ।
ଦ୍ୱିତୀୟରେ ଏହି ଔଷଧୀୟ ବନସ୍ପତିଗୁଡ଼ିକର ଅମଳ କରିବା ଉପରେ ମଧ୍ୟ କୌଣସି କଟକଣା ନାହିଁ। ସୁଗମ ଅମଳ ପଦ୍ଧତି ମଧ୍ୟ ଉପଯୋଗ କରାଯାଉନାହିଁ। ଅଁଳା ଫଳ ସଂଗ୍ରହ କରିବା ପାଇଁ ଗଛର ଡାଳଗୁଡ଼ିକୁ କାଟି ଦିଆଯାଉଛି। ପାତାଳଗରୁଡ଼ ମୂଳ ବା ଚେର ଔଷଧ ପଦ୍ଧତିରେ ବ୍ୟବହୃତ ହେଉଥିବାରୁ ଏହି ଗଛଗୁଡ଼ିକୁ ଅବିଚାରିତ ଭାବେ ଜଙ୍ଗଲ ଓ ପତିତ ଜମିରୁ ଓପାଡ଼ି ଦିଆଯାଉଛି। କୌଣସି ଗଛର ବକ୍କଳ ବା ଛାଲି ଔଷଧ ପଦ୍ଧତିରେ ବ୍ୟବହୃତ ହେଉଥିଲେ, ଗଛରୁ ସମ୍ପୂର୍ଣ୍ଣ ରୂପେ ବକ୍କଳ ଚାଞ୍ଛି ଦିଆଯାଉଛି। ଫଳରେ ଗଛଟି ଅଳ୍ପଦିନରେ ମରିଯାଉଛି। ଅଶୋକ ଗଛ ଏହାର ଅନ୍ୟତମ ଉଦାହରଣ। ତେଣୁ ଏବେ ବନସ୍ପତି ସଂରକ୍ଷଣ ନିହାତି ଭାବେ ଜରୁରୀ ହୋଇପଡ଼ିଛି।
ଜଙ୍ଗଲରେ ଓ ଜଙ୍ଗଲ ଆଖପାଖ ପତିତ ଜମିରେ ଥିବା ଔଷଧୀୟ ବନସ୍ପତିକୁ ଚିହ୍ନଟ ଓ ସଂରକ୍ଷଣ କରିବା ନିମନ୍ତେ ଗ୍ରାମୀଣ ବୈଦ୍ୟ ଓ ସାଧାରଣ ଜନତାଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ଏହାସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରିବେଶ ସଂରକ୍ଷଣ, ଜୈବବିବିଧତା ସଂରକ୍ଷଣ ଓ ପାରିପାର୍ଶ୍ବିକ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ପିଲାଟିଦିନରୁ ପରିଚିତ କରାଇବା ପାଇଁ ପ୍ରଚେଷ୍ଟା ହେବା ଉଚିତ। କାରଣ ଛାତ୍ରମାନେ ହିଁ କଞ୍ଚାମାଟି ସଦୃଶ। କଞ୍ଚାମାଟିକୁ କୁମ୍ଭାର ଯେମିତି ଚାହିଁବେ, ସେମିତି ଆକାରରେ ଗଢ଼ି ପାରିବ। ୨୦୦୧ ମସିହାରେ ଭାରତ ସରକାରଙ୍କର ପରିବେଶ ଓ ବନ ମନ୍ତ୍ରାଳୟ ତରଫରୁ ବିଭିନ୍ନ ରାଜ୍ୟର ବନ ବିଭାଗ ମନ୍ତ୍ରୀ, ଶାସନ ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କର ଏକ ସମ୍ମିଳନୀ ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପ୍ରତ୍ୟେକ ରାଜ୍ୟର ବିଦ୍ୟାଳୟମାନଙ୍କର ‘ଇକୋ କ୍ଲବ୍’ ଗଠନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସମ୍ପ୍ରତି ଆମ ରାଜ୍ୟରେ ବିଦ୍ୟାଳୟମାନଙ୍କରେ ୧୪ ହଜାରରୁ ଅଧିକ ‘ଇକୋ କ୍ଲବ୍’ ଗଠନ ହୋଇସାରିଛି। ଇକୋ କ୍ଲବ୍ର ଛାତ୍ର ଛାତ୍ରୀମାନଙ୍କୁ ସ୍କୁଲ ହତାରେ, ନିଜ ନିଜ ଘର ବାଡ଼ିରେ ଓ ପାଖ ପଡ଼ିଶାଙ୍କ ଘର ବାଡ଼ିରେ ଔଷଧୀୟ ଗଛ ଲଗାଇବା ସହିତ ତାହାର ସଂରକ୍ଷଣ ନିମନ୍ତେ ପ୍ରୋତ୍ସାହନ ଦିଆଯାଉଛି। ଗଛର ଔଷଧୀୟ ଗୁଣ ଓ ଉପକାରିତା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଉଛି।
୨୦୦୭ ମସିହାରେ ଏ ଲେଖକ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିବା ଅବସରରେ ସୁନାବେଡ଼ା ବଳିକା ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଗଠିତ ‘ଇକୋ କ୍ଲବ୍’ ପରିଦର୍ଶନ କରିବାର ସୁଯୋଗ ପାଇଥିଲା। ସ୍କୁଲ ପରିସରର ପ୍ରବେଶ ଦ୍ୱାର ନିକଟରେ ‘ପୋଦିନା ଗୁଳ୍ମ’ର ଏକ ବିରାଟ ଫଟୋ ମୋର ଦୃଷ୍ଟି ଆକର୍ଷଣ କରିଥିଲା। ପାଖରେ କୁଣ୍ଡରେ ଜୀବନ୍ତ ପୋଦିନା ଗଛଟିଏ ଲଗାଯାଇଥିଲା। ତଳେ ବଡ଼ ବଡ଼ ଅକ୍ଷରରେ ଶିରୋନାମା ଲେଖାଯାଇଥିଲା – ‘ଚଳିତ ମାସର ଔଷଧୀୟ ବନସ୍ପତି’। ସେହି ଗଛ ଉପରେ ବକ୍ତୃତା, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା। ମାସ ଶେଷରେ ବନବିଭାଗ ତରଫରୁ ନିଜ ଘରବାଡ଼ିରେ ଲଗାଇବା ପାଇଁ ମାଗଣାରେ ପୋଦିନା ଗଛର ଚାରାଟିଏ ଦିଆଯାଉଥିଲା। ପାରମ୍ପରିକ ଔଷଧର ଚାହିଦା ବଢ଼଼ିବା ସହିତ ଔଷଧୀୟ ବନସ୍ପତିର ଚାରାରୋପଣ ଓ ସଂରକ୍ଷଣ ପାଇଁ ସ୍କୁଲ ପିଲାମାନଙ୍କୁ ଓ ସେମାନଙ୍କ ଜରିଆରେ ଅଭିଭାବକମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହା ଥିଲା ଏକ ଅଭିନବ ପ୍ରୟାସ। ଏହି ଅଭିନବ ଓ ଅଭିନନ୍ଦନୀୟ ଉଦ୍ୟମର ବ୍ୟାପକ ପ୍ରଚାର ପ୍ରସାର ହୋଇପାରିଲେ ହଜି ଯାଉଥିବା ବନସ୍ପତିର ସଂରକ୍ଷଣ ହୋଇପାରିବ। ଆଗାମୀ ଦିନରେ ପତୋନ୍ନୁଖୀ ପ୍ରକୃତି ଓ ପରିବେଶକୁ ପୁନରୁଦ୍ଧାର କରି ଚିରସବୁଜ ସୁନ୍ଦର କରିବାରେ ଏହି ଉଦ୍ୟମର ପ୍ରମୁଖ ଅବଦାନ ରହିବ।
ଡ. ବିଜୟ କେତନ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୪୩୭୦୦୦୯୦୪