ଜଳବାୟୁ ତତ୍ପର ଗ୍ରାମ

The Sakala Picture
Published On

ମୃତ୍ତିକା, ଜଳ ଓ ଜଳବାୟୁକୁ ନେଇ ଫସଲ। ପ୍ରତିବର୍ଷ ଆମର ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ଉଭୟ ପ୍ରାକୃତିକ ଓ ମାନବୀୟ କାରକ ଏହାପାଇଁ ଦାୟୀ। ଜଳବାୟୁର ମୁଖ୍ୟ ଉପାଦାନଗୁଡ଼ିକ ହେଲା ଉତ୍ତାପ, ବୃଷ୍ଟିପାତ, ଆର୍ଦ୍ରତା, ବାୟୁମଣ୍ଡଳ ଚାପ, ସୂର୍ଯ୍ୟାଲୋକ, ପବନର ବେଗ ଓ ମେଘ। କଳ କାରଖାନା, ଅଧିକ ଫସିଲ୍‌‌ ବା ଜୀବାଶ୍ମ ଜାଳେଣୀ ବ୍ୟବହାର, ବିଦ୍ୟୁତ ଉତ୍ପାଦନ, ଅବାରିତ ଜଙ୍ଗଲ ନଷ୍ଟ, ତ୍ରୁଟିପୂର୍ଣ୍ଣ କୃଷି ଓ ପଶୁପାଳନ ଯୋଗୁଁଁ ବାୟୁମଣ୍ଡଳକୁ ଅଧିକ ବିଷାକ୍ତ […]

ମୃତ୍ତିକା, ଜଳ ଓ ଜଳବାୟୁକୁ ନେଇ ଫସଲ। ପ୍ରତିବର୍ଷ ଆମର ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ଉଭୟ ପ୍ରାକୃତିକ ଓ ମାନବୀୟ କାରକ ଏହାପାଇଁ ଦାୟୀ। ଜଳବାୟୁର ମୁଖ୍ୟ ଉପାଦାନଗୁଡ଼ିକ ହେଲା ଉତ୍ତାପ, ବୃଷ୍ଟିପାତ, ଆର୍ଦ୍ରତା, ବାୟୁମଣ୍ଡଳ ଚାପ, ସୂର୍ଯ୍ୟାଲୋକ, ପବନର ବେଗ ଓ ମେଘ। କଳ କାରଖାନା, ଅଧିକ ଫସିଲ୍‌‌ ବା ଜୀବାଶ୍ମ ଜାଳେଣୀ ବ୍ୟବହାର, ବିଦ୍ୟୁତ ଉତ୍ପାଦନ, ଅବାରିତ ଜଙ୍ଗଲ ନଷ୍ଟ, ତ୍ରୁଟିପୂର୍ଣ୍ଣ କୃଷି ଓ ପଶୁପାଳନ ଯୋଗୁଁଁ ବାୟୁମଣ୍ଡଳକୁ ଅଧିକ ବିଷାକ୍ତ ସବୁଜଗୃହ ବାଷ୍ପ ନିର୍ଗତ ହେଉଛି ଏବଂ ବାୟୁମଣ୍ଡଳର ଉତ୍ତାପ ବଢ଼଼ୁଛି। ଫଳସ୍ୱରୂପ ବୈଶ୍ୱିକ ଉତ୍ତାପ ବୃଦ୍ଧି, ବୃଷ୍ଟିପାତରେ ଅନିୟମିତତା, ପ୍ରାକୃତିକ ବିପର୍ଯ୍ୟୟ, ସମୁଦ୍ର ଜଳପତ୍ତନ ବୃଦ୍ଧି, ପ୍ରାକୃତିକ ସମ୍ୱଳ କ୍ଷୟ, ମଣିଷ ସ୍ୱାସ୍ଥ୍ୟ ହାନି, କୃଷି ଉତ୍ପାଦନ ହ୍ରାସ, ପ୍ରାକୃତିକ ଦୁର୍ବିପାକ ଜନିତ କ୍ଷତି, ଫସଲରେ ଅଧିକ ରୋଗପୋକ ଆକ୍ରମଣ, ମୃତ୍ତିକା ସ୍ୱାସ୍ଥ୍ୟହାନି, ପ୍ରାଣୀ ସମ୍ପଦ ଓ ମତ୍ସ୍ୟଚାଷ କ୍ଷେତ୍ରରେ ଅସ୍ଥିରତା ସହିତ ଜୈବ ବିବିଧତା ହ୍ରାସ ପାଉଛି।

ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱର ସବୁଦେଶ ମିଳିତ ଉଦ୍ୟମ କରୁଛନ୍ତି। ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ, ମିଥେନ୍‌‌ ଓ ଅନ୍ୟାନ୍ୟ ସବୁଜ ଗୃହ ବାଷ୍ପକୁ ଶୂନ୍ୟସ୍ତରକୁ ହ୍ରାସ କରିବା ସହିତ ଜଳବାୟୁ ତତ୍ପର କୃଷିପଦ୍ଧତି ଅନୁସରଣ ହେଉଛି ଏହାର ସମ୍ଭାବ୍ୟ ସମାଧାନ। କାରଣ କୃଷି ଦ୍ୱାରା ୧୦-୨୧% ସବୁଜଗୃହ ବାଷ୍ପ ବାୟୁମଣ୍ଡଳକୁ ତ୍ୟାଗ ହୋଇଥାଏ। ତେଣୁ ପାରମ୍ପରିକ କୃଷି ପରିବର୍ତ୍ତେ ଜଳବାୟୁ ଅନୁକୂଳ କୃଷିପଦ୍ଧତି ଅନୁସରଣ କଲେ ବାୟୁମଣ୍ଡଳକୁ ସୀମିତ ସବୁଜଗୃହ ବାଷ୍ପ ନିର୍ଗତ ହେବ ଏବଂ କୃଷି ପରିବେଶ ଅନୁକୂଳ ହେବ। ମୃତ୍ତିକାର ସ୍ୱାସ୍ଥ୍ୟ ଠିକ୍‌‌ ରହିଲେ ଜଳବାୟୁ ପରିବର୍ତ୍ତନକୁ ଏହା ସହ୍ୟ କରିପାରିବ। ଖତ, ସବୁଜ ସାର, ଜୈବସାର ପ୍ରୟୋଗ, ସର୍ବନିମ୍ନ କର୍ଷଣ, ଜଳ ଓ ପୋଷକ ପରିଚାଳନା, ଛାଦନ, ଫସଲ ପର୍ଯ୍ୟାୟ ଅନୁସରଣ କଲେ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଉର୍ବରତା ଅକ୍ଷୁଣ୍ଣ ରହିବ।

କେବଳ ଧାନ ଚାଷ ନକରି ପୁଷ୍ଟିକର ଶସ୍ୟ, ଡାଲିଜାତୀୟ ଫସଲ ଓ ତୈଳବୀଜ କିମ୍ୱା ପନିପରିବା ଫସଲ ଏକକ ବା ମିଶ୍ରିତ ଫସଲ ହିସାବରେ ଚାଷ କରିବା ଭଲ। ପ୍ରତିକୂଳ ଜଳବାୟୁ ସହଣି ଦେଶୀ କିମ୍ୱା ଉନ୍ନତ କିସମ ବିହନ ବ୍ୟବହାର ଆବଶ୍ୟକ। ଗ୍ରାମସ୍ତରରେ ବିହନ ବ୍ୟାଙ୍କ ଓ ଶସ୍ୟବ୍ୟାଙ୍କ ସ୍ଥାପନ କରାଗଲେ ଚାଷୀମାନେ ସୁବିଧାରେ ଏହି ବିହନ ପାଇପାରିବେ। ଜଳ ଅମଳ ପ୍ରକଳ୍ପ, ଆଡ଼ିବନ୍ଧ, ଫାର୍ମ ପୋଖରି, କୂପ ଖନନ ଇତ୍ୟାଦି ଦ୍ୱାରା ବର୍ଷାଜଳ ଅମଳକରି ଫସଲ ପାଇଁ ବ୍ୟବହାର କରିହେବ। ଜମିରେ ବନ୍ଧ ନିର୍ମାଣ, ଖାଇ ଖନନ ଇତ୍ୟାଦି କରି ବର୍ଷାଜଳ ମାଟିରେ ବହୁଦିନ ସାଇତି ରଖିହେବ। ବୁନ୍ଦା ଜଳସେଚନ ପ୍ରଣାଳୀ ସବୁଠୁ ଭଲ। ଗହଳିଆ ଫସଲରେ ସିଞ୍ଚନ ଜଳସେଚନ ମଧ୍ୟ ଅଧିକ ଫଳପ୍ରଦ।

ଓଜନିଆ ମେସିନ୍‌‌ ବ୍ୟବହାର ନକରି ବଳଦ ଚାଳିତ କ୍ଷୁଦ୍ର ଯନ୍ତ୍ରପାତି ବ୍ୟବହାର କଲେ ମୃତ୍ତିକାର ସଂଚରନା ସୁରକ୍ଷିତ ରହେ। ଶୂନ୍ୟକର୍ଷଣ ବା ସର୍ବନିମ୍ନ କର୍ଷଣ ସହିତ ଛାଦନ ଦ୍ୱାରା ଫସଲ ଚାଷ ଜଳବାୟୁ ସହନଶୀଳ ହୁଏ। ଫସଲ ରୁଆ ନକରି ଧାଡ଼ିବୁଣା ବା ଶ୍ରୀ- ପ୍ରଣାଳୀ ଧାନଚାଷ ଅଧିକ ନିରାପଦ। ଖାଲ ଜମିରେ ଧାନସହ ମାଛଚାଷ କୁକୁଡ଼ା ପାଳନ, ପନିପରିବା ଓ ଫଳଚାଷ ଗୋଟିଏ ଜମିରେ କରିହେବ। ଏଥିପାଇଁ ଗୋଟିଏ ପୋଖରୀ ଆବଶ୍ୟକ। ଏହି ଚାଷରେ ଗୋଟିକର ବର୍ଜ୍ୟବସ୍ତୁ ଅନ୍ୟଟିରେ ବ୍ୟବହାର ହେଉଥିବାରୁ ପରିବେଶ ଠିକ୍‌‌ ରହେ ଏବଂ ଚାଷୀକୁ ବର୍ଷସାରା କାମ ଓ ରୋଜଗାର ମିଳେ। ଢିପଜମିରେ କ୍ଷେତ ଫସଲ ସହ ଫଳଚାଷ, ପଶୁପାଳନ, ମହୁଚାଷ, ତୁତଚାଷ, ଔଷଧବୃକ୍ଷ ଚାଷ ଓ କୃଷି ବନୀକରଣ ଇତ୍ୟାଦି କରାଯାଇପାରିବ।

ପ୍ରାକୃତିକ କୃଷିରେ କୌଣସି ଖତ ବା ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଏନି। ଏଥିରେ ଜମିକୁ ଚାଷ କରାଯାଏନି କିମ୍ୱା ଘାସ ବଛାଯାଏନି। ଜୈବିକ କୃଷିରେ କୌଣସି ରାସାୟନିକ ସାର କିମ୍ୱା ଔଷଧ ବ୍ୟବହାର କରାଯାଏନି। କେବଳ ଖତ ଓ ଜିଆ ଖତ ବ୍ୟବହାର ସହିତ ଚାଷ ଓ ଘାସ ବଛା କରାଯାଏ। ଏପ୍ରକାର ଚାଷ ପଦ୍ଧତି ଜଳବାୟୁ ଅନୁକୂଳନ ହୋଇଥାଏ।

ଜଳବାୟୁ ତତ୍ପର କୃଷିର ତିନୋଟି ମୌଳିକ ଲକ୍ଷ୍ୟ ଥାଏ। ସେଗୁଡ଼ିକ ହେଲା: ଅଧିକ ଉତ୍ପାଦକତା, ସହନଶୀଳତା ବୃଦ୍ଧି ଓ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ। ଏପ୍ରକାର କୃଷି ପଦ୍ଧତିରେ ଯେଉଁ କୌଶଳ ଅନୁସରଣ କରାଯାଏ ସେଗୁଡ଼ିକ ହେଲା: ଜଳବାୟୁ ଅନୁକୂଳନ ଉଚ୍ଚମାନର ଫସଲ ଓ ବିହନ କିସମ ବ୍ୟବହାର, ଜୈବ ବିବିଧତା ପରିଚାଳନା ପାଇଁ ବିବିଧ ଫସଲ ଓ ଚାଷ ପଦ୍ଧତି ଅନୁସରଣ, ସମନ୍ୱିତ ରୋଗପୋକ ପରିଚାଳନା, ଉନ୍ନତ ଜଳ ପରିଚାଳନା, ବର୍ଷାଜଳ ଅମଳ, ପୋଷଣୀୟ ଭୂମି ଓ ମୃତ୍ତିକା ପରିଚାଳନା, କୃଷି ବନୀକରଣ ଓ ସମନ୍ୱିତ କୃଷିପଦ୍ଧତିର ଉପଯୋଗ।

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏକ ଗ୍ରାମରେ ସମ୍ପୂର୍ଣ୍ଣ ରୂପେ ଜଳବାୟୁ ତତ୍ପର କୃଷିପଦ୍ଧତି ଅନୁସରଣ କରାଯାଇ ପାରିବ। ଏଥିନିମନ୍ତେ ପ୍ରଥମରେ ଗ୍ରାମର ଜଳବାୟୁ ପରିବର୍ତ୍ତନ ଓ ପରିସ୍ଥିତିର ବିଶ୍ଳେଷଣ କରି ଉପଯୁକ୍ତ ରଣକୌଶଳ ଅନୁସରଣ କରାଯାଏ। ଏହି ଗ୍ରାମରେ ସାଧାରଣତଃ ଛଅଟି ସ୍ମାର୍ଟ କୌଶଳ ଅନୁସରଣ କରାଯାଏ। ପ୍ରଥମରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଓ ଉପଦେଶ ସହିତ ପାଣିପାଗ ଭିତ୍ତିକ ଫସଲ ବୀମା ଏଥିରେ ଅନ୍ତର୍ଭୁକ୍ତ। ଦ୍ୱିତୀୟରେ ବର୍ଷା ଜଳ ଅମଳ ଓ ସଂରକ୍ଷଣ, ଗୋଷ୍ଠୀ ଜଳ ପରିଚାଳନା, ଜମି ସମତୁଲ, ଜଳସେଚନ ଦକ୍ଷତା ବୃଦ୍ଧି ଓ ସୌରଶକ୍ତି ସମ୍ପର୍ଣ୍ଣ ଜଳସେଚନ। ତୃତୀୟରେ ଜଳବାୟୁ ଅନୁକୂଳନ ଓ ସହନଶୀଳ ବିହନ କିସମ ଓ ପ୍ରଜାତିର ପ୍ରାଣୀ ବ୍ୟବହାର; ଚତୁର୍ଥରେ କୃଷି ବନୀକରଣ, ବୃକ୍ଷ ରୋପଣ, ପ୍ରାଣୀ ସମ୍ପଦ ପରିଚାଳନା ଓ ଜୈବ ଶକ୍ତି ଇତ୍ୟାଦି ବ୍ୟବହାର କରାଯାଏ। ପଞ୍ଚମରେ ମୃତ୍ତିକା ପରିଚାଳନା, ସମନ୍ୱିତ ଖାଦ୍ୟସାର ପରିଚାଳନା ଓ ଫସଲ ବିବିଧିକରଣ ମାଧ୍ୟମରେ ପୋଷକ ପରିଚାଳନା ସମ୍ଭବ। ଏହା ସହିତ ଜମି ସମତୁଲ ଓ ପରିଶୁଦ୍ଧ କୃଷି କୌଶଳ ଅନୁସରଣ ମଧ୍ୟ କରାଯାଏ। ଷଷ୍ଠରେ କୃଷି ସମ୍ୱନ୍ଧୀୟ ବିଭିନ୍ନ ତଥ୍ୟ ହସ୍ତାନ୍ତର ସହିତ ବିପଣନ ଓ କ୍ଷତି ପରିଚାଳନା ଦିଗରେ ଧ୍ୟାନ କେନ୍ଦ୍ରିତ କରାଯାଏ।

ବିଭିନ୍ନ ଦେଶରେ ଓ ଆମ ଦେଶର ପଞ୍ଜାବ, ହରିଆନା, ମଧ୍ୟପ୍ରଦେଶ ଓ ବିହାରର କେତେକ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ମହାରାଷ୍ଟ୍ରର ହିଓରି ବଜାର ଗ୍ରାମରେ ଜଳ ବଜେଟ୍‌‌ ଅନୁସରଣ ସଫଳ ହୋଇଛି। ଜଳବାୟୁ ତତ୍ପର ଗ୍ରାମ ଯୋଜନାକୁ ସଫଳ କରିବାକୁ ହେଲେ ସରକାର ଜନସାଧାରଣଙ୍କ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ। ଆମର ଚାଷୀମାନେ ଏପରି ଚାଷ ପ୍ରତି ଆଗ୍ରହ ପ୍ରକାଶ କଲେ ଏବଂ ସରକାରୀ ସ୍ତରରେ ନିୟମିତ ପ୍ରଶିକ୍ଷଣ ଓ ସହାୟତା ଦିଆଗଲେ ଏହା ସଫଳ ହୋଇପାରିବ।

ବିଦ୍ୟାଧର ମହାରଣା , ଭୁବନେଶ୍ୱର, ମୋ: ୯୪୩୭୦୭୧୧୯୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର