ଜାତୀୟ ରାଜନୀତିରେ ତ୍ରିଭାଷୀ ବିବାଦ
ଏନ୍ଡିଏ ସରକାର ତୃତୀୟ ଦଫାର ଶାସନ କାଳରେ ମୁଖ୍ୟତଃ ଦୁଇଟି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରଚଳିତ ତ୍ରିଭାଷୀ ପାଠ୍ୟକ୍ରମ ଏବଂ ସଂସଦୀୟ କ୍ଷେତ୍ର ସୀମାର ପୁନର୍ବିନ୍ୟାସ। ଦୁଇଟି ସମସ୍ୟା ବେଶ ପୁରୁଣା। ବହୁ ଉଦ୍ୟମ ସତ୍ତ୍ବେ ଜାତୀୟସ୍ତରରେ ତ୍ରିଭାଷା ନୀତି ଆଜି ମଧ୍ୟ ରୂପାୟିତ ହୋଇପାରିନାହିଁ କି ହିନ୍ଦୀକୁ ସର୍ବତ୍ର ଗ୍ରହଣଯୋଗ୍ୟ କରିବା ସମ୍ଭବ ହୋଇନାହିଁ। ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ମଧ୍ୟ ମିଳିନାହିଁ। କେବଳ ସରକାରୀ ବା ଦାପ୍ତରିକ ଭାଷା […]
ଏନ୍ଡିଏ ସରକାର ତୃତୀୟ ଦଫାର ଶାସନ କାଳରେ ମୁଖ୍ୟତଃ ଦୁଇଟି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରଚଳିତ ତ୍ରିଭାଷୀ ପାଠ୍ୟକ୍ରମ ଏବଂ ସଂସଦୀୟ କ୍ଷେତ୍ର ସୀମାର ପୁନର୍ବିନ୍ୟାସ। ଦୁଇଟି ସମସ୍ୟା ବେଶ ପୁରୁଣା। ବହୁ ଉଦ୍ୟମ ସତ୍ତ୍ବେ ଜାତୀୟସ୍ତରରେ ତ୍ରିଭାଷା ନୀତି ଆଜି ମଧ୍ୟ ରୂପାୟିତ ହୋଇପାରିନାହିଁ କି ହିନ୍ଦୀକୁ ସର୍ବତ୍ର ଗ୍ରହଣଯୋଗ୍ୟ କରିବା ସମ୍ଭବ ହୋଇନାହିଁ। ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ମଧ୍ୟ ମିଳିନାହିଁ। କେବଳ ସରକାରୀ ବା ଦାପ୍ତରିକ ଭାଷା ରୂପେ ଗଣ୍ୟ ହୋଇଛି। ସେହିଭଳି ଜନସଂଖ୍ୟା ବୃଦ୍ଧି ସହିତ ଦେଶର ସାଂସଦ ସଂଖ୍ୟା ବୃଦ୍ଧି ବିଷୟ ଉପରେ ଅର୍ଦ୍ଧଶତାବ୍ଦୀ ଧରି ବିଚାର ଚାଲିଛି। ଆସନ୍ତା ବର୍ଷରେ ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଦେବାକୁ ପଡ଼ିବ। ଏନେଇ ପ୍ରବଳ ଗୋଳମାଳ। ତାମିଲ୍ନାଡୁ ଦାବି ଜଣାଇଛି, ଆହୁରି ୧୦ବର୍ଷ ସଂସଦର ଆକାର ଅପରିବର୍ତ୍ତିତ ରହୁ। ଏହି ଦାବିରେ ଦକ୍ଷିଣାତ୍ୟକୁ ଏକାଠି କରିବାକୁ ଡିଏମ୍କେ ଉଦ୍ୟମ ଚଳାଇଛି। ଏହାଛଡ଼ା ଲୋକସଭା ଆସନ ବୃଦ୍ଧିରେ କ୍ଷତିଗ୍ରସ୍ତ ହେବାକୁ ଥିବା ଓଡ଼ିଶା ପରି ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ସାଙ୍ଗରେ ନେବାକୁ ଚାହୁଁଛି।
ବିଶେଷକରି ହିନ୍ଦୀ ଭାଷାକୁ ଭାରତରେ ସାର୍ବଜନୀନ କରିବାକୁ ବହୁ କାଳରୁ ଚେଷ୍ଟା ଚାଲିଛି। ଏପରିକି ସ୍ୱାଧୀନତା ପୂର୍ବରୁ ଏ ସମ୍ପର୍କରେ ଦେଶବ୍ୟାପୀ ବିତର୍କ ହୋଇଛି। ହିନ୍ଦୀକୁ ରାଷ୍ଟ୍ର ଭାଷା କରିବା ପ୍ରସ୍ତାବକୁ ଅଣହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକ ବିରୋଧ କରି ଆସୁଛନ୍ତି। ଅତୀତରେ ଏହି ଉଦ୍ୟମକୁ ସବୁଠାରୁ ବେଶି ସକ୍ରିୟ ପ୍ରତିରୋଧରେ ମାଡ୍ରାସ ପ୍ରେସିଡେନ୍ସିରେ ଦେଖିବାକୁ ମିଳିଥିଲା। ୧୯୩୭ରେ ମାଡ୍ରାସ ପ୍ରେସିଡେନ୍ସି ସରକାରୀ ଖର୍ଚ୍ଚରେ ହିନ୍ଦୀ ଭାଷା ଶିକ୍ଷା ବାଧ୍ୟତାମୂଳକ କରିବାକୁ ଘୋଷଣା କରିବା ପରେ ସେଠାରେ ପ୍ରତିବାଦ ଆରମ୍ଭ ହୋଇଥିଲା। ଇରୋଡ ଭେଙ୍ଗଟାମ୍ମା ରାମସ୍ୱାମୀ ପେରିଆରଙ୍କ ନେତୃତ୍ୱରେ ତୀବ୍ର ଆନ୍ଦୋଳନ ହୋଇଥିଲା। ସେ ଅଭିଯୋଗ କରିଥିଲେ ଯେ ଗାନ୍ଧୀ, ନେହେରୁ ଓ କଂଗ୍ରେସର ହିନ୍ଦୀଭାଷାପ୍ରେମୀମାନେ ତାମିଲ୍ ଭାଷା ଓ ସଂସ୍କୃତିର ଅବସାନ ଘଟାଇଲେ ଦକ୍ଷିଣ ହୋଇଯିବ ଉତ୍ତରର ଦାସ। ପେରିଆରଙ୍କ ସେହି ଆନ୍ଦୋଳନ ଦ୍ରାବିଡ୍ ଜାତ୍ୟାଭିମାନକୁ ଜନ୍ମ ଦେଇଥିଲା, ଯାହା ଆଜି ମଧ୍ୟ ପ୍ରବଳ। ତିନିବର୍ଷ ପରେ ଅର୍ଥାତ୍ ୧୯୪୨ରେ ସରକାରୀ ନିଷ୍ପତ୍ତି ପ୍ରତ୍ୟାହାର ପରେ ସେଠାରେ ଶାନ୍ତି ଫେରିଥିଲା। ସ୍ୱାଧୀନତା ପରେ ସମ୍ବିଧାନ ପ୍ରଣୟନ ସମୟରେ ହିନ୍ଦୀକୁ ରାଷ୍ଟ୍ରଭାଷା କରାଯାଇ ପାରିବ କି ନାହିଁ, ସେହି ବିତର୍କ ପୁଣି ଥରେ ଆରମ୍ଭ ହୋଇଥିଲା। ଚୂଡ଼ାନ୍ତ ନିଷ୍ପତ୍ତି ଅନୁଯାୟୀ, ହିନ୍ଦୀ ସମେତ ଇଂରାଜୀକୁ ସରକାରୀ ଭାଷା ଭାବେ ସ୍ୱୀକୃତି ଦିଆଗଲା ଏବଂ ଏହାର ମିଆଦ ପରବର୍ତ୍ତୀ ୧୫ବର୍ଷ ଅର୍ଥାତ୍ ୧୯୬୫ ପର୍ଯ୍ୟନ୍ତ ରହିଲା।
ମିଆଦ ଶେଷ ହେବାର ପୂର୍ବରୁ ମାନ୍ଦ୍ରାଜରେ ନୂଆକରି ତୀବ୍ର ହିନ୍ଦୀ ବିରୋଧୀ ଆନ୍ଦୋଳନ ହୋଇଥିଲା। ଆଶଙ୍କା ଥିଲା ମିଆଦ ଶେଷ ହେବା ମାତ୍ରେ ହିନ୍ଦୀ ହିଁ ହେବ ଏକ ମାତ୍ର ସରକାରୀ ଭାଷା। ହିନ୍ଦୀ ଆକ୍ରମଣକୁ ମୁକାବିଲା କରିବା ପାଇଁ ରକ୍ତପାତ, ପ୍ରାଣହାନି ଓ ହିଂସା ସଂଘଟିତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ ଘୋଷଣା କରିଥିଲେ ଯେ ଅଣହିନ୍ଦୀ ରାଜ୍ୟମାନେ ଯେତେଦିନ ଚାହିଁବେ, ସେତେଦିନ ପର୍ଯ୍ୟନ୍ତ ହିନ୍ଦୀ ସହ ଇଂରାଜୀ ସରକାରୀ ବା ଦାପ୍ତରିକ ଭାଷା ହୋଇ ରହିବ। ଏହାପରେ ଶାନ୍ତି ଫେରିଥିଲା।
ସମ୍ବିଧାନ ପ୍ରଣେତାମାନେ ଶିକ୍ଷାକୁ ରାଜ୍ୟ ତାଲିକାରେ ରଖିଥିଲେ। ୧୯୭୫ରେ ଏହାକୁ ଯୁଗ୍ମ ତାଲିକାରେ ରଖାଗଲା। ଏବେ ଦେଶ ଯେତେ ବିକାଶ ପଥରେ ଅଗ୍ରସର ହେଉଛି, ଇଂରାଜୀ ଶିକ୍ଷାର ଆବଶ୍ୟକତା ସେତେ ଅଧିକ ଅନୁଭୂତ ହେଉଛି। ସରକାରୀ ବିଦ୍ୟାଳୟରେ ମାତୃଭାଷାରେ ଶିକ୍ଷାଦାନ ହେଲେ ମଧ୍ୟ ବେସରକାରୀ ବିଦ୍ୟାଳୟରେ ଇଂରାଜୀ ହେଉଛି ଶିକ୍ଷାର ମାଧ୍ୟମ। ଇଂରାଜୀମାଧ୍ୟମ ବିଦ୍ୟାଳୟର ଆକର୍ଷଣ ୭୦ଦଶକରୁ ବଢ଼଼ିବାକୁ ଲାଗିଛି। ନିବେଶକରଣ, ଜଗତୀକରଣ ଓ ଅର୍ଥନୈତିକ ଉଦାରୀକରଣ ସେହି ପ୍ରବଣତାକୁ ଆହୁରି ତୀବ୍ର କରିଛି।
ଭାରତରେ ତ୍ରିଭାଷା ନୀତି ୧୯୬୮ରେ ପ୍ରସ୍ତୁତ ହୋଇଥିଲା। ସେଥିରେ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ହିନ୍ଦୀ ଓ ଇଂରାଜୀ ସହ ଅନ୍ୟ ଭାରତୀୟ ଭାଷା ଶିକ୍ଷା ଉପରେ ଜୋର ଦିଆଯାଇଥିଲା। ଅଣହିନ୍ଦୀ ରାଜ୍ୟରେ ଆଞ୍ଚଳିକ ଭାଷା ଓ ଇଂରାଜୀ ସହ ହିନ୍ଦୀ ଚିହ୍ନିତ ହୋଇଥିଲା ତୃତୀୟ ଭାଷା ରୂପେ। ଏ ନୀତି ଗୃହୀତ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଥିଲା ଅତ୍ୟନ୍ତ କଠିନ। ରାଜ୍ୟ-ରାଜ୍ୟରେ ବିତର୍କ ମଧ୍ୟ ଦେଖାଦେଇଥିଲା। ଦାକ୍ଷିଣାତ୍ୟର ରାଜ୍ୟଗୁଡ଼ିକରେ ସ୍ଥାନୀୟ ଭାଷା ସହ ଇଂରାଜୀ ପ୍ରାଧାନ୍ୟ ପାଇଲା। ହିନ୍ଦୀ ଥିଲା ପ୍ରାୟ ଅଛୁଆଁ। ଏପରିକି କେନ୍ଦ୍ର ସରକାରଙ୍କ ଅର୍ଥରେ ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟ ଖୋଲିବାକୁ ତତ୍କାଳୀନ ମାନ୍ଦ୍ରାଜ(ଅଧୁନା ତାମିଲ୍ନାଡୁ) ସରକାର ଅସ୍ୱୀକାର କରିଥିଲେ।
ଏବେ ଆରମ୍ଭ ହୋଇଛି ନୂତନ ଭାଷାଯୁଦ୍ଧ। ତାମିଲ୍ ଅସ୍ମିତା ରକ୍ଷା କରିବାକୁ ଯାଇ ବିଜେପିର ନେତା ଅଭିନେତ୍ରୀ ରଞ୍ଜନା ନାଚିୟାର ବିଜେପି ଛାଡ଼ିଛନ୍ତି। କର୍ଣ୍ଣାଟକରେ ମଧ୍ୟ ଦାବି ଉଠିଛି ତ୍ରିଭାଷା ନୁହେଁ, ଦ୍ୱିଭାଷା ଶିକ୍ଷା। ଷ୍ଟାଲିନ୍ ତୋଳି ଧରିଛନ୍ତି ସୋଭିଏତ୍ ୟୁନିୟନ୍ର ଉଦାହରଣ। ରୁଷିଆର ଭାଷା ଆକ୍ରମଣ କିପରି ସୋଭିଏତ୍ ୟୁନିୟନ୍ର ପତନ ଘଟାଇଛି, ସେହି ଇତିହାସ ସ୍ମରଣ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ମହାତ୍ମା ଗାନ୍ଧୀ, ଜବାହରଲାଲ୍ ନେହେରୁ ଓ କଂଗ୍ରେସ ମଧ୍ୟ ହିନ୍ଦୀର ପ୍ରସାରରେ ଉତ୍ସାହୀ ଥିଲେ। କିନ୍ତୁ ଅଣହିନ୍ଦୀଭାଷୀଙ୍କ ସ୍ପର୍ଶକାତରତାକୁ ଉପେକ୍ଷା କରୁ ନଥିଲେ। ମାପିଚୁପି ଦେଶର ରାଜନୀତିରେ ବିଭିନ୍ନ ସମୟରେ ପଛକୁ ହଟିଥିଲେ। ଭାଷାର ବୈଚିତ୍ର୍ୟ ଓ ଆଞ୍ଚଳିକ ବୈଶିଷ୍ଟ୍ୟସମୃଦ୍ଧ ଭାଷାକୁ ସେମାନେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଗତ ୧୦ ବର୍ଷରେ ଯେତେ କେନ୍ଦ୍ରୀୟ ଆଇନ ପ୍ରଣୀତ ହୋଇଛି ପ୍ରତ୍ୟେକର ପରିଚିତି ହିନ୍ଦୀରେ ଦିଆଯାଇଛି। ଇଣ୍ଡିଆନ୍ ପେନାଲ୍ କୋଡ୍ର ନାମ ଭାରତୀୟ ନ୍ୟାୟ ସଂହିତା। ଦେଶର ନାମ ବ୍ୟବହାର କ୍ଷେତ୍ରରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’କୁ ପ୍ରାଧାନ୍ୟ ଦେବାକୁ ଉଦ୍ୟମ ହୋଇଛି। ନୂଆ ସଂସଦ ଭବନର ଅଭ୍ୟନ୍ତରରେ ଯାବତୀୟ ନିର୍ଦ୍ଦେଶିକା ହିନ୍ଦୀ ଓ ସଂସ୍କୃତ ଭିତ୍ତିକ। ଉଲ୍ଲେଖନୀୟ ଯେ ତ୍ରିଭାଷା ନୀତି ସବୁଠାରୁ ବେଶି ଉପେକ୍ଷିତ ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ। ଉଦାହରଣ ସ୍ୱରୂପ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହରିୟାନା, ମଧ୍ୟପ୍ରଦେଶ, ଛତିଶଗଡ଼଼ ଆଦି ରାଜ୍ୟରେ ତ୍ରିଭାଷା ତ ଦୂରର କଥା ଦୁଇଟି ଭାଷା ମଧ୍ୟ ପଢ଼଼ାଯାଏ ନାହିଁ। ଭାଷା ଗୋଟିଏ। ତାହା ହେଲା ହିନ୍ଦୀ। ଏସବୁ ରାଜ୍ୟରେ ସରକାରୀ ସ୍ତରରେ ଛାତ୍ରଛାତ୍ରୀମାନେ ଇଂରାଜୀ ବା ଅନ୍ୟ କୌଣସି ଭାଷା ଶିଖନ୍ତି ନାହିଁ। କାରଣ ସ୍କୁଲ୍ମାନଙ୍କରେ ଶିକ୍ଷକଙ୍କର ଉପସ୍ଥିତି ନାହିଁ କହିଲେ ଚଳେ। ଇଂରାଜୀ ଶିକ୍ଷା ଯେତେ ଟିକକ, ତାହା କେତେକ ଘରୋଇ ବିଦ୍ୟାଳୟରେ। ପଞ୍ଜାବ, ମହାରାଷ୍ଟ୍ର ଓ ଗୁଜରାଟ ପରି ରାଜ୍ୟରେ ହିନ୍ଦୀ ପୁଣି ତୃତୀୟ ଭାଷା। ଏଥିରେ ଛାତ୍ରଛାତ୍ରୀମାନଙ୍କର ଅନେକ ସୁବିଧା, ଖଟଣି କମ୍, ନମ୍ବର ଅଧିକ ମିଳେ।
କଂଗ୍ରେସର ତାମିଲ଼୍ ନେତା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଏହି କାରଣରୁ ପରାମର୍ଶ ଦେଇଛନ୍ତି ଯେ ଅଯଥା ହିନ୍ଦୀର ପ୍ରସାରରେ ତ୍ରିଭାଷା ନୀତି ରୂପାୟନରେ ଜିଦ୍ ନକରି କେନ୍ଦ୍ର ସରକାର ବରଂ ତୃତୀୟ ଭାଷା ରୂପେ ଇଂରାଜୀ ଶିକ୍ଷା ଉପରେ ଜୋର ଦିଅନ୍ତୁ। ସେଥିରେ ବରଂ ଦେଶ ଓ ଭବିଷ୍ୟତ ପ୍ରଜନ୍ମ ଉପକୃତ ହେବେ। କାହାରି ଜାତ୍ୟାଭିମାନକୁ ଆଘାତ ନଦେଇ ଆକୁମାରୀ ହିମାଚଳରେ ହିନ୍ଦୀ ସିନେମା ଓ ଏହାର ଗୀତର ଅବାଧ ପ୍ରସାର ଚାଳିଛି। ଦେଶବ୍ୟାପୀ ହିନ୍ଦୀର ବିକାଶରେ ଆଜି ମଧ୍ୟ ଏହା ଅପ୍ରତିଦ୍ୱନ୍ଦ୍ୱୀ ଓ ବିବାଦର ଊର୍ଦ୍ଧ୍ବରେ। ଏହିସବୁ ସତ୍ୟକୁ ନ ବୁଝି ଅନର୍ଥକ ଜବରଦସ୍ତି ଗୋଟିଏ ଭାଷାକୁ ପାଠ୍ୟକ୍ରମରେ ଲଦି ଦେବା ଠିକ୍ ନୁହେଁ।
କିଶୋର ଜେନା
କଟକ, ମୋ: ୯୪୩୭୩୮୪୮୬୭






