କାହାକୁ କହିବା…
ଆମ ମାତୃଭାଷା ଓ ଆମ ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ। ଯେଉଁ ଭାଷାରେ ଜନ୍ମ ନେଇଥିଲେ ଆଦି କବି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, କଲ୍ଲୋଳ କବି ଦୀନକୃଷ୍ଣ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ରଜନାଥ ବଡ଼ଜେନା, ବିଦଗ୍ଧ କବି ଅଭିମନ୍ୟୁ, କବିସୂର୍ଯ୍ୟ ବଳଦେବ ରଥ ଓ ଉତ୍କଳ ଘଣ୍ଟ ଯଦୁମଣିଙ୍କ ଭଳି ମହାକବିମାନେ। ଯେଉଁମାନଙ୍କ ସୃଷ୍ଟି ସମ୍ଭାରରେ ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାର ହୋଇଛି ଅତ୍ୟନ୍ତ ରୁଦ୍ଧିମନ୍ତ। ଏମାନେ ସମସ୍ତେ ଉତ୍କଳ ସାହିତ୍ୟ ଗଗନର […]
ଆମ ମାତୃଭାଷା ଓ ଆମ ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ। ଯେଉଁ ଭାଷାରେ ଜନ୍ମ ନେଇଥିଲେ ଆଦି କବି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, କଲ୍ଲୋଳ କବି ଦୀନକୃଷ୍ଣ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ରଜନାଥ ବଡ଼ଜେନା, ବିଦଗ୍ଧ କବି ଅଭିମନ୍ୟୁ, କବିସୂର୍ଯ୍ୟ ବଳଦେବ ରଥ ଓ ଉତ୍କଳ ଘଣ୍ଟ ଯଦୁମଣିଙ୍କ ଭଳି ମହାକବିମାନେ। ଯେଉଁମାନଙ୍କ ସୃଷ୍ଟି ସମ୍ଭାରରେ ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାର ହୋଇଛି ଅତ୍ୟନ୍ତ ରୁଦ୍ଧିମନ୍ତ। ଏମାନେ ସମସ୍ତେ ଉତ୍କଳ ସାହିତ୍ୟ ଗଗନର ଏକ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ। ତେଣୁ ଓଡ଼ିଆ ଭାଷା ସାହିତ୍ୟ ବହନ କରିଛି ଅତ୍ୟନ୍ତ ଆଭିଜାତ୍ୟର ସଂକେତ। କିନ୍ତୁ ଆଧୁନିକ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଆମ ଆଭିଜାତ୍ୟସମ୍ପନ୍ନ ଏହି ଶାସ୍ତ୍ରୀୟ ଭାଷାର ଗୌରବକୁ ଆମେ ହିଁ କ୍ଷୁଣ୍ଣ କରିଚାଲିଛୁ। ଅନେକ ବୈଦେଶିକ ଓ ଯାବନିକ ଭାଷା ଓ ଶବ୍ଦ ଦ୍ୱାରା ଆମ ମାତୃଭାଷା ଏବେ ଏକପ୍ରକାର ପ୍ରଦୂଷିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଉଦାହରଣ ତ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଅନେକ। ତଥାପି ପ୍ରାସଙ୍ଗିକତା ଦୃଷ୍ଟିରୁ ପାଠକ/ପାଠିକାମାନଙ୍କ ଅବଗତ ନିମନ୍ତେ ମୋ ଅଙ୍ଗେନିଭା କେତୋଟି ଘଟଣାର ଅବତାରଣା କରୁଛି।
ନିକଟରେ ମୁଁ ବସ୍ରେ ଯାଉଥିବାବେଳେ ଏକ ଅସ୍ୱାଭାବିକ ଘଟଣାକୁ ସାମ୍ନା କଲି। ଯାତ୍ରୀମାନଙ୍କଠାରୁ ବସ୍ ଭଡ଼ା ଆଦାୟ କରିବା ପାଇଁ ନିଯୁକ୍ତ ବ୍ୟକ୍ତିଜଣକ ଜନୈକା ଭଦ୍ର ମହିଳାଙ୍କୁ କହିଲେ- ‘ମାଉସୀ, ଟିକେ ପଛକୁ ଆସନ୍ତୁ, ଠିଆ ହେବାକୁ ସୁବିଧା ହେବ। ସେଠାରେ ଆପଣ ବହୁତ ଭିଡ଼ରେ କାହିଁକି ଠିଆ ହେବେ?’ ତା’ପରେ ଭଦ୍ରମହିଳା ଯାହା କହିଲେ ଆମେ ସମସ୍ତେ ସ୍ତବ୍ଧ ହୋଇଗଲୁ। ସେ କହିଲେ- ‘ହଇରେ ମୁଁ କ’ଣ ତୋ ମାଆର ଭଉଣୀ?, ତୋ ବାପର ଶାଳୀ? ମୋତେ ମାଉସୀ କହୁଛୁ? ବ୍ୟବହାର ଶିଖିନୁ? ଗାଁବାଲାଙ୍କ ପରି ହେଉଛୁ?’ ଭଦ୍ର ମହିଳାଙ୍କ ଏଭଳି ପ୍ରତିକ୍ରିୟାରେ ବସ୍ କମର୍ଚାରୀଜଣକ ଚକିତ ହୋଇଗଲେ। ଜଣେ ଭଦ୍ର ସହଯାତ୍ରୀ ଭଦ୍ରମହିଳାଙ୍କୁ ପଚାରିଲେ- ‘ସେ କ’ଣ କହିଥିଲେ ଆପଣଙ୍କୁ ଭଲ ଲାଗିଥା’ନ୍ତା?’ ଭଦ୍ର ମହିଳା ଚଟାପଟ୍ ଉତ୍ତର ଦେଲେ – ‘କ’ଣ ମ୍ୟାଡାମ୍, ମାମ୍, ଆଣ୍ଟି କିଛି ଜାଣିନି? ଯାହା ବୋଲି ତାହା କହି ଯାଉଛି?’
ସୁଧୀ ପାଠକ ବୃନ୍ଦ! ବିଚାର କରନ୍ତୁ। ଆମେ କୌଣସି ଅପରିଚିତା ମହିଳାଙ୍କୁ ଦେଖିଲେ ତାଙ୍କୁ ‘ମାଉସୀ’ ଓ ଅପରିଚିତ ପୁରୁଷଙ୍କୁ ଦେଖିଲେ ‘ମଉସା’ ବୋଲି ସମ୍ବୋଧନ କରିଥାଉ। କମ୍ ବୟସ ବା ସମ ବୟସର ହୋଇଥିଲେ ‘ଭଉଣୀ’ ବା ‘ଭାଇ’ ବୋଲି ସମ୍ବୋଧନ କରିଥାଉ। କିନ୍ତୁ ପାଶ୍ଚାତ୍ୟରେ ମାଉସୀ, ପିଉସୀ, ମାଇଁ, ଖୁଡ଼ୀ ପ୍ରଭୃତି ସମବର୍ଗର ମହିଳାଙ୍କୁ ‘ଆଣ୍ଟି’ ବୋଲି ସମ୍ବୋଧନ କରାଯାଏ। ସେହିପରି ମାମୁଁ, ମଉସା, ପିଉସା, କାକାଙ୍କୁ ସେମାନେ ‘ଅଙ୍କଲ’ ବୋଲି ସମ୍ବୋଧନ କରନ୍ତି। ଏଇଟା ସେମାନଙ୍କର ପରମ୍ପରା। କିନ୍ତୁ ଆମର ସାମାଜିକ ଚଳଣି ଓ ପାରମ୍ପରିକ ବିଧିବ୍ୟବସ୍ଥାରେ ସ୍ନେହ-ସମ୍ବୋଧନ ଏବଂ ଭକ୍ତି-ସମ୍ବୋଧନ ପାଇଁ ସ୍ୱତନ୍ତ୍ର ଶବ୍ଦମାନ ରହିଛି। ପାଶ୍ଚାତ୍ୟ ସାହିତ୍ୟ ଓ ଚଳଣିରେ ଚାକର, କୁକୁର, ବ୍ରାହ୍ମଣ, ବଡ଼, ସାନ ସମସ୍ତଙ୍କୁ ‘ୟୁ’ କୁହାଯାଏ। ଆମର ‘ତୁ’, ‘ତୁମେ’, ‘ଆପଣ’, ‘ମହାଶୟ’, ‘ମହୋଦୟ’ ପ୍ରଭୃତି ପାତ୍ରବିଶେଷରେ ବ୍ୟବହାର କରାଯାଏ। ବିଡ଼ମ୍ବନା ହେଉଛି ଅଧୁନା ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ସଚରାଚର ‘ଅଙ୍କଲ’, ‘ଆଣ୍ଟି’, ‘ମାମ୍’ କେବଳ ବ୍ୟବହାର କରାଯାଉଛି। ଆମର ମୌଳିକ ଶବ୍ଦ ସବୁ ଆଉ ବ୍ୟବହୃତ ହେଉ ନାହାନ୍ତି। ସେ ସବୁ କହିଲେ ଲୋକେ ଅଶିକ୍ଷିତ ବୋଲି କାଳେ ବିଚାରୁଛନ୍ତି। ଏହି ପୃଷ୍ଠଭୂମିରେ ଚିନ୍ତା କଲେ ବାସ୍ତବରେ ଆମେ ଗୋଟିଏ ବିଦେଶୀ ଭାଷାର ଦାସତ୍ୱ ସ୍ୱୀକାର କରିସାରିଛୁ।
ଆଉ ଗୋଟିଏ ମଜ୍ଜା ଘଟଣା ହେଲା- ଏକଦା ଜଣେ ଭଦ୍ର ବ୍ୟକ୍ତି ସମ୍ବଲପୁରରୁ ଆସି ରାଜଧାନୀର ‘ପୁରୁଣା ବସ୍ଷ୍ଟାଣ୍ଡ’ରେ ଓହ୍ଲାଇ ଗୋଟିଏ ରିକ୍ସାବାଲାକୁ କହିଲେ ‘ସଚିବାଳୟ ଚାଲ’। ରିକ୍ସା ଚାଲିଲା। ସେ ଯାଇ କଳ୍ପନା ଛକରେ ସଂଗ୍ରହାଳୟ ଆଗରେ ରିକ୍ସା ରଖି ଦେଇ କହିଲା- ଏଇଟା ସଚିବାଳୟ। ସେଠାରେ ଲେଖା ହୋଇଛି ରାଜ୍ୟ ସଂଗ୍ରହାଳୟ। ଭଦ୍ରବ୍ୟକ୍ତି କହିଲେ- ଏଇଟା ନୁହେଁ। ବିଚରା ରିକ୍ସାବାଲା ଦୁଇ ଚାରିଜଣଙ୍କୁ ପଚାରିଲା, କେହି କହିପାରିଲେ ନାହିଁ ସଚିବାଳୟ କେଉଁଠି। ଶେଷରେ ଜଣେ ବସ୍ କର୍ମଚାରୀ କହିଲେ, ‘କିରେ ସଚିବାଳୟ ପରା ସେକ୍ରେଟେରିଏଟ୍, ତୁ ଦେଖି ନାହୁଁ?’ ତହୁଁ ରିକ୍ସାବାଲା କହିଲା, ‘ବାବୁ ତ କହୁଛନ୍ତି ସଚିବାଳୟ, ମୁଁ କ’ଣ କରିବି?’ ପ୍ରିୟ ପାଠକଗଣ! ବିଚାର କରନ୍ତୁ- ଆମେ ସଚିବାଳୟ ବୁଝି ପାରୁନାହୁଁ, ସେକ୍ରେଟେରିଏଟ୍ ବୁଝୁଛୁ।
ଏହା ଅବଶ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଆମର ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଶବ୍ଦସମୃଦ୍ଧ ମୌଳିକ ଓଡ଼ିଆ ଭାଷାରେ ଅନେକ ବୈଦେଶିକ ତଥା ଯାବନିକ ବ୍ୟାବହାରିକ ଶବ୍ଦ ପଶି ଯାଇଛି, ଯାହାର ଓଡ଼ିଆ ପ୍ରତିଶବ୍ଦ ଆମକୁ ଜଣାନାହିଁ, ଯଥା- କବଲା, ପଟ୍ଟା, ପାଉତି, ଦିଲିଲ୍, ରସିଦ୍ ଇତ୍ୟାଦି। ‘ଟେବୁଲ୍’ ଏକ ଇଂରାଜୀ ଶବ୍ଦ। ଏହାର ଓଡ଼ିଆ ପ୍ରତିଶବ୍ଦ ‘ମେଜ’। ଏହା କିନ୍ତୁ ସମସ୍ତଙ୍କୁ ଜଣାନାହିଁ। ରୋଷେଇ ଘରେ ବ୍ୟବହୃତ ସବୁ ଜିନିଷ ଇଂରାଜୀ। ଯଥା ଗ୍ୟାସ୍ ସିଲିଣ୍ଡର, ପ୍ରେସର କୁକର, ଗ୍ରାଇଣ୍ଡର, ପ୍ୟାନ୍ ଇତ୍ୟାଦି। ସେହିପରି ଗ୍ଲାସ, କପ୍, ମଗ୍, ଚାମଚ ପ୍ରଭୃତିର ପ୍ରତିଶବ୍ଦ ଆମ ଓଡ଼ିଆ ଶବ୍ଦକୋଷମାନଙ୍କରେ ଲେଖାଯାଇ ନାହିଁ। ଆମେ ସେହି ଶବ୍ଦଗୁଡ଼ିକୁ ସେହିଭଳି ବ୍ୟବହାର କରୁଛୁ। ଏହା ପ୍ରାୟ ଆମ ଭାଷାରେ ମିଶିଗଲାଣି। କିନ୍ତୁ ଅନେକ ଶବ୍ଦ ଆମେ ଇଚ୍ଛାକୃତ ଭାବରେ ବ୍ୟବହାର କରୁଛୁ। ଯଥା- ଟିଫିନ୍, ବ୍ରେକ୍ଫାଷ୍ଟ ଇତ୍ୟାଦି। କାରଣ ଜଳଖିଆ କହିବାକୁ ଆମକୁ ଖରାପ ଲାଗୁଛି। ସେହିଭଳି ଲଞ୍ଚ ବଦଳରେ ମଧ୍ୟାହ୍ନ ଭୋଜନ, ଡିନର ବଦଳରେ ରାତ୍ର ଭୋଜନ- କହିବାକୁ ଆମକୁ କେମିତି ଅଡ଼ୁଆ ଲାଗୁଛି। ସେସବୁ ଇଂରାଜୀ ଶବ୍ଦ କହି ଆମେ ନିଜକୁ ସଭ୍ୟ ଶିକ୍ଷିତ ବୋଲି ନିଜକୁ ଗର୍ବ କରୁଛୁ। ଆମ ଘର ଚଳଣିରେ ବ୍ୟବହୃତ ପ୍ରାୟ ସମସ୍ତ ଜିନିଷ ଇଂରାଜୀ। ଯଥା ଡ୍ରଇଁ ରୁମ୍, ବେଡ୍ ରୁମ୍, ଗେଷ୍ଟ ରୁମ୍, ବାଥ ରୁମ୍, ଡାଇନିଙ୍ଗ ରୁମ୍, କିଚେନ୍ ରୁମ୍ ଇତ୍ୟାଦି। ଏ ସବୁର ଓଡ଼ିଆ ପ୍ରତିଶବ୍ଦ ଅଛି। ଆମେ କହିଲେ କାଳେ କିଏ ଅସଭ୍ୟ, ଅଶିକ୍ଷିତ ବିଚାରିବ! ତେଣୁ ଦେଖେଇ ହୋଇ ଆମେ ସେସବୁର ଇଂରାଜୀ ଶବ୍ଦ କହୁଛୁ। ଆମ ବେଶ, ପୋଷାକ, ଚାଲିଚଳଣ ସବୁ ଇଂରାଜୀ ଶୈଳୀରେ। ଧୋତି, ଲୋଟି, ଚୁଟି ଆଉ ନାହିଁ।
କୌଣସି ବ୍ୟକ୍ତି ଆଗରେ ନିଜ ଘରକଥା କହିଲା ବେଳେ ଆମେ କହୁଛୁ, ଫାଦରଙ୍କ ଦେହ ଖରାପ, ମଦର ଅସୁସ୍ଥ, ମିସେସ୍ ବା ୱାଇଫ୍ ବଡ଼ ଅସୁବିଧାରେ ଅଛି। କିନ୍ତୁ ଆମେ ବାପା, ବୋଉ, ପତ୍ନୀ ବା ସ୍ତ୍ରୀ ଉଚ୍ଚାରଣ କରିବାକୁ ସଂକୋଚ କରୁଛୁ କାହିଁକି? ବଜାରକୁ ଯାଉଛି ନ କହି ମୁଁ ମାର୍କେଟିଙ୍ଗ କରିବାକୁ ଅଥବା ସପିଙ୍ଗ୍ କରିବାକୁ ଯାଉଛି ବୋଲି କହିବା ପଛରେ ଯେ ଆମର ପାଶ୍ଚାତ୍ୟ ଓ ଆଧୁନିକ ମନସ୍କତା ରହିଛି ଏହା ବାରି ହୋଇପଡ଼ୁଛି। କିନ୍ତୁ ଇଂରାଜୀ ଶବ୍ଦ ଉଚ୍ଚାରଣ କରିଦେଲେ କ’ଣ ଆମେ ଆଭିଜାତ୍ୟସମ୍ପନ୍ନ ହୋଇଯିବା? ନିଜ ମାତୃଭାଷାକୁ ଏତେ ହେୟଜ୍ଞାନ କରିବା କାହିଁକି? ‘ଉଚ୍ଚ ହେବା ପାଇଁ କରି ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା’। ଗଙ୍ଗାଧରଙ୍କ ଉକ୍ତି କ’ଣ ଭୁଲ୍ ହୋଇଗଲା? ଅନ୍ୟଭାଷାର ଶବ୍ଦ ଇଚ୍ଛାକୃତ ଭାବେ ବ୍ୟବହାର କରିବା ଦ୍ୱାରା ଆମ ଭାଷାର ଗୌରବ ହାନି ହେଉନାହିଁ କି? ଯେଉଁ ଅଞ୍ଚଳର, ଯେଉଁ ଜାତିର ହେଲେ ମଧ୍ୟ ଭାଷା ସବୁବେଳେ ମହାନ୍। କିନ୍ତୁ ଅନ୍ୟ ଭାଷାକୁ ଗୁରୁତ୍ୱ ଦେବାକୁ ଯାଇ ଆମ ମାତୃଭାଷାକୁ ଅପାଂକ୍ତେୟ କରିବା କେତେ ଯୁକ୍ତିଯୁକ୍ତ? ଅନ୍ୟର ମା’କୁ ସମ୍ମାନ ଦେବାକୁ ଯାଇ ଆମେ ଆମ ନିଜ ମା’କୁ ଅସମ୍ମାନ କରିବା ଭଳି କଥା ଏହା ନୁହଁ କି?
ଭାଷାବିତ୍ ପଣ୍ଡିତମାନେ ମତ ବ୍ୟକ୍ତ କରନ୍ତି ଯେ ବୈଦିକ ସଂସ୍କୃତରୁ ଗ୍ରୀକ୍ ଭାଷା, ଲାଟିନ୍ ଭାଷା ଓ ସଂସ୍କୃତ ଭାଷା ସୃଷ୍ଟି ହେଲା। ସଂସ୍କୃତରୁ ପ୍ରାକୃତ ଓ ମାଗଧୀ ସୃଷ୍ଟି ହେଲା ଏବଂ ପ୍ରାକୃତରୁ ଆମ ଓଡ଼ିଆ ଭାଷାର ସୃଷ୍ଟି। ଅନ୍ୟ ପ୍ରାଦେଶିକ ଭାଷାମାନଙ୍କଠାରୁ ଓଡ଼ିଆ ଭାଷା ସଂସ୍କୃତର ଅତ୍ୟନ୍ତ ନିକଟତର। ସେହିପରି ବୈଦିକ ସଂସ୍କୃତରୁ ଲାଟିନ୍ ଓ ଲାଟିନ୍ରୁ ଇଂରାଜୀ ତଥା ସମସ୍ତ ଇଉରୋପୀୟ ଭାଷା ସୃଷ୍ଟି ହୋଇଛି। ସଂସ୍କୃତର ପ୍ରଭାବ କିପରି ଲାଟିନ୍ ଓ ଇଂରାଜୀ ଉପରେ ପଡ଼ିଛି ତାହା ଦେଖାଯାଉ। ସଂସ୍କୃତରେ ମାତା, ମାତର, ପିତା, ପିତରଃ, ଭ୍ରାତା, ଭ୍ରାତରଃ। ଇଂରାଜୀରେ ଏହା ଯଥାକ୍ରମେ ମଦର, ଫାଦର, ବ୍ରଦର। ଲାଟିନ୍ ଭାଷାରେ ପିଟର ଇତ୍ୟାଦି। ଏହିଭଳି ଅନେକ ଉଦାହରଣ ଦିଆଯାଇପାରେ।
ଆମ ଶବ୍ଦ ଭଣ୍ଡାରରେ ଏତେ ଶବ୍ଦ ଥିଲେ ମଧ୍ୟ ଆମେ ଆଗେ ଇଂରାଜୀ ଶବ୍ଦକୁ ବ୍ୟବହାର କରି ବେଶ୍ ଗର୍ବ ଅନୁଭବ କରୁଛୁ। ଆମେ ଯେଉଁମାନଙ୍କୁ ତାରକା କହୁଛୁ ଓ ଅନୁକରଣ କରୁଛୁ, ଶ୍ରଦ୍ଧା ସମ୍ମାନ ଅଜାଡ଼ି ଦେଉଛୁ ସେମାନେ କୌଣସି ସାକ୍ଷାତକାର ସମୟରେ ‘ଆଣ୍ଡ’, ‘ବଟ୍’, ‘ଅଫ୍କୋର୍ସ’ ପ୍ରଭୃତି କେତେକ ଇଂରାଜୀ ଶବ୍ଦକୁ ବାକ୍ୟ ମଧ୍ୟରେ ବ୍ୟବହାର କରନ୍ତି। ଆମ ଭାଷାରେ ‘ଓ’, ‘ଏବଂ’, ‘କିନ୍ତୁ’ ପ୍ରଭୃତି ଅନେକ ଅବ୍ୟୟ ପଦ ଥିଲେ ମଧ୍ୟ ସେମାନେ କାହିଁକି ତା’ର ବ୍ୟବହାର କରନ୍ତି ନାହିଁ, ତହା ମଧ୍ୟ ସେମାନେ ଜାଣନ୍ତି। ପୂରା ଇଂରାଜୀ କହିବାରେ କିଛି ଅସୁବିଧା ନାହିଁ। କୌଣସି ଭାଷା ଶିଖିବା ବା କହିବା ଅପରାଧ ନୁହେଁ। କିନ୍ତୁ ତା’ର ଏହି ଖଣ୍ଡିତ ବ୍ୟବହାର ହିଁ ଅପରାଧ। ଏଠାରେ ମୋ ଅଙ୍ଗେ ନିଭାଇଥିବା ଆଉ ଏକ ପ୍ରସଙ୍ଗ ଉପସ୍ଥାପନ କରୁଛି। ଏକଦା ଏକ ଆଲୋଚନାଚକ୍ରରେ ଭାଗ ନେବାର ସୁଯୋଗ ମିଳିଲା। ବିଷୟବସ୍ତୁ ଥିଲା ‘ଶ୍ରୀଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା’। ମୁଖ୍ୟବକ୍ତା ଥିଲେ ଓଡ଼ିଶାର ଜଣେ ସ୍ୱନାମଧନ୍ୟ ଭାଷାତତ୍ତ୍ୱବିତ୍ ଓ ଗବେଷକ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ବିକାଶ ପାଇଁ ଅନେକ ଉପାଧି ଓ ପୁରସ୍କାରପ୍ରାପ୍ତ ସେହି ପଣ୍ଡିତ ମହାଶୟ ଓଡ଼ିଆ ଭାଷାର ମହନୀୟତା ବ୍ୟାବହାରିକ ଅଙ୍ଗୀକାରବଦ୍ଧତା ପ୍ରତିପାଦିତ କରିବା ପାଇଁ ଯେତିକି ଇଂରାଜୀ ଶବ୍ଦର ସାହାଯ୍ୟ ନେଲେ ତାହା ମୋତେ ବ୍ୟକ୍ତିଗତ ଭବେ ବ୍ୟଥିତ କଲା ଓ ସଭାସଦ୍ମାନଙ୍କ ଭ୍ରୂକୁଞ୍ଚନ ସୃଷ୍ଟି କଲା। ଏହା ଗୋଟିଏ ଦୁଇଟି ଉଦାହରଣ ମାତ୍ର। ଏପରି ଅନେକ ଘଟଣା ଆପଣମାନେ ପ୍ରତିଦିନ ଦେଖୁଥିବେ ବା ଶୁଣୁଥିବେ।
ଆମେ ଆମ ଗୁରୁଜନଙ୍କୁ ଦେଖିଲେ ନମସ୍କାର, ପ୍ରଣାମ, କିମ୍ବା ପଦସ୍ପର୍ଶ କରି ଭକ୍ତି ସମ୍ବୋଧନ କରିଥାଉ। ପିଲାମାନଙ୍କୁ ‘ଆୟୁଷ୍ମାନ ଭବ’, ‘ବୁଢ଼ା ହେଇ ଥା’, ‘ଅହ୍ୟସୁଲକ୍ଷଣି ହୁଅ’, ‘ସୌଭାଗ୍ୟବତୀ ଭବ’ କହି ଆଶୀର୍ବାଦ କରୁ। ସାନମାନଙ୍କୁ ନାମ ପୂର୍ବରୁ ଚିରଞ୍ଜୀବୀ ଯୁକ୍ତ କରି ସମ୍ବୋଧନ କରୁ। ଏବେ କିନ୍ତୁ ସେ କଥା ନାହିଁ। ଗୁଡ଼ମର୍ଣ୍ଣି, ଗୁଡ୍ ଇଭିନିଙ୍ଗ କହି ସମ୍ବୋଧନ କରାଯାଉଛି। ଏବେ ଖାଲି ମର୍ଣ୍ଣି ବା ନୁ, ଇଭିନିଙ୍ଗ, ନାଇଟ୍ କହିଦେଲେ ଚଳୁଛି। ସ୍ଥାନେ ସ୍ଥାନେ କେବଳ ହାଏ, ବାଇ, ହାଲୋ କହି ଦିଆଯାଉଛି। ପିଲାମାନଙ୍କୁ ଟାଟା କରାଯାଉଛି। ନୂଆ ବର୍ଷକୁ ସ୍ୱାଗତ କଲାବେଳେ ‘ହାପି ନିଉ ଇୟର’ କୁହାଯାଉଛି। ଶୁଭ ନବବର୍ଷ କହିଲେ କ୍ଷତି କ’ଣ ହୁଅନ୍ତା? ଏହାଦ୍ୱାରା ଆମ ଭାଷାର ଗରିମା କ୍ଷୁଣ୍ଣ ହେଉଛି କି ନାହିଁ ପାଠକେ ବିଚାର କରିବେ।
ଆମ ଓଡ଼ିଆ ଭାଷା ତା’ର ଗୌରବ ଓ ଗରିମା ପାଇଁ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ତାକୁ ଏପରି ଅପମିଶ୍ରଣ କରି ବ୍ୟବହାର କଲେ ଉତ୍କଳ ଭାରତୀ ନିଶ୍ଚୟ ଦୁଃଖିତ ହେବେ। ତେବେ ଏଥିରେ ସତେଯେପରି ଆମମାନଙ୍କର ଯାଏ ଆସେ କେତେ? ଏବେ ତ ଅନେକ ଆଧୁନିକ ଓଡ଼ିଆ କବିତାରେ ସିଧାସଳଖ ଇଂରାଜୀ ଶବ୍ଦମାନ ଦେଖିବାକୁ ମିଳୁଛି। କାଲି ଆମର ପିଲାମାନେ ସେ ଶବ୍ଦର ଅର୍ଥ ଆମ ଭାଷାକୋଷରୁ ଖୋଜି ପାଇବେ ନାହିଁ। ସେମାନେ ଭାବିନେବେ ଏହା ଆମ ଓଡ଼ିଆ ଶବ୍ଦ। ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା। ମାତ୍ର ଆଧୁନିକ ଅପସଂସ୍କୃତି ଓ ଭାଷା ଅପମିଶ୍ରଣ ଆମ ଭାଷା ଓ ସାହିତ୍ୟ ପ୍ରତି ବିପଦ ସୃଷ୍ଟି କରିଛି ବୋଲି କହିଲେ ସତ୍ୟର ଅପଳାପ ହେବ ନାହିଁ।
ଏବେ ମୂଳ ପ୍ରଶ୍ନକୁ ଆସିବା। ଓଡ଼ିଆ ଭାଷାର ଏହି ଅପମିଶ୍ରଣ ପାଇଁ କାହାକୁ ଦୋଷ ଦେବା? ନିରାକରଣ ପାଇଁ କାହା ଉପରେ ଭରସା କରିବା। କ୍ଷମା ଯାଚନା ସହିତ କହିବାକୁ ବାଧ୍ୟ ହେଉଛି ଯେ ଆମ ଓଡ଼ିଶାର ଅନେକ ପ୍ରାଜ୍ଞ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଯେଉଁମାନେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ଓ ବିକାଶ ପାଇଁ ଲେଖନୀ ଚାଳନା କରୁଛନ୍ତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାର ପୃଷ୍ଠପୋଷକତା କରୁଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ଘରେ ପୁଅ, ଝିଅ, ନାତି, ନାତୁଣୀ ସହିତ ଓଡ଼ିଆରେ କଥା ହୁଅନ୍ତି ନାହିଁ। ଓଡ଼ିଆ ପତ୍ରପତ୍ରିକାରେ ଲେଖୁଥିବା ଅନେକ ସ୍ତମ୍ଭକାର ସେମାନଙ୍କର ପିତୃଦତ୍ତ ସାଂଜ୍ଞା ଉଲ୍ଳେଖ କରିବାକୁ ଲଜ୍ଜା ବୋଧ କରନ୍ତି। କହିଲେ କୁଳକୁଟୁମ୍ବଙ୍କୁ ଲାଜ ହେଲେ ମଧ୍ୟ ମୋ ନିଜ ଆତ୍ମୀୟମାନଙ୍କ ମଧ୍ୟରୁ କେତେଜଣଙ୍କ ଉଦାହରଣ ଦେଉଛି। ମୋର ଜଣେ ସମ୍ପର୍କୀୟ ଭାଇର ଜନ୍ମ ଆମ ପାରମ୍ପରିକ ବା ଗାଉଁଲି ପରିବେଶରେ। ଭାଇବୋହୂ ମଧ୍ୟ ସେହି ମଫସଲିଆ। କିନ୍ତୁ ସେମାନଙ୍କ ଝିଅକୁ ସେମାନେ ଓଡ଼ିଆ ନ ଶିଖାଇବାକୁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି। ଅପରପକ୍ଷରେ ଜଣେ ଦୂରସମ୍ପର୍କୀୟ ଭଣଜା ଅଣଓଡ଼ିଆ ଝିଅକୁ ବାହା ହୋଇ ଓଡ଼ିଶା ବାହାରେ ରହୁଛି। ଆଚମ୍ବିତ କଲା ଭଳି କଥା ଯେ ଭଣଜା ବୋହୂ ଏ ପର୍ଯ୍ୟନ୍ତ ଓଡ଼ିଆ ଭଲ ଭାବରେ କହିପାରୁ ନଥିବା ବେଳେ ତା’ର ତିନି/ଚାରିବର୍ଷର ଝିଅଟି ଓଡ଼ିଆ ବୁଝି ତା’ ମାଆକୁ ମରାଠୀରେ ଅନୁବାଦ କରି କହୁଛି। ଏ ଦୁଇଟି ଉଦାହରଣ ମଧ୍ୟରୁ ଆଜିର ଦୁନିଆରେ ଆମ ଓଡ଼ିଆ ଜାତିର ସ୍ୱାଭିମାନ ଦୃଷ୍ଟିରୁ କେଉଁଟା ଗ୍ରହଣୀୟ ତାହାର ବିଚାର ଆପଣମାନଙ୍କର।
ଯେଉଁ ଦେଶ ନିଜର ମାତୃଭାଷା ପାଇଁ ଯେତେ ସଚେତନ, ସେ ଜାତି ସେତେ ଉନ୍ନତ। ରୁଷ, ଚୀନ୍, ଦକ୍ଷିଣ କୋରିଆ, ଜାପାନ ପ୍ରଭୃତି ଦେଶର ନାମ ଏହି ପୃଷ୍ଠଭୂମିରେ ଉଲ୍ଲେଖଯୋଗ୍ୟ। ଏବେ ସମୟ ଆସିଛି, ଆମେ ଆମର ଚଳଣିରେ ମୌଳିକତା ରକ୍ଷା କରିବା ସହିତ ଆମ ମାତୃଭାଷାରେ ଅପମିଶ୍ରଣ ପ୍ରତି ସତର୍କ ରହିବା। ଯଥାର୍ଥରେ କବିସୂର୍ଯ୍ୟ କହିଛନ୍ତି- ‘କାହାକୁ କହିବା, କପାଳରେ ସିନା କର ମାରିବା’।
ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।
ଡ. ଅଭିମନ୍ୟୁ ବରାଳ
ପୁରୀ, ମୋ: ୯୯୩୭୮୩୫୨୩୦