ସର୍ବଶିକ୍ଷା: ପ୍ରଗତିର ମୂଳଦୁଆ
ଯେ କୌଣସି ରାଷ୍ଟ୍ରର ବିକାଶ ଶିକ୍ଷାର ବିକାଶ ଉପରେ ନିର୍ଭରଶୀଳ। ଯେଉଁ ଦେଶଗୁଡ଼ିକ ଆଜି ବିକଶିତ ରାଷ୍ଟ୍ରଭାବେ ବିବେଚିତ ହେଉଛନ୍ତି ସେମାନେ ଶିକ୍ଷାର ଭୂମିକାକୁ ସର୍ବାଦୌ ଗୁରୁତ୍ୱ ଦେଇ ଆସୁଛନ୍ତି। ସେମାନଙ୍କ ଭଳି ଉଚ୍ଚଶିକ୍ଷାର ପ୍ରସାର ଦିଗରେ ଆମେ ସେତେଟା ଗୁରୁତ୍ୱ ଦେଉନାହୁଁ। ସେମାନେ ଜାଣିଛନ୍ତି କେବଳ ଉଚ୍ଚ ଶିକ୍ଷିତମାନେ ହିଁ ଦେଶକୁ କ୍ଷୀପ୍ରଗତିରେ ଆଗକୁ ନେଇ ପାରିବେ। ଉଚ୍ଚଶିକ୍ଷା ବୌଦ୍ଧିକତାର ବିକାଶ ଘଟାଏ। ଏହା ପ୍ରଗତିର ମାର୍ଗକୁ ଉନ୍ମୁକ୍ତ କରେ। ସମାଜରୁ ବିଭେଦତା ଦୂର କରି […]
ଯେ କୌଣସି ରାଷ୍ଟ୍ରର ବିକାଶ ଶିକ୍ଷାର ବିକାଶ ଉପରେ ନିର୍ଭରଶୀଳ। ଯେଉଁ ଦେଶଗୁଡ଼ିକ ଆଜି ବିକଶିତ ରାଷ୍ଟ୍ରଭାବେ ବିବେଚିତ ହେଉଛନ୍ତି ସେମାନେ ଶିକ୍ଷାର ଭୂମିକାକୁ ସର୍ବାଦୌ ଗୁରୁତ୍ୱ ଦେଇ ଆସୁଛନ୍ତି। ସେମାନଙ୍କ ଭଳି ଉଚ୍ଚଶିକ୍ଷାର ପ୍ରସାର ଦିଗରେ ଆମେ ସେତେଟା ଗୁରୁତ୍ୱ ଦେଉନାହୁଁ। ସେମାନେ ଜାଣିଛନ୍ତି କେବଳ ଉଚ୍ଚ ଶିକ୍ଷିତମାନେ ହିଁ ଦେଶକୁ କ୍ଷୀପ୍ରଗତିରେ ଆଗକୁ ନେଇ ପାରିବେ। ଉଚ୍ଚଶିକ୍ଷା ବୌଦ୍ଧିକତାର ବିକାଶ ଘଟାଏ। ଏହା ପ୍ରଗତିର ମାର୍ଗକୁ ଉନ୍ମୁକ୍ତ କରେ। ସମାଜରୁ ବିଭେଦତା ଦୂର କରି ଐକ୍ୟବଦ୍ଧ କରେ ଓ ଦେଶକୁ ଏକ ଉନ୍ନତ ସ୍ତରକୁ ନେଇଯିବାକୁ ଚେଷ୍ଟା କରେ। ଭାରତବର୍ଷ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ହେଲେ ତାଙ୍କ ତୁଲ୍ୟ ଆମକୁ ଉଭୟ ସର୍ବଶିକ୍ଷା ଓ ଉଚ୍ଚଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ହେବ। କେବଳ ସ୍ଲୋଗାନ ଆମକୁ ବିଶ୍ୱଗୁରୁର ମାନ୍ୟତା ଦେବନାହିଁ। ଏଥିପାଇଁ ଆମକୁ ଶୈକ୍ଷିକ ଭିତ୍ତିଭୂମି ବିକାଶ କରିବାକୁ ପଡ଼ିବ। ବୌଦ୍ଧିକ ଚେତନାର ବିକାଶ ହେଲେ ଯାଇ ସବୁକ୍ଷେତ୍ରରେ ଶ୍ରେଷ୍ଠତା ପ୍ରାପ୍ତିର ମାର୍ଗ ଅନ୍ୱେଷଣ ସହଜ ହେବ।
ଶିକ୍ଷାକୁ ନେଇ ଚୀନରେ ଏକ ସୁନ୍ଦର ଲୋକକଥା ରହିଛି। ତାହା ହେଉଛି ‘ତୁମେ ଯଦି ଗୋଟିଏ ବର୍ଷରେ ଫଳ ପାଇବାକୁ ଚାହୁଁଛ, ତେବେ ଧାନ ଚାଷ କର, ତୁମେ ଯଦି ଗୋଟିଏ ଦଶକରେ ଫଳ ପାଇବାକୁ ଚାହୁଁଛ ତେବେ ଗଛ ଲଗାଅ, ତୁମେ ଯଦି ଜୀବନବ୍ୟାପୀ ଫଳ ପାଇବାକୁ ଚାହୁଁଛ ତେବେ ପିଲାଙ୍କୁ ପାଠ ପଢ଼଼ାଅ।’ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନର ଅଦ୍ୱିତୀୟ ନେତା ନେଲସନ ମଣ୍ଡେଲାଙ୍କ ମତରେ ‘ଶିକ୍ଷା ହେଉଛି ଏପରି ଶକ୍ତିଶାଳୀ ଅସ୍ତ୍ର, ଯାହା ସାହାଯ୍ୟରେ ତୁମେ ସାରା ବିଶ୍ୱକୁ ବଦଳାଇ ଦେଇପାରିବ।’ ଦାସତ୍ୱ ପ୍ରଥାର ଉଚ୍ଛେଦ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରସିଦ୍ଧ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ମତରେ ଗୋଟିଏ ସୁଦୃଢ଼ ଦେଶର ସମସ୍ତ ନାଗରିକ ଏକ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ଅଧିକାରୀ ହେବା ଆବଶ୍ୟକ। ଚୀନରେ ସାମ୍ୟବାଦର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗ କହିଥିଲେ ଦେଶର କୋଟିକୋଟି ଶିଶୁରୂପକ କଢ଼ିକୁ ଶିକ୍ଷା ମାଧ୍ୟମରେ ପ୍ରସ୍ଫୁଟିତ କରାଯାଇ ପାରିବ। ଆମ ସମ୍ୱିଧାନର ପ୍ରଣେତା ଡକ୍ଟର ଆମ୍ୱେଦକରଙ୍କ ମତରେ ଶିକ୍ଷା ପୂର୍ଣ୍ଣତା ଦିଏ, ଶିକ୍ଷା ସଚେତନ କରାଏ, ଶିକ୍ଷା ସମତା ଭାବକୁ ଜାଗ୍ରତ କରାଏ, ଶିକ୍ଷା ସଂର୍ଘଷର ବାଟ ବତାଏ। ତେଣୁ ଭାରତବର୍ଷରେ ଉଭୟ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସର୍ବଶିକ୍ଷା ଓ ଉଚ୍ଚଶିକ୍ଷା ଅତ୍ୟନ୍ତ ଜରୁରୀ।
ତୁଳନାତ୍ମକ ବିଚାର କଲେ ଶିକ୍ଷାଦୃଷ୍ଟିରୁ ଆମର ବର୍ତ୍ତମାନ ସ୍ଥିତି କ’ଣ ତାହା ଜଣାପଡ଼େ। ୨୦୧୧ ମସିହାର ଜନଗଣନା ଅନୁଯାୟୀ ଭାରତବର୍ଷରେ ଶିକ୍ଷାର ହାର ହେଉଛି ଶତକଡ଼ା ୭୪ ଭାଗ। ଏବେ ଏ ହାର ସାମାନ୍ୟ ବୃଦ୍ଧି ପାଇଥିବାର ସୂଚନା ମିଳୁଛି। ଆମ ଦେଶରେ କେରଳ ହେଉଛି ସର୍ବାଧିକ ଶିକ୍ଷିତ ରାଜ୍ୟ, ଯାହାର ଶିକ୍ଷା ହାର ଶତ ପ୍ରତିଶତକୁ ଛୁଇଁଛି। ତା’ ତଳକୁ ଅଛି ଗୋଆ। ଦୁଃଖର କଥା ଯେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ଆମ ଦେଶରେ ଜାତୀୟସ୍ତରରେ ସାକ୍ଷରତା ହାର ଶତପ୍ରତିଶତ ହୋଇପାରି ନାହିଁ। ଶିକ୍ଷାଗତ ବିଷମତା ଯୋଗୁଁ ଦେଶରେ ବିଷମ ସମାଜ ସୃଷ୍ଟି ହେଉଛି। କେଉଁଠି ନା କେଉଁଠି ଆମ ଶିକ୍ଷା ଯୋଜନାରେ ତ୍ରୁଟି ରହିଛି କିମ୍ୱା ଏହାକୁ କାର୍ଯ୍ୟକାରୀ କରିବାରେ ଆନ୍ତରିକତାର ଅଭାବ ରହିଛି। ଯେଉଁମାନେ ଶିକ୍ଷିତରେ ଗଣା ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠିକ୍ ଭାବରେ ଲେଖିପଢ଼଼ି ପାରିବେ ନାହିଁ।
ଆମେ ୧୯୪୭ ମସିହାରେ ସ୍ୱାଧୀନ ହେଲୁ। ଆମର ଦୁଇବର୍ଷ ପରେ ଅର୍ଥାତ ୧୯୪୯ ମସିହାରେ ଚୀନରେ ବିପ୍ଳବ ମାଧ୍ୟମରେ କ୍ଷମତାର ପରିବର୍ତ୍ତନ ହେଲା ଓ ସାମ୍ୟବାଦୀ ଶାସନ ପ୍ରତିଷ୍ଠା ହେଲା। ମାତ୍ର ୩୦ ବର୍ଷ ମଧ୍ୟରେ ଚୀନ ନୂତନ ପିଢ଼ିକୁ ଶତପ୍ରତିଶତ ଶିକ୍ଷିତ କରାଇ ପାରିଥିଲା। ଏବେ ଚୀନର ସାମଗ୍ରିକ ଶିକ୍ଷାହାର ପାଖାପାଖି ଶତପ୍ରତିଶତ। ସେହିପରି କ୍ୟୁବା ଏକ ଛୋଟଦେଶ, ଯେଉଁଠାରେ ବିପ୍ଳବୀ ସରକାର ୧୯୭୯ ରେ ସ୍ଥାପିତ ହୋଇଥିଲା। ସେ ଦେଶ ମଧ୍ୟ ଶିକ୍ଷା ଦୃଷ୍ଟିରୁ ଆମଠାରୁ ବହୁ ଆଗରେ। ସେଠାକାର ତତକାଳୀନ ରାଷ୍ଟ୍ରପତି ଫିଡେଲ୍ କାଷ୍ଟ୍ରୋ ଥରେ ଗର୍ବର ସହିତ କହିଥିଲେ ଯେ ମୋ ଦେଶର ସଫେଇ କର୍ମଚାରୀମାନେ ମଧ୍ୟ ସ୍ନାତକୋତ୍ତର। ବିଶ୍ୱର ଅନେକ ଦେଶରେ ଶିକ୍ଷାର ହାର ଶତପ୍ରତିଶତ। କେବେ ବି ଏମାନଙ୍କ ସହିତ ଆମେ ନିଜକୁ ତୁଳନା କରୁନା। ଆମେ ଅପେକ୍ଷାକୃତ ଦୁର୍ବଳ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ପରି ଦେଶ ସହିତ ନିଜକୁ ତୁଳନା କରିଥାଉ। ଯେଉଁ ଦେଶମାନଙ୍କୁ ଆମେ ବିକଶିତ ରାଷ୍ଟ୍ର ବୋଲି କହୁଛୁ ସେ ସମସ୍ତ ଦେଶର ଶିକ୍ଷାର ହାର ବହୁ ଉପରେ ରହିଛି। ଆମ ଦେଶରେ ଶିକ୍ଷାର ବିକାଶ ଯେଉଁ ମନ୍ଥର ଗତିରେ ହେଉଛି, ଆମକୁ ସେହି ସ୍ତରରେ ପହଞ୍ଚିବାକୁ ହେଲେ ଆହୁରି ଅନେକ ଦଶନ୍ଧି ଲାଗିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଆମେ ବହୁ ପଛରେ। ସ୍ନାତକକୁ ସର୍ବନିମ୍ନ ଉଚ୍ଚଶିକ୍ଷା ବୋଲି ଗ୍ରହଣ କଲେ ବିକଶିତ ରାଷ୍ଟ୍ରମାନଙ୍କରେ ଏହା ପାଖାପାଖି ଶତକଡ଼ା ୫୦ ଭାଗ। କାନାଡ଼ାରେ ସ୍ନାତକମାନଙ୍କ ସଂଖ୍ୟା ସର୍ବାଧିକ ୫୬ %। ଆମର ଚିରପ୍ରତିଦ୍ୱନ୍ଦ୍ୱୀ ଚୀନ ବି ଆମଠାରୁ ବହୁ ଆଗରେ ରହିଛି। ସେହି ତୁଳନାରେ ଆମ ଦେଶରେ ଏହି ହାର ମାତ୍ର ଶତକଡ଼ା ୫ ଭାଗ।
ଆମ ଦେଶରେ ସର୍ବଶିକ୍ଷା ଓ ଉଚ୍ଚଶିକ୍ଷା କେବଳ ପ୍ରଗତିକୁ ତ୍ୱରାନ୍ୱିତ କରିବ ତାହା ନୁହେଁ, ବହୁ ପୁରାତନ ସାମାଜିକ ବୈଷ୍ୟମକୁ ଦୂରକରିବା ସହିତ ଅନ୍ଧବିଶ୍ୱାସ ଓ କୁସଂସ୍କାର ଉପରେ ମଧ୍ୟ ଲଗାମ ଲଗାଇବ। ଏଥିପାଇଁ ସୁଚିନ୍ତିତ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ବିକଶିତ ରାଷ୍ଟ୍ରମାନଙ୍କରେ ଶିକ୍ଷା ବଜେଟ୍ ପ୍ରାୟତଃ ଆମ ଦୁଇଗୁଣ। ଆମ ଦେଶରେ ଶିକ୍ଷା ବଜେଟ୍ ଜିଡିପିର ଶତକଡ଼ା ତିନି ଭାଗରୁ ସାମାନ୍ୟ ଅଧିକ। ଆମ ପ୍ରତିଦ୍ୱନ୍ଦ୍ୱୀ ଚୀନର ଶିକ୍ଷା ବଜେଟ୍ ପାଖାପାଖି ଜିଡିପିର ୧୦ %। ଏପରି ପରିସ୍ଥିତିରେ ଆମେ ବିଶ୍ୱଗୁରୁ ହେବା କିପରି? ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ସର୍ବଶିକ୍ଷା ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ପଡ଼ିବ। ଆଗାମୀ ଏକ ଦଶକ ମଧ୍ୟରେ ଦେଶର ସମସ୍ତ ନାଗରିକଙ୍କୁ ଶିକ୍ଷିତ କରିବାର ଯୋଜନା ତିଆରି କରିବାକୁ ପଡ଼ିବ। ଏତତ୍ବ୍ୟତୀତ ଆଗାମୀ ଦୁଇ ଦଶକ ମଧ୍ୟରେ ଅନ୍ୟୂନ ୫୦ % ଲୋକଙ୍କୁ ସ୍ନାତକ ଡିଗ୍ରୀଧାରୀ କରିବାର ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ସର୍ବଶିକ୍ଷା ଓ ଉଚ୍ଚଶିକ୍ଷାର ଏ ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗିତା ଓ ସହଭାଗିତା ଅତ୍ୟନ୍ତ ଜରୁରୀ।
ଅଧ୍ୟାପକ ଗୋପବନ୍ଧୁ
ବାରିପଦା, ମୋ: ୭୦୦୮୯୭୬୧୮୦