ମନୋରଞ୍ଜନ
ଓଡ଼ିଶା
ଜୈବିକ କୃଷିର ବିପୁଳ ବିସ୍ତାର ଜରୁରୀ!
ଏକଦା ସ୍ୱର୍ଣ୍ଣପ୍ରସୂ ଓ ସୁନାର ଚଢ଼େଇ ରୂପେ ଅଭିହିତ ଭାରତ ବ୍ରିଟିଶ୍ ଉପନିବେଶରୁ ସ୍ୱାଧୀନ ହେବା ବେଳକୁ ମରୁଡ଼ି, ଦୁର୍ଭିକ୍ଷ ଓ ପ୍ରାକୃତିକ ବିତ୍ପାତର ଭୂଗୋଳ ଭାବେ ପ୍ରସିଦ୍ଧି ଲାଭ କରିଥିଲା। ଦେଶ ସ୍ୱାଧୀନ ହେବା ବେଳକୁ ଦେଶର ଅଧାରୁ ଅଧିକ ଲୋକମାନଙ୍କୁ ପୂରା ପେଟ ଖାଇବାକୁ ମିଳୁ ନଥିଲା। କିନ୍ତୁ ସବୁଜ ବିପ୍ଳବର ସଫଳତା ସହିତ ବିଂଶ ଶତାବ୍ଦୀ ଶେଷ ହେବା ବେଳକୁ ଭାରତ କୃଷି କ୍ଷେତ୍ରରେ ଊଣା ଅଧିକେ ସ୍ୱାବଲମ୍ବୀ ହୋଇସାରିଥିଲା। ଅଧିକ ଉତ୍ପାଦନକ୍ଷମ […]
ଏକଦା ସ୍ୱର୍ଣ୍ଣପ୍ରସୂ ଓ ସୁନାର ଚଢ଼େଇ ରୂପେ ଅଭିହିତ ଭାରତ ବ୍ରିଟିଶ୍ ଉପନିବେଶରୁ ସ୍ୱାଧୀନ ହେବା ବେଳକୁ ମରୁଡ଼ି, ଦୁର୍ଭିକ୍ଷ ଓ ପ୍ରାକୃତିକ ବିତ୍ପାତର ଭୂଗୋଳ ଭାବେ ପ୍ରସିଦ୍ଧି ଲାଭ କରିଥିଲା। ଦେଶ ସ୍ୱାଧୀନ ହେବା ବେଳକୁ ଦେଶର ଅଧାରୁ ଅଧିକ ଲୋକମାନଙ୍କୁ ପୂରା ପେଟ ଖାଇବାକୁ ମିଳୁ ନଥିଲା। କିନ୍ତୁ ସବୁଜ ବିପ୍ଳବର ସଫଳତା ସହିତ ବିଂଶ ଶତାବ୍ଦୀ ଶେଷ ହେବା ବେଳକୁ ଭାରତ କୃଷି କ୍ଷେତ୍ରରେ ଊଣା ଅଧିକେ ସ୍ୱାବଲମ୍ବୀ ହୋଇସାରିଥିଲା। ଅଧିକ ଉତ୍ପାଦନକ୍ଷମ ବିହନ, ବିଭିନ୍ନ କିସମର ଘାସମରା ଔଷଧ ଓ କୀଟନାଶକର ପ୍ରୟୋଗ, ରାସାୟନିକ ସାରର ବହୁଳ ବ୍ୟବହାର ଓ ଜଳସେଚନର ସୁବିଧା ଫଳରେ ଦେଶରେ କୃଷି ଉତ୍ପାଦନରେ ଉଲ୍ଳେଖନୀୟ ବୃଦ୍ଧି ହୋଇ ସମ୍ପ୍ରତି ଭାରତ ବିଶ୍ୱ ଖାଦ୍ୟାନ୍ନ ବଜାରକୁ ଧାନ ଓ ଅନ୍ୟାନ୍ୟ ଖାଦ୍ୟ ଦ୍ରବ୍ୟର ରପ୍ତାନିକାରୀ ଦେଶ ଭାବେ ଉଭା ହୋଇଛି। ଦେଶ ମଧ୍ୟରେ ଖାଦ୍ୟାନ୍ନ ଉପଲବ୍ଧି ଓ ଆଇନ ଦ୍ୱାରା ସର୍ବନିମ୍ନ ସହାୟକମୂଲ୍ୟ ନିର୍ଦ୍ଧାରଣ ଯୋଗୁଁ ବିଶାଳ ଖାଦ୍ୟ ଭଣ୍ଡାରଣ ସମ୍ଭବ ହୋଇ ସମଗ୍ର ଦେଶରେ ଖାଦ୍ୟାଭାବ ପରିସ୍ଥିତିର ବିଲୟ ଘଟାଇଛି। ତେବେ ବିଡ଼ମ୍ବନା ଏହି ଯେ ଦେଶରେ କୃଷି ଉତ୍ପାଦକତା କେବେଠାରୁ ଚରମ ସ୍ତରରେ ପହଞ୍ଚି ସାରିଛି ଏବଂ ଏଥିରେ ଅବନତି ପ୍ରକ୍ରିୟା ଆରମ୍ଭ ହୋଇଛି।
ଆଧୁନିକ କୃଷି କିନ୍ତୁ ଏବେ ଆଉ ସମ୍ପୂର୍ଣ୍ଣ ଆଶୀର୍ବାଦ ରୂପେ ଗଣାଯାଇପାରୁନାହିଁ। ରାସାୟନିକ ସାର ଓ କୀଟନାଶକ ଆଦିର ଆଖିବୁଜା ବ୍ୟବହାର ଫଳରେ ଚାଷଜମିରେ ମାଟିର ଗୁଣାତ୍ମକ ମାନ ବହୁତ ହ୍ରାସ ପାଇଛି। ଦେଶର ଅନେକ ଭାଗରେ ବ୍ୟାପକ ଜଳସେଚନ ଫଳରେ ଚାଷଜମିର ଉପରସ୍ତରରେ ଲବଣ ଅଂଶ ବୃଦ୍ଧି ପାଇଛି ଓ ଜଳ ନିଷ୍କାସନ ନ ହେବା ଯୋଗୁଁ ଆର୍ଦ୍ରତାର ସ୍ତର ବୃଦ୍ଧି ପାଇଛି। ପଞ୍ଜାବ ଓ ହରିଆଣାର ଅନେକ ସ୍ଥାନରେ ଉର୍ବର ଅଞ୍ଚଳମାନ ଆଉ ଚାଷ ଉପଯୋଗୀ ମଧ୍ୟ ହୋଇପାରୁନାହିଁ। ଆଉ ଗୋଟିଏ ପରିଣାମ ହେଲା କୃଷି କ୍ଷେତ୍ରରେ ଆର୍ଥିକ ଓ ରାସାୟନିକ ବିଷଚକ୍ରର ଗଭୀର ପ୍ରଭାବ ଲକ୍ଷ୍ୟ କରାଯାଉଛି। ଏଣେ ପ୍ରତିବର୍ଷ ଉତ୍ପାଦନ ବଢ଼଼ାଇବା ପାଇଁ ଅଧିକରୁ ଅଧିକ ସାର ଓ କୀଟନାଶକ ପ୍ରୟୋଗ ଆବଶ୍ୟକ ପଡ଼ୁଛି। ଏହି ରାସାୟନିକ ଦ୍ରବ୍ୟର ଅବଶିଷ୍ଟାଂଶ ଖାଦ୍ୟାନ୍ନ ଓ ଫଳ, ପନିପରିବା ଉତ୍ପାଦନ ସହିତ ଜନସାଧାରଣଙ୍କ ଶରୀରରେ ପ୍ରବେଶ କରୁଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବ ଆଦି ରାଜ୍ୟରେ କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ଚାଷୀମାନଙ୍କ ସ୍ୱାସ୍ଥ୍ୟରେ କୁପ୍ରଭାବ ପକାଉଛି ଏବଂ ଅନେକାଂଶରେ ଚାଷୀ ସ୍ୱାସ୍ଥ୍ୟହାନିର ଏକ ବଡ଼ କାରଣ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଖାଦ୍ୟାନ୍ନ, ପନିପରିବା ଓ ଫଳ ଆଦିର ଭଣ୍ଡାରଣ ତଥା ବଜାର ବ୍ୟବସ୍ଥାରେ ଯୋଗାଣ ଶୃଙ୍ଖଳାରେ ସମ୍ପୃକ୍ତ ହୋଇଥିବାରୁ ଏଥିରେ ମଧ୍ୟ ବିଭିନ୍ନ କୀଟନାଶକ ପଦାର୍ଥ ପ୍ରୟୋଗ କରାଯାଉଛି ଏବଂ ତାହା ଖାଉଟିଙ୍କ ସ୍ୱାସ୍ଥ୍ୟ ହାନିର କାରଣ ହେଉଛି। ପୂର୍ବେ ଗାଁଗହଳିରେ ଧାନ ବିଲରେ ରହୁଥିବା ପାଣିରେ କେତେଜାତିର ମାଛ ଜନ୍ମ ନେଉଥିଲେ ଏବଂ ଚାଷୀ ପରିବାରମାନଙ୍କର ଦୈନନ୍ଦିନ ଖାଦ୍ୟର ବ୍ୟବହାରରେ ଆସୁଥିଲା। ଏବେ ତାହା ଦେଖିବାକୁ ସ୍ୱପ୍ନ। କାରଣ ଧାନ କ୍ଷେତରେ ରାସାୟନିକ ସାର ଓ କୀଟନାଶକର ଅତିମାତ୍ରାରେ ପ୍ରୟୋଗ। ୨୦୨୨ ଆର୍ଥିକ ବର୍ଷରେ ଦେଶରେ ପାଖାପାଖି ୩୦୦ ହଜାର ଟନ୍ କୀଟନାଶକ ଓ ୨୦୨୩ ଜୁନ୍ ସୁଦ୍ଧା ୧୧ ନିୟୁତ ଟନ୍ ସାର ଉତ୍ପାଦନ ହୋଇଥିଲା। ଏହାବାଦ୍ ଚାହିଦା ପୂରଣ ପାଇଁ ଭାରତ ବିପୁଳ ପରିମାଣର ସାର ଆମଦାନୀ କରୁଛି। ଏଥିରୁ ଭାରତରେ ସାର ଓ କୀଟନାଶର ପ୍ରୟୋଗର ବିପୁଳତା ସମ୍ପର୍କରେ ଧାରଣା କରାଯାଇପାରେ। ଏତଦ୍ବ୍ୟତୀତ ନକଲି ସାର ଓ କୀଟନାଶକ ଯାହାକି ଅତୀବ ମାରାତ୍ମକ, ତାହାର ବ୍ୟବହାର ମଧ୍ୟ ରୋକାଯାଇପାରୁନାହିଁ।
ଏହି ପୃଷ୍ଠଭୂମିରେ ସମ୍ପ୍ରତି ଭାରତୀୟ କୃଷି ସମ୍ମୁଖରେ ଏକ ବଡ଼ ଆହ୍ୱାନ ଆସି ଠିଆ ହୋଇଛି। ଗୋଟିଏ ପଟେ ବର୍ଦ୍ଧିତ ଜନସଂଖ୍ୟାର ଚାପ, ଦେଶର ମୋଟ ଆର୍ଥିକ ଘରୋଇ ଉତ୍ପାଦନରେ କୃଷିର ଯୋଗଦାନରେ ହ୍ରାସ, କୃଷିଜାତ ଦ୍ରବ୍ୟରେ ବିଭିନ୍ନ କାରଣରୁ ରାସାୟନିକ ବିଷର ସ୍ତର ବୃଦ୍ଧି ତଥା ଦେଶର ବ୍ୟାପକ ଅଞ୍ଚଳରେ ମୃତ୍ତିକାର ଉର୍ବରତାରେ ଲଗାତାର ହ୍ରାସ। ଭାରତ ସରକାର ଓ ଓଡ଼ିଶା ସମେତ ଅନେକ ରାଜ୍ୟ ସରକାର ଏଥିପାଇଁ କୃଷି ବୈଜ୍ଞାନିକଙ୍କ ସହାୟତାରେ ଉନ୍ନତ ଓ ଆଧୁନିକ ଜୈବିକ କୃଷିର ବହୁଳ ପ୍ରଚଳନ କରିବାର ରଣନୀତି ଆରମ୍ଭ କରିସାରିଛନ୍ତି। ଏ କ୍ଷେତ୍ରରେ ସମଗ୍ର ସିକ୍କିମ୍ ରାଜ୍ୟ ଭାରତରେ ସମ୍ପୂର୍ଣ୍ଣ ଜୈବିକ କୃଷି ରାଜ୍ୟ ଭାବେ ଘୋଷିତ ହୋଇସାରିଛି। ଆମ ରାଜ୍ୟରେ ମଧ୍ୟ ଜୈବିକ କୃଷି ନୀତି ୨୦୧୮ ମସିହାରୁ ଘୋଷିତ ହୋଇ ୨୦୨୦ରେ ଏହାକୁ ଆହୁରି ସଂଶୋଧିତ ଓ ସମ୍ପ୍ରସାରିତ କରାଯାଇଛି। ‘ସମୃଦ୍ଧି’ ନାମରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କୃଷି ନୀତିରେ ୨୦୨୫ ସୁଦ୍ଧା ଜୈବିକ କୃଷିକୁ ୨ ଲକ୍ଷ ହେକ୍ଟରକୁ ସମ୍ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାଛଡ଼ା ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ଥିକ ପ୍ରୋତ୍ସାହନ, ଉନ୍ନତ ବିହନ ଯୋଗାଣ, ଜୈବିକ ସାର ପ୍ରକରଣ ପାଇଁ ବିଭିନ୍ନ ମାର୍ଗଦର୍ଶିକା ଓ ସାହାଯ୍ୟ ତଥା ଜୈବିକ କୃଷି ଉତ୍ପାଦନ ନିମନ୍ତେ ବ୍ୟାଙ୍କ ଋଣ ଓ ପ୍ରମାଣପତ୍ରର ବ୍ୟବସ୍ଥା ଜୈବିକ କୃଷିକୁ ବହୁମାତ୍ରାରେ ପ୍ରୋତ୍ସାହିତ କରୁଛି। ତେବେ ଜୈବିକ କୃଷି ଉତ୍ପାଦନ ଏକ ଖର୍ଚ୍ଚବହୁଳ ପ୍ରକ୍ରିୟା ହୋଇଥିବାରୁ ଏହି ଦ୍ରବ୍ୟଗୁଡ଼ିକର ବଜାର ମୂଲ୍ୟ ଅପେକ୍ଷାକୃତ ଅଧିକ ରହୁଛି ଓ ଆର୍ଥିକ ସ୍ୱଚ୍ଛଳ ପରିବାର ହିଁ ଏହାର ଉପଯୋଗ କରିପାରୁଛନ୍ତି। ଆମ ରାଜ୍ୟରେ ଅନେକ ବେସରକାରୀ ସଂସ୍ଥା ଜୈବିକ କୃଷିକୁ ଆପଣାଇ ନେଲେଣି ଏବଂ ସହରୀ ବଜାର ବ୍ୟବସ୍ଥାରେ ଏହା ଅଧିକ ମାତ୍ରାରେ ଉପଲବ୍ଧ ହେଲାଣି। ତେବେ ମୋଟ ଚାହିଦାର ମାତ୍ର ନଗଣ୍ୟ ଅଂଶରେ ଏହାର ପ୍ରଚଳନ ଆଖିଦୃଶିଆ ଫଳ ଦେଇପାରିବ ନାହିଁ। ଏହାକୁ ବିସ୍ତୃତ କରିବାକୁ ହେଲେ ଅଧିକ ସରକାରୀ ପ୍ରୋତ୍ସାହନ, ଶୀତଳ ଭଣ୍ଡାର ବ୍ୟବସ୍ଥା, ଉନ୍ନତ ବିହନ ଯୋଗାଣ ଓ ଆଧୁନିକ ଗବେଷଣାଲବ୍ଧ ପ୍ରକ୍ରିୟାର ସମନ୍ୱିତ ଉପଯୋଗ ଜୈବିକ କୃଷିକୁ ଅଧିକ ଲୋକପ୍ରିୟ କରାଇପାରିବ। ଏହାଛଡ଼ା ଓଡ଼ିଶାର ପାରମ୍ପରିକ ବିହନକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ତା’ର ସଂରକ୍ଷଣ ଓ ଅଧିକ ପ୍ରଚଳନକୁ ରାଜ୍ୟ ସରକାର ଅଧିକରୁ ଅଧିକ ସହାୟତା କରିବା ଆବଶ୍ୟକ। ଏହା ନ ହେଲେ ଜୈବିକ କୃଷି ଓ ଆମର ଅନନ୍ୟ ସ୍ଥାନୀୟ ଖାଦ୍ୟାନ୍ନର କିସମର ବହୁଳ ଉପକାର ଆମ ରାଜ୍ୟର ଜନସାଧାରଣଙ୍କୁ ମିଳିପାରିବ ନାହିଁ। ଏ କ୍ଷେତ୍ରରେ ପଦ୍ମଶ୍ରୀ ରାଧାମୋହନ ଓ ପଦ୍ମଶ୍ରୀ ସାବରମତିଙ୍କ ସଫଳ ପ୍ରୟୋଗ ଦେଶବିଦେଶରେ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି। ସେମାନଙ୍କ ଦ୍ୱାରା ପରିଚାଳିତ ଏକଶହ ଏକରର ଏକ ଜୈବିକ କୃଷି ଫାର୍ମ ‘ସମ୍ଭବ’ ନୟାଗଡ଼ ଜିଲ୍ଳାର ଓଡ଼ଗାଁ ନିକଟରେ ସଫଳତାର ସହ ଏ କ୍ଷେତ୍ରରେ କାର୍ଯ୍ୟରତ ଅଛି। ଆମ ରାଜ୍ୟରେ ଜୈବିକ କୃଷିର ସମ୍ପ୍ରସାରଣ ପାଇଁ ଏଭଳି ଅନେକ ସଫଳ ଅନୁଷ୍ଠାନର ଆବଶ୍ୟକତା ରହିଛି ଏବଂ ଏହା ସାମ୍ପ୍ରତିକ ସମୟର ଏକ ଜରୁରୀ ଚାହିଦା।






