ଅଶାନ୍ତ ମଣିପୁର, ଦୀର୍ଘସୂତ୍ରୀ ନୀତି ଅବାଞ୍ଛନୀୟ

The Sakala Picture
Published On

କୁହାଯାଏ ଇତିହାସ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରେ। ବିଶେଷକରି, ଜାତିଆଣ ହିଂସା ଭଳି ପ୍ରସଙ୍ଗରେ ଇତିହାସର ପୁନରାବୃତ୍ତି ଏକ ଅବାଞ୍ଛିତ ଅଥଚ ଅବଶ୍ୟାମ୍ଭାବୀ ଘଟଣା ପାଲଟି ଯାଏ। ଭାରତର ଉତ୍ତର-ପୂର୍ବାଞ୍ଚଳ ସୀମାନ୍ତ ରାଜ୍ୟ ମଣିପୁରରେ ଏବେ ତାହା ହିଁ ଘଟିଛି। ବ୍ରିଟିଶ୍‌‌ ଅମଳରୁ ଆରମ୍ଭ ହୋଇଥିବା ଦୁଇ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଓ ବିବାଦ ଦୀର୍ଘବର୍ଷ ବ୍ୟବଧାନ ପରେ ପୁଣି ଥରେ ତାଜା ହୋଇଛି। ଗତ କିଛିଦିନ ଧରି ଏହି ରାଜ୍ୟ ଅତ୍ୟଧିକ ଅଶାନ୍ତ ହୋଇପଡ଼ିଛି। ସଦ୍ୟତମ […]

କୁହାଯାଏ ଇତିହାସ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରେ। ବିଶେଷକରି, ଜାତିଆଣ ହିଂସା ଭଳି ପ୍ରସଙ୍ଗରେ ଇତିହାସର ପୁନରାବୃତ୍ତି ଏକ ଅବାଞ୍ଛିତ ଅଥଚ ଅବଶ୍ୟାମ୍ଭାବୀ ଘଟଣା ପାଲଟି ଯାଏ। ଭାରତର ଉତ୍ତର-ପୂର୍ବାଞ୍ଚଳ ସୀମାନ୍ତ ରାଜ୍ୟ ମଣିପୁରରେ ଏବେ ତାହା ହିଁ ଘଟିଛି। ବ୍ରିଟିଶ୍‌‌ ଅମଳରୁ ଆରମ୍ଭ ହୋଇଥିବା ଦୁଇ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଓ ବିବାଦ ଦୀର୍ଘବର୍ଷ ବ୍ୟବଧାନ ପରେ ପୁଣି ଥରେ ତାଜା ହୋଇଛି। ଗତ କିଛିଦିନ ଧରି ଏହି ରାଜ୍ୟ ଅତ୍ୟଧିକ ଅଶାନ୍ତ ହୋଇପଡ଼ିଛି। ସଦ୍ୟତମ ସୂଚନା ଅନୁଯାୟୀ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ହିଂସାରେ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢ଼଼ିବା ଆଶଙ୍କା ପ୍ରକାଶ ପାଇଛି। ପ୍ରଭୂତ ସମ୍ପତ୍ତି ନଷ୍ଟ ହୋଇଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ହିଂସାକୁ ପ୍ରଶମନ କରିବାରେ ଅନେକାଂଶରେ ସଫଳ ହୋଇଛି। ଇତିମଧ୍ୟରେ ୨୩ ହଜାରରୁ ଊର୍ଦ୍ଧ୍ବ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ସରକାର ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିବା ସହିତ ହିଂସା ପ୍ରଶମନ ପାଇଁ ବିହିତ ପଦକ୍ଷେପ ନେଉଥିବା କୁହାଯାଉଛି।

ମଣିପୁରର ଆଦିବାସୀ ଓ ଅଣଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟ ଏହି ହିଂସା ପଛର ମୂଳ କାରଣ ସେଠାକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି ବୋଲି କୁହାଯାଉଥିଲେ ହେଁ ଏହାପଛରେ ଆହୁରି ଅନେକ କାରଣ ରହିଛି। ଇମ୍ଫାଲ୍‌‌ ଉପତ୍ୟକାରେ ବସବାସ କରୁଥିବା ରାଜ୍ୟ ଜନସଂଖ୍ୟାର ୫୩ ପ୍ରତିଶତ ମୈତେଇ ସମ୍ପ୍ରଦାୟର କହିବା କଥା ଯେ ଭାରତର ସ୍ୱାଧୀନତା ପୂର୍ବରୁ ସେମାନେ ଅନୁସୂଚିତ ଜନଜାତି ମାନ୍ୟତା ପାଇ ଆସୁଥିଲେ। କିନ୍ତୁ ସ୍ୱାଧୀନ ଭାରତରେ ମିଶ୍ରଣ ପରେ ସେମାନେ ସେହି ମାନ୍ୟତା ହରାଇଛନ୍ତି। ତେଣୁ ସେମାନଙ୍କୁ ପୁଣି ତାଲିକାଭୁକ୍ତ କରିବାକୁ ପ୍ରାୟ ୧୦ ବର୍ଷ ତଳୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ଏହି ଦାବି ନ୍ୟାୟାଳୟକୁ ଯିବା ପରେ ମେ ୨୯ ତାରିଖ ସୁଦ୍ଧା ମୈତେଇମାନଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ସୁପାରିସ କରିବା ଲାଗି ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗତ ମାସରେ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ଅଲ୍‌‌ ଟ୍ରାଇବାଲ୍‌‌ ଷ୍ଟୁଡେଣ୍ଟସ ୟୁନିୟନ ମଣିପୁର ସଂଗଠନ ଦ୍ୱାରା ଟ୍ରାଇବାଲ୍‌‌ ସଲିଡିଟାରୀ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଏହି ମାର୍ଚ୍ଚ ବେଳେ ଉତ୍ତ୍ୟକ୍ତ ମୈତେଇ ସମ୍ପ୍ରଦାୟ ପ୍ରଥମେ ହିଂସା ଭିଆଇଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସୁ ନା କାହିଁକି ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ମୈତେଇ ସମ୍ପ୍ରଦାୟ ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି। ତେଣୁ ସେମାନଙ୍କର ଦାବିକୁ ଏତେ ସହଜରେ ଅଣଦେଖା କରିବା କୌଣସି ସରକାରଙ୍କ ପକ୍ଷରେ ସହଜ ନୁହେଁ। ଅପରପକ୍ଷରେ ଅନୁସୂଚିତ ଜାତି ତାଲିକାରେ ସାମିଲ୍‌‌ ନାଗା ଓ କୁକିସ୍‌‌ ସମ୍ପ୍ରଦାୟ ରାଜ୍ୟ ମୋଟ ଜନସଂଖ୍ୟାର ୪୦% ହୋଇଥିଲେ ହେଁ ରାଜ୍ୟର ସବୁଆଡ଼େ ବିକ୍ଷିପ୍ତ ଭାବେ ରହିଛନ୍ତି। ମୈତେଇ ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ପାଇଲେ ନାଗା ଓ କୁକିସ୍‌‌ ସମ୍ପ୍ରଦାୟ ପାଉଥିବା ସରକାରୀ ସୁବିଧା ସୁଯୋଗ ସଙ୍କୁଚିତ ହୋଇଯିବ। ତେଣୁ ସେମାନେ ମୈତେଇକୁ ଆଦିବାସୀ ମାନ୍ୟତାକୁ ବିରୋଧ କରିବା ସ୍ୱାଭାବିକ। ଏହାଛଡ଼ା ବ୍ରିଟିଶ୍‌‌ ଅମଳରେ ମୈତେଇ ସମ୍ପ୍ରଦାୟ ଦ୍ୱାରା ନାଗା ଓ କୁକିସ୍‌‌ ସମ୍ପ୍ରଦାୟ ଅତ୍ୟାଚାରିତ ହୋଇ ଆସୁଥିଲେ। ସମୟ ଓ ପରିସ୍ଥିତି ବଦଳିଥିଲେ ମଧ୍ୟ ଦୁଇ ସମ୍ପ୍ରଦାୟ ମଧ୍ୟରେ ରହିଥିବା ବିଦ୍ୱେଷ, ମାନସିକତା, କ୍ଷୋଭ ଓ ପୁଞ୍ଜିଭୂତ ଅସନ୍ତୋଷ ଦୂର ହୋଇପାରିନାହିଁ, ଯାହା ମଝିରେ ମଝିରେ ଉଗ୍ର ରୂପ ନେଉଛି। ଏତଦ୍‌‌ବ୍ୟତୀତ ଗତ ଫେବୃଆରୀରୁ ଆରମ୍ଭ ହୋଇଥିବା ଇମ୍ଫାଲ୍‌‌ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଆଦିବାସୀମାନଙ୍କୁ ବିସ୍ଥାପିତ କରିବା ପାଇଁ ସରକାରୀ କାର୍ଯ୍ୟକ୍ରମ, ଆଦିବାସୀଙ୍କ ଜମିକୁ ଜବରଦଖଲ, ଆଦିବାସୀଙ୍କ ଭିଟ୍ଟାମାଟି ଅଞ୍ଚଳରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ମୁତୟନ, ତିନିଟି ଚର୍ଚ୍ଚକୁ ଭାଙ୍ଗିଦେବା ଆଦି ଘଟଣା ମଧ୍ୟ ଏହି ହିଂସା ପଛର ଆଉ ଗୋଟିଏ ଗୋଟିଏ କାରଣ ବୋଲି କୁହାଯାଉଛି। ତେଣୁ କିଛିଦିନ ପୂର୍ବରୁ ଏବଂ ଗତ ସପ୍ତାହରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତ ସମୟରେ ମଧ୍ୟ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଥିଲା।

ଦେଖିବାକୁ ଗଲେ ସେଠାକାର ଆଦିବାସୀଙ୍କ କଲ୍ୟାଣ ପାଇଁ ପର୍ଯ୍ୟାପ୍ତ ସରକାରୀ ପଦକ୍ଷେପ ନିଆଯାଇନାହିଁ। ମଣିପୁର ପାର୍ବତ୍ୟାଞ୍ଚଳ ଓ ମଣିପୁର ଉପତ୍ୟକାରେ ବସବାସ କରୁଥିବା ଅଧିବାସୀ ଓ ସମ୍ପ୍ରଦାୟ ମଧ୍ୟରେ ସହାବସ୍ଥାନ ଓ ସହଯୋଗର ଯେଉଁ ପରିଯୋଜନା ୧୯୭୨ ମସିହାରେ ଜନ୍ମ ନେଇଥିଲା ସେଥିପ୍ରତି ପରବର୍ତ୍ତୀ ସରକାରମାନେ ସେତେଟା ଗୁରୁତ୍ୱ ଦେଇନଥିଲେ। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ହିଂସା ପଛରେ ଅନେକ ଦିନ ତଳୁ ଆଦିବାସୀଙ୍କ ମନରେ ରହିଥିବା ସୁପ୍ତ ଆକ୍ରୋଶ ଓ ପୁଞ୍ଜିଭୂତ କ୍ଷୋଭ ଏବେ ବାସ୍ତବ ରୂପ ନେଇଛି। ଏଥିରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିରେନ୍‌‌ ସିଂହଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ୨୦୧୫ରେ ମଣିପୁର ବିଧାନସଭାରେ ଏଭଳି ତିନିଟି ଆଇନ ବିନା ଆଲୋଚନାରେ ପାରିତ ହୋଇଯାଇଥିଲା, ଯାହା ଆଦିବାସୀମାନଙ୍କ ଜମି ଅଧିକାରକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଆଦିବାସୀମାନେ ବିକ୍ଷୋଭ କରିଥିବା ବେଳେ ୯ଜଣଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ୭ ଜଣ ପୁଲିସ ଗୁଳିରେ ନିହତ ହୋଇଥିବା ଅଭିଯୋଗ ଆସିଥିଲା। ଦୀର୍ଘ ୬୩୨ଦିନ ପର୍ଯ୍ୟନ୍ତ ବିକ୍ଷୋଭ ପରେ ମଧ୍ୟ ଆଦିବାସୀଙ୍କ ଦାବି ପୂରଣ ହୋଇନଥିଲା। ତେଣୁ ସଂଖ୍ୟାଲଘୁ ଆଦିବାସୀଙ୍କ ଦାବି ପୂରଣ ଓ ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇ ବିରେନ୍‌‌ ସିଂହଙ୍କ ନେତୃତ୍ୱରେ ବିଜେପି ସେଠାକାର ସଂଖ୍ୟାଲଘୁ ରାଜନୈତିକ ଦଳଙ୍କ ସମର୍ଥନ ହାସଲ କରି ସରକାର ଗଢ଼ିଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଆଦିବାସୀଙ୍କ ସମସ୍ୟା ସମାଧାନ ଓ ଦାବି ପୂରଣ ପରିବର୍ତ୍ତେ ବିରେନ୍‌‌ ସିଂହ ମୈତେଇ ସମ୍ପ୍ରଦାୟକୁ ସୁହାଇବା ଭଳି କାର୍ଯ୍ୟ କରିବା ଆଦିବାସୀଙ୍କୁ କ୍ଷୁବ୍ଧ କରିଥିଲା।

ଏବେ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ମଣିପୁର ଉପତ୍ୟକାର ୨୦ ଜଣ ସଦସ୍ୟ ଏବଂ ସେମାନଙ୍କ ମଧ୍ୟରୁ କୁକିସ ସମ୍ପ୍ରଦାୟର ୧୦ ଜଣ ବିଧାୟକ ଅଛନ୍ତି। ତେଣୁ ଏହି ଜାତିଆଣବାଦରୁ ସୃଷ୍ଟ ହିଂସା ପରବର୍ତ୍ତୀ ସମୟରେ ରାଜନୈତିକ ରୂପ ନେଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ମାଟି, ଅଧିକାର ଓ ପରିଚୟରୁ ଆରମ୍ଭ ହୋଇଥିôବା ଏହି ଜାତିଆଣ ହିଂସା ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ରାଜ୍ୟକୁ ବ୍ୟାପିବା ବର୍ତ୍ତମାନର ଇଣ୍ଟରନେଟ୍‌‌ ଓ ସାମାଜିକ ଗଣମାଧ୍ୟମ ଯୁଗରେ ଅସମ୍ଭବ ନୁହେଁ। ୨୦୨୦ରେ ସଂଶୋଧିତ ନାଗରିକ ଆଇନ୍‌‌ ପ୍ରତିବାଦରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆରମ୍ଭ ହୋଇଥିବା ପ୍ରତିବାଦ ଓ ହିଂସା ଯେପରି ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିଲା ସେଭଳି ଘଟଣାର ପୁନରାବୃତ୍ତି ହେବା ପୂର୍ବରୁ ଏହି ବିବାଦର ରାଜନୈତିକ ସମାଧାନ ଲୋଡ଼ା। ଦଳମତ ନିର୍ବିଶେଷରେ ଦଳୀୟ ସ୍ୱାର୍ଥ ଓ ଦଳୀୟ ନୀତିକୁ ତ୍ୟାଗ କରି ଦେଶର ସାର୍ବଭୌମ ଓ ଅଖଣ୍ଡତାକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ଏହି ପ୍ରସଙ୍ଗର ଏକ ଶାନ୍ତିପୂର୍ଣ୍ଣ ଦୀର୍ଘସ୍ଥାୟୀ ସୂତ୍ର ବାହାର କରିବାକୁ ପଡ଼ିବ। ଏଥିରେ କେନ୍ଦ୍ର ସରକାରଙ୍କ ଭୂମିକା ଅନେକ ଗୁରୁତ୍ୱ ବହନ କରୁଛି। ଆବଶ୍ୟକ ପଡ଼ିଲେ ନୂଆ ଆଇନ୍‌‌ ଜରିଆରେ ଏହି ସମସ୍ୟାର ସମାଧାନ କରାଯାଇପାରେ। ଏଥିସହିତ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗରେ ମୁଖ୍ୟ ଆହ୍ୱାନ ହେଲା ଏହି ଆଭ୍ୟନ୍ତରୀଣ ଜାତିଆଣ ସଂଘର୍ଷ ଓ ହିଂସାର ସୁଯୋଗ ନେଇ ସୀମାପାର ଉଗ୍ରବାଦୀ ଯେପରି ପୁଣି ଥରେ ମଣିପୁରକୁ କବଳିତ କରି ନ ନିଅନ୍ତି ସେଥିପ୍ରତି ସଜାଗ ହେବା। ସେନା ଓ ସୀମା ସୁରକ୍ଷା ବାହିନୀର କର୍ତ୍ତବ୍ୟ ଓ ଦାୟିତ୍ୱ ଏ ଦିଗରେ ଆହୁରି ବଢ଼଼ିଯାଉଛି। ଆଉ କିଛିଦିନ ପରେ ମଣିପୁରର ଜନଜୀବନ ହୁଏତ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ, କିନ୍ତୁ ହିଂସାର ମୂଳାଧାର ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଇତିହାସ ପୁଣି ଫେରିବାର ବାଟ ଖୋଲା ରହିଥିବ। ତେଣୁ ଆଉ ଅଧିକ ବିଳମ୍ବ ବା ଟାଳଟୁଳ ନୀତି ଅବାଞ୍ଛନୀୟ।

08 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର