ବ୍ୟକ୍ତିତ୍ବ ବନାମ ପରୀକ୍ଷା ନମ୍ବର ଓ ଦରମା

The Sakala Picture
Published On

ବାର୍ଦ୍ଧକ୍ୟର ଅସହାୟତାକୁ ନେଇ ‘ସକାଳ’ରେ ବାହାରି ଥିବା ମୋର ପୂର୍ବ ଲେଖା, ‘ଦେଇଥିଲେ ପାଇ’, ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ପାଇଥିଲି ଅନେକଗୁଡ଼ିଏ ପ୍ରତିକ୍ରିୟା, ଫୋନ ମାଧ୍ୟମରେ। ଅଧିକାଂଶ ପାଠକ, ବାର୍ଦ୍ଧକ୍ୟର ଦୁରାବସ୍ଥା ପାଇଁ, ଥିଲେ ଖୁବ୍ ଚିନ୍ତିତ। ସେମାନଙ୍କ ବ୍ୟାକୁଳତାରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ, ଆଜି ବି ଧରାରେ ଦରଦୀ ହୃଦୟଧାରୀମାନେ ଅଛନ୍ତି। ଅନେକଙ୍କ ଅନ୍ତର ବ୍ୟଥିତ ହେଉଛି ଅନ୍ୟର ଦୁଃଖ ଦେଖି ଏବଂ ଅସଂଖ୍ୟ ଆଖି ହେଉଛି ଓଦା ଅନ୍ୟର କଷ୍ଟରେ। […]

ବାର୍ଦ୍ଧକ୍ୟର ଅସହାୟତାକୁ ନେଇ ‘ସକାଳ’ରେ ବାହାରି ଥିବା ମୋର ପୂର୍ବ ଲେଖା, ‘ଦେଇଥିଲେ ପାଇ’, ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ପାଇଥିଲି ଅନେକଗୁଡ଼ିଏ ପ୍ରତିକ୍ରିୟା, ଫୋନ ମାଧ୍ୟମରେ। ଅଧିକାଂଶ ପାଠକ, ବାର୍ଦ୍ଧକ୍ୟର ଦୁରାବସ୍ଥା ପାଇଁ, ଥିଲେ ଖୁବ୍ ଚିନ୍ତିତ। ସେମାନଙ୍କ ବ୍ୟାକୁଳତାରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ, ଆଜି ବି ଧରାରେ ଦରଦୀ ହୃଦୟଧାରୀମାନେ ଅଛନ୍ତି। ଅନେକଙ୍କ ଅନ୍ତର ବ୍ୟଥିତ ହେଉଛି ଅନ୍ୟର ଦୁଃଖ ଦେଖି ଏବଂ ଅସଂଖ୍ୟ ଆଖି ହେଉଛି ଓଦା ଅନ୍ୟର କଷ୍ଟରେ। ଆଜି ବି ଏ ଧରାକୁ ଧର୍ମ କରିଛନ୍ତି ଧାରଣ। ଏସବୁ ଦେଖି ସ୍ୱତଃ ମନରେ ପ୍ରଶ୍ନ ଉଠିଲା, ଏତେ ସବୁ ଭଲ ମଣିଷ ଥିବା ସତ୍ତ୍ବେ ପୃଥିବୀରେ ବୃଦ୍ଧ ପିତାମାତାମାନେ କାହିଁକି ଏତେ ବେଶୀ ଅବହେଳିତ? କାହିଁକି ଦିନକୁ ଦିନ ସମାଜରେ ବୃଦ୍ଧାଶ୍ରମର ସଂଖ୍ୟା ବୃଦ୍ଧି ପାଉଛି?

ମନେ ପଡୁଛି ଘଟଣା ଟିଏ, ଗପ ପରି ଲାଗୁଥିଲେ ବି ନିଚ୍ଛକ ସତ। ଜଣେ ମାଉସୀଙ୍କର ଦୁଇଟି ପୁଅ। ଜଣେ ଗାଁରେ ଚାଷବାସ ଦେଖେ, ଆରଟି ସହରରେ ଚାକିରି କରେ। ବୁଢୀ ରୁହନ୍ତି ଗାଁରେ, ବଡ଼ପୁଅ ପାଖରେ। ବୟସ ବଢ଼ିବା ସହିତ ତାଙ୍କର ବୃଦ୍ଧାବସ୍ଥାର ରୋଗଗୁଡ଼ିକ ମଧ୍ୟ ଭୀଷଣ ହେବାକୁ ଲାଗିଲା। ମଝିରେ ମଝିରେ ସହର ଆସି ଡାକ୍ତର ଦେଖାଇବା ଜରୁରୀ ହୋଇ ପଡ଼ିଲା। ବର୍ଷା ଦିନେ ଗାଁରୁ ସହର ଆସିବା, ପାଣି କାଦୁଅ ଯୋଗୁ ଅସମ୍ଭବ ହେଉଥିଲା। ତେଣୁ ମାଉସୀ ଅନ୍ୟ ଦିନେ ବଡ଼ ପୁଅ ପାଖରେ ଓ ବର୍ଷା ମାସରେ ସାନ ପୁଅ ପାଖକୁ ରହିବା ପାଇଁ ଚାଲି ଆସୁଥିଲେ। ପୁଅମାନେ ତ କାମଦାମରେ ବ୍ୟସ୍ତ ରୁହନ୍ତି, ମାଉସୀ ମନେମନେ ତୁଳନା କରନ୍ତି ଦୁଇ ବୋହୂଙ୍କୁ। ବଡ଼ବୋହୂ ଘରେ ଥିଲାବେଳେ ବୁଦ୍ଧିଙ୍କର କାଶ ଉଠେଇଲେ, କାମ ଛାଡ଼ି ବଡବୋହୂ ନିଜେ ଧାଇଁ ଆସେ ନ’ହେଲେ ପିଲାଙ୍କୁ ତାଗିଦ୍ କରେ, ‘ଆରେ ଜେଜେମା’ଙ୍କର କାଶ ହେଉଛି, ପାଣି ଟିକେ ଦିଅ ରେ…’। କିନ୍ତୁ ସେଠି ସାନବୋହୂ ଘରେ ତାଙ୍କର କାଶ ହେଲା ଯେ, ପାଖ ଘରେ ବସିଥିବା ନାତିକୁ ମାଉସୀ ଡାକିଲେ, ପୁଅ ପାଣି ଟିକେ ଦେଇ ଗଲୁ। ରୋଷେଇ ଘରେ ଥିବା ବୋହୂ ପାଟିକରି ଉଠିଲା, ବୋଉ ନିଜେ ଟିକେ ନେଇ ପିଇ ଦିଅନ୍ତୁ। ଆର ମାସ ପୁଅର ପରୀକ୍ଷା ଅଛି, ତାକୁ ବ୍ୟସ୍ତ କରନ୍ତୁ ନାହିଁ’। ପାଠ ପଢ଼ୁଆ ବୋହୂଠାରୁ ଏକଥା ଶୁଣି ଶାଶୁ ଚୁପ୍ ରହିବାକୁ ଶ୍ରେୟ ମଣିଲେ। ଏମିତି ଅନେକ କଥା।

ମାଉସୀଙ୍କ ଆଖିକୁ ଭଲ ଭାବରେ ଦେଖା ଯାଉ ନ ଥିଲେ ବି ବସିବସି ପିଆଜ ରସୁଣ ଛଡ଼େଇ ଦେବା, ଲୁଗା ପଟା ସଜାଡ଼ି ରଖିବା, ବୋହୂମାନଙ୍କ ମୁଣ୍ଡ କୁଣ୍ଡାଇ ଦେବା ପରି ଘରର ଛୋଟ ମୋଟ କାମ କରିବା ପାଇଁ ସେ ଖୁବ୍ ଆଗ୍ରହ କରୁଥିଲେ। ଦିନେ ମାଉସୀ, ବଡ଼ ବୋହୂର ମୁଣ୍ଡ କୁଣ୍ଡାଇ ଦେଲା ବେଳେ, ବଡ଼ ବୋହୂ କହିଲା, ‘ବୋଉ, ଏଥର ତୁମେ ବେଶୀ ଦିନ ପଡ଼ିଗଲ ଖଟରେ, ସେଠି ସହରରେ ଦିଅରଙ୍କ ପାଖରେ ସବୁ ସୁବିଧା। ଏଠି ତ ଟିକିଏ ବର୍ଷାରେ ପାଣି କାଦୁଅ ପଚପଚ। ସେଠି ରହିଲେ ତୁମକୁ ଟିକେ ଅଧିକ ସୁବିଧା ହେଉଥିବ। ମାଉସୀଙ୍କ ଆଖିରୁ ଝରିଗଲା ଦୁଇ ଧାର ଲୁହ। ସେ ଶାଢ଼ି କାନିରେ ଲୁହ ପୋଛି କହିଲେ, ‘ମା ରେ, ଯେବେ ତତେ ବହୁତ କଷ୍ଟ ହେବ, ମତେ ନେଇ ବୁଦା ମୂଳେ ଫୋପାଡ଼ି ଦେଇ ଆସିବୁ, କିନ୍ତୁ ସେଠିକି ଯିବା ପାଇଁ ଆଉ କହନା। ମୁଁ ଏଇଠି ଶାନ୍ତିରେ ମରିବାକୁ ଚାହୁଁଛି। ‘ଶାଶୁ ବୋହୂ ଦୁହେଁ ଧରାଧରି ହୋଇ ଢେର୍ ବେଳ କାନ୍ଦିଲେ। ବଡ଼ ବୋହୂ କମ୍ ପାଠ ପଢ଼ିଛି ସତ, କିନ୍ତୁ ମଣିଷପଣିଆର ଯେଉଁ ବିଦ୍ୟାଟି ସେ ହାସଲ କରିଛି, ତା ଆଗରେ ସାନବୋହୂର ଏମ୍ ଏ, ପି ଏଚ୍ ଡି ଡିଗ୍ରୀର ସାର୍ଟିଫିକେଟ୍ ତୁଚ୍ଛ।

ଆଜି ଅଧିକାଂଶ ପିତା ମାତା, ପିଲାଙ୍କ ଗ୍ରେଡ ଓ ମାର୍କ ତଥା ଚାକିରୀରେ ଦରମା ପ୍ୟାକେଜ ପାଇଁ ଏତେ ବ୍ୟସ୍ତ ଓ ବିବ୍ରତ ଯେ, ସେମାନେ ପିଲାର ବ୍ୟକ୍ତିତ୍ୱ ବିକାଶକୁ କରୁଛନ୍ତି ଅଣଦେଖା। ଏବେ ଅଧିକାଂଶ ପିତାମାତା ଚାକିରିଆ। ପିଲାକୁ ଆୟା(ମାଆ ଓ ଜେଜେମାଙ୍କ ସହିତ ଆୟା କେବେ ତୁଳନୀୟ କି?) ହାତକୁ ଟେକି ଦେଇ ସେମାନେ ପିଲା ପାଇଁ ରୋଜଗାର କରିବାକୁ ଚାକିରୀକୁ ଯାଉଛନ୍ତି ବୋଲି ନିଜକୁ ଦେଉଛନ୍ତି ସାନ୍ତ୍ୱନା। ପୁଣି ଅଧିକାଂଶ କ୍ଷେତ୍ରରେ ପିଲା ପାଇଁ ପାଠ, ଗୀତ, ନାଚ, ଖେଳ ଆଦି ପାଇଁ ଟିଉସନ୍ ମାଷ୍ଟର ଯୋଗାଡ଼ କରାଇ ସେମାନେ ଭାବୁଛନ୍ତି, ଆମେ ପିଲାକୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେଉଛୁ। ଏଥର ତାର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ। ଏହିପରି ଚିନ୍ତାଧାରା ପୋଷଣ କରୁଥିବା ପିତାମାତାଙ୍କୁ ସବିନୟ ଅନୁରୋଧ, ସେମାନେ ପିଲାର ଭବିଷ୍ୟତକୁ ଛାଡ଼ି ପ୍ରଥମେ ପିଲାର ବର୍ତ୍ତମାନକୁ କରନ୍ତୁ ସୁସଂଯତ ଓ ସୁରକ୍ଷିତ। ବର୍ତ୍ତମାନ ଟା ବିଗିଡ଼ି ଗଲେ ଭବିଷ୍ୟତ ସୁଧାରିବା ହେବ କାଠିକର ପାଠ। ପିତାମାତାଙ୍କୁ ମନେ ରଖିବାକୁ ହେବ ଯେ, ପିଲାଙ୍କ ଭବିଷ୍ୟତ ଉପରେ ସେମାନଙ୍କର ନିଜର ବାର୍ଦ୍ଧକ୍ୟ ନିର୍ଭର କରିବ।

ମନସ୍ତତ୍ତ୍ୱବିତ୍ ମାନଙ୍କ ହିସାବରେ ପିଲାର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଗଠନ ହୋଇଥାଏ ତାର ଜନ୍ମର ସାତବର୍ଷ ବୟସ ମଧ୍ୟରେ। ଏହା ସିନା ଆଜି କହୁଛି ବିଜ୍ଞାନ, ହେଲେ କାହିଁ କେତେ କାଳରୁ ଆମର ନମସ୍ୟ ଋଷି ମୁନିମାନେ ଗର୍ଭରେ ଭୃଣ ରହିବା ଦିନରୁ ଅନେକଗୁଡ଼ିଏ ନୀତି ନିୟମ ଓ ସଂସ୍କାର ନିର୍ଦ୍ଧାରଣ କରିଛନ୍ତି। ଉତ୍ତମ ପୁସ୍ତକ ପଢ଼ିବା, ଉତ୍ତମ ଚିନ୍ତାଧାରା, ଉତ୍ତମ ଆଚରଣ ଓ ଉଚ୍ଚାରଣ ପ୍ରତି ପ୍ରାଧାନ୍ୟ ଦିଆ ଯାଇଛି । ମହାଭାରତର ଅଭିମନ୍ୟୁ ଆଖ୍ୟାନ କିଏ ବା ନ ଜାଣେ! ଆମେ ତାକୁ ପୁରାଣର କଥା ପୁରୁଣା ହେଲାଣି କହି କରୁଥାଇଁ ହେୟଜ୍ଞାନ। ଆସନ୍ତୁ ଆଜିର କଥାଟିଏ ଶୁଣିବା।

ଆମେ ସାନବେଳେ ଟିଭି ପର୍ଦ୍ଦାରେ ‘ମୋଗଲି’ ଚରିତ୍ରକୁ ଭେଟିଛେ, ଯାହା ଆଜି ବି ପିଲାଙ୍କ ଭିତରେ ଖୁବ୍ ଲୋକପ୍ରିୟ। ଏଥିରେ ମଣିଷ ଶିଶୁଟିଏ, ଗଧିଆଙ୍କ ମେଳରେ ରହି କିପରି ଜୀବନ ଯାପନ କରୁଛି, ତାହା ଦର୍ଶାଯାଇଛି। କାହାଣୀ ପରି ଲାଗୁଥିଲେ ବି ଏହାର ମୂଳ ଘଟଣା ଟି ସତ। ୧୮୭୨ ମସିହାରେ ଉତ୍ତରପ୍ରଦେଶର ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ଶିକାରୀ ଦଳ ବୁଲୁ ବୁଲୁ ହେଟାଙ୍କ ଦଳରେ ମଣିଷ ଶିଶୁଟିଏ କଲେ ଆବିଷ୍କାର। ମଣିଷ ଶିଶୁଟି ଚାରି ଗୋଡ଼ରେ ଚାଲି, ହେଟାଙ୍କ ପରି ବୋବାଉ ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। କୌତୁହଳୀ ହୋଇ ପିଲାଟିକୁ ଉଦ୍ଧାର କରିବା ପାଇଁ ସେମାନେ ହେଟା ଦଳ ରହୁଥିବା ଗୁମ୍ଫାରେ ନିଆଁ ଲଗାଇ ଦେଲେ। ହେଟାମାନେ ବିକଳ ହୋଇ ପଦାକୁ ବାହାରି ଆସିଲାବେଳେ ହେଟାମାନଙ୍କୁ ମାରି ସେମାନେ ଶିଶୁଟିକୁ ନେଇ ଆସିଲେ ନିକଟରେ ଥିବା ଅନାଥାଶ୍ରମକୁ। ଶନିବାର ଦିନ ତାକୁ ଉଦ୍ଧାର କରି ଥିବାରୁ ଶିଶୁର ନାମ ରଖା ହେଲା, ଦିନା ଶନିଚର। ଛ’ ସାତ ବର୍ଷର ଶିଶୁଟି, ୨୯ ବର୍ଷର ହେବା ପର୍ଯ୍ୟନ୍ତ ଜୀବିତ ରହିଥିଲେ ବି ଶେଷ ସୁଦ୍ଧା ସେ କଞ୍ଚା ମାଂସ ଖାଇବା ସହ ହେଟାଙ୍କ ଭଳି ଆଚରଣ କରିଥିଲା, ଶତ ପ୍ରଚେଷ୍ଟା ସତ୍ତ୍ବେ।

ଏଠି ଘଟଣାଟିର ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ଯେ, ପିଲାଏ ଖୁବ୍ ଅନୁକରଣ ପ୍ରିୟ। ଆପଣଙ୍କ ଅଜାଣତରେ ଆପଣଙ୍କ ଚାଲି ଚଳନ ତଥା ଉଚ୍ଚାରଣ ଓ ଆଚରଣ ଦ୍ୱାରା ସେମାନେ ହେଉଛନ୍ତି ପ୍ରଭାବିତ। ତେଣୁ ବର୍ତ୍ତମାନ ଆପଣ ଅନ୍ୟମାନଙ୍କୁ ଯେପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଭବିଷ୍ୟତରେ ପିଲା ଆପଣଙ୍କୁ ସେପରି ବ୍ୟବହାର ଦେଖାଇବ ବୋଲି ପ୍ରସ୍ତୁତ ରୁହନ୍ତୁ। ପିଲାର ପର୍ସଣ୍ଟେଜ ଓ ପ୍ୟାକେଜ ସହିତ ପିଲାର ପର୍ସନାଲିଟିକୁ ଦିଅନ୍ତୁ ବିଶେଷ ପ୍ରାଧାନ୍ୟ। ପର୍ସନାଲିଟି ବିଗିଡି ଗଲେ, ପର୍ସେଣ୍ଟ ଓ ପ୍ୟାକେଜ କେଉଁ କାମର? ତାର ବ୍ୟକ୍ତିତ୍ୱ ରେ ଯଦି ସ୍ନେହ, ଶ୍ରଦ୍ଧା, ଶୃଙ୍ଖଳା, ସମ୍ୱେଦନଶୀଳତା ପରି ମୁଲ୍ୟବୋଧ ନରହେ, ତେବେ ତାର ଉଚ୍ଚ ଦରମା ପ୍ୟାକେଜ କେଉଁ କାମର?

ମାଙ୍କଡ଼, ମାଙ୍କଡ଼ାମୀ ଦେଖାଏ, କୁକୁର ଦେଖାଏ କୁକୁରାମୀ, ବାଘ, ହାତୀ, ବିଛା ଓ ସାପମାନେ ନିଜ ନିଜ ସ୍ୱଭାବ ଅନୁଯାୟୀ ବ୍ୟବହାର ଦେଖାଇଥାନ୍ତି। ସେହି ନିୟମ ଅନୁଯାୟୀ ଯେଉଁ ମଣିଷ ନିକଟରେ ମଣିଷପଣିଆ ନାହିଁ, ତାକୁ ଆମେ ମଣିଷ ବୋଲି କହି ପାରିବା କି? ପିଲାଠାରେ ମାନବିକତାର ବୀଜ ବପନ କରିବା ଆମର କର୍ତ୍ତବ୍ୟ ଅଟେ, ଅନ୍ୟଥା ପିତାମାତା ପରି ଉଚ୍ଚାସନରେ ବସିବାର ଅଧିକାର ଆମର ଅଛି ତ? ଟିକିଏ ଭାବି ଦେଖନ୍ତୁ !

ଛନ୍ଦା ମିଶ୍ର
ଭୁବନେଶ୍ୱର, ୯୪୩୭୪୫୩୬୧୦

18 Apr 2023 By The Sakala

https://www.thesakala.in/sakala-editorial/sakala-article-18-04-2023-2/article-20854
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର