ଗଣମାଧ୍ୟମ ସ୍ୱାଧୀନତା ପାଇଁ ଯୁଗାନ୍ତକାରୀ ରାୟ

The Sakala Picture
Published On

ଗଣମାଧ୍ୟମର ସ୍ୱାଧୀନତା ରକ୍ଷା କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗତ ବୁଧବାରର ରାୟକୁ ଐତିହାସିକ କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଲୟାଲି ନ୍ୟୁଜ୍‌‌ ଚାନେଲ୍‌‌ ‘ମିଡିଆ ୱାନ୍‌‌’ର ପ୍ରସାରଣ ଲାଇସେନ୍ସ ନବୀକରଣକୁ କେନ୍ଦ୍ର ସରକାର ମନା କରିବା ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି ଆଇ ଚନ୍ଦ୍ରଚୂଡ଼ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ଦେଶ ବା ରାଷ୍ଟ୍ର ଆବଶ୍ୟକ ତଥ୍ୟ ପ୍ରମାଣ ବିନା କେବଳ ଜାତୀୟ ନିରାପତ୍ତାର ବାହାନା […]

ଗଣମାଧ୍ୟମର ସ୍ୱାଧୀନତା ରକ୍ଷା କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗତ ବୁଧବାରର ରାୟକୁ ଐତିହାସିକ କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଲୟାଲି ନ୍ୟୁଜ୍‌‌ ଚାନେଲ୍‌‌ ‘ମିଡିଆ ୱାନ୍‌‌’ର ପ୍ରସାରଣ ଲାଇସେନ୍ସ ନବୀକରଣକୁ କେନ୍ଦ୍ର ସରକାର ମନା କରିବା ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି ଆଇ ଚନ୍ଦ୍ରଚୂଡ଼ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ଦେଶ ବା ରାଷ୍ଟ୍ର ଆବଶ୍ୟକ ତଥ୍ୟ ପ୍ରମାଣ ବିନା କେବଳ ଜାତୀୟ ନିରାପତ୍ତାର ବାହାନା ନେଇ ନାଗରିକଙ୍କ ଅଧିକାରକୁ ଛଡ଼ାଇ ନେଇପାରିବ ନାହିଁ। ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କେରଳ ହାଇକୋର୍ଟରେ ଏ ସମ୍ପର୍କରେ ଯେଉଁ ଜଉମୁଦଦିଆ ଲଫାପା (ସିଲଡ୍‌‌ କଭର) ଦାଖଲ କରାଯାଇଥିଲା, ତାହାର ପଦ୍ଧତି ତ୍ରୁଟିପୂର୍ଣ୍ଣ। ଏଥିସହିତ ଏ ସଂକ୍ରାନ୍ତ କେରଳ ହାଇକୋର୍ଟର ରାୟକୁ ସର୍ବୋଚ୍ଚ ଅଦାଲତ ମଧ୍ୟ ରଦ୍ଦ କରିଛନ୍ତି।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଶୀର୍ଷ ଅଦାଲତ ଅହଂକାରୀ ବୋଲି ଦର୍ଶାଇଛନ୍ତି। ସବୁକଥାରେ ଜାତୀୟ ସୁରକ୍ଷା ଆଳ ଦେଖାଇ ବା ପ୍ରସଙ୍ଗ ଉଠାଇ ପ୍ରତିପକ୍ଷ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ସମାଲୋଚନା କରି କହିଛନ୍ତି ଯେ ପ୍ରକୃତରେ ‘ଅଭିଯୁକ୍ତ’ ଚାନେଲ୍‌‌ କେଉଁ ଘଟଣାରେ ଓ କିପରି ଜାତୀୟ ନିରାପତ୍ତାକୁ ବିପନ୍ନ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କ ସିଲ୍‌‌ଡ କଭରରେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇ ନାହାନ୍ତି ଅଥବା ଏଥିରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ନାହିଁ। କେବଳ ଜାତୀୟ ନିରାପତ୍ତା ପ୍ରସଙ୍ଗରେ କେରଳ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ସମ୍ପୃକ୍ତ ମିଡିଆ ଚାନେଲ୍‌‌ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌‌ କରିଥିଲେ, ତାହା ଠିକ୍‌‌ ନୁହେଁ। ତଥ୍ୟ ପ୍ରମାଣ ନଥିବା କୌଣସି ସରକାରୀ କାଗଜପତ୍ର ଓ ନଥି ମୂଲ୍ୟହୀନ ଦସ୍ତାବିଜ୍‌‌ ଏବଂ ଏହାକୁ ପ୍ରମାଣ ଭାବେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଆକ୍ରୋଶ ବା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ମିଡିଆ / ନ୍ୟୁଜ୍‌‌ଚାନେଲ୍‌‌ର ପ୍ରତିକାର ଅଧିକାର ରହିଛି ଏବଂ ଏହା ସମ୍ବିଧାନ ସ୍ୱୀକୃତ। ଆହୁରି ମଧ୍ୟ ଜାତୀୟ ନିରାପତ୍ତା ପ୍ରସଙ୍ଗ ଜଡ଼ିତ ମାମଲାର ଅଦାଲତୀ ସମୀକ୍ଷା (ଜୁଡିସିଆଲ୍‌‌ ରିଭ୍ୟୁ) କରାଯାଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ନାଗରିକର ସ୍ୱାଧୀନତା ଓ ଅଧିକାର ଉପରେ ହସ୍ତକ୍ଷେପ ହେଲେ ତା’ ବିରୋଧରେ ସେ ନ୍ୟାୟ ମାଗିପାରିବ ଏବଂ ଏହା ତାହାର ସାମ୍ବିଧାନିକ ଅଧିକାର। ତେଣୁ ସମ୍ବିଧାନର ଏହି ମୌଳିକ ତତ୍ତ୍ୱକୁ ରାଷ୍ଟ୍ରୀୟ ସୁରକ୍ଷାର କେବଳ ବାହାନା ଦେଖାଇ ବିନା ତଥ୍ୟରେ ଅଟକା ଯାଇପାରିବ ନାହିଁ।

ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ସୁରକ୍ଷା ପ୍ରତି ଥିବା ବିପଦକୁ ସରକାର ଖୋଲାଖୋଲି ପ୍ରକାଶ କରିବାକୁ ଯେଉଁ ଅନିଚ୍ଛା ପ୍ରକାଶ କରୁଛନ୍ତି, ତାହା ମଧ୍ୟ ବୁଝିହେଉ ନାହିଁ। ଗୋଟେ ଭୟ ବା ଗୂଢ଼ କଥାକୁ ଲୁଚାଇ ରଖିଲେ ତାହା କିପରି ଜାତୀୟ ସୁରକ୍ଷା ପାଇଁ ସହାୟକ ହେବ, ତାହା ଜାଣିବାକୁ ଶୀର୍ଷ ଅଦାଲତ ପ୍ରଶ୍ନ କରିଛନ୍ତି। ଜାତୀୟ ସୁରକ୍ଷାକୁ ଆଳ କରି ସେହି ଆଇନ ବଳରେ ସରକାର ତାଙ୍କୁ ବିରୋଧ କରୁଥିବା ଗଣମାଧ୍ୟମ ଓ ବ୍ୟକ୍ତିବିଶେଷଙ୍କ କଣ୍ଠରୋଧ କରିବାକୁ ରୀତିମତ ଚେଷ୍ଟା କରୁଛନ୍ତି। ଏହାଫଳରେ ନାଗରିକଙ୍କ ସ୍ୱାଧୀନତା ବିପନ୍ନ ହେଉଛି। ଏହା ସମ୍ବିଧାନ ବିରୋଧୀ ଏବଂ ଗ୍ରହଣୀୟ ନୁହେଁ ବୋଲି ଶୀର୍ଷ ଅଦାଲତ ସ୍ପଷ୍ଟ କରି ଦେଇଛନ୍ତି। ଏହି ମାମଲା ଫଳରେ ଗଣମାଧ୍ୟମର ସ୍ୱାଧୀନତା ଓ ବାକ୍‌‌ ସ୍ୱାଧୀନତା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ କଥା କଥାକେ ସରକାର ଜାତୀୟ ନିରାପତ୍ତା ବିପନ୍ନ କରିବା ଅଭିଯୋଗରେ ନାଗରିକ ବା ଗଣମାଧ୍ୟମକୁ ହରଡ଼ ଘଣାରେ ଆଉ ପକାଇ ପାରିବେ ନାହିଁ।

ସର୍ବୋଚ୍ଚ ଅଦାଲତ ଯଥାର୍ଥରେ କହିଛନ୍ତି ଯେ ସମାନତାର ମାନ ଯଥାର୍ଥତାର ଏକ ସଂସ୍କୃତି ସୃଷ୍ଟି କରେ। ଏଥିରେ ରାଷ୍ଟ୍ରକୁ ପ୍ରମାଣିତ କରିବାକୁ ପଡ଼େ ଯେ ତାହାର କାର୍ଯ୍ୟାନୁଷ୍ଠାନ ଯୁକ୍ତିଯୁକ୍ତ ଏବଂ ଏହା ମନମୁଖି ବା ଯଥେଚ୍ଛାଚାର ନୁହେଁ। ଭାରତୀୟ ସମ୍ବିଧାନର ଧାରା ୧୯ ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷିତ କରେ। ତେବେ ଅନ୍ୟାନ୍ୟ ମୌଳିକ ଅଧିକାର ଭଳି ଏହା ନିରଙ୍କୁଶ ନୁହେଁ। ଜାତୀୟ ସୁରକ୍ଷା ଓ ନିରାପତ୍ତା ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗଣମାଧ୍ୟମ ପାଇଁ ଲକ୍ଷ୍ମଣରେଖା ରହିଛି। ତେବେ ଏହି ଲକ୍ଷ୍ମଣରେଖା ସୀମା ସରହଦ ଓ ଯଥାର୍ଥତାର ସର୍ବଶେଷ ନୀତି ନିୟମ ସମ୍ବିଧାନରେ ସ୍ପଷ୍ଟ ନୁହେଁ। ତେଣୁ ସେହି ଅସ୍ପଷ୍ଟତାର ସୁଯୋଗ ନେଇ କେନ୍ଦ୍ର ସରକାର ନିଜ ଇଚ୍ଛାମତେ ମିଡିଆକୁ ଦମନ କରିବା ଉଚିତ ହେବନି। ଆଶା କରିବା ଏହି ରାୟ ଏ ସଂକ୍ରାନ୍ତ ବିବାଦର ଅବସାନ ଘଟାଇବ ଓ ଗଣମାଧ୍ୟମ ବାସ୍ତବ ସ୍ୱାଧୀନତା ଉପଭୋଗ କରିବ। ସରକାରଙ୍କୁ ସମାଲୋଚନା କଲେ ସାମ୍ବାଦିକ ଓ ଗଣମାଧ୍ୟମର କଣ୍ଠରୋଧ କରିବାର ଯୁଗ ଶେଷ ହେଲା ବୋଲି ଆଶା କରିବା ସ୍ୱାଭାବିକ। ଏହା ଭାରତୀୟ ଗଣମାଧ୍ୟମ ଓ ସାମ୍ବାଦିକତା ତଥା ବାକ୍‌‌ ସ୍ୱାଧୀନତାର ଏକ ବଡ଼ ବିଜୟ।

ଉପସଂହାରରେ ଏତିକି କହିପାରିବା ଯେ ବାକ ସ୍ୱାଧୀନତା ବା ଗଣମାଧ୍ୟମ, ସ୍ୱାଧୀନତା ପାଇଁ ବେଞ୍ଚମାର୍କ ପ୍ରସ୍ତୁତ ହେଉ। ଜଣେ ଦି ଜଣ ବିଚାରପତିଙ୍କୁ ନ ନେଇ ପୂର୍ଣ୍ଣାଙ୍ଗ ପୀଠରେ ଏହାର ସମାଧାନ କରାଯାଉ। କେଉଁ ବିଚାରପତି ମାମଲା ଶୁଣୁଛନ୍ତି ଓ ବିବାଦରେ ଲିପ୍ତ ପକ୍ଷ କିଏ, ତା’ ଉପରେ ଗଣମାଧ୍ୟମର ସ୍ୱାଧୀନତା ନିର୍ଭର ନ କରୁ। ଏଥିପାଇଁ ଆଇନ ସ୍ପଷ୍ଟ ହେଉ। ସବିଶେଷ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇ ସବୁ ଦ୍ୱନ୍ଦ୍ୱ ଓ ତ୍ରୁଟିର ଅବସାନ କରାଯାଉ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର