କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା କୋଟିଆରେ ‘ଫେରିଯାଅ ଆନ୍ଧ୍ର’ ମନ୍ତବ୍ୟ; ପୁଣି କୁହୁଳିଲା କୋଟିଆ ବିବାଦ
କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜକୁ ନେଇ ଯେଉଁ ବିବାଦ ରହିଛି, ତାହା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ। ଏହି ପଞ୍ଚାୟତର ୨୧ ଖଣ୍ଡ ଗ୍ରାମ ମଧ୍ୟରୁ ପ୍ରକୃତରେ ତିନିଟି ଗାଁର ମାଲିକାନାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ରହିଛି। ଐତିହାସିକ ଦୃଷ୍ଟିରୁ ଦେଖିଲେ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ଏସବୁ ଗ୍ରାମ ଓଡ଼ିଶାରେ ମିଶିଥିଲା। ଏହାର ବହୁ […]
କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜକୁ ନେଇ ଯେଉଁ ବିବାଦ ରହିଛି, ତାହା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ। ଏହି ପଞ୍ଚାୟତର ୨୧ ଖଣ୍ଡ ଗ୍ରାମ ମଧ୍ୟରୁ ପ୍ରକୃତରେ ତିନିଟି ଗାଁର ମାଲିକାନାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ରହିଛି। ଐତିହାସିକ ଦୃଷ୍ଟିରୁ ଦେଖିଲେ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ଏସବୁ ଗ୍ରାମ ଓଡ଼ିଶାରେ ମିଶିଥିଲା। ଏହାର ବହୁ ବର୍ଷ ପରେ ଆନ୍ଧ୍ରପ୍ରଦେଶ ଗଠନ ପରବର୍ତ୍ତୀ ସମୟରେ ସେଠାକାର ରାଜ୍ୟ ସରକାର ଏସବୁ ଗ୍ରାମପୁଞ୍ଜ ଉପରେ ନିଜର ଅଧିକାର ଜବରଦସ୍ତ ଜାହିର କରିଆସୁଛନ୍ତି। ଆପୋଷ ମୀମାଂସା ଅସଫଳ ହେବାରୁ ୧୯୬୮ରେ ଓଡ଼ିଶା ଏହି ମାମଲାକୁ ସର୍ବୋଚ୍ଚ ଅଦାଲତକୁ ନେଇଥିଲା। ସେତେବେଳେ ସୁପ୍ରିମକୋର୍ଟ କୋଟିଆ ଗ୍ରାମପୁଞ୍ଜ ଉପରେ ଥିବା ଓଡ଼ିଶାର ଅଧିକାରରେ ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ବେ ଆନ୍ଧ୍ର ପୁନର୍ବାର ଏହି ଗ୍ରାମପୁଞ୍ଜ ଉପରେ ତାହାର ଅଧିକାର ଜାହିର କରିବାରୁ ମାମଲା ଆଉଥରେ ୨୦୦୬ରେ ସର୍ବୋଚ୍ଚ ଅଦାଲତକୁ ଯାଇଥିଲା। ସେଥର ମଧ୍ୟ ସୁପ୍ରିମକୋର୍ଟ ଏହି ଗ୍ରାମପୁଞ୍ଜ ଉପରେ ସ୍ଥିତାବସ୍ଥା ଜାରି କରିଥିଲେ।
ସର୍ବୋଚ୍ଚ ଅଦାଲତଙ୍କ ରହିତାଦେଶ ସତ୍ତ୍ବେ ବିସ୍ତାରବାଦୀ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜ ଉପରେ ଜବରଦସ୍ତ ତାହାର ଅଧିକାର ଜାହିର କରି ବିଭିନ୍ନ ପ୍ରକାର ଫିକର ଚଲାଇଛି। ଏପରିକି ପଞ୍ଚାୟତ ନିର୍ବାଚନ ଲୁଚାଚୋରାରେ କରାଇ ତଥା ବିଭିନ୍ନ ବିକାଶ ଯୋଜନା ନାଁରେ ସ୍ଥାନୀୟ ଲୋକଙ୍କୁ ଭୁଲାଇ ଆନ୍ଧ୍ର ପଟକୁ କରାଇବା ପ୍ରୟାସ ଜାରି ରଖିଛି। ୨୦୨୨ରେ ଆନ୍ଧ୍ରର ଏଭଳି ଅନୁପ୍ରବେଶ ଓ ଅଦାଲତ ନିଷ୍ପତ୍ତି ବିରୋଧୀ କାର୍ଯ୍ୟ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ। ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ଓଡ଼ିଶା ପକ୍ଷରୁ ଦାଏର ହୋଇଥିବା ମୂଳ ମାମଲା (ଅରିଜିନାଲ୍ ସୁଟ୍)ର ଶୁଣାଣି କରିବାକୁ ରାଜି ହୋଇଥିଲେ। ଏଥିରେ ଆନ୍ଧ୍ର ସରକାରଙ୍କ ବିରୋଧରେ ମଧ୍ୟ ଏକ ଅଦାଲତ ଅବମାନନା ମାମଲା ଅନ୍ତର୍ଭୁକ୍ତ। ସୁପ୍ରିମକୋର୍ଟର ୧୯୬୮ ଓ ୨୦୦୬ ରହିତାଦେଶକୁ ଅମାନ୍ୟ କରି ଆନ୍ଧ୍ର କୋଟିଆ ପଞ୍ଚାୟତରେ ନିର୍ବାଚନ କରିବା ସହ ଅନ୍ୟାନ୍ୟ କାମ ଜବରଦସ୍ତ କରୁଥିବାରୁ ଓଡ଼ିଶା ସର୍ବୋଚ୍ଚ ଅଦାଲତଙ୍କଠାରୁ ନ୍ୟାୟ ମାଗି ଚାଲିଛି। ୧୯୬୮ରେ ଓଡ଼ିଶା ସର୍ବୋଚ୍ଚ ଅଦାଲତରେ ଯେଉଁ ମାମଲା ଦାଏର କରିଥିଲା, ସେଥିରେ ଉଲ୍ଲେଖଥିଲା ଯେ କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆନ୍ଧ୍ର ଏହି ସୀମାନ୍ତ ଗ୍ରାମଗୁଡ଼ିକୁ ଜବରଦସ୍ତ ଦଖଲ କରିବାକୁ ଚେଷ୍ଟା କରୁଛି। ତେବେ ସେତେବେଳେ ସୁପ୍ରିମକୋର୍ଟ ଏହି ମୂଳ ମାମଲାଟିକୁ ସମ୍ବିଧାନର ଧାରା ୧୩୧ ଅନୁସାରେ ଶୁଣାଣି କରିବାକୁ ମନା କରିଦେଇ କେବଳ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ। ଏହାପରେ ୨୦୦୬ରେ ସମାନ ରାୟ ଦେଇ ମୂଳ ମାମଲା ଶୁଣାଣିକୁ ଏଡ଼ାଇ ଯିବା ପରେ ସର୍ବୋଚ୍ଚ ଅଦାଲତ ୨୦୨୨ରେ ଓଡ଼ିଶାର ଅରିଜିନାଲ୍ ସୁଟ୍କୁ ବିଚାର ପାଇଁ ଗ୍ରହଣ କରିଥିଲେ। ଏହାଫଳରେ ଓଡ଼ିଶାକୁ ଏକ ବଡ଼ ଆଶ୍ୱସ୍ତି ମିଳିଥିଲା ଓ ସମଗ୍ର କୋଟିଆ ପଞ୍ଚାୟତରେ ଓଡ଼ିଶା ତାହାର ଅଧିକାର ଜାହିର କରିବା ସହ ସ୍ଥିତାବସ୍ଥା ବଜାୟ ରଖିଛି। ଏହାସତ୍ତ୍ବେ ଆନ୍ଧ୍ର ତା’ର ପ୍ରୟାସରୁ ବିରତ ହୋଇନାହିଁ ଏବଂ ବାରମ୍ବାର କୋଟିଆରେ ପ୍ରବେଶ କରି ଏହାକୁ ଦଖଲ କରିବାକୁ ଉଦ୍ୟମ କରୁଛି।
ନିକଟରେ ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇ କିଛି ଆନ୍ଧ୍ର ଅଧିକାରୀଙ୍କୁ ସେହି ଗ୍ରାମଗୁଡ଼ିକରୁ ହଟିଯିବାକୁ କହିବା ପରେ ପୁନର୍ବାର ବିବାଦ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଆନ୍ଧ୍ରର ଜଣେ ଉପମୁଖ୍ୟମନ୍ତ୍ରୀ (ସେଠି ପାଞ୍ଚଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି) ତଥା ସାଲୁର ବିଧାୟକ ପି ରାଜନ ଦୋରା ସାଲୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ଯେ ୨୦୦୬ର ସୁପ୍ରିମକୋର୍ଟ ରାୟ ଅନୁସାରେ କୋଟିଆ ଗ୍ରାମପୁଞ୍ଜ ଉପରେ ଓଡ଼ିଶା ଭଳି ଆନ୍ଧ୍ରର ସମାନ ଅଧିକାର ରହିଛି। ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁସାରେ ଏହି ବିବାଦୀୟ ଗ୍ରାମପୁଞ୍ଜରେ ଦୁଇରାଜ୍ୟ କିଏ କାହାକୁ ବିରୋଧ କରିପାରିବେ ନାହିଁ। ତେଣୁ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ପୁଲିସ୍ ସହାୟତାରେ ଆନ୍ଧ୍ର ଅଧିକାରୀଙ୍କୁ ଗ୍ରାମରୁ ତଡ଼ିଦେବା ଘଟଣାକୁ ସେ ସମାଲୋଚନା କରିଛନ୍ତି।
ଜଣେ କେନ୍ଦ୍ରମନ୍ତ୍ରୀଙ୍କ ନିରପେକ୍ଷତା, ଦାୟିତ୍ୱବୋଧ, ରାଜନୈତିକ ଉଦ୍ଦେଶ୍ୟ ଓ ନିଜ ରାଜ୍ୟ ପ୍ରତି ଆନୁଗତ୍ୟକୁ ସଂଘୀୟ ବ୍ୟବସ୍ଥା ପରିପ୍ରେକ୍ଷୀରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୋରା ସମାଲୋଚନା କରିବା ଆଇନ ବିରୋଧୀ ନ ହୋଇପାରେ। ତେବେ ତାଙ୍କର ଗୋଟିଏ କଥା ଆମକୁ ବିବ୍ରତ କରୁଛି, ଯାହା ଷୋଳପଣ ଅସତ୍ୟ ଓ କପୋଳକଳ୍ପିତ। ୨୦୦୬ରେ ସୁପ୍ରିମକୋର୍ଟ କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରକୁ କୌଣସି ସ୍ଥିତାବସ୍ଥା ବା ହସ୍ତକ୍ଷେପ କରିବାର ନିର୍ଦ୍ଦେଶ ଦେଇନାହାନ୍ତି। ଓଡ଼ିଶା ମାମଲାକୁ ସର୍ବୋଚ୍ଚ ଅଦାଲତକୁ ନେଇଥିଲା। ଏଥିରେ ଓଡ଼ିଶାକୁ ସ୍ଥିତାବସ୍ଥା ମିଳିଛି ଏବଂ ଆନ୍ଧ୍ରର ହସ୍ତକ୍ଷେପକୁ ବାରଣ କରାଯାଇଛି। ଏବେ ପୁଣି ମୂଳ ମାମଲାଟି ସମ୍ବିଧାନର ଧାରା ୧୩୧ ଅନୁସାରେ ବିଚାରାଧୀନ ଥିବାରୁ ଆନ୍ଧ୍ରର କୋଟିଆ ଉପରେ କୌଣସି ଅଧିକାର ନାହିଁ। ସମ୍ପୃକ୍ତ ଉପମୁଖ୍ୟମନ୍ତ୍ରୀ ଗୋଟିଏ ମିଛକୁ ବାରମ୍ବାର ଦୋହରାଇ ଏକ ଅଦାଲତି ରହିଦାଦେଶର ତ୍ରୁଟିପୂର୍ଣ୍ଣ ଅର୍ଥକରି କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି, ତାହା ନିନ୍ଦନୀୟ। ଏଥିପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବା ଉଚିତ।
ସମଗ୍ର ଦେଶରେ ବିଭିନ୍ନ ରାଜ୍ୟମାନଙ୍କର ମଧ୍ୟରେ ସୀମା ବିବାଦ ରହିଛି ଏବଂ ଏ ସବୁ ଆଇନ ଅଦାଲତରେ ଦୀର୍ଘକାଳ ଧରି ପଡ଼ି ରହି କୌଣସି ସ୍ପଷ୍ଟ ନିର୍ଣ୍ଣୟ ଆସୁନାହିଁ। ଯେତେବେଳେ ବିବାଦରେ ଲିପ୍ତ ରାଜ୍ୟ ସରକାରମାନେ ଆପୋସ ସମାଧାନ ପାଇଁ ରାଜି ହୁଅନ୍ତି ନାହିଁ ଏବଂ କେନ୍ଦ୍ର ସରକାର ଏଥିରୁ ଜାଣିଶୁଣି ଦୂରେଇ ରହନ୍ତି, ସେତେବେଳେ ବିବାଦ ଅସମାହିତ ରହେ। ସେହିକାରଣରୁ ତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ-ରାଜ୍ୟ ମଧ୍ୟରେ ହିଂସାକାଣ୍ଡ ଘଟି ବ୍ୟାପକ ଧନଜୀବନ ହାନି ଘଟିବାର ନଜିର ରହିଛି। ଏବେ ଉତ୍ତର-ପୂର୍ବାଞ୍ଚଳରେ ରାଜ୍ୟ-ରାଜ୍ୟ ସୀମାବିବାଦର ସମାଧାନ ପାଇଁ ଯେଉଁ ରାଜନୈତିକ ପ୍ରୟାସ ଆରମ୍ଭ ହୋଇଛି ତାହା ବେଶ୍ ଅଭିନନ୍ଦନୀୟ।
ବିବାଦ ଯେତେବେଳେ ସର୍ବୋଚ୍ଚ ଅଦାଲତରେ ରହିଛି ସେତେବେଳେ ଏହାକୁ ନେଇ ଶସ୍ତା ରାଜନୀତି କରିବା ଅନୁଚିତ। ସେ ଦୃଷ୍ଟିରୁ ଓଡ଼ିଶା ସରକାର ବେଶ୍ ସତର୍କ ଓ ସମ୍ବେଦନଶୀଳ। ଏହାସତ୍ତ୍ବେ ବିଜେପି ଓ ଆନ୍ଧ୍ର ସରକାର ଏହାକୁ ନେଇ ଯଦି ରାଜନୀତି କରନ୍ତି ସେଥିରେ କିଛି ଲାଭ ମିଳିବ ନାହିଁ। ଦୁଇଟି ରାଜ୍ୟ ମଧ୍ୟରେ ଯେତେବେଳେ କୌଣସି ବିବାଦ ସୃଷ୍ଟି ହୁଏ ସେତେବେଳେ ସେହି ସମାଧାନରେ କେନ୍ଦ୍ର ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ରହିଛି। ଏହା ସଂଘୀୟ ବ୍ୟବସ୍ଥାର ଏକ ଅଂଶବିଶେଷ। ତେଣୁ କେନ୍ଦ୍ର ସରକାର ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ବିବାଦର ଆପୋସ ସମାଧାନ ଏ ପର୍ଯ୍ୟନ୍ତ କରୁନାହାନ୍ତି କାହିଁକି ତାହା ଜାଣି ହେଉନି। କେନ୍ଦ୍ର ସରକାର ଯଦି ଉତ୍ତର-ପୂର୍ବାଞ୍ଚଳରେ ଏଭଳି ଆନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି, ଓଡ଼ିଶା କ୍ଷେତ୍ରରେ ତାହା ହେଉନାହିଁ କାହିଁକି? କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେଥିପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ବା ସରକାରଙ୍କ ଉପରେ ଚାପ ପକାଇବା ଆବଶ୍ୟକ।