ଓଡ଼ିଆ ସ୍ୱାଭିମାନ ପାଇଁ କୁଣ୍ଠା କାହିଁକି?
ଦିଲ୍ଲୀର କୌଣସି ସ୍ଥାନରେ ଯଦି ହଠାତ କେହି ଜଣେ ଓଡ଼ିଆରେ କଥା ହେବାର ଶୁଣିବାକୁ ମିଳେ ସେତେବେଳେ ସ୍ୱତଃପ୍ରବୃତ ଭାବରେ ନଜର ସେହି ଆଡ଼କୁ ଚାଲିଯାଏ। ମନରେ କେତୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ଆପେ ଆପେ ଆସିଯାଏ – ଆପଣଙ୍କର ଘର କେଉଁଠି? ଏମିତି ଏକ ମାନସିକତା ମଧ୍ୟରେ ଦିନେ ମୁଁ ଅଫିସ ଭିତରକୁ ଯିବା ବେଳେ କମ୍ପ୍ୟୁଟର ଅପରେଟର ଫୋନରେ କାହା ସହିତ କଥା ହେଉଥିବାର ଦେଖିଲି। ମନେହେଲା ସେ ଓଡ଼ିଆରେ କଥା ହେଉଛନ୍ତି। ମୁଁ କିଛିସମୟ […]
ଦିଲ୍ଲୀର କୌଣସି ସ୍ଥାନରେ ଯଦି ହଠାତ କେହି ଜଣେ ଓଡ଼ିଆରେ କଥା ହେବାର ଶୁଣିବାକୁ ମିଳେ ସେତେବେଳେ ସ୍ୱତଃପ୍ରବୃତ ଭାବରେ ନଜର ସେହି ଆଡ଼କୁ ଚାଲିଯାଏ। ମନରେ କେତୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ଆପେ ଆପେ ଆସିଯାଏ – ଆପଣଙ୍କର ଘର କେଉଁଠି? ଏମିତି ଏକ ମାନସିକତା ମଧ୍ୟରେ ଦିନେ ମୁଁ ଅଫିସ ଭିତରକୁ ଯିବା ବେଳେ କମ୍ପ୍ୟୁଟର ଅପରେଟର ଫୋନରେ କାହା ସହିତ କଥା ହେଉଥିବାର ଦେଖିଲି। ମନେହେଲା ସେ ଓଡ଼ିଆରେ କଥା ହେଉଛନ୍ତି। ମୁଁ କିଛିସମୟ ପରେ ତାଙ୍କ ପାଖକୁ ଯାଇ ପଚାରିଲି ତୁମେ ଓଡ଼ିଶାର କେଉଁ ସ୍ଥାନର? ସେ ମତେ ଏକ ଅବୁଝା ଆଖିରେ ଦେଖିଲେ ଏବଂ କହିଲେ ‘ସମଝା ନେହିଁ’। ନିଜର ଭ୍ରମ ବୁଝିପାରି ମୁଁ ହିନ୍ଦୀରେ କଥା ହେଲି ଏବଂ ସେ ପଶ୍ଚିମବଙ୍ଗର ବୋଲି ଜାଣିଲି। ଏମିତି ସମୟ ଗଡ଼ି ଚାଲିଲା। ପ୍ରାୟ ସାତ/ଆଠ ମାସ ପରେ ସେହି କମ୍ପ୍ୟୁଟର ଅପରେଟର ସନ୍ତର୍ପଣ ଭାବରେ ଆସି ମୋ ପାଖରେ ଛିଡ଼ା ହୋଇ ଓଡ଼ିଆରେ କହିଲେ, ‘ସାର ମତେ ଟିକେ ସାହାଯ୍ୟ କରନ୍ତୁ।’ ହଠାତ ତାଙ୍କ ପାଟିରେ ଓଡ଼ିଆ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି! ପୂର୍ବଥର ଓଡ଼ିଆ ନ ବୁଝିବାର ବାହାନା କରିଥିବାରୁ ସେ ପ୍ରଥମେ କ୍ଷମା ମାଗିଲେ ଓ କହିଲେ, ‘ଓଡ଼ିଆ ବୋଲି ଅନ୍ୟମାନେ ଜାଣିଗଲେ ଖରାପ ଦୃଷ୍ଟିରେ ଦେଖିବେ। ସେଥିପାଇଁ ମୁଁ ନିଜକୁ ବଙ୍ଗାଳୀ ବୋଲି କହିଥିଲି।’ ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ତାଙ୍କ ମନଭିତରେ ଥିବା ହୀନମନ୍ୟତାକୁ ହୃଦୟଙ୍ଗମ କରୁଥିଲି। ସେଦିନ ତାଙ୍କୁ କହିଥିଲି, ‘ନିଜ ମାଟି ଓ ମାତୃଭାଷାକୁ ଭଲ ପାଉନଥିବା ମଣିଷ କେବେ ଭଲରେ ରହିପାରେନା। ଏହି କଥାଟିକୁ ସର୍ବଦା ମନେ ରଖିଥିବେ।’ ମୁଁ ଜାଣିନି ସେ ମୋ କଥା ମନେ ରଖିଛନ୍ତି କି ନାହିଁ।
ଏମିତି ଓଡ଼ିଆ ଭାଇଭଉଣୀମାନେ ନିଜର ପରିଚୟକୁ ବିନା କାରଣରେ ଲୁଚାଇବାର ଅନେକ ଉଦାହରଣ ରହିଛି। ମନରେ ଯେତେବେଳେ ହୀନମନ୍ୟତା ବସାବାନେ୍ଧ ମଣିଷ ନିଜ ଅଜାଣତରେ ନିଜ ଅସ୍ମିତାଠାରୁ ଦୂରେଇ ଯାଏ ଓ ନିଜର ପରିଚୟ ହରାଇ ବସେ। ଓଡ଼ିଆ ଅସ୍ମିତା ଆଜିର ବା କାଲିର ନୁହେଁ। ମହାଭାରତରେ କଳିଙ୍ଗ ସେନା ଓ କଳିଙ୍ଗ ସାମ୍ରାଟଙ୍କ ବୀରତ୍ୱ କାହାଣୀ ବର୍ଣ୍ଣିତ ଥିବା ବେଳେ ପ୍ରାକ-ଐତିହାସିକ ଯୁଗର ଓଡ଼ିଆ ଶିଳାଲିପି ଆମକୁ ଆମ ସଂସ୍କୃତି ଓ ସଭ୍ୟତାର ପରିଚୟ ଦିଏ। ଗଙ୍ଗା ଠୁଁ ଗୋଦାବରୀ ଉତ୍କଳୀୟ ବୀରତ୍ୱର କାହାଣୀ ଏବେ ବି ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଧଉଳି ପାହାଡ଼ ଉତ୍କଳୀୟଙ୍କ ସମର୍ପିତ ତ୍ୟାଗ ଓ ବଳିଦାନର କାହାଣୀକୁ ନିଜବକ୍ଷରେ ଧାରଣ କରି ମୂକସାକ୍ଷୀ ହୋଇରହିଛି। ଏହାର ସଂସ୍କୃତି ଅନନ୍ୟ ଓ ବୈଶିଷ୍ଟ୍ୟପୂର୍ଣ୍ଣ। ନିଜ ଜାତିର ଗର୍ବ ଓ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଲକ୍ଷଲକ୍ଷ ସଂଖ୍ୟାରେ ଓଡ଼ିଆ ବୀର କଳିଙ୍ଗ ଯୁଦ୍ଧରେ ଆତ୍ମାହୁତି ଦେଇଥିଲେ ମଧ୍ୟ ଶତ୍ରୁ ନିକଟରେ ମଥାନତ କରି ନଥିଲେ; ବରଂ ମହାପ୍ରତାପଶାଳୀ ମଗଧ ସମ୍ରାଟ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରାଇ ନେଇଥିଲେ। ଉତ୍କଳମାତାର ଗୌରବକୁ ସମ୍ରାଟ ଅଶୋକ ନିଜ ଦ୍ୱାରା ବର୍ଣ୍ଣନା କରି ନିଜକୁ ମହାନ କରିବାର ପ୍ରୟାସରେ ସଫଳ ହୋଇଗଲେ। ପିଢ଼ି ପିଢ଼ି ଧରି ଅପରାଜେୟ ଉତ୍କଳକୁ ସାମରିକ ଶକ୍ତି ଦ୍ୱାରା ପରାଜୟ କରିବା ପରେ ମଧ୍ୟ ଅପରାଜେୟ ଥିଲା ଉତ୍କଳୀୟ ସ୍ୱାଭିମାନ, ପରମ୍ପରା, ଅସ୍ମିତା ଓ ଏକତା। ତେଣୁ ଅଶୋକ ଉତ୍କଳୀୟଙ୍କୁ ସମ୍ପୂର୍ଣ୍ଣ ପରାଜୟ କରିବା ପାଇଁ ରଚିଥିଲେ ଶାନ୍ତିର ଚକ୍ରବ୍ୟୂହ, ଯାହା ମଧ୍ୟରେ ଆମେ ଏବେ ବି ବନ୍ଦୀ। ଏବେ ବି ଆମେ ଜାଣିପାରୁନେ ବା ଜାଣିବାର ପ୍ରୟାସ କରିବା ଆବଶ୍ୟକ ବୋଲି ମନେ କରୁନେ ଯେ, ସେ ସମୟରେ ଉତ୍କଳର ଶାସନ ବ୍ୟବସ୍ଥା କ’ଣ ଥିଲା? କିଏ ଥିଲେ ସେ ସମୟର ଆମ ପ୍ରଭାବଶାଳୀ ଶାସକ, ଯାହାଙ୍କ ପ୍ରଭାବରେ ଘର କୋଣର ଗୃହିଣୀଟି ରଣ କ୍ଷେତ୍ରକୁ ଧାଇଁ ଆସୁଥିଲା ରଣଚଣ୍ଡୀର ରୂପନେଇ। ଆମେ ବୁଝିବାକୁ ଚେଷ୍ଠା କରୁନେ କ’ଣ ଥିଲା ଆମ ସ୍ୱାଭିମାନର ଉତ୍ସ, ଯଦ୍ୱାରା ଦୟା ନଦୀର ଜଳ ଉତ୍କଳୀୟଙ୍କ ରକ୍ତରେ ଲାଲ ହେବା ପରେ ମଧ୍ୟ ଆମ ପୂର୍ବଜଙ୍କ ମନରେ ଟିକେ ହେଲେ ମୃତ୍ୟୁର ଭୟ ସଞ୍ଚାର ହୋଇ ନଥିଲା। କ’ଣ ଥିଲା ଆମ ଏହି ଅବିଶ୍ୱସନୀୟ ଅସ୍ମିତାର ଗୂଢ଼ ରହସ୍ୟ?
ଅଦମ୍ୟ ଓଡ଼ିଆ ଅସ୍ମିତାର ଅନ୍ୟ ଏକ ବିରଳ ଉଦାହରଣ ହେଉଛି ୧୮୬୬ ମସିହାର ଲୋମହର୍ଷଣକାରୀ ଦୁର୍ଭିକ୍ଷ କାଳରେ କଙ୍କାଳସାର ଉପତ୍ୟକାରେ ହା-ଅନ୍ନ, ହା-ଅନ୍ନ ଚିତ୍କାର ମଧ୍ୟରେ ଯେତିକି ଏ ଜାତି ଅନ୍ନ ଚିନ୍ତାରେ ଥିଲା, ସମ ପରିମାଣରେ ବ୍ୟଥିତ ହେଉଥିଲା ପରିଚୟ ହରାଇବାର ଚିନ୍ତାରେ। ‘ଓଡ଼ିଆ ଏକ ଭାଷା ନଏ’ ଥିଲା ଏକ ନିଦ୍ରାଗ୍ରସ୍ତ ଜାତିକୁ ଜାଗ୍ରତ କରିବା ପାଇଁ ବଜ୍ର ଧ୍ୱନି। କ୍ଷୁଧାର ଜ୍ୱାଳାକୁ ସହ୍ୟ କରିବାର ଶକ୍ତି ନିଜ ମଧ୍ୟରେ ସମାହିତ କରି ଜାତିର ସ୍ୱତନ୍ତ୍ରତା ପାଇଁ ପ୍ରତ୍ୟକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ସୂତ୍ରରେ ବାନ୍ଧି ସ୍ୱତନ୍ତ୍ର ଭାବରେ ଆତ୍ମପ୍ରକାଶ କରିବାର ଆହ୍ୱାନ ଦେଇଥିଲେ କେତେଜଣ ପ୍ରଚଣ୍ଡ ସ୍ୱାଭିମାନୀ ଓଡ଼ିଆ। ଏହି ଆହ୍ୱାନର ଆଲୋଡ଼ନ ଓ ସଂଘାତ ମେଦିନୀପୁରରୁ ରଙ୍ଗେଈଲୁଣ୍ଡା, ସମ୍ୱଲପୁରରୁ ସିଂହଭୂମି ଚାରିଆଡ଼େ ସଞ୍ଚରି ଯାଇଥିଲା ବୈଦ୍ୟୁତିକ ତରଙ୍ଗ ଭଳି। ଫଳସ୍ୱରୂପ ୧୯୩୬ ମସିହା ଏପ୍ର୍ରିଲ ୧ ତାରିଖରେ ଓଡ଼ିଶା ହେଲା ଭାଷାଭିତ୍ତିରେ ଗଠିତ ହେଇଥିବା ପ୍ରଥମ ରାଜ୍ୟ।
ଏ ଜାତି ନିୟତିର ତାଡ଼ନାରେ ନିଜର ସତ୍ତା ହରାଇବାର ଜାତି ନୁହେଁ, ବରଂ ପ୍ରତ୍ୟେକ ଅଗ୍ନି ପରୀକ୍ଷାରେ ଆହୁରି ଉଜ୍ୱଳ ହୋଇ ନିଜର ଅସ୍ତିତ୍ୱକୁ ମଜବୁତ କରିଛି। ଉତ୍କଳ ଗୌରବଙ୍କ ନେତୃତ୍ୱରେ ଆମର ପରିଚୟ ଆମେ ପାଇ ସାରିଛେ। କିନ୍ତୁ ସେହି ଅଦମ୍ୟ ଜାତି କିଛି ଦିନ ପାଇଁ ନିଜକୁ ଖୋଜିବାରେ ଅସମର୍ଥ ହୋଇନି ତ? ନିଜର ଅସ୍ମିତାଠାରୁ ଦୂରେଇ ଯାଇନି ତ? ଏକ ଅପରାଜେୟ ଜାତି ବର୍ତ୍ତମାନ ପରାଜୟର ଭୟରେ ଭୟଭୀତ ନୁହେଁ ତ? ପରାକ୍ରମୀ ପୂର୍ବଜଙ୍କ ଆମେ ଯୋଗ୍ୟ ଉତ୍ତରଦାୟାଦ ତ? ଏମିତି ଅନେକ ପ୍ରଶ୍ନ ସର୍ବଦା ଆମ ସମ୍ମୁଖରେ ଆମ ଅନିଚ୍ଛା ସତ୍ତ୍ବେ ଉପସ୍ଥାପିତ ହୋଇଥାଏ। ଆମ ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ କେତେ ଦୂରତା? ଏ ସବୁ ଜାଣିବା ପାଇଁ ଯୁବପିଢ଼ିକୁ ମନଖୋଲି କହିବାକୁ ହେବ ଓ ଧୈର୍ଯ୍ୟର ସହିତ ଅନ୍ୟକୁ ଶୁଣିବାକୁ ହେବ। ବିଶ୍ୱର ପ୍ରତ୍ୟେକ କୋଣରେ ରହୁଥିବା ଓଡ଼ିଆ ଯୁବ ଧ୍ୱଜାଧାରକଙ୍କୁ ଓଡ଼ିଆ ଅସ୍ମିତା କ’ଣ ବୁଝିବାକୁ ହେବ। ଓଡ଼ିଶୀ, ସମ୍ୱଲପୁରୀ, ଛଉ ବା ମନବିମୋହିତ କରିବାର କଳା ଓ ସଙ୍ଗୀତ ମଧ୍ୟରେ କେବଳ ଓଡ଼ିଆ ଅସ୍ମିତା ସୀମିତ ନାହିଁ। ଧର୍ମପଦର ଆଜନ୍ମ ପ୍ରଜ୍ଞା, ବାଜି ରାଉତର ଇଂରେଜ ନିର୍ଦ୍ଦେଶକୁ ଅବଜ୍ଞା, ବାଇମୁଣ୍ଡିର ପ୍ରଚେଷ୍ଟା, ଖାରବେଳଙ୍କ ନିଷ୍ଠା, କପିଳେନ୍ଦ୍ର ଦେବଙ୍କ ଶାସନ, ପଠାଣି ସାମନ୍ତଙ୍କ ଜ୍ଞାନ, ଗୋପବନ୍ଧୁ ଦାସଙ୍କ ତ୍ୟାଗ, ଗୋପବନ୍ଧୁ ଚୌଧୁରୀଙ୍କ ପଦବି ପ୍ରତି ବୈରାଗ୍ୟ, ରମାଦେବୀଙ୍କ ସେବା, ଉତ୍କଳୀୟ ଶିଳ୍ପୀକୁଳର ପ୍ରତିଭା, ବକ୍ସି ଜଗବନ୍ଧୁଙ୍କ ସାହସ, ସୁରେନ୍ଦ୍ର ସାଏଙ୍କ ଆତ୍ମବିଶ୍ୱାସ, ଚିଲିକାର ସୌନ୍ଦର୍ଯ୍ୟ, ଭୂତଳର ଐଶ୍ଚର୍ଯ୍ୟ, ପାହାଡ଼ର ଆକର୍ଷଣ, ଜଗନ୍ନାଥଙ୍କ ପ୍ରତି ଏ ଜାତିର ସମର୍ପଣ, ଚାଷୀ ଭାଇର ପ୍ରୟାସ, ଆଦିବାସୀଙ୍କ ବିଶ୍ୱାସ ଆଦିରେ ରହିଛି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ଅସରନ୍ତି ଭଣ୍ଡାର।
ଏବେ ସମୟ ବଦଳିବାକୁ ଆରମ୍ଭ କରିଛି। ରାଷ୍ଟ୍ରୀୟସ୍ତରରେ ପ୍ରତ୍ୟକ ଓଡ଼ିଆ ଗର୍ବର ସହିତ ତା’ର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି। ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନ ମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ଭାରତର କମ୍ପ୍ଟ୍ରୋଲର୍ ଆଣ୍ଡ ଅଡିଟର ଜେନେରାଲ୍ (ସିଏଜି), ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳର ମହାନିର୍ଦ୍ଦେଶକ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଏନସିଇଆରଟି ପର୍ଯ୍ୟନ୍ତ, ଓଡ଼ିଆ ଅଧିକାରୀମାନେ ବର୍ତ୍ତମାନ ଅନେକ ସମ୍ମାନଜନକ ଏବଂ ଅତ୍ୟନ୍ତ ଦାୟିତ୍ୱବାନ ପଦବିକୁ ଯାଇ ଭାରତର ଭାଗ୍ୟ ନିର୍ଣ୍ଣୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ଏଥିସହିତ ଆମ ମାତୃଭାଷା ଶିକ୍ଷା ପାଇଁ ଓଡ଼ିଆ ଭାଇଭଉଣୀମାନେ ବିନା କୌଣସି ସରକାରୀ ବା ବେସରକାରୀ ସାହାଯ୍ୟରେ ‘ଆସ ଶିଖିବା ଆମରି ଭାଷା’ କେନ୍ଦ୍ର ପ୍ରତିଷ୍ଠା କରି ପ୍ରବାସୀ ଓଡ଼ିଆ ପିଲାମାନଙ୍କୁ ମାଗଣାରେ ଓଡ଼ିଆ ଶିକ୍ଷା ପ୍ରଦାନ କରୁଛନ୍ତି। କୋଭିଡ ମହାମାରୀ ସମୟରେ ଏକତ୍ର ଭାବରେ ପ୍ରବାସୀ ଓଡ଼ିଆଙ୍କ ସମସ୍ୟାଗୁଡ଼ିକର ସମାଧାନର ସୂତ୍ର ଖୋଜିଛନ୍ତି। ଦିଲ୍ଲୀ, ସୁରତ ତଥା ଅନ୍ୟ ସହରରେ ଓଡ଼ିଶା ପର୍ବର ପାଳନ ନିଶ୍ଚୟ ଅଣଓଡ଼ିଆଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତାର ଏକ ଗରିମାମୟ ଉପସ୍ଥିତି। ଏହି ଚିରପ୍ରବହମାନ ଓଡ଼ିଆ ଅସ୍ମିତାର ଧାରାକୁ ଉତ୍ତର ପିଢ଼ି କେବଳ ଦର୍ଶନ, ଶ୍ରବଣ ବା ବିଶ୍ଳେଷଣରେ ସୀମିତ ନରଖି ନିଜ ଜୀବନରେ ପ୍ରତିଫଳନ କରିବାକୁ ପ୍ରୟାସ କରିବା ଆବଶ୍ୟକ। ଦେବେନ୍ଦ୍ର ନାଥ ରାଉତ
ନୂଆଦିଲ୍ଲୀ, ମୋ: ୯୩୫୦୧୨୭୩୭୦