ମାତୃଭାଷା ବ୍ୟକ୍ତି ଓ ସମାଜର ମୌଳିକ ପରିଚୟ

The Sakala Picture
Published On

ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ହେଉଛି ସେହି ସମୟ, ଯେତେବେଳେ ଆପଣ ଆପଣଙ୍କ ପିଲାକୁ କଥା କହିବା ଶୁଣିବେ। ଦେଖାଯାଏ ଛୋଟ ଛୋଟ ପିଲାମାନେ ନୂଆ ନୂଆ ଭାଷା ଶିଖିବାକୁ ବହୁତ ଆଗ୍ରହୀ ହୁଅନ୍ତି ଏବଂ ଖୁବ ଶୀଘ୍ର ସେମାନେ ସେ ଭାଷା ଶିଖି ମଧ୍ୟ ଯାଆନ୍ତି। ଯେଉଁ ପିଲା ତା’ ମାତୃଭାଷାରେ ଯେତେ ଦକ୍ଷ, ସେ ଯେକୌଣସି ଅନ୍ୟ ଭାଷାକୁ ଶିଖିବାରେ, ବ୍ୟବହାର କରିବାରେ ସେତେ ସହଜ। ପିଲାମାନେ ଜ୍ଞାନ, ଦକ୍ଷତା, କୌଶଳ ଆହରଣ କରିବା […]

ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ହେଉଛି ସେହି ସମୟ, ଯେତେବେଳେ ଆପଣ ଆପଣଙ୍କ ପିଲାକୁ କଥା କହିବା ଶୁଣିବେ। ଦେଖାଯାଏ ଛୋଟ ଛୋଟ ପିଲାମାନେ ନୂଆ ନୂଆ ଭାଷା ଶିଖିବାକୁ ବହୁତ ଆଗ୍ରହୀ ହୁଅନ୍ତି ଏବଂ ଖୁବ ଶୀଘ୍ର ସେମାନେ ସେ ଭାଷା ଶିଖି ମଧ୍ୟ ଯାଆନ୍ତି। ଯେଉଁ ପିଲା ତା’ ମାତୃଭାଷାରେ ଯେତେ ଦକ୍ଷ, ସେ ଯେକୌଣସି ଅନ୍ୟ ଭାଷାକୁ ଶିଖିବାରେ, ବ୍ୟବହାର କରିବାରେ ସେତେ ସହଜ। ପିଲାମାନେ ଜ୍ଞାନ, ଦକ୍ଷତା, କୌଶଳ ଆହରଣ କରିବା କ୍ଷେତ୍ରରେ ଭାଷା ଏକ ସେତୁ ଭଳି କାମ କରେ।

ଏଣୁ ଅଭିଭାବକ ବା ବାପାମାଆ ଏବଂ ଶିକ୍ଷକ/ଶିକ୍ଷୟତ୍ରୀମାନେ ପିଲାଙ୍କୁ ନିଜ ମାତୃଭାଷା ପ୍ରତି ଆକର୍ଷିତ କରିବାକୁ ହେବ। ତାଙ୍କୁ ନିଜ ଭାଷାକୁ ଭଲ ପାଇବାକୁ ଶିଖେଇବାକୁ ହେବ। ଏସବୁ ସେତେବେଳେ ସମ୍ଭବ ହେବ, ଯେବେ ଆମେ ସେମାନଙ୍କ ସହ ମିଶି ଏ ଦିଗରେ କାମ କରିବା। ଛୋଟ ଛୋଟ ପଦକ୍ଷେପ, ଯେମିତିକି ପିଲାଙ୍କୁ ଓଡ଼ିଆ ବହିଟିଏ ପଢ଼଼ି ଶୁଣେଇବା, ତା’ ସହିତ କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ ଓଡ଼ିଆରେ ଆଲୋଚନା କରିବା, ଗପଟିଏ ବା କିମ୍ୱା କିଛି ଧାଡ଼ି ଭାବି ମନରୁ କହିବାକୁ ଉତ୍ସାହିତ କରିବା ଇତ୍ୟାଦି। ଖାଲି ଏତିକି ଯଥେଷ୍ଟ ନୁହେଁ, ଏହା ସହିତ ପିଲାଙ୍କୁ ଅନ୍ୟ ଭାଷା ଶିଖିବା ପାଇଁ ଉତ୍ସାହିତ କରିବାକୁ ପଡ଼ିବ। ବେଳେବେଳେ ପିଠି ଥାପୁଡ଼େଇ, ସାବାସୀ ଦେଇ ପ୍ରଶଂସା କଲେ, ନିଜ ମାତୃଭାଷା ପ୍ରତି ପିଲାମାନଙ୍କ ଆଗ୍ରହ ବଢ଼଼ିବ।

ମାତୃଭାଷା ହିଁ ସର୍ବୋକୃଷ୍ଟ ଯୋଗାଯୋଗର ମାଧ୍ୟମ ହୋଇଥାଏ। ଜଣେ ନିଜ ମାତୃଭାଷାରେ ହିଁ ଅନ୍ୟମାନଙ୍କ ସହ ଠିକ ରୂପେ କଥା ହୋଇପାରିବ। ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଯାଆନ୍ତୁୁ, ସେଠି ତାଙ୍କ ଭାଷାରେ ତାଙ୍କୁ ବୁଝେଇବାକୁ ଚେଷ୍ଟା କରନ୍ତୁୁ ଆପଣ କ’ଣ କହିବାକୁ ଚାହୁଁଛନ୍ତି। ତା’ ପରେ ଜାଣିପାରିବେ ନିଜ ମାତୃଭାଷାର ସହଜତା ଓ ମଧୁରତା। ଚରମ ଆତ୍ମସନ୍ତୋଷ ଭରି ଯାଏ ମାତୃଭାଷାରେ କଥା ହୋଇ, ଭାବର ଆଦାନ ପ୍ରଦାନ କରି ନିଜ ଲୋକଙ୍କ ସହ କିଛି ସମୟ ବିତେଇଲେ।

ମାତୃଭାଷା ବ୍ୟକ୍ତିକୁ ତା’ର ମୂଳ ସହିତ ଯୋଡ଼ି ରଖେ। ତା’ର ଐତିହ୍ୟ, ସଂସ୍କୃତି, କଳା, ପରମ୍ପରାକୁ ଭଲ ଭାବରେ ଜାଣିବାରେ ସାହାଯ୍ୟ କରେ। ଏହାଦ୍ୱାରା ସମାଜରେ ତା’ର ଗୋଟିଏ ପରିଚୟ ସୃଷ୍ଟି ହୁଏ। ଏଭଳି ପରିଚୟ, ଯାହା ପାଇଁ ସେ ଗର୍ବ କରେ। ମାତୃଭାଷାରେ ନିଜ ରାଜ୍ୟ ବିଷୟରେ ଯେତିକି ଜ୍ଞାନ ଓ ସୂଚନା ସଂଗ୍ରହ କରିହେବ, ତାହା ଅନ୍ୟ କୌଣସି ଭାଷାରେ ସମ୍ଭବ ନୁହେଁ। ଆଉ ମଧ୍ୟ ଶିଶୁଟିଏକୁ ବଡ଼ କରିବାରେ ତା’ର ଜେଜେ, ଜେଜେମା’, ଅଜା, ଆଈ ଆଦି ବୟସ୍କ ବ୍ୟକ୍ତିମାନଙ୍କର ଏକ ବଡ଼ ଭୂମିକା ରହିଥାଏ। ସତ କଥା ହେଉଛି ସେମାନଙ୍କ ଭିତରୁ ଅଧିକାଂଶ, ନିଜ ମାତୃଭାଷା ବ୍ୟତୀତ ଆଉ କୌଣସି ଭାଷାରେ ସହଜ ନ ଥା’ନ୍ତି। ଏଣୁ ଏମାନଙ୍କ ସହ ପିଲାଟି ଯୋଗାଯୋଗ କରିବାର ଏକମାତ୍ର ମାଧ୍ୟମ ହେଉଛି ସେମାନଙ୍କ ମାତୃଭାଷା।

ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ମାତୃଭାଷା ପ୍ରତି ଆସକ୍ତ ଏବଂ ସ୍ନେହଶୀଳ କରେଇବା ସଂଘର୍ଷମୂଳ ହେଲାଣି। କାରଣ ତାଙ୍କ ଚାରିପଟେ ସେମାନଙ୍କ ମାତୃଭାଷାକୁ ଛାଡ଼ି ଅନ୍ୟ ସବୁ ଭାଷାକୁ ବେଶୀ ପ୍ରାଧାନ୍ୟ ଦିଆଯାଉଛି। ସେମାନେ ପସନ୍ଦ କରୁଥିବା କାର୍ଟୁନ୍‌‌ କିମ୍ୱା ଚଳଚ୍ଚିତ୍ର ହିନ୍ଦୀ କିମ୍ୱା ଇଂରାଜୀରେ ପ୍ରଦର୍ଶନ ହେଉଛି, ଯାହା ସେମାନଙ୍କୁ ସେହିସବୁ ଭାଷାର ଅଧିକ ବ୍ୟବହାର ପ୍ରତି ଆକୃଷ୍ଟ କରୁଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲା ଇଂରାଜୀରେ ସବୁ ବିଷୟ ପଢ଼ୁଛନ୍ତି। ତେଣୁ ଇଂରାଜୀ ଶିଖିବା, କହିବା ଓ ଲେଖିବା ପାଇଁ ସେମାନେ ସହଜତା ଅନୁଭବ କରୁଛନ୍ତି। ତେଣୁ ଇଂରାଜୀ ଭାଷା ପ୍ରତି ସେମାନେ ଢଳିବା ସ୍ୱାଭାବିକ ମନେହୁଏ। ଏଭଳି କ୍ଷେତ୍ରରେ ଯଦି ଘରେ ପରିବାରର ସଦସ୍ୟ ଓ ଅଭିଭାବକମାନେ ଇଂରାଜୀ ବା ହିନ୍ଦୀରେ କଥୋପାକଥନ କଲେ, ତା’ ହେଲେ ମାତୃଭାଷାଟି ମରି ଯାଉନାହିଁ କି?

ଉପରୋକ୍ତ ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ନେବା ନିତାନ୍ତ ଜରୁରୀ ମନେହୁଏ। ଯେପରିକି ଅନ୍ୟ କାହାକୁ ଦୋଷ ନ ଦେଇ ନିଜେ ପିଲାଙ୍କୁ ମାତୃଭାଷା ଶିକ୍ଷା ଦେବା ଆରମ୍ଭ କରିବାକୁ ହେବ। ସେ ଅନିଚ୍ଛା ପ୍ରକାଶ କଲେ ତା’କୁ ଗପ, ଗୀତ, ଚିତ୍ରର ସାହାଯ୍ୟ ନେବାକୁ ହେବ। ଖାଇବା କିମ୍ୱା ଶୋଇବା ବେଳେ ପିଲାକୁ ଓଡ଼ିଆରେ ଗପଟିଏ କହିବା ଏବଂ ତା’କୁ ନିଜ ମନରୁ ଗପଟିଏ ତିଆରି କରିବାକୁ ଉତ୍ସାହିତ କରିବାକୁ ହେବ। ପିଲାଙ୍କ ସହ ପିଲାମନ ନେଇ, ପିଲାଙ୍କ ଭଳି ବ୍ୟବହାର କରି ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ହେବ। ଧୀରେ ଧୀରେ ଏହାର ବ୍ୟବହାର, ବ୍ୟାକରଣଗତ ଦିଗ ଉପରେ ଧ୍ୟାନ ଦେଲେ ପିଲାମାନେ ସ୍ୱତଃ ଏହାକୁ ଭଲପାଇ ବସିବେ।

ଧରିନିଆଯାଉ ପିଲାଟି ଓଡ଼ିଆ ପ୍ରତି ଆଗ୍ରହୀ ହେଉନି କି ଓଡ଼ିଆ ପଢ଼଼ି ପାରୁନି। ତା’କୁ ଇଂରାଜୀ କିମ୍ୱା ହିନ୍ଦୀ ଗପ ବହିଟିଏ ଦେଇ ତା’ର ଅନୁବାଦ କରି ପଢ଼଼ିବାକୁ କୁହାଯାଇପାରେ। ଏହା ଯଦିଓ ସମୟସାପେକ୍ଷ, ଏହାଦ୍ୱାରା ପିଲାଟି ସୃଜନଶୀଳ ହେବା ସହିତ ନିଜ ଭାଷାରେ ଗପଟି ବୁଝି ଆନନ୍ଦିତ ହେବ। ମାତୃଭାଷାକୁ ଯଥେଷ୍ଟ ସମ୍ମାନ ଦେଉଥିବା ଅର୍ଥାତ ସମାନ ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କୁ ନେଇ ସମୟ ସମୟରେ ଏକାଠି ମାତୃଭାଷା ଉପରେ ଆଲୋଚନା କରିବାକୁ ହେବ। ଯାହା ପିଲା ଏକୁଟିଆ କରିବାକୁ ଭଲ ପାଏନି, ସାଙ୍ଗସାଥୀ ମେଳରେ କିମ୍ୱା ସାମୂହିକ ଭାବରେ ଶିକ୍ଷାଗ୍ରହଣ କଲେ ତାହା ଅଧିକ ଫଳପ୍ରଦ ହୋଇଥାଏ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଧିକରୁ ଅଧିକ ଓଡ଼ିଆ ଭାଷାର ବ୍ୟବହାର ହିଁ ମାତୃଭାଷା ପ୍ରୀତି ଜାଗ୍ରତ କରିବ। ନିଜ ମାତୃଭାଷାରେ ଗଭୀର ଜ୍ଞାନ ପିଲାଙ୍କୁ ଜୀବନରେ ବହୁତ କିଛି ଉପଲବ୍ଧି ଆଣିବାରେ ସାହାଯ୍ୟ କରେ। ମାତୃଭାଷା ପ୍ରଦତ୍ତ ପ୍ରତିଟି ବିଷୟ ତା’କୁ ଆଜୀବନ ରୁଦ୍ଧିମନ୍ତ କରେ। ଦେଖିବାକୁ ଗଲେ ମାତୃଭାଷା ହିଁ ବ୍ୟକ୍ତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ। ଯେପର୍ଯ୍ୟନ୍ତ ଆମେ ଓଡ଼ିଆକୁ ଜ୍ଞାନର ଭାଷା, ରୋଜଗାରର ଭାଷା, ଗୌରବର ଭାଷା ବୋଲି ମାନି ନେଇନାହୁଁ, ସେ ପର୍ଯ୍ୟନ୍ତ ମାତୃଭାଷାକୁ ଆମେ ଉଚିତ ମର୍ଯ୍ୟାଦା ଦେଇନାହୁଁ ବୋଲି ଧରାଯିବ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ୱର; ମୋ: ୬୩୭୦୫୧୬୪୭୮

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର