ଘୋର ସଙ୍କଟରେ ପରିବେଶ ଓ ଜୈବବିବିଧତା; ପାରମ୍ପରିକ ଜ୍ଞାନକୌଶଳର ରକ୍ଷାକବଚ
ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପରମ୍ପରାଗତ ବିଜ୍ଞାନସମ୍ମତ ପରିବେଶ ଅନୁକୂଳ କାରିଗରୀ କୌଶଳ ପ୍ରୟୋଗର ପ୍ରାସଙ୍ଗିକତା ଗୁରୁତ୍ୱ ବହନ କରିଥାଏ। ଆମ ଦେଶରେ ପ୍ରାଚୀନ କାଳରୁ ଜଙ୍ଗଲ ଓ କୃଷି ସମ୍ପଦର ଉତ୍ପାଦନ ପାଇଁ ଜୈବିକ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱାରୋପ କରାଯାଇଆସୁଅଛି। ଏହି ପ୍ରଣାଳୀରେ ମୃତ୍ତିକାର ଉର୍ବରତା ସୁରକ୍ଷିତ ରହେ ଏବଂ ଫସଲର ଜଳବାୟୁ ନମନୀୟତା ବା ଜଳବାୟୁ ସହନୀୟ କ୍ଷମତା ବଜାୟ ରହେ। ବିଶେଷକରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଚାହିଦା […]
ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପରମ୍ପରାଗତ ବିଜ୍ଞାନସମ୍ମତ ପରିବେଶ ଅନୁକୂଳ କାରିଗରୀ କୌଶଳ ପ୍ରୟୋଗର ପ୍ରାସଙ୍ଗିକତା ଗୁରୁତ୍ୱ ବହନ କରିଥାଏ। ଆମ ଦେଶରେ ପ୍ରାଚୀନ କାଳରୁ ଜଙ୍ଗଲ ଓ କୃଷି ସମ୍ପଦର ଉତ୍ପାଦନ ପାଇଁ ଜୈବିକ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱାରୋପ କରାଯାଇଆସୁଅଛି। ଏହି ପ୍ରଣାଳୀରେ ମୃତ୍ତିକାର ଉର୍ବରତା ସୁରକ୍ଷିତ ରହେ ଏବଂ ଫସଲର ଜଳବାୟୁ ନମନୀୟତା ବା ଜଳବାୟୁ ସହନୀୟ କ୍ଷମତା ବଜାୟ ରହେ।
ବିଶେଷକରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଚାହିଦା ମେଣ୍ଟାଇବା ପାଇଁ ସୀମିତ ଜମିରେ ଅଧିକ ଫସଲ ଅମଳ ଲକ୍ଷ୍ୟ ରହିବା ହେତୁ କୃତ୍ରିମ ସାର ତଥା ହାନିକାରକ କୀଟନାଶକ ରାସାୟନିକ ଦ୍ରବ୍ୟ ପ୍ରୟୋଗ କରିବାକୁ ପଡ଼ିଲା। ଏହାକୁ କୁହାଗଲା ‘ସବୁଜ ବିପ୍ଳବ’ ଏବଂ ଏହାର ପ୍ରଣେତା ନରମାନ ବରଲୋଗ୍ ଏଥିପାଇଁ ନୋବେଲ ପୁରସ୍କାର ମଧ୍ୟ ପାଇଲେ। ଭାରତ ସମେତ ସାରା ବିଶ୍ୱର ପ୍ରାୟ ସବୁଦେଶ ଦୀର୍ଘ ସମୟଧରି ଏଭଳି ପ୍ରୟୋଗ ଜାରି ରଖିବା ଫଳରେ ଆଜି ଜମିର ଉର୍ବରତା ହ୍ରାସ ହେବାରେ ଲାଗିଛି। ପ୍ରାକୃତିକ ଭାବରେ ମୃତ୍ତିକାରେ ଯେଉଁ ଉପକାରୀ ବୀଜାଣୁ, ନୀଳ-ସବୁଜ ଶୈବାଳ ତଥା ଅନ୍ୟାନ୍ୟ ସୂକ୍ଷ୍ମ ଅଣୁ ଜୀବ ଇତ୍ୟାଦି ମହଜୁଦ୍ ଥାଆନ୍ତି ସେମାନେ ରାସାୟନିକ ସାର ଓ ବିଷାକ୍ତ କୀଟନାଶକ ପ୍ରୟୋଗ ଫଳରେ କ୍ଷତିଗ୍ରସ୍ତ ହୋଇ ବିଲୋପ ହୋଇଯାଆନ୍ତି। ଆମେରିକାର ବୈଜ୍ଞାନିକ ରାଚେଲ ଲୁଉସ୍ କାରସନଙ୍କ ‘ସାଇଲେଣ୍ଟ ସ୍ପିଙ୍ଗ’ ବହିରେ ପ୍ରାଞ୍ଜଳ ଭାବରେ ଏ ବିଷୟରେ ଉଲ୍ଲେଖ ଅଛି। ଡିଡିଟିର କୁପ୍ରଭାବ ବିଷୟରେ ସେ ସଚେତନତା ଜାଗ୍ରତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସବୁଜ ବିପ୍ଳବ’ ଆଶାର ଯେଉଁ ଆଲୋକ ସଞ୍ଚାର କରିଥିଲା ତାହା ଦ୍ୱାରା କ୍ରମଶଃ ଲାଭ ଅପେକ୍ଷା କ୍ଷତି ଅଧିକ ଘଟୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାମାନ୍ୟ ନୀତିଗତ ପରିବର୍ତ୍ତନ ଆଣିଛନ୍ତି। ସମ୍ପ୍ରତି ଚଳିତ ବର୍ଷର ବଜେଟରେ ‘ସବୁଜ ବିପ୍ଳବ’ ପାଇଁ ଶୂନ ଆବଣ୍ଟନ କରିଛନ୍ତି। ସବୁଜ ବିପ୍ଳବ ଯୁଗର ସମାପ୍ତିର ବେଳ ଏବେ ଆସିଛି ବୋଲି ଏଥିରୁ ବୁଝିବାକୁ ପଡ଼ିବ। ଅପରପକ୍ଷରେ ପ୍ରାକୃତିକ ଚାଷକୁ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ସରକାର ବର୍ତ୍ତମାନ ପଦକ୍ଷେପ ନେଇଛନ୍ତି, ଯେଉଁଥି ପାଇଁ ୨୦୨୩-୨୪ ବଜେଟ୍ରେ ୪୫୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବରାଦ ଅର୍ଥ ପ୍ରାକୃତିକ ଚାଷ ଜାତୀୟ ମିଶନ ସହଯୋଗରେ ଖର୍ଚ୍ଚ ହେବ। ଏହି ମିଶନର ଆଭିମୁଖ୍ୟ ହେଲା କୃଷି କ୍ଷେତ୍ରରେ କୌଣସି ରାସାୟନିକ ସାର କିମ୍ୱା କୀଟନାଶକ ଔଷଧ ବ୍ୟବହାର ନକରିବା। ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ରାସାୟନିକ ସାରର ବ୍ୟବହାରକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ‘ପ୍ରଧାନମନ୍ତ୍ରୀ ପ୍ରଣାମ’ ଯୋଜନାକୁ ପ୍ରାଧାନ୍ୟତା ଦେବେ ଏବଂ ବିକଳ୍ପ ସାର ତଥା ରାସାୟନିକ ସାରର ସନ୍ତୁଳିତ ବ୍ୟବହାରକୁ ପ୍ରୋତ୍ସାହିତ କରିବେ। ଏହି ଯୋଜନାରେ ଯେଉଁ ଲକ୍ଷ୍ୟ ରହିଛି ତାହା ହେଲା ରାସାୟନିକ ସାର ଉପରେ ସବସିଡି ହ୍ରାସ କରିବା, ପ୍ରାକୃତିକ ତଥା ନିରନ୍ତର କୃଷି ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଅମଳ ବୃଦ୍ଧି କରିବା। ଉଲ୍ଲେଖନୀୟ ଯେ କଟକସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ନିକଟରେ ଆୟୋଜିତ ଭାରତୀୟ ଧାନ କଂଗ୍ରେସକୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଧାନ ଚାଷ ଓ ରାସାୟନିକ ସାର ଉପରେ ନିର୍ଭରଶୀଳତାକୁ ପର୍ଯ୍ୟାୟକ୍ରମେ ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି।
କୋରାପୁଟ ଜିଲ୍ଲାରେ ପୂର୍ବେ ହଜାର ହଜାର ପ୍ରଜାତିର ଧାନ ଗଛ ଆଦିବାସୀ ମାନେ ଚିହ୍ନଟ କରିଥିଲେ ଏବଂ ସେଥିରୁ କିଛି କିସମର ଧାନ ବିହନ ରଖି ଚାଷ କରୁଥିଲେ। ବର୍ତ୍ତମାନ କେବଳ ପ୍ରାୟ ଦେଢ଼ଶହ ପ୍ରଜାତିର ମୌଳିକ ଧାନ ବିହନ ରହିଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ମିଳୁଥିବା ପରିବେଶ ସହାୟକ ବା ନମନୀୟ ପ୍ରଜାତିର ଧାନ ଭବିଷ୍ୟତ ଚାହିଦା ମେଣ୍ଟାଇବା ପାଇଁ ନିରାପଦ ରହିବ ଏବଂ ସୁରକ୍ଷା କବଚ ସାଜିବ ବୋଲି ଆଶା କରାଯାଏ। ଖାଦ୍ୟ ଚାହିଦାକୁ ମେଣ୍ଟାଇବାକୁ ହେଲେ ମୁଖ୍ୟ ଫସଲ ଧାନ ଓ ଗହମ ବ୍ୟତୀତ ଯେଉଁ ଅନେକ ଅନ୍ୟାନ୍ୟ ଉପାଦେୟ ଫସଲ ରହିଛି ସେଗୁଡ଼ିକର ଅନ୍ତର୍ନିହିତ ଶକ୍ତି ଓ ସାମର୍ଥ୍ୟକୁ ଆବିଷ୍କାର କରିବାକୁ ହେବ। ସେଥିପାଇଁ ଅଧିକତର ଗବେଷଣାର ଆବଶ୍ୟକତା ରହିଛି। ଉଦାହରଣ ସ୍ୱରୂପ ଲଘୁ ଶସ୍ୟ ଜାତୀୟ ବା ମିଲେଟ ଜାତୀୟ ଫସଲ ଯଥା ମାଣ୍ଡିଆ, ବାଜରା, ଜହ୍ନା, ସାମୁ, ଗଙ୍ଗା, କୋଦ, ରାଳ, ବାନ୍ସ ପାଲି, କାଙ୍ଗୁ, ଇତ୍ୟାଦି ଜଳବାୟୁ ନମନୀୟ ଫସଲ।
ପୂର୍ବେ ମିଲେଟର ଚାହିଦା କିଛି ନ ଥିଲା, ଯେହୁତୁ ଏହାର ପୁଷ୍ଟିକାରିତା ଗୁଣ ବିଷୟରେ ସାଧାରଣ ଲୋକଙ୍କ ଧାରଣା ନଥିଲା। କୋରାପୁଟ ଜିଲ୍ଲାରେ ଅବସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏମ୍ ଏସ୍ ସ୍ୱାମୀନାଥନ ଫାଉଣ୍ଡେସନ ଗବେଷଣା କେନ୍ଦ୍ରର ଆଞ୍ଚଳିକ ଶାଖାର ମିଳିତ ଉଦ୍ୟମରେ ଉଚ୍ଚ ଉତ୍ପାଦନକ୍ଷମ ଦେଶୀ ବା ପାରମ୍ପରିକ ମାଣ୍ଡିଆ ବିହନ ଆବିଷ୍କୃତ ହୋଇଛି ଯାହାକି ଆଧୁନିକ ସଙ୍କରଜାତୀୟ ମାଣ୍ଡିଆଠାରୁ ଆହୁରି ଅଧିକତର ଉତ୍ପାଦନକ୍ଷମ ଅଟେ। ଏଗୁଡ଼ିକ ଭାଲୁ, ଲଡୁ, ତେଲୁଗୁ, ବଡ଼, ଦଶେରା ନାମରେ ପରିଚିତ। ସେଠାରେ ବର୍ତ୍ତମାନ ସୁଦ୍ଧା ୩୩ ପ୍ରଜାତିର ମାଣ୍ଡିଆ ଚିହ୍ନଟ ହୋଇସାରିଛି। ପୁଷ୍ଟିକର ଖାଦ୍ୟ ଓ ନିରାପତ୍ତାର କ୍ରମବର୍ଦ୍ଧିଷ୍ଣୁ ଆହ୍ୱାନର ମୁକାବିଲା ଲାଗି ୨୦୨୩ ମସିହାକୁ ଜାତିସଂଘ ସାଧାରଣ ଆସେମ୍ବ୍ଳି ‘ଆନ୍ତର୍ଜାତିକ ମିଲେଟ ବର୍ଷ’ ଭାବରେ ପାଳନ କରୁଛି। ଆମ ଦେଶରେ ୨୦୧୮ ବର୍ଷକୁ ‘ମିଲେଟ ବର୍ଷ’ ଭାବରେ ପାଳନ କରା ହୋଇଥିବାବେଳେ ଓଡ଼ିଶା ସରକାର ଗତ ନଭେମ୍ୱର ୧୦ ତାରିଖ(ଦ୍ୱିତୀୟ ଗୁରୁବାର)କୁ ‘ମାଣ୍ଡିଆ ଦିବସ’ ରୂପେ ପାଳନ କରିଛନ୍ତି।
ସାମୁଦ୍ରିକ ତଟ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଭାରୀ ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରତିଷ୍ଠା ଓ ବେନିୟମ ଚିଙ୍ଗୁଡ଼ି ଚାଷ ଯୋଗୁଁ ଉପକାରୀ ଉପକୂଳବର୍ତ୍ତୀ ଲୁଣା ଜଙ୍ଗଲ ତଥା ଆର୍ଦ୍ରଭୂମି ପ୍ରଭୂତ କ୍ଷତି ସହୁଛି। ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୩ଟି ସବୁଦିନିଆ ବନ୍ଦର କାର୍ୟ୍ୟକ୍ଷମ ହୋଇଥିଲା ବେଳେ ଆହୁରି ୧୧ଟି ବନ୍ଦର ନିର୍ମାଣ ହେବାର ଅଛି। ଏହାଦ୍ୱାରା ଉପକୂଳ ପରିସଂସ୍ଥା ଓ ପରିବେଶ ପ୍ରଭାବିତ ହୋଇପାରେ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ବିକାଶ ସହିତ ସାମୁଦ୍ରିକ କଇଁଛ, ସାମୁଦ୍ରିକ କୁମ୍ଭୀର, ନୀଳରକ୍ତ କଙ୍କଡ଼ା, ବିବିଧ ପ୍ରକାରର ମାଛ, ଚିଙ୍ଗୁଡ଼ି, ଅସଂଖ୍ୟ ସାମୁଦ୍ରିକ ଉଦ୍ଭିଦ ତଥା ପ୍ରାଣୀ, ଲୁଣା ଜଙ୍ଗଲ ଇତ୍ୟାଦିର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ। ଅନିୟନ୍ତ୍ରିତ ବିକାଶ ତଥା ଅର୍ଥନୈତିକ କାର୍ଯ୍ୟକ୍ରମର ବିପରିୀତ ପ୍ରଭାବକୁ ହୃଦୟଙ୍ଗମ କରି ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ବଜେଟରେ ଯେଉଁ ‘ମିଷ୍ଟି’ ଯୋଜନା ପ୍ରଣୟନ କରିବାର ପ୍ରସ୍ତାବ ରହିଛି ତାହା ହେଲା ସମୁଦ୍ର ତଟ ଅଞ୍ଚଳରେ ବ୍ୟାପକ ଲୁଣା ଜଙ୍ଗଲ ସୃଷ୍ଟି କରିବା। ଏହା ଏମ୍ନରେଗା, କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଯୋଜନା ତଥା ଅନ୍ୟାନ୍ୟ ସଂସ୍ଥା ସହାୟତାରେ ରୂପାୟନ କରାଯିବ। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ସେହିପରି ବେଙ୍ଗାଲୁରୁ ସ୍ଥିତ ‘ଫାଉଣ୍ଡେସନ ଫର ରିଭାଇଟାଲାଇଜେସନ ଅଫ ଲୋକାଲ ହେଲଥ୍ ଟ୍ରାଡିସନସ୍ ଦ୍ୱାରା ତଥା ଜାତିସଂଘ ବିକାଶ କାର୍ଯ୍ୟକ୍ରମର ପୃଷ୍ଠପୋଷକତାରେ ୨୦୦୭ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ କର୍ମଶାଳାରେ ୪୧ ଟି ଔଷଧୀୟ ଉଦ୍ଭିଦ ଚିହ୍ନଟ ହୋଇଥିଲା, ଯାହାକି ଜାତିସଂଘର ବିଲୋପୋନ୍ନୁଖୀ ତାଲିକା(ରେଡ୍ ସେଡ୍ୟୁଲ୍)ରେ ସ୍ଥାନ ପାଇସାରିଛି। ଏଥିରୁ ଦୁଇଟି ଉଦ୍ଭିଦ ଯଥା ଅଶୋକ ଓ ଲୋଧ ଥିଲା ଉଦ୍ବେଗଜନକ ଭାବେ ବିଲୋପୋନ୍ମୁଖ। ପାତାଳଗରୁଡ଼ ସମେତ ୧୩ଟି ଉଦ୍ଭିଦ ଥିଲା ବିଲୋପୋନ୍ମୁଖ ଏବଂ ନାଗେଶ୍ୱର, ବରୁଣ, ଅର୍ଗୁଣା ସମେତ ଆଉ ୨୬ଟି ଉଦ୍ଭିଦ ଅସୁରକ୍ଷିତ ବର୍ଗରେ ଥିବା ଜଣାପଡ଼ିଥିଲା। ଦିନ ଥିଲା ଯେତେବେଳେ ଏହି ସବୁ ଉଦ୍ଭିଦ ବ୍ୟାପକ ଭାବରେ ଦୃଶ୍ୟମାନ ହେଉଥିଲା। ମାନବୀୟ ଚାପ ଫଳରେ ସେସବୁ ବିରଳ ତାଲିକାରେ ସାମିଲ୍ ହୋଇସାରିଲେଣି। ଯଦି ଏଭଳି ପରିବେଶ ବିରୋଧୀ ଗତାନୁଗତିକ ଧାରା ଜାରି ରହେ ତେବେ ଭବିଷ୍ୟତରେ ଆହୁରି ଅନେକ ଏଭଳି ଉପାଦେୟ ବୃକ୍ଷ, ଲତା, ଗୁଳ୍ମ ସଙ୍କଟ ତାଲିକାଭୁକ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।
ପାହାଡ଼ ଅଞ୍ଚଳ, ସମୁଦ୍ର, ନଦୀ, ନାଳ, ଜଙ୍ଗଲ ଇତ୍ୟାଦି ହେଉଛି ବିବିଧ ପ୍ରକାର ପ୍ରାଣୀ, ଉଦ୍ଭିଦ ତଥା ସୂକ୍ଷ୍ମ ଜୀବଙ୍କ ପ୍ରାକୃତିକ ବାସସ୍ଥାନ। ଆଧୁନିକ ବିକାଶ ନାମରେ ଅବିଚାରିତ ଭାବରେ ପ୍ରାକୃତିକ ଆବାସର ଅତ୍ୟଧିକ ବ୍ୟବହାର ଯୋଗୁଁ ପରିସଂସ୍ଥା ଅଧଃପତିତ ହୋଇଚାଲିଛି। ବିଭିନ୍ନ ମାନବକୃତ କାର୍ଯ୍ୟ ଯଥା ଖଣିଖାଦାନ, ଶିଳ୍ପ ପ୍ରତିଷ୍ଠା, ସହର ତଥା ରାସ୍ତାଘାଟ ନିର୍ମାଣ, ବୃହତ ନଦୀବନ୍ଧ ଯୋଜନା, ଯାନବାହନର ବିପୁଳ ବ୍ୟବହାର, ଚାଷଜମି ସଂକୋଚନ ଇତ୍ୟାଦି ହେତୁ ପ୍ରାକୃତିକ ଓ ଭୂତାତ୍ତ୍ୱିକ ପରିବର୍ତ୍ତନମାନ ଘଟିଚାଲିଛି। ବର୍ତ୍ତମାନ ବି ସମୟ ଅଛି, ଅନ୍ତତଃପକ୍ଷେ ଯଦି ୫୦ ପ୍ରତିଶତ ପ୍ରାକୃତିକ ସାଧନର ପୁନରୁଦ୍ଧାର କରାଯାଏ ତେବେ ଜୈବବିବିଧତା ପୁନଃଥଇଥାନ ହୋଇପାରିବ। ଏହି ଆଭିମୁଖ୍ୟ ନେଇ ମିଳିତ ଜାତିସଂଘ ଦୁଇବର୍ଷ ପୂର୍ବେ ବିଶ୍ୱ ପରିବେଶ ଦିବସ ୨୦୨୧ ର ବାର୍ତ୍ତା ରଖିଥିଲେ ‘ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି।’
ମାନବ ସମାଜ ବର୍ତ୍ତମାନ ହୃଦୟଙ୍ଗମ କରିବାକୁ ଲାଗିଲେଣି ଯେ ଦୂରଦୃଷ୍ଟିହୀନ ଓ ଅପରିଣାମଦର୍ଶୀ ବିକାଶ, ପ୍ରକୃତି ଓ ପରିବେଶ ପ୍ରତି ଅବହେଳା ପ୍ରଦର୍ଶନ ଫଳରେ ପରିଣତି ସାଂଘାତିକ ହୋଇ ଉଠୁଛି। ତେଣୁ ପ୍ରାକୃତିକ ଜୈବ କୃଷି ଖାଦ୍ୟ ଗ୍ରହଣ, ସର୍ବନିମ୍ନ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳତା, ପରିବେଶଧର୍ମୀ ସରଳ ଜୀବନ ଶୈଳୀ ଅବଲମ୍ୱନ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏକ ଦୀର୍ଘସ୍ଥାୟୀ ବିକାଶ ସୁରକ୍ଷିତ ଭବିଷ୍ୟତ ପାଇଁ ପାରମ୍ପରିକ ଜ୍ଞାନକୌଶଳର ଉପଯୋଗିତା ହିଁ ସର୍ବାଦୌ ବିଜ୍ଞତାପୂର୍ଣ୍ଣ ପଦକ୍ଷେପ। ଏହା ହିଁ ହେବ ଜୈବବିବିଧତାର ସୁରକ୍ଷା କବଚ।
ଡ. ସୁନ୍ଦର ନାରାୟଣ ପାତ୍ର
ଭୁବନେଶ୍ୱର