ରମାଦେବୀ ମହିଳା ମହାବିଦ୍ୟାଳୟ ହୀରକ ଜୟନ୍ତୀ; ସମାବର୍ତ୍ତନ ଉତ୍ସବର ହୀରକ ସଂକଳ୍ପ
ମା’ ରମାଦେବୀଙ୍କ ନାମରେ ପ୍ରତିଷ୍ଠା କରାଯାଇଥିବା ରାଜଧାନୀର ପ୍ରଥମ ମହିଳା ଉଚ୍ଚଶିକ୍ଷାନୁଷ୍ଠାନ ଆଜି ତାହାର ହୀରକ ଜୟନ୍ତୀ ପାଳନ କରୁଛି। ସ୍ୱାଧୀନତା ଆନ୍ଦୋଳନରେ ମା’ ରମାଦେବୀ ସପରିବାର ଓ ସବାନ୍ଧବ ଝାସଦେବା ପରେ ସେ ଆଉ କେବେ ହୀରା, ନୀଳା, ମୋତି, ମାଣିକ, ସୁନା, ରୁପା ଆଦିର ଅଳଙ୍କାର ପିନ୍ଧି ନାହାନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ ଓ ସେ ସମୟର ଅଭିଜ୍ଞ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟିକ ଗୋପାଳ ବଲ୍ଲଭ ଦାସଙ୍କ ଝିଅ, ପୁଣି […]
ମା’ ରମାଦେବୀଙ୍କ ନାମରେ ପ୍ରତିଷ୍ଠା କରାଯାଇଥିବା ରାଜଧାନୀର ପ୍ରଥମ ମହିଳା ଉଚ୍ଚଶିକ୍ଷାନୁଷ୍ଠାନ ଆଜି ତାହାର ହୀରକ ଜୟନ୍ତୀ ପାଳନ କରୁଛି। ସ୍ୱାଧୀନତା ଆନ୍ଦୋଳନରେ ମା’ ରମାଦେବୀ ସପରିବାର ଓ ସବାନ୍ଧବ ଝାସଦେବା ପରେ ସେ ଆଉ କେବେ ହୀରା, ନୀଳା, ମୋତି, ମାଣିକ, ସୁନା, ରୁପା ଆଦିର ଅଳଙ୍କାର ପିନ୍ଧି ନାହାନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ ଓ ସେ ସମୟର ଅଭିଜ୍ଞ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟିକ ଗୋପାଳ ବଲ୍ଲଭ ଦାସଙ୍କ ଝିଅ, ପୁଣି ଜମିଦାର ତଥା ଆଗ ଧାଡ଼ିର ଓକିଲ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ରଥି ଗୋକୁଳାନନ୍ଦ ଚୌଧୁରୀଙ୍କ ସେ ବଡ଼ବୋହୂ। ପିଲାଦିନୁ ଆଭିଜାତ୍ୟ ପରିବେଶରେ ବଢ଼଼ିଥିବା ରମାଦେବୀଙ୍କର ପ୍ରଥମ ଗାନ୍ଧୀ ଦର୍ଶନ ହୋଇଥିଲା ୧୯୨୧ ମାର୍ଚ୍ଚ ମାସରେ କଟକରେ। ସେତେବେଳେ ସେ ଗାନ୍ଧୀଙ୍କୁ ସୂତା ମୋଡ଼ାଟିଏ ଦେଇ ସ୍ୱାଗତ କରିଥିଲେ। ଗାନ୍ଧୀ ଚରଖାରେ ସୂତା କାଟିବା ପୂର୍ବରୁ ରମାଦେବୀ ଏବଂ ତାଙ୍କର ମା’, ଜେଜେ ମା’ ସୂତା କାଟୁଥିଲେ। ଉଚ୍ଚ ଶିକ୍ଷା ତ ଦୂରର କଥା ବିଦ୍ୟାଳୟରେ ସାର୍ଟିଫିକେଟ ହାସଲ କରିନଥିବା ମା’ ରମାଦେବୀଙ୍କ ନାମରେ ପ୍ରଥମେ ମହିଳା କଲେଜ ଓ ପରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପଛରେ ରହିଛି ରୋଚକ ଇତିହାସ।
ବିଜୁ ପଟ୍ଟନାୟକଙ୍କ ପ୍ରଥମ ପାଳି ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜଧାନୀ ଭୁବନେଶ୍ୱରରେ ଏକ ମହିଳା କଲେଜ ସ୍ଥାପନ ଲାଗି ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହା ସାକାର ହେଲା ୧୯୬୪ ମସିହାରେ ବୀରେନ୍ ମିତ୍ରଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ। ବର୍ତ୍ତମାନର ଶ୍ରୀୟା ଟକିଜ୍ ଛକ ନିକଟରେ ଥିବା ଶ୍ରମ ବିଭାଗର ଦପ୍ତର ପରିସରରେ ଏକ ଟିଣ ଘରେ ଆରମ୍ଭ ହୋଇଥିଲା ଭୁବନେଶ୍ୱରର ପ୍ରଥମ ସରକାରୀ ମହିଳା କଲେଜ। ୧୯୬୬ ମସିହାରେ ସଦାଶିବ ତ୍ରିପାଠୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଏହି ମହିଳା କଲେଜ ୟୁନିଟ୍-୧ ସ୍ଥିତ ଏକ ପୁରୁଣା ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତରିତ ହୋଇଥିଲା। ଏହାପରେ ଏହି ଅନୁଷ୍ଠାନ ପାଇଁ ରୁପାଲି ଛକ ନିକଟରେ ୨୮ ଏକର ଜମି ଚିହ୍ନଟ କରାଗଲା। ୧୯୬୮ ସୁଦ୍ଧା ଘର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ୧୯୬୯ ନୂଆବର୍ଷରେ ସରକାରୀ ମହିଳା କଲେଜ ଅଧ୍ୟକ୍ଷାଙ୍କୁ ହସ୍ତାନ୍ତର କରାଯାଇଥିଲା। ସେତେବେଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥା’ନ୍ତି ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ଶିକ୍ଷାମନ୍ତ୍ରୀ ବନମାଳୀ ପଟ୍ଟନାୟକ। ପର୍ଯ୍ୟାୟକ୍ରମେ ମାସକ ଭିତରେ ମହିଳା କଲେଜ ୟୁନିଟ୍-୧ରୁ ଆସିଗଲା ବର୍ତ୍ତମାନର କ୍ୟାମ୍ପସ୍କୁ।
ସେତେବେଳେ ସମଗ୍ର ବିଶ୍ୱରେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ପର୍ବ ଚାଲିଥାଏ। ଏ ପରିପ୍ରେକ୍ଷୀରେ ଉକ୍ତ ସରକାରୀ ମହିଳା କଲେଜଟିକୁ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ କରିବା ପାଇଁ ମତ ପ୍ରକାଶ ପାଉଥାଏ। ବନମାଳୀ ପଟ୍ଟନାୟକ ରେଭେନ୍ସା କଲେଜ ଛାତ୍ର ଥିବାବେଳେ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ଜେଲ ଯାଇଥିଲେ। ସେ ସମୟରେ ସେ ମା’ ରମାଦେବୀ, ମାଳତୀ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଆଦିଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ। ଏକଥା ବନମାଳୀ ପଟ୍ଟନାୟକ ସ୍ୱୀକାର କରିଛନ୍ତି ଯେ ସେ ସମୟରେ ମଦ ଦୋକାନ ଆଗରେ ପିକେଟିଂ କରି ତାଙ୍କ ସମେତ ଅନେକ ଛାତ୍ର ପୁଲିସର ବେତମାଡ଼ ଖାଇଥିଲେ। ଫାଟି ଯାଇଥିବା ହାତର ପ୍ରାଥମିକ ଉପଚାର କରି ମା’ ରମାଦେବୀ ନିଜ ହାତରେ ତାଙ୍କୁ ଖୁଆଇ ଦେଉଥିଲେ। ଚୌଧୁରୀ ପରିବାରର ତ୍ୟାଗ ଅଭୂତପୂର୍ବ। ଏ ପରିପ୍ରେକ୍ଷୀରେ ଭୁବନେଶ୍ୱରର ସରକାରୀ ମହିଳା କଲେଜଟିକୁ ଗାନ୍ଧୀ ଶତବାର୍ଷିକୀ ବର୍ଷରେ ମା’ ରମାଦେବୀଙ୍କ ନାମରେ ନାମିତ କରିବା ପାଇଁ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିନେଲେ ମୁଖ୍ୟମନ୍ତ୍ରୀ ସିଂହଦେଓ। ତେବେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପ୍ରଥମେ ରମାଦେବୀ ଅଗ୍ରାହ୍ୟ କରିଦେଇଥିବାବେଳେ ସମସ୍ତଙ୍କ ଅତି ଆଗ୍ରହ ଓ ଅନୁରୋଧକ୍ରମେ ବହୁକଷ୍ଟରେ ସମ୍ମତି ପ୍ରଦାନ କରିଥିଲେ। ୧୯୬୯ ଫେବୃୟାରୀ ମାସରେ ଏହି ମହିଳା ଶିକ୍ଷାନୁଷ୍ଠାନ ‘ରମାଦେବୀ ମହିଳା ମହାବିଦ୍ୟାଳୟ’ ଭାବେ ଘୋଷିତ ହେଲା।
ଓଡ଼ିଶାରେ ନାରୀ ଶିକ୍ଷା ପାଇଁ ରାଧାନାଥ ରାୟ ଓ ଉତ୍କଳ ଗୌରବ ମଧୁସୂଦନ କଟକ ନଗରକୁ ପ୍ରୟୋଗଶାଳା କରି ଛୋଟ ଛୋଟ ଝିଅମାନଙ୍କୁ ନେଇ ବାଳିକା ବିଦ୍ୟାଳୟ ଆରମ୍ଭ କରାଇଥିଲେ। ପରବର୍ତ୍ତୀ ସମୟରେ ଏହି ବାଳିକା ବିଦ୍ୟାଳୟ କଟକ ମହିଳା କଲେଜରେ ରୂପାନ୍ତରିତ ହୋଇଥିଲା। ଏ କ୍ଷେତ୍ରରେ ମଧୁବାବୁଙ୍କ ପାଳିତା କନ୍ୟା ଶୈଳବାଳାଙ୍କର ପ୍ରଶଂସନୀୟ ଭୂମିକା ରହିଥିଲା। କଟକ ସ୍ଥିତ ମଧୁବାବୁଙ୍କ ଘର ଓ ତତ୍ସଂଲଗ୍ନ ଜାଗାବାଡ଼ି ସବୁକୁ ଶୈଳବାଳା ରାଜ୍ୟ ସରକାରଙ୍କ ହାତରେ ଟେକି ଦେଇଥିଲେ ମହିଳା କଲେଜ ପାଇଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସେତେବେଳର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏହି ଦାନ ଗ୍ରହଣ କରିବା ସହ ଉକ୍ତ ଶିକ୍ଷାନୁଷ୍ଠାନର ନାମ ‘ଶୈଳବାଳା ମହିଳା କଲେଜ’ ରହିବ ବୋଲି ଘୋଷଣା କରିଥିଲେ। ଶୈଳବାଳା ମଧୁବାବୁଙ୍କ ପାଳିତା କନ୍ୟା ହୋଇଥିବାବେଳେ ରମାଦେବୀ ମଧୁବାବୁଙ୍କ ନିଜ ଝିଆରୀ। ଏହି ଦୁଇ ଭଉଣୀଙ୍କ ନାମରେ ଦୁଇଟି ମହିଳା କଲେଜ କଟକ ଓ ଭୁବନେଶ୍ୱରରେ ଅନେକ କୀର୍ତ୍ତସ୍ତମ୍ଭ ସ୍ଥାପନ କରିଛନ୍ତି।
ଇତିମଧ୍ୟରେ ରମାଦେବୀ ମହିଳା କଲେଜ ତାହାର ରୌପ୍ୟ ଓ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରି ସାରିଥିବାବେଳେ ଏବେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବର୍ଷ ତାହାର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ମଧ୍ୟ ପାଳନ କରୁଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଉଛନ୍ତି ଏହି ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଛାତ୍ରୀ ତଥା ବର୍ତ୍ତମାନର ଆମ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ୧୯୯୫ରେ ଏହି ମହିଳା କଲେଜରେ ସ୍ନାତକୋତ୍ତର ବିଭାଗ ଖୋଲିଥିଲା ଏବଂ ୧୯୯୯ରେ ଏହାକୁ ସ୍ୱୟଂଶାସିତ ମର୍ଯ୍ୟାଦା ମିଳିଥିଲା। ୨୦୦୪ ଓ ୨୦୧୫ରେ ନ୍ୟାକ୍ ‘ଏ’ ଗ୍ରେଡ୍ ମିଳିଥିବାବେଳେ ୨୦୧୦ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏହାକୁ ସିପିଇ ଷ୍ଟାଟସ୍ ଦେଇଥିଲା। ୨୦୧୫ରେ ରାଷ୍ଟ୍ରୀୟ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଯୋଜନାରେ ଏହି ମହାବିଦ୍ୟାଳୟ ଉନ୍ନୀତ ହୋଇଥିଲା ମହିଳା ବିଶ୍ୱବିଦ୍ୟାଳୟକୁ। ୨୦୧୫ ଡିସେମ୍ବର ୩ ତାରିଖ ମା’ ରମାଦେବୀଙ୍କ ଜନ୍ମତିଥି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଓଡ଼ିଶାର ଏହି ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟକୁ ଉଦ୍ଘାଟନ କରିଥିଲେ। ରାଜ୍ୟର ୯ଟି ଜିଲ୍ଲାର ଅନ୍ୟୂନ ୪୮ଟି ମହିଳା କଲେଜ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ। ଏଠାରେ ୨୮ଟି ବିଷୟରେ ସ୍ନାତକ, ୨୧ଟିରେ ସ୍ନାତକୋତ୍ତର ଓ ୧୩ଟି ବିଷୟରେ ପିଏଚ୍ଡି ପାଠ୍ୟକ୍ରମ ରହିଥିବାବେଳେ ଏହି ଗୌରବାବହ ଶିକ୍ଷାନୁଷ୍ଠାନଟି ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ମର୍ଯ୍ୟାଦା ମଧ୍ୟ ହାସଲ କରିଛି। ୬୦ବର୍ଷ ମଧ୍ୟରେ ରମାଦେବୀ କଲେଜ ଓ ବିଶ୍ୱବିଦ୍ୟାଳୟ ବହୁ ଘାତପ୍ରତିଘାତର ସାମ୍ନା କରିଛି। ଏହି ଦୀର୍ଘ ଯାତ୍ରା ମଧ୍ୟରେ ବହୁ କୃତୀଛାତ୍ରୀଙ୍କୁ ସୃଷ୍ଟି କରିଛି, ଯେଉଁମାନେ ରାଜନୀତି, ପ୍ରଶାସନ, ଅଧ୍ୟାପନା, ସମାଜସେବା, କଳା, ସଂସ୍କୃତି, ସାହିତ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ସଫଳତାର ପାଦଚିହ୍ନ ରଖିଛନ୍ତି।
ବିଦ୍ୟାଳୟର ସାର୍ଟିଫିକେଟ ହାସଲ କରିନଥିବା ମା’ ରମାଦେବୀ ଥିଲେ ସେବା, ସଂଗ୍ରାମ, ସାଧନା, ସମର୍ପଣର ପ୍ରତୀକ। ଦେଶ ପାଇଁ ସେ ବାରମ୍ବାର କାରାବରଣ କରିଛନ୍ତି। ଓଡ଼ିଶାରେ ନାରୀ ଜାଗରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଭୂଦାନ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସାରା ଦେଶରେ ସକ୍ରିୟ ନେତୃତ୍ୱ ଦେଇଛନ୍ତି। ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରିଥିବା ଏହି ସାଧିକା କେବେ କ୍ଷମତା ରାଜନୀତିରେ ପଶିନଥିଲେ। ତାଙ୍କ ଉପରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସମ୍ମାନ ସୂଚକ ଡି.ଲିଟ୍. ଓ ଯମୁନାଲାଲ୍ ବଜାଜ୍ ଫାଉଣ୍ଡେସନ ଭଳି ସଂସ୍ଥାମାନେ ପ୍ରଶଂସା ଓ ପୁରସ୍କାରମାନ ଅଜାଡ଼ି ଦେଇଥିଲେ ବି ମା’ ରମାଦେବୀ ଏଗୁଡିକୁ ଅତି ତୁଚ୍ଛ ମଣି ନିଜ ନାଁ ପୂର୍ବରୁ କେବେ ‘ଡକ୍ଟର’ ଲେଖି ନାହାନ୍ତି। ଏକ ତଟରକ୍ଷୀ ଜାହାଜକୁ ତାଙ୍କ ନାମରେ କେନ୍ଦ୍ର ସରକାର ନାମିତ କରିଥିବାବେଳେ ସ୍ମାରକୀ ଡାକ ଟିକଟ ବି ପ୍ରଣୟନ କରିଛନ୍ତି। ଏମିତି ତାଲିକା ଢେର ଲମ୍ବା।
ମା’ ରମାଦେବୀ ମାତ୍ର ୨୧ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସଦେବା ବେଳକୁ ଓଡ଼ିଶାରେ ନାରୀ ଶିକ୍ଷାର କ୍ଷେତ୍ର ଅତି ସୀମିତ ଥିଲା। ସେ ସମୟରେ ଆଇନ ପଢ଼଼ିଲେ ବି ଝିଅମାନେ ବିଚାରପତି ହେବା ତ ଦୂରର କଥା ଓକିଲାତି ଲାଇସେନ୍ସ ମଧ୍ୟ ପାଉନଥିଲେ। ୧୯୨୧ରେ କଟକରେ ଅନୁଷ୍ଠିତ ଗାନ୍ଧିଜୀଙ୍କ ମହିଳା ସଭାରେ ୪୦ଜଣ ନାରୀ ବି ନଥିଲେ। ସ୍ୱାଧୀନତାର ୭୫ବର୍ଷ ମଧ୍ୟରେ ଆମ ଦେଶର ଅନେକ ପ୍ରଗତି ହୋଇଛି। ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କୁ ପଛରେ ପକାଉଥିଲେ ବି ଆମ ଦେଶରୁ ଲିଙ୍ଗଗତ ବୈଷମ୍ୟ ଦୂର ହୋଇନାହିଁ। ଗାନ୍ଧୀ ଓ ରମାଦେବୀ ଆଦିଙ୍କ ବିଚାଚରୁ ଦୂରେଇ ଯାଇଥିବାରୁ ଦେଶ ଉପରେ ପ୍ରାୟ ୧୫୫ଲକ୍ଷ କୋଟି ଟଙ୍କାର ଋଣ ଚାପ ଥିବାବେଳେ ବେକାରୀ ଓ ବେରୋଜଗାରୀ ଆମ ଦେଶ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି। ସ୍ୱଦେଶୀ, ସ୍ୱାବଲମ୍ବନ ଓ ସ୍ୱାଭିମାନକୁ ବଳିଦେବା ଫଳରେ ଦେଶର ବାଣିଜ୍ୟିକ ନିଅଣ୍ଟ ପରିମାଣ ବଢ଼଼ି ବଢ଼଼ି ଚାଲିଛି। ଆମ ଦେଶର ବହୁ କୃତୀ ସନ୍ତାନ ଏଠାରେ କାମ କରିବାର ସୁଯୋଗ ନପାଇ ବିଦେଶକୁ ସମୃଦ୍ଧ କରୁଛନ୍ତି। ଧନୀ ଦରିଦ୍ରଙ୍କ ମଧ୍ୟରେ ବୈଷମ୍ୟ ବିଶେଷ ଦୂର ହୋଇନାହିଁ। ଜାତିଆଣ ଓ ସାମ୍ପ୍ରଦାୟିକ ସମସ୍ୟାରେ ଆମେ ଘାଣ୍ଟି ହେଉଛୁ। ପ୍ରଗତିର ଶିଖର ଛୁଇଁ ୫ ଟ୍ରିଲିୟନ୍ ଅର୍ଥନୀତି ଆଡ଼କୁ ଦେଶ ମୁହାଁଉଛି ବୋଲି କୁହାଯାଉଥିବାବେଳେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ୧୨୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୧ରେ ରହିଛି। ପୁଷ୍ଟିହୀନତା, ରକ୍ତହୀନତା, ଚିକିତ୍ସା ଅଭାବ ଦୂରୀକରଣ ଆଦି ଆମର ପ୍ରମୁଖ ଆହ୍ୱାନ ହୋଇଛି। ମାନବୀୟ ବିକାଶ ସୂଚକାଙ୍କରେ ବିଶ୍ୱର ୧୯୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୨ରେ ଥିବା କଥା ୟୁଏନ୍ଡିପି ରିପୋର୍ଟ କହୁଛି। ବିଶ୍ୱଶାନ୍ତି ସୂଚକାଙ୍କ ଓ ଅସମାନତା ସୂଚକାଙ୍କରେ ବି ଆମ ଦେଶର ସ୍ଥାନ ଢେର ତଳେ।
ଏଭଳି ସ୍ଥିତିରେ ସତ୍ଶିକ୍ଷା ମାଧ୍ୟମରେ ସତ୍ଚରିତ୍ର ସମ୍ପନ୍ନ ଛାତ୍ରଛାତ୍ରୀମାନେ ଦେଶ ଆଗରେ ଉଭା ହୋଇଥିବା ସମସ୍ୟାର ପାହାଡ଼କୁ ଟପି ପୁଣି ଆମ ଦେଶକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ ବୋଲି ମା’ ରମାଦେବୀଙ୍କ ସମେତ ଅନ୍ୟ ସ୍ୱାଧୀନତା ସଂଗ୍ରାମମାନଙ୍କ ଆତ୍ମା ଏବେ ସତେଯେମିତି ଡାକି ଡାକି କହୁଛି। ଗାନ୍ଧୀ ଆଦର୍ଶର ଏକାଦଶ ବ୍ରତରେ ବ୍ରତୀ ହୋଇ ଏହାକୁୁ ଗ୍ରହଣ କରିବା ହେଉ ଏହି ଉଚ୍ଚ ଶିକ୍ଷାନୁୁଷ୍ଠାନର ହୀରକ ଜୟନ୍ତୀ ବର୍ଷରେ ‘ରମାଦେବୀଙ୍କ ହୀରା’ମାନଙ୍କ ଲାଗି ଆହ୍ୱାନ।
ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫