ମନୋରଞ୍ଜନ
ଓଡ଼ିଶା
Union Budget 2026: ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ୫୩,୪୭,୩୧୫ କୋଟିର ବଜେଟ
ନୂଆଦିଲ୍ଲୀ: ବୈଶ୍ୱିକ ଅସ୍ଥିରତା, ରପ୍ତାନୀ ହ୍ରାସ, ଦରଦାମ ବୃଦ୍ଧି, ନିଯୁକ୍ତି ଅନିଶ୍ଚିତତା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଭାରତକୁ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ସହିତ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ମଳା ତାଙ୍କ ନୂଆ ବଜେଟରେ ୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବ୍ୟୟ ଅଟକଳ ରଖିଛନ୍ତି। ବଜେଟରେ ରାଜସ୍ବ ଆୟ ୩୫ ଲକ୍ଷ ୩୩ ହଜାର ୧୫୦ କୋଟି ରହିଥିବା ବେଳେ ବିତ୍ତୀୟ ନିଅଣ୍ଟ ପରିମାଣ ୧୬ ଲକ୍ଷ ୯୫ ହଜାର ୭୬୮ କୋଟି ଥିବା ଦର୍ଶାଯାଇଛି।
ଏନ୍ଡିଏ ସରକାରଙ୍କ ତୃତୀୟ ତଥା ନିର୍ମଳାଙ୍କ ଏହି ୯ମ ବଜେଟ୍ ଉପରେ ସାରା ବିଶ୍ୱର ଧ୍ୟାନ ନିବଦ୍ଧ ରହିଥିଲା। ଆମେରିକା ସହ ବାଣିଜ୍ୟିକ ଉତ୍ତେଜନାଜନିତ ଚାପ ଓ ୟୁରୋପୀୟ ୟୁନିୟନ ସହ ବାଣିଜ୍ୟ ବୁଝାମଣା ଜନିତ ଆଶ୍ୱସ୍ତି ମଧ୍ୟରେ ଉପସ୍ଥାପନ ହୋଇଥିବା ଏହି ବଜେଟ ଉପରେ ଭାରତୀୟ ରପ୍ତାନୀକାରୀ, ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବା ବ୍ୟବସାୟୀ ଗୋଷ୍ଠୀ, ଦେଶର ଟିକସଦାତା ମଧ୍ୟବିତ୍ତ ଏବଂ ଆର୍ଥିକ ଚାପଗ୍ରସ୍ତ ସାଧାରଣଜନତା ଅନେକ କିଛି ଆଶା ରଖିଥିଲେ। ମାତ୍ର ଏହି ବଜେଟ ପ୍ରାୟ ସବୁ ବର୍ଗକୁ ନିରାଶ କରିଛି। ଆୟକର ରିଆତି, ନିଯୁକ୍ତି ସୃଷ୍ଟି, ଦରଦାମ ହ୍ରାସ ସମ୍ପର୍କରେ ବଜେଟ୍ରେ ସେପରି କିଛି ଯୋଜନା ନାହିଁ। ଅର୍ଥମନ୍ତ୍ରୀ ତାଙ୍କର ୮୫ ମିନିଟର ବଜେଟ୍ ଅଭିଭାଷଣରେ ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ବିଶେଷକରି ଦେଶ ଚଳାଇବା ପାଇଁ ସରକାର ଋଣ ଉପରେ ବେଶି ନିର୍ଭରଶୀଳ ହୋଇଛନ୍ତି। ବଜେଟ ୨୦୨୬-୨୭ ଅନୁଯାୟୀ ସରକାର ଚଳିତ ବର୍ଷ ଦେଶ ଚଳାଇବା ପାଇଁ ଆବଶ୍ୟକ ଅର୍ଥର ୨୪% ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଆୟକରରୁ ୨୧%, କର୍ପୋରେଟ ଟିକସରୁ ୧୮% ଓ ଅନ୍ୟାନ୍ୟ ଟିକସରୁ ୧୫ ପଇସା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଅନ୍ୟପକ୍ଷରେ ବ୍ୟୟ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ନିମନ୍ତେ ଟିକସ ଅଂଶ ବାବଦରେ ୨୨% ବ୍ୟୟ କରିବେ। ଋଣ ଓ ସୁଧ ବାବଦରେ ୨୦%, କେନ୍ଦ୍ରୀୟ ଯୋଜନା ବାବଦରେ ୧୭%, ପ୍ରତିରକ୍ଷା ନିମନ୍ତେ ୧୧%, କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୮%, ଅର୍ଥ କମିଶନ ଅନୁଦାନ ବାବଦରେ ୭%, ବିିଭିନ୍ନ ଯୋଜନାରେ ରିଆତି ବାବଦରେ ୬%, ସାମାଜିକ କଲ୍ୟାଣ ଯୋଜନାରେ ୨% ବ୍ୟୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ଅନ୍ୟପକ୍ଷରେ ପ୍ରତିରକ୍ଷା ବଜେଟ ବୃଦ୍ଧି ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗତବର୍ଷ ତୁଳନାରେ ପ୍ରତିରକ୍ଷା ବରାଦ ୧୫.୨% ବୃଦ୍ଧି ବଜେଟର ପ୍ରମୁଖ ଉପଲବ୍ଧି ବୋଲି କୁହାଯାଉଛି। ତେବେ ବଜେଟରେ ଉତ୍ସର୍ଗୀକୃତ ବିରଳ ଖଣିଜ (ରେୟାର ଆର୍ଥ)କରିଡର, ହାଇ-ସ୍ପିଡ୍ ରେଳ କରିଡର, ନଡ଼ିଆ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଉଲ୍ଲେଖ ଓ ଅର୍ଥମନ୍ତ୍ରୀଙ୍କ କାଞ୍ଜିଭରମ୍ ଶାଢ଼ୀକୁ ଅର୍ଥନୀତିଜ୍ଞ ଓ ଆର୍ଥିକ ସମୀକ୍ଷକମାନେ ନିର୍ବାଚନ ହେବାକୁ ଥିବା ରାଜ୍ୟ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆସାମ ନିର୍ବାଚନ ସହ ସଂଯୋଗ କରିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ବର୍ଷ ମଧ୍ୟରେ ଜୈବ ଔଷଧ ପାଇଁ ୧୦,୦୦୦ କୋଟି ଟଙ୍କାର ଆବଣ୍ଟନ ସହିତ ଜୈବ ଔଷଧ ଉପରେ ଏକ ନୀତି ପ୍ରଣୟନ କରିବାର ଯୋଜନା ଅଛି। ସେହିପରି ସରକାର ଏକ ସେମିକଣ୍ଡକ୍ଟର ମିଶନ୍ ଆରମ୍ଭ କରିବେ ଓ ଏକ ବିଶ୍ୱ-ମାନକ ଔଷଧ ନିୟାମକ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି। ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ତିନୋଟି ରାସାୟନିକ ପାର୍କ ଓ ଏକ ବଡ଼ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରିବେ। ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ ପାଇଁ ୪୦,୦୦୦ କୋଟି ଖର୍ଚ୍ଚ କରିବେ। ଦେଶର ଅଭିବୃଦ୍ଧିର ଲାଭ ପ୍ରତ୍ୟେକ ଚାଷୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଯୁବପିଢ଼ିଙ୍କ ପାଖରେ ବୋଲି ଉଲ୍ଲେଖ କରିବା ସହ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ସୁଦୃଢ଼ କରିବା ପାଇଁ ଆତ୍ମନିର୍ଭର ଭାରତ ପାଣ୍ଠିକୁ ଅତିରିକ୍ତ ୪,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଆଗାମୀ ଆର୍ଥିକ ବର୍ଷରେ ୨୦୦ ପୁରୁଣା ଶିଳ୍ପ କ୍ଲଷ୍ଟରକୁ ପୁନରୁଦ୍ଧାର କରିବା ପାଇଁ ଏକ ଯୋଜନା ପ୍ରସ୍ତାବ ଦେଇଛନ୍ତି। ଖଦି ହସ୍ତତନ୍ତକୁ ସୁଦୃଢ଼ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ବିକାଶ କରାଯିବ, ଅନ୍ୟପକ୍ଷରେ ବୈଷୟିକ ବୟନଶିଳ୍ପରେ ନିବେଶ ସହ ବଡ଼ ମେଗା ଟେକ୍ସଟାଇଲ୍ ପାର୍କ ସ୍ଥାପନ କରାଯିବ।ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗଗୁଡ଼ିକ ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକରୁ କରାଯାଉଥିବା ସମସ୍ତ କ୍ରୟ ପାଇଁ ଏକ ପ୍ଲାଟଫର୍ମ ସ୍ଥାପନ କରାଯିବ। ଆଗାମୀ ବର୍ଷଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଭାରତର ଅଭିବୃଦ୍ଧିର ପ୍ରକୃତ ଶକ୍ତି ହେବ । ଭାରତ ଆଉ କେବଳ ପ୍ରଯୁକ୍ତିବିଦ୍ୟା ଗ୍ରହଣକାରୀ ରହିବ ନାହିଁ,ଭବିଷ୍ୟତରେ ଭାରତ ଏହାର ନେତୃତ୍ୱ ନେବ। ଦେଶର ଉତ୍ପାଦନ କ୍ଷମତା ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ବଜାରରେ ଭାରତକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଛଅଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରିବେ।
ବିଜେପି ନେତୃତ୍ୱାଧୀନ ଶାସକ ଏନ୍ଡିଏ ନେତାମାନେ ବଜେଟ୍କୁ ଏକ ଶକ୍ତିଶାଳୀ ଓ ବିକଶିତ ଭାରତ ନିମନ୍ତେ ରୋଡ଼ମ୍ୟାପ ବୋଲି ବର୍ଣ୍ଣନା କରୁଥିବାବେଳେ ବିରୋଧୀ ଏହାକୁ ନିରାଶାଜନକ, ସବୁବର୍ଗକୁ ନିରାଶ କରିବା ପରି ବଜେଟ୍ ବୋଲି ଅଭିହିତ କରିଛନ୍ତି । ଦେଶର ବିକାଶ ପାଇଁ ସରକାରଙ୍କ ଧ୍ୟାନ ୩ଟି ପ୍ରସଙ୍ଗ ‘ଗତି’, ‘କ୍ଷମତା’ ଓ ‘ସମୂହ’ ଉପରେ କେନ୍ଦ୍ରୀତ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉତ୍ପାଦକତା ବୃଦ୍ଧି କରି ଆର୍ଥିକ ଅଭିବୃଦ୍ଧିର ଗତିକୁ ତ୍ୱରାନ୍ୱିତ କରିବା, ଦେଶର ବିକାଶରେ ଅଂଶୀଦାର ହେବା ପାଇଁ ଲୋକଙ୍କ କ୍ଷମତା ବିକାଶ କରିବା, ଦେଶର ପ୍ରତ୍ୟେକ ପରିବାର ଓ ଅଞ୍ଚଳର ପର୍ଯ୍ୟାପ୍ତ ସମ୍ବଳ ଏବଂ ରୋଜଗାର ପାଇଁ ସୁଯୋଗ ସୃଷ୍ଟି ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି; ମାତ୍ର ଏହା ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।





