ସରକାରଙ୍କ ନୂଆ ‘ଓଡ଼ିଶା ଇଭି ପଲିସି’ : ବର୍ଷକରେ ଇଭି ହେବ ଆମ୍ବୁଲାନ୍ସ ଓ ପିସିଆର୍
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଉଭୟ ଦୁଇ ଚକିଆ ଓ ୪ ଚକିଆ ଇଭି ଯାନ କିଣା ପାଇଁ ବିନା ସୁଧ ଋଣ ସାଙ୍ଗକୁ ରିଆତି ମଧ୍ୟ ପ୍ରଦାନ କରାଯାଉଛି। ଏହାସତ୍ତ୍ବେ ରାଜ୍ୟରେ ଇଭି ବ୍ୟବହାରରେ ଆଗ୍ରହ ବଢ଼ୁ ନାହିଁ। ୪ ବର୍ଷରେ ୨୦% ଇଭି ଲକ୍ଷ୍ୟ ଏବେ ୯%ରେ ସୀମିତ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବୈଦ୍ୟୁତିକ ଯାନ ଚଳାଚଳ ବୃଦ୍ଧି ନିମନ୍ତେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ‘ଓଡ଼ିଶା ଇଭି ପଲିସୀ-୨୦୨୫’ ଚିଠା […]
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଉଭୟ ଦୁଇ ଚକିଆ ଓ ୪ ଚକିଆ ଇଭି ଯାନ କିଣା ପାଇଁ ବିନା ସୁଧ ଋଣ ସାଙ୍ଗକୁ ରିଆତି ମଧ୍ୟ ପ୍ରଦାନ କରାଯାଉଛି। ଏହାସତ୍ତ୍ବେ ରାଜ୍ୟରେ ଇଭି ବ୍ୟବହାରରେ ଆଗ୍ରହ ବଢ଼ୁ ନାହିଁ। ୪ ବର୍ଷରେ ୨୦% ଇଭି ଲକ୍ଷ୍ୟ ଏବେ ୯%ରେ ସୀମିତ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବୈଦ୍ୟୁତିକ ଯାନ ଚଳାଚଳ ବୃଦ୍ଧି ନିମନ୍ତେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ‘ଓଡ଼ିଶା ଇଭି ପଲିସୀ-୨୦୨୫’ ଚିଠା ବିଜ୍ଞପ୍ତି ପ୍ରସ୍ତୁତ କରିଛି। ଚିଠା ବିଜ୍ଞପ୍ତି ଅନୁସାରେ ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟର ଗାଡ଼ି ସଂଖ୍ୟା ମଧ୍ୟରୁ ୫୦ ପ୍ରତିଶତ ଇଭି ଚଳପ୍ରଚଳ କରିବ।
୨୦୩୬ ଅର୍ଥାତ ଓଡ଼ିଶାକୁ ଶହେ ବର୍ଷ ବେଳକୁ ଏହି ସଂଖ୍ୟା ୭୦ ଓ ୨୦୪୭ ସୁଦ୍ଧା ମୋଟ୍ ଗାଡ଼ିର ୮୦ ପ୍ରତିଶତ ଇଭି ରହିଥିବ ବୋଲି ଏଥିରେ ଦର୍ଶାଯାଇଛି। ନୂତନ ନୀତିରେ ୨ ଚକିଆ ଇଭି ଗାଡ଼ି ପାଇଁ ସର୍ବାଧିକ ୨୦ ହଜାର ଟଙ୍କା, ୩ ଚକିଆ ପାଇଁ ୩୦ ହଜାର ଓ ୪ ଚକିଆ ଗାଡ଼ି ପାଇଁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ପ୍ରଦାନ କରାଯିବ। ଏହା ସହିତ ବୈଦ୍ୟୁତିକ ବସ୍, ପରିବହନ ସେବା ପାଇଁ ଗାଡ଼ି ଓ ଟ୍ରକ୍ ଓ ଇଭି ଆମ୍ବୁଲାନ୍ସ ଇତ୍ୟାଦି ପାଇଁ ମଧ୍ୟ ଉତ୍ସାହଜନକ ଭାବେ ରିଆତି ଦିଆଯିବ।
ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ ହେଉଥିବା ଗାଡ଼ି ଗୁଡ଼ିକୁ ଇଭି ଗାଡ଼ିରେ ପରିବର୍ତ୍ତନ କରାଯିବ। ସେହିପରି ରାଜ୍ୟର ସବୁ ସହରାଞ୍ଚଳରେ ପୌର ସଂସ୍ଥାଗୁଡ଼ିକ ଅଳିଆ ସଂଗ୍ରହ ଗାଡ଼ି ଓ ସେବାରେ ନିୟୋଜିତ ଗାଡ଼ି ଗୁଡ଼ିକୁ ଇଭିରେ ପରିବର୍ତ୍ତନ କରିବେ। ରାଜ୍ୟର ସମସ୍ତ ପାର୍କ, ପର୍ଯ୍ୟଟନ କ୍ଷେତ୍ର, ପିକ୍ନିକ୍ ସ୍ପଟ୍ ଆଦିରେ ସଲଟ୍ ସେବାରେ ବ୍ୟବହୃତ ଗାଡ଼ି ଓ ଡଙ୍ଗାକୁ ସୌରଚାଳିତ ବା ଇଭିରେ ରୂପାନ୍ତରିତ କରାଯିବ। ଏଥିପାଇଁ ୧୨ ମାସ ସମୟ ନିଆଯିବ । ଅନୁରୂପ ଭାବରେ ବର୍ଷେ ମଧ୍ୟରେ ସମସ୍ତ ସ୍କୁଲ୍ କଲେଜ୍ରେ ଚାଲୁଥିବା ବସ୍, ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଚାଲୁଥିବା ଆମ୍ବୁଲାନ୍ସ ଓ ପୁଲିସ ପିସିଆର ଗୁଡ଼ିକ ମଧ୍ୟ ଇଭିରେ ରୂପାନ୍ତରିତ ହେବ। ଏଥିପାଇଁ ରାଜ୍ୟରେ ବ୍ୟାଟେରୀ ସ୍ୱାପିଂ କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ବ୍ୟବସ୍ଥା କରାଯିବା ସହିତ ୩୦୦ ନୂଆ ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବ ଏଥିପାଇଁ ୫ ଲକ୍ଷ ଟଙ୍କା ରିଆତି ବ୍ୟବସ୍ଥା ହୋଇଛି। ପ୍ରକାଶିତ ଏହି ଚିଠି ବିଜ୍ଞପ୍ତିକୁ ନେଇ ଗୋଟିଏ ମାସ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଏହା ପରେ ବିଭାଗ ପକ୍ଷରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।





