ମନୋରଞ୍ଜନ
ଓଡ଼ିଶା
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ: ବୁଲିବାକୁ ଯାଇଥିବା ଓଡ଼ିଆ ଦମ୍ପତି ନିଖୋଜ
ଭୁବନେଶ୍ୱର: ନେପାଳରେ ବନ୍ୟାର ତାଣ୍ଡବ । ଭୟଙ୍କର ବନ୍ୟା ପରେ ନେପାଳରେ ହାହାକାର ସୃଷ୍ଟି ହୋଇଛି। ଏପର୍ୟ୍ୟନ୍ତ ନେପାଳ ବନ୍ୟାରେ ୧୬୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଶହ ଶହ ଲୋକ ନିଖୋଜ ଅଛନ୍ତି। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ବର୍ଷା ଯୋଗୁଁ ସେଠାକୁ ଛୁଟି କାଟିବାକୁ ଯାଇଥିବା ଓଡ଼ିଆ ଦମ୍ପତି ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସେମାନଙ୍କ ପରିବାର ଲୋକେ ଗଭୀର ଚିନ୍ତାରେ ଅଛନ୍ତି। ନିଖୋଜ ଦମ୍ପତି ହେଲେ ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତି ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ବସବାସ କରୁଥିଲେ। ଗତ ଅଗଷ୍ଟ ୨୨ ତାରିଖରେ ସେମାନେ ଅଷ୍ଟ୍ରେଲିଆରୁ ନେପାଳର ରାଜଧାନୀ କାଠମାଣ୍ଡୁ ବୁଲିବାକୁ ଯାଇଥିଲେ। ତେବେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରେ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ। ଗତକାଲିଠାରୁ ସେମାନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି। ଶେଷ ଥର ପାଇଁ ସେମାନଙ୍କ ଲୋକେସନ୍ ନେପାଳର ଇମିଗ୍ରେସନ୍ ଅଫିସ୍ (Immigration Office) ନିକଟରେ ଥିବା ରେକର୍ଡ କରାଯାଇଛି।
ନିଖୋଜ ଦମ୍ପତିଙ୍କ ଘର ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡିଛି। ନୋଡାଲ୍ ଅଫିସର ପ୍ରୀତିଶ ପଣ୍ଡାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଏହି ନିଖୋଜ ଓଡ଼ିଆ ଦମ୍ପତିଙ୍କୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ ନେପାଳରେ ଉଦ୍ଧାର ଏବଂ ଖୋଜାଖୋଜି କାର୍ଯ୍ୟ ଜୋରସୋରରେ ଚାଲିଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ପରିବାର ଲୋକେ ନିଜ ପିଲାମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।






