ମନୋରଞ୍ଜନ
ଓଡ଼ିଶା
'ସାମ୍ବାଦିକ ଜନ ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ': ‘ସକାଳ’ ଜୟପୁର ସଂସ୍କରଣର ବନ୍ଧୁମିଳନରେ ଅଧ୍ୟକ୍ଷ ମାନସଙ୍କ ଆହ୍ବାନ
କୋରାପୁଟ: ନନ୍ଦପୁର ବ୍ଲକ୍ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଛି ‘ସକାଳ’ ଜୟପୁର ସଂସ୍କରଣର ବନ୍ଧୁମିଳନ କାର୍ଯ୍ୟକ୍ରମ। ସଂସ୍କରଣ ମୁଖ୍ୟ ରାକେଶ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗ ଦେଇ ଜନ ସମସ୍ୟା ସମ୍ବଳିତ ତଥ୍ୟ ଭିତ୍ତିକ ଖବରକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଲୋକଙ୍କ ନିକଟରେ ସୁସ୍ଥ ଓ ନିରପେକ୍ଷ ଖବର ପହଞ୍ଚାଇବା ପାଇଁ ୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ‘ସକାଳ’ର ଜୟପୁର ସଂସ୍କରଣ। ଯେଉଁ ଲକ୍ଷ୍ୟ ନେଇ ସେତେବେଳେ ଜୟପୁର ସଂସ୍କରଣ ଆରମ୍ଭ କରାଯାଇଥିଲା, ତାହା ଆଜି ସଫଳ ହୋଇଛି । ମିଛ ଓ ପ୍ରୋପାଗଣ୍ଡାମୂଳକ ଖବର ଠାରୁ ଦୂରେଇ ରହି ସତ୍ୟ ଓ ସାମୂହିକ ସମସ୍ୟା ଭିତ୍ତିକ ଖବର ପ୍ରସାରଣ ପାଇଁ ‘ସକାଳ’ ପ୍ରତିନିଧି ମାନଙ୍କୁ ଶ୍ରୀ ମଙ୍ଗରାଜ ପରାମର୍ଶ ଦେଇଛନ୍ତି। ଏହା ସହ ଆଗାମୀ ଦିନରେ ‘ସକାଳ’ ଖବରକାଗଜ ଯେଭଳି ଅଧିକ ଲୋକପ୍ରିୟ ହେବ ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ପ୍ରତିନିଧି ମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ନିମନ୍ତେ ଉତ୍ତରୀୟ ଓ ପ୍ରଶଂସାପତ୍ର ପ୍ରଦାନ କରି ଶ୍ରୀ ମଙ୍ଗରାଜ ସମ୍ମାନିତ କରିଛନ୍ତି।। ‘ସକାଳ’ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁବ୍ରତ ଦାସ ନିଜ ଅଭିଭାଷଣରେ ସମର୍ପିତ କାର୍ଯ୍ୟ ପାଇଁ ଜୟପୁର ସଂସ୍କରଣରେ କାର୍ଯ୍ୟରତ ସମସ୍ତ ସହଯୋଗୀଙ୍କୁ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଜିଲ୍ଲା ଓ ବ୍ଲକ୍ ପ୍ରତିନିଧିମାନେ ଯୋଗ ଦେଇଥିଲେ ।





