ବିଶ୍ୱ ବଜାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ‘କୋରାପୁଟ କଫି’

The Sakala Picture
Published On

(ସୁବୋଧ କୁମାର ଚେଟ୍ଟୀ): ପୃଥିବୀର ଶତକଡ଼ା ୭୫ ଭାଗ ଲୋକେ ଚା’ କିମ୍ବା କଫି ପିଇ ଥାଆନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ଚା’ ପାଇଁ ଆସାମ ଯେପରି ନାଁ କରିଛି କଫି କ୍ଷେତ୍ରରେ ବର୍ତ୍ତମାନ କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ କୋରାପୁଟ କଫିର ଚାହିଦା ଦିନକୁ ଦିନ ବିଦେଶରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୫୦୦ ହେକ୍ଟର ଜମିରେ ସରକାରୀ ଅନୁଦାନରେ ଆଦିବାସୀ କଫିଚାଷ କରି ସ୍ୱାବଲମ୍ବୀ […]

(ସୁବୋଧ କୁମାର ଚେଟ୍ଟୀ): ପୃଥିବୀର ଶତକଡ଼ା ୭୫ ଭାଗ ଲୋକେ ଚା’ କିମ୍ବା କଫି ପିଇ ଥାଆନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ଚା’ ପାଇଁ ଆସାମ ଯେପରି ନାଁ କରିଛି କଫି କ୍ଷେତ୍ରରେ ବର୍ତ୍ତମାନ କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ କୋରାପୁଟ କଫିର ଚାହିଦା ଦିନକୁ ଦିନ ବିଦେଶରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୫୦୦ ହେକ୍ଟର ଜମିରେ ସରକାରୀ ଅନୁଦାନରେ ଆଦିବାସୀ କଫିଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବାବେଳେ ୨୦୦୦ ହେକ୍ଟର ଜମିରେ ଘରୋଇ ଉଦ୍ୟୋଗୀ ନିଜସ୍ୱ ପୁଞ୍ଜିରେ କଫିଚାଷ କରି ନିଜେ ସ୍ୱବଲମ୍ବୀ ହେବା ସହ ଜିଲ୍ଲାର ହଜାର ହଜାର ଲୋକଙ୍କୁ ରୋଜଗାର ଦେଇ ପାରିଛନ୍ତି। ବିଦେଶ ବଜାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୋରାପୁଟ କଫି ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

କୋରାପୁଟ ଜିଲ୍ଲାରେ ପ୍ରଥମେ ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ ୧୯୩୦ରେ ଜୟପୁର ରାଜ ପରିବାର କଫିଚାଷ ଆରମ୍ଭ କରିଥିବା ନେଇ ପ୍ରମାଣ ରହିଛି। ଜୟପୁର ରାଜ ପରିବାର ସେତେବେଳେ ଜୟପୁର-ଲମତାପୁଟ ରାସ୍ତାରେ ଥିବା ପେଟାଘାଟିରେ କଫିଚାଷ କରିଥିବା କୁହାଯାଏ। ଜୟପୁର ରାଜ ପରିବାରଙ୍କ କଫିଚାଷ ହିଁ କୋରାପୁଟରେ କଫିଚାଷର ମୂଳଦୂଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ପରବର୍ତ୍ତୀ ସମୟରେ ଲମତାପୁଟ ବ୍ଲକର ଅନକାଡେଲିରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହେବା ପରେ ଜଳଭଣ୍ଡାର ଚାରିପାଖେ ଥିବା ଜମିର ସୁରକ୍ଷା ପାଇଁ ରାଜ୍ୟ ସରକାର ସେତେବେଳେ ଅନକାଡେଲି, ମାଛକୁଣ୍ଡ, ଜଲାପୁଟ, ଚାଟୁଆ, ନନ୍ଦପୁର, ପାଡୁଆ ଅଞ୍ଚଳରେ ଆରମ୍ଭ କରିଥିଲେ ରିଭର୍ଭ୍ୟାଲି ପ୍ରୋଜେକ୍ଟ। ଉକ୍ତ ପ୍ରୋଜେକ୍ଟ ଅନୁଯାୟୀ ରାଜ୍ୟ ସରକାର ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ୧୯୬୦ରେ ପ୍ରାୟ ଦୁଇହଜାର ଏକର ଜମିରେ ଛାୟାବୃକ୍ଷ ରୋପଣ ଏବଂ କଫିଚାଷ ଆରମ୍ଭ କରିଥିଲେ। ଫଳରେ ଜଳଭଣ୍ଡାର ଅଞ୍ଚଳର ମୃତ୍ତିକା ସଂରକ୍ଷଣ ହେବା ସହ ସେହି ଅଞ୍ଚଳର ଗରିବ ଲୋକଙ୍କ ପାଇଁ ରୋଜଗାରର ପନ୍ଥା ମିଳିପାରିଲା। କଫିଚାଷ କରା ଯାଇଥିବା ଉକ୍ତ ଜମି ପରିବାର ପିଛା ୨ ଏକର ହିସାବରେ ଗରିବଙ୍କୁ ସରକାର ଦେଇଛନ୍ତି, ଯାହାକି ଆଜିମଧ୍ୟ ସେମାନଙ୍କୁ ରୋଜଗାର ଦେଇ ଆସୁଛି। ଅନ୍ୟପକ୍ଷରେ ଭାରତ ସରକାରଙ୍କ କଫି ଗବେଷଣା ସଂସ୍ଥା ତଥା କଫି ବୋର୍ଡ କୋରାପୁଟ ଜିଲ୍ଲାରେ ସର୍ବେକ୍ଷଣ କରି ଏହି ଅଞ୍ଚଳର ମାଟି ଏବଂ ଜଳବାୟୁ କଫି ଚାଷ ପାଇଁ ଅନୁକୂଳ ବୋଲି ରିପୋର୍ଟ ଦେବା ପରେ ରାଜ୍ୟ ସରକାର ଜିଲ୍ଲାରେ କଫି ଚାଷ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନସ୍ଥ କଫି ଉନ୍ନୟନ ଶାଖା ଦ୍ୱାରା ଏହା କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। କୋରାପୁଟ ଜିଲ୍ଲାର ୧୦,୦୦୦ହେକ୍ଟର ଅଞ୍ଚଳ କଫିଚାଷ ପାଇଁ ଉପଯୋଗୀ ବୋଲି କଫି ଗବେଷଣା ସଂସ୍ଥା ସେତେବେଳେ ପ୍ରସ୍ତାବ ଦେଇଥିଲା। ଏହି କ୍ରମରେ ଜିଲ୍ଲାର କୋରାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର, ସେମିଳିଗୁଡ଼ା,ପଟ୍ଟାଙ୍ଗି, ନନ୍ଦପୁର,ଏବଂ ଲମତାପୁଟ ବ୍ଲକରେ କଫିଚାଷ କରିବାକୁ ବିଭାଗ ପକ୍ଷରୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

୧୯୮୦ରେ ପ୍ରଥମେ ଘରୋଇ କଫିଚାଷ
କଫିଚାଷରେ ଅଧିକ ଲାଭ ହେଉଥିବା ଦେଖି ଅନେକ ଚାଷୀ ଏବଂ ଉଦ୍ୟୋଗୀ ଘରୋଇ ମାଲିକାନାରେ କଫିଚାଷ କରି ବେଶ ସଫଳତା ପାଇଥିବା ନଜିର ରହିଛି। ୧୯୮୦ରେ କେତେକ ଯୁବ ଉଦ୍ୟୋଗୀ ଏବଂ ଚାଷୀ କଫିଚାଷ କରିବାକୁ ମନ ବଲାଇଥିଲେ। କଫିକୁ ଏକ ରାଜକୀୟ ଚାଷ ଭାବେ ଗ୍ରହଣ କରି ଅନେକ ଶିକ୍ଷିତ ଯୁବକ କଫିଚାଷ ପାଇଁ ମନ ବଳାଇଲେ। ଜଲାପୁଟ, ଅନକାଡେଲି, ଲମତାପୁଟ, ଦଶମନ୍ତପୁର, କାକିରିଗୁମା, ଦାମନଯୋଡ଼ି, ସେମିଳିଗୁଡ଼ା, ନନ୍ଦପୁର, ପାଡୁଆ ଅଞ୍ଚଳରେ ବେସରକାରୀ ଫାର୍ମ ଏବଂ ବ୍ୟକ୍ତି ବିଶେଷ ଶହଶହ ହେକ୍ଟର ଜମିରେ କଫିଚାଷ କରି ଲକ୍ଷଲକ୍ଷ ଟଙ୍କା ଆୟ କରୁଥିବାବେଳେ ଛାୟାବୃକ୍ଷ ଭାବେ ଗୋଲମରିଚ ଚାଷ କରି ସେଥିରୁ ମଧ୍ୟ ବେଶ ରୋଜଗାର କରିପାରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ଏକ ହଜାର ହେକ୍ଟର ଜମିରେ ଘରୋଇ ଭାବେ କଫିଚାଷ କରା ଯାଉଥିବାବେଳେ ସରକାରୀ ସ୍କିମରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ପାଇଁ ଦୁଇହଜାର ହେକ୍ଟର କମିରେ କଫିଚାଷ କରାଯାଉଛି। ଜିଲ୍ଲାର ପରିଚିତ କଫିଚାଷୀ ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ କହିବା ମୁତାବକ କଫିଚାଷ ହେଉଥିବା ଜମିରେ ଛାୟାବୃକ୍ଷ ଲଗାଯାଉ ଥÒବାରୁ ସେହି ଜମିରେ ଗୋଲମରିଚ ଚାଷ ମଧ୍ୟ କରା ଯାଇଥାଏ। ଏହା ଯୋଗୁଁ ଚାଷୀକୁ କଫି ସହ ଅତିରିକ୍ତ ଲାଭ ଗୋଲମରିଚ ମିଳିଥାଏ। ଏକର ପିଛା ୧୨୦୦ କଫି ଚାରା ଏବଂ ୩୦୦ ଛାୟାବୃକ୍ଷ ରୋପଣ ହୋଇଥାଏ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିବାବେଳେ ଏକର ପିଛା ଚାଷୀଙ୍କୁ ପ୍ରାୟ ୫୦-୭୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ଓ ପ୍ରତିବଦଳରେ ଚାଷୀକୁ ମିଳିଥାଏ ଏକର ପିଛା ଦେଢ଼ଲକ୍ଷରୁ ଦୁଇଲକ୍ଷ ଟଙ୍କା। ସେହିପରି କଫି ଚାଷ କୋରାପୁଟ ଜିଲ୍ଲାରେ ଅନେକ ଲୋକଙ୍କୁ ରୋଜଗାର ଦେଉଥିବାବେଳେ ଉଚଶିକ୍ଷିତ ଯୁବ ଗୋଷ୍ଠୀ ମଧ୍ୟ ଏଥିପ୍ରତି ମନ ବଲାଇଥିବା ବିଶିଷ୍ଟ କପିଚାଷୀ ଓଡିଶା କଫି ଚାଷୀ ମହାସଂଘ ଉପସଭାପତି ତଥା ବ୍ରାଉନ୍ ଭେଲ୍ଲି କଫି ଫାର୍ମର ପ୍ରତିଷ୍ଠାତା ସୁଜୟ କୁମାର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି।

ଚାଷୀଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ‘କୋରାପୁଟ ବ୍ରାଣ୍ଡ୍’
କୋରାପୁଟ କଫିଚାଷୀଙ୍କ ଦୀର୍ଘଦିନର ଦାବି ଗ୍ରହଣ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କୋରାପୁଟ କଫିର ବିକ୍ରି ନିମନ୍ତେ କୋରାପୁଟ କଫି ନାଁରେ ଏକ ବ୍ରାଣ୍ଡ୍ ସୃଷ୍ଟି କରିଛନ୍ତି। ଏହା ଜିଲ୍ଲାର କଫି ଚାଷୀଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ବୋଲି କଫିଚାଷୀ କୁହନ୍ତି। ରାଜ୍ୟର ପ୍ରମୁଖ ସହରରେ ଏବେ କୋରାପୁଟ କଫିର ବେଶ୍ ଚାହିଦା ବୃଦ୍ଧି ପାଇଥିବାବେଳେ ଆମାଜନ୍ ଅନଲାଇନ ମାର୍କେଟିଂ ସଂସ୍ଥା କୋରାପୁଟ କଫି ବିକ୍ରି କରିବା କୋରାପୁଟ ପାଇଁ ଗର୍ବର ବିଷୟ। ଅନ୍ୟପକ୍ଷରେ କଫି ବିକ୍ରି ପାଇଁ କୋରାପୁଟ କିମ୍ବା ନିକଟସ୍ଥ କୌଣସି ସହରରେ ବଜାର ନ ଥିବା ଏକ ବଡ଼ ସମସ୍ୟା। କୋରାପୁଟ ଜିଲାରେ ଉତ୍ପାଦିତ କଫି ବିଶ୍ୱ ସ୍ତରରେ ମାନ୍ୟତା ଲାଭ କରି ଥିବାରୁ ଜିଲାରେ କଫି ବ୍ୟବସାୟ ପାଇଁ ଆବଶ୍ୟକ ବଜାର ବ୍ୟବସ୍ଥା ଏବଂ କଫି ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା କରିବାକୁ କଫିଚାଷି ସଂଘ ଦାବି କରିଛି। ତେବେ ବର୍ତମାନ କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତର ଏକଡେଲ୍ଲିରେ ଏକ ପ୍ରାଇଭେଟ୍ କମ୍ପାନୀ କଫି ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନା କରିଛନ୍ତି। କିନ୍ତୁ ଉକ୍ତ କମ୍ପାନୀ କେବଳ ଟିଡିସିସି ମାଧ୍ୟମରେ ଆଦିବାସୀ ଚାଷିଙ୍କ କଫି କିଣି ପ୍ରୋସେସିଂ କରୁଥିବାରୁ ଅନ୍ୟ ବର୍ଗର ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ କଫି ଚାଷୀ ବାଧ୍ୟ ହୋଇ ନିଜସ୍ୱ ପ୍ରଚେଷ୍ଟାରେ ଛୋଟ ଛୋଟ ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନା କରିଛନ୍ତି। କଫିଚାଷୀ ନିଜେ ସ୍ୱାବଲମ୍ବୀ ହେବା ସହ ହଜାର ହଜାର ଲୋକଙ୍କୁ ରୋଜଗାର ଦେଉଛନ୍ତି, ବର୍ତ୍ତମାନ ଜିଲ୍ଲାରେ ଘରୋଇ ଉଦ୍ୟୋଗୀ ଓ ସରକାରୀ ଯୋଜନାରେ ହିତାଧିକାରୀ ଥିବା କଫିଚାଷୀ ପ୍ରାୟ ତିନି ହଜାର ହେକ୍ଟର ଜମିରେ କଫି ଚାଷ କରିଥିବାବେଳେ ସେଥିରେ ୧୦ ହଜାର ଶ୍ରମିକ କାମଧନ୍ଦା ପାଉଥିବା ଜଣାପଡ଼ିଛି।

ବିଦେଶରେ ବଢୁଛି ଚାହିଦା
କୋରାପୁଟ କଫିର ସ୍ୱାଦ, ଗୁଣବତ୍ତା ବ୍ରାଜିଲ୍ ଏବଂ କଲମ୍ବିଆରେ ଉତ୍ପାଦିତ କଫି ଠାରୁ ଭଲ ରହୁଥିବାରୁ ଆମେରିକା, ୟୁରୋପ୍, ସାଉଦି ଆରବ ଭଳି ଦେଶକୁ କୋରାପୁଟ କଫି ରପ୍ତାନି କରା ଯାଉଥିବା ଜଣା ପଡିଛି। ଟାଟା କଫି ଲିମିଟେଡ୍ କୋରାପୁଟ କଫି କିଣି ଷ୍ଟାର୍ ବକ୍ସକୁ ବିକ୍ରି କରିବା ସହ ୟୁରୋପକୁ ରପ୍ତାନି କରୁଥିବାବେଳେ ଆମେରିକାର ସାଉଥ୍ ଡାକୋଟା ସ୍ଥିତ ପ୍ୟୁର୍ ବିନସ୍ ପକ୍ଷରୁ କୋରାପୁଟ କଫି କିଣାଯାଉଛି। କିଛିମାସ ପୂର୍ବରୁ ପ୍ୟୁର୍ ବିନସ୍ ରୋଷ୍ଟର ନିକ୍ ରିଡ୍ କୋରାପୁଟର ବ୍ରାଉନ୍ଭ୍ୟାଲି କଫି ଫାର୍ମ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ସାଉଥ୍ ଡାକୋଟାରେ ଉକ୍ତ କଫିର ଚାହିଦା ଦେଖି ସେ ପ୍ରାଥମିକ ପର୍ଯ୍ୟୟରେ ୧ ମେଟ୍ରିକ୍ ଟନ୍ କଫି ରତ୍ପାନି କରିବାକୁ ବ୍ରାଉନ୍ ଭେଲି କଫି ଫାର୍ମ ମାଲିକ ସୁଜୟ କୁମାର ପ୍ରଧାନଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି। ସେହିପରି ପୁଡୁଚେରୀ ଅରୋଭିଲେର କଫି ଆଇଡିଆଜ୍ କୋରାପୁଟ କଫି କ୍ରୟ କରି ଆନ୍ୟାନ୍ୟ ଦେଶରେ ବିକ୍ରି କରୁଥିବାବେଳେ କୃତୀ କଫି ବ୍ରାଉନ୍ ଭ୍ୟାଲି ବ୍ରାଣ୍ଡରେ ଭୁବନେଶ୍ୱର ଏବଂ ମୁମ୍ବଇରେ ବିକ୍ରି କରୁଥିବା ଜଣାପଡିଛି।

ସିବେଟ୍ କଫିର ନୂଆ ପରିଚୟ
ସାରାବିଶ୍ୱରେ କୋରାପୁଟ କଫିର ଚାହିଦା ବଢୁଛି। ବିଶ୍ୱ ବଜାରରେ କୋରାପୁଟ କଫି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବର୍ତ୍ତମାନ ସମୟରେ କଫିର ହବ୍ କୋରାପୁଟ ପାଲଟିଥିବା ବେଳେ ଏକ ସମ୍ଭ୍ରାନ୍ତ ସିବେଟ କଫିକୁ ନେଇ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି କୋରାପୁଟ। ଏହି ପ୍ରକାର ଗୋଟିଏ କପ୍ କଫିର ଦାମ ରହିଛି ୩ହଜାର ୫ଶହ ଟଙ୍କା। ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ସିବେଟ କ୍ୟାଟ ମଳରୁ ତିଆରି ହେଉଥିବା ଏହି କଫି ବହୁତ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ଏହାର ସ୍ୱତନ୍ତ୍ର ଗ୍ରାହକ ରହିଛନ୍ତି। ଯାହା ଏବେ କୋରାପୁଟରେ ପ୍ରସ୍ତୁତ ହେବା ସହ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ବ୍ରାଉନ୍ ଭେଲି କଫି ବଗିଚାର ସିବେଟ କ୍ୟାଟଙ୍କ ଦ୍ବାରା ପ୍ରସ୍ତୁତ କଫି ଦେଶ ତଥା ବିଦେଶରେ ବେଶ ଚାହିଦା ରହିଛି।

ସିବେଟ କଫି କ’ଣ
ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ସିବେଟ କ୍ୟାଟ୍, କଫି ବଗିଚାରେ କଫି ଫଳକୁ ଖାଇବା ପରେ ତାର ମଳରେ ବାହାରୁଥିବା କଫି ମଞ୍ଜିରୁ ପ୍ରସ୍ତୁତ ହୋଇଥାଏ ସିବେଟ୍‌ କ୍ୟାଟ କଫି । ବହୁତ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ଏହା ବିଶ୍ବର ସବୁଠାରୁ ଦାମୀ କଫି ବୋଲି କୁହାଯାଉଛି। ପୂର୍ବରୁ ଭିଏତନାମ, ବ୍ରାଜିଲ ଓ ଇଣ୍ଡୋନେସିଆ ଭଳି କଫି ପ୍ରଧାନ ଦେଶରେ ମିଳୁଥିବା ସିବେଟ କ୍ୟାଟ କଫି ବିଶ୍ବ ଦରବାରରେ ସର୍ବୋତ୍କୃଷ୍ଟ କଫି ଭାବେ ପରିଚିତ ହୋଇଥିଲା। ମାତ୍ର କୋରାପୁଟରେ ମଧ୍ୟ ସମାନ ପ୍ରଣାଳୀରେ ସିବେଟ୍ କ୍ୟାଟ୍ କଫି ଉତ୍ପାଦନ ହୋଇ ବିଶ୍ବ ବଜାରରେ ବେଶ ଲୋକପ୍ରିୟ ହୋଇପାରିଛି। କୋରାପୁଟ ନିକଟସ୍ଥ ଛୋଟାଗୁଡ଼ାରେ ବ୍ରାଉନ୍ ଭ୍ୟାଲିରେ ଏପରି ସିବେଟ କ୍ୟାଟ୍ ଦ୍ବାରା କଫି କରାଯାଉଛି। ବଣ ଜଙ୍ଗଲରେ ରହୁଥିବା ନେଉଳ ଭଳି ଦେଖାଯାଉଥିବା ଜୀବ କଫି ବଗିଚାକୁ ଆସି ପାଚିଲା ଫଳ ଖାଇଥାନ୍ତି। ଏହାପରେ କଫି ମଞ୍ଜି ତାର ଅନ୍ତନଳୀରେ ପ୍ରାୟ ୮ ରୁ ୧୨ ଘଣ୍ଟା ସମୟ ସ୍ୱତନ୍ତ୍ର ଭାବେ ପାଚନ ପ୍ରକ୍ରିୟା ଦେଇ ଗତି କରିଥାଏ। ପରେ ଏହା ତାଙ୍କ ମଳରେ ବାହାରି ଥାଏ। ଯାହାକୁ ସ୍ବତନ୍ତ୍ର ଯନ୍ତ୍ର ଦ୍ବାରା ସଫା କରାଯାଇ ଉତ୍କୃଷ୍ଟମାନର କଫି ପ୍ରସ୍ତୁତ କରାଯାଉଛି। ଓଡ଼ିଶା ସରକାର ଏଵଂ କୋରାପୁଟ କଫି ବୋର୍ଡ ଉଭୟେ କୋରାପୁଟ କଫିକୁ ଜି ଆଇ ଟ୍ୟାଗ୍ ଦେବା ନିମନ୍ତେ କେନ୍ଦ୍ର ସରକାର ନିକଟରେ ଆବେଦନ କରିଛନ୍ତି। ଅପରପକ୍ଷେ କୋରାପୁଟ ଜିଲ୍ଲା କଫିଚାଷରେ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ କଫି ଓ ମସଲା ଜାତୀୟ ଚାଷକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କୃଷି ଉଦ୍ୟୋଗ ଘୋଷଣାକୁ ଓଡ଼ିଶା କଫିଚାଷୀ ମହାସଂଘ ସ୍ୱାଗତ କରିଛି। ଏନେଇ ରାଜ୍ୟ ମହାସଂଘ ଉପସଭାପତି ସୁଜୟ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର