ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨
ପାରାଦ୍ଵୀପ: ଜଳପଥରେ ଶତ୍ରୁଙ୍କ ମୁକାବିଲା ପାଇଁ ସଜାଗ ଓଡ଼ିଶା । ସାଗରରୁ ସ୍ଥଳଭାଗ ପର୍ଯ୍ୟନ୍ତ କଡ଼ା ପହରା। ଉପକୂଳର ସୁରକ୍ଷା ପାଇଁ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସାଗର କବଚ-୨ । ଆଜିଠାରୁ ଦୁଇ ଦିନ ଧରି ଚାଲିବ ଏହି ସମରାଭ୍ୟାସ। ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ। ଗଭୀର ସମୁଦ୍ରରେ କୋଷ୍ଟଗାର୍ଡ ମାରୁଛନ୍ତି ପଇଁତରା। ସମୁଦ୍ର କୂଳରେ ମେରାଇନ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସ୍ଥଳଭାଗରେ ଜଗି ରହିଛନ୍ତି ବିଭିନ୍ନ ବିଭାଗର ସୁରକ୍ଷା କର୍ମୀ ଓ ଅଧିକାରୀ।
ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ । ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ସମୁଦ୍ର କୂଳରେ ମତ୍ସ୍ଯ ବିଭାଗ ଓ ମେରାଇନ ପୋଲିସ ସହିତ ଅନ୍ୟ ବିଭାଗ ଗୁଡିକ ପଇଁତରା ମାରୁଛନ୍ତି ।
ଏଥିସହିତ ସ୍ଥଳଭାଗରେ ମଧ୍ୟ ବିଭିନ୍ନ ବିଭାଗ ସଜାଗ ରହିଛନ୍ତି । ୧୮ ରୁ ଉର୍ଦ୍ଧ୍ବ ବିଭାଗରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ସିଆଇଏସଏଫ, ମତ୍ସ୍ଯବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ , ବନ ବିଭାଗ, ପାରାଦ୍ଵୀପ ବନ୍ଦର, ଗୁଇନ୍ଦା ବିଭାଗ, ଓଡ୍ରାଫ, ଏନଡିଆରଏଫ ଆଦିକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି । ରେଡ୍ ଟିମ୍ ଆତଙ୍କବାଦୀଙ୍କ ବେଶରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ । ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ।






