ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ବନ୍ୟା ବିଭୀଷିକା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି, ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

Madhusudan Das Picture
Published On

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ଭୟାବହ ରୂପ ନେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବନ୍ୟା ଜନିତ ଘଟଣାରେ ମୃତ୍ୟୁସଂଖ୍ୟା ୭ କୁ ବୃଦ୍ଧି ପାଇଥିବା ବେଳେ ୫ ଜଣ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜୋରସୋରରେ ଚାଲିଛି।

ଆହୁରି ପଢ଼ନ୍ତୁ: ଦଶହରା ଉପଲକ୍ଷେ ଅକ୍ଟୋବର ୧୯ରୁ ୨୬ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କେନ୍ଦୁଝର ଜିଲ୍ଲାରେ ବନ୍ୟା ସବୁଠାରୁ ଅଧିକ କ୍ଷୟକ୍ଷତି ଘଟାଇଛି। ସରକାରୀ ସୂତ୍ର ଅନୁଯାୟୀ, କେବଳ କେନ୍ଦୁଝରରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ହରିଚନ୍ଦନପୁର ବ୍ଲକ୍ ସିଂହବିଲ୍ଲା ଗାଁର ଉର୍ମିଳା ବିଶ୍ୱାଳ ଶୋଇଥିବା ଅବସ୍ଥାରେ କାନ୍ଥ ପଡ଼ି ପ୍ରାଣ ହରାଇଛନ୍ତି। ଅନ୍ୟ ଏକ ଦୁଃଖଦ ଘଟଣାରେ ଜଳବନ୍ଦୀ ଘରୁ ପାଣି ନିଷ୍କାସନ ବେଳେ ବିଦ୍ୟୁତ୍ ଆଘାତ ଲାଗି ୨୬ ବର୍ଷୀୟା ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି। ସେହିପରି ତେଲକୋଇ ବ୍ଲକରେ ଜଣେ ମହିଳା ଓ ଜଣେ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ, ବାଂଶପାଳ ବ୍ଲକରେ ଭାସିଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ବୁଧବାର ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

ଘସିପୁରା ବ୍ଲକ୍ କେଶଦୁରାପାଳ ଗାଁର ୨୩ ବର୍ଷୀୟା ଉର୍ମିଳା ପାତ୍ର ରେମାଳ ନଦୀରେ ଭାସିଯାଇଥିବା ବେଳେ, ଫକୀରପୁରର ସଦାଶିବ ମହାନ୍ତିଙ୍କ ଗାଡ଼ି ଆନନ୍ଦପୁର ରିଙ୍ଗ୍ ରୋଡ୍ ବନ୍ଧରେ ଥିବା ଏକ ୭୦ ଫୁଟ୍ ଘାଇରେ ଖସିପଡ଼ିବା ପରେ ସେ ନିଖୋଜ ଅଛନ୍ତି। ଉଭୟଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ବନ୍ୟାଜଳ କେନ୍ଦୁଝରର ୧୩ଟି ବ୍ଲକ୍, ୫ଟି ସହରାଞ୍ଚଳର ୧୧ଟି ୱାର୍ଡ ଏବଂ ୭୩ଟି ଗାଁରେ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି। ଚମ୍ପୁଆ ଏବଂ ଆନନ୍ଦପୁର ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କାନପୁର ବୃହତ୍ ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ ହେବା ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଘରର କାନ୍ଥ ପଡ଼ି ବୁଦୁନୀ ମୁଣ୍ଡା ନାମକ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲାର ସିମିଳିଆ ଗାଁରେ ଜଣେ ଏବଂ ଜାଫରପୁରର ଅଜୟ ସାହୁ ବନ୍ୟାଜଳରେ ଭାସିଯାଇ ନିଖୋଜ ଅଛନ୍ତି। ବାଲେଶ୍ୱର ସଦର ବ୍ଲକରେ ଜଣେ ଯୁବକ ଭାସିଯାଇଥିବା ସୂଚନା ମିଳିଛି। ସେହିପରି ଭଦ୍ରକ ଜିଲ୍ଲାର ସୋଳମପୁର ଗାଁରେ ବନ୍ୟା ଯୋଗୁଁ ଜଣଙ୍କର ପ୍ରାଣହାନି ଘଟିଛି।

ଭଦ୍ରକ ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଧାମନଗର, ଭଦ୍ରକ ଏବଂ ଭଣ୍ଡାରିପୋଖରୀ ବ୍ଲକର ୭୨ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୨୨ଟି ଗାଁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯାଜପୁରରେ ବୈତରଣୀ ଏବଂ କାନୀ ନଦୀର ବନ୍ୟା ଜଳ ଯୋଗୁଁ ଦଶରଥପୁର, ଯାଜପୁର ଓ କୋରାଇ ବ୍ଲକର ୧୨୨ଟି ଗାଁ ଜଳମଗ୍ନ ହୋଇଛି। ପ୍ରାୟ ୨୫,୧୯୬ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୧,୫୬୫ ଜଣଙ୍କୁ ୩୭ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପ୍ରାୟ ୧୧,୪୯୭ ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି। ମୟୂରଭଞ୍ଜର ୨୧ଟି ବ୍ଲକ୍ରେ ବନ୍ୟା ପରିସ୍ଥିତି ଦେଖାଦେଇଛି।

ନବରଙ୍ଗପୁର ଜିଲ୍ଲାର ବେହେଡା ନିକଟରେ ଅସ୍ଥାୟୀ ପୋଲ ଉପରେ ୫ ଫୁଟ୍ ପାଣି ପ୍ରବାହିତ ହେଉଥିବାରୁ ଛତିଶଗଡ଼ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନୂଆପଡ଼ା ଜିଲ୍ଲାରେ ପାବାତୋଲା ବ୍ରିଜ୍ ଭାଙ୍ଗିଯିବାରୁ ପ୍ରାୟ ୩୦,୦୦୦ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ବନ୍ୟାଜଳ ପଶି ଏକ ପୋଲଟ୍ରି ଫାର୍ମରୁ ୩୩,୦୦୦ କୁକୁଡ଼ା ମରିଯାଇଛନ୍ତି। ବଲାଙ୍ଗୀରର ସୁକତେଲ୍ ଡ୍ୟାମ୍ର ୭ଟି ଗେଟ୍ ଖୋଲାଯାଇଥିବା ବେଳେ, ଟିଟିଲାଗଡ଼ ନିକଟସ୍ଥ ଅଣ୍ଡର ନଦୀରେ ଫସି ରହିଥିବା ୧୩ ଜଣ ଚାଷୀଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ୍ (ODRAF) ଟିମ୍ ମୁତୟନ ହୋଇଛନ୍ତି।

ସମ୍ବଲପୁରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଅନ୍ୟପଟେ ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର ଏବଂ ବରଗଡ଼ରେ ମଧ୍ୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗକୁ ଆହୁରି ବର୍ଷା ହେବାର ପୂର୍ବାନୁମାନ ଥିବାରୁ ପ୍ରଶାସନ ତରଫରୁ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ଉଦ୍ଧାର ତଥା ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର