କରଣ ଜୋହରଙ୍କ ମଜାକ ଉଡ଼ାଇବା ପଡ଼ିଲା ମହଙ୍ଗା; କ୍ୟାରିମିନାଟିଙ୍କ ଉପରେ ବର୍ଷିଲେ କୋର୍ଟ, ଶୁଣାଇଲେ ଏହି ରାୟ

Tapas Ranjan Nanda Picture
Published On

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର ଅଜୟ ନାଗର ଓରଫ କ୍ୟାରିମିନାଟିଙ୍କୁ ବଲିଉଡ ନିର୍ମାତା କରଣ ଜୋହରଙ୍କ ମଜାକ ଉଡ଼ାଇବା ମହଙ୍ଗା ପଡ଼ିଛି। କରଣ ଜୋହରଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି କରି ମୁମ୍ବାଇର ଏକ କୋର୍ଟ କ୍ୟାରିମିନାଟିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କିଛି ଦିନ ତଳେ କ୍ୟାରିମିନାଟି କରଣ ଜୋହରଙ୍କ ଚାଟ୍ ଶୋ’ 'କଫି ୱିଥ୍ କରଣ'ର ଏକ ସ୍ପୁଫ୍ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଏହି ମାମଲାର ଶୁଣାଣି ଫେବୃଆରୀ ୧୦ ତାରିଖରେ ହୋଇଥିଲା। କୋର୍ଟ କ୍ୟାରିମିନାଟିଙ୍କୁ କରଣ ଜୋହରଙ୍କ ବିରୋଧରେ କୌଣସି ମାନହାନିକାରକ କିମ୍ବା ଅପମାନଜନକ କଣ୍ଟେଣ୍ଟ ନ ବନାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଉକ୍ତ ଭିଡିଓ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ବି କରଣ ଜୋହରଙ୍କୁ ଟାର୍ଗେଟ କରାଯାଇଥିବା ଏହି ଭିଡିଓ ଉପଲବ୍ଧ ଅଛି, ସେଠାରୁ ତୁରନ୍ତ ଏହାକୁ ହଟାଇବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମୀର ଖାନ ଏବଂ ରଣବୀର କପୁରଙ୍କ ଉପରେ ମଧ୍ୟ ନଜର ରଖିଥିଲେ ସୁଟର, ଟାଇଗର ଶ୍ରଫ୍ ମାମଲାରେ ଆହୁରି ୩ ଗିରଫ

କଣ ଥିଲା ପୂରା ଘଟଣା?

କିଛି ଦିନ ପୂର୍ବରୁ କ୍ୟାରିମିନାଟି 'କଫି ୱିଥ୍ କରଣ' ଶୋ’ର ଏକ ପ୍ୟାରୋଡି ଭିଡିଓ ବନାଇଥିଲେ, ଯାହାର ନାମ ସେ 'କଫି ୱିଥ୍ ଜଲନ୍' ରଖିଥିଲେ। ଏଥିରେ ସେ କରଣ ଜୋହରଙ୍କ ନକଲ କରି ମଜାକ ଉଡ଼ାଇଥିଲେ। ଏହି ଭିଡିଓକୁ ମାନହାନିକାରକ ଦର୍ଶାଇ କରଣ ଜୋହର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାମଲାରେ କ୍ୟାରିମିନାଟିଙ୍କ ସହ ତାଙ୍କ ମ୍ୟାନେଜର ଦୀପକ ଚାର, ଗୁଗୁଲ ଏବଂ ମେଟାକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ପି.ଜି ଭୋସଲେ କହିଛନ୍ତି ଯେ, ପ୍ରାଥମିକ ଦୃଷ୍ଟିରୁ ଏହା ଜଣାପଡୁଛି ଯେ ଅଜୟ ନାଗର ଏବଂ ଦୀପକ ଚାର କରଣ ଜୋହରଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଛନ୍ତି। ଯଦିଓ କ୍ୟାରିମିନାଟିଙ୍କ ଓକିଲ କହିଛନ୍ତି ଯେ ସେମାନେ ନିଜେ ଭିଡିଓଟିକୁ ହଟାଇ ସାରିଛନ୍ତି, ତଥାପି ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp