ଅପହୃତ ଖୁସି ବନାମ ସୁଖ ସୂଚକାଙ୍କ

The Sakala Picture
Published On

ଖଟ ଅଛି, ନିଦ ନାହିଁ। ସୁଦୃଶ୍ୟ ବଙ୍ଗଳାର ବିଳାସମୟ ଶୟନକକ୍ଷ, ଲୋଭନୀୟ ସାଜସଜ୍ଜା ସମ୍ପନ୍ନ ଶୀତତାପ ନିୟନ୍ତ୍ରିତ କକ୍ଷ। ଶୟନ ପୂର୍ବରୁ ସୁଖାଦ୍ୟ। ଘରର ଅବଶିଷ୍ଟ ସବୁକିଛି ସୁବ୍ୟବସ୍ଥିତ। କିନ୍ତୁ ଗୃହକର୍ତ୍ତା ସାରାରାତି ଅନିଦ୍ରା। ରାତିରେ ବାଲକୋନିରେ ବସି ଅଥବା ଛାତ ଉପରେ ବୁଲି ନିରାଶାରେ ସମୟ କାଟିବା ଛଡ଼ା ଅନ୍ୟ ଉପାୟ ନାହିଁ। ଅଥଚ ଚଉରାଳିଶ ଡିଗ୍ରୀ ତାପମାତ୍ରାରେ ଟ୍ରାକ୍ଟର ଡାଲାର ତତଲା ଗୋଡ଼ି ଉପରେ ଶ୍ରମିକଟେ ବେଶ୍‌‌ ଅଚିନ୍ତାରେ ନିଦ୍ରାଗତ। ମୁଣ୍ଡରେ ଗାମୁଛା ଭିଡ଼ି […]

ଖଟ ଅଛି, ନିଦ ନାହିଁ। ସୁଦୃଶ୍ୟ ବଙ୍ଗଳାର ବିଳାସମୟ ଶୟନକକ୍ଷ, ଲୋଭନୀୟ ସାଜସଜ୍ଜା ସମ୍ପନ୍ନ ଶୀତତାପ ନିୟନ୍ତ୍ରିତ କକ୍ଷ। ଶୟନ ପୂର୍ବରୁ ସୁଖାଦ୍ୟ। ଘରର ଅବଶିଷ୍ଟ ସବୁକିଛି ସୁବ୍ୟବସ୍ଥିତ। କିନ୍ତୁ ଗୃହକର୍ତ୍ତା ସାରାରାତି ଅନିଦ୍ରା। ରାତିରେ ବାଲକୋନିରେ ବସି ଅଥବା ଛାତ ଉପରେ ବୁଲି ନିରାଶାରେ ସମୟ କାଟିବା ଛଡ଼ା ଅନ୍ୟ ଉପାୟ ନାହିଁ। ଅଥଚ ଚଉରାଳିଶ ଡିଗ୍ରୀ ତାପମାତ୍ରାରେ ଟ୍ରାକ୍ଟର ଡାଲାର ତତଲା ଗୋଡ଼ି ଉପରେ ଶ୍ରମିକଟେ ବେଶ୍‌‌ ଅଚିନ୍ତାରେ ନିଦ୍ରାଗତ। ମୁଣ୍ଡରେ ଗାମୁଛା ଭିଡ଼ି ନିଘୋଡ଼ ନିଦରେ ଘୁଙ୍ଗୁୁଡ଼ି ମାରୁଛି। ନିଦଟା ଏତେ ଗାଢ଼ ଯେ ହମ୍ପସ ଉପରେ ଦ୍ରୁତବେଗର ଚକ ଚଢ଼ିଲେ ବି ତା’ ନିଦ ଭାଙ୍ଗୁନି। ପରମ ଶାନ୍ତିର ନିଦ; ଅର୍ଥାତ ସୁଖନିଦ୍ରା।

ଏ ଗୃହକର୍ତ୍ତା ଜଣକ କେବଳ ଏକ ଉଦାହରଣ ମାତ୍ର। ଅଜସ୍ର ଗୃହକର୍ତ୍ତା ଏହି ବର୍ଗର ଅନ୍ତର୍ଭୁକ୍ତ। ଅର୍ଥାତ ଅନେକ ଲୋକ ଏବେ ଖୁସିରେ ନାହାନ୍ତି। ନିଜକୁ ନେଇ, ନିଜ ପରିବାରକୁ ନେଇ, ନିଜ ପରିସ୍ଥିତିକୁ ନେଇ, ନିଜ ବୃତ୍ତିକୁ ନେଇ ସନ୍ତୁଷ୍ଟ ନାହାନ୍ତି। ପରିସଂଖ୍ୟାନ କହୁଛି, ଏହି ଅଭିଜାତ ଗୃହକର୍ତ୍ତାଙ୍କ ପରି ନିଦ ହରାଉଥିବା ଲୋକଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଥିବା ବେଳେ ନିଃସ୍ୱ ଶ୍ରମିକଟି ପରି ଶାନ୍ତିରେ ଶୋଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତବେଗରେ କମିବାରେ ଲାଗିଛି। ଯୁଗ୍ମ ପରିବାର ଛାଡ଼ି ଭଲରେ ରହିବାକୁ ଏକକ ପରିବାର ବଛାଗଲା। କିନ୍ତୁ ଦେଖାଗଲା ଏହାପରେ ନିରସତା ଓ ଅସହାୟତା ବଢ଼଼ିଲା। ଭଲ ଘରଟିଏ ଥିଲା ଜୀବନର ଅନ୍ୟତମ ସର୍ବଶ୍ରେଷ୍ଠ ସ୍ୱପ୍ନ। ହେଲେ ଘର ନିର୍ମାଣ ପରେ ଆରମ୍ଭ ହୋଇଗଲା ଋଣ ସୁଝିବାର ଆଶୁଯନ୍ତ୍ରଣା। ଇଏମଆଇ ସୁଝିବାରେ ଏମିତି ବେହାଲ ଓ ବେଦମ ହେବାକୁ ପଡୁଛି ଯେ ଟିକେ ନିଜକୁ ହାଲକା କରିବାକୁ ଛାତ ଉପରକୁ ବି ଯାଇହେଉନି। ଏପରିକି ଘରେ ଗୋଟେ ବାଲକୋନି ଅଛି ବୋଲି ବି ମଣିଷ ଭୁଲିଗଲାଣି। ପିଲାଙ୍କୁ ପାଠ ପଢ଼େଇ ମଣିଷ କରିବା ଆଉ ଏକ ବଡ଼ ଅଭିଳାଷ ଥିଲା। ଅଥଚ ମୁଣ୍ଡକୁ ହାତ ପାଇଯିବା ପରେ ପିଲାମାନେ ହିଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟୁଛନ୍ତି। ଏ ସବୁ ଏବେ ପ୍ରତିଘରର କାହାଣୀ ହୋଇଯାଇଛି।

ସଦ୍ୟ ପ୍ରକାଶିତ ବିଶ୍ୱ ସୁଖ ସୂଚକାଙ୍କ (ୱାର୍ଲଡ ହାପିନେସ୍‌‌ ଇନଡେକ୍ସ-୨୦୨୫)ରେ ଭାରତ ୧୧୮ତମ ସ୍ଥାନକୁ ଖସିବା ପରେ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁଯାୟୀ ଫିନଲ୍ୟାଣ୍ଡ ସବୁଠୁ ସୁଖୀ ରାଷ୍ଟ୍ର ଓ ଆଫଗାନିସ୍ତାନ ସବୁଠୁ ଦୁଃଖୀ ରାଷ୍ଟ୍ର। ଯୁଦ୍ଧ ଜର୍ଜରିତ ଦେଶ ପାଲେଷ୍ଟାଇନ ଓ ୟୁକ୍ରେନ ତୁଳନାରେ ଭାରତ ହତାଶ ଓ ଅସନ୍ତୁଷ୍ଟ ଦେଶ। ଏପରିକି ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ବି ଆମ ଉପରେ। ଅଥଚ ଯୁଦ୍ଧ, ଅସ୍ଥିରତା, ଦୁସ୍ଥ ଅର୍ଥନୀତି, ଆତଙ୍କବାଦ ଘେରରେ ନଥାଇ ମଧ୍ୟ ଭାରତୀୟମାନେ ଖୁସି ନୁହନ୍ତି। ଏହା ଯେତିକି ବିସ୍ମୟକର ସେତିକି ଉଦ୍‌‌ବେଗଜନକ। ଏବେ ଏହାକୁ ନେଇ ବିଭିନ୍ନ ସ୍ତରରେ ଆରମ୍ଭ ହୋଇଛି ମାନସମନ୍ଥନ। କେହିକେହି ଅତ୍ୟାଧୁନିକ ଓ ବେପରୁଆ ଜୀବନଚର୍ଯ୍ୟାକୁ ଦାୟୀ କରୁଛନ୍ତି ତ କେହି କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ଓ ନିମ୍ନଗାମୀ ଅର୍ଥନୀତିକୁ କାରଣ ଦର୍ଶାଉଛନ୍ତି। ଅଳ୍ପରେ ସନ୍ତୁଷ୍ଟ ନହୋଇ ଅପହଞ୍ଚ ଉଚ୍ଚତାର ସୁଖ ପଛରେ ଧାଇଁବାକୁ ଅନେକ ଇଙ୍ଗିତ କରୁଛନ୍ତି ତ ଆଉ କିଏ ସାମାଜିକ ଅସମନ୍ୱୟତାକୁ ଦାୟୀ କରୁଛନ୍ତି। କାରଣ ଯାହା ହେଉନା କାହିଁକି, ମନସ୍ତାତ୍ତ୍ୱିକ ଶାନ୍ତି ଓ ସନ୍ତୋଷର ଯେ ଏହା ସହିତ ଖୁବ୍‌‌ ନିବିଡ଼ ସମ୍ପର୍କ ରହିଛି, ଏହାକୁ ଅସ୍ୱୀକାର କରିହେବ ନାହିଁ।

ଆମେ ଏପରି ଏକ ବ୍ୟବସ୍ଥା ଓ ମାନସିକତାରେ ବଢ଼଼ିଆସିଛୁ ଯେ ସ୍ୱର୍ଗ ଖୋଜିବା ଆମର ସ୍ୱପ୍ନ ପାଲଟିଛି। ଏହି ତଥାକଥିତ ‘ସ୍ୱର୍ଗ’ର ଅର୍ଥ ବା ମାନକ ସମ୍ପର୍କରେ କହିବା ଅନାବଶ୍ୟକ। କିନ୍ତୁ ଆମେ ବୋଧହୁଏ ଜାଣିନାହୁଁ ଯେ ପୃଥିବୀ ବାହାରେ କୌଣସି ସ୍ୱର୍ଗ ନାହିଁ କି ନର୍କ ନାହିଁ। କିନ୍ତୁ ଭବିଷ୍ୟତରେ ସ୍ୱର୍ଗ ସୁଖ ପାଇଁ ଆମେ ବର୍ତ୍ତମାନକୁ ଜରାଜୀର୍ଣ୍ଣ କରିବାକୁ ପଛାଉନାହୁଁ। ସେହିପରି ନର୍କକୁ ନ ଯିବା ପାଇଁ ଆମେ ଏତେ ଅଯଥା ଓ ଅନାବଶ୍ୟକ ସତର୍କତା ଅବଲମ୍ବନ କରୁ ଯେ ସେଥିରେ ବର୍ତ୍ତମାନଟା ଖିନଭିନ ହୋଇଯାଏ। ଅତଏବ ବାସ୍ତବତାକୁ ଗ୍ରହଣପୂର୍ବକ ବର୍ତ୍ତମାନରେ ବଞ୍ଚିବା ଜରୁରୀ। ଯାହା ପାଇଁ ନିଜକୁ ନେଇ ସନ୍ତୁଷ୍ଟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁଖ ସ୍ୱଭାବସିଦ୍ଧ। ତେଣୁ ସୁଖକୁ ଅନ୍ୱେଷଣ କରିବାକୁ ଅସ୍ୱାଭାବିକ ପନ୍ଥା ଅବଲମ୍ବନ କରିବା ନିର୍ବୋଧତା। ସୁଖ ଏକ ଅନ୍ତଃସ୍ରୋତ। ଏହାର ଉତ୍ସ ଆମ ଅନ୍ତର ଭିତରେ ରହିଛି। ଅତଏବ ଏହି ସ୍ରୋତକୁ ଆବିଷ୍କାର କରି ଧରି ରଖିବାକୁ ବାହ୍ୟ ଜଗତରେ ‘ଯୁଦ୍ଧଂଦେହୀ’ ଡାକରା ଦେଇ ଅଣନିଃଶ୍ୱାସୀ ହେବା ମଧ୍ୟ ଅନୁଚିତ।

ଜୀବନରେ ଦୁଃଖର ଯେପରି ଭାବେ କାରଣ ଖୋଜାଯାଉଛି, ସୁଖର ବି ଗୋଟେ ଉପାୟ ଚିନ୍ତା କରାଯାଉ। ଜୀବନରେ ଦୁଃଖ ଆସିବ। କେହି ଏହାକୁ ରୋକିପାରିବେନି। ଏହା ଜୀବନର ଏକ ଅବିଛେଦ୍ୟ ଅଙ୍ଗ। କିନ୍ତୁ ସୁଖ ଯେବେ ଆସୁଛି, ତା’କୁ ଖୋଲିବାରେ କାର୍ପଣ୍ୟ କରା ନଯାଉ। ଏଇ କଥାଟି ଜୀବନ ତନ୍ତ୍ର ହେବା ଆବଶ୍ୟକ।

ଆମେ ସମସ୍ତେ ସମ୍ପ୍ରତି ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛୁ, ତାହା ହେଲା ଜୀବନ ଏବେ ‘ଲାଇଫ’ ପାଲଟିଛି। ଆମେ ଆଉ ଜୀବନ ବଞ୍ଚୁନାହୁଁ, ବରଂ ଲାଇଫଟିଏ କାଟୁଛୁ। ଆମେ ସେଇ ଜୀବନ ବଞ୍ଚୁନାହୁଁ, ଯାହା ଆମ ଈପସିତ ଅଭିଳାଷିତ କଳ୍ପନାର ଜୀବନ ଥିଲା। ଏବେ ଆମେ ଯେଉଁ ଲାଇଫ୍‌‌ କାଟୁଛୁ, ତାହା ନା ସୁଖ ଦେଉଛି ନା ଶାନ୍ତି। ଯେଉଁ ସନ୍ତୋଷ ମିଳୁଛି, ଏଇ ଭାଗ ଟିକକ ଅତି ନଗଣ୍ୟ। ଏତେ କମ୍‌‌ ରୋଜଗାରରେ ଚଳି ହେଉନି। ରୋଗ, ବୈରାଗ, ଅଫିସ, ପରିବାର ସବୁକୁ ସନ୍ତୁଷ୍ଟ କରିହେଉନି। ଆଉ କିଛି ‘ଅଧିକ’ କରିବା ଆବଶ୍ୟକ। ସେଇ ‘ଅଧିକ’ କରିବା ଚକ୍କରରେ ପେଶି ହୋଇଯାଉଛି ମଣିଷ। ୟା’ପରେ ଏଇଟା ଦରକାର, ତା’ପରେ ସେଇଟା ଦରକାର। ଏଇ ‘ଦରକାର’ ହିଁ ଆମ ସୁଖକୁ ଅପହରଣ କରିନେଉଛି। ଯାହା ନାହିଁ ତା’ ପଛରେ ଧାଉଁଛି ମଣିଷ। ଯାହା ଅଛି, ତା’କୁ ନେଇ ଖୁସି ହୋଇପାରୁନି। ଅର୍ଥାତ ଲକ୍ଷେଟଙ୍କିଆ ଖଟ କିଣିବାକୁ ଯାଇ ନିଦ ହରାଉଛି। ବିଶ୍ୱ ସୁଖ ସୂଚକାଙ୍କ ପ୍ରକାଶ ପରେ ଅଧିକାଂଶ ଭାରତୀୟଙ୍କ ଜନଜୀବନରୁ କ୍ରମଶଃ ଅପହରଣ ହୋଇଯାଉଥିବା ଖୁସି ବିଷୟରେ ଗୁରୁତର ସହ ଚିନ୍ତା କରିବା ସମସ୍ତଙ୍କ କର୍ତ୍ତବ୍ୟ ନୁହେଁ କି ?

ପାର୍ଥସାରଥୀ ରାଉତ
ଭୁବନେଶ୍ୱର, ମୋ: ୯୪୩୮୨୯୦୪୯୧

27 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର