ଚେତନା: ଏକ ଅନୁତ୍ତରିତ ପ୍ରଶ୍ନବାଚୀ
୧୯୯୮ ମସିହାରେ ‘ଆସୋସିଏସନ୍ ଫର୍ ଦି ସାଇଣ୍ଟିଫିିକ୍ ଷ୍ଟଡି ଅଫ୍ କନ୍ସସ୍ନେସ୍ (ଏଏସ୍ଏସ୍ସି)’ର ଏକ ସମ୍ମିଳନୀରେ ସ୍ନାୟୁବିଜ୍ଞାନୀ (ନ୍ୟୁରୋସାଇଣ୍ଟିଷ୍ଟ) ‘କ୍ରିଷ୍ଟୋଫ୍ କୋକ୍’ ବିଜ୍ଞାନୀ ଦାର୍ଶନିକ ‘ଡେଭିଡ୍ ଚାମଜ୍’ଙ୍କ ସହ ଗୋଟିଏ ବାଜି ଲଗାଇଥିଲେ। କଗ୍ନିଟିଭ୍ ବା ସଜ୍ଞାନାତ୍ମକ ବିଜ୍ଞାନରେ ଗଭୀର ରୁଚି ରଖିଥିବା କୋକ୍ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ଖୁବ୍ ଶୀଘ୍ର ନ୍ୟୁରୋସାଇନ୍ସ ଚଳାଇଥିବା ପରୀକ୍ଷା ନିରୀକ୍ଷାରୁ ସ୍ପଷ୍ଟ ହୋଇଯିବ ଯେ ଚେତନା ବା ଆତ୍ମାନୁଭୁତି ଓ ସେଥିରୁ ସୃଷ୍ଟି ହେଉଥିବା ‘ମୁଁ’ ତ୍ୱ […]
୧୯୯୮ ମସିହାରେ ‘ଆସୋସିଏସନ୍ ଫର୍ ଦି ସାଇଣ୍ଟିଫିିକ୍ ଷ୍ଟଡି ଅଫ୍ କନ୍ସସ୍ନେସ୍ (ଏଏସ୍ଏସ୍ସି)’ର ଏକ ସମ୍ମିଳନୀରେ ସ୍ନାୟୁବିଜ୍ଞାନୀ (ନ୍ୟୁରୋସାଇଣ୍ଟିଷ୍ଟ) ‘କ୍ରିଷ୍ଟୋଫ୍ କୋକ୍’ ବିଜ୍ଞାନୀ ଦାର୍ଶନିକ ‘ଡେଭିଡ୍ ଚାମଜ୍’ଙ୍କ ସହ ଗୋଟିଏ ବାଜି ଲଗାଇଥିଲେ। କଗ୍ନିଟିଭ୍ ବା ସଜ୍ଞାନାତ୍ମକ ବିଜ୍ଞାନରେ ଗଭୀର ରୁଚି ରଖିଥିବା କୋକ୍ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ଖୁବ୍ ଶୀଘ୍ର ନ୍ୟୁରୋସାଇନ୍ସ ଚଳାଇଥିବା ପରୀକ୍ଷା ନିରୀକ୍ଷାରୁ ସ୍ପଷ୍ଟ ହୋଇଯିବ ଯେ ଚେତନା ବା ଆତ୍ମାନୁଭୁତି ଓ ସେଥିରୁ ସୃଷ୍ଟି ହେଉଥିବା ‘ମୁଁ’ ତ୍ୱ ବା ମମତ୍ୱବୋଧ ମୂଳରେ ରହିଛି ମଣିଷର ମସ୍ତିଷ୍କରେ ଥିବା କୋଟି କୋଟି ନିଉରନ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଚାଲିଥିବା ପାରସ୍ପରିକ କ୍ରିୟା ପ୍ରତିକ୍ରିୟା। ସେ ବିଶ୍ୱାସ କରୁଥିଲେ ଯେ କନ୍ସସ୍ନେସ୍ ବ୍ୟାପାରଟି ସମ୍ପୂର୍ଣ୍ଣ ଏକ ଭୌତିକ ବ୍ୟାପାର ଏବଂ ସେଥିପାଇଁ ଏହା ମିଜରେବଲ୍ ବା ପରିମାପ ଯୋଗ୍ୟ। କିନ୍ତୁ ବିଜ୍ଞାନୀ-ଦାର୍ଶନିକ ଚାମଜ୍, ଯିଏ ବହୁ ପୂର୍ବରୁ କନ୍ସସ୍ନେସ୍କୁ ଏକ କଠିନତମ ସମସ୍ୟା ବୋଲି କହି ପଦାର୍ଥ ବିଜ୍ଞାନୀମାନଙ୍କୁ ସତର୍କ କରାଇ ଦେଇଥିଲେ, ସିଏ କୋକ୍ଙ୍କ ସହ ଏକମତ ହୋଇ ନଥିଲେ। ତେଣୁ କୋକ୍ ଯେତେବେଳେ ୧୯୯୮ ମସିହାର ସେ ସମ୍ମିଳନୀରେ କହିଲେ ଯେ ଆଉ ମାତ୍ର ୨୫ ବର୍ଷ ପରେ ବିଜ୍ଞାନ ନିଉରନ୍ମାନଙ୍କ ପାରସ୍ପରିକ ସମ୍ବନ୍ଧ ଓ କ୍ରିୟା ପ୍ରତିକ୍ରିୟାରୁ କିପରି ଚେତନା ତଥା ବ୍ୟକ୍ତିକୈନ୍ଦ୍ରିକ ଅନୁଭୂତି ସୃଷ୍ଟି ହୁଏ ତାହା ପ୍ରମାଣିତ କରିଦେବ, ଡେଭିଡ ଚାମଜ୍ ସ୍ୱାଭାବିକ ଭାବରେ ତାଙ୍କ ସହ ଅସହମତ ହେଲେ। ଜିଦ୍ବଶତଃ ହେଉ ବା ତୁଚ୍ଛା କୌତୁକବଶତଃ ହେଉ, କୋକ୍ ସିଧା ସିଧା ବାଜିଟିଏ ଲଗାଇ ଦେଇ ଘୋଷଣା କରିଦେଲେ ଯେ ଯଦି ୨୦୨୩ ମସିହା ସୁଦ୍ଧା ତାଙ୍କ କଥା ସତ୍ୟ ନ ହୁଏ, ତେବେ ସେ ଚାମଜ୍ଙ୍କୁ ଏକ ପେଟି ଦୁର୍ମୁଲ୍ୟ ମଦ୍ୟ ଦେବେ।
କୋକ୍ ମହାଶୟ ତାଙ୍କ ବାଜିଟି ଅବଶ୍ୟ ହାରିଗଲେ ଓ ଅଗତ୍ୟା ଡେଭିଡ ଚାମଜଙ୍କୁ ବାଜି ମୁତାବକ ଏକ ପେଟିକା ମଦ୍ୟ ପ୍ରଦାନ କରିବାକୁ ବାଧ୍ୟ ହେଲେ ୨୦୨୩ ମସିହାର ଏସ୍.ଏସ୍.ଏସ.ସି ବୈଠକରେ, ଅନେକ ଦିଗ୍ଗଜ ବୈଜ୍ଞାନିକ ଓ ସ୍ନାୟୁବିଜ୍ଞାନୀମାନଙ୍କ ଉପସ୍ଥିତିରେ। ତେବେ ମଜାର କଥା ହେଉଛି, ‘କୋକ୍ ଚାମଜ୍’ଙ୍କୁ ପୁନଶ୍ଚ ଆହ୍ୱାନ ଦେଲା ଭଳି ସ୍ୱରରେ ସେ କହିଲେ ଯେ ତାଙ୍କୁ ଆଉ ଗୋଟିଏ ‘୨୫ ବର୍ଷର’ ଅବଧି ଦିଆଗଲେ, ଅର୍ଥାତ୍ ୨୦୪୮ ମସିହାରେ ସେ ନ୍ୟୁରୋସାଇନ୍ସ ସୌଜନ୍ୟରୁ ପ୍ରାପ୍ତ ହୋଇଥିବା ତଥ୍ୟ ଉପସ୍ଥାପନ କରି ପ୍ରମାଣିତ କରିଦେବେ ଯେ ଚେତନା ସୃଷ୍ଟି ହୁଏ ମସ୍ତିଷ୍କର ନିଉରନ୍ମାନଙ୍କ ନେଟ୍ୱାର୍କରୁ, ଅନ୍ୟଥା ନୁହେଁ। କୋକ୍ଙ୍କ ଏଇ ଅନୁରୋଧ ବା ଆହ୍ୱାନକୁ ଚାମଜ୍ ଗ୍ରହଣ କରି କୌତୁକରେ କହିଥିଲେ, ‘ଠିକ୍ ଅଛି। ଆହୁରି ୨୫ ବର୍ଷ ଆପଣଙ୍କୁ ଦେଲି। କିନ୍ତୁ ଆପଣଙ୍କ ଜିତାପଟ ଦେଖିବାକୁ ମୁଁ ସେତେବେଳେ ଥିବି କି ନ ଥିବି, କିଏ ଜାଣେ!’
ଆଧ୍ୟାତ୍ମବାଦୀ ଚିନ୍ତକ, ଦାର୍ଶନିକ, ବିଶେଷ କରି ଭାରତୀୟ ବେଦାନ୍ତ ଦର୍ଶନର ପ୍ରବକ୍ତାମାନେ କନ୍ସସ୍ନେସ ବା ଚେତନା ଏ ସକଳ ସୃଷ୍ଟିର ମୂଳାଧାର ବୋଲି ସର୍ବଦା କହି ଆସିଛନ୍ତି। ଏଇ ମେଟାଫିଜିକାଲ ବା ଆଧିଭୌତିକ ଅବଧାରଣାକୁ କ୍ୱାଣ୍ଟମ୍ ମେକାନିକ୍ସ ଦ୍ୱାରା ପ୍ରତିଷ୍ଠିତ ଅନିଶ୍ଚିତତା (ଲ’ ଅଫ୍ ଅନ୍ସର୍ଟନଟି) ତତ୍ତ୍ୱ ଓ କଣିକାମାନଙ୍କ ସହବନ୍ଧନ (ଲ’ ଅଫ୍ ଏନ୍ଟାଙ୍ଗଲମେଣ୍ଟ) ତତ୍ତ୍ୱ ସମର୍ଥନ କରୁଛି ବୋଲି ସେମାନେ ଦାବି କରିଥା’ନ୍ତି।
କ୍ୱାଣ୍ଟମ୍ ପାର୍ଟିକଲ୍ ବା କ୍ୱାଣ୍ଟମ୍ କଣିକାର ତରଙ୍ଗ-କଣିକା ଦ୍ବୈତସ୍ଥିତି ଓ ସେଇ ସ୍ଥିତିର ଉଦ୍ଘାଟନରେ ପରିମାପ (ମେଜର୍ମେଣ୍ଟ) ଓ ନିରୀକ୍ଷଣ (ଅବଜରଭେସନ୍)ର ଭୂମିକା ରହିଛି ବୋଲି ଜଣାପଡ଼ିବା ପରେ ଆଧିଭୌତିକତାବାଦୀ ଦାର୍ଶନିକମାନେ ପରମ ଚୈତ୍ୟସତ୍ତା ଦୃଶ୍ୟମାନ ବସ୍ତୁସକଳ ସୃଷ୍ଟି କରିଥାଏ ବୋଲି କହିବା ପାଇଁ ନୂତନ ପ୍ରେରଣା ପାଇଛନ୍ତି। ଅନ୍ୟପକ୍ଷରେ, ଅଧିକାଂଶ ଦିଗ୍ଗଜ କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନୀ କନ୍ସସ୍ନେସ୍ ବା ଚେତନା ପୂରାପୂରି ଏକ ଭୌତିକ ବ୍ୟାପାର ବୋଲି କହିବା ସଙ୍ଗେ ସଙ୍ଗେ ଆଧିଭୌତିକତାବାଦୀ, ଆଧ୍ୟାତ୍ମବାଦୀ ଓ ଈଶ୍ୱରବାଦୀମାନଙ୍କୁ ନିରନ୍ତର ପରିହାସ କରି ଚାଲିଛନ୍ତି। କୋକ୍ଙ୍କ ଭଳି ଅନେକ ସ୍ନାୟୁବିଜ୍ଞାନୀ ଦୃଢ଼ ନିଶ୍ଚିତ ଯେ ମଣିଷର ବ୍ୟକ୍ତିକୈନ୍ଦ୍ରିକ ଅନୁଭୂତି, ଅଭିଜ୍ଞତା ଆଦୌ କୌଣସି ସ୍ୱର୍ଗୀୟ ପରମ ଚୈତ୍ୟସତ୍ତାର ସର୍ବ ବ୍ୟାପକ ଉପସ୍ଥିତି ଯୋଗୁଁଁ ସୃଷ୍ଟି ହୁଏ ନାହିଁ। ଏହା ସୃଷ୍ଟି କରିଥାଏ ମଣିଷର ମସ୍ତିଷ୍କର ନିଉରନ୍ମାନଙ୍କ ନେଟ୍ୱାର୍କ। ସେମାନେ ଦୃଢ଼ ନିଶ୍ଚିତ ଯେ ନ୍ୟୁରୋସାଇନ୍ସ ଦିନେ ନା ଦିନେ ଚେତନା ସୃଷ୍ଟି ପଛରେ ଥିବା ନିଉରାଲ କୋରିଲେଟସ୍ (ନିଉରନ୍ମାନଙ୍କ ପାରସ୍ପରିକ ସମ୍ବନ୍ଧ) ସମ୍ପର୍କରେ ପ୍ରାମାଣିକ ତଥ୍ୟଗୁଡ଼ିକ ସାର୍ବଜନୀନ କରିଦେବ।
ମାତ୍ର ଏ ଲେଖକ ବିଶ୍ୱାସ କରେ ଯେ ଚେତନାର ସ୍ୱରୂପ ସମ୍ପର୍କରେ ଜାଣିବା ମଣିଷ ପକ୍ଷରେ କେବେହେଲେ ସମ୍ଭବ ହୋଇ ନପାରେ। ଜଣାଯାଉଛି ପଦାର୍ଥ ବିଜ୍ଞାନୀ ଓ ଆଧ୍ୟାତ୍ମବାଦୀ ବା ଆଧିଭୌତିକତାବାଦୀଙ୍କର ଏଇ ତର୍କ ବିତର୍କ, ମତମତାନ୍ତର ଅନିର୍ଦ୍ଦିଷ୍ଟ କାଳ ଯାଏ ଚାଲି ରହିଥିବ। କୋକ୍ ପୁନଶ୍ଚ ୨୦୪୮ ମସିହାର ଯେଉଁ ସମୟସୀମା ନିର୍ଦ୍ଧାରଣ କରିଛନ୍ତି ତାହା ଅତିକ୍ରାନ୍ତ ହୋଇଗଲା ପରେ ମଧ୍ୟ କନ୍ସସ୍ନେସ୍ ବ୍ୟାପାରଟି କଠିନତମ ସମସ୍ୟା (ହାର୍ଡ ପ୍ରୋବ୍ଳେମ) ହୋଇ ରହିଥିବ; ଚିରକାଳ ପାଇଁ ଅନୁତ୍ତରିତ ପ୍ରଶ୍ନବାଚୀଟିଏ ହୋଇ ରହିଥିବ।
ଏଇ ପରିପ୍ରେକ୍ଷୀରେ ମନେ ପଡ଼ିଯାଏ ରବି ଠାକୁରଙ୍କ ଏଇ କେତୋଟି ପଂକ୍ତି: ‘ରଥ ବୋଲେ ଆମି ଦେବ / ପଥ ବୋଲେ ଆମି / ମୂର୍ତ୍ତିର୍ ବୋଲେ ଆମି ଦେବ / ହାସେ ଅନ୍ତର୍ଯ୍ୟାମୀ’। ପରମ ସତ୍ୟ ବା ପରମ ଚୈତ୍ୟସତ୍ତାର ସତ୍ସ୍ୱରୂପ ଜାଣିବା ପାଇଁ ମଣିଷର ଏଇ ତୀବ୍ର ଅଭୀପ୍ସା ଓ ନିରବଚ୍ଛିନ୍ନ ପ୍ରଚେଷ୍ଟା କେଉଁ ଅଲୌକିକ ଓଷ୍ଠଧାରରେ ସ୍ମିତ ହାସ୍ୟଟିଏ ଯେ ଖେଳାଇ ଦେଉ ନଥିବ, କିଏ ଜାଣେ?
ଦୁର୍ଗାପ୍ରସାଦ ଆଚାର୍ଯ୍ୟ
(ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ)
କୋତିଆଁ ବାରଙ୍ଗ,
ମୋ-୯୮୫୩୩୫୫୧୦୭






