ତଥ୍ୟ ଦେବାକୁ ବିଏମ୍‍ସି, ବିଡିଏ କୁନ୍ଥକୁନ୍ଥ : ୨ ବର୍ଷ ହେଲାଣି ସାର୍ବଜନୀନ ହେଉନି ବିଏମ୍‍ସି ବଜେଟ୍‍

The Sakala Picture
Published On

ଭୁବନେଶ୍ୱର : ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ବିଏମ୍‍ସି ବିଡିଏ ସବୁ ପ୍ରକାର କସରତ କରୁଛନ୍ତି। ଯେମିତି କୌଣସି ପ୍ରକାରେ ସରକାରୀ ତଥ୍ୟ ବାହାରକୁ ନ ଆସିବ ସେନେଇ ଉପର ଅଧିକାରୀଙ୍କଠାରୁ ତଳ କର୍ମଚାରୀମାନେ ପ୍ରୟାସ କରୁଛନ୍ତି। ଏଥିପାଇଁ ବଜେଟ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ମଧ୍ୟ ସାଧାରଣ ଲୋକ ଜାଣିବାକୁ ସୁଯୋଗ ପାଉନାହାନ୍ତି। ବିଭାଗଗୁଡ଼ିକର ବାର୍ଷିକ ବିବରଣୀ ବିଷୟରେ କୌଣସି ସୂଚନା ମିଳୁନାହିଁ। ସରକାରୀ ବିଭାଗଗୁଡ଼ିକରେ ପାରଦର୍ଶିତା ଆଣିବା ପାଇଁ ନିଜ ନିଜ ୱେବ୍‍ସାଇଟ୍‍ରେ ଯୋଜନା ଓ ବିଭାଗର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ନଗର ଉନ୍ନୟନ ବିଭାଗର ପ୍ରମୁଖ ତଥା ବଡ଼ ବିଭାଗ ଭାବେ ଜଣା ବିଏମ୍‍ସି ଓ ବିଡିଏ ଏଥିରୁ ନିଜକୁ ଦୂରେଇ ରଖୁଛନ୍ତି। କାରଣ ଚଳିତ ଆର୍ଥିକ ବର୍ଷର ୫ ମାସ ବିତିଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିଏମ୍‍ସି ନିଜ ବଜେଟ୍‍କୁ ସାର୍ବଜନୀନ କରିନାହିଁ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଗତ ବର୍ଷର ବଜେଟ୍‍ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ ହୋଇପାରି ନାହିଁ। ପ୍ରତିବର୍ଷ ମାର୍ଚ୍ଚରେ ବଜେଟ୍‍ ଅନୁମୋଦିତ ପରେ ବିଭାଗ ପକ୍ଷରୁ ଏହାକୁ ନିଜର ଅଫିସିଆଲ୍‍ ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ କରାଯାଇଥାଏ। ହେଲେ ୨ ବର୍ଷ ହେବ ଏହି ପରମ୍ପରାକୁ ବିଏମ୍‍ସି ବନ୍ଦ କରିଦେଇଛି। ସ୍ମାର୍ଟସିଟିରେ ଇ-ସେବା ବ୍ୟବସ୍ଥାକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇଛି। ମୂଳତଃ ଆଇଟି ଅବା ପ୍ରଯୁକ୍ତିବିଦ୍ୟା ସହିତ ସମସ୍ତ ପ୍ରକଳ୍ପକୁ ଯୋଡ଼ିବା ପାଇଁ ଲକ୍ଷ୍ୟ ରହିଛି। କିନ୍ତୁ ବାସ୍ତବ କ୍ଷେତ୍ରକୁ ଅନୁଧ୍ୟାନ କଲେ ବିଡିଏ ଓ ବିଏମ୍‍ସି ପାଇଁ ଇ-ଗଭର୍ଣ୍ଣାନ୍ସର ବିଶେଷ କିଛି ମୂଲ୍ୟ ନ ଥିବା ଅଭିଯୋଗ ହୋଇଛି। ସରକାରୀ ବିଭାଗ ଓ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଇ-ଡେସ୍‍ପାଚ୍‍ ବ୍ୟବସ୍ଥାରୁ ଏହି ବିଭାଗ ନିଜକୁ ଦୂରେଇ ରଖିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଅଫିସିଆଲ୍‍ ୱେବ୍‍ସାଇଟ୍‍ରେ ସରକାରୀ ଚିଠି ଅପ୍‍ଲୋଡ୍‍ କରିବା ପାଇଁ ନିୟମ ଥିଲେ ସୁଦ୍ଧା ସ୍ମାର୍ଟସିଟି ମିଶନ୍‍ ପ୍ରକଳ୍ପରେ ଅଂଶିଦାର ଥିବା ବିଡିଏ ଓ ବିଏମ୍‍ସି ପାଇଁ ଏହି ବ୍ୟବସ୍ଥା ଗୁରୁତ୍ୱହୀନ ହୋଇପଡ଼ିଛି। ଏପରିକି ନଗର ଉନ୍ନୟନ ବିଭାଗର ଇ-ଡେସ୍‍ପାଚ୍‍ର ବିଭାଗୀୟ ତାଲିକାର ବିଡିଏ ଓ ବିଏମ୍‍ସିକୁ ବାଦ୍‍ ଦିଆଯାଇଛି। ବିଡିଏ ଦ୍ୱାରା ବିଲ୍ଡିଂ ପ୍ଲାନ୍‍ ଅନୁମୋଦନ ଓ ଆବେଦନଠାରୁ ଆରମ୍ଭ କରି ପ୍ରବର୍ତ୍ତନ, ପାର୍କ ନିର୍ମାଣ ଓ ମରାମତି, ଜମି ଓ ବାସଗୃହ ଆବଣ୍ଟନ, ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବୈଠକରେ ଆଲୋଚିତ ବିଷୟ, ବିଭିନ୍ନ ନୋଟିସ୍‍, ପ୍ରସ୍ତାବ, କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ନେଇ ଏନ୍‍ଓସି ଜାରି କରିବା, ବିଭିନ୍ନ ପ୍ରକାର ପ୍ରଶାସନିକ କାର୍ଯ୍ୟ ସମ୍ପର୍କିତ ଅଫିସ୍‍ ଅର୍ଡର ଆଦି ଏହି ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ କରାଯାଇପାରନ୍ତା।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ବିଶେଷ କରି ଜମିଜମା ଓ ଗୃହ ନିର୍ମାଣକୁ ନେଇ ଜନସାଧାରଣ ବିଡିଏ ଉପରେ ନିର୍ଭର କରୁଥିବାରୁ ଇ-ଡେସ୍‍ପାଚ୍‍ ସେମାନଙ୍କ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାର ସୁଯୋଗ ରହିଛି। ଅନୁରୂପ ଭାବେ ଏହି ବ୍ୟବସ୍ଥା ବିଏମ୍‍ସି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ କାମ କେତେବାଟ ଆଗେଇଛି, ଫାଇଲ୍‍ କେଉଁଠାରେ ଅଟକିଛି, ସୂଚନା ଅଧିକାର ସମ୍ପର୍କିତ ଆବେଦନର ସ୍ଥିତି କ’ଣ ଅଛି ତାହା ଇ-ଡେସ୍‍ପାଚ୍‍ରୁ ଜଣେ ଅତି ସହଜରେ ଜାଣି ପାରୁଥିଲେ। ମାତ୍ର ଏହି ଦୁଇ ବିଭାଗ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବା ଜଣାପଡ଼ିଛି। ସେହିପରି ଗତ ସେପ୍ଟେମ୍ବର ୧ ତାରିଖ ଦିନ ବିଡିଏ ନିଜର ୪୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି।

ପ୍ରତିବର୍ଷ ପ୍ରତିଷ୍ଠା ଦିବସ ଦିନ ବିଡିଏ ନିଜର ବର୍ଷିକ ବିବରଣୀ ଉନ୍ମୋଚନ କରି ଏହାକୁ ନିଜ ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ କରିଥାଏ। କିନ୍ତୁ ଚଳିତ ବର୍ଷ ଏହି ବିବରଣୀରେ କିଛି ଭୁଲ୍‍ଭାଲ୍‍ ଥିବା ଦର୍ଶାଇ ବିଡିଏ ଏହାକୁ ସାର୍ବଜନୀନ କରି ନ ଥିବାବେଳେ ଏହାକୁ ଚାପିଦେବାକୁ ଚାହୁଁଥିବା ଅଭିଯୋଗ ହୋଇଛି। ଇ-ଗର୍ଭନାନ୍ସ ବ୍ୟବସ୍ଥା ଦ୍ୱାରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ସହିତ ସ୍ୱଚ୍ଛ ପ୍ରଶାସନର ଛବି ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଛି। କିନ୍ତୁ ସିଧାସଳଖ ଜନସାଧାରଣ ନିର୍ଭର କରୁଥିବା ବିଡିଏ ଓ ବିଏମ୍‍ସିର ତଥ୍ୟ ପ୍ରଦାନ ଏକ ବଡ଼ ବ୍ୟତିକ୍ରମ ବୋଲି ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର