ଆଜି ଗଣେଶ ପୂଜା: ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପୂଜା କରାଯାଇଥାଏ ଭଗବାନ ଗଣେଶଙ୍କୁ

The Sakala Picture
Published On

ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ତ ସେ ବିଘ୍ନହର୍ତ୍ତା। ଗଣେଶ ଶବ୍ଦର ଅର୍ଥ ଗଣଙ୍କ ଈଶ୍ୱର ବା ଗଣଙ୍କ ସ୍ୱାମୀ । ତେଣୁ ଶୁଭକାର୍ଯ୍ୟରେ କୌଣସି ବାଧାବିଘ୍ନ ନ ଆସୁ, ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ । କଳା, ବିଜ୍ଞାନ […]

ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ତ ସେ ବିଘ୍ନହର୍ତ୍ତା। ଗଣେଶ ଶବ୍ଦର ଅର୍ଥ ଗଣଙ୍କ ଈଶ୍ୱର ବା ଗଣଙ୍କ ସ୍ୱାମୀ । ତେଣୁ ଶୁଭକାର୍ଯ୍ୟରେ କୌଣସି ବାଧାବିଘ୍ନ ନ ଆସୁ, ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ । କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ, ସବୁଥିରେ ଗଣେଶଙ୍କ ଆବାହନ କରାଯାଏ। ସେ ସର୍ବତ୍ର ବିଦ୍ୟମାନ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। ବିଶେଷ ଭାବେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଦ୍ୟାଦାତା ଭାବେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବର ସହକାରେ ପାଳନ କରାଯାଏ। ଓଡ଼ିଶା ସହିତ ଭାରତର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାରେ ଉତ୍ସବମୁଖର ବାତାବରଣ ଦେଖିବାକୁ ମିଳେ। ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ପାଳନ ହେଉଥିବାବେଳେ ଓଡ଼ିଶାର ଜଟଣୀଠାରେ ୧୧ଦିନ ଧରି ଗଣେଶପୂଜା ପାଳନ କରାଯାଏ।

ଶିବ ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ଗାଧୋଇବା ସମୟରେ ନିଜଦେହର ମଳିରୁ ଏକ ମୂର୍ତ୍ତି ଗଠନ କରିଥିଲେ ଏବଂ ଶ୍ରୀ ବିଷ୍ଣୁଙ୍କୁ ସ୍ମରଣ କରି ଦେହମଳିରୁ ଗଠିତ ମୂର୍ତ୍ତିକୁ ଜୀବନ ଦାନ ଦେଇଥିଲେ । ପାର୍ବତୀ ଗୁମ୍ଫା ଭିତରେ ତପସ୍ୟା କରିବା ସମୟରେ ଶ୍ରୀଗଣେଶଙ୍କୁ ଦ୍ୱାର ଜଗିବା ସହିତ ଗୁମ୍ଫା ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇଥିଲେ । ବାଳକ ଗଣେଶ ଦ୍ବାରପାଳ ଦାୟିତ୍ବରେ ଥିବା ସମୟରେ ନିଜ ତପସ୍ୟା ସରିବାରୁ ମହାଦେବ ପାର୍ବତୀଙ୍କୁ ଦର୍ଶନ କରିବାପାଇଁ ସେଠାରେ ଆସି ପହଞ୍ଚିଥିଲେ । ବାଳକ ଦ୍ବାରପାଳଙ୍କୁ ନିଜ ପରିଚୟ ଦେବା ସହ ଦ୍ବାର ଛାଡ଼ିବା ପାଇଁ କହିଥିଲେ । କିନ୍ତୁ ମାତାଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଶ୍ରୀଗଣେଶ, ଶିବଙ୍କୁ ମଧ୍ୟ ଦ୍ବାର ଛାଡ଼ିନଥିଲେ । ଦୁହିଁଙ୍କ ମଧ୍ୟରେ ବାକ୍‌ ବିତର୍କ ହୋଇଥିଲା । ତା’ପରେ ଶିବ କ୍ଷୁବ୍ଧ ହୋଇ ତ୍ରିଶୂଳରେ ଗଣେଶଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲେ । ପାର୍ବତୀ ଆସି ଦେଖିବା ବେଳକୁ ଗଣେଶ ଜୀବିତ ନଥିଲେ । ପାର୍ବତୀ ଅଧୀର ହୋଇପଡ଼ିଲେ । ପାର୍ବତୀଙ୍କ ଅବସ୍ଥା ଦେଖି ଶିବ ଚିନ୍ତିତ ହୋଇ ଉଠିଲେ । ଏବେ କ’ଣ କରାଯିବ । ଯେତେ ବୁଝାଇଲେ ବି ପାର୍ବତୀ ବୁଝିବା ଅବସ୍ଥାରେ ନଥିଲେ । ଶେଷରେ ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସମଗ୍ର ସୃଷ୍ଟିକୁ ଧ୍ବଂସ କରିଦେବାକୁ ବାହାରିଲେ। ଏଭଳି ସ୍ଥିତି ଦେଖି ସୃଷ୍ଟିକର୍ତ୍ତା ବ୍ରହ୍ମା ସେଠାରେ ପହଞ୍ଚି ପାର୍ବତୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଏବଂ ସୃଷ୍ଟିକୁ ଧ୍ବଂସ ନ କରିବା ପାଇଁ ନିବେଦନ କଲେ। ଶାନ୍ତ ହେବାପାଇଁ ପାର୍ବତୀ, ବ୍ରହ୍ମାଙ୍କ ସମ୍ମୁଖରେ ଦୁଇଟି ସର୍ତ୍ତ ରଖିଲେ । ପ୍ରଥମ ସର୍ତ୍ତଟି ହେଲା ଗଣେଶଙ୍କୁ ଜୀବନ ପ୍ରଦାନ କରାଯିବ ଏବଂ ଦ୍ବିତୀୟ ସର୍ତ୍ତଟି ହେଲା ଗଣେଶ ଅଗ୍ରପୂଜ୍ୟ ହେବେ। ବ୍ରହ୍ମା ଏଥିରେ ରାଜି ହେଲେ । ଶିବ ତାଙ୍କ ଅନୁଚରମାନଙ୍କୁ ପ୍ରେରଣ କଲେ ଏବଂ ନିର୍ଦ୍ଦେଶ ଦେଲେ ଯେ, ଯେଉଁ ପ୍ରାଣୀଙ୍କୁ ସେମାନେ ପ୍ରଥମେ ଦେଖିବେ, ଯେକି ଉତ୍ତର ଦିଗକୁ ମୁଣ୍ଡ କରି ଶୟନ କରିଥିବ, ତା’ର ଶିର ଛେଦନ କରି ନେଇ ଆସିବେ ।

ଶିବଦୂତମାନେ ଖୋଜି ଖୋଜି ଶେଷରେ ଏକ ହାତୀ ମୁଣ୍ଡ ନେଇ ଫେରିଲେ। ଦେବ ଦେ ମହାଦେବ, ଗଣେଶଙ୍କ ଦେହରେ ହାତୀ ମୁଣ୍ଡଟିକୁ ଖଞ୍ଜି ଜୀବନ୍ୟାସ ପ୍ରଦାନ କଲେ । କେବଳ ସେତିକି ନୁହେଁ ଶ୍ରୀଗଣେଶ ଅଗ୍ରପୂଜ୍ୟ ହେବେ ବୋଲି ଘୋଷଣା କଲେ । ଶ୍ରୀଗଣେଶ ମହାଦେବଙ୍କ ପ୍ରମଥ ଗଣର ସେନାପତି । ଗଣେଶଙ୍କର ଅନେକ ନାମ ଅଛି, କିନ୍ତୁ ୧୨ଟି ନାମ ପ୍ରସିଦ୍ଧ : ସୁମୁଖ, ଏକଦନ୍ତ, କପିଳ, ଗଜକର୍ଣ୍ଣକ, ଲମ୍ବୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର ଓ ଗଜାନନ।  ଗଣେଶ ହେଉଛନ୍ତି ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର। ପ୍ରଭୁ ଗଣେଶଙ୍କ ମଧ୍ୟରେ ସମସ୍ତ ସକାରାତ୍ମକ ଗୁଣ ଓ ଶକ୍ତି ସମାହିତ ଅଟେ। ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, ନଡ଼ିଆ, କଦଳୀ ଓ ଅନ୍ୟାନ୍ୟ ଫଳମୂଳ ନୈବେଦ୍ୟ ରୂପେ ବଢ଼ାଯାଏ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଭଗବାନ ଶ୍ରୀଗଣେଶଙ୍କ ଧ୍ୟାନ ଜପ କଲେ ସକଳ ଶୁଭପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଶ୍ରୀମନ୍ଦିରରେ ଏହି ଦିନ ସଂଧ୍ୟା ଧୂପ ପରେ କଳ୍ପବଟ ମୂଳରେ ଥିବା ‘ବଟ ଗଣେଶ’ ଓ ଶ୍ରୀମନ୍ଦିର ପଶ୍ଚିମ ଦିଗରେ ଥିବା ‘କାଞ୍ଚି ଗଣେଶ’ଙ୍କ ନିକଟରେ ଶୀତଳ ଭୋଗ ଓ ବନ୍ଦାପନାହୁଏ। ଏହାପରେ ସରସ୍ବତୀଙ୍କ ମନ୍ଦିରଠାରେ ମାଦଳା ପାଞ୍ଜି ରଖି ୨୧ଟି ନଡ଼ିଆ ଭଙ୍ଗାଯାଏ। ଏହାପରେ ଶୀତଳ ଭୋଗ ଓ ବନ୍ଦାପନା ହୁଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp