ମନୋରଞ୍ଜନ
ବିଶ୍ୱ ଜଳବାୟୁ ସଙ୍କଟ ଘନଉଛି
ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ, ତଦ୍ଜନିତ ବିଶ୍ୱ ତାପମାନ ବୃଦ୍ଧି ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ କେବଳ ଧନଜୀବନ ହାନି ହେଉନାହିଁ, ବରଂ କୃଷି, ଅର୍ଥନୀତି ତଥା ସମ୍ପୂର୍ଣ୍ଣ ସମାଜ ବ୍ୟବସ୍ଥା ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ୁଛି। ବିଡ଼ମ୍ବନା ହେଲା ମହାବାତ୍ୟା, ପ୍ରଚଣ୍ଡ ରୌଦ୍ର ଆଦି ପ୍ରାକୃତିକ ଦୁର୍ବିପାକଜନିତ ଘଟଣାମାନଙ୍କରେ ବୃଦ୍ଧି ହାର ପୂର୍ବ ଶହେ ବର୍ଷ ତୁଳନାରେ ଏବେ ପ୍ରାୟ ଦଶ ବର୍ଷ ମଧ୍ୟ ଯଥେଷ୍ଟ ଅଧିକ ହୋଇଛି। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ରକାଶ […]
ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ, ତଦ୍ଜନିତ ବିଶ୍ୱ ତାପମାନ ବୃଦ୍ଧି ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ କେବଳ ଧନଜୀବନ ହାନି ହେଉନାହିଁ, ବରଂ କୃଷି, ଅର୍ଥନୀତି ତଥା ସମ୍ପୂର୍ଣ୍ଣ ସମାଜ ବ୍ୟବସ୍ଥା ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ୁଛି। ବିଡ଼ମ୍ବନା ହେଲା ମହାବାତ୍ୟା, ପ୍ରଚଣ୍ଡ ରୌଦ୍ର ଆଦି ପ୍ରାକୃତିକ ଦୁର୍ବିପାକଜନିତ ଘଟଣାମାନଙ୍କରେ ବୃଦ୍ଧି ହାର ପୂର୍ବ ଶହେ ବର୍ଷ ତୁଳନାରେ ଏବେ ପ୍ରାୟ ଦଶ ବର୍ଷ ମଧ୍ୟ ଯଥେଷ୍ଟ ଅଧିକ ହୋଇଛି। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ରକାଶ ପାଉଥିବା ବିଭିନ୍ନ ରିପୋର୍ଟରେ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତର ମୁମ୍ବାଇ, କୋଲକାତା, ଚେନ୍ନାଇ, ପୁରୀ ସମେତ ବିଶ୍ୱର ପ୍ରମୁଖ ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏବେ କିନ୍ତୁ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଆହୁରି ଚିନ୍ତାଜନକ।
ନେଚର କମ୍ୟୁନିକେସନ୍ରେ ପ୍ରକାଶ ପାଇଥିବା ଏହି ରିପୋର୍ଟ ଅନୁଯାୟୀ ୨୦୦୩ରେ ୟୁରୋପରେ ପ୍ରାୟ ୭୦ ହଜାର ଲୋକଙ୍କ ଜୀବନ ନେଇଥିବା ୪୭.୫ ଡିଗ୍ରୀ ସେଲସିୟସ୍ର ସର୍ବାଧିକ ଗ୍ରୀଷ୍ମ ପ୍ରବାହ ଆସନ୍ତା ବର୍ଷ ପୁଣି ସଂଘଟିତ ହେବାକୁ ଯାଉଛି। ସେହିବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଶ୍ୱ ଅର୍ଥନୀତି ୧୩ ବିଲିୟନ ଡଲାରର ଆର୍ଥିକ କ୍ଷତି ସହିଥିଲା ବୋଲି ଅନୁମିତ ହୋଇଥିଲା। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ବିଶ୍ୱ ତାପମାତ୍ରା ୨୦୦୦ ମସିହାରେ ୦.୭ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଥିବା ବେଳେ ୨୦୨୦ ବେଳକୁ ୧.୨ ଡିଗ୍ରୀ ବୃଦ୍ଧି ପାଇଛି। ଚଳିତ ଦଶନ୍ଧି ଶେଷ ବେଳକୁ ବିଶ୍ୱ ତାପମାତ୍ରା ୧.୫ରୁ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକ।। କରିଛନ୍ତି। ଯଦି ସବୁଜ ଗୃହ ବାଷ୍ପ ନିର୍ଗମନକୁ ଯଥାଶୀଘ୍ର ନିୟନ୍ତ୍ରଣ କରା ନ ଯାଏ ତେବେ ଏହି ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟ ବିଶ୍ୱବାସୀଙ୍କ ପାଇଁ ଚିନ୍ତାଜନକ ନିଶ୍ଚୟ। ଏହାର ପ୍ରଭାବରେ ଯେ ବିପୁଳ ଧନଜୀବନ ହାନି ସହିତ ପରିବେଶ, ଶିଳ୍ପ ଓ ଅର୍ଥନୀତି ଗୁରୁତର ପ୍ରଭାବିତ ହେବ ତାହା ନିଶ୍ଚିତ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏହି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନିତ ଦୁର୍ବିପାକ ଯୋଗୁଁ ମଧ୍ୟ-ପ୍ରାଚ୍ୟ, ଆଣ୍ଟଲାଣ୍ଟିକ୍ ଓ ପ୍ରଶାନ୍ତ ମହାସାଗର ଉପକୂଳ ଅଞ୍ଚଳ, ଦକ୍ଷିଣ-ପୂର୍ବ ଏସିଆ ଓ ଭୂମଧ୍ୟସାଗରୀୟ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହେବ। ଆଗାମୀ ଦିନରେ ସେହିସବୁ ଅଞ୍ଚଳରେ ଜନ ମୃତ୍ୟୁସଂଖ୍ୟାର ୧୦% ଗ୍ରୀଷ୍ମପ୍ରବାହ ଯୋଗୁଁ ସଂଘଟିତ ହେବ।
ନିକଟରେ ଜଳବାୟୁ ପରିବର୍ତ୍ତନ ଜନିତ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ଭାରତର ଜନସାଧାରଣ ଓ ସରକାରଙ୍କ ପାଇଁ ଚିନ୍ତାଜନକ। ଏହି ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତର ସବୁଠାରୁ ପ୍ରଭାବଶାଳୀ ଓ ଲୋକପ୍ରିୟ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ଗୁରୁତର ପ୍ରଭାବିତ ହୋଇପାରେ। ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସହିତ ଏଲ୍ନିନୋ ଜନିତ ଚଳିତ ମୌସୁମୀରେ ଅନିୟମିତା ଓ ତା’ର ପ୍ରଭାବ କୃଷି କ୍ଷେତ୍ରରେ ତ୍ୱରିତ ଅନୁଭୂତ ହୋଇଛି। ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରୁଥିବା କୃଷିପ୍ରଧାନ ଅଞ୍ଚଳରେ ସ୍ୱାଭାବିକଠାରୁ ବହୁ କମ୍ ବର୍ଷା ଯୋଗୁଁ କେତେକ ସ୍ଥାନରେ ତଳି ରୁଆ ହୋଇପାରିନଥିବା ବେଳେ ଆଉ କେତେକ ସ୍ଥାନରେ ବିହନ ଆଦୌ ଗଜା ହୋଇପାରିନାହିଁ। ଅପରପକ୍ଷରେ ଆବଶ୍ୟକ ନଥିବା ଅଞ୍ଚଳରେ ବହୁଳ ବୃଷ୍ଟିପାତ ଯୋଗୁଁ ତଳି ନଷ୍ଟ ହୋଇଯାଇଛି ଏବଂ ବନ୍ୟା ବିତ୍ପାତ, ଭୂସ୍ଖଳନ ଆଦି ଦେଖାଦେଇଛି। ତେଣୁ ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ଖରିଫ୍ ଚାଷ ଉଜୁଡ଼ି ଯିବା ଏକପ୍ରକାର ନିଶ୍ଚିତ ବୋଲି କୃଷି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଅସ୍ୱାଭାବିକ ଜଳବାୟୁର ପ୍ରଭାବ କିନ୍ତୁ ଯଥେଷ୍ଟ ପୂର୍ବରୁ ଭାରତର କୃଷି କ୍ଷେତ୍ର ଓ ଶସ୍ୟଭଣ୍ଡାର ଉପରେ ପଡ଼ିସାରିଛି। ଗତମାସ ତୁଳନାରେ ଚାଉଳ ଦାମ ୩% ବୃଦ୍ଧି ପାଇଥିବା ବେଳେ ଏହା ଗତ ବର୍ଷ ତୁଳନାରେ ୧୧.୫% ବୃଦ୍ଧି ପାଇଛି। ଦେଶର ଖାଦ୍ୟ ନିରାପତ୍ତା ଯୋଜନାରେ ଚାଉଳ ଓ ଗହମ ମୁଖ୍ୟ ଭୂମିକା ନିର୍ବାହ କରୁଥିବାରୁ ଘରୋଇ ଚାହିଦା ମେଣ୍ଟାଇବା ପାଇଁ କେନ୍ଦ୍ର ସରକାର ସମ୍ପ୍ରତି ଅଣବାସୁମତି ଚାଉଳ ଓ ଗହମ ରପ୍ତାନି ଉପରେ କଟକଣା ଜାରି କରିଛନ୍ତି।
କେବଳ ଧାନ ଓ ଗହମ ଭଳି ଖାଦ୍ୟ ଶସ୍ୟ ନୁହେଁ, ଏବେ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ପନିପରିବା ଦାମ ମଧ୍ୟ ହୁ ହୁ ହୋଇ ବଢ଼଼ିବାରେ ଲାଗିଛି। ଟମାଟୋ ଦାମ କିଲୋ ପିଛା ଗତ ସପ୍ତାହ ପର୍ଯ୍ୟନ୍ତ କେତେକ ସ୍ଥାନରେ ୨୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ସେଥିରେ ହ୍ରାସ ଘଟିଛି। ଚାଉଳ, ଅଟା, ଟମାଟୋ, ଅଦା, କଞ୍ଚା ଲଙ୍କା, ମସଲା ଆଦିର ମହଙ୍ଗା ମାଡ଼ର କ୍ଷତ ନ ଲିଭୁଣୁ ଏବେ ପୁଣି ଥରେ ପିଆଜ ଖାଉଟିଙ୍କୁ କନ୍ଦାଇବାକୁ ପ୍ରସ୍ତୁତ ହେଉଛି। ଅବଶ୍ୟ ପିଆଜର ଭାଉ ମଝିରେ ମଝିରେ ଅସ୍ୱାଭାବିକ ଭାବେ ବଢ଼଼ିବା ଭାରତରେ ନୂଆ ନୁହେଁ। ଏପରିକି ଅତୀତରେ ପିଆଜର ଏଭଳି ଅଭାବନୀୟ ସ୍ଥିତି ରାଜନୀତିକୁ ମଧ୍ୟ ପ୍ରଭାବିତ କରିଛି। ପନିପରିବାର ଓ ଖାଦ୍ୟ ଦ୍ରବ୍ୟର ଅତ୍ୟଧିକ ମୂଲ୍ୟ ହ୍ରାସ ଚଳିତ ବର୍ଷର ଅନିୟମିତ ବର୍ଷା ଓ ପାଣିପାଗ ବିପର୍ଯ୍ୟୟ ଯୋଗୁଁ ମଧ୍ୟ ସୃଷ୍ଟି ହୋଇଛି ବୋଲି ବିଶେଷଜ୍ଞମାନଙ୍କ ମତ।
ଏହି ପୃଷ୍ଠଭୂମିରେ ଜଳବାୟୁ ପରିବର୍ତ୍ତନ ଓ ତଦ୍ଜନିତ ଗ୍ରୀଷ୍ମପ୍ରବାହ, ଶସ୍ୟ ହାନି, ବନାଗ୍ନି, ମହାମାରୀ ସଂକ୍ରମଣ ଆଦିରୁ ସୁରକ୍ଷାର ଏକମାତ୍ର ଉପାୟ ହେଲା ସବୁଜ ଗୃହ ବାଷ୍ପ ନିର୍ଗମନ ଯଥା ଅଙ୍ଗାରକାମ୍ଳକୁ ଯଥାସମ୍ଭବ ନିୟନ୍ତ୍ରଣରେ ରଖିବା। କହିବା ବାହୁଲ୍ୟ, ପରିବେଶ ଓ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପ ବୃଦ୍ଧି ପଛରେ ମଣିଷର ବିଳାସପୂର୍ଣ୍ଣ ଜୀବନଶୈଳୀର ଲାଳସା ଓ ଅପରିଣାମଦର୍ଶୀ ବିକାଶ କାର୍ଯ୍ୟକ୍ରମ ହିଁ ଦାୟୀ। ବିଭିନ୍ନ ଶୀତଳୀକରଣ ଉପକରଣର ବହୁଳ ବ୍ୟବହାର, ଅସଂଖ୍ୟ ଗାଡ଼ିମୋଟରର ବ୍ୟବହାର ଦ୍ୱାରା ଜୀବାଶ୍ମ ଇନ୍ଧନର ଜ୍ୱଳନ, ଖଣି ଓ ଶିଳ୍ପ ପାଇଁ ପ୍ରକୃତିର ଦୋହନ ଓ ପାରମ୍ପରିକ ଜାଳେଣି ଯଥା କୋଇଲା ଆଦିର ବହୁଳ ଦହନ ଆଦି ଯୋଗୁଁ ବାୟୁ ମଣ୍ଡଳରେ ସବୁଜ ଗୃହ ବାଷ୍ପ ନିର୍ଗମନ ବଢ଼଼ିବାରେ ଲାଗିଛି।
ଏହାର ନିୟନ୍ତ୍ରଣ ପାଇଁ ବିଶ୍ୱସ୍ତରରେ ବିଭିନ୍ନ ସମୟରେ ଶିଖର ସମ୍ମିଳନୀମାନ ଆୟୋଜିତ ହୋଇଆସୁଛି ଏବଂ ବିଶ୍ୱ ତାପମାନକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ସଂକଳ୍ପ ମଧ୍ୟ ପାରିତ ହେଉଛି। କିନ୍ତୁ ଉଚ୍ଚାରଣ ଓ ଆଚରଣରେ ଭିନ୍ନତା ଯୋଗୁଁ ଏହି ଲକ୍ଷ୍ୟ ହାସଲ ସୁଦୂର ପରାହତ ହେବାରେ ଲାଗିଛି। ବିଶେଷକରି ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରୁଥିବା ଓ ବିଶ୍ୱକୁ ଅଧିକ ଉତ୍ତପ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଧନୀ ଓ ବିକଶିତ ରାଷ୍ଟ୍ରମାନେ କଳକାରଖାନା ଆଦିରୁ ବିଷାକ୍ତ ବାଷ୍ପ ନିର୍ଗମନ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ତା’ ସହିତ ବିଶାଳ ଖର୍ଚ୍ଚ ପରିମାଣରେ ସହାୟତା କରିବା ପାଇଁ ପୁଞ୍ଜି ଯୋଗାଣରେ ତତ୍ପରତା ପ୍ରକାଶ ନ କରି କେବଳ ବିକାଶଶୀଳ ଦେଶମାନଙ୍କ ଉପରେ ଦୋଷ ଲଦି ଦେଉଥିବାରୁ ସମସ୍ୟାର ସମାଧାନ ହୋଇପାରୁନାହିଁ। ଏ ଦିଗରେ ସମ୍ମିଳିତ ଓ ସାମୂହିକ ଉଦ୍ୟମ ଲୋଡ଼ା। ଧନୀ ରାଷ୍ଟ୍ରମାନେ ବିକାଶଶୀଳ ଦେଶମାନଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେଲେ ଯାଇ ଏହି ସମସ୍ୟାର ଅନେକ ପରିମାଣରେ ସମାଧାନ ହୋଇପାରିବ। ଏଥିସହିତ ବିଶ୍ୱତାପମାନ ପଞ୍ଝାରୁ ମୁକୁଳିବା ପାଇଁ ଜନସାଧାରଣ ମଧ୍ୟ ଆତ୍ମସଚେତନ ଓ ସଂଯମୀ ହେବା ଆବଶ୍ୟକ। ବ୍ୟକ୍ତିଗତ ଜୀବନରେ ବ୍ୟବହାର କରାଯାଉଥିବା ଇନ୍ଧନ ଓ ଯାତାୟାତ ପାଇଁ ପୁରୁଣା ପ୍ରଯୁକ୍ତି ବିଦ୍ୟାର ମୋଟର ଗାଡ଼ି ଆଦିର ବ୍ୟବହାରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଆବଶ୍ୟକ। କୋଇଲା ବଦଳରେ ସୌରଶକ୍ତି, ପେଟ୍ରୋଲିୟମ ବଦଳରେ ବୈଦ୍ୟୁତିକ ଯାନ ବ୍ୟବହାର ଭଳି ପ୍ରୟୋଗ ସର୍ବସାଧାରଣରେ ପ୍ରସାର ଲାଭ କଲେ ଜଳବାୟୁ ପ୍ରଦୂଷଣ ଭିତ୍ତିକ ବିଶ୍ୱ ତାପନ ଓ ପ୍ରାକୃତିକ ବିପର୍ଯ୍ୟୟକୁ ସୀମିତ କରିବା ପାଇଁ ଯଥେଷ୍ଟ ସହାୟକ ହୋଇପାରିବ।





