ପାକିସ୍ତାନ ପିଠିରେ ପାହାର

The Sakala Picture
Published On

କାଶ୍ମୀର ପ୍ରସଙ୍ଗରେ ଦଳ-ମତ ନିର୍ବିଶେଷରେ ଭାରତୀୟମାନେ ଏକ ହୋଇଛନ୍ତି। ଏପରିକି ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ କାଶ୍ମୀରବାସୀଙ୍କ ଦୃଷ୍ଟିକୋଣରେ ଜାତୀୟତାବାଦ ପ୍ରତିଫଳିତ ହୋଇଛି ଏବଂ ସେମାନଙ୍କ ସ୍ୱରରେ ଭାରତୀୟତାର ପ୍ରତିଧ୍ୱନି ଶୁଣିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ଏହି ପ୍ରସଙ୍ଗକୁ ରାଜନୀତିରୁ ଊର୍ଦ୍ଧ୍ବରେ ରଖି ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସମର୍ଥନର ଶୁଭସଙ୍କେତ ମିଳିଛି। ସମଗ୍ର ଭାରତର କୋଣଅନୁକୋଣରେ ପାକିସ୍ତାନ ବିରୋଧୀ ସ୍ୱର ତୀବ୍ର ହେବାରେ ଲାଗିଛି। ଏପରିକି ପାକ୍‌‌ ଅଧିକୃତ […]

କାଶ୍ମୀର ପ୍ରସଙ୍ଗରେ ଦଳ-ମତ ନିର୍ବିଶେଷରେ ଭାରତୀୟମାନେ ଏକ ହୋଇଛନ୍ତି। ଏପରିକି ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ କାଶ୍ମୀରବାସୀଙ୍କ ଦୃଷ୍ଟିକୋଣରେ ଜାତୀୟତାବାଦ ପ୍ରତିଫଳିତ ହୋଇଛି ଏବଂ ସେମାନଙ୍କ ସ୍ୱରରେ ଭାରତୀୟତାର ପ୍ରତିଧ୍ୱନି ଶୁଣିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ଏହି ପ୍ରସଙ୍ଗକୁ ରାଜନୀତିରୁ ଊର୍ଦ୍ଧ୍ବରେ ରଖି ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସମର୍ଥନର ଶୁଭସଙ୍କେତ ମିଳିଛି। ସମଗ୍ର ଭାରତର କୋଣଅନୁକୋଣରେ ପାକିସ୍ତାନ ବିରୋଧୀ ସ୍ୱର ତୀବ୍ର ହେବାରେ ଲାଗିଛି। ଏପରିକି ପାକ୍‌‌ ଅଧିକୃତ କାଶ୍ମୀର(ପିଓକେ)କୁ ଭାରତରେ ମିଶାଇବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ଏବଂ ଏଥିପାଇଁ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ମତ ପ୍ରକାଶ ପାଉଛି। କିନ୍ତୁ ଦଳମତ ନିର୍ବିଶେଷରେ ଭାରତୀୟଙ୍କ ଭାବାବେଗ ଓ ଦାବି ପୂରଣ କରିବା ପାଇଁ ଭାରତ ସରକାରଙ୍କ ଆଗରେ ଯେତିକି ଅନୁକୂଳ ପରିବେଶ ରହିଛି, ତା’ଠାରୁ ଅଧିକ ଆହ୍ୱାନକୁ ସାମ୍ନା କରିବାକୁ ଯାଉଛି। ଏକପକ୍ଷରେ ଜାତୀୟତାବାଦର ଭାବପ୍ରବଣତାକୁ ସମ୍ମାନ ଏବଂ ଅପରପକ୍ଷରେ ଏହି ଆହ୍ୱାନଗୁଡ଼ିକୁ ସଫଳତାର ସହ ସମ୍ମୁଖୀନ ହେବା ପାଇଁ ସ୍ଥିତପ୍ରଜ୍ଞ, ଦୂରଦୃଷ୍ଟି ସମ୍ପନ୍ନ ଓ ମିଳିତ ପଦକ୍ଷେପର ଆବଶ୍ୟକତା ରହିଛି।

ଇତିହାସ ସାକ୍ଷୀ ଯେ କେବଳ ସାମରିକ କାର୍ଯ୍ୟାନୁଷ୍ଠାନ ବା ଯୁଦ୍ଧ ଦ୍ୱାରା ଆତଙ୍କବାଦର ମୂଳୋତ୍ପାଟନ ସମ୍ଭବ ନୁହେଁ। ବିଶ୍ୱ ବାଣିଜ୍ୟ କେନ୍ଦ୍ର ଧ୍ୱଂସ ପରେ ଆତଙ୍କବାଦୀ ଓ ସେମାନଙ୍କ ପ୍ରୋତ୍ସାହକଙ୍କୁ ସମୂଳେ ଧ୍ୱଂସ କରିବାର ଲକ୍ଷ୍ୟ ନେଇ ଆମେରିକା ମିତ୍ର ରାଷ୍ଟ୍ରଙ୍କ ସହାୟତାରେ ଆଫ୍‌‌ଗାନିସ୍ତାନ ଓ ଇରାକ୍‌‌ ଉପରେ ବିଶାଳ ଓ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ନେଇଥିଲା। ହମାସ୍‌‌ ଓ ହାଉଥିଙ୍କ ବିରୋଧରେ ଇସ୍ରାଏଲ୍‌‌ ନିରନ୍ତର ଯୁଦ୍ଧ କରି ଆସୁଛି। କିନ୍ତୁ ସେଠାରେ ବିକାଶର ଧ୍ୱଂସସ୍ତୂପ ଓ ବିଭୀଷିକାର ପାଉଁଶ ତଳୁ ଆତଙ୍କବାଦ ପୁଣି ଥର ଜନ୍ମନେଉଛି। ସିରିଆ, ଲେବାନନ୍‌‌ରେ ମଧ୍ୟ ଦୀର୍ଘଦଶନ୍ଧିର ସାମରିକ କାର୍ଯ୍ୟାନୁଷ୍ଠାନ ଆତଙ୍କବାଦକୁ ସମୂଳେ ଧ୍ୱଂସ କରିପାରିନାହିଁ। ଏଣୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ କୂଟନୈତିକ ଯୁଦ୍ଧ, ଅର୍ଥନୈତିକ-ବାଣିଜ୍ୟ ଯୁଦ୍ଧ, ପ୍ରଚାର ଯୁଦ୍ଧ, ସାଇବର ଯୁଦ୍ଧ, ସାଂସ୍କୃତିକ ଯୁଦ୍ଧର ସମ୍ମିଳିତ ପ୍ରୟୋଗ ଦ୍ୱାରା ପାକିସ୍ତାନକୁ ବିଶ୍ୱ ଦରବାରରେ ଏକଘରକିଆ କଲେ ଯାଇ ସେଠାରୁ ଆତଙ୍କବାଦର କାରଖାନା ସମ୍ପୂର୍ଣ୍ଣ ବନ୍ଦ ହେବ।

ସିନ୍ଧୁ ନଦୀ ଜଳ ଚୁକ୍ତି ପ୍ରତ୍ୟାହାର, ପାକିସ୍ତାନୀଙ୍କୁ ଭିସା ନିଷେଧ, ଉଚ୍ଚାୟୁକ୍ତଙ୍କୁ ସମନ୍‌‌ ଆଦି ଜରିଆରେ ପାକିସ୍ତାନ ବିପକ୍ଷରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇସାରିଛି। କିନ୍ତୁ ଏହାର ପରିସରକୁ ଆହୁରି ବ୍ୟାପକ କରିବାକୁ ହେବ। ପରିସ୍ଥିତି ଓ ସ୍ଥିତାବସ୍ଥା ସମ୍ପର୍କରେ ଭାରତ ଇତିମଧ୍ୟରେ ଜି-୨୦ ରାଷ୍ଟ୍ରଦୂତଙ୍କୁ ଅବଗତ କରିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ। ପାକିସ୍ତାନ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜାତିସଂଘର ସାଧାରଣ ପରିଷଦର ସ୍ୱତନ୍ତ୍ର ବୈଠକରେ ଏ ସମ୍ପର୍କିତ ସହମତି ହାସଲ ପାଇଁ ଭାରତ ଆବେଦନ କରିବା ଆବଶ୍ୟକ। କେବଳ ଚୀନ୍‌‌କୁ ଛାଡ଼ି ସୁରକ୍ଷା ପରିଷଦର ବହୁମତ ଭାରତ ସପକ୍ଷରେ ଓ ଆତଙ୍କବାଦ ବିରୋଧରେ ରହିଆସିଛି। ସାମ୍ପ୍ରତିକ ତାରିଫ୍‌‌ ଯୁଦ୍ଧ ପୃଷ୍ଠଭୂମିରେ ଚୀନ୍‌‌କୁ ଭାରତ ସପକ୍ଷବାଦୀ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ପାକିସ୍ତାନର ଆର୍ଥିକ ସୁରକ୍ଷାଦାତା ଆରବୀୟ ଦେଶ ସମୂହ ଓ ଇସ୍‌‌ଲାମୀୟ ରାଷ୍ଟ୍ର ସଂଘକୁ ମଧ୍ୟ ପାକିସ୍ତାନ ଆତଙ୍କବାଦର ପ୍ରଭାବ ବିଷୟରେ ସୂଚାଇ ନିଜ ପକ୍ଷକୁ ଆଣିବା ପାଇଁ ଭାରତ ସରକାର ଦଳମତ ନିର୍ବିଶେଷରେ କୂଟନୀତିଜ୍ଞ, ବିଶେଷଜ୍ଞଙ୍କୁ ସାମିଲ୍‌ କରି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ।

ଅଟାରି ପଣ୍ୟ ପରିବହନ ସୀମା ସିଲ୍‌‌ କରି ଭାରତ ପାକିସ୍ତାନ ବିରୋଧରେ ଆଂଶିକ ବାଣିଜ୍ୟ-ଅର୍ଥନୈତିକ ଯୁଦ୍ଧ ଆରମ୍ଭ କରିସାରିଛି। ୱାଘା ସୀମା ବନ୍ଦ କରି ପାକିସ୍ତାନ ମଧ୍ୟ ଏହାର ପ୍ରତ୍ୟୁତ୍ତର ଦେଇଛି। ଦୁଇ ପକ୍ଷରୁ ଆରମ୍ଭ ହୋଇସାରିଥିବା ଏହି ବାଣିଜ୍ୟ-ଅର୍ଥନୈତିକ ଯୁଦ୍ଧକୁ ଆହୁରି ସଘନ କରିବାକୁ ହେବ। ଏଥିପାଇଁ ଭାରତ ବିଶ୍ୱସମୁଦାୟକୁ ବୁଝାଇ ସର୍ତ୍ତ ଆରୋପ କରିବାକୁ ପଡ଼ିବ ଯେ ପାକିସ୍ତାନ ସହିତ ବାଣିଜ୍ୟ କାରବାର ବନ୍ଦ ନ କରିବା ପର୍ଯ୍ୟନ୍ତ ଭାରତର ବିଶାଳ ବଜାର ସେମାନଙ୍କ ପାଇଁ ଉନ୍ମୁକ୍ତ ହେବ ନାହିଁ। ଏହି ବାଣିଜ୍ୟ ଯୁଦ୍ଧରେ ଚୀନ୍‌‌କୁ ଅଧିକ ବିଶ୍ୱାସକୁ ଆଣିବାକୁ ହେବ। ପିଓକେ ଓ ବେଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ପ୍ରବଳ ବିରୋଧ ଯୋଗୁଁଁ ଚୀନ୍‌‌ର ବହୁ ଈପ୍‌‌ସିତ ତଥା ବ୍ୟୟବହୁଳ ‘ଚୀନ୍‌‌-ପାକିସ୍ତାନ ଇକନୋମିକ୍‌‌ କରିଡର’(ସିପିଇସି) ବାଧାପ୍ରାପ୍ତ ହୋଇଛି। ଅପରପକ୍ଷରେ ଆମେରିକାର ତାରିଫ୍‌‌ ନୀତି ଚୀନ୍‌‌ର ବହିଃବାଣିଜ୍ୟ କାରବାରକୁ ସଂକୁଚିତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ପରିସ୍ଥିତିର ଫାଇଦା ଉଠାଇ ଭାରତର ବଜାରକୁ ଚୀନ୍‌‌ ପାଇଁ ଉନ୍ମୁକ୍ତ କରି ପ୍ରତିବଦଳରେ ପାକିସ୍ତାନ ସମର୍ଥନରୁ ଓହରି ଆସିବା ପାଇଁ ଚାପ ସୃଷ୍ଟି କରିବାର ସୁବର୍ଣ୍ଣ ସୁଯୋଗକୁ ଭାରତ ହାତଛଡ଼ା କରିବା ଉଚିତ ହେବ ନାହିଁ।

ଏବେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଭାରତର ଆଭ୍ୟନ୍ତରୀଣ ଜନମତକୁ ଆହୁରି ଐକ୍ୟ ଓ ରାଷ୍ଟ୍ରବାଦୀ କୈନ୍ଦ୍ରିକ କରିବା। ଏବେ ଆତଙ୍କବାଦ ସହିତ ଧର୍ମ ଓ ସାମ୍ପ୍ରଦାୟିକତା ଯୋଡ଼ି ହୋଇଯାଇଥିବାରୁ ଆଭ୍ୟନ୍ତରୀଣ ଶାନ୍ତି ଓ ସଂହତି ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ବିପଦକୁ ଦୂର କରିବାକୁ ହେଲେ ଭାରତୀୟତା, ଅଖଣ୍ଡତା ଓ ଏକତା ସହିତ ଧର୍ମନିରପେକ୍ଷତା, ସାମ୍ୟବାଦ, ଭ୍ରାତୃତ୍ୱ୍ରର ଭାବନାକୁ ଆହୁରି ସୁଦୃଢ଼ କରିବାକୁ ହେବ। ଏହି ପ୍ରୟାସକୁ କେବଳ ସର୍ବଦଳୀୟ ବୈଠକରେ ସୀମିତ ନ ରଖି ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଣି ସଂକଳ୍ପ ପାରିତ କରିବାକୁ ହେବ। ଭାରତ ସରକାରଙ୍କ ପାକିସ୍ତାନ ବିରୋଧୀ ଆଭିମୁଖ୍ୟକୁ ଯେପରି ଦଳୀୟ ଭାବନା ସହିତ ଯୋଡ଼ି ବ୍ୟାଖ୍ୟାନମାନ ଗଣମାଧ୍ୟରେ ପ୍ରଚାର ପ୍ରସାର ହେଉଛି ତାହା ଜାତୀୟ ଏକତାକୁ ଭଣ୍ଡୁର କରିପାରେ ଏବଂ ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିପାରେ। ବିରୋଧୀମାନେ ଦଳୀୟ ଆଦର୍ଶ ଓ ରାଜନୈତିକ ବିରୋଧକୁ ଭୁଲି ସରକାରଙ୍କୁ ନିଃସର୍ତ୍ତ ସମର୍ଥନ ଦେଇଛନ୍ତି। ତେଣୁ ସମସ୍ତଙ୍କୁ ବିଶ୍ୱାସକୁ ନେଇ ଏହି ପ୍ରସଙ୍ଗକୁ ରାଜନୀତିରୁ ଊର୍ଦ୍ଧ୍ବରେ ରଖିବା ପାଇଁ ଯଥାସମ୍ଭବ ପ୍ରୟାସ କରିବା ଏବେ ସରକାରଙ୍କ କର୍ତ୍ତବ୍ୟ। ତେଣୁ ସାମାଜିକ ଗଣମାଧ୍ୟମ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ଅଙ୍କୁଶ ଲଗାଇବା ଜରୁରୀ।

ଦେଶ ଏବେ ଏକ ଐତିହାସିକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହା ମଧ୍ୟ ଭୂରାଜନୈତିକ ସମୀକରଣ ସହିତ ଭୂଗୋଳ ଓ ଇତିହାସ ବଦଳାଇର ସୁଯୋଗ ଆଣିଛି। ପାକିସ୍ତାନ ସିମଲା ଚୁକ୍ତିକୁ ଅଗ୍ରାହ୍ୟ କରିଦେଇଥିବାରୁ ତାହାର ଫାଇଦା ଉଠାଇ ପିଓକେକୁ ଭାରତ ସହିତ ମିଶାଇ ଦେବାକୁ ସମୟ ହାତଠାରି ଡାକୁଛି। ତେଣୁ ପାକିସ୍ତାନକୁ ଷଣ୍ଢୁଆସୀ ଆକ୍ରମଣ କରିବା ପାଇଁ କେବଳ ସରକାର ନୁହେଁ, ସମଗ୍ର ଭାରତ ପ୍ରସ୍ତୁତ ହେବା ଦରକାର। ପାକିସ୍ତାନ ପିଠିରେ ପାହାର ପଡ଼ିଲେ ବିଶ୍ୱ ଆତଙ୍କବାଦ ଆଗାମୀ ବହୁଦଶନ୍ଧି ଧରି ସତ୍ତାହୀନ ହେବ ଏବଂ ସାରାବିଶ୍ୱରେ ଶାନ୍ତି ବିରାଜମାନ କରିବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର