ଇଣ୍ଡିଆ ମେଣ୍ଟର ‘ସାମ୍ବାଦିକ ବାସନ୍ଦ’ ପ୍ରସଙ୍ଗ; ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲା

The Sakala Picture
Published On

ଘଟଣାଟାକୁ ଯେତେପ୍ରକାର ଦୃଷ୍ଟିକୋଣରୁ ଆଲୋଚନା କଲେ ମଧ୍ୟ ମନରେ ଶାନ୍ତି ଆସୁନାହିଁ। ଯେତେ ଉତ୍‌‌ଥାନ-ପତନ ଭିତରେ ଗତ ପ୍ରାୟ ନଅ ବର୍ଷରୁ ଊର୍ଦ୍ଧ୍ବ ସମୟର ମନନ, ଚିନ୍ତନ, ମାନଭଞ୍ଜନ ଓ ଏକତ୍ରୀକରଣ ଆଦିର ପ୍ରକ୍ରିୟାରେ ଜାତୀୟ, ମୁଖ୍ୟ ବିରୋଧୀ ଦଳ ମହାମେଣ୍ଟର ସଂଗଠନ ଦାନା ବାନ୍ଧି ଆସୁଛି, ସେଇ ସ୍ରୋତ ଟିକେ ଉଜାଣି ବୋହିଲା ଭଳି ବୋଧ ହେଉଛି। ଆଗରୁ ଦ୍ୱିତୀୟ ସାମ୍ମୁଖ୍ୟ ଓ ତୃତୀୟ ସାମ୍ମୁଖ୍ୟ ଭଳି ଯେତେକ କଳ୍ପନାଜଳ୍ପନା, ତାହା କେବଳ କଂଗ୍ରେସ ଦଳକୁ […]

ଘଟଣାଟାକୁ ଯେତେପ୍ରକାର ଦୃଷ୍ଟିକୋଣରୁ ଆଲୋଚନା କଲେ ମଧ୍ୟ ମନରେ ଶାନ୍ତି ଆସୁନାହିଁ। ଯେତେ ଉତ୍‌‌ଥାନ-ପତନ ଭିତରେ ଗତ ପ୍ରାୟ ନଅ ବର୍ଷରୁ ଊର୍ଦ୍ଧ୍ବ ସମୟର ମନନ, ଚିନ୍ତନ, ମାନଭଞ୍ଜନ ଓ ଏକତ୍ରୀକରଣ ଆଦିର ପ୍ରକ୍ରିୟାରେ ଜାତୀୟ, ମୁଖ୍ୟ ବିରୋଧୀ ଦଳ ମହାମେଣ୍ଟର ସଂଗଠନ ଦାନା ବାନ୍ଧି ଆସୁଛି, ସେଇ ସ୍ରୋତ ଟିକେ ଉଜାଣି ବୋହିଲା ଭଳି ବୋଧ ହେଉଛି। ଆଗରୁ ଦ୍ୱିତୀୟ ସାମ୍ମୁଖ୍ୟ ଓ ତୃତୀୟ ସାମ୍ମୁଖ୍ୟ ଭଳି ଯେତେକ କଳ୍ପନାଜଳ୍ପନା, ତାହା କେବଳ କଂଗ୍ରେସ ଦଳକୁ ଅନ୍ୟ ମୁଖ୍ୟ ବିରୋଧୀ ଦଳ ସେତିକି ଭରସି କାନ୍ଧରେ କାନ୍ଧ ମିଳାଇ ନ ପାରୁଥିବାରୁ ଏହି ଦୁଇଟି ସାମ୍ମୁଖ୍ୟ ଠୋସ୍‌‌ ରୂପ ନେବା ସମ୍ଭବ ହେଲା ନାହିଁ। ଗତ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନଠାରୁ ମହାରାଷ୍ଟ୍ରରେ ‘ଆଗାଡ଼ି’ ସରକାରରେ କଂଗ୍ରେସ ଦଳର ଯୋଗଦାନ ଓ ପଞ୍ଜାବରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ବିରୋଧୀ ମଞ୍ଚାରେ ଟିକିଏ ହଲ୍‌‌ଚଲ ସୃଷ୍ଟି ହେବା ପରି ଜଣାପଡ଼ୁଥିଲା। ଯେହେତୁ ଜାତୀୟ ବିରୋଧୀ ମହାମେଣ୍ଟ କଂଗ୍ରେସ ସହିତ ଯିବ କି କଂଗ୍ରେସ ବିନା ତିଆରି ହେବ, ଏହି ମୂଳ କଥାଟି ଉପରେ ନିର୍ଭର କରୁଥିଲା ଏବଂ ଏତେବର୍ଷର ଚର୍ବିତଚର୍ବଣ ପରେ କଂଗ୍ରେସ ଦଳର ‘ଏକ୍‌‌ଲା ଚଲୋ’ ଅଭିଯାନ ଅସମ୍ଭବ ଜଣାପଡ଼ିବାରୁ ହିଁ ରାଷ୍ଟ୍ରୀୟ ବିରୋଧୀ ମହାମଞ୍ଚ ସଂକଳ୍ପର ରୂପ ନେଲା ବୋଲି ଭାବିବାକୁ ପଡ଼ିବ। ଏବେ ବି ମହାମେଣ୍ଟର ଜନ୍ମଭୂମି ପାଟନା, ଏକୋଇଶା ସ୍ଥଳ ବେଙ୍ଗାଲୁରୁ ଓ ଷଠିପୂଜା ମୁମ୍ବାଇ ନଗରୀରେ ହେଲା ପରେ ଏନ୍‌‌ଡିଏର ରାଷ୍ଟ୍ରୀୟ ବିକଳ୍ପ ଏକ ସକାରାତ୍ମକ ପ୍ରବାହରେ ପରିବର୍ତ୍ତିତ ହେଉଛି। ଗୋଟିଏ ଶୀର୍ଷ ଯୋଗାଯୋଗ କମିଟିର ଗଠନ ହୋଇଛି ଏବଂ ଆସନ୍ତା ରାଜ୍ୟ ନିର୍ବାଚନରେ ତଥା ଲୋକସଭା ନିର୍ବାଚନରେ ଆସନ ଆବଣ୍ଟନର ବିଚାରର ସୂତ୍ରପାତ ହେଉଛି। ଠିକ୍‌‌ ଏହି ସମୟରେ ଭାବିଚିନ୍ତି, ସ୍ୱାର୍ଥଗତ ଉତ୍ତମ ଉଦ୍ଦେଶ୍ୟ ନେଇ ‘ଇଣ୍ଡିଆ’ ମହାମେଣ୍ଟ କୌଶଳକ୍ରମେ ନିଜ ଗୋଲ୍‌‌ପୋଷ୍ଟରେ ଗୋଲ୍‌‌ଟିଏ କରିଦେଇଛନ୍ତି! ଏ ନିଷ୍ପତ୍ତିଟା ବିରୋଧୀ ମହାମେଣ୍ଟର କିଭଳି ଉପକାରରେ ଆସିବ ତାହା ମୋଟେ ବୁଝି ହେଉନାହିଁ।

ଚାରିଦିନ ତଳେ ନୂଆଦିଲ୍ଲୀଠାରେ ନବଜାତ ଶିଶୁ ‘ଇଣ୍ଡିଆ’ ମହାମେଣ୍ଟର ଗଣମାଧ୍ୟମ କମିଟି ଗୋଟିଏ ଚମକପ୍ରଦ ଘୋଷଣା କରିଛନ୍ତି। ୧୪ଜଣିଆ ରାଷ୍ଟ୍ରୀୟ ଟେଲିଭିଜନ ଚ୍ୟାନେଲ୍‌‌ ଆଙ୍କର(ସଂଯୋଜକ ବା ସୂତ୍ରଧର)ଙ୍କର ଗୋଟିଏ ସୂଚୀ ଘୋଷଣା କରିଛନ୍ତି, ଯେଉଁମାନଙ୍କ ସହିତ ବିରୋଧୀ ମହାମେଣ୍ଟର କୌଣସି ନେତା ବା ପ୍ରତିନିଧି ଟେଲିଭିଜନ୍‌‌ ବିତର୍କରେ ଭାଗ ନେବେ ନାହିଁ। ଅର୍ଣ୍ଣବ ଗୋସ୍ୱାମୀ, ନାଭିକା କୁମାର, ଚିତ୍ର ତ୍ରିପାଠୀ, ଶିବ ଅରୁର, ପ୍ରାଚୀ ପରାସର, ଅଦିତି ତ୍ୟାଗୀ, ଅଶୋକ ଶ୍ରୀବାସ୍ତବ୍‌‌ ଆଦି ବରିଷ୍ଠ ଟେଲିଭିଜନ୍‌‌ ପତ୍ରକାର ଓ ସମୀକ୍ଷକମାନଙ୍କ ପାଇଁ ଏହା ଏକ ବାସନ୍ଦ ନୋଟିସ୍‌‌। ଭାରତୀୟ ସାମ୍ବିଧାନିକ ଗଣତନ୍ତ୍ରର ଗତ ୭୩ ବର୍ଷ ଧରି ମୁଖ୍ୟ ରାଜନୈତିକ ଦଳମାନଙ୍କ ଦ୍ୱାରା ଏଭଳି ଏକ ସାର୍ବଜନୀନ ଘୋଷଣା କେବେ ହେଲେ ଶୁଣାଯାଇନଥିଲା। ଏତେଗୁଡ଼ିଏ ବିଜ୍ଞଲୋକ ଭାରତର ଉନ୍ନତି ପାଇଁ ଯଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଟିଏ ନେଇଛନ୍ତି ତେବେ ତା’ପଛରେ ନିଶ୍ଚୟ କିଛି ଦୃଢ଼ କାରଣ ବା ପୃଷ୍ଠଭୂମି ଥିବ ବୋଲି ଆମେ ଆଶା କରିବା। ‘ଇଣ୍ଡିଆ’ ମେଣ୍ଟର କହିବା କଥା ଯେ ବାସନ୍ଦ କରାଯାଇଥିବା ବରିଷ୍ଠ ଟେଲିଭିଜନ୍‌‌ ପତ୍ରକାରମାନେ ମୋଦୀ ସରକାରଙ୍କ ପାଖରେ ବିକ୍ରି ହୋଇଯାଇଛନ୍ତି ଏବଂ ଏନ୍‌‌ଡିଏ ସରକାରଙ୍କ ସୁନାପୁଅ ଭଳି ତାଙ୍କରି ପ୍ରଚାର ପ୍ରସାରରେ ଲାଗି ରହୁଛନ୍ତି। ସେଥିପାଇଁ ସେମାନେ ବିରୋଧୀ ଦଳର ମୁଖପାତ୍ର, ନେତା ବା ପ୍ରତିନିଧିମାନଙ୍କୁ ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଛନ୍ତି ଏବଂ ଗୁଡ଼ାଇତୁଡ଼ାଇ ଅଡ଼ୁଆ ପ୍ରଶ୍ନ ପଚାରି ମହାମେଣ୍ଟର ପ୍ରତ୍ୟେକ ପଦକ୍ଷେପକୁ ସର୍ବସାଧାରଣ ସମ୍ମୁଖରେ ଉପହାସ ଓ କଟାକ୍ଷ କରି ଚାଲିଛନ୍ତି।

ଲକ୍ଷ୍ୟ କରିବା କଥା ଯେ ‘ଇଣ୍ଡିଆ’ ମେଣ୍ଟର ଏହି ବାସନ୍ଦ ନୀତି କୌଣସି ସମ୍ପୂର୍ଣ୍ଣ ଚାନେଲ୍‌‌ ଉପରେ ଲାଗୁ ହେବ ନାହିଁ। କେବଳ ନିର୍ଦ୍ଦିଷ୍ଟ ଚାନେଲ୍‌‌ର ଚିହ୍ନିତ ସାମ୍ବାଦିକ ବା ସମୀକ୍ଷକମାନଙ୍କୁ ହିଁ ବାସନ୍ଦ କରାଯିବ। ଗଣମାଧ୍ୟମ ପ୍ରତି ଏଭଳି ଖୋଲାଖୋଲି ବାସନ୍ଦ ନୀତିକୁ ଆମେ ନିନ୍ଦା କରୁଛୁ। କାରଣ ଏହା ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ, ବାକ୍‌‌ସ୍ୱାଧୀନତା ଅଧିକାରର ହନନ ତଥା ଜାତୀୟ ସ୍ୱାର୍ଥ ଅନୁକୂଳ ନୁହେଁ। ପ୍ରାୟ ଅର୍ଦ୍ଧଶତାବ୍ଦୀ ତଳେ ଓଡ଼ିଶାର ଗାଁଗହଳିରେ ଏହିଭଳି ବାସନ୍ଦ ଓ ନିଅାଁପାଣି ବନ୍ଦ ଆଦି ପ୍ରକରଣର ଉଦାହରଣ ଦେଖିବାକୁ ମିଳୁଥିଲା। ଏବେ ମଧ୍ୟ କାଁଭାଁ ଶୁଣିବାକୁ ମିଳେ। ଅବଶ୍ୟ ଦେଶର କେତେକ ସ୍ଥାନରେ ଏବେ ମଧ୍ୟ ଘୃଣିତ ପ୍ରଥା ଦଳିତମାନଙ୍କ ପାଇଁ ନିଅାଁପାଣି ବାସନ୍ଦର ଉଦାହରଣ ସାମ୍‌‌ନାକୁ ଆସୁଛି। ଏବେ ଗଣମାଧ୍ୟମ ଏବଂ ଟେଲିଭିଜନ୍‌‌ ଭଳି ପ୍ରଭାବୀ ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟ କର୍ମକର୍ତ୍ତାଙ୍କୁ ଏଭଳି ବାସନ୍ଦରେ ‘ଇଣ୍ଡିଆ’ ମେଣ୍ଟର କଣ ଯେ ଲାଭ ହେବ ତାହା କେହି ବୁଝି ପାରୁନାହାନ୍ତି। ସମ୍ପ୍ରତି ଆମ ଦେଶରେ ପଞ୍ଚାୟତ, ବିଧାନସଭା ଓ ସଂସଦ – ଏସବୁରେ ସୁସ୍ଥ ଗଣତାନ୍ତ୍ରିକ ଆଲୋଚନା ସବୁବେଳେ ସମ୍ଭବ ହୋଇପାରୁନାହିଁ। ତେଣୁ ଜନତାଙ୍କ ଆଶା, ଆକାଂକ୍ଷା, ଆଶା, ସ୍ୱପ୍ନ, ସମସ୍ୟା ଆଦିସବୁକୁ ଜାତୀୟ ବିଚାରସ୍ରୋତରେ ରେଖାଙ୍କିତ କରିବା ପାଇଁ ଭାରତର ମୁକ୍ତ ଗଣମାଧ୍ୟମ ଯେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଉଦାହରଣସ୍ୱରୂପ ଗତ ସଂସଦ ଅଧିବେଶନରେ ଯେଉଁଭଳି ଅଚଳାବସ୍ଥା ଓ ମୁକ୍ତ ତଥା ଅବାଧ ଆଲୋଚନାର ଅଭାବ ଦେଖାଦେଲା, ତା’ର ମୂଳ କାରଣ ଖୋଜିଲେ ‘ଇଣ୍ଡିଆ’ ମେଣ୍ଟ ଆଡ଼କୁ ହିଁ ମୁଖ୍ୟତଃ ଅଙ୍ଗୁଳି ଉଠିବ। ଶାସକ ଦଳଙ୍କର ମଧ୍ୟ କିଛିଟା ଦୋଷ ଦୁର୍ବଳତା ରହିଛି।

ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଗଣମାଧ୍ୟମକୁ ଏକପାଖିଆ ଭାବେ ବାସନ୍ଦ କରିବା ଜାତୀୟ ମୁକ୍ତ ବିଚାର ସ୍ରୋତର ପରିପନ୍ଥୀ ନୁହେଁ କି? ‘ଇଣ୍ଡିଆ’ ମେଣ୍ଟ(ଭାରତୀୟ ରାଷ୍ଟ୍ରୀୟ ବିକାଶ ଓ ସମାବେଶୀ ମେଣ୍ଟ) ନାମ ବହନ କରିଥିବା ଏବଂ ଭାରତରେ ପ୍ରକୃତ ଗଣତନ୍ତ୍ରର ପୁନର୍ବାସ ପାଇଁ ଚେଷ୍ଟିତ ଥିବା ବିରୋଧୀ ଦଳଗୁଡ଼ିକ ଗଣମାଧ୍ୟମ ଉପରୁ ବିଶ୍ୱାସ ହରାଇଲେ ମୁକ୍ତ ଜାତୀୟ ଆଲୋଚନା କିଭଳି ହେବ? ସହଜେ ଆଜିକାଲି ତ ଡିଜିଟାଲ୍‌‌ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟ ଯୋଗୁଁ ଗୋଷ୍ଠୀଗତ ଓ ନିର୍ଦ୍ଦିଷ୍ଟ ମଞ୍ଚଗତ ବିତର୍କ ବହୁମାତ୍ରାରେ ହେଉଛି; କିନ୍ତୁ ଗଣାତନ୍ତ୍ରିକ ରାଜନୀତି ଓ ସଂସଦୀୟ ପ୍ରଣାଳୀରେ ଜାତୀୟ ମୁଖ୍ୟସ୍ରୋତର ଗଣମାଧ୍ୟମ ଖବରକାଗଜ, ରେଡିଓ ଓ ଟେଲିଭିଜନ୍‌‌ ଆଦିକୁ ଆମେ ଯଦି ବାସନ୍ଦ ଆରମ୍ଭ କରିବା ତେବେ ବୈଚାରିକ ଉତ୍କର୍ଷ ହେବ କିପରି?

କେନ୍ଦ୍ରରେ ଗତ ନଅ ବର୍ଷର ଏନଡିଏ ଶାସନ ଯେ ଭାରତ ପାଇଁ ଅନେକ କିଛି କରିପାରିଛି ଏହା ଅନସ୍ୱୀକାର୍ଯ୍ୟ। ‘ଇଣ୍ଡିଆ’ ମେଣ୍ଟ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ତାଙ୍କଠାରୁ ଆଉ ପାଦେ ଆଗକୁ ଯାଇ ନିର୍ଦ୍ଦିଷ୍ଟ ବିଚାରଧାରା ଓ ବିକାଶ କାର୍ଯ୍ୟକ୍ରମର ନିଷ୍ଠାପର ନୀଳନକ୍ସା ପ୍ରସ୍ତୁତ କରିବା ଆବଶ୍ୟକ ଏବଂ ଏବେଠାରୁ ସେହି ବିଷୟଗୁଡ଼ିକର ପୁଙ୍ଖାନୁପୁଙ୍ଖ ପ୍ରସାର, ପ୍ରଚାର ଓ ସମୀକ୍ଷା ହେବା ଦେଶ ହିତ ପାଇଁ ହେବ। ଠିକ୍‌‌ ଏତିକି ବେଳକୁ ଯଦି ସେମାନେ ଜାତୀୟ ମୁଖ୍ୟ ସ୍ରୋତର ଗଣମାଧ୍ୟମକୁ ଅଭିମାନ କରି ବାସନ୍ଦ କରିବେ, ତେବେ ତାଙ୍କ କଥା ଲୋକଙ୍କ ପାଖରେ ପହଞ୍ଚାଇବ କିଏ? ମୋଦୀ ସରକାରଙ୍କ ବିଚାରଧାରା, ବିକାଶ ଯୋଜନା, ଜନସମ୍ପର୍କ, ବୈଶ୍ୱିକ ଭାବମୂର୍ତ୍ତି, ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ନ୍ୟାୟ ଆଦିର ଦୃଢ଼ ପଦକ୍ଷେପ ଏବଂ ଏସବୁର ଦାମ୍ଭିକ ପ୍ରଚାର ପ୍ରସାରକୁ ଟିଭି ଓ ଅନ୍ୟ ଗଣମାଧ୍ୟମରେ ‘ଇଣ୍ଡିଆ’ ମେଣ୍ଟ ବିରୋଧ କରି ନ ପାରି ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ଏଭଳି ପଦକ୍ଷେପ ନେଇ ନାହାନ୍ତି ତ? ଯେଉଁ ୧୪ଜଣ ପ୍ରମୁଖ ବାର୍ତ୍ତାକାରଙ୍କୁ ବାସନ୍ଦ କରାଯାଇଛି ସେମାନଙ୍କ ପଛରେ ଲକ୍ଷ ଲକ୍ଷ ଚିନ୍ତାଶୀଳ ଦର୍ଶକ ଓ ପାଠକ ମହଜୁଦ୍‌‌ ଅଛନ୍ତି। ଏଇ ଗୋଟିଏ ପଦକ୍ଷେପରେ ‘ଇଣ୍ଡିଆ’ ମେଣ୍ଟ ଗଣମାଧ୍ୟମରେ ନିଜକୁ ନିଜେ ବାସନ୍ଦ କରିବା ଆରମ୍ଭ କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନ୍ୟାଶ୍‌ନାଲ୍‌ ଡିଜିଟାଲ୍‌‌ ବ୍ରଡ୍‌କାଷ୍ଟରସ୍‌ ମିଡିଆ ଆସୋସିଏସନ୍‌‌ ତରଫରୁ ଏହି ବାସନ୍ଦ ନିଷ୍ପତ୍ତିକୁ ନିନ୍ଦା କରାଯାଇ ଏହା କଂଗ୍ରେସ ସରକାର ଅମଳର ‘ଜରୁରିକାଳୀନ ପରିସ୍ଥିତି’ ମନେ ପକାଇ ଦେଉଛି ବୋଲି ଆକ୍ଷେପ କରିଛନ୍ତି। ବିରୋଧୀ ମେଣ୍ଟ ଔଷଧ ରାଗରେ ତାଟିଆ କାମୁଡ଼ିବା ଛାଡ଼ନ୍ତୁ। ଏହା ହିଁ ଆମର କାମନା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର